Unknown

 

 

 

 

 

 

 

 

 

ତିନୋଟି ରାତିର ସକାଳ

ଶାନ୍ତନୁ କୁମାର ଆଚାର୍ଯ୍ୟ

 

ଏକ

 

ଅବଶେଷରେ ଆସିଗଲା ସେଇଦିନ ।

 

ଆଜି ବିଭୁପ୍ରସାଦର ବାପା ଭବାନୀପ୍ରସାଦ ଚାକିରିରୁ ଅବସରଘେନି ଫେରିବା କଥା ଗାଁକୁ । ଦୁଇଦିନ ତଳେ ଚିଠି ପାଇଥିଲା ବିଭୁପ୍ରସାଦ–

 

“ଅବଶେଷରେ ଆସିଗଲା ସେଇଦିନ । ଚାଲିଲି । ତାଳଚେର ଗାଡ଼ିକୁ ଆପେକ୍ଷା କରିଥିବୁ..... ।”

 

ବିଭୁପ୍ରସାଦ ଯାଇଥିଲା ରେଳ ଷ୍ଟେସନକୁ–ତା’ର ବାପାଙ୍କୁ ସ୍ଵାଗତ ଜଣାଇବା ପାଇଁ । ସେ ଯାଇଥିଲା ଏକାକୀ, କାରଣ ବନ୍ଧୁମାନେ ତା’ର ସେତେବେଳେ ମାତିଥିଲେ–ଦେଶବ୍ୟାପୀ ଚାଲିଥିବା ନିର୍ବାଚନ ଯୁଦ୍ଧରେ ।

 

ସେପର୍ଯ୍ୟନ୍ତ ୟାର୍ଡ଼ ଛୁଇଁନଥାଏ ଗାଡ଼ି । ଦୂରରୁ ମହାନଦୀ ପୋଲଉପରୁ ଶୀର୍ଣ୍ଣ, ପରିଚିତ ହୁଇସିଲ୍ କେବଳ ଶୁଣାଯାଉଥାଏ ।

 

ବିଭୁପ୍ରସାଦ ଏ ହୁଇସିଲକୁ ଚିହ୍ନେ । ଆଜିକୁ କୋଡ଼ିଏ ବର୍ଷରୁ ଊର୍ଦ୍ଧ୍ୱ, ପ୍ରତିଦିନ ରାତି ପାହାନ୍ତିଆରେ ମହାନଦୀ ପୋଲଉପରେ ପଡ଼ିଥିବା ଏଇ ଗାଡ଼ିର ଚକମାନଙ୍କର ଘୁଘୁ ଘୂର୍ଣ୍ଣନ ସହିତ ତା’ର ଏଇ ସରୁଆ ସୁସୁକାଳୀ ଶବ୍ଦ ମନେପକେଇଦିଏ ପିଲାଦିନରେ ସେଇ ନିର୍ଦ୍ଦିଷ୍ଟ ରାତିପାହାନ୍ତାର ଅନୁଭୂତିକୁ । ସେଦିନ, ସହର ସ୍କୁଲରେ ନାଁ ଲେଖେଇବାର ପ୍ରଥମ ରାତିର ପାହାନ୍ତି ପହର ଥିଲା ସେଇଟା । ବାପା, ସାନ ସାନ ଦିଓଟି ଭାଇ, ଆଉ ଗାଁ–ଏମାନଙ୍କୁ ପଛରେ ପକାଇ ବିଭୁପ୍ରସାଦ ପାଠ ପଢ଼ିବା ପାଇଁ ସହରକୁ ଆସିଥିଲା–ସେଇ ସ୍କୁଲକୁ, ଯେଉଁ ସ୍କୁଲରେ ପଢ଼ିଥିଲେ ସେମାନେ–ଅର୍ଥାତ୍ ଶତାବ୍ଦୀର ବିଖ୍ୟାତ ମନିଷୀମାନେ–ଯେଉଁମାନେ ଆଜି ଜୀବିତ କି ମୃତ ସେକଥା ନିର୍ଦ୍ଧିଷ୍ଟଭାବେ ମନେପକେଇବାକୁ ଆଉ ବେଳନଥାଏ ବିଭୁପ୍ରସାଦ ହାତରେ । କିନ୍ତୁ ମହାନଦୀ ପୋଲଉପରୁ ସେଇ ସରୁଆ ହୁଇସିଲଟା ଆଜି ମଧ୍ୟ କରୁଣବିଦାୟୀ ସ୍ଵରଟିଏ ପରି ଶୁଭି ଶୁଭି ଯାଉଥାଏ କାନକୁ–ଯେଉଁ ସ୍ୱରରେ ତା’ର ବାପା ସେଦିନ ତାକୁ ଏଇ ସହରୀ ସ୍କୁଲ ହଷ୍ଟେଲରେ ଛାଡ଼ି ଚାଲିଗଲେ, ଆଉ ଯିବାପୂର୍ବରୁ ପୁଣିଥରେ କହିଗଲେ, ତାଙ୍କର ବହୁ ପୁନରାବୃତ୍ତ, ମନ୍ତ୍ରପରି ସେଇ ବାକ୍ୟଟି–

 

“ମିଶିଯା ! ସବୁରି ସାଥିରେ ମିଶିଯା ! ମିଶିଲେ ପଶିବୁ–ପଶିଲେ ରବିବୁ–ଆଉ ବ୍ୟକ୍ତି ଓ ପଦାର୍ଥମାନଙ୍କ ସହିତ ନ ରସିଲେ ଶିକ୍ଷା ସମ୍ପୂର୍ଣ୍ଣ ହେବନାହିଁ ।

 

ଏ ସହରର ସମସ୍ତ ପଦାର୍ଥ ଆଉ ଅଧିକାଂଶ ବ୍ୟକ୍ତିଙ୍କ ସହିତ ବିଭୁପ୍ରସାଦ ସେହିଦିନୁ ପିତୃ ଆଦିଷ୍ଟ ହେଲାପରି ମିଶିଛି । କେତେକଙ୍କ ସାଙ୍ଗରେ ରସିଛି ମଧ୍ୟ । ତଥାପି ବିଭୁପ୍ରସାଦ ଶିଖିପାରିନାହିଁ । ସେ ଶିଖିପାରିନାହିଁ ଏହିପରି ଗୋଟିଏ ଗୋଟିଏ ଆଖିର ମୁହୂର୍ତ୍ତରେ କେମିତି ନ କାନ୍ଦିବାକୁ ହୁଏ । ବିଚ୍ଛେଦକୁ ବିରହରେ କିପରି ପରିଣତ କରିବାକୁ ହୁଏ, ହାନିକୁ ତ୍ୟାଗରେ କିପରି ପରିଣତ କରିବାକୁ ହୁଏ, ସେ ଏପର୍ଯ୍ୟନ୍ତ ଶିଖିପାରିନାହିଁ । ଫଳରେ ସ୍ମୃତିକୁ ଅନୁଭୂତିର ଆନନ୍ଦରେ ପରିଣତ କରିବା ପରିବର୍ତ୍ତେ ତାହା ହିଁ ତା’ର ବିଷାଦ ଆଉ ଦୁଃଖର କାରଣ ହୋଇ ତଥାପି ରହିଛି । ପିଲାଦିନେ ଯେଉଁ ରେଳଗାଡ଼ିର ନଈପୋଲ ପାରିହଉଥିବା ଚକଗୁଡ଼ାକର ଶବ୍ଦକୁ ରାତି ପାହାନ୍ତିଆରେ, ଗୋଟାଏ ସ୍କୁଲ ହଷ୍ଟେଲର ଖଟିଆରେ ଛାତି ଆଉ କାନ ଦେଇ ଶୁଣୁଶୁଣୁ ବିଭୁପ୍ରସାଦର ଆଖିରୁ ଧାରଧାର ଗରମ ଲୁହ ବାହାରି ପଡ଼ୁଥିଲା, ଆଜି ସେଇ ଶବ୍ଦକୁ କାନୋଉ କାନୋଉ ପୁଣିଥରେ ଗମଗମ ହେଇ ବୋହିପଡ଼ୁଥାଏ ସେମିତି ଲୁହଗୁଡ଼ାକ । ଚାଳିଶବର୍ଷ ଶିକ୍ଷକତା କରିସାରି ଅବସର ଘେନି ଫେରୁଥିବା ତା’ର ବାପାଙ୍କୁ ଧରି ଚିହ୍ନା ରେଳଗାଡ଼ିଟା ତୂରୀ ବଜେଇ ବଜେଇ ଯହୁଁ ଯହୁଁ ପାଖେଇ ଆସୁଥାଏ, ତହୁଁ ତହୁଁ ବିଭୁପ୍ରସାଦର ଛାତି ଭିତରଟା ସେଇ ଅଜଣା ବିଷାଦ ଆଉ ହାନିର ଆଶଙ୍କାରେ ଭରିଉଠୁଥାଏ । ବେଶି ବେଶି ମନେପଡ଼ି ଯାଉଥାଏ ପିଲାଦିନର ସେଇ ଶବ୍ଦ, ଯାହା ହିଁ ତା’ ଜୀବନର ଚରମ ଦୁଃଖର ଶବ୍ଦ, ଆଉ ଯାହାକୁ ବାରମ୍ଵାର ପୁନରାବୄତ୍ତ ହେବା ଶୁଣିଛି ବିଭୁପ୍ରସାଦ–ଯେକୌଣସି ହିନ୍ଦୁ ସଧବା ନାରୀର ମୃତଦେହକୁ ଧରି ଶ୍ମଶାନକୁ ଚାଲିଥିବା ଶବପଟୁଆର ଆଗେ ଆଗେ ଚାଲିଥିବା ସେଇ ଗୋଟିକିଆ ମହୁରି ଆଉ ଡେଙ୍ଗୁରା ଶବ୍ଦ ଭିତରେ । ସେଇ ଅହିଅ ଡେଙ୍ଗୁରା ବଜାଇ ବଜାଇ ଗାଡ଼ି ପାଖେଇ ଆସୁଥାଏ ଆଜି ।

 

ବିଭୁପ୍ରସାଦ ଆଉ ସହିପାରିଲା ନାହିଁ । ମହାନଦୀ ପୋଲ ପାରିହୋଇ ଦୂରର ସିଗନାଲ୍ ଖୁଣ୍ଟ ଅତିକ୍ରମ କରିସାରିଥିବା ସେଇ ଚିହ୍ନା ରେଳଗାଡ଼ି ଇଞ୍ଜିନ୍ ମୁହଁଉପରେ ଚାନ୍ଦ ଭଳି ଧଳା ଅଂଶଟା ଆଖିରେ ପଡ଼ିଯିବା ମାତ୍ରେ, ଆଉ ସେଇ ଧଳା, ଚାନ୍ଦ ମୁହଁର ପାଖେ ପାଖେ ଗୋଟିକିଆ ମହୁରି ପରି ବାଜୁଥିବା ରେଳ ହୁଇସିଲ୍ ଶବ୍ଦ ପାଖେଇଆସିଲା ମାତ୍ରେ ସେ ଚମକିପଡ଼ିଲା । ଥରିଗଲା ସେ ଅଷ୍ଟାଙ୍ଗ ଶରୀରରେ । ହଠାତ୍ କେଉଁଠି ଥିଲା ପୁଣି ଥରେ ସେଇ ଛୋଟ ଚିତ୍ରଟି ବଡ଼ ହେଇଉଠିଲା ଆଖିରେ ତା’ର । ମନେପଡ଼ିଗଲା ମା’ ମୁହଁ, ସେଇ ମା’ ମୁହଁ–ଯାହାକୁ କୋକେଇରେ ବୋହିନେଲାବେଳେ ସେମାନେ କଥାବାର୍ତ୍ତା ହଉଥିଲେ–

 

“ଭାଗ୍ୟବତୀ ସେ ! ସତୀ ସେ ! କେତେ ପୁଣ୍ୟ କରିଥିଲା, ଆହା ଚାଲିଗଲା–ସମସ୍ତଙ୍କ ଆଗେ ଆଗେ ଚାଲିଗଲା–ତରିଗଲା ।”

 

ସେଇ କୋକେଇ ଆଜି ଗୋଟାଏ ରେଳଗାଡ଼ି ପରି ଲମ୍ବି ଯାଉଥାଏ ବିଭୁପ୍ରସାଦର ଆଖିରେ । ଏଇ ଲମ୍ବା କୋକେଇରେ ସଂସାରର ସବୁ ସତ୍ୟକୁ, ସବୁ ସାଧ୍ଵୀ ନାରୀପଣିଆକୁ, ସବୁ ଶିକ୍ଷାପ୍ରଦାତାକୁ ନିଜ କାନ୍ଧରେ ବୋହି ନଉ ନଉ କୋଉମାନେ ଯେମିତିକି ଆଜି ମଧ୍ୟ ସେହିଦିନ ପରି ବାହୁନୁଥିଲେ–

 

“ଆହା, କେତେ ପୁଣ୍ୟ କରିଥିଲେ ଏମାନେ, ଚାଲିଗଲେ–ସମସ୍ତଙ୍କ ଆଗେ ଆଗେ ଚାଲିଯାଉଚନ୍ତି ଏମାନେ–ଏଇ ସତ୍ୟ ଆଉ ସୁକୁମାରମାନେ । ଚାକିରି ଆଉ କ୍ରୀତଦାସତ୍ଵ ଏମାନଙ୍କୁ ଆଉ ବାନ୍ଧିପାରିଲା ନାହିଁ । ଚାଲିଗଲେ ଆଗେ ଆଗେ–ଅହିଅ ଡେଙ୍ଗୁରା ବଜେଇ ବଜେଇ ଚାଲିଯାଉଚନ୍ତି ଏମାନେ–ଆମକୁ ପଛକୁ ପକେଇ... ” ।

 

ମୁହୂର୍ତ୍ତେ ପାଇଁ କ୍ରୋଧରେ ଜଳିଗଲା ବିଭୁପ୍ରସାଦ । ତାଚ୍ଛଲ୍ୟରେ ଫୁଲିଗଲା ତା’ର ନାକପୁଡ଼ା; କିନ୍ତୁ କ୍ରୋଧ ଆଉ ଘୃଣାରେ ହସିବା ପରିବର୍ତ୍ତେ ସେ ପୁଣି କାନ୍ଦିପକେଇଲା । ଝରଝର ହେଇ ତାତିଲା ଲୁହ ତା’ର ଆଖି ନାକରୁ ଗଳିପଡ଼ିଲା । ଆଉ ତା’ ସାଙ୍ଗରେ ମନେପଡ଼ିଗଲା ମୁହଁଟାଏ–ମନମୋହନର ବାପାଙ୍କ ସେଇ ମୁହଁଟା, ଯୋଉଟା ଗଲାକାଲି ଖବରକାଗଜରେ ସେ ଦେଖିଥିଲା–ମନମୋହନର ଶୁଭବିବାହ ସମ୍ବାଦ କଡ଼କୁ ପ୍ରକାଶ ପାଇଥିବା ଆଉ ଗୋଟିଏ ସରକାରୀ ସମ୍ବାଦର ଶୀର୍ଷରେ ସ୍ଥାନ ପାଇଥିବା ସେଇ ବଡ଼ ବଡ଼ ଅକ୍ଷର କେଇଟା ଭିତରେ ।

 

ମନମୋହନର ବାପା, ତାଙ୍କ ଚାକିରି ସସପେନ୍‍ସନରୁ ବର୍ତ୍ତିଗଲେ ଓ ତାଙ୍କର ପଦୋନ୍ନତି ସହ କେନ୍ଦ୍ରର କୌଣସି ଗୁରୁତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ କନ୍ୟାସହ ମନମୋହନର ଶୁଭବିବାହ ସମ୍ବାଦ ସେତେବେଳେ ସହରର କଥୋପକଥନରେ ବାରମ୍ବାର ଶୁଣାହୋଇ ସାରିଥାଏ । ନିଜ ବାପର ଅବସର ଘେନି ଫେରିବା ଦୃଶ୍ୟ ସହିତ ମନମୋହନ ବାପାଙ୍କର ପଦୋନ୍ନତିର ଦୃଶ୍ୟ ଆଜି ବିଭୁପ୍ରସାଦର କ୍ରୋଧର କାରଣ ହୋଇଥିଲେ ସୁଦ୍ଧା ବିଭୁପ୍ରସାଦ ପାଇଁ ଏମିତି ପିଲାଙ୍କ ଭଳି କାନ୍ଦିପକେଇବାରେ ଯଥେଷ୍ଟ କାରଣ ଥିଲା । ତା’ର ଏ କାନ୍ଦ ପାଇଁ କେବଳ ରେଳଗାଡ଼ିର ଚକା ଶବ୍ଦ ଆଜି ଦାୟୀ ନୁହେଁ । ଦାୟୀ ହଉଚି–ତା’ ହାତରେ ସକାଳୁ ଏପର୍ଯ୍ୟନ୍ତ ଗୋଟିଏ ଖବରକାଗଜ ପୁଡ଼ିଆରେ ବନ୍ଧାହେଇ ଅପେକ୍ଷା କରିଥିବା ଗୋଟିଏ ଫୁଲମାଳ । ଏଇ ଫୁଲମାଳକୁ ବାପାଙ୍କ ବେକରେ ପକେଇ ତାଙ୍କୁ ପାଛୋଟି ନବାପାଇଁ ବିଭୁପ୍ରସାଦ ଆଜି ପ୍ରସ୍ତୁତ ହୋଇ ଘରୁ ବାହାରି ଆସିଥାଏ । ଆଉ ଏ ଫୁଲମାଳ ଗୁନ୍ଥି ଦେଇଥାଏ ଯେ, ସେ ଅନ୍ୟ କେହି ନୁହେଁ ସେଇ ହରିଜନ ଝିଅଟି–ନାଁ ଯାହାର ସୁକୁମାରୀ ।

 

ପଡ଼ିଶା ଘର ହତା ଟଗରଗଛର ଯୋଉ ଡାକଟା ନିରବ ନିଳୟ ପଟକୁ ଝୁଲିପଡ଼ିଥାଏ, ସେଇ ଡାଳର ଫୁଲରେ, ଏତେବଡ଼ ଗଜରା ହାର ଦୁଇଟା, ରାତି ପହାନ୍ତାରୁ ଉଠି ସୁକୁମାରୀ ଆଜି ଗୁନ୍ଥି ସାରିଥାଏ । ସୁକୁମାରୀର ମା’ ସେପର୍ଯ୍ୟନ୍ତ ଡାକ୍ତରଖାନାରେ ପଡ଼ିଥାଏ । ତା’ର କ୍ୟାନସର ଅପରେଶନ ହେଲା ନାହିଁ–ହୋଇପାରିଲା ନାହିଁ । ଅପରେଶନ୍ ପାଇଁ ଉଦ୍ଦିଷ୍ଟ ଟଙ୍କାକୁ ଡାକ୍ତରଙ୍କୁ ଖାଇଯିବାକୁ ନ ଦେଇ ନଟବର ନାମକ ତା’ର ସେଇ ସାଙ୍ଗଟି ଶେଷ ମୁହୂର୍ତ୍ତରେ ଯେଉଁ ନିଷ୍ପତ୍ତି କରିଥିଲା, ସେ ତାହା ହିଁ କଲା; ଆଉ ସତକୁ ସତ କୌଣସି ଗୋଟିଏ ନିର୍ବାଚନ ମେଣ୍ଟରେ ଯୋଗଦେଇ ଟଙ୍କା ସହ ମଫସଲକୁ ପ୍ରଚାର କାର୍ଯ୍ୟରେ ଚାଲିଯାଇଥିଲା ।

 

ନଟବର ଚାଲିଯିବା ପରେ ସୁକୁମାରୀନାମ୍ନୀ ସେଇ ଯୁବତୀ ହରିଜନ ଝିଅଟିକୁ ନିଜ ଘରେ ରଖି ବିଭୁପ୍ରସାଦ କଅଣ କରିବ, ପ୍ରଥମେ କିଛି ବୁଝିପାରିଲା ନାହିଁ । କିନ୍ତୁ ପ୍ରତିଦିନ ସକାଳେ ସନ୍ଧ୍ୟାରେ ସେଇ ଛୋଟିଆ ଆଲୁମିନିୟମ୍ ପଥି ନବା ପାତ୍ରଟିକୁ ଡାକ୍ତରଖାନାରେ ପଡ଼ିଥିବା ମା’ ପାଖକୁ ପଠେଇ ଦେବାପାଇଁ ହାତ ବଢ଼େଇ ଦଉଥିବା ମଣିଷ ହାତଟିକୁ ଦେଖୁ ଦେଖୁ ବିଭୁପ୍ରସାଦ ନିଜେ ସେଇ ହାତକୁ ଧରିପକେଇଲା ଓ ତାରି ପଛକୁ ଯେଉଁ ଯୋଡ଼ିଏ ବଡ଼ ଗଜରା ମାଳ ସୁକୁମାରୀ ଗୁନ୍ଥିଥିଲା, ସେଇଆକୁ ଗୋଟିଏ କାଗଜ ପୁଡ଼ିଆରେ ବାନ୍ଧି ଦୁହେଁ ଗୋଟିଏ ରିକ୍ସାରେ ବସିଥିଲେ ଓ ଯାଇଥିଲେ ଡାକ୍ତରଖାନାକୁ । ଡାକ୍ତରଖାନାର କ୍ୟାନସର ୱାର୍ଡ଼ରେ ସେଇ ଖଟିଆ କଡ଼ରେ ଦୁହେଁ ପରସ୍ପର ଗଳାରେ, ପାରମ୍ପରିକ ରୀତିରେ, ସେହି ଫୁଲହାର ଦିଓଟି ପିନ୍ଧେଇ ଦେଇଥିଲେ । ବୁଢ଼ୀ ସେଇ ଦୃଶ୍ୟକୁ ଆଖିରେ ଦେଖିଥିଲା ଓ ମାସ ମାସ ଧରି କେବଳ ସେଇ ଆଖିଯୋଡ଼ିକ ବ୍ୟତୀତ ଆଉ ସବୁକୁ କ୍ୟାନସର ମୁହଁରେ ଦେଇସାରିଥିବା ମଣିଷଟି ତା’ର ସେଇ ଚକାଚକା ଆଖିରେ ଖୁସିର ଟିକିଏ ସୂଚନା ଦେଇଥିଲା, ଯେଉଁ ଖୁସି ଅବଶେଷରେ ନବବିବାହିତ ଦମ୍ପତିଙ୍କର ସେଇ ପିଲାଳିଆ ଭାବପ୍ରବଣ ମୁହୂର୍ତ୍ତକୁ ଗୋଟିଏ ଅର୍ଥପୂର୍ଣ୍ଣ ଆବେଗରେ ପରିଣତ କରିଥିଲା ।

 

“ମରୁଥିବା ଜୀବ ମୁହଁରେ ଟୋପିଏ ପାଣି ଦବାଠାରୁ, ପୁଣ୍ୟକାର୍ଯ୍ୟ ଆଉ କିଛି ନାହିଁ ଏ ସଂସାରରେ– ।”

 

ବିଭୁପ୍ରସାଦ ପୁଣି ଥରେ ମନେପକାଇଲା ତା’ ବାପାଙ୍କର ସେଇ ବାକ୍ୟଟାକୁ, ଯେଉଁଟାକୁ ସେ ଜୀବନସାରା ଉଚ୍ଚାରଣ କରନ୍ତି ଓ କରିଥିଲେ ମଧ୍ୟ ସେଦିନ, ଯୋଉଦିନ ତୁଳା ଟିକିଏ ଓଦାକରି ବିଭୁପ୍ରସାଦ ଶେଷ ମୁହୂର୍ତ୍ତରେ ତା’ ନିଜ ମା’ ମୁହଁରେ ଟୋପାଏ ପାଣି ଦେଇଥିଲା ଓ ମାର ଶୁଖିଲା ଓଠର ପାକୁପାକୁକୁ ଅନାଇ ହୁଏତ ସେଇ ହଳଦୀବସନ୍ତ ଚଢ଼େଇଟାର କଥା ଭାବୁଥିଲା, ଯାହାକୁ ସେଇବର୍ଷ ଖରାଛୁଟିରେ ଗୁଲରରେ ନିଜେ ମାରିଦେଇଥିଲା । କିନ୍ତୁ ସେଦିନ ମଧ୍ୟ ସେଇ ଆସ୍ତେ ଆସ୍ତେ ମରିଯାଉଥିବା ଚଢ଼େଇଟାର ମେଲା ଥଣ୍ଟ ଭିତରେ ନିଜ ମନକୁମନ ଦିଟୋପା ପାଣି ପକେଇ ଦଉ ଦଉ ବିଭୁପ୍ରସାଦ ନିଜକୁ ନିଜେ ପଚାରିଥିଲା ଏଇ ପ୍ରଶ୍ନଟି–ଯାହାକୁ ମା’ର ମୃତ୍ୟୁଶଯ୍ୟା ପାଖରେ ପୁଣି ମନେପକେଇ ସେ ପଚାରିଥିଲା ତା’ ବାପାଙ୍କୁ–ଭବାନୀପ୍ରସାଦଙ୍କୁ–

 

“ମଲାବେଳେ ପାଟି ପାକୁପାକୁ କରି ଜୀବଟି କଅଣ କହିବାକୁ ଚାହେଁ ବାପା ? ସେ କଅଣ ଅଭିଶାପ ଦଉଥାଏ ? ତା’ର ମୃତ୍ୟୁପାଇଁ ଯେ ଦାୟୀ ତାକୁ କଅଣ ପ୍ରତ୍ୟେକ ଜୀବ ଅଭିଶାପ ନଦେଇ ଛାଡ଼େନାହିଁ ବାପା ? ସେଦିନ ହଳଦୀବସନ୍ତ ଚଢ଼େଇଟା ମତେ ଯେମିତି ଅଭିଶାପ ଦଉଥିଲା, ବର୍ତ୍ତମାନ ଆମ ମା’ କଅଣ ତା’ର ମୃତ୍ୟୁପାଇଁ ଯେ ଦାୟୀ, ସେଇ ଭଗବାନଙ୍କୁ ହିଁ ଅଭିଶାପ ଦଉଚି ବାପା ?”

 

ବିଭୁପ୍ରସାଦ ମା’ର ଶୁଖିଲା ଓଠରେ ଆଉ ଟୋପାଏ ପାଣି ଓଦା ତୁଳାରୁ ନିଗାଡ଼ିଦେଇ ତା’ ବାପାଙ୍କ ମୁହଁକୁ ଅନିଷା କରିଥିଲା–ତା’ ପ୍ରଶ୍ନର ସେଇ ଇପ୍‍ସିତ ଉତ୍ତରଟି ପାଇଁ । ତା’ର ଆଶା ହଉଥିଲା ଭଗବାନଙ୍କ ଦୟାରୁ ତା’ର ବାପା କହନ୍ତେ କି, ନା, ନା, ! ଅସମ୍ଭବ ! କି ମଣିଷ, କି ପଶୁପକ୍ଷୀ, ମଲାବେଳେ ଅଭିଶାପ ଦେବା ପରିବର୍ତ୍ତେ ସମସ୍ତେ ସେଇ ଭଗବାନଙ୍କ ପାଖରେ ହିଁ ଶରଣ ପଶିବାକୁ ଚାହାନ୍ତି ବାପା ! ମଲାବେଳେ ଅଭିଶାପ କେହି ଦିଏନାହିଁ । ଅଭିଶାପ ଦେଇହୁଏ ନାହିଁ ମଲାବେଳେ ।”

 

କିନ୍ତୁ ବିଭୁପ୍ରସାଦର ମନେଅଛି କିମିତି ତା’ର ଏଇ ବାପା ଯେ, ଆଜି ନିଜେ ଗୋଟିଏ କୋକେଇରେ ବୁହାହେଇ ଚାଲିଛନ୍ତି, ଆଉ ଯାହାଙ୍କ ପାଇଁ ଗୋଟାଏ ଫୁଲମାଳ ଆଉ କେରାଏ ଖଦଡ଼ ସୂତାର ମାଳଧରି ବିଭୁପ୍ରସାଦ ଅପେକ୍ଷା କରି ରହିଛି, ଗାଡ଼ିରୁ ଓହ୍ଲାଇବାମାତ୍ରେ ଫୁଲ ଆଉ ସୂତାମାଳକୁ ତାଙ୍କ ବେକରେ ପିନ୍ଧେଇଦେଇ ଅନ୍ୟମାନଙ୍କ ପରି ବିଭୁପ୍ରସାଦ ନିଜେ ମଧ୍ୟ ନିଜ ବାପର ପ୍ରଶଂସା କରି କହିବ–

 

“ଭଲ ହେଲା ବାପା ! ଚାକିରି ଆଉ କ୍ରୀତଦାସତ୍ଵ ଉଭୟଙ୍କୁ ଠିକ୍ ସମୟରେ ବିଦାୟ ଦେଇଛ । ଏଣିକି ମୁଁ ମଧ୍ୟ ଠିକ୍ କରିସାରିଚି । ମତେ ସାଙ୍ଗରେ ନେଇ ଚାଲ ବାପା ! ମୁଁ ବି ଚାକିରି କରିବି ନାହିଁ ବୋଲି ସ୍ଥିର କରିସାରିଛି । ମୋର ପଚିଶବର୍ଷ ପାଠପଢ଼ା, ଗବେଷଣା ଆଉ ବିଶ୍ଵବିଦ୍ୟାଳୟ ତାଲିମକୁ ଜୁହାର । ତାଛଡ଼ା କାହାର ବା ଚାକିରି କରିବି ? ଏ ସରକାରର ? କୌଣସି ଶେଠ୍, ବ୍ୟବସାୟୀ, କଣ୍ଟ୍ରାକ୍ଟର ? ସବୁ ସମାନ ବାପା ! ସବୁ ସମାନ । ତୁମ ବେଳର ବିଦେଶୀ ଆମ ବେଳର ସ୍ଵଦେଶୀ ସବୁ ସମାନ । ଆପଣ ଜାଣନ୍ତି, ଏ ଯେଉଁ ନିର୍ବାଚନ ଚାଲିଚି ସେଥିରେ କିଏ ଜିତିବ ? କିଏ ମୁଖ୍ୟମନ୍ତ୍ରୀ ହବ ଜାଣନ୍ତି ଆପଣ ? ମୋ ବସା ପାଖେ ଯୋଉ କଣ୍ଟ୍ରାକ୍ଟର, ବରଂ ଯୋଉ କଣ୍ଟ୍ରାକ୍ଟର ଘରପାଖେ ମୋ ବସା–ଚିହ୍ନନ୍ତି ତାଙ୍କୁ ? ଜାଣନ୍ତି ତାଙ୍କ ଇତିହାସ-? ଡ .ଡି.ଭି.ଏସ୍.ଡି.ଏନ୍.ନାଇଡ଼ୁ ନାମକ ଅବକାରୀ ବ୍ୟବସାୟୀଙ୍କ ନାଁ ଶୁଣିଛନ୍ତି ? ଶୁଣିଛନ୍ତି–ମନମୋହନ ଆଉ ତା’ ବାପାଙ୍କ କାହାଣୀ ! ଆଗାମୀ ନିର୍ବାଚନରେ ସେଇମାନେ ହିଁ ଜିତିଲେ ବାପା, ସେଇମାନେ ହିଁ ଜିତିଲେ । ନଟବର ପାରିବ ନାହିଁ ସେମାନଙ୍କୁ–ମୁଁ ଜାଣେ । ନିର୍ବାଚନ ଲଢ଼େଇରେ ସେମାନେ କୋଟି କୋଟି ଖର୍ଚ୍ଚ କରୁଥିଲାବେଳେ ଗୋଟିଏ ପାପଗର୍ଭ କଲେଜ ଝିଅ, ଯାହାକୁ ଜବରଦସ୍ତି କିମ୍ବା ସେହିପରି କୌଣସି ପରିସ୍ଥିତିରେ ‘ତତେ ଏୟାର ହୋଷ୍ଟେସ୍ କରିଦେବି’ କହି ତା’ର ପେଟରେ ଅବୈଧ ଶିଶୁସଞ୍ଚାର କରିଦେଇ, ମାଈ କୁକୁରଟିଏ ପରି ଏ ସହରର ରାସ୍ତାକୁ କେହି ଛାଡ଼ି ଦେଇଥାଏ, ସେମିତି ଗୋଟାଏ ସ୍ତ୍ରୀଲୋକର ଗର୍ଭକୁ ଡମ୍ବରୁ ପରି ବଜେଇ ବଜେଇ ପରେ କନ୍‍ଷ୍ଟିଚ୍ୟୁଏନସି ପରେ କନ୍‍ଷ୍ଟିଚ୍ୟୁଏନ୍‍ସି ବୁଲି ବୁଲିକା ସେ ପାଗଳା “ନ୍ୟାୟକୁ ଭୋଟ ଦିଅ-! ଧର୍ମକୁ ଭୋଟ ଦିଅ ! ଏ କଲେଜ ଝିଅଟି ପେଟରେ ଯେଉଁ ପାପ ଘୋଡ଼ିଆ ହେଇ ରହିଛି, ସେଇଆକୁ ଯେ ଆଲୁଅକୁ ଆଣିପାରିବ, ସେଇଆଙ୍କୁ ଭୋଟ ଦିଅ ! ଭାଇମାନେ, ସତ୍ୟର ଆର୍ତ୍ତନାଦକୁ ଅର୍ଥର ସିଂଘାନାଦରେ ବୁଡ଼ିଯିବାକୁ ଦିଅନାହିଁ ‘ବୋଲି ଯେତେ ଚିତ୍କାର କଲେ ବି ନଟବରର ଆର୍ତ୍ତନାଦ ଚଣ୍ଡୀ ମନ୍ଦିରରେ ବଳିପଡ଼ୁଥିବା ମେଣ୍ଢାଛୁଆର ସ୍ଵର ପରି ହଜିଯିବ ସେମାନଙ୍କର ମାନସିକ ସଂକଳ୍ପର ଡ୍ରମ୍‍ବାଡ଼ିଆ ଭିତରେ । ନଟବର ଆଦୌ ଜିତିପାରିବ ନାଇଁ-। ଏ ପରିସ୍ଥିତିରେ ତେଣୁ ମୁଁ କେଉଁପଟକୁ ହେବି ବାପା ! କାହାର ଚାକିରି କରିବି ?

 

“ବରଂ ତୁମ ବେଳେ ତୁମେ ଯେମିତି ଆତ୍ମପବିତ୍ରତା ପାଇଁ, ବିଦେଶୀ ବର୍ଜନ କରି ସ୍ଵଦେଶୀ ଧରିଥିଲ, ଆଜି ଆମ ପାଇଁ ସେଇଦିନ ଆଉଥରେ ଫେରିଆସିଛି ବାପା ! ଅନ୍ୟାୟଲବ୍ଧ, ଅପବିତ୍ର ଆଉ ଅସାଧୁ ଉପାୟରେ ଅର୍ଜିତ ଜାତୀୟଧନର ଗନ୍ତାଘର ଓ ତାକୁ ଆତ୍ମସାତ୍ କରି ଧନୀ ହୋଇଥିବା ମାଲିକମାନଙ୍କ ଚାକିରିଆ ହେଇ ପେଟ ପୋଷିବା ଅପେକ୍ଷା ବରଂ ଆତ୍ମହତ୍ୟା କରିବା ଭଲ । କିନ୍ତୁ ମୁଁ ଆତ୍ମହତ୍ୟା କରିନାହିଁ ବାପା ! ମୁଁ କେବଳ ମୋ ସ୍ଵେଚ୍ଛା ମୃତ୍ୟୁବରଣ କରିଛି ବାପା ! ମୁଁ ହରିଜନ ବିବାହ କରିଛି । ଏଣିକି ବାକି ରହିଲା ମୋର ପଚିଶ ବର୍ଷର ତପସ୍ୟାରେ ଜଳାଞ୍ଜଳି ଦେଇ ତୁମ ସାଙ୍ଗେ ଗାଁକୁ ଫେରିଯିବା । ମୁଁ ଗାଁକୁ ବାହାରିଲି ବାପା ! ମତେ କୃଷକ ହେବାକୁ ପଡ଼ିବ-। ପୁଣି ଥରେ ମୂଳରୁ ସବୁକଥା ଆରମ୍ଭ କରିବାକୁ ପଡ଼ିବ ଆମକୁ । କିନ୍ତୁ ଏଥିପାଇଁ ମୋର ଦୁଃଖ ନାହିଁ । ମୋର ମୃତ୍ୟୁ ପାଇଁ କାହାରିକୁ ଅଭିଶାପ ମୁଁ ଦେଇପାରିବି ନାହିଁ ବାପା । ଅଭିଶାପ ମୁଁ ଦେଇପାରିବି ନାହିଁ । ସେଇ ଅଭିଶାପକୁ ହିଁ ଆବାଲ୍ୟରୁ ଭୟକରେ ବାପା । ତୁମର ମନେଅଛିନା–ସେଇ ଚଢ଼େଇଟାର ପାଟି ପାକୁ ପାକୁ ? ଯାହାକୁ ମୁଁ ଗୁଲର୍‍ରେ....ସେଇ ଖରା ଛୁଟିରେ.... ? ସେ କଅଣ ଅଭିଶାପ ଦେଇଥିବ ମତେ ? ମୋର ବିଶ୍ୱାସ ନୁହେଁ ମରୁଥିବା ପ୍ରାଣୀ ପକ୍ଷରେ କାହାକୁ ଅଭିଶାପ ଦେବା ଅପେକ୍ଷା ଶାନ୍ତିରେ ଆଖିବୁଜିଦେବା କଅଣ ଅଧିକ ଜୀବୋଚିତ ଧର୍ମ ନୁହେଁ ?”

 

କିନ୍ତୁ ବିଭୁପ୍ରସାଦର ମନେଅଛି–ସେଦିନ ମା’ର ମୃତ୍ୟୁଶଯ୍ୟା ପାଖେ ବସି, ପୁଅହାତରୁ ଟୋପା ଟୋପା ଗଳିପଡ଼ୁଥିବା ପାଣିକୁ କ୍ଷୀଣ ଦୃଷ୍ଟିରେ ଅନେଇ କଅଣ ସବୁ ପାକୁପାକୁ କରି କହିଯାଉଥିବା ମଣିଷଟି ପକ୍ଷରୁ ଭବାନୀପ୍ରସାଦ ଯାହା ଉତ୍ତର ଦେଇଥିଲେ–

 

“ନିଜ ମୃତ୍ୟୁପାଇଁ କର୍ତ୍ତାକୁ ଅଭିଶାପ ଦେବାହିଁ ଜୀବର ଧର୍ମ ବାବା ! ଯେ କର୍ତ୍ତାକୁ ଅଭିଶାପ ଦେଇ ନ ଜାଣେ, ସେ ଜୀବ ଜୀବପଦବାଚ୍ୟ ନୁହେଁ । କାରଣ ତଦ୍ଦ୍ଵାରା ସେ ନିଜେ ହିଁ ନିଜର କର୍ତ୍ତା ହେବାପାଇଁ ବୃଥା ଛଳନା କରିଥାଏ । ମୋ ମତରେ ଅଭିଶାପ ହିଁ ଜୀବନ ଅସ୍ତିତ୍ୱବୋଧର ମାପକାଠି । ଋଷିକଣ୍ଠର ପଦେ ଅଭିଶାପର ଶ୍ଲୋକରୁ ସମଗ୍ର ରାମାୟଣର ଉତ୍ପତ୍ତି । ଅଭିଶାପ ହିଁ ଜୀବର ତପସ୍ୟାର ଆଧାର । ସମୁଦାୟ ଜୀବନକୁ ନିଜଉପରେ ନିଜର ପଦେ ଅଭିଶାପ ପରି ଗ୍ରହଣ ନ କରିଥିବା ଜୀବ ପକ୍ଷରେ ମୁକ୍ତିର ପଥ ଅନୁସନ୍ଧାନ ନିରର୍ଥକ । କିନ୍ତୁ ଏଇ ସ୍ୱାଭିଶାପଗ୍ରସ୍ତ ଜୀବ ପକ୍ଷରେ ନିଜ ବିରୁଦ୍ଧରେ ନିଜର ସଂଗ୍ରାମ ଅତି ଭୟଙ୍କର, ଅତି ଉତ୍ତାପମୟ । ଏହା ଏତେ ଉତ୍ତପ୍ତ ଯେ, ଆତ୍ମକ୍ରୋଧର ତପସ୍ୟାରେ ସମଗ୍ର ବିଶ୍ଵକୁ ନିମିଷକେ ଦହନ କରିଦେବା ଜୀବପକ୍ଷରେ ଆଦୌ ଅସମ୍ଭବ ନୁହେଁ ବାବା ! ଏଣୁ ଏହି ଅଗ୍ନିକୁଣ୍ଡରେ, ବିଶେଷତଃ ମରୁଥିବା ଜୀବମୁହଁରେ ଟୋପାଏ ପାଣି ଅଥବା ଟିକିଏ । ଆତ୍ମସନ୍ତୋଷର ହସ ଲେପିଦେବାଠାରୁ ବଳି ପୁଣ୍ୟକାର୍ଯ୍ୟ ଆଉ କଅଣ ଏ ସଂସାରରେ !”

 

ସୁକୁମାରୀ ମା’ ମୁହଁରେ ସେଇ ଆତ୍ମସନ୍ତୋଷମୟ ପାଣିବୁନ୍ଦାଏ ଦେଇସାରି ଆଜି ବିଭୁପ୍ରସାଦ ଉପସ୍ଥିତ–ଏଇ ରେଳଷ୍ଟେସନରେ ।

 

ଗାଡ଼ି ଲାଗିଲା । ବ୍ରେକର ଘଷଣି ଶବ୍ଦ ଆରମ୍ଭ ହେଉଥାଏ । କାନପାଖେ ଇଞ୍ଜିନର ତୀବ୍ର ହୁଇସିଲରେ ମୁହୂର୍ତ୍ତକ ପାଇଁ ବିଭୁପ୍ରସାଦ ବିଚଳିତ ହୋଇଯାଉଥାଏ । ଚୁମ୍ବକ ଲୁହାଖଣ୍ଡେ ତଳେ କଚାଡ଼ି ହେଇ ପଡ଼ିଗଲେ ଭିତରର କ୍ଷୁଦ୍ର କ୍ଷୁଦ୍ର ଚୁମ୍ବକ ଅଣୁ ସବୁ ଯେମିତି ପୁଣି ଅସ୍ତବ୍ୟସ୍ତ ହୋଇଯାନ୍ତି, ସମୁଦାୟ ଚୁମ୍ୱକତ୍ଵ ପୁଣି ଖଣ୍ଡେ ନିର୍ଜୀବ ଲୁହା ପାଲଟିଯାଏ, କୋଉ ଖଞ୍ଜରେ ଚୁମ୍ୱକତ୍ଵ ସେଥିରୁ ବାହାରି ପଳାଏ, ସେମିତି ପ୍ଲାଟଫର୍ମରେ ଲାଗୁଥିବା ଟ୍ରେନ୍ ଚକଉପରେ ଘଷି ହେଉଥିବା ଲୁହାବ୍ରେକ୍ର ଯାନ୍ତ୍ରିକ ଘର୍ଷଣ, ଆଉ ହଠାତ୍ ବଢ଼ି ଉଠିଥିବା ମଣିଷମାନଙ୍କର କୋଳାହଳ ଭିତରେ ପଡ଼ି ବିଭୁପ୍ରସାଦର ମୌଖିକ ଭାଷା ସବୁ ଅସ୍ତବ୍ୟସ୍ତ ହୋଇଯାଉଥାଏ । କଅଣ କହି ସେ ତା’ର ବାପାଙ୍କୁ ସମ୍ୱର୍ଦ୍ଧନା ଜଣାଇବ, ସେତକ ମଧ୍ୟ ହଠାତ୍ ଭୁଲିଗଲା ସେ ସେଇ ଆଖର ବେଳାରେ ।

 

କିନ୍ତୁ ଗାଡ଼ିରୁ ଓହ୍ଲେଇ ପ୍ରଥମେ ବିଭୁପ୍ରସାଦକୁ ସେଇ କୋଳାହଳ ଭିତରେ ଯେ ଠାବକଲେ ଆଉ ଆଗରେ ଠିଆହେଇପଡ଼ି ସବୁଦିନ ପରି ହସ ହସ ମୁହଁରେ ଯେ ପଚାରିଲେ–“କିରେ ? କେମିତି ଅଛୁ ? ଏମିତି ଶୁଖିଯାଇଚୁ କାହିଁକି ? କୁଜାହେଇ ଠିଆହେଇଚୁ କାହିଁକି ? ସିଧା ହ । ମୋ ଚିଠି ପାଇଥିଲୁ ?”–ସେ ଆଉ କେହି ନୁହନ୍ତି, ସେଇ ସେ ଭବାନୀପ୍ରସାଦ–ବିଭୁପ୍ରସାଦର ବାପା ।

 

ଭବାନୀପ୍ରସାଦ ପହଞ୍ଚିଗଲେ । ତାଙ୍କ ପଛରେ ଅନିରୁଦ୍ଧ । ତା’ କାନ୍ଧରେ ଗୋଟାଏ ଚେପା ଟିଣ ବାକ୍ସ, ଆଉ ହାତରେ ସତରଞ୍ଜି ବନ୍ଧା ବିଛଣାଟାଏ । ବିଭୁପ୍ରସାଦ ଚମକିପଡ଼ିଲା–ବାପ ଆଉ ସାନଭାଇକୁ ଏପରି ଅପ୍ରତ୍ୟାଶିତ ଭାବେ ପ୍ରଫୁଲ୍ଲ ଅବସ୍ଥାରେ ଆଗରେ ଦେଖି ନୁହେଁ–ଅନିରୁଦ୍ଧ କାନ୍ଧରେ ସେଇ ପାରମ୍ପରିକ, ପାରିବାରିକ ଗୋଟାଏ ଚେପା ଟିଣ ବାକ୍ସ ଆଉ ଖଣ୍ଡେ ସତରଞ୍ଜି ଭିତରେ ଚାପିଚୁପି ବାନ୍ଧିବୁନ୍ଧି ହେଇ ଯୁଗାବ୍ଧି ବଞ୍ଚି ରହିଥିବା ସେଇ ବୋତଲ ଭିତର ଅସୁର ପରି ଦିଶୁଥିବା ଗୋଟାଏ କୁତ୍ସିତ ଦାରିଦ୍ର୍ୟର ଆଖିମିଟିକା ଆଗରେ ତା’ ନାକ ହଠାତ୍ କୁଞ୍ଚେଇ ଗଲା-

 

ଅନିରୁଦ୍ଧ ଓଳଗି ହେଲା ବଡ଼ ଭାଇକୁ, ଆଉ କହିଲା– “ମାଟ୍ରିକ୍ ପରୀକ୍ଷାରେ ସେମିତି ଭଲ ହେଲାନାହିଁ । କଲେଜରେ ସିଟ୍ ମିଳିବ ନାହିଁ ବୋଧହୁଏ । ମୁଁ ବିଜ୍ଞାନ ପଢ଼ିବି ନାହିଁ । କଳା ବି ହେବ ନାହିଁ ମୋଦ୍ଵାରା । ଭାବିଚି–ଗୋଟାଏ କିଛି ବ୍ୟବସାୟ କରିବି । ଆମ ଗାଁଆଡ଼େ ନୂଆ ବନ୍ଦରରେ ଗୋଟାଏ ଯୋଜନା ଅଛି ପରା ଭାଇ ! କିଛି ଶୁଣିଚ ?”

 

ବିଭୁପ୍ରସାଦ ଉତ୍ତର ଦେଲାନାହିଁ । କିନ୍ତୁ ସେ ଲକ୍ଷ୍ୟକଲା–କେମିତି ଉପରେପଡ଼ି ଭବାନୀପ୍ରସାଦ ଆଜି ବି ସେମିତି ପୂର୍ବପରି କହୁଥାନ୍ତି–

 

“ହଁ ହଁ ମିଳିବ । ବଡ଼ କଲେଜରେ ନହେଲା ନାହିଁ । ଆଜିକାଲି ଏତେଆଡ଼େ କଲେଜ ସବୁ ଖୋଲିଗଲାଣି । ଶିକ୍ଷାର ପ୍ରସାର କେତେ ଘଟୁଛି । ଆମ ପାଇଁ ସିଟ୍‍ଟାଏ ମିଳିବ ନାହିଁ ? ସେ ବ୍ୟବସାୟ ଫ୍ୟବସାୟ, ବନ୍ଦର–ଫନ୍ଦର କଥା ଭୁଲିଯା । ତତେ ପଢ଼ିବାକୁହିଁ ପଡ଼ିବ । ଉଚ୍ଚଶିକ୍ଷା ନେବାକୁ ହିଁ ପଡ଼ିବ ।”

 

ବିଦେଶ ଯାଉଥିବା କୌଣସି ଦେଶିଆ ଲୋକର କାନ୍ଧରୁ ଲଟକି ପଡ଼ିଥିବା କୁକୁଡ଼ାଟାଏ ପରି, ଅନିରୁଦ୍ଧ ତା’ କାନ୍ଧରୁ ଗୋଟାଏ ଦଦରା କ୍ୟାନଭାସ ଆରାମ ଚଉକିକୁ ଓହ୍ଲେଇ ତଳେ ରଖିଲା-। ତା’ ବାପାଙ୍କ ବସିବା ଚଉକି ଏଖଣ୍ଡ । କ୍ୟାନଭାସ୍ ଖଣ୍ଡକର ତେଲ ଚିକିଟା କହିଦଉଥିଲା କେତେକାଳର ପଦାର୍ଥ ଏଇଟା । ବିଭୁପ୍ରସାଦ ୟାକୁ ଦେଖି ଆସିଥିଲା ସେତେବେଳୁ, ଯେତେବେଳୁ ତା’ର ବାପା ଶିକ୍ଷାକତାର କେତେବର୍ଷ ପରେ ଥରେ ସରକାରୀ ଅର୍ଡ଼ର ପାଇଁ, ଶିକ୍ଷକ ତାଲିମ ପାଇଁ ସହରକୁ କିଛିକାଳ ନିଜେ ପଢ଼ିବାକୁ ଆସିଥିଲେ । ତାଲିମ ଶେଷରେ ଘରକୁ ଫେରିଲାବେଳେ ଏଇ ଚଉକି, ଏଇ ଟିଣ ଟ୍ରଙ୍କ ଆଉ ୟା ସହିତ ଶିକ୍ଷକ ତାଲିମରେ ବ୍ୟବହୃତ ହେଉଥିବା ଗୋଛାଏ ମଡ଼େଲ ଛବି ଘରକୁ ନେଇଆସିଥିଲେ ସେ । ସେଇ ଛବିମାନଙ୍କ ଭିତରେ ଗୋଟିଏ ଆରାମ ଚଉକିର ଛବି ଥିଲା । କେଉଁ ପାଠ୍ୟ ପୁସ୍ତକର କୌଣସି କବିତା ପଙ୍‍କ୍ତିରେ ଥିବା ‘ମୋ ଚଉକି ‘ସମ୍ପର୍କୀୟ କୌଣସି ଭାବକୁ ନିଜ ଛାତ୍ରମାନଙ୍କ ସହିତ ଆଦାନପ୍ରଦାନ ପାଇଁ ଏ ଛବିଟିର ସୃଷ୍ଟି ବୋଧହୁଏ । କିନ୍ତୁ ଛବିର ଚଉକି ଅପେକ୍ଷା ସତ୍ୟ ଚଉକିଟିକୁ ବିଭୁପ୍ରସାଦ ଏକାନ୍ତରେ ଭଲପାଇଯାଇଥିଲା । ପିଲାଦିନେ କେତେବାର ଏଇ ଚଉକିରେ ଟିକିଏ ବସିବାପେଇଁ ବିଭୁପ୍ରସାଦ ଓ ଭାଇମାନଙ୍କ ଭିତରେ କଳି ଲାଗିଯାଇଥାଏ । ଆଜି ସେଇ ଚଉକିଟିକୁ କାନ୍ଧରେ ବୋହିନଉଥାଏ ଅନିରୁଦ୍ଧ । କିନ୍ତୁ ବିଭୁପ୍ରସାଦର ଇଚ୍ଛା ହଉନଥାଏ ସେ ଚଉକିଟାକୁ ସ୍ପର୍ଶ ମଧ୍ୟ କରିବାକୁ । ଅନ୍ୟ କିଛି କାରଣରୁ ନୁହେଁ । ଏକମାତ୍ର ସେଇ ଗୋଟିଏ କାରଣ ଦାରିଦ୍ର୍ୟ । ବିଭୁପ୍ରସାଦ ଆଜି ଘରୁ ଗୋଡ଼ କାଢ଼ିଥିଲା ଦାରିଦ୍ର୍ୟକୁ ସ୍ୱାଗତ ଅବଶ୍ୟ । କିନ୍ତୁ କଅଣ ଭାବିଲା–ନିଜହାତରେ ତଥାପି ଜାବୁଡ଼ି ଧରିଥିବା ସେଇ ଫୁଲମାଳର କାଗଜ ପୁଡ଼ିଆ, ଆଉ ଖଦୀସୂତାକୁ ପୁଡ଼ିଆ ସମେତ ଟିକିଏ ଚିପିଦେବା ମାତ୍ରେ ତା’ ନିଜ ଦିହଟା ଆହୁରି ଚିପିହେଇଗଲା ପରି ଆହୁରି ସଙ୍କୁଚିଯିବାପରି, ଛୋଟିଆ ହୋଇଗଲା ପରି ଲାଗିଲା । କୁଜେଇଗଲା ବିଭୁପ୍ରସାଦ । କିନ୍ତୁ ସେତିକିବେଳେ ତା’ର ପିଠିରେ ହାତଟାଏ ବୁଲେଇଆଣି ଭବାନୀପ୍ରସାଦ କହିଲେ “କଅଣଟାଏ ? ଦେଖେଇଁ ! ଫୁଲ ? କାହାପେଇଁ ଧରିଚୁ ? ମୋ ପେଇଁଟି ? ଦେ ଦେ ! ଦଉନୁ ! ଆଉ କେତେବେଳେ ଦବୁ ?”

 

ବିଭୁପ୍ରସାଦ ଚମକିପଡ଼ିଲା । ହାତ ତା’ର ଥରିଗଲା । କିନ୍ତୁ, ତଥାପି ସାହସ କରି କାଗଜ ପୁଡ଼ିଆ ଭିତରୁ ଫୁଲମାଳଟାକୁ କାଢ଼ି ସେ ଧଇଲା ତାକୁ ନିଜହାତରେ, ଆଉ ଛଳଛଳ ଆଖିରେ ଚାହିଁଲା ତା’ ବାପାଙ୍କ ମୁହଁକୁ ।

 

ଭବାନୀପ୍ରସାଦ ଠିଆ ବେକ କେତେବେଳୁ ନଇଁପଡ଼ିଥିଲା ବିଭୁପ୍ରସାଦ ଆଗରେ––ଫୁଲମାଳଟା ପାଇଁ । ବିଭୁପ୍ରସାଦକୁ କଷ୍ଟ ହେଲାନାହିଁ, ଫୁଲମାଳଟାକୁ ଗଳେଇ ଦବାପାଇଁ ସେଇ ବେକରେ । ଭବାନୀପ୍ରସାଦ ତାଙ୍କର ଶିକ୍ଷକ–ସୁଲଭ ଭାବରେ ପୁଅ ହାତର ଫୁଲମାଳଟିକୁ ନିଜ ବେକରେ ଗ୍ରହଣ କଲେ । କିନ୍ତୁ ସେଇ ଶିକ୍ଷକ ସୁଲଭ ଢଙ୍ଗରେ ମାଳଟିକୁ ତରତର କରି ବେକରୁ କାଢ଼ିପକେଇଲେ ମଧ୍ୟ ।

 

ଅନିରୁଦ୍ଧ ଜିନିଷପତ୍ର ପ୍ଲାଟଫର୍ମରେ ଥୋଇଦେଇ ବାହାରକୁ ବାହାରିଯାଇଥାଏ ବୋଧହୁଏ ରିକ୍‍ସା ଯୋଗାଡ଼ କରିବାକୁ ।

 

ବିଭୁପ୍ରସାଦ ଆଉ ସମ୍ଭାଳିପାରିଲା ନାହିଁ । ହଠାତ୍ ବାପ ହାତରୁ ଫୁଲମାଳଟାକୁ ଗୋଟାଏ ଝିଙ୍କାର ଛଡ଼େଇନେଇ ସେ ତାକୁ କୁତୁକୁତୁ କରି ରେଳ ଷ୍ଟେସନର ପ୍ଲାଟଫର୍ମରେ ଛିଣ୍ଡେଇ ଫୋପାଡ଼ିଦେଲା ଓ ତାରି ପରେ ପରେ ହିଁ ଗୋଟାଏ ଗୁଳର ମାଡ଼ଖାଇ ତଳେପଡ଼ି ପାଟି ପାକୁ ପାକୁ କରି କଅଣ ସବୁ ଅଭିଶାପ ବର୍ଷି ଦେଇଯାଉଥିବା ଚଢ଼େଇ ଭଳି ସେ ବର୍ଷିଗଲା ।

 

“ତମେ ହିଁ ଆମକୁ ମାରିଛ ବାପା ! ଆମର ମୃତ୍ୟୁ ପାଇଁ ତୁମେ ଦାୟୀ, ତୁମେ ଦାୟୀ... ମୁଁ ଗୋଟିଏ ମେହେନ୍ତରର ଝିଅକୁ ବିବାହ କରିଦେଇଛି...”

 

ଭବାନୀ ପ୍ରସାଦ ପିଲାଟାର ସେଇ ପାଟି ପାକୁ ପାକୁରୁ ପ୍ରଥମେ କିଛି ବୁଝିପାରିଲେ ନାହିଁ । କିନ୍ତୁ ପିଲାଟାର ଶୁଖିଲା ଓଠ ଦୁଇଟାକୁ ଚାହିଁ ସେ ଏତିକି ବୁଝିପାରିଲେ ଯେ, କି ଭୟଙ୍କର ଉତ୍ତାପରେ ଆଉଟୁ ପାଉଟୁ ହେଇ ପିଲାଟା ତାଙ୍କର ତା’ର ସେଇ ଆକଣ୍ଠ ତୃଷା ମୁହୂର୍ତ୍ତରେ ଟୋପାଏ ପାଣି ପେଇଁ କି ଆର୍ତ୍ତକାକୁତି କରି କାହାକୁ ସବୁ ଡାକ ପକଉଥିଲା ।

 

ପ୍ଲାଟଫର୍ମ ଉପରେ ଛିଞ୍ଚାଡ଼ି ହେଇପଡ଼ିଥିବା ଛିଣ୍ଡା ଫୁଲମାଳଟାକୁ ସେତେବେଳକୁ ଭବାନୀ ପ୍ରସାଦ ପୁଣି ଉଠାଇ ସାରିଥିଲେ । ଗଜରାଫୁଲ ହାରଟାର ଅବଶିଷ୍ଟାଂଶକୁ ଗୋଟାଏ ଆହତ କ୍ରୋଞ୍ଚପକ୍ଷୀପରି ଆଉଁଷି ପକଉ ପକଉ ଭବାନୀ ପ୍ରସାଦଙ୍କ ମୁହଁରୁ ଦୁଇଟା ହଠାତ କୁଞ୍ଚେଇଗଲା । ଫୁଲମାଳ ସାଙ୍ଗରେ ଦୈବାତ୍ ପଶିଯାଇଥିବା ଗୋଟାଏ ସ୍ତ୍ରୀଲୋକ ମୁଣ୍ଡର ଲମ୍ବାବାଳ ହିଁ ବର୍ତ୍ତମାନ ଭବାନୀପ୍ରସାଦଙ୍କର ବହୁ ଲୁକ୍କାୟିତ ପୈତୃକ ଆଶଙ୍କାକୁ ତାଙ୍କର ବିଭାଣ୍ଡକୀୟ ବ୍ୟକ୍ତିତ୍ଵର ଗହଳିଆ ଭୂରୁଭିତରେ ଚହଲେଇଦେଲା । କୌଣସି ନାରୀ କର୍ତ୍ତୃକ ଅପହୃତ ହୋଇସାରିଥିବା ନିଜର ବହୁ ଅଭିଳାଷିତ ପୁତ୍ର ଋଷ୍ୟଶୃଙ୍ଗକୁ ଦେଖୁ ଦେଖୁ ଭବାନୀପ୍ରସାଦଙ୍କର ଛାତିଭିତରୁ ସେଇ କୋହ ଉଠିଆସିଲା, ଯାହାକୁ ବହୁତ ବେଳ ଧରି ଭବାନୀପ୍ରସାଦ ଚାପି ରଖିଥିଲେ ।

 

ଭବାନୀପ୍ରସାଦଙ୍କ ପାଟିରେ ମେଞ୍ଚାଏ ଛେପ ଜମି ଯାଇଥିଲା । ଫୁଲମାଳଟାକୁ ଗାଲରେ ଘଷୁ ଘଷୁ ବାଳଟା ଅଜାଣତରେ ତାଙ୍କର ପାଟିରେ ଲାଗିଥିଲା ହୁଏତ ।

 

ବିଭୁପ୍ରସାଦ ଜାଣେ ତା’ ବାପାଙ୍କର ଅଭ୍ୟାସ । ପିଲାଦିନେ ବହୁତ ଥର ସେ ଦେଖିଛି ବାଳ ପ୍ରତି ତା’ ବାପାଙ୍କୁ ମିଶାଇ ତା’ ନିଜର, ତା’ ବଂଶର ସମସ୍ତଙ୍କର ଏମିତିକିଆ ଗୋଟାଏ ବିକାର-। ବଡ଼ ଅଦ୍ଭୁତ ଏ ବିକାର । କାରଣ ବିଭୁପ୍ରସାଦ ଲକ୍ଷ୍ୟ କରିଥାଏ, ପିଲାଦିନେ ଏଇ ବାଳ ଘିନି କେତେ କଳି ତାଙ୍କ ଘରେ । ଭବାନୀପ୍ରସାଦ ବିଭୁପ୍ରସାଦର ମା’ଙ୍କର ସବୁ ଦୋଷ ସହିପାରନ୍ତି-। କିନ୍ତୁ ତାଙ୍କ ଭାତଥାଳିରେ ପଡ଼ିଯାଇଥିବା ମଣିଷ ମୁଣ୍ଡର ବାଳକୁ କାହିଁକି କେଜାଣି ସେ ଆଦୌ ବରଦାସ୍ତ କରନ୍ତି ନାହିଁ । ଏପରିକି ବିଭୁପ୍ରସାଦର ମା’ ମୁଣ୍ଡର ବାଳଟାଏ ମଧ୍ୟ ସେଇ ଘୃଣାରୁ ବାଦ୍ ପଡ଼େ ନାହିଁ-। ଭାତଥାଳିକୁ ଗୋଇଠା ମାରିଦେଇ ଉଠିଯାନ୍ତି ଭବାନୀପ୍ରସାଦ । ଆଶ୍ଚର୍ଯ୍ୟ ହେଇଥାଏ ବିଭୁପ୍ରସାଦ-। ଭବାନୀପ୍ରସାଦଙ୍କର ଏ ଖୋଇକୁ ମନେ ମନେ କେତେ ଚିଡ଼େ ସେ । ବିଶେଷତଃ ଯେତେବେଳେ ସେ ଦେଖେ ଯେ, ତା’ ମା’ ମୁଣ୍ଡରେ ସରାଗରେ ବଗିଚାର ଫୁଲଟିଏ ଛିଣ୍ଡେଇ ଖୋଷିଦିଅନ୍ତି ଯୋଉ ବାପ ତା’ର, ସେଇ ପୁଣି ଭାତଥାଳିକୁ ଗୋଇଠା ମାରନ୍ତି ! ମନେମନେ ଆଶ୍ଚର୍ଯ୍ୟ ହୁଏ, ଆଉ ଦିନେ ଦିନେ ପଚାରେ କି ମୁହଁଖୋଲି ସେ ତା’ର ବାପାଙ୍କୁ–

 

“ତୁମେ ମା’ର ସମୁଦାୟକୁ ଭଲପାଅ । କିନ୍ତୁ ତା’ର ଗୋଟାଏ ଅଂଶକୁ ଏତେ ଘୃଣା କର କାହିଁକି ?”

 

ଭବାନୀପ୍ରସାଦ ସାଙ୍ଗେ ସାଙ୍ଗେ ଉତ୍ତର ଦେଇଥାନ୍ତି–

 

“ତୁମେ ଅନନ୍ତକାଳ, ଅନନ୍ତ ବିଶ୍ଵକୁ ଆଲିଙ୍ଗନ କର । କିନ୍ତୁ ଅନିତ୍ୟ, ଅସ୍ଥାୟୀ, ମୁହୂର୍ତ୍ତକର ଜୀବନକାଳକୁ ଏତେ ଡରିଯାଅ କାହିଁକି ?”

 

ବିଭୁପ୍ରସାଦ ଉତ୍ତର ଦେଇପାରେନାହିଁ ସେତେବେଳେ । ଆଜି ବି ସେ ଉତ୍ତର ଦେଇପାରିଲା ନାହିଁ, ଯେତେବେଳେ ଭବାନୀପ୍ରସାଦ ପୁଣି ଥରେ ଜେରା କଲାଭଳି ତାକୁ ପଚାରିଲେ–

 

“ତତେ ଏ କାମ କରିବାକୁ କିଏ କହିଲା ? ସବୁ କାମ ସରିଗଲାଣି... ?

 

ବିଭୁ ପ୍ରସାଦ ନିରୁତ୍ତର । ତା’ ମୁହଁ ସ୍ଵାଭାବିକ ଭାବେ ତଳକୁ ହୋଇଗଲା । ସେ ଆହୁରି କୁଜେଇଗଲା ।

 

ଭବାନୀପ୍ରସାଦ ଟିକିଏ ଚିଡ଼ିଗଲେ ବିଭୁପ୍ରସାଦର ଏ କୁଜାଳିଆ ଢଙ୍ଗ ଢାଙ୍ଗ ଉପରେ, ଆଉ ହଠାତ୍ ତାଙ୍କର ସ୍ଵର ଉଞ୍ଚେଇ ବି ଗଲା । ପଚାରିଦେଲେ ସେ–

 

“ଆଉ ମୋର ଏ ପୁରୁଣା ଖଦଡ଼ ଧୋତି ପଞ୍ଜାବୀ ହଳକ ପାଇଲୁ କୋଉଠୁ ? କିଏ କହିଲା ତତେ ୟାକୁ ପିନ୍ଧିବାକୁ ? କୋଉ ଇଣ୍ଟରଭ୍ୟୁକୁ ବାହାରିଚୁ ନା କଅଣ ?”

 

ଆଜି ସତକୁ ସତ ଘରୁ ବାହାରିଲାବେଳେ ବିଭୁପ୍ରସାଦ କଅଣ ଭାବିଲା କେଜାଣି, ସୁକୁମାରୀର ହାତଗୁନ୍ଥା ଫୁଲମାଳଟାକୁ ବାପାଙ୍କ ପାଇଁ ଆଣୁଥିଲାବେଳେ, ତା’ ମନକୁମନ ବାକ୍ସରୁ ସେଇ ପୁରୁଣା ଧୋତି ଆଉ ପଞ୍ଜାବୀ ହଳକୁ ବାହାର କରି ପିନ୍ଧିଥାଏ ?

 

ସୁକୁମାରୀ ସେତେବେଳେ ତାକୁ ଥଟ୍ଟା କଲାପରି କହିଥାଏ–

 

“ଓ, ମୁଁ ଜାଣେ ! କାହିଁକି ତାକୁ ପିନ୍ଧିଚ–ମୁଁ ଜାଣେ ।”

 

ବିଭୁପ୍ରସାଦ ସୁକୁମାରୀର ସେ ପରିହାସରେ ରାଗିଯାଇଥାଏ ଅବଶ୍ୟ । କିନ୍ତୁ ଧୋତିଟାର ଫେରକୁ କୁଞ୍ଚ କରୁ କରୁ ଭାବିଲା–ସତରେ କାହିଁକି ସେ ୟାକୁ ପିନ୍ଧୁଚି ?

 

କିନ୍ତୁ ସେତେବେଳେ ବି ସେ ନିଜକୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିଲା ନାହିଁ । କେବଳ ଜୋର କରି ଗୋଟାଏ ହୁଁକାର ମାରି ସେ ତଳକୁ ଟିକିଏ ନଇଁପଡ଼ିଥିଲା ଓ ଫେର କୁଞ୍ଚ ଉଦ୍‍ବୃତ ଧୋତିର ଅଂଶକୁ କଚ୍ଛାକରି ପଛକୁ ଠେଲି ଦଉଦଉ ପୁଣି ନିଜକୁ ନିଜେ କହିଲା–

 

“ଏହା କେବଳ ତାଙ୍କୁ ଖୁସି କରିବା ପାଇଁ–ତାଙ୍କରି ମୁହଁରେ ଟୋପାଏ ପାଣି ଦବାପେଇଁ–ଯେ ଏ ସବୁକୁ ଭଲପାଆନ୍ତି–ଖଦଡ଼, ହରିଜନ ବିବାହ ଆଉ ଆଉ......” ସେ ବୋଧହୁଏ କହିବାକୁ ଚାହୁଁଥିଲା– ‘‘ଦାରିଦ୍ର୍ୟ” କିନ୍ତୁ ପାଟିରୁ ତା’ର ବାହାରିପଡ଼ିଲା ଆଉ ପଦେ–‘ସ୍ଵାଧୀନତା’ ।

 

ମାତ୍ର ଭବାନୀପ୍ରସାଦ ବିଭୁପ୍ରସାଦର ଏ ଅଦ୍ଭୁତ ବେଶ–ଏଇ ଖଦଡ଼, ହରିଜନ ବିବାହ ଆଉ ସ୍ଵାଧୀନତାର ଏଇ କାନ୍ଦୁଣୁ ମାନ୍ଦୁଣୁ ଛଳନାକୁ କଅଣ କହି ଆଶ୍ୱାସନା ଦେବେ, ସେ ନିଜେ ବୁଝିପାରିଲେ ନାହିଁ । ପିଲାଟାର ଏ ଅଦ୍ଭୁତ ପରିବର୍ତ୍ତନକୁ ସେ ଆଶୀର୍ବାଦଦ୍ଵାରା ବା ଅଭିଶାପଦ୍ଵାରା ଶୁଦ୍ଧ କରିବେ ବୁଝିନପାରି ଭବାନୀପ୍ରସାଦ ତାଙ୍କ ପାଟିରୁ କେବଳ ମେଞ୍ଚାଏ ପାନପିକ ବାହାର କରିବାପାଇଁ ପ୍ଲାଟଫର୍ମର ଗୋଟାଏ କଡ଼କୁ ଘୁଞ୍ଚିଗଲେ ।

 

ଅନିରୁଦ୍ଧ ରିକ୍ସାଧରି ପହଞ୍ଚିଗଲା ।

 

ଭବାନୀପ୍ରସାଦ ଜିନିଷପତ୍ର ଗୋଟିଆଗୋଟି କରିବାକୁ ଲାଗିପଡ଼ିଲେ । ବିଭୁପ୍ରସାଦ କିଛି ସମୟ ଠିଆହେଇ ରହିଲା ଓ ତା’ର ବାପା ଆଉ ସାନଭାଇଙ୍କୁ ପାଖାପାଖି ନଇଁପଡ଼ି କାନ୍ଧକୁକାନ୍ଧ ଲଗେଇ ଜିନିଷପତ୍ର ଗୋଟେଇ ପକୋଉଥିବା ସେଇ ଦୃଶ୍ୟକୁ ଦେଖୁଥିଲା । ସେତିକିବେଳେ ଜୀବନରେ ପ୍ରଥମ ଥର ପାଇଁ ଭବାନୀପ୍ରସାଦଙ୍କ ଉପରେ କାହିଁକି କେଜାଣି ଗୋଟାଏ ଅହେତୁକ କ୍ରୋଧ ଜାତହେଲା ତା’ ଭିତରେ । ଏ କ୍ରୋଧ ଦଶରଥଙ୍କ ଉପରେ, ରାମଙ୍କର ନୁହେଁ । ବରଂ ଓଲଟା । ପୁଣି ତା’ ସହିତ ଅନିରୁଦ୍ଧକୁ ମଧ୍ୟ ଈର୍ଷାକଲା ସେ । ବାପ ପୁଅ ଦୁହେଁ ସେତେବେଳକୁ ଠିଆହେଇ ସାରିଥିଲେ–ଜିନିଷପତ୍ର ଉଠାଉଠି କରି ।

 

ଭବାନୀପ୍ରସାଦଙ୍କ କାନ୍ଧଉପରକୁ ସାନଭାଇ ଅନିରୁଦ୍ଧର କାନ୍ଧ କେତେ ଇଞ୍ଚ ଆଉରି ଉପରକୁ ଉଠିଯାଇଥିଲା ଇତିମଧ୍ୟରେ । କିନ୍ତୁ ଭବାନୀପ୍ରସାଦଙ୍କ ମୁଣ୍ଡଠୁ ନିଜେ ବିଭୁପ୍ରସାଦର ମୁଣ୍ଡ ଆହୁରି ଅଧ ମୁଣ୍ଡେ ଉଚ୍ଚାହେଲେ ବି ଯେମିତି ବାପ ପୁଅ ଏକାଠି ଠିଆହେଲାବେଳେ ପୁଅର ମୁଣ୍ଡ ବାପ ମୁଣ୍ଡଠୁ କସମିନକାଳେ ଡେଙ୍ଗା ହେବାକୁ ଦିଏ ନାହିଁ ବିଭୁପ୍ରସାଦ, ସଦାବେଳେ ଝାଉଳେଇ ପକେଇଥାଏ ସେ ମୁଣ୍ଡକୁ, ଅନିରୁଦ୍ଧ କିନ୍ତୁ ସେମିତି ଝାଉଁଳି ପଡ଼ୁନଥାଏ । ବରଂ ବାପାର ମୁଣ୍ଡଉପରକୁ ଆଉ କେଇ ଇଞ୍ଚ, ଠାକୁରଙ୍କ ମୁଣ୍ଡଉପର ସାପ ଫଣା ପରି ସେ ମୁଣ୍ଡ ଟେକି ହେଇଥାଏ ।

 

ନିରୀକ୍ଷଣ କଲା ବିଭୁପ୍ରସାଦ । ଅନିରୁଦ୍ଧର ନାକତଳେ ସରୁ କଳା ଗାରଟିଏ କୋଉଦିନୁ ଟଣା ସରିଲାଣି । ଆଶ୍ଚର୍ଯ୍ୟ ହେଲା ବିଭୁପ୍ରସାଦ–ଏଡ଼େବଡ଼ ହେଇଗଲାଣି ସେଇ ଛୋଟ ପିଲାଟା ୟା ଭିତରେ ? ମନକୁମନ ପୁଣି କହିଲା–ୟା ପରେ କଅଣ କରିବ ଏ ? କହୁଚି କଲେଜରେ ପଢ଼ିବ ନାହିଁ–ନ ପଢ଼ନ୍ତା କି ! କହୁଚି ବ୍ୟବସାୟ କରିବ–କରନ୍ତା କି ! କହୁଛି ଠିକା ଧରିବ–ଧରନ୍ତା କି !

 

ସାନଭାଇକୁ ଟିକିଏ କୋଳେଇ ନବାପେଇଁ ସେତିକିବେଳେ ବିଭୁପ୍ରସାଦର ଆତ୍ମା ଡାକିଲା । ସେ ହାତ ବଢ଼େଇ ଦଉଥିଲା । କିନ୍ତୁ ସେତିକିବେଳେ ବି ଭବାନୀପ୍ରସାଦଙ୍କ ହାତ ବଢ଼ିଆସିଲା ଅନିରୁଦ୍ଧର କାନ୍ଧଆଡ଼କୁ । ବିଭୁପ୍ରସାଦର ଦିହ ଥରିଗଲା ଆଉ ଥରେ ।

 

“ରିକ୍ସା କାହିଁ ? ଯିବା ଚାଲ । ଉଛୁର ହେଇଯାଉଚି ।” ଭବାନୀପ୍ରସାଦ କଥା ଲହସରେ ବଡ଼ ପୁଅ ବିଭୁପ୍ରସାଦ ଆଡ଼କୁ ପିଠି କରିଦେଲେ । କିନ୍ତୁ ଚଟ୍‍କରି ସେ ପୁଣି ବୁଲିପଡ଼ିଲେ ପଛକୁ, ଆଉ ବିଭୁପ୍ରସାଦକୁ ଚାହିଁ ପଚାରିଲେ–

 

“ଯିବୁ ? ଆମ ସାଙ୍ଗରେ ଗାଁକୁ ? ଆ ବୁଲିଆସିବୁ ।” ମାତ୍ର କ’ଣ ଭାବିଲା କେଜାଣି ବିଭୁପ୍ରସାଦ ମଧ୍ୟ ଠିକ୍ ତା’ ବାପ ପରି ପିଠି ବୁଲେଇଦେଲା ଓ ସେତିକିବେଳେ ସେ ନିଜେ ମଧ୍ୟ ଚମକିପଡ଼ିଲା । ତାକୁ ଲାଗିଲା ସତେଯେମିତି ନିଜର ପିଠିକୁ ସେଇ ମୁହୂର୍ତ୍ତରେ ସେ ଦେଖିପକେଇଲା ଗୋଟାଏ ଦର୍ପଣରେ, ଆଉ ତା’ ପିଠି ପରି ଏମିତିକିଆ ଭୟଙ୍କର ପିଠି ପୂର୍ବରୁ ସେ କୋଉଠି ଦେଖିନଥିଲା–ଏପରିକି ତା’ ବାପାଙ୍କ ଚାଳିଶ ଇଞ୍ଚିଆ ସେଇ ଛାତିଟାର ପଛପଟେ ପିଲାଦିନୁ ଆଜିଯାକେ ଦେଖିଆସିଥିବା ସେଇ ପିଠିଟା ବି ତା’ ପାସଙ୍ଗରେ ପଡ଼ିବ ନାହିଁ ।

 

ବାପ ପୁଅଙ୍କର ଏହିପରି ଯୋଡ଼ାଏ ପିଠି ସେଦିନ ଗୋଟାଏ ଜନାକୀର୍ଣ୍ଣ ଷ୍ଟେସନ୍ ପ୍ଲାଟଫର୍ମରେ ଦୁଇ ବିପରୀତ ଦିଗରେ ଆସ୍ତେ ଆସ୍ତେ ଅସ୍ତ ହୋଇଗଲା ।

 

ଭବାନୀପ୍ରସାଦ ଫେରିଆସିଲେ ଗାଁକୁ । କିନ୍ତୁ ବିଭୁପ୍ରସାଦ ଗାଁକୁ ଫେରିଯିବାର ସେଇ ମୂଳ ସଂକଳ୍ପକୁ ରେଳଷ୍ଟେସନରେ ହିଁ ଫୋପାଡ଼ିଦେଇ ଆସିଲା । ଗୋଟିଏ ଗୋଟିଏ, ଏକା ଏକା ସେ ଫେରିଆସିଲା ତା’ର ପୁରୁଣା ବସାଘର–ସେଇ ନିରବ ନିଳୟକୁ ।

 

ଦୁଇ

 

ବିଷଣ୍ଣ ମନରେ ସେଦିନ ନିରବ ନିଳୟ ହତାଆଡ଼କୁ ମୁହୋଁଉ ମୁହୋଁଉ ବିଭୁପ୍ରସାଦ ଶୁଣିବାକୁ ପାଇଲା ଗୋଟିଏ ସୁନ୍ଦର ନହବତ୍‍ର ସ୍ୱର । କ୍ଷଣେ ଅଟକି ସେ କାନେଇଲା । ସ୍ୱରଟି ଆସୁଥିଲା ପାଚେରି ସେପାଖୁ, ପାଚେରି ସେପାଖେ ସେଇ ପୁରୁଣା କଣ୍ଟ୍ରାକ୍ଟରର ଘର–ଯାହାର ଶୋଇଲା ଘର ବାରଣ୍ଡା ଛାତରୁ ପଞ୍ଜୁରିଟିଏ ଝୁଲୁଥାଏ ଆଉ ତାହାରି ଭିତରେ ଶାରୀଟିଏ ନିତ୍ୟ ସକାଳ ଆଉ ସନ୍ଧ୍ୟାରେ ଡାକୁଥାଏ ରାଧା ! ରାଧା !

 

ଟିପେଇ ଟିପେଇ ବିଭୁପ୍ରସାଦ ଚାହିଁଲା ପାଚେରି ସେପାଖକୁ–କେବଳ ନହବତ୍‍ର ସ୍ଵରରେ ଟାଣିହେଇ ନୁହେଁ, ଆଜି ସେପାଖେ କିଛି ନିର୍ଦ୍ଦିଷ୍ଟ ଆକର୍ଷଣୀୟ ବସ୍ତୁ ଥିଲା । ମଣିଷ ଭେଳା ଭେଳା ଆଉ ମଟରମାନଙ୍କର ପେଁପାଁ । ମାଛ ଘଣ୍ଟା ସାରିଥିବା ଗାଡ଼ିଆ ଚାରିପଟେ ପିନ୍‍ପିନ୍ ଧଳା ବଗମାନଙ୍କର ଭେଳା ଭଳି ଆଜି ସେପଟେ ଲାଗିଯାଇଥାଏ ପିନ୍‍ପିନ୍ ଧଳା ଖଦି, ପଞ୍ଜାବୀ ଆଉ ଚଦର ପୋଷାକ ପିନ୍ଧା ମଣିଷମାନଙ୍କର ମେଳା । ମଝିରେ ବାଜୁଚି ନହବତ୍ ଆଉ ତା’ରି ତାଳେ ତାଳେ ଆଖିରେ ସୁରମା ଆଉ ଛାତିରେ କାଞ୍ଚୁଲା ପିନ୍ଧା କେତେ ଜଣ ବବୁରୀବାଳଧାରୀ ପୁରୁଷଙ୍କର ନାଚ । ନହବତ୍ର ସ୍ଵରରେ କାନଟା ତା’ର ଯେତିକି ମିଠା ହେଇଯାଇଥିଲା, ବର୍ତ୍ତମାନ ଏ ଅଣପୁରୁଷିଆ ନାଚ ଆଉ ତାକୁ ଘେରି ପରସ୍ପରକୁ ଆଖି ମରାମରି ହଉଥିବା ମଣିଷବଗମାନଙ୍କର ଦୃଶ୍ୟ ତା’ ଆଖିକୁ ସେତିକି ପିତା କରିଦେଲା । ବିଭୁପ୍ରସାଦ ଟିପ ଅଗରୁ ଓହ୍ଲେଇପଡ଼ିଲା । ଆଉ ଜାଣିବାକୁ ବାକିନଥିଲା, ଆଜି ସେମାନଙ୍କର ବିଜୟ ଶୋଭାଯାତ୍ରା ବାହାରୁଛି । ନିର୍ବାଚନରେ ଜିତାପଟ ଅନୁଷ୍ଠିତ ହେଉଛି ଆଜି ପାଚେରି ସେପଟେ । ଆଉ ଟିକକେ ବାହାରିବ ଶୋଭାଯାତ୍ରା । କାଞ୍ଚୁଲା ପିନ୍ଧା ପୁରୁଷମାନେ ଏ ଶୋଭାଯାତ୍ରାର ଆଗେ ଆଗେ ଚାଲିବେ । କେବଳ ଆଜି ନୁହେଁ । ଆଗାମୀ ପାଞ୍ଚ ବର୍ଷଯାକ ସେଇମାନଙ୍କୁ ହିଁ ଦେଖିବାକୁ ମିଳିବ ସବୁରି ଆଗରେ ।

 

ବିରକ୍ତ ହୋଇ ବିଭୁପ୍ରସାଦ ନିରବ ନିଳୟଆଡ଼କୁ ପାହୁଣ୍ଡ ପକେଇ ପଶିଆସୁଥିଲା । ହଠାତ୍ ସମୁଦ୍ର ଗର୍ଜନ ଭିତରୁ ସାପଖିଆ ବେଙ୍ଗର କ୍ଷୀଣ ବିଳାପଟିଏ ଶୁଣିଲା ପରି ସେ ଚମକିପଡ଼ିଲା । କିନ୍ତୁ ତା’ର ପାଦ ଅଟକିଗଲା ନାହିଁ । ସିଧା ଘରଭିତରକୁ ପଶିଯାଇ ସେ ଦେଖିଲା ସୁକୁମାରୀ କାନ୍ଦି କାନ୍ଦି ତଳେ ଲୋଟୁଛି । ନଟବର ଗୁମ୍ ମାରି ବସିଛି । ବସିଛନ୍ତି ମଧ୍ୟ ଅଧ୍ୟାପକ ସେଠି–ଗାଲରେ ହାତଦେଇ । ନିର୍ବାଚନରେ ସେ ଦୁହେଁ ପରାସ୍ତ । କେବଳ ସେତିକି ଦୁଃଖ ଆଜି ଏପଟେ ନାହିଁ । ନିରବ ନିଳୟର ସବୁଠାରୁ ବଡ଼ ଦୁଃଖ ହଉଚି–ଆଜି ପ୍ରଭାତରେ ଡାକ୍ତରଖାନାରେ ବୁଢ଼ୀ ଆଖିବୁଜି ଦେଇଚି ।

 

ବର୍ତ୍ତମାନ ସମସ୍ୟା ହେଲା ବୁଢ଼ୀର ଶବ ସତ୍କାର । ବିଭୁପ୍ରସାଦକୁ ଦେଖି ନଟବର ପାଟି କରି ଉଠିଲା–“କୋଉଠି ଥିଲୁ ? ଆମେ ତତେ ଅନେଇ ବସି ରହିଚୁ । ବର୍ତ୍ତମାନ ତିନି କାନ୍ଧ ହେଲା-। ଆଉ ଗୋଟାଏ କାନ୍ଧ ପାଇବା କୋଉଠୁଁ ? ତୋର କେହି ଚିହ୍ନା ଅଛି ? ରିକ୍ସାରେ ନେଇଗଲେ ହଅନ୍ତା । କିନ୍ତୁ ମୋର ମନହଉଚି ଆମେ ବି ଗୋଟାଏ ଶୋଭାଯାତ୍ରା କରିବା । ତୁ, ମୁଁ, ଅଧ୍ୟାପକ ସେଠି ଆଉ ଜଣେ କିଏ ହେଲେ ଶବଟିକୁ ଆମେ ସହର ତମାମ୍ ବୁଲାନ୍ତେ । ବିଚାରୀ ବଞ୍ଚିଥିଲାବେଳେ ଯୋଉ ସମ୍ମାନ ନ ପାଇପାରିଲା, ମଲାରେ ହେଲେ ପାଇଯାଉ । ଯା ତେବେ ଜଲ୍‍ଦି । କଲେଜରେ କୋଉ ଛାତ୍ର ତୋର ଚିହ୍ନାଥିବେ । ଧରିଆଣ ଜଣକୁ । ଚତୁର୍ଥ କାନ୍ଧ ପାଇଁ ଆମର ଜଣେ ଛାତ୍ର ହିଁ ଦରକାର–ଛାତ୍ର ! ଆଉ କେହିହେଲେ ଚଳିବ ନାଇଁ । ଶୋଭାଯାତ୍ରା ଆଗରେ ଚାଲିବା ପାଇଁ ଆମର ଅଣପୁରୁଷିଆ ଲୋକ ଦରକାର ନାଇଁ । ଦରକାର ଜଣେ ଦୁର୍ଦ୍ଦାନ୍ତ, ଦୁର୍ବାର ଯୁବକ ଯେ କି ଆମଠାରୁ ଶକ୍ତିମାନ୍ ଆଉ ଉଜ୍ଜ୍ଵଳ । ଏମିତି କୋଉ ପିଲା ଅଛି ତୋ ଆଖିରେ ? ଡାକିଆଣ ତ । ମନେରଖ ଆମ ଶୋଭାଯାତ୍ରାରେ ବାଣ ମାରିବ ନାହିଁ କି ରୋଷଣି ଜଳିବ ନାହିଁ । କପଟପାଶାରେ ହାରି, ଲୁଗାକାନିରେ ମୁହଁଢାଙ୍କି କିମ୍ବା ଆପଣା ବାହୁରେ ମୁହଁ ଲୁଚେଇ ଆଉ ମୁକୁଳା, ନୁଖୁରା, ବାଳଢଙ୍କା ଆଖିରେ ଲୁହ ଗଡ଼େଇ ଗଡ଼େଇ କିମ୍ବା, ପାଦ ଅଗରେ ଧୂଳି ବିଞ୍ଚିବିଞ୍ଚି ଆମେ ଚାଲିବା ନାଇଁ ରାସ୍ତାରେ । କାରଣ ଆମେ ଆଜି ମହାଭାରତ ନାଟକ ପୁନରାଭିନୟ କରିବାକୁ ଚାହୁଁନାହୁଁ ଭାଇ । ଆମର ସ୍ଳୋଗାନ୍ଧର୍ମର ଜୟ ନୁହେଁ ଭାଇ ! ଆମର ସ୍ଳୋଗାନ୍ ଜ୍ଞାନର ଜୟ, ଜ୍ଞାନର ଜୟ । ମେଧାର ଜୟ, ମେଧାର ଜୟ ! ଆଲୋକର ଜୟ, ଆଲୋକର ଜୟ ।”

 

ତିନି

 

ନଟବରର ପାଦଧରି ଅଧ୍ୟାପକ ସେଠି ପିଲାଙ୍କ ଭଳି ଅଳି କରୁଥିଲେ– “ନଟବର, ତୁମେ ମୋର ଛାତ୍ର । ମୋର ବେଦନା ତୁମେ ନ ବୁଝିଲେ ବୁଝିବ କିଏ ? ତୁମେ ଏପର୍ଯ୍ୟନ୍ତ ବାପ ହୋଇନାହଁ ! ହୋଇଥିଲେ ବୁଝିଥାନ୍ତ ! ତୁମେ ଜାଣିଲେ ନିଶ୍ଚୟ ସୁଖୀ ହେବ ଯେ ତୁମର ଭାଉଜ ପୁଣି ଅନ୍ତଃସତ୍ତ୍ୱା । ଏ ନିର୍ବାଚନରେ ପରାଜୟ ମୋର ପରାଜୟ ନୁହେଁ । ତାହା ସେଇ ଆଗାମୀ ଶିଶୁର ପରାଜୟ । ବର୍ତ୍ତମାନ ମୋର ଚାକିରି ଗଲା । ନିର୍ବାଚନରେ ହାରିଲି । ମନ୍ତ୍ରୀପଦ ତ ଗଲା । ତିନିତିନିଟା ପୁଅ ଏହା ଆଗରୁ ରାଷ୍ଟ୍ରର ଚଣ୍ଡୀ ଆଗରେ ବଳି ଦେଇଥିଲି । ଭାବିଥିଲି ମାତା ସନ୍ତୁଷ୍ଟା । ରାଜ ମୁକୁଟ ମୋ ପାଇଁ ମାଗିନଥିଲି ଭାଇ । ମାଗିଥିଲି ତୁମର ଚିରଦୁଃଖିନୀ ଭାଉଜଟିର ଗର୍ଭର ଏଇ ଶିଶୁଟି ପାଇଁ । ବର୍ତ୍ତମାନ କେବଳ ଚାକିରି ଓ ରାଜମୁକୁଟ ମତେ ବିଦ୍ରୂପ କରୁନାହିଁ । ବିଦ୍ରୂପ କରୁଚି ଏଯାବତ୍ ତୁମ ଭାଉଜଙ୍କ ଗର୍ଭରେ ଗୋଡ଼ହାତ ଛାଟି ଖେଳୁଥିବା ଶିଶୁଟି । ବାରମ୍ବାର ପଚାରୁଚି ସେ–ଆଣିଲ ? ଯୋଉ ଗଡ଼ି ଯାଇଥିବା ଖଡ଼ିଟି ଗୋଟେଇ ଆଣିଦବ ବୋଲି କହିଥିଲ ଗୋଟେଇଲ ? ତାକୁ କଅଣ ଉତ୍ତର ଦେବି ଭାଇ ? ମୋର କଅଣ ମନେହଉଚି ଜାଣ । ଯାହାର ହାତରୁ ଗଡ଼ିଯାଇଥିବା ଖଡ଼ି ଗୋଟେଇ ହୁଏ ନାଇଁ ସେ ପୁଅ ପୁଅ ନୁହେଁ ଭାଇ । ସେ ଅପୁଅ । ଅଣବାବୁଆ । ଚାଟ ନୁହେଁ ସେ–ଅଚାଟ !

 

ମୋର ବେଦନା ବୁଝ ବାବୁ କୌଣସି ପ୍ରକାରେ ଚେଷ୍ଟା କରି ମୋର ଚାକିରିଟି ଫେରାଇଆଣ ତାଙ୍କ ହାତରୁ ! ମୋର ବିଦ୍ୟା, ଶକ୍ତି ଆଉ ସାମର୍ଥ୍ୟ ଯାହା ସେଥିରେ ମୁ କି ଆଉ କୌଣସି ଚାକିରି ପାଇଁ ଉପଯୁକ୍ତ ବୋଲି ତୁମେ ଭାବୁଚ ? ମୁଁ ଅଧ୍ୟାପକ ଆଉ ଗବେଷକ । ଅଧ୍ୟାପନା ଆଉ ଗବେଷଣା ବ୍ୟତୀତ ଅନ୍ୟତ୍ର ମୋର ସ୍ଥାନ ନାହିଁ । ତୁମେ ଟିକିଏ ଚେଷ୍ଟା କର । ନିର୍ବାଚନରେ ତୁମ ପକ୍ଷ ହାରିଲେ ମଧ୍ୟ ତୁମର ପ୍ରତିପତ୍ତି ପ୍ରତିଷ୍ଠିତ । ମୁଁ ତୁମ ହାତରେ କ୍ରୀଡ଼ା କନ୍ଦୁକ ଭଳି । ଟିକିଏ କଷ୍ଟକରି ଚିଠି ଖଣ୍ଡିଏ ଲେଖ ମନମୋହନ ପାଖକୁ । ନିର୍ବାଚନରେ ଜିତି ତାଙ୍କ ପକ୍ଷ ତଥାପି ବିଜୟ ଉନ୍ମାଦନାରେ ବିଭୋର । ମନମୋହନର ଉଦାରତା ପ୍ରଚୁର ! ଜାଣିଚ । ଅଧ୍ୟାପକ ଡ: ଜେନା, ଯେ କି ଚାକିରି ଛାଡ଼ି ବର୍ତ୍ତମାନ ‘ଭୂଦାନ’ର ଥାଳି ଧରି କେଉଁ ପ୍ରଦେଶର ଗାଁ ଦାଣ୍ଡେ ଦାଣ୍ଡେ ବୁଲୁଛନ୍ତି, ମନମୋହନ ତାଙ୍କ ନିକଟକୁ ଚିଠି ଲେଖିଛି । ନିମନ୍ତ୍ରଣ କରିଛି–ମୁଖ୍ୟ ଅଧ୍ୟାପକତ୍ଵ ପୋଷ୍ଟକୁ ପୁନରାୟ ଫେରିଆସିବା ପାଇଁ ଏପରିକି ଶିକ୍ଷା ବିଭାଗର ନିର୍ଦ୍ଦେଶକ କିମ୍ବା କେଉଁ ବିଶ୍ଵବିଦ୍ୟାଳୟ କୁଳପତି ପଦବୀ ମଧ୍ୟ ଯଚାଯାଇଛି ତାଙ୍କୁ । ଏତିକିବେଳେ ଟିକିଏ ମୋପାଇଁ କଲମ ଧର ଭାଇ । ସାମାନ୍ୟ ଲେକଚରର୍ ପୋଷ୍ଟଟିଏ ମୋପାଇଁ ଯଥେଷ୍ଟ । ନଚେତ୍ ପିଲାଟା ମରିଯିବ ଭାଇ, ମରିଯିବ ।”

 

ନଟବରର ଆଖି ବିଚିତ୍ର । ନାନା ମୁହୂର୍ତ୍ତରେ ନାନା ରୂପ ଧରୁଥାଏ । ସେତେବେଳେ ଦିଶୁଥାଏ ସେ ଦିଇଟା କୋଉ ବିଦେଶୀ ଭୂଇଁରେ ତଥାପି ଭାରତର ସ୍ଵାଧୀନତା ଖୋଜୁଥିବା କାହାର ହଳେ ପୁରୁଣା ଜୋତା ଭଳି, ପଡ଼ି ରହିଚି ଜୋତା ହଳକ । ଅଥଚ ମାଲିକ ତା’ର ମଲାଣି କୋଉଦିନୁ-

 

ନଟବର ଅଧ୍ୟାପକ ସେଠିଙ୍କର ଅଳି ଶୁଣୁନଥିଲା କିମ୍ବା ଶୁଣୁଥିଲା, କିଏ ଜାଣେ ? ଅଧ୍ୟାପକ ସେଠି ଚୁପ୍ ହେଇଗଲା ପରେ ବହୁତ ଭାବିଚିନ୍ତି ଉତ୍ତର ଦେଲାପରି ସେ କହିଲା, “ଜାଣୁ ବିଭୁ ? ତା’ ପେଟରେ ଯୋଉ ଶିଶୁ ଖେଳୁଚି–ତା’ ବିରୁଦ୍ଧରେ ରାଜ୍ୟତମାମ ଷଡ଼ଯନ୍ତ୍ର । ଡାକ୍ତରମାନେ ଛକି ବସିଛନ୍ତି । ନିର୍ଦ୍ଦେଶ ପାଇ ସାରିଛନ୍ତି–ଗର୍ଭରୁ ମାଂସଖଣ୍ଡେ ସୁଦ୍ଧା ବାହାରିଆସି ଯେପରି ଆଲୋକ ନ ଦେଖେ ! ଜାଣୁ ?”

 

ଠଉରେଇ ପାରିଲା ନାଇଁ ବିଭୁପ୍ରସାଦ । ପଚାରିଲା–“କାହା ପେଟରେ ?”

 

ନଟବର ସବୁଦିନେ ନାଟକୀୟ । ଗମ୍ଭୀର ହେଇ କେବଳ କହିଲା–‘ହୁଁ !’ ତାପରେ ବସିବା ଥାନରୁ ଧଡ଼୍ କରି ଉଠିପଡ଼ିଲା । ଟିକିଏ ଦୂରରେ ସୁକୁମାରୀ ବସିଥାଏ । ଦୁଇ ଅତିଥିଙ୍କ ସତ୍କାର ପାଇଁ ଦୋଓଟି ବାଇଗଣ କାଟୁଥାଏ । ପିଠଉରେ ବାଇଗଣକୁ ଲଟପଟ କରି ହାତରେ ଧରୁଥାଏ । ଆଉ ଟିକେ ତତଲା ତେଲ କଡ଼େଇରେ ପିଠୋଉ ସରସର ବାଇଗଣ ପଡ଼ିବ–ଚେଁ କରି-। ବାଇଗେଣୀ ହବ । ତା’ ନଟଭାଇ ପିଲାଦିନୁ ବାଇଗେଣିକୁ ଭଲପାଏ ବୋଲି ସେ କହିହୁଏ-। ବିଭୁପ୍ରସାଦ ବହୁ ଦରଣ୍ଡି କରି ନିଜ ସୁଟ୍‌କେଶରୁ କିଛି ପଇସା ସକାଳେ ନପାଇ, ସୁକୁମାରୀର ଅଜାଣତରେ ତା’ ମା’ ପେଟରା ଦରାଣ୍ଡି ଆଠଣିଟିଏ ପାଇଥାଏ । ସେଇ ଆଠଣା ପଇସାର ଏ ଦୋଓଟି ବାଇଗଣ । ଅର୍ଥାତ୍ ଗୋଟିଏ ବାଇଗଣର ଦାମ୍ ଚାରିଅଣା । ଟଙ୍କାରେ ସର୍ବମୋଟ ଚାରୋଟି । ଆଉ ଚାରୋଟିରେ ଏକ କିଲୋ ଓଜନ । ବିଭୁପ୍ରସାଦ ସେତିକିବେଳୁ ଧନ୍ଦି ହଉଥାଏ ନିଜ ଦୁଃଖରେ । ମନକୁମନ ଅସଂଖ୍ୟ ଥର କହିସାରିଥାଏ–ଗୋଟିଏ ପେଟ ଥିଲା, ଦିଓଟି ହେଲା-। କାଲି ସକାଳକୁ ହବ ତିନୋଟି, ଚାରୋଟି । ଏତେ ପେଟ ଚଳିବ କେମିତି ? ଏଥିପେଇଁ କିଏ ଦାୟୀ-? ଏକ ପେଟକୁ ବହୁ ପେଟ କରିବାପେଇଁ ଦାୟୀ କିଏ ? ତା’ର ଉତ୍ତର ମିଳୁଥାଏ–ଏଇ ନଟବର-। ସେଇ ହିଁ ମତେଇଦେଲା । କେବଳ ମତେଇଦେଲା ନାହିଁ ତତେଇ ଦେଲା । ସେଇ ତାତି ଆଜି ଫୋଟକା ହେଇ ବାହାରିଚି ଦିହରେ । ବାପ ଭାଇ ଛାଡ଼ି ଚାଲିଗଲେ ଘୃଣାରେ-। ଘୃଣାରେ ନିଶ୍ଚୟ-। ନଚେତ୍ ଯୋଉ ବାପ ଆପଣା ପିଲାଦିନେ କେମିତି ହରିଜନ ବିବାହ କରିବ ବୋଲି ମନସ୍ଥ କରିଥିଲା–ଶେଷକୁ କଥା ଯାଇଥିଲା ଗୋପବନ୍ଧୁ ଆଉ ନୀଳକଣ୍ଠଙ୍କ କାନକୁ-। କାରଣ ସେ କାଳରେ ରାଜ୍ୟର ଯାହା କିଛି ଶୁଭ, ଉତ୍ତମ ଆଉ ଦୁଃସାହସିକ କାର୍ଯ୍ୟ, ଏହାର ଖବର ସେଇ କାନମାନଙ୍କ ଭିତରେ ପଶି ତୁଣ୍ଡବାଟେ ତଥାସ୍ତୁ ହେଇ ନ ବାହାରିବା ପର୍ଯ୍ୟନ୍ତ କଥା କାର୍ଯ୍ୟରେ ପରିଣତ ହୋଇପାରୁନଥିଲା । ଏଇ ବାପାଙ୍କର ହରିଜନ ବିବାହ ପାଇଁ ସବୁ କୁଆଡ଼େ ଠିକ୍ ଠିକଣା ହେଇସାରିଥିଲା । କେବଳ ଶେଷ ମୁହୂର୍ତ୍ତରେ ଚିଠି ଆସିଲା । ଖୋଦ୍ ଉତ୍କଳମଣିଙ୍କ ଦସ୍ତଖତରେ–”ବୁଝି ବିଚାରି କାର୍ଯ୍ୟ କର । ଆତ୍ମାକୁ ପଚାର । ଆତ୍ମା ଯେବେ କହୁଚି କର, ନଚେତ୍ ନକର । “ଏଇ ବାପା ସେଦିନ ଆତ୍ମାକୁ ପଚାରିଥିଲେ । ଆତ୍ମା ଶେଷରେ ମନାକରିଥିଲା । ବାପା ଖୋଜିବସିଲେ ବୋଉକୁ–ଯାହା ଗର୍ଭରୁ ଆମେ ଜନ୍ମ ହେଲୁ । କିନ୍ତୁ ଆଜିର ଏ ବିବାହ କଅଣ ? ଏଥିରେ କଅଣ ଆତ୍ମାକୁ ପଚାରିବାକୁ ବେଳ ଥିଲା ? ନଟବର କଅଣ ସତାର କଲା ଟିକିଏ ? କେବଳ ଅଭିମାନ ତ କଲାନାଇ ! ଅଭିମାନ ପେଇଁ ସେତେବେଳେ ବେଳ ଅବା ଥିଲା କାହାର ? ସେ ଯୋଉ ବେଳ । ଯୋଉ ଅବସ୍ଥାରେ ବୁଢ଼ୀ ଗଲା ଡାକ୍ତରଖାନା । ତା’ ଛାତିରେ କାନ୍‍ସର୍ । ଅପରେଶନ ପାଇଁ ପାଞ୍ଚଶହ ଟଙ୍କା ଡାକଘରୁ ବହାରକଲା ବିଭୁପ୍ରସାଦ । ଅପରେଶନ ତ ହେଲାନାହିଁ । ନଟବର ସେ ଟଙ୍କାକୁ ନେଇ ଦେଇଦେଲା କୋଉ ମିଳିତ ସାମ୍ମୁଖ୍ୟ ନିର୍ବାଚନ ପାଣ୍ଠିକୁ-! କହିଲା କ୍ୟାନ୍‍ସର୍ ଭଲହୁଏ ନାଇଁ ଏତେ ସହଜରେ । ଡାକ୍ତର ଟଙ୍କାତକ କାହିଁକି ଖାଇବ-? ସେ ଟଙ୍କାରେ ନୂଆ ସରକାର, ଧାର୍ମିକ ସରକାର, ନ୍ୟାୟୀ ସରକାର ଆସୁ ଦେଶକୁ । ଏଥିପାଇଁ ଗୋଟିଏ ଜୀବନ ବଳି ବଡ଼କଥା ନୁହେଁ । ଅଧର୍ମ ଆଉ ଅନ୍ୟାୟର ନରକରେ ଦଳିହଉଥିବା କୋଟି କୋଟି ଆତ୍ମାଙ୍କ ଶୀତଳତା ପାଇଁ ଗୋଟିଏ ଯୁଧିଷ୍ଠିର ନରକକୁ ଯାଉ । ଏଇ ଗୋଟିଏ ବାକ୍ୟ ! ଏଇ ଗୋଟିଏ ବାକ୍ୟହିଁ ସେଦିନ ବିଭୁପ୍ରସାଦକୁ ପଠେଇଦେଲା ପାପର ନରକକୁ ନୁହେଁ ସେ କାଳର ବାପମାନେ ଛଳନାର ଯୋଉ ନରକରେ ଷଢ଼ୁଥିଲେ ସେଇଠିକି । ସେ ବାହାହେଲା ସୁକୁମାରୀକୁ-। ଏଇ ସେ ସୁକୁମାରୀ । ଯେ କେବଳ ହରିଜନ ଝିଅଟିଏ ନୁହେଁ । ସେଦିନ ଯେ ଆଖିକୁ ଅନ୍ୟବାଗେ ଦିଶୁଥିଲା, ଆଜି ଦିଶୁଚି କାଳୀ ହେଇକରି, ମରକଟି ହେଇକରି, ମେଞ୍ଚଡ଼ ଝିଅଟାଏ । ତା’ର ଚମ କେବଳ କଳା ନୁହେଁ, ଦୁର୍ଗନ୍ଧ ନୁହେଁ, ହୃଦୟ ମଧ୍ୟ କଲା ଆଉ ଦୁର୍ଗନ୍ଧ ! ଇସ୍ ! କି କୁତ୍ସିତ-! କି ନୀଚତା ଭିତରକୁ ପଶିଆସିଲା ମଣିଷ ! ତୁମର ବର୍ଣ୍ଣ କଳା ହେଇପାରେ ଉଭୟ ଶରୀର ଆଉ ଜନ୍ମ ଦୃଷ୍ଟିରୁ । ତୁମେ ଜାତିରେ ହାଡ଼ି, ମେହେନ୍ତର କି ଯାଚ୍ଛାତାଇ ହେଇପାର । କିନ୍ତୁ ସବୁରି ଭିତରେ ଗୋଟିଏ ମାତ୍ର ସୌନ୍ଦର୍ଯ୍ୟ, ଖତଗଦାର ମାଣିକ୍ୟ ପରି ଝଟକୁଥାଏ । ସେ ମାଣିକ୍ୟଟି ଆଉ କିଛି ନୁହେଁ । ପୁରୁଷ ପକ୍ଷରେ ତାହା ପୌରୁଷ ହୋଇପାରେ । କିନ୍ତୁ ନାରୀପକ୍ଷରେ ତାହାର ନାଁ ମାତ୍ର ଗୋଟିଏ–ସତୀତ୍ଵ ! କିନ୍ତୁ ଏ ନାରୀଟି କଅଣ ସତୀ ? କେଉଁ ସତୀତ୍ଵ ଘେନି ବର୍ତ୍ତମାନ ନିଜ ସ୍ୱାମୀ ସମ୍ମୁଖରେ ବସି ସେ ବାଇଗେଣି ଛାଣୁଛି ତା’ ନଟଭାଇ ପେଇଁ-? ଆଉ ଏ ନଟଭାଇଟି-? ନିର୍ଲଜ୍ଜତାର କଅଣ ସୀମା ନାହିଁ ?

 

ନଟବର ସେତେବେଳକୁ ଅସ୍ଥିର ହଉଥାଏ । ବିଭୁପ୍ରସାଦ ଅବଶ୍ୟ ବୁଝେନା ନଟବରର ସେ ଅସ୍ଥିରତାକୁ । ଆଜି ତା’ ଦୁଃଖ ତାକୁ ବଳେଇ ପଡ଼ିଚି ।

 

ପ୍ରଥମ ବାଇଗେଣିଟି ପଡ଼ିଲା ତେଲରେ–ଚେଁ !

 

ନଟବର କଅଣ ଭାବିଲା ଚମକିଉଠିଲା । ଚୁଲିମୁଣ୍ଡକୁ ସିଧା ଦଉଡ଼ିଗଲା ଆଉ ନଇଁପଡ଼ି ସୁକୁମାରୀ କାନରେ କଅଣ କହିଲା ।

 

ଈର୍ଷାରେ ଜଳିଗଲା ବିଭୁପ୍ରସାଦ । କିନ୍ତୁ କିଛି କହିଲାନାଇ । ଖାଲି ଦୃଶ୍ୟ ଦେଖିଲା । ସତେକି କେବଳ ଦୃଶ୍ୟ ଦେଖିବା ହିଁ ଏ ବିବାହର ଅସଲ ମତଲବ୍ ।

 

କିନ୍ତୁ ଦୃଶ୍ୟର ଅନ୍ତ ସେଇଠି ନୁହେଁ । ଚାଲିଲା ରୀତିମତ ଚିଠିପତ୍ର ଆଦାନ ପ୍ରଦାନ କି କଅଣ । ସୁକୁମାରୀ ବାଇଗେଣି ଛଣା ବନ୍ଦ ରଖି ଉଠିଗଲା । ଘରଭିତରୁ ପେଡ଼ି ଖୋଲିବା ଶବ୍ଦ ବିଭୁପ୍ରସାଦ ଶୁଣୁଥାଏ । ତା’ ମା’ର ପେଡ଼ି । ଟିକକ ପରେ ବାହାରିଆସିଲା । ନଟବର ହାତକୁ ମୁଦା ଲଫାପାଟିଏ ବଢ଼େଇଦେଇ କହିଲା, “ହେଇତ ଗଲାଣି । ବାଇଗେଣିଟାଏ ହେଲେ ପାଟିକି ପକେଇଦେଇ ଯାଅ ।”

 

ନଟବର ଶୁଣିଲା ନାହିଁ । ନିଜ ରାସ୍ତାକୁ ଭଲ କରି ଚିହ୍ନିଥିବା ଓଧ ପରି ସେ ଲଫାପାଟାକୁ ଧରି ଛୁ ମାଇଲା । ବଣଭୁଆ ପରି ଅଧ୍ୟାପକ ସେଠି ଅନେଇଥିଲେ । ନଟବର ପଛେ ପଛେ ସେ ଉଠିଗଲେ ।

 

ସେମାନେ ଚାଲିଯିବା ପରେ ପରେ ବିଭୁପ୍ରସାଦ ବି ଉଠିଲା । ରାଗ ତା’ର ଆଜି ସମସ୍ତଙ୍କ ଉପରେ । ପ୍ରଥମ ମାଡ଼ଟା ବସିଲା ନଟବରର ପ୍ରିୟ ଖାଦ୍ୟ–ବାଇଗେଣି ଉପରେ । ଗୋଟାଏ ଗୋଇଠାରେ ପିଠଉ ସରସର ବାଇଗଣ କେଇଟାକୁ ମାରି ଉଡ଼େଇ ଗର୍ଜିଲା ସେ–

 

“ମୁଁ କହିଦଉଚି–ଏ ଘରେ ଏଣିକି ବାଇଗେଣି, ପକୁଡ଼ି ଛଣାଛଣି ଚାଲିବ ନାଇ । ଏ ଘରେ ଏଣିକି ରାଜନୀତିର ପିଠଉ ବଟା ହବ ନାଇ । ଏଡ଼ିକି ଅଭଦ୍ର ଲୋକ ଏଗୁଡ଼ାକ ! ନିଜ ନିଜର କଥାରେ ମାତି ଏ ଘରକୁ ହୋଟେଲ ବୋଲି ପାଇଲେନା କଅଣ ? ମୁଁ ଗୋଟାଏ ଲୋକ–ନୂଆ ବାହାହେଇଚି–ନବ ଦାମ୍ପତ୍ୟର ସୁଖ ମନାସିବେ କଅଣ, ନିଜ ନିଜ ସୁଖ ମନାସି ଏଠୁ ଏମିତି ପଳେଇଲେ ? ତା’ ଛଡ଼ା କଅଣ ସବୁ ଏତେ ଚିଠି ଦିଆନିଆ ଚାଲିଚି ଶୁଣେ ? ଏଣିକି ଏ ସବୁ ବି ଚଳିବନାଇ ଏ ଘରେ । ବୁଝିରଖ ! ଏ ଘର ହାଡ଼ିଘର ନୁହେଁ ।”

 

ସୁକୁମାରୀର ମୁହଁ ଫାଟି ଫାଟି ଆସୁଥାଏ । ବିଭୁପ୍ରସାଦକୁ ଭଲ ଲାଗୁଥାଏ–ଏତେ ପାଖରେ ଗୋଟାଏ ମୁହଁ ଫଟଉଥିବା ଝିଅକୁ ଦେଖିବାକୁ । ଦୁଃଖ ବି ଲାଗୁଥାଏ ତାକୁ । ସୁକୁମାରୀର ଏ ମୁହଁକୁ ଦେଖିପକେଇବା କ୍ଷଣି ବେଶି ମନେପଡ଼ିଯାଉଥାଏ ତା’ ମା’ର ମୁହଁ । ସୁକୁମାରୀ ମା’ ଛେଉଣ୍ଡ ! ଏଇ ପଦେ କଥାରେ ପୁଣି ପରିବର୍ତ୍ତନ ହୋଇଯାଉଥାଏ ସବୁକଥା । ପୁଣି ଫେରିଆସୁଥାଏ ଏକତା–ଏକାକାରତା ।

 

ଅବଶେଷରେ ସୁକୁମାରୀକୁ ଗେହ୍ଲା ବି ଟିକିଏ କରିଦେଲା ବିଭୁପ୍ରସାଦ । ଆଉ ସେତିକିବେଳେ ଯାଇ ବୁଝିଲା ନଟବରର ସେ ରହସ୍ୟଜନକ ‘ହୁଁ’ର ମର୍ମ ।

 

“ସବୁ କଥାରେ ଚିଡ଼ିବା ତୁମମାନଙ୍କର ପ୍ରକୃତି ନା କ’ଣ ?” ସୁକୁମାରୀ ପ୍ରକୃତରେ ପଚାରିବାକୁ ଚାହୁଁଥିଲା ବୋଧହୁଏ–“ସବୁକଥାରେ ସନ୍ଦେହ କରିବା ତୁମ ଉଚ୍ଚଜାତିର ଧର୍ମ ନା କଅଣ ?”

 

ବିଭୁପ୍ରସାଦକୁ ଦବେଇବା ପାଇଁ ଏଇ ଗୋଟିଏ ବାକ୍ୟ ଯଥେଷ୍ଟ । ସୁକୁମାରୀର ହାତ ଛାଡ଼ିଦେଇ ଟିକିଏ ଦୂରେଇଗଲା ସେ । ତାପରେ ଯାଇ ସୁକୁମାରୀ ଫିଟେଇ କହିଲା, “ଦେଖ ! ତୁମେ ହିଁ ୟାର ମୂଳ । ରାଜନୀତି ନଟଭାଇ କରୁଛି । କିନ୍ତୁ ମୂଳଧନ ଯୋଗେଇଚ ତୁମେ !”

 

‘କେମିତି ?’ ଆଶ୍ଚର୍ଯ୍ୟ ହେଲା ବିଭୁପ୍ରସାଦ । କାରଣ ‘ମୂଳଧନ’ବୋଲି ଏଇ ଗୋଟାଏ ଶବ୍ଦକୁ ସେ ଯେତେ ଘୃଣା କଲେ ମଧ୍ୟ କୋଉ ଛଟକରେ ସେ ନିରବ ନିଳୟ ଭିତରକୁ ପଶିଆସୁଥିଲା କେଜାଣି । ନିରବ–ନିଳୟ ବାହାରକୁ ଅନାଇ ବିଭୁପ୍ରସାଦ ଲକ୍ଷ୍ୟକଲା–ମଲା ବ୍ୟାଟେରୀ କୁଢ଼ ଆଉ ମ୍ୟୁନିସିପାଲିଟିର ଖତଗଦାରୁ ଉଦ୍ଧାର ପାଇ ଆସିଥିବା ଲୁହା ସ୍କ୍ରାପ୍ ସବୁ ତଥାପି ଠାଏ ଠାଏ ପଡ଼ିଥାଏ । ମନେପଡ଼ିଗଲା ତା’ର–ନଟବରର ସେଇସବୁ ପାଗଳାମି । ଦିଶିଗଲା ଆଖିକୁ ମଧ୍ୟ ତା’ ନିଜର ସ୍ୱପ୍ନ । ନଟବର ଓ ବିଭୁପ୍ରସାଦ ଦୁହେଁ ମିଶି କିଛିକାଳ ତଳେ କଳ୍ପନା କରିଥିଲେ ସେଇ ଯୋଉ ମୂଳଧନହୀନ ଅର୍ଥନୀତିର ସୂତ୍ରକୁ ! ନଟବର ରାତାରାତି ରଙ୍ଗକରି ଆଣିଥିଲା ଗୋଟାଏ ସାଇନ୍ ବୋର୍ଡ଼– ‘‘ଏଠାରେ ମଳମୂତ୍ର ପରୀକ୍ଷା କରାଯାଏ” ଓ ତା’ର କିଛିଦିନ ପରେ ଆଉ ଗୋଟିଏ– ‘‘କେମିକାଲ କଟେଜ୍ ଇଣ୍ଡଷ୍ଟ୍ରି–ବିନା ମୂଳଧନରେ !” ଆଉ ଏହି ସୂତ୍ରର ଅନ୍ୟ ପ୍ରୟୋଗ ସ୍ଵରୂପ ଅବଶେଷରେ ବିଭୁପ୍ରସାଦ ବିବାହ କଲା ମଧ୍ୟ ଏଇ ମେହେନ୍ତର ଝିଅଟିକୁ–ଯାହାର ନାଁ ସୁକୁମାରୀ ଓ ଯାହା ସହିତ ନବ ଦାମ୍ପତ୍ୟ ଜୀବନର ପ୍ରଥମ କେତୋଟି ସକାଳର ଅଭିଜ୍ଞତା ହିଁ ଏଇଆ । କିନ୍ତୁ ଏସବୁରି ଭିତରେ ଯେଉଁ ମୂଳଧନହୀନ ବ୍ୟବସାୟଟି ନଟବର ବିଭୁପ୍ରସାଦ ଘରେ ଚଳେଇଥିଲା ତା’ର ଅସଲ ମୂଳଧନ ଯେ ନିଜେ ବିଭୁପ୍ରସାଦ–ସୁକୁମାରୀର ଏ ଅଭିଯୋଗ କେତେକାଂଶରେ ହିଁ ସତ୍ୟ ଥିଲା । କାରଣ ନଟବର ସେଦିନ ଝପଟା ମାରି ଯେଉଁ ଲଫାପାଟି ଧରି ପଳେଇଲା ସେ ଲଫାପାଟି ପ୍ରକୃତରେ ଗୋଟିଏ ଚିଠି ନୁହେଁ । ସେଥିରେ ଥାଏ ସେଇ ପାଞ୍ଚଶହ ଟଙ୍କା–ଯାହାକୁ ବୁଢ଼ୀର କ୍ୟାନ୍ସର୍ ଅପରେଶନ ପାଇଁ ବିଭୁପ୍ରସାଦ ଉଠେଇଥିଲା ତା’ ପାଶ୍‍ବୁକରୁ । ପୁଣି ସେଇ ପାଞ୍ଚଶହ ଓ ଅଧ୍ୟାପକ ସେଠିଙ୍କୁ ମୂଳଧନ କରି ସେ ଯୋଗଦେଇଥିଲା ନିର୍ବାଚନରେ–ସର୍ବଭାରତୀୟ ତିନୋଟି ରାତିର ସକାଳ ପାଞ୍ଚୋଟି ସୁପ୍ରତିଷ୍ଠିତ ଦଳର ନେତାଙ୍କ ସହ ଦୁର୍ନୀତି ବିରୁଦ୍ଧରେ ହାତ ମିଳେଇ ସେଇ ଯେଉଁ ମିଳିତ ସାମ୍ମୁଖ୍ୟ ଗଢ଼ା ଯାଇଥିଲା ସେଇଥିରେ । କିନ୍ତୁ ସେ ଟଙ୍କା ନଟବର ହାତକୁ ପୁଣିଥରେ ଫେରିଲା କିପରି ? ସୁକୁମାରିଠାରୁ ସେଇ ଇଙ୍ଗିତଟି ପାଇ ବିଭୁପ୍ରସାଦ ପୁଣିଥରେ ପଡ଼ିଗଲା ଚିନ୍ତାରେ । ଅଧ୍ୟାପକ ସେଠିଙ୍କ ହାରିବାପାଇଁ ଏଇ ପାଞ୍ଚଶହ ଟଙ୍କା ଦେବେ ପୁଣି ଦାୟୀ । ବୁଢ଼ୀଙ୍କୁ ମାରି, ବିଚରା ଅଧ୍ୟାପକ ସେଠିକୁ ହରାଇ କି ଲାଭ ପାଇଲା ନଟବର ? ବର୍ତ୍ତମାନ ସେଇ ଟଙ୍କାକୁ ସମ୍ବଳ କରି ସେ ତେବେ ଚାଲିଛି ମୁରାଶା ଗର୍ଭର ଅଜ୍ଞାତ ଶିଶୁକୁ ରକ୍ଷା କରିବା ପାଇଁ ।

 

ନଟବର ପ୍ରତି ଏଇ ମାନବିକ ପ୍ରଶ୍ନଗୁଡ଼ିକ ପୁଣି ଥରେ ପ୍ରୟୋଗ କରୁ କରୁ ବିଭୁପ୍ରସାଦ ଆଉ ଥରେ ପଡ଼ିଗଲା ଦ୍ୱନ୍ଦ୍ୱରେ । ନଟବରର ସେଇ ଡାକଟା ଦିନତମାମ ତା’ କାନରେ ବାଜିଲା–

 

“ଜାଣୁ ? ତା’ ପେଟରେ ଯୋଉ ଶିଶୁ ଖେଳୁଛି–ତା’ ବିରୁଦ୍ଧରେ ରାଜ୍ୟ ତମାମ ଷଡ଼ଯନ୍ତ୍ର... ।”

 

ରାଜନୀତିକୁ ନିରବ–ନୀଳୟରେ ନ ପୂରେଇ ଦବାପେଇଁ ଯେତେଆଡ଼େ ଚୁଣ୍ଡା ମାଇଲେ ବି ରାଜନୀତି ତା’ ଖଞ୍ଜରେ ଆସିଗଲା ବିଭୁପ୍ରସାଦ ପାଖକୁ । ଏଥିପାଇଁ ଆଉ କାହାକୁ ଦାୟୀ କଲାନାଇ ବିଭୁପ୍ରସାଦ । ଦାୟିକଲା ସେଇ ଗୋଟିକୁ ଯାହାର ନା ମୂଳଧନ ! ମାନବିକତା ଅର୍ଥାତ୍ ପ୍ରେମ ।

 

ଚାରି

 

ମହାନଦୀର ପାଣି ତଥାପି ବହିଚାଲିଥାଏ ସେମାନଙ୍କର ପାଖେ ପାଖେ । ଅବଶ୍ୟ ତାହା ନଈ ନୁହେଁ । ମହାନଦୀର ପାଣିରେ ପରିପୁଷ୍ଟ କେନାଲ । ନାଁ–ଗୁପ୍ତଗଙ୍ଗା । କାରଣ କେହି କେହି ପୁରୁଖା ନଅଙ୍କିଆ ଚାଷୀ ଗ୍ରୀଷ୍ମର ଉତ୍ତରାୟଣ ସୂର୍ଯ୍ୟରେ ଆଉଟା ଏହାର ପଙ୍କୁଆ ପାଣି ଚଳେ ତୁଣ୍ଡକୁ ନଉ ନଉ ଆଜି ମଧ୍ୟ ଗୁପ୍ତଗଙ୍ଗାକୁ ପ୍ରାପ୍ତ ହୁଅନ୍ତି । କିନ୍ତୁ ‘ପବିତ୍ର ଇତିହାସ ଲହରୀ’ ପଢ଼ୁଥିବା ଇସ୍କୁଲିଆ ପିଲା ଏହି ପାଣି ଧାରଟିକୁ ଅନ୍ୟବାଗେ ନାଁ ଦେଇଥାଏ । ଗାଁ ପାଖର ଏଇ ଧାରଟିକୁ ତାଳଦଣ୍ଡା ନାମ ବୋଲି ସେ ଜାଣିଥାଏ । ପ୍ରଥମ ଆଶ୍ଵିନର କାଚକେନ୍ଦୁ ପରି ପ୍ରବହମାନ ନେଳିଆ ଏହି ନାଳଟି ତା’ ଆଖିକୁ ଦିଶେ କୌଣସି ଦୟାଳୁ ଇଂରାଜୀ ଲୋକର ଚିଲା ଆଖିରୁ ନିଗିଡ଼ି ଆସିଥିବା ଧାରେ ଲୁହ ପରି ।

 

କିନ୍ତୁ ଯେଉଁମାନେ ବାସ୍ତବରେ ଏ ନାଳ କୂଳରେ ବାସିନ୍ଦା, ଏହାର ଜଳକୁ ଶୈଶବରେ ମା’ ଥନ ପରି, ଯୌବନରେ ଅହିଅନାରୀର ହାତଶଙ୍ଖାପରି ଆଉ ବାର୍ଦ୍ଧକ୍ୟରେ ଏହାରି କୂଳରେ ଚକଟା ଅରୁଆ ଭାତର ପିଣ୍ଡ ଥାପି ପିତୃଶ୍ରାଦ୍ଧ କଲାବେଳେ ଗଙ୍ଗାପ୍ରାପ୍ତି ହୁଅନ୍ତି । ସେମାନଙ୍କୁ ଏ ନାଳ ଅଦ୍ୟାବଧି ରୂପ ଦେଖାଏ–ଦୁର୍ଯ୍ୟୋଧନ ଆଖିଆଗରେ ବୋହୁଥିବା ରକ୍ତନଦୀର ରୂପ । କାରଣ ଅଳ୍ପଦିନ ତଳେ ଜମିରେ ମାଗଣା ଜଳସେଚନ ଦାବି କରି ଓ ପରିବର୍ଦ୍ଧିତ ଜଳକର ବିରୁଦ୍ଧରେ ପ୍ରତିବାଦ କରି କୃଷକ ପଟୁଆର ଏହି ନାଳ ବନ୍ଧେ ବନ୍ଧେ ରାଜଧାନୀ ଅଭିମୁଖେ ଚାଲିଥିବାବେଳେ ନିକଟବର୍ତ୍ତୀ ଗ୍ରାମର ଆଉ ଦଳେ ଗ୍ରାମବାସୀ କୌଣସି କାରଣରୁ ଉତ୍ୟକ୍ତ ହୋଇଉଠିବା ଫଳରେ ଦୁଇଦଳ ସଂଘର୍ଷରେ ଯେଉଁ ଲାଠି ଆଉ କୁରାଢ଼ି କଟୁରି ଉଠିଗଲା ସେଥିରେ ଯେଉଁମାନେ ମୃତ ଓ ଆହତ ହୋଇଥିଲେ ସମସ୍ତେ ଏହି ନାଳ ପାଣିଭିତରେ ହିଁ ଲୋଟିପଡ଼ିଥିବା ଅବସ୍ଥାରେ ଉପରକୁ ଅଣାଯାଇଥାନ୍ତି । ଜଳକର ବୃଦ୍ଧି ଅବଶ୍ୟ ସାମୟିକ ଭାବେ ବନ୍ଦ ରହିଥିଲା । କିନ୍ତୁ ବହୁଦିନ ପର୍ଯ୍ୟନ୍ତ ଦୁଇ ଚାରିଜଣ ବିଧବା ଯୁବତୀ ବାଳ ମୁକୁଳା କରି ଏହି ନାଳକୂଳରେ ବସି ବାହୁନିବା ଯୋଗୁଁ ସମୁଦାୟ ନାଳପାଣି ଗୋଟିଏ ବିଭୀଷିକାମୟ ରକ୍ତନଦୀ ପରି ଅସ୍ପୃଶ୍ୟ ଓ ଭୀତିପ୍ରଦ ହୋଇଉଠିଥାଏ ।

 

ତଥାପି ଏହି ନାଳର ଗୋଟିଏ ଛୋଟ କରନାଳ ବନ୍ଧରେ ସେଦିନ ସକାଳେ ଠିଆ ହୋଇଥାନ୍ତି ଦୁଇଟି ଲୋକ । ବାପଟିଏ, ପୁଅଟିଏ ହେବ ପରା । ସରୁଆ, ଡେଙ୍ଗା ପୁଅଟି ଗୋଟିଏ ହାତରେ ଖଣ୍ଡିଏ ଖବରକାଗଜ ବୋଧହୁଏ ଧରିଥାଏ, ଆଉ ଆରହାତରେ ବିଶିଆଙ୍ଗୁଠିରେ ଖବରକାଗଜର ଗୋଟିଏ ଅଂଶକୁ ଦେଖେଇ କଅଣ କହୁଥାଏ । ବାପଟି ଜଣାପଡ଼ୁଥାଏ–ତା’ର ବୋଧାଳିଆ ମୁହଁରୁ, ଆଉ ପାଦତଳର ମାଟିଆଡ଼କୁ ଅନେଇ ଡାହାଣ ପାଦ ବୁଢ଼ା ଆଙ୍ଗୁଠିରେ ନକ୍ସାଭଳି କଅଣସବୁ ଗାର କାଟି କାଟି ପାଖରେ ଠିଆ–ହୋଇଥିବା ଯୁବକଟିକୁ ବୁଝେଇବା ଭଙ୍ଗୀରୁ-

 

“ଏତେ କରି ବତେଇଥିଲି । ଇଂରେଜୀ ରଚନାଟାକୁ ବାଗେଇ କରି ଲେଖିଲୁନାଇ ଟିକିଏ । ମୁଁ ଜାଣେ । ଭାଷାରେ ହିଁ ତୋର ଖଇଚା ରହିଗଲା, ଟିକିଏ ଆଗରୁ ଦେଖିଥିଲେ ହେଇଯାଇଥାନ୍ତା । ହଉ ଠିକ୍ ଅଛି । ତୃତୀୟ ଶ୍ରେଣୀ ହଉ କି ପ୍ରଥମ ଶ୍ରେଣୀ ହଉ । କଲେଜରେ ନାଁ ଲେଖେଇବାକୁ ହବ । ବର୍ତ୍ତମାନ ତୁ ନିଜେ ଠିକ୍ କର । କଳା ନା ବିଜ୍ଞାନ ?” ବୋଧାଳିଆ ମୁହଁଟି ମାଟିରୁ ଉଠି ପୁଅ ମୁହଁରୁ ଟିକିଏ କଅଣ କଳିନେଲା ଓ ପୁଣି ଛାକୁଁ ଛାଁ ତଳକୁ ଖସିପଡ଼ିଲା । ମନଭିତରେ କିଏ ବୋଧହୁଏ କହିଲା–ନା, ନା । ଏ ସେ ନୁହେଁ । ଏ ଆଉ କିଏ । ଏଇନା ସେଦିନ ଷ୍ଟେସନରୁ ଗାଁକୁ ଆସିବା ରାସ୍ତାରେ ପଚାରିଥିଲା–ମାସକୁ ତୁମର ପେନସନ୍ କେତେ ବାପା ?

 

କାହିଁକି ? କେତେଥର ତତେ କହିଚି ଯେ, ଏ ଚାକିରିରେ ପେନସନ୍ ନଥାଏ । ପେନସନ୍‍ର ଅର୍ଥ କେତେଥର ବୁଝେଇଚି ତତେ ! ସେକାଳରେ ଯୋଉମାନେ ଖଦି ପିନ୍ଧୁଥିଲେ ସେମାନେ ଏପରି ଚାକିରି କରୁଥିଲେ ଯାହାର ପେନ୍‍ସନ୍ ବ୍ୟବସ୍ଥା ନଥିଲା । ସେଇକଥା ବାର ବାର କାହିଁକି ଏତେ ଫଟେଇ ହଉଚୁ ?

 

ବାପ ଆଉ ପୁଅ ସେତେବେଳେ ରିକ୍ସାରେ ବସି ଗାଁ ମୁହାଁ ଚାଲିଥିଲେ । ସହରରୁ ଗାଁ ରାସ୍ତାଟି ଏ ମଧ୍ୟରେ କୋଉଦିନ ଏତେ ଚଉଡ଼ା ହେଇଗଲାଣି ଆଉ ତା’ଉପରେ ପଡ଼ିଗଲାଣି ଏ ନରମ ପିଚୁର ସର–ବାପର ଖିଆଲ ନଥାଏ ସେଆଡ଼କୁ । ସେ ଆଡ଼କୁ ବାପର ନଜର ଟାଣିଲା ପ୍ରଥମେ ସେଇ ଛୋଟିଆ ଟୋକାଟା । ଆପେ କନକନ ହେଇ ଏଣିକି ତେଣିକି ଚାହୁଁଥାଏ । ସତେଯେମିତି କୋଉ ଅଚିହ୍ନା ରାଇଜରେ ପହଞ୍ଚି ଯାଇଚି ଆଉ ଅଚିହ୍ନା ଦେଶଆଡ଼େ ମୁହେଁଇଚି । କହିଲା “ଜାଣିଚ ? ଏ ରାସ୍ତା କୁଆଡ଼କୁ ମୁହେଁଇଚି ? କାହିଁକି ଚଉଡ଼ା ହଉଚି ?”

 

ଭବାନୀପ୍ରସାଦ ସେପର୍ଯ୍ୟନ୍ତ ରାସ୍ତାକୁ ଚାହିଁନଥିଲେ କି ରାସ୍ତା ଚଉଡ଼ା ହବା କଥା ଲକ୍ଷ୍ୟ କରିନଥିଲେ । କିନ୍ତୁ ସେ ଦେଖିଥିଲେ ପ୍ରାୟ ପ୍ରତି ପାଞ୍ଚମିନିଟରେ ଗୋଟାଏ ଢିମାପଥର ବୋଝେଇ ଟ୍ରକ୍ ତାଙ୍କ ପଛପଟୁ ଆଗକୁ ଦ୍ରୁତଗତିରେ ଛୁଟୁଥିଲା ଓ ଖାଲି ଟ୍ରକ୍‍ଗୁଡ଼ାଏ ତେଣୁ ଆହୁରି ଦ୍ରୁତଗତିରେ ପଛଆଡ଼କୁ ଫେରିଯାଉଥିଲା ।

 

ଭବାନୀପ୍ରସାଦ ସେତେବେଳେ ଯାଇ ଚେତାପାଇଲେ ଓ ରିକ୍ସାକୁ ଆହୁରି ଆସ୍ତେ ଚାଲିବାକୁ କହିଲେ–

 

“ଆସ୍ତେ ଆସ୍ତେ ଗୋଟିଏ ଗୋଟିଏ ଚାଲ ବାବା । ତରତର କାହିଁକି ?”

 

“ନା ନା ଜଲ୍‍ଦି–ଜଲ୍‍ଦି ଚଲା ରିକ୍ସା ! ତରତର ନହେଲେ ମରିବୁ ।”

 

ଭବାନୀପ୍ରସାଦ ସାନପୁଅ ଅନିରୁଦ୍ଧର ଏଇ ବିପରୀତ ବୁଦ୍ଧିକୁ ଆହୁରି ଆଗରୁ ଲକ୍ଷ୍ୟ କରିଥିଲେ ଅବଶ୍ୟ । କିନ୍ତୁ ରିକ୍ସାର ଗତି ସମ୍ପର୍କରେ ତା’ର ଏ ମନ୍ତବ୍ୟକୁ ହଠାତ୍ ବୁଝିନପାରି ପୁଅଆଡ଼କୁ ଆଶ୍ଚର୍ଯ୍ୟ ହେଇ ଚାହିଁଥିଲେ । ସେତିକିବେଳେ ଟୋକାଟା କହିଥିଲା–

 

“ଆଜିଠାରୁ ବର୍ଷ ଦିଇଟା ଭିତରେ ଏ ରାସ୍ତାରେ ଷୋଳକୋଟି ଟଙ୍କାର ଗୋଟାଏ ସୁଅ ବୋହିବ । ଷୋଳକୋଟି ଟଙ୍କା ! ବୁଝିପାରୁଚ ବାପା ?”

 

ଭବାନୀପ୍ରସାଦ ତଥାପି ବୁଝିପାରିଲେ ନାହିଁ । କିନ୍ତୁ ଅନିରୁଦ୍ଧ ବୁଝେଇଦେଇ କହିଲା– “ତୁମେ ଯେତେବେଳେ ଭାଇଙ୍କ ସାଙ୍ଗରେ କଥାବାର୍ତ୍ତା ହଉଥିଲ ପ୍ଲାଟଫର୍ମ ବାହାରେ ରିକ୍ସା ଆଣିବାକୁ ମୁଁ ଯାଇନଥିଲି ? ମୋର ଗୋଟାଏ ସାଙ୍ଗ ଗୋଟାଏ ଟ୍ରକ୍ ବେପାରରେ ପଶିଯାଇଚି । ସେଇଆକୁ ଦେଖିଲି । ସେ ଆମ ସ୍କୁଲରେ ପଢ଼ୁଥିଲା–ଜାଣିନ ? ତା’ ବାପାଙ୍କର ଗୋଟାଏ ଟ୍ରକ୍ ବିଜନେସ୍ ଅଛି । ସେଇ କହୁଥିଲା–ଏଇ ଯୋଉ ରାସ୍ତାକାମ ଚାଲିଚି–ସେଥିରେ ନୂଆ ବନ୍ଦର ପାଇଁ ଆହୁରି ଆହୁରି ଷୋଳକୋଟି ଟଙ୍କାର କାମ ଖୋଲିଯିବ । ତେଣୁ, ଅନ୍ୟାନ୍ୟ ପ୍ରଦେଶରୁ ଲୋକେ ବାସ୍ନାବାରି କେତେ ଆଗରୁ ପହଞ୍ଚିଗଲେଣି । ଆମର କିଛି କିଛି କରିପାରନ୍ତେ ନାଇଁ ବାପା ? ମୁଁ ତ ଭାବୁଚି ଟଙ୍କା ହଜାରେ ମୂଳଧନ ଯଦି କୋଉଠୁ ଜୁଟିଯାନ୍ତା–ତୁମର ସତରେ ପେନସନ୍ ନାହିଁ ବାପା ? ଗ୍ରାଚୁଇଟି ବି ନାହିଁ ? କିଛି ନ ହେଲେ ପ୍ରୋଭିଡ଼େଣ୍ଟ୍ ଫଣ୍ଡରେ କେତେ ଅଛି–ଥିବ ତ ନିଶ୍ଚୟ !”

 

ବାପକୁ ହସ ଲାଗୁଥିଲା । କିନ୍ତୁ ସେ ହସି ଦେଲେ ନାଇ । ଛୋଟ ପିଲାଙ୍କ ଯୋଜନା ଉପରେ ହସି ନଦେବାକୁ ହିଁ ଜୀବନର ବ୍ରତ ସେ କରିଥିଲେ । ଚାଳିଶବର୍ଷ ସେଇଥିରେ ତାଲିମ ହେଇଥିଲେ । ଆଉ ତାଲିମ୍ ବି କରିଥିଲେ କେତେ ପୁରୁଷବ୍ୟାପି ନୂଆ ଶିକ୍ଷକଙ୍କୁ । ତେଣୁ ପ୍ରକାଶ୍ୟରେ କହିଲେ–“ଆଚ୍ଛା ଦେଖିବା । ପ୍ରୋଭିଡ଼େଣ୍ଟ୍ ଫଣ୍ଡ ବାବଦ ଟଙ୍କା କେଇଟା ଥିବ ନିଶ୍ଚୟ ! କିନ୍ତୁ ଡ୍ର କରିବାକୁ ତ ପୁଣି ସମୟ ଲାଗିବ । ପରହସ୍ତଗତ ଧନ । ବାର ହେଙ୍ଗାମ । ତେବେ ମିଳିବ ନିଶ୍ଚୟ । କିନ୍ତୁ ଡେରିହେବ ।”

 

ପୁଅ ଆଉ କିଛି କହିନଥିଲା । ଗାଁରେ ପହଞ୍ଚିବାର ଦି ହପ୍ତା ପରେ ଆଜି ତା’ର ମୁହଁ ପୁଣି ଖୋଲିଚି । ଦିନେ ମଝିରେ ଖବରକାଗଜଟିଏ ଆଣି ମୁହଁ ଶୁଖେଇ ଠିଆ ହୋଇଥିଲା । ମ୍ୟାଟ୍ରିକ୍ ପରୀକ୍ଷା ଫଳ ବାହାରିଥାଏ । ନାଁ ଖୋଜି ଖୋଜି ଶେଷକୁ ମିଳିଲା–ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଇଥିବା ଛାତ୍ରଙ୍କ ଭିତରେ । ଅନିରୁଦ୍ଧ ନାଁଟିକୁ ସେଇ ସର୍ବସାଧାରଣ ନାମାବଳୀ ଭିତରୁ ଚିହ୍ନୁ ଚିହ୍ନୁ ଭବାନୀପ୍ରସାଦଙ୍କର ଛାତିଉପରେ ପଥରପରି କଅଣଟାଏ ଲଦିହେଇପଡ଼ିଲା । କିନ୍ତୁ ସେ ପଥରକୁ ମଧ୍ୟ ହଜମ କରେଇଦିଏ ସମୟ, କେବଳ ସମୟ ନୁହେଁ । ପ୍ରକୃତରେ ଦେଖିବାକୁ ଗଲେ ସେଦିନ ଭବାନୀପ୍ରସାଦଙ୍କର ଛାତିକୁ ଯେ ଉଶ୍ୱାସ କରିଥିଲା ସେ ଆଉ କେହିନୁହେଁ–ସେଇ ବଡ଼ପୁଅ ବିଭୁପ୍ରସାଦ । କାରଣ ସେଦିନ ଖବରକାଗଜରେ, ଭେସେରା ହେଇଗଲେ ମଧ୍ୟ, ଚିତ୍ରଟିଏ ବାହାରିଥିଲା ସେଇ ପୁଅର । ଏକା ତାରି ନୁହେଁ । ତା’ ପାଖକୁ ଲାଗି ବସିଥିଲା ଝିଅଟିଏ । ସୁନ୍ଦରୀ ତ ଜମା ନୁହଁ । ଚିତ୍ରରୁ ରଙ୍ଗ ବାରି ହୁଏନାହିଁ । ତଥାପି ନିଶ୍ଚୟ କାଳୀ ହେଇଥିବ । ତାକୁ ଦେଖି ଭବାନୀପ୍ରସାଦଙ୍କ ଛାତିଭିତରର ଆବୁ ସବୁ ପୁଣି ଫଳିଆସୁଥାଏ । ମାତ୍ର ଯେତେବେଳେ ତଳେ ଲେଖାହେଇଥିବା ଧାଡ଼ିଟି ପଢ଼ିଦେଲେ, ସେ ଆବୁ ପୁଣି ପାଣି ହେଇ ତରଳିଗଲା । ଲେଖାଥିଲା–ଉଚ୍ଚଶିକ୍ଷିତଙ୍କ ମହତ କାର୍ଯ୍ୟ–ହରିଜନ ବିବାହ ! ଭବାନୀପ୍ରସାଦ ତଥାପି ସ୍ଵର ଉଚ୍ଚକରି ପଢ଼ୁନଥାନ୍ତି-। କିନ୍ତୁ ହଠାତ୍ ଠାଏ ସେ ଅଟକିଗଲେ । ତା’ ପରେ କଅଣ ଭାବିଲେ ଗଡ଼ ଗଡ଼ କରି ପଢ଼ିଲାଗିଲେ ଥରେ ନୁହଁ, ଦୁଇଥର ନୁହଁ, ସହସ୍ର ଥର । ଆଉ, ସେ ବାକ୍ୟଟି ମଧ୍ୟ ଅତି ଲମ୍ବା ନୁହେଁ-। ଛୋଟ ସରଳ ବାକ୍ୟଟିଏ ଯୋଉଥିରେ ଲେଖାହେଇଥିଲା–“ଯୁବକଙ୍କ ପିତାଙ୍କର ନାମ ଭବାନୀପ୍ରସାଦ–ଆଦର୍ଶ ଶିକ୍ଷକ !”

 

ଭବାନୀପ୍ରସାଦ ବୋଧହୁଏ ଜାଣିନଥିଲେ ଏ ବାକ୍ୟଟି ପ୍ରକୃତରେ କାହାର, ଖବରକାଗଜ ସଂପାଦକଙ୍କର, ଦେଶବାସୀଙ୍କର କିମ୍ବା ଏହା ଗୁରୁପଞ୍ଚମୀପରି ସରକାରୀ ପୂଜ୍ୟପୂଜା ପରିକଳ୍ପନାର ଏକ ବିଶେଷ କାର୍ଯ୍ୟକ୍ରମ ବୋଲି । ତେଣୁ ସେ ଖବରକାଗଜଟିକୁ ଧରି ଗାଁଯାକ ବୁଲିଆସିଲେ । ଭୁଲିଯାଇଥିଲେ ଯେ ସେଇ ଖବରକାଗଜରେ ସାନପୁଅ ଅନିରୁଦ୍ଧର ଅପ୍ରତ୍ୟାଶିତଭାବେ ଖରାପ ମ୍ୟାଟିକ୍ ପରୀକ୍ଷା ଫଳଟା ବି ବାହାରିଥିଲା । ସେଇ ଖୁସିରେ ସେ ଅଣ୍ଟା ଭିଡ଼ିଦେଲେ ଆଉ ସାନପୁଅକୁ ଯେକୌଣସି ପ୍ରକାର ଛ’ବର୍ଷ କଲେଜରେ ଭିଡ଼ିନବାକୁ ପ୍ରତିଜ୍ଞା କରି ଆଜି ବାହାରିପଡ଼ିଥିଲେ । ନାଳକୂଳିଆ ପାଞ୍ଚ ଏକର ଜମି ବାହାରେ ସେ ଜୀବନବ୍ୟାପୀ ପ୍ରଚେଷ୍ଟା ଭିତରେ ଭବାନୀପ୍ରସାଦଙ୍କର ଆଉ ଗୋଟିଏ ଛୋଟିଆ କୀର୍ତ୍ତି ଥାଏ । ଗାଁ ମୁଣ୍ଡକୁ ସେଇ ନାଳକୂଳକୁ ଲାଗି ଚଉଦଗୁଣ୍ଠିଆ ହତାଟିଏ । ସେକାଳର ଆମ୍ବ, ପଣସ, ପିଜୁଳି ବାଦ ପିଲାଙ୍କ ମନରେ ଭୌଗୋଳିକ ପରିବେଶ ସୃଷ୍ଟି କରିବା ନିମିତ୍ତ କେତୋଟି ବିଦେଶୀ ଫଳଗଛ ମଧ୍ୟ ଲଗାଯାଇଥାଏ । ଯତ୍ନ ଅଭାବରୁ ସେଗୁଡ଼ିକ ମରି ଥୁଣ୍ଟା ହେଇଯାଇଥିଲେ ମଧ୍ୟ ତା’ ଭିତରୁ ଟାଁଆସା ଜୀବନବାଲା କେଇଟି ବିଦେଶୀଗଛ ତଥାପି ଠିଆହେଇଥାନ୍ତି । ଭବାନୀପ୍ରସାଦ ଅତୀତରେ ନିଜର ଅବସରପ୍ରାପ୍ତ ଜୀବନକୁ ଏଇ ଛୋଟ ବଗିଚା ଭିତରେ ହିଁ ସ୍ଵପ୍ନରେ ବାରମ୍ବାର ଦେଖିଥାନ୍ତି । ଆଜି ସେଦିନ ଆସିଯାଇଛି । ବାପ ଆଉ ପୁଅ ଜମିରୁ ବାହାରି ସେଇ ପୁରୁଣା ବଗିଚାଟି ଆଡ଼େ ମୁହେଁଇଥାନ୍ତି । ହଠାତ୍ ଅନିରୁଦ୍ଧ କହିଲା–

 

“ତୁମେ ଯାହା କୁହ ପଛେ ମୁଁ ସେ କାଳୀ, ଅପରଛନି ମେହେନ୍ତରାଣୀଟାକୁ ଭାଉଜ ବୋଲି ଜମା ଡାକିପାରିବି ନାଇ ବାପା ! ମୁଁ ବରଂ ଏ ଘରୁ ପଳେଇଯିବି । ତୁମେ ଯଦି ତାକୁ ଏଠିକି ଡାକ, ତେବେ ମୁଁ ନିଶ୍ଚୟ ପଳେଇଯିବି କହୁଛି ।”

 

“ପଳେଇଯିବୁ ? କୁଆଡ଼େ ପଳେଇଯିବୁ ?” ଭବାନୀପ୍ରସାଦ ଆଶ୍ଚର୍ଯ୍ୟ ହେଇଗଲେ ଟୋକାଟାର ସେ ସ୍ଵରରେ । କେବଳ ଆଶ୍ଚର୍ଯ୍ୟ ହେଲେନାହିଁ । କେମିତି ମାଡ଼ି ମାଡ଼ି ପଡ଼ିଲା କଥାଟା-। ମନେହେଲା ଯେମିତି ପିଲାଟା ଆକ୍ଷେପ କରୁଚି । ପୁଣି ଏ ଆକ୍ଷେପ ତାଙ୍କ ପ୍ରତି ନୁହେଁ କି ତାଙ୍କର ଚାଳିଶ ବର୍ଷର ଶିକ୍ଷକ ଜୀବନ ପ୍ରତି ନୁହେଁ । ତାଙ୍କ ଛାତିଉପରେ ଜନ୍ମରୁ ସବାର ହୋଇଥିବା କୌଣସି ଅଜ୍ଞାତ ଉଚ୍ଚାଭିଳାଷକୁ ତାଚ୍ଛଲ୍ୟ କରି ଯେମିତି ଏଇ ପିଲାଟି ଦିହକୁ ଚରିଯାଇଥିବା ଜୀବାଣୁଟା ତାଙ୍କୁ କଅଣ କହୁଥାଏ ।

 

ଭବାନୀପ୍ରସାଦଙ୍କ ପ୍ରଶ୍ନର ଉତ୍ତର ଦେଲା ଅନିରୁଦ୍ଧ । କହିଲା–“ମୁଁ ମୋ ବାଟ ଠିକ୍ କରିସାରିଚି । ମୁଁ କଲେଜରେ କଳା ନେବିନାଇ କି ବିଜ୍ଞାନ ନେବିନାଇ । ଜାଣିଚ ? ବନ୍ଦର ଇଲାକାରେ ଗୋଟାଏ ମାଟି କାମ ପାଇଁ ଟେଣ୍ଡର ମୋ ନାଁରେ ଉଠିଯାଇଚି ? ମୋର ସେଇ ଟ୍ରକ୍‍ବାଲା ସାଙ୍ଗ……”

 

ଭବାନୀପ୍ରସାଦ ଆଦୌ ହାତରେ କାହାକୁ ଆଘାତ କରନ୍ତି ନାଇ । ଆଖିର ପାହାରରେ ତାଙ୍କର ସବୁଠାରୁ ବଦମାସ ଛାତ୍ର ଜବତ ହୋଇଯାଏ । ବାପର ସେଇ ଆଖି ପାହାରରେ ଅନିରୁଦ୍ଧର ପାଟି ଖନି ବାଜିଗଲା । ବାକ୍ୟଟିକୁ ଶେଷ ନକରି ସେ ଅଟକିଗଲା ।

 

‘ଟେଣ୍ଡର ?’ ଭବାନୀ ପ୍ରସାଦଙ୍କର ଇଂରାଜୀ ଜ୍ଞାନ ସୀମିତ । କିନ୍ତୁ ସ୍ଥଳବିଶେଷରେ ତାହା ଆହୁରି ସୀମିତ । ଯେମିତି ଏଇ ଟେଣ୍ଡର ଶବ୍ଦଟି । ଏହି ଇଂରେଜୀ ଶବ୍ଦଟିର ଏକମାତ୍ର ଅର୍ଥ ସେ ଏପର୍ଯ୍ୟନ୍ତ ବ୍ୟବହାର କରୁଥିଲେ କୋମଳ–ଅର୍ଥରେ । ଯେମିତି ‘ଟେଣ୍ଡର–ଏଜ୍ (Tender age)’ ଅର୍ଥାତ୍ କଅଁଳ ବୟସ କିମ୍ବା ‘ଟେଣ୍ଡର ଲିଫ୍ (Tender ।eaf)’ ଅର୍ଥାତ୍ ନବକିଶଳୟ । କିନ୍ତୁ ବନ୍ଦର ଇଲାକାର ମାଟିକାମ ସହିତ ସମାସ କରି ଏ ଶବ୍ଦଟିର ଅସଲ ଭାବ ସେ ବୁଝିପାରିନଥିଲେ ।

 

ଭବାନୀପ୍ରସାଦଙ୍କର ଏ ପ୍ରଶ୍ନର ଉତ୍ତର ଆଉ କିଛି ଦେଲାନାହିଁ ଅନିରୁଦ୍ଧ । ଖବରକାଗଜଟାକୁ ଚଉତେଇ ଦେଇ ସେ ଗୁମ୍ ମାରିଗଲା । ଭବାନୀପ୍ରସାଦ ଆଉଥରେ ଫଟେଇହେଇ ପଚାରିଲେ–“କଅଣ କହିଲୁ ? ବନ୍ଦର ଇଲାକାରେ ମାଟିକାମ କରିବୁ ? ପଢ଼ିବୁ ନାହିଁ ? ଜାଲିୟାତି କିଳାପୋତେଇ କରି ଟଙ୍କା ଅର୍ଜିବୁ ?”

 

ଏ ପ୍ରଶ୍ନର ଉତ୍ତର ବି ଦେଲାନାହିଁ ଅନିରୁଦ୍ଧ । ଖାଲି କେମିତି ଗୋଟାଏ ଆଖିରେ ଚାହିଁଲା । ସେ ଆଖିରେ ହିଂସ୍ରତା ନଥିଲା କି ଅଭିମାନ ନଥିଲା । ଥିଲା କେମିତି ଗୋଟାଏ ଛାଡ଼ରାଛାଡ଼ରା ଭାବ । ଚମକିପଡ଼ିଲେ ଭବାନୀପ୍ରସାଦ । ମନେପଡ଼ିଗଲା ପୁଣିଥରେ–ଷ୍ଟେସନ୍ ପ୍ଲାଟଫର୍ମରେ ଫୁଲମାଳ ଆଉ ଖଦିସୂତା ଧରି ଠିଆ ହେଇଥିବା ସେଇ ପିଲାଟିର ଆଖିଦିଇଟା । ସେ ଦିଇଟା ବି ପଛନ୍ତେ ଦିଶିଗଲା । ଏମିତି ଥଣ୍ଡା ଥଣ୍ଡା, ଅଚିହ୍ନା ଅଚିହ୍ନା । କିନ୍ତୁ ୟା’ ଭଳି ତ ନୁହେଁ-। ନା–ୟା’ ଭଳି ନୁହେଁ । ତାକୁ ତ ହେଲେ ଚିହ୍ନି ହଉଥିଲା–ମୁହଁରୁ, ଆଖିରୁ ନ ହେଲେ ମଧ୍ୟ ତା’ର ସେଇ ପିଠିରୁ–ଯୋଉ ପିଠିଟା ଚଟକରି ବୁଲେଇଦେଇ, ବାପ ଭାଇଙ୍କୁ ପଛକରି ସେ ଚାଲିଗଲା–ଚାଲିଗଲା ତା’ର ସେଇ ହରିଜନ, ସେଇ ନିର୍ବାଚନ ଆହୁରି କେତେ କଅଣ ଭାବନାର ରାଜ୍ୟଆଡ଼କୁ-। ଚାଲିଗଲାବେଳେ ଦିଶିଯାଉଥିଲା ଅବିକଳ ସତେକି ସ୍କୁଲ୍ ଅଫିସ୍ ଘର କାନ୍ଥରେ, ହେଡମାଷ୍ଟରଙ୍କ ଆସନର ମୁଣ୍ଡଉପରେ ଗତ ଚାଳିଶ ବର୍ଷ ଧରି ଝୁଲୁଥିବା ସେଇ ଚିତ୍ରପଟଟା ସତେକି ସର୍ କରି ଚିତ୍ରରୁ ବାହାରି ଚାଲିଗଲା । ଚାଲିଗଲା ସମସ୍ତଙ୍କୁ ପଛ କରି । କୁଆଡ଼େ ଯାଉଥିଲା ସେ-? ଦାଣ୍ଡିମାର୍ଚ୍ଚରେ ? ଲବଣ ସତ୍ୟାଗ୍ରହରେ ? କି କୁଆଡ଼େ ହୁଏତ ସେ ଜାଣେ । କିନ୍ତୁ ଏ ଟୋକାଟା-? ଏଇ ଯେ ଖବରକାଗଜ ଉପରେ ହାମୁଡ଼େଇ ପଡ଼ିଚି ଆଉ ଟେଣ୍ଡର ନୋଟିସକୁ ବାରମ୍ୱାର ଘୋଷୁଚି–କିଏ ଏଇଟା ? କିଛି ଜଣା ରୂପ ତ ଏ ନୁହେଁ ! କି ଦମ୍ଭ ! କି ସ୍ଥିରତା । କ୍ରୋଧ, ଜିଙ୍ଘାସାର ଆଖି ତ ଏ ନୁହେଁ ! କିମ୍ବା ଅଭିମାନ ବି ନୁହେଁ । ପିଞ୍ଜରାବଦ୍ଧ ହିଂସ୍ର ଜନ୍ତୁଠୁଁ ଆରମ୍ଭ କରି ନିରୀହ ଚଢ଼େଇଟିଏ ତ ଆହୁରି ଅଭିମାନୀ ଦିଶେ ୟାଠୁଁ ! ପୁଣି ଆଖି ହଳକରେ ବିଷାଦ ବି କିଛି କମ୍ ନାହିଁ-! ବନ୍ଦର ଇଲାକାରେ ମାଟିକାମ ସହିତ ଏ ବିଷାଦଯୋଗର କି ସମ୍ପର୍କ, କେଉଁ ଧର୍ମଯୁଦ୍ଧକୁ ଆଗରେ ଥୋଇ ଆଧୁନିକ ଯୁବକର ଏ ବିଷାଦ ଯୋଗ ?

 

ସାନପୁଅର ସେଇ ଥଣ୍ଡା ଥଣ୍ଡା ଛାଡ଼ରା ଛାଡ଼ରା ଆଖି ହଳକୁ ପୁଣି ଟିକିଏ ଉଷୁମ ଅଠାକାଣ୍ଡିଆରେ ଧରିନେବା ପାଇଁ ବାପର ଆତ୍ମା ସେଇଠୁ ଡାକିବାକୁ ଆରମ୍ଭ କରିଦେଲା । ନା, ନା-। ଏହାକୁ ରକ୍ଷା କରିବାକୁ ହେବ–ନିଜକୁ ନିଜେ ସକାଳ ପହରଟା ବହୁତ ବୁଝେଇଲେ ଭବାନୀପ୍ରସାଦ । ସେଦିନ ମଧ୍ୟାହ୍ନ ଆଉ ସନ୍ଧ୍ୟା ବି ଗଲା ସେଇ ଆତ୍ମ କଥୋପ–କଥନରେ-। ପରଦିନ ସକାଳକୁ ଗୋଟାଏ କିଛି କୂଳ କିନାରା ମିଳିବ ଭାବି ସେ ରାତିରେ ଶୋଇପଡ଼ିଲେ । କିନ୍ତୁ ରାତି ଅଧକୁ ଗୋଟିଏ କଉତୁକିଆ ସ୍ୱପ୍ନ ଦେଖି ସେ ଉଠିପଡ଼ିଲେ । ହାତ ବୁଲେଇ ପାଖରେ ଶୋଇଥିବା ସାନ ଟୋକାଟାର ଦିହକୁ ଟିକିଏ ଅଣ୍ଡାଳି ପକେଇଲେ । ଅନିରୁଦ୍ଧ ନିଘୋଡ଼ ନିଦରେ ଶୋଇଥାଏ । ବାପର ସ୍ପର୍ଶକୁ ସେ ଅନୁଭବ କରିନାହିଁ । କିନ୍ତୁ ସକାଳୁ ଉଠି ଭବାନୀପ୍ରସାଦ ତାକୁ ଶୁଣେଇ ଶୁଣେଇ କହିଲେ–“ଦେଖି ! ସୁନା ପିଲା ହ । ସୁନା ବୁଦ୍ଧି କର । ମୁଁ ଜାଣେ ତୁ କାହିଁକି ଉଚ୍ଚଶିକ୍ଷାକୁ ନାକ କୁଞ୍ଚୋଉଚୁ । ତୁ କଅଣ ଭାବୁଚୁ । ତୁ କଅଣ ଭାବୁଚୁ ତୋ ଭାଇ ଉଚ୍ଚଶିକ୍ଷା ପାଇଥିବାରୁ ଏମିତି ହତାଶ ହେଇ ଆଜି ଏ କାମ କରି ବସିଚି ? ଉଚ୍ଚଶିକ୍ଷା କଅଣ ତା’ ମେରୁଦଣ୍ଡକୁ ଭାଙ୍ଗି ଦେଇଚି, ତାକୁ ଦରିଦ୍ର କରେଇଚି, ଆଉ ସେଇଥିରୁ ହରିଜନ ବିବାହ କରେଇଚି ବୋଲି ତୁ ଭାବୁଚୁ ? ଭୁଲ୍ ବୁଝିଚୁ ତୁ ! ମୋ କଥା ମାନ । କଲେଜରେ ନା ଲେଖେଇବା ପେଇଁ ଫର୍ମ ଆଣିବୁ ଯା । ସେ ଟେଣ୍ଡର ଫେଣ୍ଡର୍ କାଗଜକୁ ଫୋପାଡ଼ିଦେ । ଟେଣ୍ଡର କୁଆଡ଼େ ପଳେଇ ଯାଉନାଇ । ଆଗ ଶିକ୍ଷା ପାଇଯାଅ । ତା’ପରେ ଟେଣ୍ଡର ଧରକି ଯାହା କର ।”

 

ଅନିରୁଦ୍ଧ ତଥାପି ନିରୁତ୍ତର । ଭବାନୀପ୍ରସାଦ ତା’ ପାଖକୁ ଲାଗିଗଲେ । ଚିବୁକଟାକୁ ଉଠାଇ ଧରି ତା’ ଆଖିକୁ ଚାହିଁଲେ । ହଠାତ୍ ତାଙ୍କର ମନେପଡ଼ିଗଲା ଗତ ରାତିର ସେ କଉତୁକିଆ ସ୍ଵପ୍ନଟା ।

 

କୋକିଶିଆଳିଟିଏ ନିର୍ଜନ ପଡ଼ିଆରେ ମୁହଁଟିକୁ ଶୁଖେଇଦେଇ ବସିଥାଏ । ଭବାନୀପ୍ରସାଦ କୋକିଶିଆଳିମାନଙ୍କୁ ଦେଖିବାକୁ ଭାରି ଭଲପାଆନ୍ତି । ଚୁପ୍‍ଚୁପ୍ ହେଇ ଖୋଲା ପଡ଼ିଆଟାରେ ଯେତେ ଲୁଚିଲୁଚିକା ଆଗେଇବାକୁ ଚାହିଁଲେ, ପାରିଲେ ନାହିଁ । କୋକିଶିଆଳିଟି ତାଙ୍କୁ ଦେଖିପକାଇଲା । କିନ୍ତୁ ଭବାନୀପ୍ରସାଦ ଆଶ୍ଚର୍ଯ୍ୟ ହୋଇଗଲେ । ଯୋଉ କୋକିଟି ଏମିତି ମୁହଁ ଶୁଖେଇ ବସିଥିବା ସେ ଦେଖିଥିଲେ, ସେ କିନ୍ତୁ ପ୍ରକୃତରେ ମୁହଁ ଶୁଖେଇନଥିଲା । ଭବାନୀପ୍ରସାଦଙ୍କୁ ଦେଖି ସେ ହସୁଥିଲା । କେବଳ ହସୁନଥିଲା । ମଣିଷଙ୍କ ପରି ଭବାନୀପ୍ରସାଦଙ୍କ ପାଖକୁ ଆସିଲା ଆଉ ନମସ୍କାର କରି କହିଲା–“ଆସିବା ହୁଅନ୍ତୁ । ମୋ ମାଟି କୁଡ଼ିଆରେ ପାଦରେଣୁ ଝାଡ଼ିବା ହୁଅନ୍ତୁ ।” ଭବାନୀ ପ୍ରସାଦଙ୍କୁ ପାଛୋଟିନେଲା ସେ କୋକି ତା’ର ସେଇ ଶହେଦ୍ୱାର ବିଶିଷ୍ଟ ଗୃହଟିଆଡ଼େ । କୋକିଶିଆଳିର ଗାତ ଭିତରକୁ ପ୍ରାୟ ଅଣ୍ଟାଏ ପର୍ଯ୍ୟନ୍ତ ପଶିଛନ୍ତି, ଏତିକିବେଳେ ଅତିଥିବତ୍ସଳ କୋକିଟି ତାଙ୍କ ଆଖିକୁ ଯେଉଁ ରୂପରେ ଦିଶିଲା ସେ ରୂପ କୌଣସି କୋକିର ନୁହେଁ ବୋଲି ସେ ବୁଝିପାରିଲେ । ସେ ଯେ ତାଙ୍କ ଗାଁପାଖ ସେଇ ମିଠେଇ ଦେକାନୀ ଯାହାର ନାଁ ଅନାଥ । ଭବାନୀପ୍ରସାଦ ତାକୁ ଚିହ୍ନିପାରିଲେ । ଗତ ଯୁଦ୍ଧବଜାରରେ ଚିନି ବେପାରରେ ଏକାରାତିକେ କୋଠା ପିଟିଥିଲା ବୋଲି ଅନାଥ ନାଁରେ ଏବେ ମଧ୍ୟ ନିନ୍ଦା ଅଛି । କିନ୍ତୁ କୋକିଗାତରେ ଅଣ୍ଟାଯାକେ ପଶିଯାଇ ମଧ୍ୟ ଭବାନୀପ୍ରସାଦ ବୁଝିପାରିଲେ ନାହିଁ ଯେ, ଏକାରାତିକେ କୋଠା ପିଟିଥିବା ଅନାଥ ଗୁଡ଼ିଆ କିମ୍ବା ନିଜ ଘରକୁ ଶହେଦ୍ଵାର ଖୋଲିଥିବା କୋକିଶିଆଳି ଏ ଦୁହେଁ ଅତୀତର ଦୁଷ୍କୃତଯୋଗୁ ଅନୁତାପ କରିବାପେଇଁ ଯେଝା ଯେଝାର ଘର ଦୁଆରମୁହଁରେ ବିଷାଦଯୋଗରେ କେବେକେବେ ବସିଥାନ୍ତି ବୋଲି ଯେଉଁ ଜନରବ ହୁଏ, ତାହା ଠିକ୍ କି ଭୁଲ୍ । ବୁଝିପାରିଲେ ନାହିଁ ସେ–ପ୍ରକୃତିର ସୁନ୍ଦରତମ ସେଇ ଧୂର୍ତ୍ତ କୋକିଶିଆଳିଟିକୁ ଆହା ଆଖିରେ ଅନେଇ ତା’ ମାଟି କୁଡ଼ିଆରେ ନିଜର ପଦରେଣୁ ଟିକିଏ ଝାଡ଼ିଦବାର ଅଧିକାର କିମ୍ବା ପବିତ୍ରତା ତାଙ୍କ ପାଦରେ ଅଛି କି ନାହିଁ ! ଖପ୍‍କରି କୋକିଗାତରୁ ଡେଇଁ ବାହାରକୁ ପଳେଇଆସିଲେ ଭବାନୀପ୍ରସାଦ । ସ୍ୱପ୍ନଟି ସେଇଠି ଶେଷ ହୋଇଗଲା ଅବଶ୍ୟ; କିନ୍ତୁ ଅନିରୁଦ୍ଧର ଚିବୁକକୁ ଟେକି ତା’ର ଆଖିଯୋଡ଼ିକୁ ଆଉଥରେ ଭଲକରି ପରୀକ୍ଷା ନ କରିବା ପର୍ଯ୍ୟନ୍ତ ଭବାନୀପ୍ରସାଦ ବୁଝିପାରିନଥିଲେ ସେ ସ୍ୱପ୍ନର ଅର୍ଥକୁ ।

 

ଟୋକାଟାର ଚିବୁକକୁ ସେମିତି ଟେକିଧରି ଭବାନୀପ୍ରସାଦ ପଚାରିଲେ, “ଏ କଅଣ ? ତୋ ଆଖି ଏମିତି ଦିଶୁଚି କାହିଁକି ?”

 

“କେମିତି ? କାହିଁ ? ଠିକ୍ ଅଛି ତ !” ଅନିରୁଦ୍ଧ ବାପ ହାତରୁ ମୁହଁଟାକୁ ଟାଣିନେଇ ଆଖି ମଳି ପକେଇଲା ।

 

“ନା, ନା, ଆଦୌ ଠିକ୍ ନାହିଁ । ତୁମ୍ଭମାନଙ୍କ ଆଖିରୁ ସ୍ଵପ୍ନସବୁ କୁଆଡ଼େ ଶୁଖିଗଲାଣି । ଏ ଯୋଉ ସ୍ଵପ୍ନଗୁଡ଼ାକ ତୁମେ ଦେଖୁଛ, ଏଗୁଡ଼ାକ ସ୍ଵପ୍ନ ନୁହଁରେ–ଦୁଃସ୍ଵପ୍ନ । ଆଣ୍ ଆଣ୍ । ସଂଘାଉପରକୁ ଚଢ଼ିଯାଇ ମୋର ସେ ଚରଖାଟା ଘିନିଆଣ ତ । ମୋ ନିଜର ସ୍ଵପ୍ନ ବି କୁହୁଡ଼ି ପାଲଟିଗଲାଣି, ମୁଁ ଯାହା ଦେଖୁଚି । ମୁଁ ବୁଝୁଚି, ଦୋଷଟା କୋଉଠି ରହିଗଲା ମୁଁ ବୁଝୁଚି । କଥାରେ ଯାହା ସବୁ ଶିକ୍ଷା ଦେଇଗଲୁ, କାମରେ ରତିଏ କରିପାରିଲୁ ନାଇଁ ବୋଲି ତୁମ୍ଭମାନଙ୍କର ଏ ଅବିଶ୍ଵାସ ଆମଉପରେ । ନାଇଁ ? ହଉ ହଉ !”

 

ସାନପୁଅ ଅନିରୁଦ୍ଧକୁ ଦର୍ଶକଟିଏ ପରି ଠିଆକରେଇଦେଇ ଭବାନୀପ୍ରସାଦ ନିଜେ ପାଇ କଛା ଭିଡ଼ିଦେଲେ । ଉଠିଗଲେ ଉହୁଙ୍କାଟାଏ ମାରି ସାବକ ଘରର ସଂଘା ଉପରକୁ । ମଟ ମଟ ହୋଇଗଲା ପୁରୁଣା ବାଉଁଶ । ଚରଖାଟାକୁ କାଖରେ ଜାକି ପୁଣି ଥରେ ସେଇ ପୋରିହା ବାଉଁଶରୁ ତଳକୁ ଝୁଲିପଡ଼ିଲେ ଅବସରପ୍ରାପ୍ତ ଶିକ୍ଷକ ଭବାନୀପ୍ରସାଦ । ମନଭିତରେ କିଏ ସ୍ଲୋଗାନ୍ ଦଉଥିଲା–ସ୍ୱରାଜ୍ୟ, ଅସବର୍ଣ୍ଣ–ବିବାହ, ଚରଖା ଆଉ ଅହିଂସା–ଏମାନଙ୍କର ଦିନ ଚାଲିଯାଇନାହିଁ । ଅଘଟଣ ଆଜି ମଧ୍ୟ ଘଟୁଛି; ଆଉ ଘଟିବ ।

 

ଗାଁମୁଣ୍ଡର ଚଉଦଗୁଣ୍ଠିଆ ହତାଟାଆଡ଼କୁ ଖେଦିଗଲେ ଭବାନୀପ୍ରସାଦ । ତାଳ କୋରଟ ଲଇ, କଟୁରି, କାମୁଡ଼ା, ଶିଜୁବାଇଗବା ଡାଳ–କୋଉଠୁ କୋଉଠୁ ଭିଡ଼ିଆଣିଲେ । ଆରମ୍ଭ କରିଦେଲେ–ପୁରୁଣା ଭେଡ଼ର ଗୋଧାବନ୍ଦୀ କାମ । କାନକୋଳି କଣ୍ଟା, ଲିଷ୍ଟି କଣ୍ଟାରେ ହାତ ସିଇଁ ସିଇଁ–ସନ୍ଧ୍ୟାବେଳକୁ କାମରୁ ଉଠିଲେ । ଗୋଧାବନ୍ଦୀ, ଖତମ୍ । ସନ୍ଧ୍ୟାବେଳକୁ କିରାସିନି ଢାବଲର ପଟାଟିଏ କୋଉଠୁ ଯୋଗାଡ଼ କଲେ । କୋଉଠୁ ଯୋଗାଡ଼ କରି ଆଣିଲେ ମେଞ୍ଚାଏ ଆଲକାତରା । ଢାବଲ ପଟାଉପରେ ଗୋଲ ଗୋଲ ଲେଖିପକେଇଲେ ଅକ୍ଷର କେତୋଟି । ବାରମ୍ଵାର ପଢ଼ିଲେ ତାକୁ–“ଊର୍ଣ୍ଣାନାଭ ଆଶ୍ରମ” । ରାତିଅଧରେ ସେ କାମ ସଇଲା । ପରଦିନ ବଡ଼ିଭୋରକୁ ପଟାଟିକୁ ହତା ଫାଟକ ସାମନାରେ ଟଙ୍ଗେଇଦେଲେ । ବାଟରେ ଚାଲିଯାଉଥିବା ଲୋକେ ଅଟକିଗଲେ, ବଡ଼ ପାଟିକରି ଅକ୍ଷର ଚିହ୍ନି ଚିହ୍ନି ପଢ଼ିଲାଗିଲେ–ଊର୍ଣ୍ଣନାଭ–ଆଶ୍ରମ । ମୁହଁକୁ ଚାହାଁଚାହିଁ ହେଇ ପଚରାଉଚରା ହେଲେ–ଊର୍ଣ୍ଣନାଭ ? ଆଶ୍ରମ ?

 

ପାଞ୍ଚ

 

ନିରବ–ନିଳୟର ଗୋଟିଏ କଣକୁ ବସି ସୁକୁମାରୀ କାନ୍ଦୁଥାଏ । ମା’ ମରିବା ଆଜିକି ହେଲାଣି ମାସକର କଥା; କିନ୍ତୁ ମାତୃଶୋକର କାନ୍ଦ ଏ ନୁହେଁ ।

 

ଖଟଉପରେ ସବୁଦିନ ସକାଳେ ସେ ଯେମିତି ଗୁମ୍ ମାରି ବସେ, ବିଭୁପ୍ରସାଦ ବସିଥାଏ ସେମିତି । ସବୁଦିନେ କପ୍’ପ୍ଲେଟ୍ ବା ଗିଲାସର ଖଣ୍ଡସବୁ କୁଢ଼େଇ ହେଇ ପଡ଼ିଥାଏ ତା’ ଚାରିପାଖେ–ରାତିରେ ଫୁଟୁଥିବା ଫୁଲସବୁ ସକାଳକୁ ଗଛମୂଳେ କୁଢ଼େଇ ହେଇ ପଡ଼ିଥିଲା ପରି । ଆଜି ଭୂଇଁରେ ଲୋଟୁଥାଏ ଲଣ୍ଠନଟାଏ । କାଚଖଣ୍ଡ ସବୁ ଛିଞ୍ଚାଡ଼ି ହେଇପଡ଼ିଥାଏ ଚାରିଆଡ଼େ । ଏମିତିକି ଖଣ୍ଡେ କାଚ ଆସି ପଡ଼ିଥାଏ ତକିଆଉପରେ । ଖାଲି କାଚ ନୁହେଁ–ଗୋଟାଏ ଲମ୍ବାବାଳ ମଧ୍ୟ । ଚେହେରାରୁ ଦିଶୁଥାଏ ଯେମିତି କଞ୍ଚା ବାଳଟାଏ କିଏ ଝିଙ୍କିଦେଇଥାଏ ଏତେ ଜୋରରେ ଯେ, ମୂଳ ସାଙ୍ଗର ପୁଳାଏ ଚମ ବି ଓଟାରି ହେଇଆସିଥାଏ । ସେଇ କାଚ, ବାଳ ଆଉ ଘରଭିତରେ ସକେଇ ସକେଇ ଉଠୁଥିବା ସ୍ତ୍ରୀଲୋକର କାନ୍ଦଣାରେ ବିଭୁପ୍ରସାଦର ଭିତରୁ ଅଇ ଉଠେଇ ଆସୁଥାଏ । ଆଖି ବୁଜିଦେଇ ସେ ପ୍ରାର୍ଥନା କରିବା ଆରମ୍ଭ କରିଦେଇଥାଏ–“ମତେ ଅନ୍ଧ କରିଦିଅ ପ୍ରଭୁ ! ତା’ର ଅଦୃଶ୍ୟ ରୂପକୁ ଦେଖେଇବ ବୋଲି ପ୍ରତିଜ୍ଞା କରିଥିଲା, ବର୍ତ୍ତମାନ ଏ କଅଣ କଲ ? ତା’ର ଦୃଶ୍ୟରୂପ ଏ ଆଖି ସହୁନାହିଁ ପ୍ରଭୁ ! ମତେ ବରଂ ଅନ୍ଧ କରିଦିଅ ।” କିନ୍ତୁ ମୁହୂର୍ତ୍ତକ ପରେ ସେ ପୁଣି ଆଖି ଖୋଲି ଦଉଥାଏ । ଖୋଲିବାମାତ୍ରେ ସେଇ କାଚଖଣ୍ଡ, ସେଇ ବାଳ, ଆଉ ତା’ ମୂଳରେ ଲାଗିଥିବା ସେଇ ଟିକି ମାଂସଖଣ୍ଡ ଭଳି ଦିଶୁଥିବା ପଦାର୍ଥଟା ତା’ ଦୃଷ୍ଟିରେ ପୁଣି ପଡ଼ିଯାଉଥାଏ । ଭୟରେ, ଘୃଣାରେ, ଆତ୍ମଧିକ୍କାରରେ ସେ ଆଖି ବୁଜିଦେଇ ପୁଣି ପ୍ରାର୍ଥନା ଆରମ୍ଭ କରିଦଉଥାଏ ।

 

ଘଟଣାଟି ଏହିପରି–

 

Unknown

ଏ ମଧ୍ୟରେ ନିରବ–ନିଳୟକୁ ନଟବର ଆଉ ଥରେ ଆସିଥାଏ । ଏକା ଆସିନଥାଏ; ସାଙ୍ଗରେ କୁଆଡ଼ୁ ଗୋଟାଏ ଧତଡ଼ା ଫଟୋଗ୍ରାଫର୍ ଧରିଆସିଥାଏ । ବିଭୁପ୍ରସାଦ ଫଟୋଗ୍ରାଫକୁ ଜାଣେନା । କିନ୍ତୁ ନଟବର ତା’ର ପରିଚୟ ଦେଇ କହିଲା–ଜଣେ ସାମ୍ବାଦିକ, ବୟସରୁ ଦେଖି ଜାଣିପାରୁଥିବୁ କେତେ ଅଭିଜ୍ଞ । ମହାତ୍ମାଗାନ୍ଧିଙ୍କର ଓଡ଼ିଶା ଭ୍ରମଣକାଳରେ ସବୁତକ ଫଟ ଏଇ ପ୍ରାୟ ଉଠେଇଛନ୍ତି । ବାର୍ଦ୍ଧକ୍ୟ ଦୃଷ୍ଟିଶକ୍ତିକୁ ଖାଇଦେଲାଣି; କିନ୍ତୁ କ୍ୟାମେରାର ଲେନ୍ସ ଅତି ଶକ୍ତିଶାଳୀ ଆଉ ଅବ୍ୟର୍ଥ । ନିର୍ବାଚନରେ ଆମରି ପଷର ସାମ୍ବାଦିକତା କରୁଥିଲେ । ସେଇଠୁ ପରିଚୟ । ଦୁଃଖ କରୁଥିଲେ, କହୁଥିଲେ–ପୂର୍ବେ ଫଟୋଗ୍ରାଫର୍ ସତ୍ୟ ଆଉ ସୁନ୍ଦରର ଉଦ୍‍ଘାଟନ କରୁଥିଲା । ଏଣିକି ମିଥ୍ୟା ଆଉ ଅସୁନ୍ଦର ପଛରେ କ୍ୟାମେରାମ୍ୟାନକୁ ପୁଲିସ୍ କୁକୁର ପରି ନ ଗୋଡ଼େଇଲେ ତା’ ପକ୍ଷରେ ସତ୍ୟ ଆଉ ସୁନ୍ଦରର ଉଦ୍‍ଘାଟନ ଅସମ୍ଭବ ।

 

–ଡାକିଆଣିଛି–ପ୍ରତିଶ୍ରୁତି ଦେଇଛି ଯେ, ଏବେ ମଧ୍ୟ ସତ୍ୟ ସୁନ୍ଦର ରାସ୍ତାକଡ଼ର ପୁରୁଣା ଆମ୍ବଗଛପରି ପଥିକକୁ ଛାଇ ଆଉ ଫଳ ଉଭୟ ଦବାପାଇଁ ତିଆରି । କେବଳ ପଥଶ୍ରାନ୍ତ ପଥିକଟିଏ ମିଳିଲେ ହେଲା । ଯା ଯା–ତୁମେ ଦୁହେଁ ପିନ୍ଧାପିନ୍ଧି ହୋଇ ଆସିବଟି ଝଅଟ ! ତୁମର ଫଟ ନିଆଯିବ, ଆଉ ଏ ଫଟ ଖବରକାଗଜକୁ ଯିବ ।

 

ବିଭୁପ୍ରସାଦ ନଟବରର ଖୋଇ ଜାଣେ । ସମୁଦାୟ ବକ୍ତୁତା ଭିତରୁ କେବଳ ଶେଷ ବାକ୍ୟଟି ତା’ ବ୍ୟକ୍ତିତ୍ୱର ପ୍ରକୃତ ପ୍ରକାଶକ । ସେ ନିଜେ ଜଣେ ସାମ୍ବାଦିକ । ସତ୍ୟକୁ ଏକାକୀ ଓ ନିରବତା ଭିତରେ ମୁହୂର୍ତ୍ତେ ଛାଡ଼ିବାକୁ ସେ ଭୟ କରେ । କାରଣ, ବୋଧହୁଏ ନିଜ ଅଭିଜ୍ଞତାରୁ ସେ ବୁଝିଥାଏ ଯେ ଯେଉଁ ସତ୍ୟ ଅପ୍ରକଟିତ, ତାହା ମିଥ୍ୟା ସହିତ ସମାନ । ଏଣୁ ସତ୍ୟ ଦେଖିଲେଇ ସେ ମୁହଁରେ ଚୁଙ୍ଗା ଦେଇ ହାଟମଝିକୁ ଦଉଡ଼ିଯାଏ, ଆଉ କହେ–“ଜାଣିଚ ? ଅମୁକ ଜାଗାରେ ଅମୁକ ବେଳେ, ଅମୁକ ସତ୍ୟକୁ ଦେଖିବାକୁ ମିଳିଛି” । ତେଣୁ, ଠିକ୍ ଏହି ଅଭ୍ୟାସ ହେତୁ ସେଦିନ ଆଠମାସର ଗର୍ଭବତୀ ମୃରାଶାକୁ ହାସ୍ୟାସ୍ପଦଭାବେ ଗୋଟାଏ ଏୟାର–ହୋଷ୍ଟେସ୍ ବେଶ ପିନ୍ଧେଇ ଟାଣି ଟାଣି ସେ ନେଇଯାଇଥିଲା ତାଙ୍କ ମିଳିତ ସାମ୍ମୁଖ୍ୟ ନିର୍ବାଚନ ପ୍ରଚାର ଜିପରେ; ଆଉ ଗାଁ ଗାଁ ବୁଲି ମୃରାଶା ପେଟରେ ହାତ ବାଡ଼େଇ ବାଡ଼େଇ ଡ୍ରମ୍ ପିଟିଲାପରି ପ୍ରଚାର କରିଦେଇ ଆସିଲା–“ଦେଖ ! ୟାକୁ ଏମିତି କଲା କିଏ ? କହିପାରିବ, ଏ ଲୌହ ମୂଷଳକୁ କିଏ ଭରିଚି ଏଇ ଏୟାର–ହୋଷ୍ଟେସଙ୍କ ପେଟରେ ? ଆଉ କହିପାରିବ ଏ ମୂଷକ ଘର୍ଷଣରୁ ଯୋଉ ଏରକା ବୃକ୍ଷର ବଣ ଜାତ ହବ, ସେ ବୃକ୍ଷର ଡଙ୍ଗା ଗୋଜ କରି, କାଦମ୍ୱରୀ ତ ନୁହେଁ ଦେଶୀ, ମହୁଲି, ହାଣ୍ଡିଆ ଆଉ ତାଡ଼ିପିଇ କିଏ କିଏ ଖୋବାଖୋବି ହେଇ ମରିବେ ? ସେମାନେ ଆଉ କେହିନୁହନ୍ତି ଭାଇମାନେ ! ଏ ମୂଷଳ ଆପଣମାନଙ୍କ ପାଇଁ ହିଁ ଖଞ୍ଜିଦେଇଛି ମନମୋହନ–ଧନକୁବେରର ମନମୋହନ ଯେ, ଏକାଧାରାରେ କୃଷ୍ଣ ଆଉ ବଳରାମ, ଶାସକ ଆଉ ଭକ୍ଷକ ଉଭୟ–ସେଇ ଏ ବେଶ କରିଚି ଶାମ୍ବକୁ-!”

 

ଏପରି ନଗ୍ନସତ୍ୟର ପ୍ରଚାରରେ ଭୋଟ୍ ପାଇବା ତ ଦୂରର କଥା, ଉଭୟ ମିଳିତ ସାମ୍ମୁଖ୍ୟ ଓ ନଟବରକୁ ନିନ୍ଦାକରି ଖବରକାଗଜମାନ ଭରପୂର ହେଇଗଲା–ସଂପାଦକୀୟଠୁଁ ଆରମ୍ଭ କରି ପ୍ରାପ୍ତ ପତ୍ରରେ । କେହି କେହି ଅଶ୍ଳୀଳତାର ଦ୍ୱାହି ଦେଇ ଆଉ କେହି ବା ଜୀବେଦୟା ନୀତିର ଦ୍ୱାହିଦେଇ ମୃରାଶାପ୍ରତି ସହାନୁଭୂତିଶୀଳ ହୋଇ କଚେରିରେ ନଟବର ନାଁରେ କେଶ୍ କଲେ । ଏମିତିକି ସ୍ଥଳବିଶେଷରେ ଗ୍ରାମର ଯୁବକଦଳ ଉତ୍ତ୍ୟକ୍ତ ହୋଇ ନଟବର ଓ ମିଳିତସାମ୍ମୁଖ୍ୟ ଜିପ୍‍ଉପରେ ଚଢ଼ୋଉ ବି କରିଥାନ୍ତି । ଶେଷକୁ ବାଟ ନପାଇ ମୃରାଶାକୁ କାନ୍ଧରେ ପକେଇ ରାତିରାତି ଗହୀର ପାରିହେଇ ନଟବର ସହରକୁ ପଳାଇଆସେ । ସେଇଦିନଠୁଁ ମୃରାଶା ଥାଏ କୋଉଠି କେହି ଜାଣେନା; ମଝିରେ ମଝିରେ ନଟବର ଆସି କେତୋଟି ଚାଞ୍ଚଲ୍ୟକର ଖବର ଦେଇଦେଇ ଯାଏ ଯେ–ମୃରାଶା ପିଛା ପୁଲିସ୍ ପଡ଼ିଚି, କିମ୍ବା ମୃରାଶାର ଗର୍ଭର ସନ୍ତାନକୁ ନଷ୍ଟ କରିଦେବା ପେଇଁ ରାଜ୍ୟ ତମାମ ଡାକ୍ତରଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିଗଲାଣି ଇତ୍ୟାଦି । ୟାରିଭିତରେ ହଠାତ୍ ଗୋଟିଏ ଫଟୋଗ୍ରାଫ୍‍କୁ ଏମିତି ଧରିଆଣି ସେ ପହଞ୍ଚିଯାଏ ନିରବ–ନିଳୟ ହତାରେ ।

ବିଭୁପ୍ରସାଦ ନଟବରର ଭାବପ୍ରବଣ ମୁହୂର୍ତ୍ତକୁ ଆଜିକାଲି ଖୁବ୍ ଭୟ କରେ । ବିଶେଷତଃ ନିର୍ବାଚନରେ ହାରିଗଲା ପରେ, ସେ ଖୁବ୍ ଚିଡ଼୍‍ଚିଡ଼ା ହେଇଉଠିଚି । ଖୁବ୍ ସତର୍କତାର ସହିତ ନଟବରର ଫଟୋଉଠା ଉତ୍ସାହକୁ ଶୀତଳେଇ ଦବାପେଇଁ ମୁହଁଖୋଲି ସେ କହିଲା–

“ଦେଖ୍ ! ପୃଥିବୀର କୋଟିକୋଟି ଲୋକ ତ ଫେର୍ ପ୍ରତିଦିନ ବାହାହଉଚନ୍ତି ! କାହିଁ ? ସମସ୍ତଙ୍କର ଫଟ କଅଣ ଖବରକାଗଜରେ ଛପାହେଉଛି ? ସୁକୁମାରୀ ସହିତ ମୋର ବିବାହ–ପ୍ରେମର; ପ୍ରଚାରର ନୁହେଁ । ଫଟୋଟାଏ ହବ କଅଣ ?

ନଟବରର ସେତେବେଳର ଚାହାଣୀ ଅଭୁଲା । ରାଗ ରୋଷ ନଥିଲା । ସତେଯେମିତି ହାତର ଆଙ୍ଗୁଠିକୁ ଛନ୍ଦି କେହି ସୂର୍ଯ୍ୟମୁଦ୍ରାଟିଏ କରି ତାରି ଭିତରୁ ଅନେଇଦେଲା ବିଭୁପ୍ରସାଦର ଆଖିକୁ । ହସି ହସି ସତେକି ସେ ଶ୍ଳୋକ ବୋଲୁଥିଲା–“ହିରଣ୍ମୟେନ ପାତ୍ରେଣ ସତ୍ୟସ୍ୟ ପିହିତ ମୁଖଂ” ଇତ୍ୟାଦି । ଥରିଗଲା ବିଭୁପ୍ରସାଦ ଏବଂ ସେଇ ଥରିବା ଭିତରେ ସତେକି ଅଧରାତିରେ ସୁକୁମାରୀର ନଗ୍ନଶରୀରକୁ ଆଲିଙ୍ଗନ କରିବାକୁ ଜୀବନରେ ପ୍ରଥମବାର ହାତ ବଢ଼େଇଦେବାପୂର୍ବରୁ ଶେଯପାଖରେ ଜଳୁଥିବା ଲଣ୍ଠନଟିକୁ ଦାଗିଦେବା ପେଇଁ ହାତ ବଢ଼ିଯାଇଥିଲା-। ପୁଣି ୟାରି ପ୍ରତିବାଦ କରିବାକୁ ଯାଇ ସତେକି ସେଇ ଅନ୍ଧାର ଘରଭିତରେ କାଳୀଆ ବିଲେଇଟିଏ ପରି ସୁକୁମାରୀର କୋଚଟ କଳା ଦିହଟା କୁଆଡ଼େ ଲୁଚିଗଲା । ଘରତମାମ ଅଣ୍ଡାଳି ଅଣ୍ଡାଳି ସୁକୁମାରୀକୁ ଖୋଜିଗଲା ବିଭୁପ୍ରସାଦ–ତା’ର ସ୍ଵାମୀ ବିଭୁପ୍ରସାଦ । କାମ, କ୍ରୋଧ, ଲୋଭ, ମୋହ, ମାତ୍ସର୍ଯ୍ୟରେ ତା’ର ସ୍ଵାମୀତ୍ଵ ସେତେବେଳେ ଜଳିଯିବା ସ୍ୱାଭାବିକ । କିନ୍ତୁ ଏ ଜ୍ଵଳନରେ ତ ଆଲୋକ ନଥାଏ–ଯୋଉଥିରେ ଅନ୍ଧାର ଘରଭିତରୁ ସୁକୁମାରୀର କାଳୀ ଦିହଟାକୁ ସେ ଖୋଜି ପାଇପାରିଥାନ୍ତା ! ସୁକୁମାରି ! ସୁକୁମାରି ! –ବିଭୁପ୍ରସାଦର ସେ ସ୍ଵରରେ ପ୍ରେମିକର ଦାବି ନଥାଏ, ଥାଏ ବିଟପୀ ଜାରପୁରୁଷର ବ୍ୟାକୁଳତା । ସୁକୁମାରୀ ତ ଉତ୍ତର ଦେଲାନାହିଁ; ବରଂ ଭୟରେ ଜୀବନ ରକ୍ଷାପାଇଁ ଘରର କୋଉ ସନ୍ଧିରେ ହୁଏତ ପଶିଯିବା ପେଇଁ ଚାହୁଁଥିଲା ।

ଅନନ୍ୟୋପାୟ ହୋଇ ବିଭୁପ୍ରସାଦ ଥରିଲା ହାତରେ ଲଣ୍ଠନଟାକୁ ଖୋଜିଲା । ତା’ପରେ ଖୋଜିଲା ଦିଆସିଲି । ତା’ପରେ ଆଲୁଅ । ସେଇ ଆଲୁଅରେ ବିଭୁପ୍ରସାଦ ପ୍ରଥମେ ଦେଖିଲା ନିଜର ନଙ୍ଗଳା ଦିହକୁ । ବିକାର ଆସିବା ସ୍ଵାଭାବିକ । କିନ୍ତୁ ସୁକୁମାରୀ ପ୍ରତି କ୍ରୋଧ କମିନଥିଲା ତା’ର । ଛୋଟ ଘରଟା ଭିତରେ, ଆଲୁଅହାତରେ ସୁକୁମାରୀକି ଖୋଜିଆଣିବା ବେଶି ବେଳ ଲାଗେନାହିଁ । କିନ୍ତୁ ସବୁଠୁଁ ବେଶି ରାଗ ଲାଗେ, ଯେତେବେଳେ ବିଭୁପ୍ରସାଦ ତାକୁ ପଚାରେ–“କଅଣ ଚାହଁ ? ଆମର ଏ ବାହାଘର ଭାଙ୍ଗିଯାଉ ? କାହିଁକି ଲୁଚିଲ ? ମୁଁ କଅଣ ରାକ୍ଷସ ? କେଉଁଠି ଲୁଚିଥିଲ ? ମୋ ଡାକ ଶୁଣିପାରିଲ ନାହିଁ ?”

ତଳକୁ ମୁହଁପୋତି ସେ ଜବାବ ଦେଲା–“ଏଇଠି ତ ଥିଲି ! ଆଉ କଅଣ କୁଆଡ଼େ ପଳେଇଯାଇଥିଲି ? ଆଲୁଅଟାକୁ କାହିଁକି ଦାଗିଦେଲ ଯେ ! ମତେ ଅନ୍ଧାରରେ ଡରମାଡ଼େ । ଘରଭିତରଟା କିଟିକିଟି । ଏ ଅନ୍ଧାର ଭିତରେ...”

 

“ଭାବିଲ ବୋଧହୁଏ ଆଉ କୋଉ ପୁରୁଷ ଆସି ବଳାତ୍କାର କରୁଚି । ଏଇଆ ତ... !”

 

ବିଭୁପ୍ରସାଦର ଏ ପ୍ରଶ୍ନର ଉତ୍ତର ଦବାପାଇଁ ସୁକୁମାରୀ ବାଧ୍ୟ ନୁହେଁ । ସେତିକିବେଳୁ ସକେଇବାକୁ ଆରମ୍ଭ କରିଦେଲା ସେ । ସକେଇହେଇ କହିଲା, “ମୁଁ ଜାଣେ । ମତେ ତୁମେ ଆଲୁଅରେ ଭଲପାଅ ନାଇ, ମୁଁ ଜାଣେ । ସେଇଥିପେଇଁ ଅନ୍ଧାର କରିଦିଅ ଚାରିଆଡ଼ । ସେଇଥିପେଇଁ ମତେ ତମେ କାନରେ ଫୁସୁଫୁସୁ କରି କହ । ଆଉ ବଡ଼ପାଟି କଲାବେଳକୁ ଏମିତି ଗାଳିଦିଅ । ମୁଁ କଅଣ...”

 

ଜଳନ୍ତା ଲଣ୍ଠନଟାକୁ ସେଇଠି ଉଞ୍ଚେଇ କରି ତଳେ ପିଟିଦେଇଥିଲା ବିଭୁପ୍ରସାଦ । ଆଉ ଲଣ୍ଠନ କାଚର ଝନ୍‍ଝନାତ୍ ଭିତରେ ଯୋଡ଼ିଦେଇଥିଲା, “ବରଂ ଗୋଟାଏ ପ୍ରେତକୁ ବାହାହେଇପାରେ ମଣିଷ । କିନ୍ତୁ ଏଗୁଡ଼ାଙ୍କୁ ନୁହଁ ।”

 

ବୋଧହୁଏ ସେଇଦିନ ସକାଳୁ ସୁକୁମାରୀକୁ ସେ ଛାଡ଼ପତ୍ର ଦେଇଥାନ୍ତା । କିନ୍ତୁ ସୌଭାଗ୍ୟର କଥା ନଟବର ଏ ପୂର୍ବରୁ ବିଭୁପ୍ରସାଦ ଓ ସୁକୁମାରୀଙ୍କ ଯୋଡ଼ି ଫଟକୁ କାଗଜରେ ଦେଇଦେଇଥିଲା ଓ ଖୁବ୍ ପ୍ରଚାର କରିଦେଇଥିଲା । ଏତେ ପ୍ରଚାର କରିଦେଇଥିଲା ଯେ ସେଥିରୁ ଓହରିଆସିବାକୁ ବାଟ ରଖିନଥିଲା ।

 

ଏବେ ମଧ୍ୟ ମନେପକାଏ ବିଭୁପ୍ରସାଦ, ଫଟୋ ଉଠାଇବାବେଳେ ଯାହା କହିଥିଲା ନଟବର, “ଶୁଣ୍ ! ଫଟଟି କିଏ କେବଳ ବାହାରିଆ ପ୍ରଚାରରେ ଲଗାଏ ନାହିଁ ବିଭୁ । ଏମିତି ବେଳଆସେ ଯେତେବେଳେ ନିଜ ଅପେକ୍ଷା ନିଜ ଚିତ୍ରର ଆଦର୍ଶକୁ ଅକ୍ଷୁଣ୍ଣ ରଖିବାକୁ ମଣିଷ ଜୀବନ ପଣ କରେ । ଏମିତି ବେଳଆସେ ଯେତେବେଳେ ନିଜର ଅସ୍ତିତ୍ଵ ପ୍ରମାଣ କରିବାପେଇଁ ଅତୀତର ଫଟଟିଏ ବ୍ୟତୀତ ଆଉ କିଛି ହାତରେ ନଥାଏ । ତୁମେ ସବୁ ପରମ୍ପରାବାଦୀ । ତୁମକୁ ବାନ୍ଧିବା ପେଇଁ ପରମ୍ପରାଟିଏ ସୃଷ୍ଟି ନ କରି ଆଉ ଗତି ଅଛି ?”

 

ସେତେବେଳେ ଅବଶ୍ୟ ବିଭୁପ୍ରସାଦ ବୁଝିପାରିନଥାଏ ନଟବରର ଏମିତି କହିବା ଉଦ୍ଦେଶ୍ୟ । ଫଟୋ ଉଠେଇବା ପୂର୍ବରୁ ବେଶ ହବାକୁ ସେ ନିରବ ନିଳୟ ଭିତରକୁ ପଶିଯାଇଥାଏ । ସୁକୁମାରୀ ଭିତରେ ଥାଏ । ଫଟୋ ନେବାପାଇଁ ସେ ଶାଢ଼ି ବଦଳାଉଥାଏ । ଡାହାଣିଆ ଖରାର ଧାସ ଟିକିଏ କୋଉ ସନ୍ଧିରୁ ଆସି ପଡ଼ୁଥାଏ ଘରଭିତରେ । ମୁହଁଆଗରେ ଛୋଟ ଟିଣ ବନ୍ଧେଇ ଦର୍ପଣଟିଏ ଧରି ସୁନ୍ଥା ଉପରେ ଟିପେ ସିନ୍ଦୂର ନାଉ ନାଉ ସେ ବିଭୁପ୍ରସାଦକୁ ଦେଖିପାରି ଟିକିଏ ହସିଦେଲା । ବିଭୁପ୍ରସାଦ ଅଟକିଗଲା । ପରିଣିତା ସ୍ତ୍ରୀର ମୁହଁକୁ ଚାହିଁ ଚାହିଁ କେତେ କଅଣ ଖେଳିଯାଉଥାଏ ତା’ ଆଖିରେ । କଅଣ ଭାବି କହିଲା–

 

“ମୋ ବୋଉର ବାହାଘର ଫଟଟା ଦେଖିଛ ? ଦେଖେଇନଥିଲି ମୁଁ ?”

 

ଏ ଘରେ ଗୋଡ଼ଦବାର ବୋଧହୁଏ ପ୍ରଥମଥର ପେଇଁ ସୁକୁମାରୀ ତା’ ସ୍ଵାମୀ ମୁହଁରୁ ନିଜ ଶାଶୁଙ୍କ ନାଁ ଶୁଣୁଥାଏ । ମୁଣ୍ଡ ହଲେଇ ମନାକଲା । ବିଭୁପ୍ରସାଦ ଆଉ କିଛି କହିଲା ନାହିଁ । ଚାଲିଗଲା ନିଜ ଲୁଗାପଟା ବଦଳେଇବାକୁ ।

 

ସୁକୁମାରୀ ଟିକିଏ ବେଳ ଦର୍ପଣକୁ ଚାହିଁ ରହିଲା । ତା’ପରେ କଅଣ ଭାବିଲା କେଜାଣି, ଉଠିପଡ଼ିଲା । ମରିକରି ସ୍ଵର୍ଗରେ ରହିଥିବା ତା’ ମା’ର ପେଟରାଟାକୁ ଟାଣିଆଣିଲା । ଫିଟେଇ ପକେଇଲା ତର ତର କରି । ହଠାତ୍ ଗୋଟାଏ ଅତର ବାସ୍ନାରେ ଘରଟା ମହକିଉଠିଲା । ଏ ଅତର ସେଇ କାଳର–ଯୋଉକାଳେ ଜାପାନୀଜାହାଜରେ ମେହେନ୍ତର କାମ କରୁଥିବା ମହନାହାଡ଼ିର ସ୍ତ୍ରୀ ଅର୍ଥାତ୍ ସୁକୁମାରୀର ମା’ ଗାଁରେ ଜାପାନୀ ସେଣ୍ଟ ଆଉ ସୁମାତ୍ରା ଅଳେଇଚ ବିକିରି କରି ବେଶ୍ କିଛି ପଇସା କମେଇଥିଲା । ଏଇ ଅତରରୁ ଟୋପାଏ ଟୋପାଏ ଦିହରେ ମୁଣ୍ଡରେ ଛିଞ୍ଚିସାରି ସୁକୁମାରୀ ଆଉ ଗୋଟାଏ ବୁଦ୍ଧି କଲା । ପେଟେରା ଖେଳେଇ ଖେଳେଇ ମାର ଯେତେକ ରୂପା ଅଳଙ୍କାର ଥିଲା, ସବୁକୁ ନାଇଲା । ସବା ଉପରେ ମୁଣ୍ଡ ସୁନ୍ଥାରେ ଗୋଟାଏ ରୂପା ଟିକା ଝୁଲେଇସାରି ସେ ଯେତେବେଳେ ଚୋରେଇ ଚୋରେଇ ପୁଣି ଚାହୁଁଥିଲା ଦର୍ପଣ ଭିତରକୁ ଏତିକିବେଳେ ଆର କଣରୁ ବିଭୁପ୍ରସାଦ ବାହାରିଲା । ଖଦଡ଼ ଧୋତି, ପଂଜାବୀ ଚଦର, ତା’ ସାଙ୍ଗକୁ କୋଉ କାଳର ଗୋଟାଏ ଜହରଜାକେଟ୍ ପିନ୍ଧି ସେ ବାହାରିପଡ଼ିଲା ଫଟ ନବାକୁ । ଏ ଜାକେଟ୍‍ଟା ଭବାନୀପ୍ରସାଦଙ୍କର । ବିଭୁପ୍ରସାଦ ଥରେ ଏ ଜାକେଟଟାକୁ ଆଣିଥିଲା ତା’ ବାପାଙ୍କଠୁଁ । ପିନ୍ଧିକରି କୌଣସି ଚାକିରିପାଇଁ ଇଣ୍ଟରଭିଉକୁ ଯିବା ଉଦ୍ଦେଶ୍ୟରେ ନୁହେଁ । ସେ ଛାତ୍ରଥିବା ବେଳର କଥା ଏ । ଭବାନୀପ୍ରସାଦ ସେ ବର୍ଷ ଶୀତଦିନକୁ ଏଇ ଜାକେଟଟାକୁ କିଣିଥିଲେ ଶୀତବସ୍ତ୍ର କରିବାପେଇଁ । ବିଭୁପ୍ରସାଦ ବୋଧହୁଏ ତୃତୀୟ ବର୍ଷ କଲେଜରେ ପଢ଼ୁଥାଏ ସେତେବେଳେ । ବାପାଙ୍କୁ ତା’ର ଏ ଜାକେଟ୍ ପିନ୍ଧିବା ଦେଖି ସେ ଏମିତି ମୁଗ୍ଧ ହେଇଗଲା ଯେ ଦିନରାତି ପଡ଼ିଲା ସେଇ ଜିନିଷଟା ପିଛା । ଆଖର ଭବାନୀପ୍ରସାଦ ଦେଇଦେଲେ ସେ ଜାକେଟଟାକୁ ପୁଅକୁ, ତାପରେ ଯାଇ ରକ୍ଷାପାଇଲେ । ବିଭୁପ୍ରସାଦ ସେ ଜାକେଟଟାକୁ ପିନ୍ଧି କଲେଜରେ ଥରେଅଧେ ପଇଁତରା ମାରିଦେଇ ଆସିଲା । କିନ୍ତୁ ସାଙ୍ଗପିଲାମାନେ ଯାହାକରି ପ୍ରତିକ୍ରିୟା ଦେଖେଇଲେ ସେଇ ନିରୀହ ପୋଷାକଟିକୁ । ସେଇଦିନୁ ବିଭୁପ୍ରସାଦ ଆଉ ପିନ୍ଧିନାଇ ଏ ଜହର ଜାକେଟଟାକୁ । ସେମାନେ ଚିଡ଼େଇଥିଲେ ବିଭୁପ୍ରସାଦକୁ–“ଓଃ ! ସାକ୍ଷାତ୍ ମୋତିଲାଲଙ୍କ ପୁଅ ଜହରଲାଲ ଆସିଗଲେ ତ ଆମ କଲେଜକୁ ! କଅଣ ? ମନ୍ତ୍ରୀ ଫନ୍ତ୍ରୀ ହବାକୁ ମନ ଡାକିଲାଣି କି ? ନିର୍ବାଚନରେ ଠିଆହଉଚ କି ବାବୁ ଏଥର ?”

 

କିନ୍ତୁ ଯାବତକାଳ ବିଭୁପ୍ରସାଦ ଏଇ ପୋଷାକଟିକୁ ନ ପିନ୍ଧିଥିଲେ ମଧ୍ୟ ୟାର ନାଁ–ସେଇ “ଜହରଜାକେଟ୍” ଶବ୍ଦଟିକୁ ହିଁ ପିନ୍ଧିବାପେଇଁ ବାରମ୍ବାର ଲାଳାୟିତ ହୋଇଥାଏ । ଆଜି ସୁଯୋଗ ପାଇ ପିନ୍ଧି ପକେଇଲା । ଆଉ ସେ ଜାଣିପାରିଲା ନାଇ ଯେ ଏଇ ପୋଷାକର ଚିତ୍ରଟି ସେଦିନ ଖବରକାଗଜରେ ବାହାରିବା ସାଙ୍ଗେ ସାଙ୍ଗେ ନିଜ ଅଜଣାରେ ବିଭୁପ୍ରସାଦ ତା’ର ଗ୍ରାମସ୍ଥ ବାପାଙ୍କ ସହିତ ଯୋଉ ଅଶରୀର ଆଳାପ ଆଲୋଚନା କରିଥିଲା ତାହା କେମିତି ଅବସରପ୍ରାପ୍ତ ଭବାନୀପ୍ରସାଦଙ୍କ ଉପରେ ଆଉଥରେ ମୃତସଂଜୀବନୀ ଜଳ ଛିଞ୍ଚି ଦେଇଗଲା ।

 

ସୁକୁମାରୀ ମୁଣ୍ଡର ରୂପା ଟିକାଟିକୁ ଦେଖୁ ଦେଖୁ ବିଭୁପ୍ରସାଦ ଭିତରଟା ଏମିତି ଉଲୁସିଉଠିଲା ଯେ, ତାକୁ ତଳୁ ଟେକିଆଣି ଆଲିଙ୍ଗନ କରି, ମୁହଁକୁ ମୁହଁଯୋଡ଼ି କେତେକାଳ ସେ ଠିଆ ହୋଇଗଲା ତାହା ନିଜେ ଜାଣେନା । କିନ୍ତୁ ବାହାରୁ ନଟବରର ପାଟି ଶୁଣି ଚମକି ଛାଡ଼ିଦେଲା ଅବଶ୍ୟ ସୁକୁମାରୀକୁ । ସେତିକିବେଳେ ଦେଖିଲା ସୁକୁମାରୀ ମୁହଁରେ ହସର କଣିକାଏ ବି ନଥାଏ । ଆଶ୍ଚର୍ଯ୍ୟ ହବାପେଇଁ ବେଳନଥାଏ । କାରଣ ସୁକୁମାରୀ ସୁକୁମାରୀ ଡାକି ଡାକି ନଟବର ପଶିଆସୁଥାଏ ଘରଭିତରକୁ ।

 

ସୁକୁମାରୀର ହାତଧରି ବିଭୁପ୍ରସାଦ ବାହାରିଆସିଲା ନୀରବନିଳୟ ଭିତରୁ ଓ କ୍ୟାମେରା ଆଗରେ ବସି ପଡ଼ୁ ପଡ଼ୁ ସୁକୁମାରୀ ମୁଣ୍ଡର ବିପର୍ଯ୍ୟସ୍ତ ହେଇଯାଇଥିବା ଟିକାଟାକୁ ଟିକିଏ ସଜାଡ଼ି ଦଉ ଦଉ ପୁଣିଥରେ କହିପକେଇଲା, “ତୁମେ କେମିତି ଜାଣିଲ ଯେ ? ମୋ ବୋଉର ବାହାର ଘର ଫଟ ତ ଦେଖେଇନାଇ ତୁମକୁ ! ନା ଦେଖେଇଚି ମ ! ତୁମେ ଠିକ୍ ଦିଶୁଚ ମୋ ବୋଉ ପରି–ଏ ଟିକାଟା ପିନ୍ଧି ପକେଇଲାରୁ ଅବଶ୍ୟ ।”

 

ସୁକୁମାରୀ ବୁଝିପାରିଲା । ଏତେସବୁ ସୋହାଗ ଜିଅନ୍ତା ମଣିଷକୁ ଘିନି ଚାଲିନାଇ ବୋଲି ସେ ବୁଝିନେଲା । ସେଇଠୁ ଆରମ୍ଭ ତା’ର ଏ ଖୁମାଣ ।

 

ଫଟଉଠା ସଇଲା । ଝଅଟ କରି ଉଠିପଡ଼ିଲା ସୁକୁମାରୀ । ଘରଭିତରକୁ ପଶିଗଲା । ମୁଣ୍ଡ ସୁନ୍ଥାରୁ ଓ ଦିହହାତରୁ ତା’ ନିଜ ମା’ର ଅଳଙ୍କାରଗୁଡ଼ାକୁ କାଢ଼ିପକେଇଲା ନାଇ କେବଳ । ମୁଣ୍ଡର ଟିକାଟାକୁ ଖଟତଳର ଅନ୍ଧାରିଆ ଥାନକୁ ଫୋପାଡ଼ିଦେଲା ସେ । ସତେଯେମିତି ସେ ଟିକାଟା ଟିକା ନୁହେଁ, ବିଭୁପ୍ରସାଦର ବୋଉଙ୍କର ଗୋଟାଏ ମୁଖା । ଏତେ ଆଦର, ଏତେ ସୋହାଗ ସବୁ ତେବେ ଏଇ ମୁଖା ଖଣ୍ଡକ ପେଇଁ ? ନୁହେଁ ? ରାଗ ଗରଗର ହେଇ ସୁକୁମାରୀ ନିଜ କର୍ମକୁ ଧିକ୍କାରିହେଲା ।

 

ସେଇଦିନ ସନ୍ଧ୍ୟାରେ ଜାଳ ଦରକାର ପଡ଼ିଲାବେଳେ ସୁକୁମାରୀ କଅଣ ଖଣ୍ଡେ କନା ପକେଇଦେଲା ଚୁଲିକୁ । ଫୁରୁକୁଟିଆ ଗନ୍ଧରେ ଘରସାରା ଭର୍ତ୍ତି ହୋଇଗଲା । ବିଭୁପ୍ରସାଦ ସେଇଠି କୋଉଠି ଥିଲା ଦଉଡ଼ିଆସିଲା, ପଚାରିଲା, “କଅଣ ପୋଡ଼ିଗଲା ?”

 

“କିଛି ନାଇ !” ସୁକୁମାରୀ ଝଅଟ ଝଅଟ ମୁହେଁଇ ଦଉଥାଏ ସେଇ ଛିଟଛିଟକିଆ ସିଲ୍‍କ ପୋଷାକ ଖଣ୍ଡକୁ ତା’ର–ଯାହାର ନାଁ କିମନୋ ! ଯୋଉଟାକୁ ତା’ ଜାହାଜିଆ ବାପ ଆଣିଦେଇଥିଲା କୋଉ ବିଦେଶରୁ । ପୁଣି ଯୋଉଟାର ଉଷୁମ ପାଇ ବିଭୁପ୍ରସାଦର ବରଫପାହାଡ଼ ପ୍ରଥମେ ତରଳିଥିଲା–ମେହେନ୍ତର ଝିଅ ସୁକୁମାରୀ ପ୍ରତି ।

 

ବହୁ ବୁଝାସୁଝା ପରେ ଅନିରୁଦ୍ଧ ଟେଣ୍ଡର୍ ଧରିବା କଥା ଭୁଲିଗଲା । ଗଲା କଲେଜରେ ପଢ଼ିବା ପାଇଁ । ଏଣେ ଭବାନୀପ୍ରସାଦ ମାତିଗଲେ ନିଜ କାମରେ । କିନ୍ତୁ ଯିବାପୂର୍ବରୁ ବାପ ପୁଅଙ୍କର ପୁଉଣି ଟିକିଏ ବରାବର ହୋଇଯାଇଥାଏ । ସେଦିନ କଲେଜରେ ନାଁ ଲେଖେଇବା କଥା ଠିକ୍ ହୋଇଯିବାରୁ ଭବାନୀପ୍ରସାଦଙ୍କ ମୁଣ୍ଡରେ ଚିନ୍ତା ପଶିଗଲା । ଅନ୍ୟୂନ ଦିଶହ ଟଙ୍କା ଏଇଲେ ଦରକାର ପିଲାଟି ପେଇଁ ! ନାଁଲେଖା, ବହି, ନୂଆ ପୋଷାକ ହରେକ କଥା ।

 

ଭବାନୀପ୍ରସାଦ ତାଙ୍କ ନୂଆ ପରିକଳ୍ପିତ ସେଇ ‘ଊର୍ଣ୍ଣନାଭ ଆଶ୍ରମ’ ବା ଗାଁମୁଣ୍ଡର ଚଉଦ ଗୁଣ୍ଠିଆ ହତା ଭିତରେ ଠାଏ ଢିପ ଜେଗା ଦେଖି ଭାବୁଥିଲେ–ଝାଟିମାଟିର କୁଡ଼ିଆଟିଏ ଏଇଠି କରିବେ ଆଉ ଚରଖାଟିକୁ ଏଇଠି ଅବସ୍ଥାପିତ କରିବେ । କିନ୍ତୁ ସମୁଦାୟ କଥାଟା କେମିତି କେମିତି ଅବାଗିଆ ଲାଗୁଥାଏ ତଥାପି । ପଚାରୁଥାନ୍ତି ବାରବାର ନିଜକୁ–କୁଡ଼ିଆଟା ଭିତରେ ଏକେଲା ବସି ଚରଖାଟାଏ ବୁଲେଇଲେ କାହାର କଅଣ ନିହାଲ୍ ହୋଇଯିବ ? ଏମିତି ବସି ଚରଖା ବୁଲେଇବା ଯାହା, ଆଖିବୁଜି ବସି ମାଳିଗଡ଼େଇବା ବି ସେଇଆ । ତେବେ ଏଇ ଯେଉଁ ଆଶ୍ରମଟିର ପ୍ରସ୍ତାବ କରାହୋଇଗଲା ଏଇଟିର ତାତ୍ପର୍ଯ୍ୟ କଅଣ ? କି କାର୍ଯ୍ୟ ଚାଲିବ ଏଠି, ଯାହାଫଳରେ ଲୋକେ ନହେଲେ ନାହିଁ ନିଜର ଆଡ଼ବାୟା ପିଲା ତିନିଟା ହେଲେ ବୁଝିବେ ଯେ ସଂସାରରୁ ଧର୍ମ ଆଦର୍ଶ ସର୍ବୋପରି କର୍ମଯୋଗ ମରିଯାଇ ନାହିଁ ବିଷାଦ–ଯୋଗ ଅପେକ୍ଷା କର୍ମଯୋଗ ବଡ଼, ଏ ସଂସାର ବିଷାଦରୁ ଜନ୍ମହେଲେ ବି କର୍ମ ୟାର ଲକ୍ଷ୍ୟ । ଏ ସତ୍ୟ କେମିତି ପ୍ରତିଷ୍ଠା ପାଇବ–ପିଲା ତିନିଟାଙ୍କ ମନରେ !

 

ସେଦିନ ଭବାନୀପ୍ରସାଦ ଖାଲି ବଡ଼ ବିଭୁପ୍ରସାଦ ଆଉ ସବା ସାନ ଅନିରୁଦ୍ଧର ଚିନ୍ତା ଘାରିନଥାଏ । ଘାରିଥାଏ ମଧ୍ୟ ମଝିଆଁଟାର ଚିନ୍ତା । ଅବସର ଘେନି ଗାଁରେ ଗୋଡ଼ ଥୋଉ ଥୋଉ, କୋଉଠି ଥିଲା ଏକାବେଳକେ ମାଡ଼ିପଡ଼ିଲା ବିପଦ–ସବୁଆଡ଼ୁ । ଅନିରୁଦ୍ଧକୁ କଲେଜରେ ଭର୍ତ୍ତିକରିବା ପେଇଁ ବୁଝାସୁଝା କରି ରାଜି କରେଇବା ବାସିଦିନ ଆସିଲା ଚିଠି–ମଝିଆଁ ମୀନକେତନଠୁଁ । ବଡ଼ ମର୍ମନ୍ତୁଦ ସେ ଚିଠି । ସହଜେ ଟୋକାଟା ବେଶୀ ଚିଠିପତ୍ର ଦିଏନାଇ । ଯଦିବା ଦିଏ ତେବେ ଏମିତି–“ବାପା ! ଲୁହାସାଙ୍ଗେ ଲୁହା ପାଲଟି ଗଲିଣି । ଦିହରେ କଳଙ୍କି ଲାଗି ସାରିଲାଣି ଚାରିଆଡ଼ୁ । କାରଖାନା ଚାକିରି ଆଉ ଭଲ ଲାଗୁନାହିଁ । ଭାବୁଛି ଛାଡ଼ି ପଳାନ୍ତି” । ତାପରେ ଆଉ ଗୋଟିଏ ଧାଡ଼ି–

 

“ଏଠାରେ ଗୁଣର ଆଦର ଆଦୌ ନାହିଁ ବାପା । ଯେ କାମ କଲା ମଲା । ଗତ ଦଶବର୍ଷ ହେଲା ମୁଁ ଯୋଉଠି ଥିଲି ସେଇଠି । ଅଥଚ ମୋ ତଳୁ ଜଣେ ବଙ୍ଗାଳୀ.....”

 

ଭବାନୀପ୍ରସାଦ ବୁଝିପାରନ୍ତି । ସେଇଠୁ ଚିଠିଟି ଉପରୁ ତାଙ୍କର ଦୃଷ୍ଟି ଅନ୍ୟଆଡ଼କୁ ବୁଲିଯାଏ । ଚିଠିର ଅସନ୍ତୋଷ, ଶୁପ୍ତ ଅଭିମାନ ତାଙ୍କ ଦିହକୁ ବିସଂକ୍ରମିତ ହୋଇଗଲା ପରି ଜଣାପଡ଼େ । ଚିଠିଟିକୁ ଆଉ ନ ପଢ଼ି ଭଙ୍ଗାଭଙ୍ଗି କରି ରଖିଦିଅନ୍ତି ସେତେବେଳେ । କିନ୍ତୁ କିଛି ସମୟ ପରେ ପୁଣି ତାକୁ ବାହାର କରନ୍ତି । ଆମୂଳଚୂଳ ପଢ଼ନ୍ତି । ସବୁଦିନର ଅଭ୍ୟାସ ଅନୁସାରେ ଆଗେ ଚିଠିଟାର ଲେଖାରେ ରହିଯାଇଥିବା ବର୍ଣ୍ଣାଶୁଦ୍ଧି ଚାରିପଟେ ନାଲି ସ୍ୟାହିର ମୁଣ୍ଡୁଳାଗୁଡ଼ାଏ ବୁଲୋଉଥିଲେ ସେ । ଏବେ ନାଲି ସ୍ୟାହିର ଅଣ୍ଡରଲାଇନ କରି ସେ ଚିଠିଟାର ଭାବାଶୁଦ୍ଧିଗୁଡ଼ାକ ପ୍ରଥମେ ବାହାର କରିପକାନ୍ତି । ତାପରେ ଲେଖିବସନ୍ତି ଉତ୍ତର–

 

“ବାବା ! ତୋ ଚିଠି ପାଇଲି । ମନେହଉଚି କାରଖାନାରେ ପଶିବା ଦିନଠୁଁ ତୁ ବୋଧହୁଏ ବାହାର ବହିପତ୍ର ପଢ଼ିବା ଏକେବାରେ ଛାଡ଼ି ସାଇଲୁଣି । ଖବରକାଗଜ ବେଶୀ ପଢ଼ୁଚୁ-। ଏଇ ଖବରକାଗଜ ପଢ଼ା ହିଁ ତୁମମାନଙ୍କୁ ବେଶୀ କ୍ରୋଧୀ ଆଉ ଅଭିମାନୀ କରିଦଉଚି-। ଗୁଣର ଆଦର କଥା ଲେଖିଚୁ । ତା’ ସହିତ ପ୍ରମୋଶନ୍ କଥା ବି ଭାବୁଚୁ । ଗୁଣର ଆଦର ଆଉ ପ୍ରମୋଶନ୍ କଥା ଏକାଠି ଚିନ୍ତା କରିବା ହିଁ ଭୁଲ୍ । ସେପରି ଚିନ୍ତା କଲେ ହିଁ ତୁମେ ଯେଉଁ ଅଭିମାନ ଆଉ ହିଂସାରେ ପଡ଼ିଯିବ ତାହା କ୍ରମଶଃ ତୁମର ନିଷ୍ଠାକୁ ହିଁ ନଷ୍ଟ କରିଦେବ । କେବଳ ତୁମର ନୁହେଁ–ତୁମର ଏ ଚିଠି ଯେ ପଢ଼ିବ ତା’ର ବି । ଫଳରେ ସତକୁସତ ଗୁଣର ଆଦର ଏ ପୃଥିବୀରୁ ଉଭେଇଯିବ । ବୁଝି ଖବରଦାର୍ ।

 

ଏ ଚିଠି ସହିତ ତୋ ଚିଠିଟିକୁ ବି ପଠଉଚି । ଯୋଉଠି ଯୋଉଠି ଗାରପଡ଼ିଚି ଦେଖିବୁ-।”

 

ୟା ପରେ କିଛିଦିନ ମୀନକେତନ ପାଖରୁ ଆଉ ଚିଠି ଆସେ ନାହିଁ । ସବୁ ଚୁପଚାପ୍ । ଭବାନୀପ୍ରସାଦ ଆଶଙ୍କିତ ହୋଇପଡ଼ନ୍ତି । ଟୋକାଟା ଚିଠି ପାଇ ଫିଡ଼ିକି ଗଲା କି ? ଠୋକର ପାଇ ହଟିଗଲା କି ? ସଙ୍ଗେ ସଙ୍ଗେ ପୁଣି ଲେଖି ବସନ୍ତି । ବୁଝେଇ, ଶୁଝେଇ, ଆସପତିଆ କରି ଚିଠିଟିଏ ଲେଖି ସଙ୍ଗେ ସଙ୍ଗେ ଡାକରେ ପକେଇଦିଅନ୍ତି । ଉତ୍ତର ପାଇଁ ଅପେକ୍ଷା କରି ବସନ୍ତି । ଆଉ ସେତିକିବେଳେ ସେଇ ମଝିଆଁଟା ପେଇଁ ଗୁପ୍ତରେ ଦୁଃଖ କରନ୍ତି–“ନା, ଭଲ ହେଲା ନାହିଁ । ଗୋଟାଏ ନିଶାରେ ମାତିଯାଇ ପିଲାଟାକୁ ସେଠିକି ପଠାଇଦେବା ଭଲ ହେଲା ନାହିଁ ବୋଧହୁଏ ।”

 

ମଝିଆଁ ମୀନକେତନର ଏ ଦୁର୍ଦ୍ଦଶା ପାଇଁ ନିଜେ ଦାୟୀ ବୋଲି ନିଜଉପରକୁ ଦୋଷ ଲଦିଦେବା ମାତ୍ରେ ଭବାନୀପ୍ରସାଦଙ୍କ ଆଖିରେ ନାଚିଯାଏ ପିଲାଟାର ଚିତ୍ର । ମୁଣ୍ଡରେ ଗୋଟାଏ ପଗଡ଼ି, ହାତରେ ଗୋଟାଏ ବେଲଚା ଧରିଥିବା ଜଣେ ସାଧାରଣ ଶ୍ରମିକର ଚିତ୍ରରେ ପିଲାଟାର ମୁହଁ ବରାବର ଆଖିରେ ଭାସିଯାଏ । ଅଥଚ ମୀନକେତନ ପ୍ରକୃତରେ ଶ୍ରମିକ ନୁହେଁ । ସେ ପାଠ ଯାହିତାହି ପଢ଼ିଚି । ପେଣ୍ଟ କମିଜ୍ ପିନ୍ଧେ । ଟାଇ ବି ବାନ୍ଧେ ବେଳେବେଳେ । କିନ୍ତୁ କାହିଁକି କେଜାଣି ଭାରି ନିଉନ, ଭାରି ଅସଂସ୍କୃତ, ଆଉ ଭାରି ଅବହେଳିତ, ଏମିତି ମିଶାମିଶି ହୋଇ ଗୋଟାଏ ଭାବର ଛବି ସେ ପିଲାଟା ଘେନିଆସେ ତାଙ୍କ ମନକୁ । ମନେପଡ଼ିଯାଏ ତା’ର ଅତି ପିଲାଦିନର ଚେହେରାଟା । ଏଇ ମଝିଆଁ ମୀନକେତନ ପିଲାଦିନେ ତା’ ମା’ର ଥନକୁ ସବୁଠୁଁ କମ୍ ଶୋଷିତ ବୋଲି ଭବାନୀପ୍ରସାଦଙ୍କ ଧାରଣା । କାରଣ ତିନି ପିଲାଙ୍କ ଭିତରେ ତାରି ଏକା ଖୁବ୍ ଜଲ୍‍ଦି ଦାନ୍ତ ଉଠିଯାଇଥାଏ; ଆଉସବୁ ପିଲାଙ୍କଠୁଁ ବେଶୀ ଶୀଘ୍ର ସେ ତା’ କୁନି କୁନି ଦିଗୋଡ଼କୁ ଭୂଇଁରେ ଲଗାଇ ଚାଲି ଶିଖୁ ଶିଖୁ ଏକେବାରେ ସ୍ଵାଧୀନ ହୋଇଯାଇଥାଏ ।

 

ମୀନକେତନ କଥା ଭାବି ଭାବି ଏମିତି ସ୍ନେହସଜଳ ହେଲାବେଳକୁ ଆସି ପହଞ୍ଚିଯାଏ ଉତ୍ତର । ଭବାନୀପ୍ରସାଦ ହୁଏତ ଖାଇ ବସିଥାନ୍ତି । ଚିଠି ପହଞ୍ଚିଯାଏ । ଖୋଲିଲୁ ଖୋଲିଲୁ–ଭବାନୀପ୍ରସାଦ ସାନ ଅନିରୁଦ୍ଧକୁ କହନ୍ତି । ଅନିରୁଦ୍ଧ ଖୋଲେ ଆଉ ବଡ଼ପାଟିରେ ପଢ଼େ–

 

“ବାପା, ଅମୁକ ଲୋକ ଏଠୁ ଗାଁକୁ ଯାଉଛି । ତା’ ହାତରେ ଗଣ୍ଡାଏ ଚାଉଳ ପଠାଇବ । ଏଠି ଚାଉଳ ମିଳୁନାହିଁ । ଭାରି ମହଙ୍ଗା । ଯାହା ମିଳୁଛି ଚୋରାରେ । ଶୁଣାଯାଉଚି–ଆମେରିକା ଚାଉଳ ଜାହାଜ କୋଉ ବନ୍ଦରରେ ଆସି ଲାଗିଚି । କିନ୍ତୁ ବନ୍ଦରରେ ଶ୍ରମିକ ଧର୍ମଘଟ ଯୋଗୁ ମାଲ୍ ଉତରା ହେବାକୁ ଡେରି ଲାଗୁଚି ।” ତା’ପରେ ଶେଷଆଡ଼କୁ ପୁଣି ଗୋଟାଏ ଦିଇଟା ଧାଡ଼ି । ଖନେଇ ଖନେଇ ପଢ଼େ ଅନିରୁଦ୍ଧ–“ବାପା ! ଶିଳ୍ପ ସଭ୍ୟତା ଅପେକ୍ଷା କୃଷି ସଭ୍ୟତା ସହସ୍ର ଗୁଣ ବଡ଼ । କଳକବଜାର ଶ୍ରମିକଠାରୁ କୃଷକ ବଡ଼ । ଭାବୁଚି ଚାକିରି ଛାଡ଼ିଦେଇ ମୁଁ ପୁଣି ଗାଁକୁ....”

 

ଭବାନୀପ୍ରସାଦଙ୍କ ହାତରୁ ଭାତଗୁଣ୍ଡା ଖସିପଡ଼େ । ଅନିରୁଦ୍ଧ ହାତରୁ ଚିଠିଟାକୁ ଛଡ଼େଇନିଅନ୍ତି ସେ । ବୟସ୍କଲୋକଙ୍କ ଅଭିମାନଭରା ଚିଠିକୁ ଛୋଟ ପିଲାଙ୍କୁ ପଢ଼ିବା ପାଇଁ ଦେବା ଅନୁଚିତ ବୋଲି ସେ ବିଚାରନ୍ତି । ଅଶ୍ଳୀଳ ପ୍ରେମମୂଳକ ଉପନ୍ୟାସଠାରୁ ଆହୁରି ମାରାତ୍ମକ ଏପରି ଚିଠି ।

 

ଭାତଖିଆ ସେତିକିରେ ରଖି ମୀନକେତନର ଚିଠିଟି ଧରି ଭବାନୀପ୍ରସାଦ ଗୋଟିଏ ନିରୋଳା ଥାନକୁ ଚାଲିଯାନ୍ତି । ଅନିରୁଦ୍ଧ ପଛରେ ଗୋଡ଼େଇଆସେ । ତା’ ଉପରେ ଚିଡ଼ିଯାଇ ପାଟି କରିଉଠନ୍ତି ଭବାନୀପ୍ରସାଦ–ଯା, ତେଣେ ଯା ।

 

ନିରୋଳାରେ ମୀନକେତନର ଚିଠିଟିକୁ ମୂଳରୁ ଶେଷ ଯାଏ ପଢ଼ୁ ପଢ଼ୁ ଭବାନୀପ୍ରସାଦ ଚିଠିଟିର ସେଇ ନୈରାଶ୍ୟମୟ ଉଚ୍ଚାରଣଦ୍ୱାରା ପ୍ରଭାବିତ ହୋଇ ପ୍ରଥମେ ନିଜେ ଖୁବ୍ ନିରାଶ ହୋଇପଡ଼ିଲେ । ସବୁଥର ଚିଠି ପାଇଲେ ଚିଠିର ଭ୍ରମ, ପ୍ରମାଦକୁ ନାଲିକାଳୀର ମୁଣ୍ଡୁଳା ବା ଗାରଦ୍ଵାରା ଅଲଗା କରିପକେଇବାର ସ୍ପୃହା ଆଜି ତାଙ୍କର ନଥାଏ । ପିଲାମାନଙ୍କର ବ୍ୟାକରଣ ବା ବିଷୟ ଅଶୁଦ୍ଧିଆଡ଼କୁ ଆଖି ନ ବୁଲାଇ ଆଜି ସେ ନିଜଉପରେ କ୍ରୋଧ ଆଉ ଅଭିମାନରେ ଜଳିଗଲେ, ଆଉ ଧିକ୍କାରି ହୋଇ କହିଲେ–

 

“ମଲୁନାଇ ! ଚାଳିଶବର୍ଷ ଏଇଥିପାଇଁ ତୁ ଶିକ୍ଷକତା କରୁଥିଲୁ । ପର ପିଲା ତ ପର ପିଲା । ନିଜ ପିଲାକୁ ବାକ୍ୟ ଗଠନ ତ ବାକ୍ୟ ଗଠନ–ଗୁଣ୍ଡାଏ ଭାତ ପାଟିରେ ଧରିବାର ଆନନ୍ଦ ବି ଦିଆଇପାରିଲୁ ନାହିଁ ! ଗୁଣ୍ଡାଏ ଭାତ ପେଇଁ ଆଜି ସମସ୍ତେ ଅନଉଛନ୍ତି ପଛକୁ ସେଇ ପୈତୃକ ପାଞ୍ଚ ଏକର ଜମିକୁ । ବଡ଼ଠୁଁ ଛୋଟ ପର୍ଯ୍ୟନ୍ତ ହାଇଁପାଇଁ ହଉଚନ୍ତି ସେଇ ଭାତଗୁଣ୍ଡାକ ପେଇଁ !”

 

ମନେପଡ଼ିଗଲା ପୁଣି ଥରେ ଭବାନୀପ୍ରସାଦଙ୍କର ବଡ଼ ବିଭୁପ୍ରସାଦର ମୁହଁ ଆଉ ଆଖି । ମନେପଡ଼ିଗଲା ମୀନକେତନର–ଆଖିଦୁଇଟା ଆଉ ଥରେ । ଆଉ ତା’ ସାଙ୍ଗକୁ ସେମାନଙ୍କର ମା’ର ସେଇ ଥନଦିଇଟା–ଯୋଉ ଦିଇଟାକୁ ସେଇ ରୋଗଶେଯରେ, ଶେଷବେଳାରେ ଭବାନୀପ୍ରସାଦ ଦେଖିଥିଲେ ଓ ତାହା ହିଁ ଥିଲା ସେ ସମ୍ପର୍କରେ ଶେଷ ସ୍ମୃତି ।

 

ସେଇ ସ୍ମୃତି ଆସିଯିବା ମାତ୍ରେ ପ୍ରଥମେ ହସିଦେଲେ ଭବାନୀପ୍ରସାଦ । କିନ୍ତୁ କଅଣ ଭାବିଲେ, ତାଙ୍କ ଆଖି ସଙ୍ଗେସଙ୍ଗେ ଓଦା ହୋଇଗଲା । ଚାରିଆଡ଼କୁ ଅନେଇ ସେ ଚାହିଁଗଲେ ଥରେ–ତାଙ୍କର ପ୍ରସ୍ତାବିତ ଊର୍ଣ୍ଣନାଭ ଆଶ୍ରମର ଚଉଖୁଣ୍ଟିଆ ହତାଟିକୁ । ଚମକିପଡ଼ିଲେ ସେ । ଦିହହାତ ଶିରିଶିର ହୋଇଗଲା–କେମିତି ଗୋଟାଏ ସଂକୀର୍ଣ୍ଣ ଭାବରେ । ଆଉ ସେତିକିବେଳେ ତାଙ୍କୁ ଦୃଶ୍ୟହେଲା ସତେଯେମିତି ସେଇ ସଂକୀର୍ଣ୍ଣ ସ୍ଥାନଟା–ଯାହାର ନାଁ ଊର୍ଣ୍ଣନାଭ ଆଶ୍ରମ ଦେଇ ସେ କଳ୍ପନାରେ ଆଗେଇଯାଇଥିଲେ କେତେବାଟ, ସେଇ ହତାର ତିନୋଟି କଣରେ ତାଙ୍କର ପିଲା ତିନୋଟି କଅଣ ସବୁ କାମଦାମ ଆରମ୍ଭ କରିଦେଇଥିଲେ । କୋଡ଼ି, କାଙ୍କ, ଦାଆ, କଟୁରି ଧରି କଅଣ ସବୁ ହଣାହଣି, ସଫାସଫି କରିପକଉଥିଲେ । ପ୍ରତ୍ୟେକେ ହଳେ ହଳେ ବଳଦ ଆଉ ପଟେ ପଟେ ଲଙ୍ଗଳ ଧରି ବାହାରିପଡ଼ିଥିଲେ–କୃଷକ ହବାକୁ !

 

ଭବାନୀପ୍ରସାଦ ଏଇ ସଂକୀର୍ଣ୍ଣ, ପ୍ରାଦେଶିକ, ନୈରାଶ୍ୟମୟ ପିଲାଳିଆ ଖେଳର ଅହଙ୍କାରକୁ ଦେଖୁ ଦେଖୁ ଆହୁରି ଥରେ ଚମକିପଡ଼ିଲେ–ଡରିଗଲେ । ହତାର ଚତୁର୍ଥ ଓ ଖାଲି ରହିଥିବା କଣଟି, ଯେଉଁଟା ତାଙ୍କ ପାଇଁ ଚିଠିଟାକୁ ଭଡ଼ଭାଡ଼୍ ଚିରିପକେଇଲେ ।

 

ବଡ଼ ବିଭୁପ୍ରସାଦ, ମଝିଆ ମୀନକେତନ, ସାନ ଅନିରୁଦ୍ଧ ଏ ସମସ୍ତିଙ୍କ ସାଥିରେ ନିଜର ଦୋଦୁଲ୍ୟମାନ ମୂର୍ତ୍ତି ଚାରୋଟିକୁ ସେଇ ଚଉଦ ଗୁଣ୍ଠ ପରିମିତ ଥାନର ଚାରିକଣରେ କାମର ଛଳନା କରୁଥିବା ଅବସ୍ଥାରେ ଦେଖୁଦେଖୁ ଆଜି ଭବାନୀପ୍ରସାଦ କହିଲେ ନାହିଁ, ଯାହା ସବୁଦିନେ ପିଲାଖେଳକୁ ଦେଖୁଦେଖୁ ସେ କହିପକାନ୍ତି–“ଖେଳୁ ଖେଳୁ–ଯୋଉଥିରେ ଯେତେବେଳେ ଶ୍ରଦ୍ଧା ହଉଚି ତାହାରି ସାଥିରେ ଖେଳୁ !” ବରଂ ମନକୁମନ କହିଲେ–ଧେତ୍ ! ପିଲାଳିଆ ନିରର୍ଥକ । ଅଚିହ୍ନା ସହରରେ ଭୁଆଁବୁଲିବା ଭଳିଆ କଥା ଏଗୁଡ଼ାକ ।

 

ଭବାନୀପ୍ରସାଦ ଆଖି ମଳିମଳି ଊର୍ଣ୍ଣନାଭ ଆଶ୍ରମଆଡ଼ୁ ମୁହଁ ବୁଲେଇଦେଲେ । ଅଦୂରରେ ବନ୍ଦର ରାସ୍ତାରେ ଚାଲିଥିବା ଗୋଟାଏ ବଡ଼ ରାସ୍ତା ରୋଲର୍ ଶବ୍ଦକୁ କାନେଇ ସେ କିଛି ସମୟ ଠିଆହେଲେ । ତା’ପରେ ପୁଣି ବୁଲିକରି ପଛକୁ ଅନେଇଲେ । ମନେପଡ଼ିଗଲା ଯୁଗକତଳୁ କାନପାଖରେ ମଶାପରି ତଥାପି ଭଁ–ଭଁ ହଉଥିବା ସେଇ ପଦଟା ମୀନକେତନର । ମୀନକେତନର ଚିରା ଚିଠିର କାଗଜ ଖଣ୍ଡରେ ସେତେବେଳେ ପବନ ଧରିଥାଏ । ଉଡ଼ିଯାଉଥାଏ–ଖଣ୍ଡ ଖଣ୍ଡ ହେଇ ସେଇ ଚିଠିର ଶୁଦ୍ଧ ଅଶୁଦ୍ଧ ବାକ୍ୟଗୁଡ଼ାକ ତା’ର ।

 

ଭବାନୀପ୍ରସାଦ ସମ୍ଭାଳିପାରିଲେ ନାହିଁ । ପାଦତଳୁ ପିଲାଟାର ଚିଠିଖଣ୍ଡଗୁଡ଼ାକୁ ଦରାଣ୍ଡି ପକେଇ କାନ୍ଦୁଣୁ ମାନ୍ଦୁଣୁ ହୋଇ ସେ ହୃଦ କୋଡ଼ି ହେଲାପରି ଉଚ୍ଚ ସ୍ୱରରେ କହିପକେଇଲେ–“ଏଇ ନା ? ସେ ଟୋକା ଏଇ ନା ?–ଯେ ବାରବର୍ଷ ତଳେ କହିହଉଥିଲା, ଘୋଷି ଭଜିହଉଥିଲା–“ଆଜିକାଲି କଲେଜ ପଢ଼ାରେ କିଛି ନାହିଁ ବାପା ! ଏ ଯୁଗ ଟେକ୍ନୋଲଜିର ?”

 

ଖାଲି ସେତିକି ନୁହେଁ । ତା’ ସାଙ୍ଗକୁ ସେଇସବୁ ଚମତ୍କାର ଉଦାହରଣ, ଯାହାକୁ ଶୁଣିଲେ ଋଷି ବି ସଂସାର କରିବାକୁ ବାହାରିପଡ଼ିବ । ଓହୋ ! କୋଉଠୁ ପାଇଲା ଭଲା ଏତେବଡ଼ ପଦ ସେଇଟା ! କୋଉଠୁ ବାହାରିଲା ସେ ମନ୍ତ୍ର ! ବଡ଼ ବିଭୁପ୍ରସାଦ ପରି ଏ ବି କିଛି କମ୍ କବି ନ ଥିଲା–ଏଇ ମଝିଆଁ ଖଣ୍ଡକ । ପାଗଳାଙ୍କ ପରି ମନକୁମନ ଗପିଗପିକା ସେଦିନ ପଶିଆସିଲା ସେ–ଘରକୁ-। ମୁହଁରେ ଲାଗିଥାଏ ସେଇ ପଦଟା–

 

“ସିଏ ବଡ଼, ସିଏ ବଡ଼ ! କାର୍ ଯେ ଚଢ଼େ ସେ ବଡ଼ ନୁହେଁ ବାପା । ପଥର ତରଳାଇ ସେଥିରୁ ଲୁହା ନିଗାଡ଼ିଦିଏ ଯେ ସେଇ ବଡ଼, ସେଇ ବଡ଼ !”

 

ହାତରେ ଧରିଥାଏ ସିଏ ବି ଏମିତି, ଏମାନଙ୍କ ପରି ଖବରକାଗଜ ଫର୍ଦ୍ଦଟାଏ । ନାଲି କାଳୀରେ ଅଣ୍ଡରଲାଇନ୍ କରି ଆଣିଥାଏ କଅଣ ଗୋଟାଏ ଧାଡ଼ି । ପଛନ୍ତେ ଜଣାପଡ଼ିଲା ସେ ଧାଡ଼ିର ଅର୍ଥ । ଥିଲା ସେଥିରେ–ରାଷ୍ଟ୍ରାୟତ୍ତ ନୂଆ ଲୁହା କାରଖାନା ପାଇଁ କାରିଗରି ଛାତ୍ରଙ୍କ ପାଇଁ ପଦେ ଆହ୍ୱାନ !

 

କୁହ ତ ଦେଖି ! ସେତେବେଳେ, ପୁଣି ଭାରତ ସ୍ଵାଧୀନତା ପାଇବାର ମୋଟେ ଚାରି ପାଞ୍ଚବର୍ଷ ଭିତରେ ତୁମ କାନରେ ଯଦି ହରଦମ୍ ଏ ଗୀତ କିଏ ବଇଁଶୀ ସ୍ୱରରେ ବଜେଇବ–“ସିଏ ବଡ଼, ସିଏ ବଡ଼”–ତୁମେ କଅଣ କରିବ ! କଅଣ କରିଥାନ୍ତ ? ପିଲାଟାକୁ ଗୋଟାଏ ନୂଆ ହାଫପ୍ୟାଣ୍ଟ୍, ଖଣ୍ଡେ ନୂଆ ହାଫ୍‍ସାର୍ଟ ଆଉ ହଳେ ନୂଆ ଜୋତା ପିନ୍ଧେଇଦେଇ ତାକୁ ଗୋଟାଏ ରେଲଗାଡ଼ିରେ ବସେଇଦେଇ କହିବ କି ନାହିଁ ତୁମେ–ଯା ବାପ ଯା, ଭଲରେ ଭଲରେ ପହଞ୍ଚ, ଦିହପାକୁ ଜଗି ଚଲୁଥିବୁ, ବିଦେଶ ଜାଗା । ବିଦେଶ ଏବେ କଅଣ ? ଆମରି ରାଜ୍ୟ, ଆମରି ଦେଶ ତ । ହେଲେ କଳକାରଖାନା ଜାଗା, ବୁଝି ଖବରଦାର୍ । ଯା, ଯା । ଭାଗ୍ୟରେ ଥିଲେ ତୁଇ ବିଲାତ ଯିବୁ । ଏମାନେ ଏଠି କଲେଜରେ ଛ ଛ ବର୍ଷ ପାଠପଢ଼ି ଏବେ କଅଣ କରିବେ କରନ୍ତୁ । ଖୁବ୍ ଜୋର–ଆମରି ପରି ମାଷ୍ଟ୍ର, ନହେଲେ କିରାଣି । ପଥର ତରଳେଇ ଲୁହା ଫଳେଇବେନାଇଁ ତ ! ଆମର ଆଜି କାରିଗର ଦରକାର–କାରିଗର । ପାର୍ଥିବକୁ ହେଳାକଲେ ଆଉ ଚଳିବ ନାହିଁ । ବସ୍ତୁକୁ ନିନ୍ଦି ନିନ୍ଦି, ହେଳାକରି ଆମର ଏଇ ଦୂରବସ୍ଥା । ଯା, ପଶିଯା ଲୁହା କାରଖାନାରେ । ସ୍ଵାଧୀନ ରାଷ୍ଟ୍ରର ପ୍ରଥମ ରାଷ୍ଟ୍ରାୟତ ଲୁହା କାରଖାନା । ପୁଣି ପ୍ରଥମ ମୁଥ ପିଲା ତୁମ୍ଭେମାନେ । ଉଠିଯିବ । ଉଠି ଚାଲିଯିବ ବହୁତ ଉଚ୍ଚକୁ । ଖାଲି ନିୟତ ହୋଇ କାମ କଲେ ହେଲା ।

 

ସଦ୍ୟ ମ୍ୟାଟ୍ରିକ୍ ପାସ୍ କରା ପିଲା ମୀନକେତନ । ତା’ର ସେ ଛନଛନ ଓଠରୁ ଗଛରୁ ତୋଳା ସଦ୍ୟ ପାଚିଲା ଫଳଟି ପରି ସେଇ ବାକ୍ୟଟି ଅଭୁଲା ରହିଯାଇଚି ଭବାନୀପ୍ରସାଦଙ୍କର ମନରେ । ଗାଡ଼ି ହୁଇସିଲ୍ ମାରିଲାପରେ ବାପକୁ ପ୍ରବୋଧ ଦେଇ ଆଉ ଥରେ ବି ସେ କହିଥିଲା–“ସେ ବଡ଼ ! ସେ ବଡ଼ !... ଯେ ଲୁହା ତରଳେଇଲା ।” ତା’ପରେ ଆଉ ଶୁଣିହେଲା ନାଇଁ-। ଗାଡ଼ି ଗଡ଼ିଯାଇଥିଲା ଆଗକୁ ।

 

କିନ୍ତୁ ବାରବର୍ଷ ପରେ, ଯୁଗକପରେ କଅଣ ପୁଣି ଲେଖିଚି ସେଇ ପିଲା ! ଗାଁର ପାଞ୍ଚ ଏକର ଜମିକୁ ପୁଣି ଲେଉଟି ଆସିବାପେଇଁ ତା’ର ଏ ବ୍ୟାକୁଳତା କଅଣ ରଚନାତ୍ମକ ନା ଧ୍ଵଂସାତ୍ମକ-?

 

ସେମିତି ଏ ସାନ–ଅନିରୁଦ୍ଧ । ହତାର ତୃତୀୟ କଣରେ ଖବରକାଗଜ ଉପରେ ନଇଁପଡ଼ିଚି ଏ ଯେଉଁ ବକଟକ–ହରିଜନ ବିବାହ ନୁହେଁ, କାରଖାନା ଶ୍ରମିକ ନୁହେଁ; ଏ ଆଜି ବାହାରିଛି ଟେଣ୍ଡର୍ ଧରିବାପେଇଁ, ବନ୍ଦର ଇଲାକାରେ ଠିକା କାମ ଧରିବାପେଇଁ । ଏ ବି କଅଣ ଗଠନମୂଳକ ନା ଆତ୍ମଘାତକ ?

 

ଧୈର୍ଯ୍ୟଚ୍ୟୁତି ଘଟିଲା ତାଙ୍କର । ଗାଁମୁଣ୍ଡର ସେଇ ଚଉଦ ଗୁଣ୍ଠିଆ ହତା, ଯାହାର ଫାଟକ ଆଗରେ ସେତେବେଳେ ଝୁଲିସାରିଥାଏ ଆଲକାତରାବୋଳା ପଟାଟିଏ, ଆଉ ଯାହାକୁ ଗ୍ରାମ ଲୋକ ଖନେଇ ଖନେଇ ପଢ଼ୁଥାନ୍ତି ଊର୍ଣ୍ଣନାଭ ଆଶ୍ରମ, ସେଇ ହତାର ଚାରି କୋଣକୁ ପର୍ଯ୍ୟବେକ୍ଷଣ କରି–କରିକା ସେଦିନ ଭବାନୀପ୍ରସାଦ ବାରମ୍ଵାର ପରିକ୍ରମା କରି ଲାଗିଲେ ଏବଂ କୋଣଟିଏ ନିଜ ପାଇଁ ସ୍ଥିର କରିନେଲେ–ଯେଉଁଠି ସେ ପକେଇବେ ମୂଳଦୁଆ–ଗୋଟିଏ ନୂଆ ଆଦର୍ଶର ମୂଳଦୁଆ ନୁହେଁ, ପୁରୁଣା ଆଦର୍ଶ ଉପରେ ନୂଆ ଆଶା ସ୍ଥାପନର ମୂଳଦୁଆ । ଆଉ, ବୁଝିବସିଲେ ଏ ଆଶା ବି ନୂଆ ନୁହେଁ । କାରଣ ଏ ଆଶାର ତିନୋଟି ଦିଗ ମଧ୍ୟରୁ ପ୍ରଥମ ଦିଗଟି ଥିଲା–ବିଭୁପ୍ରସାଦ ଓ ତା’ର ସେଇ ହରିଜନ ବୋହୂଟିକୁ ଭବାନୀପ୍ରସାଦ କେମିତି ଆଣନ୍ତେ ଟିକିଏ ଗାଁକୁ ଆଉ ଚଳେଇନିଅନ୍ତେ ସେ ଦୁହିଁଙ୍କୁ ଗାଁରେ, ସମାଜରେ ଆଉ ଆଦର୍ଶବାଦ ଭିତରେ । ସେମିତି ମଝିଆଁ ମୀନକେତନକୁ ଫେରାଇଆଣନ୍ତେ ସେ–କଳକବ୍‍ଜା ଭିତରୁ ପଛୁଆ ଧାନ, ମୁଗ, କୋଳଥଆଡ଼କୁ ନୁହେଁ । କେବଳ ହିଂସ୍ର, ଜଟିଳ ଓ ଆବିଳ ଭିତରୁ ସେ ଫେରିଆସନ୍ତା ସରଳ ଅନାବିଳଆଡ଼କୁ । ଫେରିଆସନ୍ତା ଯନ୍ତ୍ରଠାରୁ ମଣିଷଆଡ଼କୁ; ସେ ମଣିଷ ଲୁହାର ହଉ କି ମାଟିର ହଉ, କିଛି ଯାଏଆସେନା । ଯେମିତି ଫେରନ୍ତା ଏ ମେଞ୍ଚଡ଼କ–ଯେ ସେଠି ଆଣ୍ଠେଇପଡ଼ି ଖବରକାଗଜକୁ ଟେଣ୍ଡର ନୋଟିସ୍ ଖୋଜୁଚି !

 

“ଊର୍ଣ୍ଣନାଭ ଆଶ୍ରମ” ଆଲକାତରା ଅକ୍ଷରଗୁଡ଼ାକରୁ ମୁହଁଟେକି ଭବାନୀପ୍ରସାଦ ସେଦିନ ଆହୁରି ଥରେ ବୁଲିପଡ଼ିଲେ ସାନପୁଅ ଅନିରୁଦ୍ଧଆଡ଼କୁ । ପାଖକୁ କଅଁଳେଇ କରି ଡାକିଆଣିଲେ ଓ ତା’ର ଦି କାନ୍ଧରେ ଗେହ୍ଲାଳିଆ ହାତ ଦିଇଟାକୁ ଥାପି କହିଲେ, “ଶୁଣିବୁ ? ଗୋଟାଏ କଥା କହିବି–ଶୁଣିବୁ ତ ମୋ କଥା ?” ଅନିରୁଦ୍ଧ କିଛି କହିଲା ନାହିଁ । ଚାହିଁଲା; କିନ୍ତୁ ତା’ ଆଖିରେ ଆଜି ନ ଥାଏ ସେ ଥଣ୍ଡାଳିଆ ଚାହାଣିଟା । ଭବାନୀପ୍ରସାଦ ପଦ୍ମତୋଳା ବୋଲିଲେ–

 

“ଶୁଣ୍ ! ବ୍ୟବସାୟ କରି ଧନୀ ହେବାପାଇଁ ଯଦି ଆମର ଲକ୍ଷ୍ୟହୁଏ, ତେବେ କରିବା । କିନ୍ତୁ ରାଗରେ ନୁହେଁ, କି ଏକା ରାତିକେ ନୁହେଁ । ଧୀରେ, ସୁସ୍ଥେ, କାହାରି କ୍ଷତି ନ କରି, ସବୁଠୁ ବେଶୀ ନିଜର କ୍ଷତି ନ କରି ଆମେ ଏ କାମ କରିବା । ବର୍ତ୍ତମାନ ତୁ ଯା ପଢ଼ିବାକୁ । ତୁମମାନଙ୍କ ଜାଗା ସେଇଠି ବିଶ୍ୱବିଦ୍ୟାଳୟରେ । ସେଠି ତୁମେ ପାଠ ପଢ଼ିକି ନାଚକୁଦ; ଏମିତିକି ଯଦି ପାରୁଚ ବିପ୍ଳବ ବି କର । କିନ୍ତୁ ବିପ୍ଳବ ନ କରି ଏମିତି ରାଗିମାଗି ନିଜର କ୍ଷତି କରନାଇ । ମୁଁ ଜଣେ, ତୁ କାହିଁକି ବ୍ୟବସାୟ କରିବୁ ବୋଲି ମାତିଚୁ । ଜଣେ ଦୁଇଜଣଙ୍କ ଭୁଲ୍ ଆଦର୍ଶ ତୁ ଦେଖିଚୁ, ପୁଣି ଜଣେ ଦୁଇଜଣଙ୍କ ଠିକ୍ ଆଦର୍ଶକୁ ଭୁଲ୍ ବୁଝିଚୁ । ଆମ ଗାଁର ଅନାଥ ସାହୁର ମୁଣ୍ଡର ଗାନ୍ଧିଟୋପି ଆଉ କପାଳର ଚନ୍ଦନପାଟୀକୁ ଦେଖି ତୁ ବୋଧହୁଏ ନିଜକୁ କେତେଥର ପଚାରିଚୁ–ଏକାରାତିକେ କୋଠା ପିଟିଥିବା ଏଇ ମଣିଷ ମୁହଁ ଦେଖିଲେ କେହି କହିବ ଯେ ଲୋକଟି ଭାରି ଦୁଃଖରେ ଅଛି ? କେହି କହିବ ଯେ ମହାପାପୀ ଏ କଳାବଜାରିର ମୁଣ୍ଡରୁ କେବେ ଗାନ୍ଧିଟୋପି ଖସିପଡ଼ିବ କି ମହାବ୍ୟାଧିରେ ଘାଣ୍ଟିଚକଟି ହୋଇ ଦିନେ ନା ଦିନେ ଏ ଲୋକ ମରିବ ? ସେମିତି ତୋ ବଡ଼ଭାଇର କାଳୀ ବୋହୂକୁ ଦେଖି ତୁ ବୋଧହୁଏ ଭାବୁଚୁ–ଏଇଥିପେଇଁ ଏତେ ସ୍ୱପ୍ନ ଦେଖୁଥିଲା ଏ ପିଲା ? ଛବର୍ଷ ଉଚ୍ଚଶିକ୍ଷା ପାଇ ପାଞ୍ଚବର୍ଷ ଗବେଷଣା କରି ଶେଷକୁ ଏଇଆ ପାଇଲା ? ୟାକୁ କଅଣ ଠିକ୍ କହନ୍ତି ?”

 

ଭବାନୀପ୍ରସାଦ ସେମିତି ଥାପିଥାଆନ୍ତି ତାଙ୍କର ଚଉଡ଼ା ପାପୁଲି ଦୁଇଟାକୁ ଅନିରୁଦ୍ଧର କାନ୍ଧରେ, ଆଉ ତା’ ଆଖିରେ ନିଜ ଆଖି ମିଳାଇ କହୁଥାନ୍ତି, “ଏ ସଂସାରରେ ଠିକ୍ କି ଭୁଲ୍‍ର ବିଚାର ଗାନ୍ଧିଟୋପିରେ ନାହିଁ, କି ହରିଜନ ବିବାହରେ ନାହିଁ ! ଅଛି ୟାରି ଭିତରେ ।”

 

ଅନିରୁଦ୍ଧର ଆଖିଦୁଇଟାକୁ ଛୁଇଁଦେଲେ ଭବାନୀପ୍ରସାଦ, ଯେମିତି ବଜାରରୁ କିଣାହୋଇ ଆସିଥିବା ମାଟିର ଗଣେଶ କି ସରସ୍ଵତୀର ଆଖିଦୁଇଟାକୁ ଛୁଇଁ ମନ୍ତ୍ର ଉଚ୍ଚାରଣପୂର୍ବକ ପୂଜକ ମୃଣମୟ ମୂର୍ତ୍ତିକୁ ଚକ୍ଷୁଦାନ କରେ । ହସିଦେଲା ଅନିରୁଦ୍ଧ । ବୋଧହୁଏ ତାକୁ ସଲ ସଲ ଲାଗିଲା । ହସିଦେଲେ ଭବାନୀପ୍ରସାଦ । ଆଉ ସେଇ ହସରେ ହସରେ କହିଲେ–

 

“ଯା, ଏଇନେ ଏ ଚାବିପେନ୍ଥାଟା । ସେ ସିନ୍ଦୁକ ଭିତରେ ତୋ ମା’ର ଅଳଙ୍କାର ମେଞ୍ଚାକ ଅଛି । ତିନିଭାଗ କରିଦେ । ଭାଗେନେଇ ଯା ଦେଇଆସିବୁ ତୋ ଭାଉଜକୁ–ଯାହାକୁ ତୋ ଭାଇ ସ୍ତ୍ରୀ ବୋଲି ଗ୍ରହଣ କରିନେଇଚି । ଆର ଭାଗକ ରଖିଦେ ମଝିଆଁ ଭାଇ ପେଇଁ । ସେ ଯଦି ଗାଁକୁ ଫେରେ, କୋଉ କଳକବ୍‍ଜା କିଣି ଏଇ ଗାଁରେ ଛୋଟକାଟର କିଛି ଶିଳ୍ପ କରିବାକୁ ଇଚ୍ଛାକରେ, ତେବେ ଏଇ ହବ ତା’ ମୂଳଧନ । ଆଉ ତୃତୀୟ ଭାଗଟି ତୋର । ବିକିଦେ । ସେଇଥିରେ ତୋ ନାଁ ଲେଖା ଆଉ ଦି’ବର୍ଷ କଲେଜ ପଢ଼ା ଖର୍ଚ୍ଚ ଉଠିଯିବ । ତେଣିକି ତା’ ବାଦ୍ ଆଉ ଯାହା ଦରକାର ହବ, ଏଇ ଚଉଦ ଗୁଣ୍ଠ ଜମିରୁ ସେତିକି ମୁଁ ଉଠେଇଦେବି । ମୋ ଦିହରେ ଏବେବି ବଳ ଅଛି । ମାଟି ହାଣି, ପାଣି ବୋହି, ପଟାଳ ପଟଳି ଶାଗ, କୋବି, ବାଇଗଣ ଉପୁଜେଇପାରିବି ମୁଁ । ବଜାର ବି ବେଶୀଦୂର ନୁହେଁ । ଗାଁପାଖେ ବନ୍ଦରରାସ୍ତା । ଶହ ଶହ ଟ୍ରକ୍ ଧାଇଁଚି ଏ ରାସ୍ତାରେ । ସଜ ପନିପରିବାକୁ ସହରି ମଣିଷ ଆଁ–କରି ବସିଚନ୍ତି । ପଇସା ତାଙ୍କୁ ଅପୂର୍ବ ନୁହେଁ; ଅପୂର୍ବ ଖାଦ୍ୟ । ୟା ସାଙ୍ଗକୁ ଆହୁରି ବି ଯୋଡ଼ିଦେବା । ବହୁଦିନୁ ଭାବିଚି । ଅବସର ପାଇଲେ ଗୋଟିଏ ଛୋଟକାଟର କୁକୁଡ଼ାପାଳନ କି ଗୋପାଳନ କରିବି ବୋଲି ଅନେକଦିନୁ ମୋର ସ୍ଵପ୍ନ । ତୁ ଯା–ସହରର କୁକୁଡ଼ାପାଳନ କେନ୍ଦ୍ରରୁ କିଣିଆଣ ତ ମୋ ପେଇଁ ଦଶଟା ଜାତିଆ କୁକୁଡ଼ା, ଆଉ କିଛି ବହି । ଦେଖ୍ ମୁଁ କ’ଣ କରୁଚି । ମାଟିକାମ ପେଇଁ ଟେଣ୍ଡର ନଧରି ମଧ୍ୟ ମାଟିରୁ ମୁଁ ଫଳ ଆଉ ଆନନ୍ଦ ତୁମ ପେଇଁ ଉତ୍ପାଦନ କରିପାରୁଚି କି ନା, ତୁ ଦେଖ୍ । ଏଇ ନେ–ଏ ଚାବିପେନ୍ଥାଟା ।”

 

ଅନିରୁଦ୍ଧ ଚାବିପେନ୍ଥାକ ନେଲାନାହିଁ କି ସିଧା କରି ପୁଣି ଥରେ ବାପ ଆଖିକୁ ଚାହିଁପାରିଲା ନାହିଁ । କାରଣ ଯେଉଁଥିପାଇଁ ସେ ଚାବିପେନ୍ଥାଟା ନେଇଥାନ୍ତା ସେ ଜିନିଷ ଆଉ ସିନ୍ଦୁକରେ ନାହିଁ ବୋଲି ଆଉ କେହି ନ ଜାଣିଲେ ବି ସେ ନିଜେ ଜାଣିଥାଏ ।

 

ସିନ୍ଦୁକ ଭାଙ୍ଗି ମା’ର ଅଳଙ୍କାରତକ ସେ ଦେଇ ଦେଇ ଆସିଥାଏ ତା’ର ସେଇ ମଟରବାଲା ସାଙ୍ଗଟି ହାତରେ । ଆଉ ସେଇଦିନଠୁଁ ମୁହଁରେ ମୁହଁରେ ହଁ–ହାଁ କରିବା ବ୍ୟତୀତ ସାଙ୍ଗଟି ଅନିରୁଦ୍ଧର ପାଖ ପଶୁନଥାଏ ।

 

ବ୍ୟବସାୟ–ନିଶାରେ ପଡ଼ି ଏଇ ପ୍ରଥମ ଧକ୍କାଟି ଖାଇବାପରଠୁଁ ଅନିରୁଦ୍ଧ ଚୋରପଟିଆ ଧରିଯାଇଥାଏ । ବାପ ପାଖରେ କୋଉଦିନ ଶରଣ ପଶିବ ପଶିବ ହଉ ହଉ ଏ ମଉକାଟି ପାଇଗଲା । ହଠାତ୍ ପଡ଼ିଗଲା ଗୋଡ଼ତଳେ–ଭବାନୀପ୍ରସାଦଙ୍କର ।

 

ପୁଅଠୁଁ ସବୁ ଶୁଣିସାରି ଭବାନୀପ୍ରସାଦ ଭାଙ୍ଗିପଡ଼ିଲେ ନାଇ; ବରଂ କୋଉଠି ଥିଲା, ହଠାତ୍ ଫୁଲିଉଠି, ଘାଇ ଭାଙ୍ଗି ପକେଇଲା ଭଳି ଆତ୍ମବିଶ୍ୱାସ କି ସେ ଆଉ କଅଣ ଜିନିଷ ତାଙ୍କ ଛାତିଭିତରକୁ ଭସେଇ ଦେଇଗଲା ।

 

“ଯା ଯା–ପଢ଼ିବୁ ଯା, ପଢ଼ିବୁ ଯା–” ଭବାନୀପ୍ରସାଦ ଆଉ ଥରେ ପାଇକଚ୍ଛା ଭିଡ଼ିଦେଲେ ଓ ଜମିଆଡ଼େ ବାହାରିପଡ଼ିଲେ । ପୈତୃକ ପାଞ୍ଚ ଏକର ଜମିରୁ ଗୁଣ୍ଠ ଗୁଣ୍ଠ କରି ଜମିକୁ ବିକିରି କରିଦେଇ ପିଲାଟିକୁ କଲେଜକୁ ପଠେଇବା ଯେ ଗୋଟାଏ ପାପ–ଏ ଧାରଣା ତାଙ୍କର ଆଉ ନ ଥିଲା ।

 

ଅନିରୁଦ୍ଧ କଲେଜ ଚାଲିଗଲା । ଜମି ବିକିରି ଟଙ୍କାରୁ କିଛି ଖର୍ଚ୍ଚ କରି ଦଶଟି ଜାତିଆ କୁକୁଡ଼ା ଆଉ ଗୋଛାଏ କୁକୁଡ଼ାଚାଷ ସମ୍ପର୍କୀୟ ବହି ସହରରୁ ଧରି ଭବାନୀପ୍ରସାଦ ଗାଁକୁ ଫେରିଲେ-

 

ଊର୍ଣ୍ଣନାଭ ଆଶ୍ରମର ବିଶେଷ କାର୍ଯ୍ୟକ୍ରମର ଗୋଟାଏ ତାଲିକା ହଠାତ୍ ତାଙ୍କ ଆଗରେ ଖୋଲିଗଲା । ମାଟି କୁଡ଼ିଆରେ ବସି ତୁଛେଇଁକି ଚରଖାଟାକୁ ଘିରିଘିରି କରି ବୁଲେଇବାକୁ ସେ ଯେଉଁ ଡରୁଥିଲେ, ଆଜି ସେ ଡର ଆଉ ନ ଥିଲା ।

 

ସାତ

 

ଆଜି ସକାଳେ ବିଭୁପ୍ରସାଦର ଭଙ୍ଗାରୁଜା କାର୍ଯ୍ୟ କପ୍, ପ୍ଲେଟ ଆଉ ଲଣ୍ଠନକୁ ଟପି ପହଞ୍ଚିଥିଲା–ଫଟପାଖରେ । ଏଇଟି ତା’ ବାପାଙ୍କର ପୁରୁଣା ଦିନର ଫଟଟା–ଯେତେବେଳେ ଭବାନୀପ୍ରସାଦ ଥିଲେ ଯୁବକ–ଏତେ ଦିନଧରି ଶୋଇବା ଘରେ ଟଙ୍ଗା ହୋଇଥିଲା । ପ୍ରତି ରାତିରେ ବିଛଣାକୁ ଯିବାପୂର୍ବରୁ ବିଭୁପ୍ରସାଦ ଆଗରୁ କେବଳ ନମସ୍କାର କରୁଥିଲା ଏବଂ ଫଟଟିକୁ ଓଲଟ ମୁହଁ କରି ଟାଙ୍ଗିଦଉଥିଲା କାନ୍ଥଉପରେ । କାରଣ ବାପର ଜଳଜଳ ଚାହାଣୀ ଆଗରେ ସୁକୁମାରୀ ସହିତ ଏକ ଶେଯରେ ଶୋଇବାକୁ ଖାଲି ଲାଜ ଲାଗେ ନାଇ, କେମିତି ପାପବୋଧ ବି ଗ୍ରାସ କରିଯାଏ ତାକୁ । ସୁକୁମାରୀ ତ ସୁକୁମାରୀ, କୌଣସି ସ୍ତ୍ରୀଲୋକ ସହିତ ସହବାସ କଳ୍ପନାକୁ ବିଭୁପ୍ରସାଦ ପିଲାଦିନୁ ପାପ ବୋଲି ମନେକରୁଥିଲା–ବିଶେଷତଃ ସେ କଳ୍ପନା ସହିତ ଯଦି କୌଣସି ସୂତ୍ରରୁ ତା’ ବାପାଙ୍କର ଏତେ ଟିକେ ସମ୍ପର୍କ ଥିବାକଥା ସେ ଭାବିଥାଏ । ଏ କ୍ଷେତ୍ରରେ ସୁକୁମାରୀ ସହିତ ଭବାନୀପ୍ରସାଦଙ୍କର ନା ରକ୍ତ ନା ସ୍ଵପ୍ନ, କିଛିର ସମ୍ପର୍କ ନ ଥାଏ । ସୁକୁମାରୀ ବିଭୁପ୍ରସାଦର ପିଇସୀଝିଅ ଭଉଣୀ ନୁହେଁ, କି ଯେକୌଣସି ସୁଦୂର ସମ୍ପର୍କ ଗଣତି କରି ହଉଥିବା ବନ୍ଧୁର ବନ୍ଧୁ ବି ନୁହେଁ । ସଂସାରରେ ରକ୍ତ ଓ ମାନବିକ ସମ୍ବନ୍ଧରେ ଯେତେ ପାର୍ଥକ୍ୟ ସମ୍ଭବ, ସେଇ ପାର୍ଥକ୍ୟର ମାପଫିତାର ଗୋଟିଏ ମୁଣ୍ଡର ଶୂନ ଓ ଆର ପ୍ରାନ୍ତର ସଂଖ୍ୟାକୁ ଅସଂଖ୍ୟ ନାମ ଦେଇ ଯଦି ଦୁଇ ସଂଖ୍ୟାକୁ ମିଳେଇ ଦିଆଯାଏ, ସେ ମିଳନ ଯେମିତି ଗୋଟିଏ ଅସମ୍ଭବ ବୃତ୍ତ ସୃଷ୍ଟି କରନ୍ତା–ବିଭୁପ୍ରସାଦ ଓ ସୁକୁମାରୀର ମିଳନ ସେମିତି ଗୋଟିଏ ବୃତ୍ତ । ମାତ୍ର ସବୁ ଅସମ୍ଭବ ଭିତରେ ଲୁଚିଥାଏ ସମ୍ଭାବ୍ୟ । ଏହିହେତୁ ଏ ମୁହୂର୍ତ୍ତରେ ଯାହା ଅସମ୍ଭବ, ଯାହା ମିଥ୍ୟା, ଯାହା ଅବିଦ୍ୟା ଆଉ ଅଦୃଶ୍ୟ; ଆର ମୁହୂର୍ତ୍ତରେ ତାହା ସମ୍ଭବ, ସତ୍ୟ, ବିଦ୍ୟା ଆଉ ଦୃଶ୍ୟ । ଗତ କିଛି ଦିନ ହେବ ସୁକୁମାରୀକୁ ଦେଖିବାମାତ୍ରେ ବିଭୁପ୍ରସାଦର ଅନ୍ତରରେ ଏକ ଯନ୍ତ୍ରଣାପ୍ରଦ ଶ୍ଳୀଳଭାବ ଜାତ ହେବାକୁ ଆରମ୍ଭ କରିଥାଏ । ଏତେ ଶ୍ଳୀଳ ଯେ ମାତା ପୁତ୍ର ମଧ୍ୟରେ ବି ଏହା ସମ୍ଭବ ନୁହେଁ । ଏହାର କେବଳ ସଂଭାବ୍ୟସ୍ଥଳ ହେଉଚି ଏକ ରକ୍ତରୁ ଉତ୍ପନ୍ନ ଭାଇ ଓ ଭଉଣୀର ସମ୍ପର୍କରେ । ନିଜର ସମସ୍ତ ପ୍ରତିରୋଧ ସତ୍ତ୍ୱେ ଆପଣା ମନଭିତରେ ସୁକୁମାରୀ ଛବି ବିଭୁପ୍ରସାଦର ମନଭିତରେ ଏଇ ଏକା ମା’ପେଟର ଭଉଣୀ ଭାବଟିକୁ କ୍ରମଶଃ ଶକ୍ତ ଆଉ ତିକ୍ତଭାବେ ପ୍ରଜନନ କରି ଚାଲିଥାଏ । ସେଦିନ ରାତିରେ ତାହା ବଢ଼ି ବଢ଼ି ଏମିତି ଆକାର ଧରିଲା ଯେ, ନିରାଟ କିଟିକିଟି ଅନ୍ଧାର ଭିତରେ ବି ସୁକୁମାରୀକୁ ଆଲିଙ୍ଗନ କଲାବେଳେ ବିଭୁପ୍ରସାଦର ଦିହ ବୁଲେଇ ଆସିଲା । ସୁକୁମାରୀର ଉଷୁମ ଆଉ ଥର ଥର ତନୁଲତାକୁ ନିଜ ଗଣ୍ଡିରୁ ମୁକୁଳେଇବା ସହଜ ନ ହେଲେ ମଧ୍ୟ ବିଭୁପ୍ରସାଦ ତ ଅରଣ୍ୟର ଗୋଟିଏ ଦ୍ରୁମ ନୁହେଁ ଯେ, ଅସଂଖ୍ୟ ଲତା ମଲାଙ୍ଗ ଆଉ ନିର୍ମୂଳି ପରିବେଷ୍ଟିତ ହୋଇ ମଧ୍ୟ ନିତ୍ୟନୂତନ ଶାଖା ପ୍ରସାରପୂର୍ବକ ସେ ପାର୍ଶ୍ଵସ୍ଥ ଦ୍ରୁମମାନଙ୍କ ସହିତ କେବଳ ପ୍ରତିଯୋଗିତା କରିବାପାଇଁ ଭୂମିଉପରେ ଦଣ୍ଡାୟମାନ ହୋଇ ରହିବ । ଉପୁଡ଼ିପଡ଼ିଥିବା ଗୋଟିଏ ଗଛପରି ବିଭୁପ୍ରସାଦ ରାତିସାରା ଶୋଇରହିଲା ଶେଯଉପରେ । ତା’ର ଶାରିରୀକ ଶିଥିଳତା ଓ ମାନସିକ ଭଦ୍ରାମିର କାରଣ ନ ବୁଝିପାରି ସୁକୁମାରୀ କେତେବେଳେ ପରେ ଶେଯରୁ ଉଠିଗଲା ଓ ଯେଉଁ କଣରେ ବସି ଅଧିକାଂଶ ରାତିରେ ସେ କାନ୍ଦେ, ସେଇଠି ବସି ବସି କାନ୍ଦିଲା ।

 

ସବୁ ରାତିପାହି ଶେଷରେ ସକାଳ ହୁଏ । ସେଦିନ ଶେଯରୁ ଉଠିବା ମାତ୍ରେ, ଆଗ ତା’ର ଆଖିପଡ଼ିଯାଏ ସୁକୁମାରୀ ଉପରେ ନୁହେଁ; କାନ୍ଥରେ ଓଲଟା ଟଙ୍ଗା ହୋଇଥିବା ତା’ର ବାପାଙ୍କ ଫଟଟି ଉପରେ । ହଟାଦସ୍ତ, ହୁଁ କରି ଉଠିଯାଇ ଆଜି ସେ ଫଟଟିକୁ ଭାଙ୍ଗିପକାଏ ନାଇ ବିଭୁପ୍ରସାଦ, ଯେମିତି ସବୁଦିନ ଭାଙ୍ଗେ କପ୍ ପ୍ଲେଟ୍ ଆଉ ଲଣ୍ଠନ । ପ୍ରଥମେ ସେ ଉଠେ ଭାରି ଥଣ୍ଡା ମିଞ୍ଜାଜରେ । କାନ୍ଥରେ ଓଲଟ ଝୁଲୁଥିବା ଫଟଟିକୁ ଆଗ ସଳଖେଇଦିଏ । ବାପାଙ୍କର ସେଇ ଯୁବାକାଳର ଫଟ, ତାଙ୍କର ସେଇ ଠିଆ ବେକ ଆଉ ସିଂହଚାହାଣୀକୁ ସଭକ୍ତିରେ ଥରେ ଚାହେଁ । ତାପରେ ମନେମନେ ସେଇ ଫଟଟି ସାଙ୍ଗରେ କେତେବେଳ ଗପସପ ବି କରେ । କୁହେ, “ତୁମେ ମୋର ବାପା । ତୁମ ନିକଟରେ ମୁଁ ତଥାପି ଶିଶୁ; କାରଣ ତୁମର ଆଖିରେ ସଂସାରକୁ ଯେମିତି ଶୈଶବରେ ଦେଖିଥିଲି, ଆଜି ବି ଦେଖୁଚି ସେମିତି । ତୁମେଇ ମତେ କହିଥିଲ ନା–ମଣିଷ ମଣିଷ ଭିତରେ ଗୋଟିଏ ମାତ୍ର ସମ୍ପର୍କଇ ସତ୍ୟ ଆଉ ତାହା ହଉଚି ଭ୍ରାତୃତ୍ଵ; ଯାହାର ଅନ୍ୟ ନାମ ସଖ୍ୟ । ମୁଁ ତୁମକୁ ମୋ ପିଲାଳିଆ ଉପାୟରେ ପଚାରିଥିଲି–ତେବେ ତୁମେ କଅଣ ମୋର ଭାଇ ? ପୁଣି ଶ୍ରେଣୀରେ ପଢ଼ାହେଉଥିବା ଭୂଗୋଳ ବହିର ସେଇ ‘ବାଣ୍ଟୁ’ ନାମଧାରୀ ଯୋଉ ଅପରଛନିଆ ମଣିଷର ଚିତ୍ର ଦିଆହୋଇଥିଲା, ସେଇଟିକୁ ଦେଖାଇ ପଚାରିନଥିଲି ସେଇ ଏକ ପ୍ରଶ୍ନ–ତେବେ ଏ ମଣିଷଟି କଅଣ ମୋ ଭାଇ ? ଏଃ ! କି କଳା, କି ଅସୁନ୍ଦର ଦିଶୁଚି ! ତୁମେ ଏ ପ୍ରଶ୍ନର ଉତ୍ତର ସଙ୍ଗେ ସଙ୍ଗେ ଦେବାକୁ ମନ କଲ ନାଇ କିମ୍ବା ଦେଇପାରିଲ ନାଇ, ମୁଁ ଜାଣେନା । କିନ୍ତୁ ତୁମର ଅଜାଣତରେ କି ଜାଣତରେ, ପରେ ଅବଶ୍ୟ ମୁଁ ପାଇଯାଇଥିଲି ମୋ ପ୍ରଶ୍ନର ଉତ୍ତର ।

 

ମନେଅଛି ? ମୋ ମା’ ମରିଗଲାପରେ ସେଇ ଯୋଉସବୁ ଘଟଣା ? ମା’ ମରିଗଲା । ଆମେ ମା’ଛେଉଣ୍ଡ ପିଲା ରହିଗଲୁ–ମୁଁ, ମୀନକେତନ ଆଉ ଅନିରୁଦ୍ଧ । ଅନିରୁଦ୍ଧର ବୟସ ଦେଢ଼ । ତା’ର ଭାରି ହଗା ହଉଥାଏ । ଘରେ ସ୍ତ୍ରୀଲୋକ ହୋଇ କେହିନଥାଏ କି ଦୂରଦୂରାନ୍ତର ସମ୍ପର୍କୀୟା ମାଉସୀ ପିଉସୀଟିଏ ବି କେହି ଆମର ସାହା ହବାପେଇଁ ଆଗଭର ହୋଇ ଦଉଡ଼ିଆସିଲେ ନାଇ । ଅନବରତ ହଗୁରା ଛୁଆ ଅନିରୁଦ୍ଧର ଘୁଅ ପୋଛି ପୋଛି ତୁମେ ନୟାନ୍ତ ହୋଇପଡ଼ିଥାଅ । ମଝିରେ ଖୁବ୍ ଚିଡ଼ି । ମୁଣ୍ଡରେ ହାତଦେଇ ବସ । ଏପରିକି ବେଳେବେଳେ ନୀରସ ହେଇ କହି ବି ପକାଅ–ଧେତ୍ ହତଭାଗାଟା ! ମା’କୁ ଖାଇଲୁ, ଆଉ ଆପେ ବଞ୍ଚିଲୁ କାହିଁକି ? ତୁମର ହୃଦୟ ଯନ୍ତ୍ରଣାକୁ ଦେଢ଼ ବର୍ଷର ଶିଶୁ ଅନିରୁଦ୍ଧ ବୁଝେନାଇ କି ବୁଝେନାଇ ତାଠୁଁ ଟିକେ ବଡ଼ ମୀନକେତନ । କିନ୍ତୁ ମୁଁ ବୁଝିପାରେ । କେତେଥର ଅଧରାତିରେ ତୁମେ ଶୋଇପଡ଼ିଥିଲାବେଳେ ଅନିରୁଦ୍ଧ ହଗିପକେଇଲେ ମୁଁ ନିଜେ ଉଠିଚି ଆଉ ଛୋଟ ପିଲାଟିର ଘୂଅକନାକୁ ସକାଳେ ଧୋଇବାପେଇଁ ଲୁଚେଇଦେଇ ପିଲାଟିକୁ ଟିକେ ନେଇ ହାତରେ ଚଳଚଳ କରି ପାଣି ଦେଇ ତାକୁ ପରିଷ୍କାର କରିଛି । ଜୀବନରେ ପ୍ରଥମ ଥର ଏ କାର୍ଯ୍ୟ କଲାବେଳେ ଘୃଣା ଯେ ଆସିନାଇ, ତା’ ନୁହେଁ; କିନ୍ତୁ ଦୁଇଫୁଟ ଉଚ୍ଚର ମଣିଷପିଲା ଅନିରୁଦ୍ଧର ମୁହଁକୁ ଚାହିଁଦେଲାବେଳେ ମୋର ଘୃଣା କଟିଯାଇଛି । ସେତିକିବେଳେ, ଅଧରାତିରେ, ମିଞ୍ଜିମିଞ୍ଜି ଲଣ୍ଠନ ଆଲୁଅରେ, ସେଇ ହଗୁରା ଦୁଇଫୁଟିଆ ମଣିଷର ମୁହଁକୁ ଚାହିଁ କେତେଥର ମୁଁ ଭାବିଛି–ଏ କ’ଣ ଅନିରୁଦ୍ଧ ନା ସେଇ ‘ବାଣ୍ଟୁ’–ଭୂଗୋଳ ବହିପୃଷ୍ଠାରୁ ସିଧାସଳଖ ଉଠିଆସି ମୋତେ ତା’ର ଗୁହ ପୋଛାଉଚି ? କିନ୍ତୁ ସତ କହୁଚି–ସେଦିନ ମୁଁ ଯାହାକୁ କୁଣ୍ଢେଇଚି ସେ ମୋ ମା’ଛେଉଣ୍ଡ ସାନଭାଇ ଅନିରୁଦ୍ଧ–ବାଣ୍ଟୁ ଫାଣ୍ଟୁ କେହି ନୁହେଁ । ଆଜି ମଧ୍ୟ ଅପରିଷ୍କାର ଚିହ୍ନା ଅନିରୁଦ୍ଧକୁ ମୁଁ ତଳୁ ସାଉଁଟି ନେଇପାରେ; ମାତ୍ର ଅପରିଷ୍କାର ଅଜ୍ଞାତଆଡ଼କୁ ମୁଁ ଚାହିଁ ବି ପାରେନାହିଁ-। କିନ୍ତୁ ଇଏତ ଗଲା ଗୋଟିଏ ଦିଗର ଭ୍ରାତୃତ୍ଵ କଥା । ଭ୍ରାତୃତ୍ଵର ଅନ୍ୟଦିଗଟି ମଧ୍ୟ ମୁଁ ତୁମରି କୃପାରୁ ଶିଖିଚି ବାପା !

 

ସେ ରାତିର ଘଟଣା ତୁମର ମନେଅଛି କି ନାହିଁ କେଜାଣି–ଯେବେ ତୁମେ ମୋତେ ପାଖକୁ ଡାକିନେଲ ଆଉ ମୁହଁ ଗମ୍ଭୀର କରି ପଚାରିଲ–‘କହ ! ସତ କରି କହ, ଏ ଘଟଣା ଠିକ୍ ? ତୋ ନାଁରେ ଏ ଅଭିଯୋଗ ସତ ?’ ‘କୋଉ ଘଟଣା, କୋଉ ଅଭିଯୋଗ ?’ ମୁଁ ଜାଣିଜାଣି ପଚାରୁଥାଏ । ବାହାରେ ମୁଁ ଖୁବ୍ ସ୍ଥିର ଆଉ ଭଲପିଲା ଜଣାପଡ଼ୁଥିଲେ ବି ଭିତରେ ମୁଁ କେମିତି ଡରରେ ଥରୁଥାଏ ଓ ମୋ ଭିତରେ ମିଛ କେମିତି ଉଙ୍କିମାରୁଥାଏ ତାହା ତୁମେ ବୁଝିନଥାଅ କି ବୁଝିଥାଅ, ମୁଁ ଅବଶ୍ୟ ଜାଣେନା । କିନ୍ତୁ ତୁମେ ଯେତେବେଳେ ଘଟଣାଟି ସ୍ପଷ୍ଟ କରିଦେଲା ଓ ତା’ ସାଙ୍ଗେ ସାଙ୍ଗେ ନିଜ ଗୋଡ଼ଟିକୁ ଲମ୍ବେଇଦେଇ କହିଲ–‘ଛୁଁ ! ଛୁଁ ତ ମୋ ଗୋଡ଼ ! ଦେଖ୍ ! ସତ କହ ! ନଚେତ୍...’ ତୁମେ ଅବଶ୍ୟ କହିଲ ନାଇଁ ଯେ, ପିତୃ ଅଭିଶାପରୁ ମୋ ହାତ ଗୋଡ଼ ଛିଡ଼ିପଡ଼ିବ ବୋଲି । ତଥାପି ତାହାହିଁ ମୋର ଧାରଣା ତୁମର ସେଇ ଧମକରୁ ।

 

ଶୁଣ ବାପା ! ଆଜି ଏତେଦିନ ଫିଟେଇ କହୁଚି । ତୁମର ଅଭିଶାପକୁ ମୋର ଡର ନାହିଁ-। ଡର–ମୋପ୍ରତି ତୁମର ଭ୍ରାତୃ–ବିବାଦକୁ, ଯାହାର ଅନ୍ୟନାମ କଅଣ ମୁଁ ଜାଣେନା ! ତେଣୁ କେବଳ ତୁମକୁ ଟିକିଏ ସୁଖୀ କରାଇବା ପାଇଁ ତୁମର ଅଭିଶାପକୁ ବହନକରି ମୋତେ ସେଦିନ ତୁମର ପାଦଉପରେ ହାତରଖି କହିବାକୁ ପଡ଼ିଥିଲା, ‘ନା ବାପା ! ମୁଁ ସତ କହୁଚି । କୌଣସି ଅଶ୍ଳୀଳ ଉଦ୍ଦେଶ୍ୟ ରଖି ମୁଁ ଅନିରୁଦ୍ଧର ଧାଈ ମା’ ଦେହରେ ହାତ ଦେଇନାଇ ବାପା-!’ ସେତେବେଳକୁ ଅନିରୁଦ୍ଧର ଗୁହମୂତ କରିବାପାଇଁ ତୁମେ ଜଣେ ଅଳ୍ପବୟସ୍କା ଇତର ସ୍ତ୍ରୀଲୋକକୁ ଘରେ ସ୍ଥାନ ଦେଇଥିଲା ଅବଶ୍ୟ । ଆଉ ତୁମର ମନ ଥାଇପାରେ ସେ ସ୍ତ୍ରୀଲୋକ, ଯାହାକୁ ଦେଖିଲେ ମୋ ମନରେ ମାତୃଭାବ ଆଦୌ ଜାତ ହୋଇପାରୁନଥିଲା । ସେ ଆମ ଘରେ ଗୋଡ଼ ଦେବାଦିନଠୁଁ ମୁଁ ତା’ର ଉପସ୍ଥିତିକୁ ମୋର ଅନ୍ତରରେ ବିରୋଧ କରିଚି, ମୋର ଅନ୍ତରରେ ସ୍ଵାଗତ କରିଚି ମଧ୍ୟ । ବିରୋଧ କରିଚି କାରଣ–ସେ ଗୃହରେ ସେ ଅବାଂଛିତ ମଣିଷଟିପ୍ରତି ତୁମର ଦୁର୍ବଳତା ସମ୍ପର୍କରେ ମୁଁ ଯେତିକି ଯେତିକି ଅବଗତ ଓ ଦୃଢ଼ ନିଶ୍ଚିତ ହୋଇଚି, ତୁମପ୍ରତି ମୋର ପିତୃଭାବ କଟି କଟି ଯାଇ ତା’ ସ୍ଥାନରେ ଯାହା ପ୍ରତିଷ୍ଠିତ ହୋଇ ଏଯାବତ୍ ରହିଯାଇଚି ତାହା ଅନ୍ୟ କିଛି ନୁହେଁ–ସେଇ ଭାତୃଭାବ ! ସ୍ଵାଗତ କରିଛି ମଧ୍ୟ ଠିକ୍ ସେଇ କାରଣରୁ । କାରଣ ଜୀବନରେ ଏମିତି ଗୋଟିଏ ସମୟ ଆସେ, ଯେତେବେଳେ ମଣିଷ ଭଗବାନଙ୍କ ସହିତ ସଖ୍ୟ ସ୍ଥାପନ କରିବାପାଇଁ ବ୍ୟାକୁଳ ହୋଇ ଯେତେବେଳେ ଅନନ୍ୟୋପାୟ ହୁଏ ସେତେବେଳେ ଭଗବାନଙ୍କ ସମ୍ପର୍କିତ ନାରୀକୁ ହିଁ ସେ ବଳାତ୍କାର କରିବାର ସୁଯୋଗ ଉଣ୍ଡିଥାଏ । ରାବଣକୁ ଯଦି ଆପଣ ମାନବିକଦୃଷ୍ଟିରୁ ବିଚାର କରନ୍ତି, ତେବେ ରାମ–ରାବଣ ସମ୍ପର୍କକୁ ଆପଣ ଏହି ଭ୍ରାତୃ ବା ସଖ୍ୟଭାବ ବ୍ୟତୀତ ଆଉ କିଛି ନାଁ ଦେଇପାରିବେ ନାଇ । ସେମିତି ମହାଭାରତରେ ଦ୍ରୌପଦୀଙ୍କୁ କେନ୍ଦ୍ର କରି କୃଷ୍ଣ–କୌରବ ଯୁଦ୍ଧ ।

 

ବର୍ତ୍ତମାନ ବୁଝିଛି ବାପା–ତୁମେ ଯେଉଁ ଭ୍ରାତୃଭାବ କଥା ମତେ ଶିକ୍ଷା ଦେଇଥିଲ ତାହା ଆଉ କିଛି ନୁହେଁ–ବିଶୁଦ୍ଧ ଯୁଦ୍ଧଭାବ, ଯାହାର ଅନ୍ୟ ନାମ ପିତା ପୁତ୍ରର ଯୁଦ୍ଧ । ପିତା ପୁତ୍ର କହୁଚି; କାରଣ ଯୁଦ୍ଧବେଳେ ହିଁ ପିତା–ପୁତ୍ର ଦୁଇଭାଇ ପରି ଲଢ଼ନ୍ତି–ଯେମିତି ରୁସ୍ତମ୍ ଓ ସୋରାବ୍ । ମାତ୍ର ବାପା ! ଆଜି ରୁସ୍ତମ୍ ଓ ସୋରାବଙ୍କ ଯୁଦ୍ଧ ଦେଖି ଆଖିରୁ ଲୁହଗଡ଼େଇ ଅନୁପ୍ରାଣିତ ହେବା ଦିନ ଯାଇଛି । ଏହି କାରଣରୁ ସେଦିନ ନିର୍ବାଚନରେ ହାରି ନଟବର ମୁହଁ ଶୁଖେଇ ଆସି ଯେତେବେଳେ ନୀରବନିଳୟ ବାରଣ୍ଡାରେ ବସିଥିଲା । ମୁଁ ପଚାରିଲି–“କଅଣ ହେଲା ଭାଇ ? ତୁମ ପକ୍ଷରେ ତ ଧର୍ମ ଥିଲା ! ତଥାପି ହାରିଲ କାହିଁକି ଯେ ?”

 

ଜାଣ, କଅଣ ଉତ୍ତରଦେଲ ? ପକେଟରୁ ବିପକ୍ଷ ପକ୍ଷର ଗୋଟିଏ ନିର୍ବାଚନ ପୋଷ୍ଟର ବଢ଼େଇଦେଲା ମୋ ହାତକୁ ଆଉ କହିଲା, “ତୁ ପରା ଗୋଟିଏ କବି ? ଏପରି ଗୋଟିଏ ଏପିକ୍ ଲେଖିପାରିବୁ ଯେଉଁଥିରେ ରୁସ୍ତମ୍ ସୋରାବର ବର୍ଚ୍ଛାଘାତରେ ତଳେ ଶୋଇଯାଇପାରିବ ?”

 

ମୁଁ ବୁଝିପାରିନଥିଲି ବାପା–ତା’ର ସେ ତେଢ଼ା କଥାର ମର୍ମ । କିନ୍ତୁ ବୁଝିବାକୁ ବାକି ରହିଲା ନାହିଁ–ଯେତେବେଳେ ତା’ ହାତରୁ ନିର୍ବାଚନ ପୋଷ୍ଟରଟିକୁ ଆଣି ମୋ ଆଗରେ ଖୋଲିଦେଲି ଆଉ ସେଇ ହୃଦୟବିଦାରକ ଦୃଶ୍ୟଟିକୁ ପୁଣି ଥରେ ଦେଖିଲି । ଜାଣ, କଅଣ ଦେଖିଲି-? ଆଉ ଗୋଟିଏ ଶସ୍ତା ଭାବପ୍ରବଣତା ଉଦ୍ରେକକାରୀ ଛଳନାର ନମୁନା ! ଏ ଛଳନା ଆଗରେ କିଏ ବା ଠିଆ ହୋଇପାରିବ–ନଟବର ତ ନଟବର ! ଯେତେବେଳେ ଖୋଲା ବାଲଟ୍ ପେପରଟିଏ ମୁଠେଇ ଧରି ସ୍ଵୟଂ ଜାତିର ପିତା ଓ ତାଙ୍କ ପଛକୁ ଜାତିର ପିତୃବ୍ୟଙ୍କର ଗୋଟିଏ ଗୋଟିଏ ଦୀର୍ଘ ହାତ ବଢ଼ିଯାଏ କୌଣସି ନିର୍ଦ୍ଦିଷ୍ଟ ଭୋଟ ବାକ୍ସଆଡ଼କୁ, ସେତେବେଳେ ତାଙ୍କ ପଛରେ ଠିଆହୋଇଥିବା ଆବାଳ–ବୃଦ୍ଧବନିତାଙ୍କର ହାତର ବାଲଟ୍ ପେପରଗୁଡ଼ିକ ଆଉ ଯାଆନ୍ତା କୁଆଡ଼େ-? ଧର୍ମଯୁଦ୍ଧରେ ନଟବର ହାରନ୍ତା ନାଇ ତ ହାରନ୍ତା କିଏ ?

 

ସେତିକି ବେଳଠୁଁ ନଟବରର ଡାକ ମୋ କାନରେ ବାଜୁଛି–“ବିଭୁପ୍ରସାଦ ! ମା’ର ସନ୍ତାନରୂପେ ପରିଚିତ ହେବା ବରଂ ସହସ୍ର ଗୁଣରେ ଭଲ; କିନ୍ତୁ ଗୋଟିଏ ବାପର ସନ୍ତାନରୂପେ ପରିଚିତ ହେଲେହେଁ ଭ୍ରାତୃ–ବିବାଦ ଅନିବାର୍ଯ୍ୟ ।

 

ବେଳେବେଳେ ନଟବରର ଗୋଟାଏ ଗୋଟାଏ ଡାକ ମୋ କାନକୁ ଦୈବୀବାଣୀ ପରି ଶୁଭିଯାଏ । ଏଇ ବାଣୀ ଶୁଣି ସେଦିନ ସୁକୁମାରୀର ମା’କୁ ନିଜ ମା’ ବୋଲି ଅନ୍ତରରେ ବୁଝିନେଇଥିଲି ମୁଁ ଏବଂ ଏଇଥିରୁ ହିଁ ଜାତ ସୁକୁମାରୀ ପ୍ରତି ମୋର ସେଇ ଏକା ମା’ପେଟର ଭଉଣୀ ଭାବଟି । ଅବଶ୍ୟ ଏଇ ଭାବଟି ଯେ, ମଣିଷ–ମଣିଷ ଭିତରେ ଶେଷ ସମ୍ପର୍କ ବା ଶେଷ କଥା ତାହା ବର୍ତ୍ତମାନର ବିଚାର୍ଯ୍ୟ ନୁହେଁ ମୋର–ବାପା ! ହୋଇପାରେ ଏଇଟା ଆଉସବୁ କଥା ପରି ମୋର ଗୋଟାଏ ବିକାର କିମ୍ବା ଅନ୍ୟ କିଛି । କିନ୍ତୁ ଆଜି ସକାଳୁ ଏଇ ବିକାର ପାଇଁ ମୁଁ ତୁମର ଏଇ ଫଟଟି ବ୍ୟତୀତ ଆଉ କାହାକୁ ତ ଦାୟୀ କରିପାରୁନାଇ ବାପା !”

 

କପ୍–ପ୍ଲେଟ୍ ଆଉ ଲଣ୍ଠନ ପରି ବାପାଙ୍କର ଫଟଟାକୁ ଭାଙ୍ଗି ଚୂନା କରିଦେଇ ବିଭୁପ୍ରସାଦ ଗୁମ୍‍ମାରି ବସିପଡ଼ିଲା । ସୁକୁମାରୀର କାନ୍ଦ ସେଇ ଝଣଝଣାତରେ ବନ୍ଦ ହୋଇଗଲା । ସକାଳ ହୋଇଗଲା ଭାବି ସେ ଉଠିପଡ଼ିଲା–ବିଭୁପ୍ରସାଦ ପାଇଁ ଚା ତିଆରି କରିବାକୁ । କାରଣ ପାଭ୍‍ଲ୍‍ବଙ୍କ କୁକୁର ପରି ଏଇ କେତେଦିନ ଭିତରେ ସୁକୁମାରୀ ବେଶ୍ ପରିଚିତ ହୋଇଯାଇଥିଲା–ଘରଭିତରର ସେଇ ଝଣ୍‍ଝଣାତ୍ ଶବ୍ଦ ସହିତ ବାହାରେ ତାଳ ଦଉଥିବା ପ୍ରତି ନୂଆ ସକାଳର ପାଦଶବ୍ଦ ସହିତ !

 

ଆଠ

 

କିନ୍ତୁ ଏଣେ ସହରରେ ବାପାଙ୍କର ଫଟ ଭଙ୍ଗା ହେଲାବେଳକୁ ତେଣେ ନିଜେ ଭବାନୀପ୍ରସାଦ ଦ୍ୱିଗୁଣ ଉତ୍ସାହରେ ମାତିଉଠିଥାନ୍ତି ।

 

ଆଜି ଊର୍ଣ୍ଣନାଭ ଆଶ୍ରମର ଆନୁଷ୍ଠାନିକ ଉଦ୍‍ଘାଟନ ଉତ୍ସବ । ଅନିରୁଦ୍ଧ କଲେଜରେ ନାଁ ଲେଖାଇସାରି ଗାଁକୁ ଫେରିଆସିଥାଏ ଲୁଗାପଟା, ଟ୍ରଙ୍କ, ବାକ୍ସ ଧରି ଶେଷରେ ପାଠ ପଢ଼ିବାପେଇଁ ସହରକୁ ଯିବାକୁ । ଧାଁଧପଡ଼ କରି ଅର୍ଚ୍ଚନା ନିମନ୍ତ୍ରଣ କରି ସେଇ ପାଛୋଟି ଆଣୁଥାଏ ଅତିଥିମାନଙ୍କୁ-। ସବୁତକ ଅତିଥି ଏଇ ଗାଁର । ଆଉ ଏସବୁଙ୍କ ଭିତରେ ମୁଖ୍ୟ ଯେ ତାଙ୍କ ନାମଟି ଶୁଣିବାକୁ ଅଦ୍ଭୁତ–ଲାଙ୍ଗୁଳା ନରହରି ପରିଡ଼ାଏ । କିନ୍ତୁ ସବୁଠୁଁ ପୁରୁଖା ଆଉ ଯଥାର୍ଥ ଗାନ୍ଧିବାଦୀ କର୍ମୀ ଜଣେ-। ବୟସ–ମହାତ୍ମା ଗାନ୍ଧିଙ୍କ ସମବୟସ ତ ନୁହେଁ, ସମସାମୟିକ । ସେମିତି ଚନ୍ଦା ମୁଣ୍ତ, ହାତୀକିନିଆ, ମୁଦିଲା ମୁଦିଲା ଢେଗା ଢେଗା ଆଖିଉପରେ ଚଷମା । ପାର୍ଥକ୍ୟ ଭିତରେ ହଉଚି, ମହାତ୍ମାଙ୍କ ମୁହଁରେ ଦାଢ଼ି ନ ଥିଲା, ଦାଢ଼ି ଥିଲେ ବି ମହାତ୍ମାଜୀ କଦାପି ଛୋଟପିଲାଙ୍କୁ ଆପଣା ଦାଢ଼ି ସହିତ ଲାଗିବାକୁ ଏତେ ସ୍ଵାଧୀନତା ଦେଇନଥାନ୍ତେ । ଲାଙ୍ଗୁଳାଙ୍କର; କିନ୍ତୁ ନିଜ ଦାଢ଼ିଉପରେ ନିଜର ଅକ୍ତିଆର ନ ଥାଏ । ଆଉ ବୋଧହୁଏ ଏଇ କାରଣରୁ ମହାତ୍ମାଙ୍କ ଡାକ ନାଁ ଯେତେବେଳେ ଲୋକେ ଦେଇଥାନ୍ତି ‘ବାପୁ’; ନରହରି ପରିଡ଼ାଙ୍କୁ ଲୋକେ ଡାକୁଥାନ୍ତି–ନାଙ୍ଗୁଡ଼ାଏ ।

 

ଭବାନୀପ୍ରସାଦଙ୍କର ଚଉଦ ଗୁଣ୍ଠିଆ ହତା କାଠ ଫାଟକଉପରେ ଉତ୍ସବ ଉପଲକ୍ଷେ ତିଆରି ହୋଇଥାଏ–ତୋରଣଟିଏ । ସାଧାସିଧା ଦେବଦାରୁ ପତ୍ର ବନ୍ଧା ତୋରଣଟିଏ ଏ ନୁହେଁ । ଏ ତୋରଣରେ ଥାଏ ପ୍ରାଣ–ଯୋଉଁ ପ୍ରାଣ ଗତ କେତେମାସଧରି ଭବାନୀପ୍ରସାଦଙ୍କ ଛାତିଭିତରେ ପୁନରୁତ୍‍ଥାନର ମାଦଲ ବଜାଉଥାଏ ।

 

୧୯୨୧ରୁ ଆଜିଯାକେ ଯେତେ ପୁରୁଣା ଖଦିସୂତା ଭବାନୀପ୍ରସାଦ ଆପେ ହାତରେ କାଟି ସାବକ ଘର ଆଟୁଉପରେ ଜମା କରିଥିଲେ, ସବୁ ଆଜି ବାହାରିପଡ଼ିଚି ପଦାକୁ । ପୁରୁଣା ସୂତା ସାଙ୍ଗରେ ମିଶିଚି ନୂଆ । ସାତ ଆଠଦିନ ହେବ ଚରଖା ବୁଲେଇ ଗୋଛାଏ ନୂଆ ସୂତା କାଟି ପକେଇଛନ୍ତି ସେ । ସେଇ ସୂତାରେ ତିଆରି ହୋଇଚି ଫୁଲ; ସୂତାର ଲଟାରେ ସୂତାର ଫୁଲ ଆଉ ସୂତାର ଫଳ । ଖାଲି ସେତିକି ନୁହେଁ, ଭବାନୀପ୍ରସାଦଙ୍କୁ ଜଣା ମଧ୍ୟ–ସୂତାକୁ ଡିଜାଇନ୍ କରି କେମିତି ତିଆରି କରିବାକୁ ହୁଏ, ମଟର ଗାଡ଼ିର ମଡ଼େଲଠୁଁ ଆରମ୍ଭ କରି ସର୍ବାଧୁନିକ ରକେଟ୍ ପର୍ଯ୍ୟନ୍ତ–ଯନ୍ତ୍ରର ଫୁଲ, ଯନ୍ତ୍ରର ଗଛ, ଆଉ ଯନ୍ତ୍ର ଗଛରେ ଯନ୍ତ୍ରର ଫଳ–ସେଇ ଖଦିସୂତାରୁ ।

 

ଉପରୋକ୍ତ ପ୍ରକାର ସଜା ହୋଇଥିବା ତୋରଣଟି କେବଳ ମନୋହର ଦିଶୁନଥାଏ; ଦିଶୁଥାଏ ଗୋଟିଏ ଜୀବନ୍ତ ଶିଳାଲେଖ ପରି ।

 

ଫାଟକ ଆଗରେ ବାଁରୁ ଡାହାଣକୁ ଲମ୍ବିଥିବା ଖଦିସୂତାକୁ କଇଁଚିରେ କାଟି ମୁଖ୍ୟ ଅତିଥି ଲାଙ୍ଗୁଳା ନରହରି ପରିଡ଼ାଏ ଯେଉଁ ହତାର ଉଦ୍‍ଘାଟନ କଲେ ତା’ର ନାଁ, ଆଉ ଥରେ ଘୋଷଣା କରିଦିଆଗଲା–‘ଊର୍ଣ୍ଣନାଭ ଆଶ୍ରମ’ । ନାମଟିର ବ୍ୟାଖ୍ୟା ନାଙ୍ଗୁଡ଼ାଏ କରିଦେଲେ । ଭାଗବତରୁ ଧାଡ଼ିଏ ପଢ଼ି ‘ଊର୍ଣ୍ଣନାଭ’ ଶବ୍ଦର ଅର୍ଥ ସେ ଗୋଟାଏ ପ୍ରକାରେ କରୁଥିଲେ । ଭବାନୀପ୍ରସାଦ ସହାସ୍ୟ ଯୋଗକଲେ–“ନାଇ ଆଜ୍ଞାମାନେ, ଏ ଆଶ୍ରମଟି ବାବାଜୀ, ମାତାଜୀ, ନାମଯଜ୍ଞ କି ହୁକୁମ ହାକିମି ପେଇଁ ଉଦ୍ଦିଷ୍ଟ ନୁହେଁ । ଦୟାକରି ଭିତରକୁ ଆସିବା ହୁଅନ୍ତୁ ।”

 

ଆଗେ ଆଗେ ଭବାନୀପ୍ରସାଦ, ପଛେ ପଛେ ମୁଖ୍ୟଅତିଥି ନାଙ୍ଗୁଡ଼ାଏ, ତାଙ୍କ ପଛକୁ ଗ୍ରାମର ବଡ଼ ଛୋଟ ଅନ୍ୟାନ୍ୟ କର୍ମୀ, ଯୁବକ ସଘଂର ସଭାପତି ଓ ଅନ୍ୟାନ୍ୟମାନେ ପଶିଆସିଲେ ଆଶ୍ରମ ଭିତରକୁ । ସମସ୍ତେ ତାକତରକରେ ଅନଉଥାନ୍ତି ହତାଟିର ଏମୁଣ୍ଡରୁ ସେମୁଣ୍ଡକୁ, ଆଉ ମନେପକଉଥାନ୍ତି ଭବାନୀପ୍ରସାଦଙ୍କର ଚେତାବନୀଟିକୁ ଯେ, ଏ ଆଶ୍ରମ ସେ ‘ଆଶ୍ରମ’ ନୁହେଁ । ପାର୍ଥକ୍ୟଟି କଅଣ ଦେଖିବାପାଇଁ ସମସ୍ତେ ଉଣ୍ଡୁଥାନ୍ତି । ଏପରିକି ନାଙ୍ଗୁଡ଼ାଏ ହତାଭିତରକୁ ପଶି କଅଣ ମନ୍ତବ୍ୟ ଦେବେ ଭାବୁଥାନ୍ତି । ଏତିକିବେଳେ ତାଙ୍କର ନଜର ପଡ଼ିଗଲା । ଝଙ୍କାକଲମି ଆମ୍ବଡାଳରୁ ଝୁଲୁଥିବା ଗୋଟିଏ କଉତୁକିଆ ଦୋଳି ଉପରେ । ସେହି ଦୋଳିପାଖରେ ଠିଆହୋଇପଡ଼ି ନାଙ୍ଗୁଡ଼ାଏ ପ୍ରାୟ କହିଆସୁଥିଲେ, “ମାଷ୍ଟ୍ରେ ! ଭାରି ଶାନ୍ତ ଲାଗୁଚି ଏ ଜାଗାଟି ତ ! ବାସ୍ତବିକ ଅବସର ବିନୋଦନ ପାଇଁ ଦୋଳିଟିଏ ନିହାତି ଦରକାର । ଆମେ ସିନା ଦୋଳିଟିଏ ଦେଖିଲେ ବିଳାସବୃନ୍ଦାବନ କଥା ମନରେ ଭାବୁ । ନଚେତ୍, ବାସ୍ତବିକ ଏମିତି ଛାଇ ଶୀତୁଳିଆ ଜାଗାଟିରେ ଦୋଳିଟିଏ ଝୁଲୁଥିବାର ଦେଖିଲେ ମନରେ ଶାନ୍ତ ପବିତ୍ର ଭାବ ଆସିଯାଏ । ଭଲହେଲା, ଆଶ୍ରମଟିଏ କଲ ।”

 

ଉତ୍ତରରେ ଭବାନୀପ୍ରସାଦ ପୁଣି ହସିଦେଲେ, ଆଉ ଦୋଳିଟିକୁ ଦେଖେଇ କହିଲେ, “ଏ ଦୋଳି ଆମପେଇଁ ନୁହେଁ ଲାଙ୍ଗୁଳା ମହାଶୟ ! ଏ ଦୋଳିଟା–ହେଇଟି ସେଇ ତା’ର–ଜାଲିଘେରା ଘରକୁ ଯିବ । ସେ ଘରର ନାଁ ଡିପ୍ଲିଟର୍ । ଦେଖୁନାହାଁନ୍ତି, ସେଠି ଦଶଟି ନାଲି–ଧଳା ହେଇ କେମିତି ବସିଛନ୍ତି ! ଦୋଳି ଖେଳିବାକୁ ଭାରି ସୁଖପାଆନ୍ତି ସେ ଜୀବଗୁଡ଼ିକ । ଭାରି ଜାତିଆ ବି । ଆସୁ ଆସୁ ଦୋ’ଟି ଅଣ୍ଡାଦବାକୁ ବସିପଡ଼ିଲେଣି । ଏଣେ ଆସନ୍ତୁ, ଆଉ କଥା ସବୁ ଦେଖିବେ ।”

 

ବୟୋବୃଦ୍ଧ ଲାଙ୍ଗୁଳା ନରହରି ପରିଡ଼ାଙ୍କ ହାତକୁ ଛୁଇଁପକେଇବାମାତ୍ରେ ଭବାନୀପ୍ରସାଦଙ୍କ ଦିହରେ ଚାଉଁକରି ଲାଗିଲା । ଏଇ ହାତରେ ସର୍ବସ୍ଵ ଦାନ କରି ସ୍ଵୟଂ ଉତ୍କଳମଣିଙ୍କଠାରୁ ଏଇ ସେଦିନ ପରା ପାଇଥିଲେ ଉପାଧି–ଲାଙ୍ଗୁଳା...ଯାହାର ଅର୍ଥ ସ୍ଵାଧୀନତାରରୂପୀ କୋଣାର୍କର ନିର୍ମାତା ?

 

ଭବାନୀପ୍ରସାଦ ତଥାପି ବୁଝିନଥିଲେ, ଦେଶରେ ଏତେ ବଡ଼ ବଡ଼ ତ୍ୟାଗୀ ଆଉ କର୍ମୀ ଥାଉ ଥାଉ ଉତ୍କଳମଣି ଏଇ ନରହରି ପରିଡ଼ାଙ୍କୁ କାହିଁକି ଏଡ଼େ ଉପାଧି ଦେଇଥିଲେ...ସ୍ଵାଧୀନତା କୋଣାର୍କର ନିର୍ମାତା ! ତେବେ ସେ ଜାଣନ୍ତି, ପରିଡ଼ାଏ ଖୁବ୍ ଧନୀ ଥିଲେ । କିନ୍ତୁ ଯେତେ ଧନୀ ଥିଲେ ମଧ୍ୟ ଭାରତର ସ୍ଵାଧୀନତା କଦାପି ସେତିକି ଧନରେ କିଣା ହୋଇନାଇ, ହୋଇନପାରେ । ଏହାର ଏକମାତ୍ର ‘ଅଥବା’ ହେଉଛି ସେଇ ଆର ସମ୍ଭାବନାଟି ।

 

ନାଙ୍ଗୁଡ଼ାଙ୍କ ସମ୍ପର୍କରେ ଗୋଟିଏ କିମ୍ବଦନ୍ତୀ ମନେପଡ଼ିଗଲା ଭବାନୀପ୍ରସାଦଙ୍କର । ଶୁଣାଯାଏ ସ୍ଵାଧୀନତାର ସ୍ଵପ୍ନ ଲାଙ୍ଗୁଳାଏ ଦେଖିଥିଲେ ଅନ୍ୟ ପ୍ରକାରେ । ନାଙ୍ଗୁଡ଼ାଙ୍କ ବୟସ ସେତେବେଳେ କେତେ ବା ହୋଇଥିବ ? ଦିନେ ସେଇ ଯୁବାବେଳେ ‘ଦିବାସ୍ଵପ୍ନ’ରେ ସେ ଦେଖିଥିଲେ ମନ୍ଦିରର ଛବିଟିଏ । ସାଧାରଣତଃ ଦିନବେଳେ ଦେଖିଥିବା ସ୍ୱପ୍ନକୁ ମଣିଷ ବିଶ୍ୱାସ କରନ୍ତି ନାଇ; କିନ୍ତୁ ନାଙ୍ଗୁଡ଼ାଏ ବିଶ୍ୱାସ କରିଗଲେ–କେବଳ ସ୍ଵପ୍ନର ଛବିକୁ ନୁହେଁ, ସ୍ଵପ୍ନାଦେଶକୁ ମଧ୍ୟ-। ତାଙ୍କୁ ଆଦେଶ ହେଲା, “ନରହରି ! ତୁମେ ଜଗନ୍ନାଥଙ୍କ ପୂଜା ବନ୍ଦକରି ସୂର୍ଯ୍ୟପୂଜା ଆରମ୍ଭ କର-। ସୂର୍ଯ୍ୟ, ସ୍ଥାନ କାଳପାତ୍ରଦ୍ଵାରା ଆବଦ୍ଧ ନୁହନ୍ତି । ପ୍ରତିଦିନ ସେ ବିଶ୍ଵ ପରିକ୍ରମା କରନ୍ତି । ସୂର୍ଯ୍ୟ ହିଁ ସ୍ଵାଧୀନତାର ପ୍ରତୀକ । ଯାହା ଚଳନ୍ତି, ଆଉ ଯେଉଁ ଚଳନରୁ କାଳ ନିଜେ ଜନ୍ମହୁଏ, ତାହା ହିଁ ସ୍ଵାଧୀନତା । ତୁମ୍ଭେ ଏହି ଚିନ୍ତାକୁ ପ୍ରଚାର କର । ସୂର୍ଯ୍ୟପୂଜା ପାଇଁ ପୁଣି ସ୍ଥାଣୁ ମନ୍ଦିରର ଆବଶ୍ୟକତା ନାହିଁ ଏ ଦେଶରେ । ତଥାପି ଯଦି ମନ୍ଦିରଟିଏ ନିହାତି ଲୋଡ଼ା, ତେବେ ତାହା ହିଁ କର–ତାହା ହିଁ କର । କିନ୍ତୁ ବୁଝିରଖ ବତ୍ସ ! ଏ ମନ୍ଦିର ଖାଲି ସ୍ଥାଣୁ, କମକୂଟକଟା ପଥରର ଚକ କେଇଟା ଉପରେ ଯେମିତି ନ ରହେ ! ନଚେତ୍ ଏ ଦ୍ୱିତୀୟ ସୂର୍ଯ୍ୟମନ୍ଦିରଟି ମଧ୍ୟ ପ୍ରଥମଟି ପରି ଅଚିରେ ଭୁଶୁଡ଼ିପଡ଼ିବ !”

 

ନରହରି ପରିଡ଼ାଏ ପରଦିନ ସୂର୍ଯ୍ୟାସ୍ତ ପୂର୍ବରୁ ନିଜର ଅଚଳାଚଳ ସମ୍ପତ୍ତିକୁ କେବଳ ବିକ୍ରି କରିଦେଇନଥିଲେ, ବିକ୍ରି ଲବ୍ଧ ପାଣ୍ଠିକୁ ଆହୁରି ବିସ୍ତୃତ କରିବାପାଇଁ ସେ ଭିକ୍ଷାଝୁଲିଟା ଧରି ଦିନେ ଠିକ୍ ଏଇ ବେଶରେ ବାହାରିପଡ଼ିଲେ । ପରେ ଗାନ୍ଧିଜୀ ମଧ୍ୟ ଆପଣା ପନ୍ଥାରେ ଏଇ ବେଶରେ “ନଙ୍ଗଳା ଫକିର” ରୂପେ ପରିଚିତ ହେଲେ । କିନ୍ତୁ ଗାନ୍ଧିଜୀଙ୍କ ସହିତ ନରହରିଙ୍କର ଦେଖା ହୋଇନଥାଏ । ଜୀବନ ସାରା ଦେଖାହୋଇଛି କି ନାଇ ତାଙ୍କୁ ହିଁ ଜଣା; କିନ୍ତୁ ପରିଡ଼ାଙ୍କ ପାଣ୍ଠି ଭଗବତ୍ କୃପାରୁ ବଢ଼ିଚାଲିଲା । କେବଳ ଓଡ଼ିଶା ନୁହେଁ, ସାରା ଭାରତ ବୁଲି ବୁଲି ସେ ପାଣ୍ଠି ସଂଗ୍ରହରେ ଲାଗିପଡ଼ିଲେ । ଆଖିରେ ସେଇ ଗୋଟିଏ ସ୍ଵପ୍ନ–ମନ୍ଦିର ନିର୍ମାଣ କାନରେ ସେଇ ବାଣୀ–ହୁସିଆର ! ଦ୍ୱିତୀୟଟି ମଧ୍ୟ ପ୍ରଥମ ପରି ଭୁଶୁଡ଼ି ନ ପଡ଼େ ଯେମିତି !

 

ପାଣ୍ଠି ବଢ଼ିଲା । ବଢ଼ିଲା ମଧ୍ୟ ପାଣ୍ଠିସ୍ରଷ୍ଟାଙ୍କ ଦ୍ୱିଧା । ମନେମନେ ହଜାରେ କଳ୍ପନା କରି ଯାଉଥାନ୍ତି ସେ–କଅଣ ସେ ମନ୍ଦିରର ସ୍ଵରୂପ–ଯେ ହେବ ଭାରତର ଅଦ୍ଵିତୀୟ ଅଥଚ ସ୍ଥାଣୁ ନୁହଁ କି କମକୂଟ ଚକଉପରେ ନୁହେଁ !

 

ଶେଷକୁ ଦିନେ ଏମିତି ଅବସ୍ଥା ଆସିଗଲା । ଯାହା ଆସେ ପ୍ରତ୍ୟେକ ଦିବାସ୍ଵପ୍ନ ଦେଖିଥିବା କର୍ମୀର ଜୀବନରେ । ପ୍ରଥମରୁ ପାଣ୍ଠି ବଢ଼ୁଥିଲା, ଦ୍ୱିଧା ମଧ୍ୟ ବଢ଼ୁଥିଲା; କିନ୍ତୁ କମ୍ କମ୍ । ଶେଷକୁ ଏମିତି ହେଲା–ଦ୍ୱିଧା ବଢ଼ିଲା ଜୋର୍ ଜୋର୍; ପାଣ୍ଠି କିନ୍ତୁ ଆଉ ବଢ଼ିପାରିଲା ନାହିଁ ।

 

ଏତିକି ପାଣ୍ଠିରେ ଅଦ୍ଵିତୀୟ ସୂର୍ଯ୍ୟମନ୍ଦିରଟିଏ ଯେ କେବେ ତୋଳାଯାଇପାରେ ଏ ସନ୍ଦେହ ଆସିଯିବାମାତ୍ରେ ଯୁବକ ନରହରି ପରିଡ଼ାଙ୍କ ମୁଣ୍ଡରେ ପଶିଗଲା ଚିନ୍ତା ! ପାଗଳଙ୍କ ପରି ପାଣ୍ଠିକୁ ଝୁଲାମୁଣିରେ ଝୁଲେଇ ନରହରି ଦଉଡ଼ିବାକୁ ଲାଗିଲେ ଏଠୁ ସେଠିକି, ସେଠୁ ଏଠିକି । ଉତ୍କଳମଣି ଉପାଧି ତ ସେତେବେଳକୁ ଜନ୍ମ ହୋଇନଥାଏ । ନରହରିଙ୍କ ପାଣ୍ଠି କଥା ସେତେବେଳେ ଯାହା କାନରେ ବାଜିଲା, ସେ ପଡ଼ିଗଲା ତାଙ୍କ ପିଛା । ବୁଢ଼ୀମା’ପେଇଁ ପିଠା ଦୋଟି କାନିରେ ବାନ୍ଧିଥିବା ଛୁଆଟି ପଛରେ ବଣର ଗଧିଆ ପଡ଼ିଲା ପରି ଲୋକେ ଯେତେବେଳେ ପରିଡ଼ାଙ୍କ ପିଛା ଧଇଲେ, ସେତିକିବେଳେ ତାଙ୍କ ଜୀବନର ଦ୍ଵିତୀୟ ଓ ଶେଷ ସ୍ଵପ୍ନାଦେଶଟି ସେ ଶୁଣିପାରିଲେ ।

 

ଦିନେ ପରିଡ଼ାଏ ମଉନ ହୋଇ, ସୂର୍ଯ୍ୟଙ୍କୁ ପିଠି କରି ଖବରକାଗଜ ପଢ଼ୁଥିଲେ । ସ୍ଵାଧୀନତା ଆନ୍ଦୋଳନର ପ୍ରଥମ ମୂଳଦୁଆ ପଡ଼ୁଥାଏ ସେତେବେଳେ ଦେଶରେ । କେଉଁ ବଡ଼ ନେତାଙ୍କ ସ୍ୱାକ୍ଷରରେ ପାଣ୍ଠିକୁ ମୁକ୍ତହସ୍ତରେ ଚନ୍ଦା ଦିଅ ବୋଲି ଆବେଦନଟିଏ ବଡ଼ ବଡ଼ ଅକ୍ଷରରେ ପ୍ରଥମ ପୃଷ୍ଠାରେ ବାହାରିଥାଏ–କେଉ ସ୍ୱଦେଶୀ ଇଂରାଜୀ କାଗଜରେ । ସେଇ କାଗଜରେ ପଛପାଖକୁ ଗୋଟିଏ ଏଣୁତେଣୁ ବିଜ୍ଞାପନ କଡ଼ରେ ମଧ୍ୟ ବାହାରିଥାଏ ଆଉ ଗୋଟିଏ ଛୋଟିଆ ‘ଆବେଦନ’ । ସମ୍ୱାଦଟି ସେଇଠୁ ପାଇଗଲେ ପରିଡ଼ାଏ । କାଶୀରେ, ମଦନ ମୋହନ ମାଲବ୍ୟ ନାମଧାରୀ ଜଣେ ଭିକ୍ଷୁ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଭିକ୍ଷାଝୁଲି ଧରି ବାହାରିଛନ୍ତି । ଏଇ ସମ୍ବାଦଟି ପାଇବାମାତ୍ରେ ହଠାତ୍ ପରିଡ଼ାଙ୍କ ଆତ୍ମ–ସଂଶୟ ଉପସ୍ଥିତ ହୋଇଗଲା । କିମ୍ଭୂତ ଧାରଣାର ବଶବର୍ତ୍ତୀ ହୋଇ ସେଦିନ ପରିଡ଼ାଏ ଠିକ୍ କରିଦେଲେ ଯେ, କିଛି ନୁହେଁ–ସେଇ ଯେଉଁ ଦିବାସ୍ଵପ୍ନଟି ତାଙ୍କୁ ମୃଗତୁଷ୍ଣାପରି ଦିନେ ଦେଖାଦେଇଥିଲା, ପ୍ରକୃତିର ସେ ସ୍ଵପ୍ନଟି ଠିକ୍ ସେତିକିବେଳେ କେତେ ଦୂରରେ ଥାଇ ଦେଖୁଥିଲେ ଆଉ ଜଣେ କିଏ, ଯେ ସମୁଦ୍ରର ପ୍ରକୃତି ସନ୍ଧାନ ପାଇଥିଲେ । ସେ ଏଇ ମାଲ୍ୟବ୍ୟଜୀ–ଯେ ପ୍ରକୃତ, ମୂଳସ୍ଵପ୍ନର ଅସଲ ଦ୍ରଷ୍ଟା । ଏଇ ସ୍ଵପ୍ନର ପ୍ରତିବିମ୍ବ ମାତ୍ର ନଙ୍ଗୁଡ଼ାଏ ଦେଖିଥିଲେ; ଆଉ ଅସଲ ପାଖରେ ପ୍ରତିବିମ୍ବର ସ୍ଥାନ ଯେତିକି ମାଲବ୍ୟଜୀ ଓ ଆଉ ନରହରିଙ୍କ ଭିତରେ ଉଚ୍ଚାନିଚାର ସ୍ଥାନ ସେତିକି ହେବା ଉଚିତ ! ଦୁଃଖ କଲେନାଇ ପରିଡ଼ାଏ ତାଙ୍କର ଭ୍ରମ ପାଇଁ । ବରଂ ଆନନ୍ଦିତ ହେଲେ ଯେ, ରୁକ୍‍ମଣୀଙ୍କ ପାଇଁ ଉଦ୍ଦିଷ୍ଟ କୃଷ୍ଣଙ୍କର ବଂଶୀସ୍ଵନ ହେଲେ ମଧ୍ୟ ତାହା ତଥାପି କେତେ ଦୂରରେ ଥିବା ରାଧାଙ୍କ କାନରେ ଏମିତି ବେଳେବେଳେ ବାଜିଯାଏ ଆଉ ଭ୍ରମ ସୃଷ୍ଟି କରିଥାଏ !

 

ସେଦିନ ଅଜ୍ଞତାରେ ସୂର୍ଯ୍ୟମନ୍ଦିର ପାଇଁ ଉଦ୍ଦିଷ୍ଟ ସମସ୍ତ ପାଣ୍ଠି ମାଲବ୍ୟଜୀଙ୍କ ଥଳୀରେ, ଅତିଶୟ ଗୋପନରେ ଅଜାଡ଼ି ଦେଇଆସିଥିଲେ ପରିଡ଼ାଏ । ସତ୍ୟ କିନ୍ତୁ ଲୁଚିରହେନା । କେବଳ, ବୃହତ୍ତର ସତ୍ୟ କ୍ଷୁଦ୍ର ଆକାରରେ ନିଜକୁ ପ୍ରକାଶ କରିବାକୁ ଭଲପାଏ ।

 

କେତେଦିନ ବିତିଗଲା । ଇତିମଧ୍ୟରେ ପରିଡ଼ାଏ ସୂର୍ଯ୍ୟଙ୍କୁ ଛାଡ଼ି ପୁଣି ଜଗନ୍ନାଥଙ୍କୁ ଧରିନେଇଥାନ୍ତି । କଥିତ ଅଛି, ଦିନେ ଜଗନ୍ନାଥ–ସଡ଼କ ଉପରେ କୁଢ଼ କୁଢ଼ ହୋଇ ପଡ଼ିଥିବା ହଇଜା ମଡ଼ାଭିତରୁ ଜୀଅନ୍ତା ମଣିଷଙ୍କୁ ଉଦ୍ଧାର କରୁ କରୁ ନିଜେ ‘ଉତ୍କଳମଣି’ ହିଁ ପରିଡ଼ାଙ୍କ ଜୀବନକୁ ଉଦ୍ଧାର କରିଥିଲେ । କୁଆଡ଼େ ଉପାଧିଟି, ସେଇ ଗୁହ ବାନ୍ତିରେ ଅଣ୍ଡାଳି ହେଉଥିଲାବେଳେ, ପରିଡ଼ାଙ୍କ କାନରେ ବାଜିଥିଲା–“ଉଠ ଲାଙ୍ଗୁଳା–ଉଠ–ସ୍ଵାଧୀନତାର ନିର୍ମାତା”–‘ଉତ୍କଳମଣି’ଙ୍କର ସେ କାନ୍ଦ କାନ୍ଦ ଡାକ ଡାକ ଲୋକମୁଖରେ ସେହିଦିନୁ ଯେ ରହିଗଲା, ରହିଗଲା ନରହରି ପରିଡ଼ାଙ୍କ ନାମ ପୂର୍ବରେ ! ଏକ ଡାକ ଆଜି ଅପଭ୍ରଂଶ ହୋଇଚି ନାଙ୍ଗୁଡ଼ାକୁ ।

 

ସମ୍ମାନିତ ଅତିଥି ନାଙ୍ଗୁଡ଼ାଙ୍କ ହାତଧରି ଭବାନୀପ୍ରସାଦ ଆପଣାର “ଊର୍ଣ୍ଣନାଭ ଆଶ୍ରମ”ର ଚାରିକୋଣ ବୁଲେଇ ଆଣିଲେ ଓ ବୁଝେଇ ଦେଇଗଲେ ଆଶ୍ରମର ତାତ୍ପର୍ଯ୍ୟ । ପରିଦର୍ଶନ ଶେଷରେ ମୁଖ୍ୟ ଅତିଥି ମନ୍ତବ୍ୟ ଦେଲେ–

 

“ମାଷ୍ଟ୍ରେ ! ତୁମେ ଯେତେ କୁହ, ଏ ଆଶ୍ରମ ଗୋଟିଏ ଶାନ୍ତିର ତପୋବନ ନୁହେଁ ବୋଲି; ମୋର ମନ ମାନୁନାହିଁ । ମୋ ଆଖିରେ ଭାରତର ପ୍ରତି ଚିମୁଟାଏ ମାଟି ଶାନ୍ତି ଆଉ ପବିତ୍ରତାର ପ୍ରତୀକ; କିନ୍ତୁ ଅଦ୍ୟାବଧି ଭାରତର ମାଟି କହିଲେ ଆମେ ଭାରତର ଚାରିଧାମକୁ ହିଁ ବୁଝିଥାଉ । ତୁମ ଆଶ୍ରମର ଚାରିକଣରେ ଏ ଚାରିଧାମ ମୁଁ ଦେଖିବାକୁ ପାଉଛି । ଯାକୁ ତୁମେ ଧର୍ମ, ଅର୍ଥ, କାମ, ମୋକ୍ଷ କହିପାର କିମ୍ବା କହିପାର ଖାଦ୍ୟ, ବସ୍ତ୍ର, ବିଦ୍ୟା, ଓ ଔଷଧ । ଏଇ ଚାରି ମଝିରେ ଶାନ୍ତିର ବାସ । ତୁମ ଆଶ୍ରମ ଯଥାର୍ଥରେ ଗାନ୍ଧିଜୀଙ୍କ ପରିକଳ୍ପିତ ଗୋଟିଏ ଗ୍ରାମ୍ୟ ସ୍ୱରାଜ୍ୟର ପ୍ରଦର୍ଶନୀ ଗୃହପରି ଦିଶୁଅଛି । ବାସ୍ତବିକ୍ ସ୍ୱାଧୀନ ମଣିଷଟିଏ ସପରିବାର ଏଇ ଚଉଦଗୁଣ୍ଠ ଜମିର ଆୟରେ ହିଁ ସୁରୁଖୁରୁରେ ଚଳିଯାଇପାରେ । ଏହାହିଁ ତ ପ୍ରକାରାନ୍ତରେ ରାମରାଜ୍ୟର ଛୋଟ ନକ୍ସାଟିଏ ପରି ମତେ ଦିଶୁଛି ! ଭଗବାନ ଏ ଯୋଜନାକୁ ସଫଳ କରନ୍ତୁ !”

 

ଭବାନୀପ୍ରସାଦ ଉତ୍ସାହିତ ହୋଇଉଠିଥାନ୍ତି । ଊର୍ଣ୍ଣନାଭ ଆଶ୍ରମ ପ୍ରତି ସେଇ ପ୍ରଥମ “ଗ୍ରାମ୍ୟ ସ୍ଵରାଜ୍ୟ” ଶବ୍ଦଟି ତାଙ୍କୁ ବାସ୍ତବିକ୍ ପ୍ରୀତ କରିଥାଏ । ଲାଙ୍ଗୁଳାଙ୍କ ପଛେ ପଛେ ଚାଲିଥିବା ଗ୍ରାମର ଆଉ କେତେଜଣ ସାଧାରଣ କର୍ମୀ ଓ କମ୍ ବୟସ; କିନ୍ତୁ ସମଝଦାର ଲୋକଙ୍କୁ ଆଶ୍ରମର ଉଦ୍ଦେଶ୍ୟ ବୁଝେଇବାକୁ ଯାଇ ଭବାନୀପ୍ରସାଦ କହୁଥାନ୍ତି–“ଏଥିରେ ଲାଗିଥିବା ଗୋଟିଏ ହେଲେ ପଇସା ଆମେରିକାଠାରୁ ଉଧାର କରା ନୁହେଁ । ମୋ ନିଜ ଉପାର୍ଜିତ ବି ନୁହେଁ ! ସେଇ ପୈତୃକ ଭୂମିର ବିକ୍ରିଲବ୍ଧ କିୟତ୍ ଅଂଶକୁ କପା, କନ୍ଦମୂଳ, କୁକୁଡ଼ା ଆକାରରେ ମାତ୍ର ବିଛେଇ ଦେଇଛି । ସେଇ ପୈତୃକତାରୁ ଏତିକି ହିଁ ମୋର ମୂଳଧନ । ମୁଁ ବର୍ତ୍ତମାନ ପ୍ରମାଣ କରିବାକୁ ଚାହେଁ ଅନ୍ତଃସ୍ଥ ଓ ବହିଃସ୍ଥ ସୀମା ଚିହ୍ନିତ ଯେଉଁ ମା’ଗର୍ଭରେ ଦଶମାସ ଆମକୁ ରହିବାକୁ ପଡ଼ିବ, ସେ ଗର୍ଭରେ ଆମପେଇଁ ଯଥେଷ୍ଟ ସ୍ଥାନ, ଯଥେଷ୍ଟ ଖାଦ୍ୟ, ଯଥେଷ୍ଟ ସ୍ଵାସ୍ଥ୍ୟ ଆଉ ନିରାପତ୍ତା ଅଛି କି ନାହିଁ ! ଅନ୍ୟ କଥାରେ ମୁଁ ପ୍ରମାଣ କରିବାକୁ ଚାହେଁ–ଯେମିତି ଜଣେ ବୈଜ୍ଞାନିକ ତା’ର ଟେଷ୍ଟଟିଉବ୍ ଭିତରେ କୌଣସି ତଥ୍ୟ ପ୍ରମାଣ କରେ, ସେମିତି ମୁଁ ପ୍ରମାଣ କରିବାକୁ ବସିଚି ଗୋଟିଏ କ୍ଷୁଦ୍ର ସୀମାଭିତରେ ଜୀଇଁଥିବା ଜୀବ ଅର୍ଥନୈତିକ ରାଜନୈତିକ ସ୍ଵାଧୀନତା ସହିତ ନୈତିକ ସ୍ଵାଧୀନତା ମଧ୍ୟ ହାସଲ କରିପାରେ କି ନା ।”

 

କର୍ମୀମାନଙ୍କ ମଧ୍ୟରୁ ଅଧିକାଂଶ ତଥାପି ପର୍ଯ୍ୟବେକ୍ଷଣରେ ବ୍ୟସ୍ତ ଥାଆନ୍ତି । କେହି କେହି ମହୁ ବାକ୍ସକୁ ପରଖୁଥାଆନ୍ତି ତ ଆଉ କେହି କେହି ଛୋଟ ଛୋଟ କୁଣ୍ଡରେ କେତୋଟି ଚାରା ଗଛକୁ ପରଖୁଥାଆନ୍ତି । କି ଗଛ ମ ଏଗୁଡ଼ାକ ? ସେମାନେ ପରସ୍ପରକୁ ପଚରା ଉଚରା ହେଉଥାନ୍ତି-। ଜଣେ କେହି ଉତ୍ତର ଦେଉଥାଏ–ଆୟାପାନ ! ଯାବତୀୟ ପେଟ ବେମାରି ଗୋଟିଏ ପାନରେ ଭଲ ହୁଏ । ଆୟାପାନ ? ଜଣେ ତଥାପି ଫଟେଇ ହଉଥାଏ । କାରଣ ଶବ୍ଦଟି ବିଦେଶୀ ପରି କାନକୁ ଶୁଭୁଥାଏ ବୋଲି କି କଅଣ । ପରସ୍ପର ଭିତରେ ବିଚାରରେ କିଛି ସ୍ଥିର ନ ହୋଇପାରିବାରୁ ସେମାନେ ସେଇ ଗଛର ଗୋଟିଏ ପତ୍ର ଛିଣ୍ଡେଇ ଭବାନୀପ୍ରସାଦଙ୍କ ନିକଟକୁ ଯାଉଥାନ୍ତି ଓ ପଚାରୁଥାନ୍ତି, “ମାଷ୍ଟ୍ରେ ! ଏ ପ୍ରକାର ଗଛ କୋଉ ମଣ୍ଡଳରେ ଭଲ ବଢ଼େ ?” ଭବାନୀପ୍ରସାଦ ନିଃସନ୍ଦେହରେ ଶିକ୍ଷକ ସୁଲଭ କଣ୍ଠରେ ଉତ୍ତର ଦିଅନ୍ତି, “ହିମମଣ୍ଡଳରେ ଭଲ ବଢ଼େ-। କିନ୍ତୁ ଗ୍ରୀଷ୍ମମଣ୍ଡଳରେ ବଞ୍ଚିପାରେ ।” ପ୍ରଶ୍ନକର୍ତ୍ତା ଈଷତ୍ ହସି କହିଲେ, “ସବୁ ଠିକ୍ । ତେବେ ଏ ତ ନିଶ୍ଚୟ ବିଦେଶୀ ବୃକ୍ଷ । ଏ ବିଦେଶୀକୁ ପୁଣି ଆଣି ପୂରେଇଲେ ୟା ଭିତରେ ଯେ !”

 

ଭବାନୀପ୍ରସାଦ ଦୂରରେ ଥାଇ ନୈତିକ ସ୍ଵାଧୀନତାର ଅର୍ଥ ଗ୍ରାମର ପୁରୁଖା ଲୋକଙ୍କୁ ବୁଝୋଉଥିଲାବେଳେ ଔଷଧ ବଗିଚାର ଗଛରୁ ପତ୍ର ଛିଣ୍ଡାଇବା କାର୍ଯ୍ୟକୁ ନାପସନ୍ଦ ଆଖିରେ ଦେଖିଥାନ୍ତି । ଯେ ଛିଣ୍ଡାଇଲା ତାକୁ ବ୍ୟକ୍ତିଗତ ଭାବେ ଭବାନୀପ୍ରସାଦ ସେତେ ଭଲ ଚିହ୍ନନ୍ତି ନାହିଁ । କିନ୍ତୁ ତା’ର ପତ୍ର ଛିଣ୍ଡାଇବା ବାଗରୁ ଲୋକଟିର ଧରଣ ତାଙ୍କୁ ଭଲ ଲାଗିନଥାଏ । ଲୋକଟି ଅଧିକ ବୟସ୍କ ନୁହେଁ, ତେବେ ଅତି କମ୍ ବୟସର ବି ନୁହେଁ । ଭବାନୀପ୍ରସାଦ ଗାଁ ସ୍କୁଲରେ ଶିକ୍ଷକତା କରୁଥିଲାବେଳେ ସେ ସ୍କୁଲରେ ନାମ ଲେଖାଇଥିଲା; କିନ୍ତୁ କୌଣସି କାରଣରୁ ଗାଁ ସ୍କୁଲ ଛାଡ଼ି ତା’ ମାମୁଁଘର ସ୍କୁଲକୁ ଗଲା । ସେଠୁ, ତା’ ବୟସର ଅଧିକାଂଶ ପିଲାଙ୍କ ପରି ସେ ସ୍କୁଲ ଛାଡ଼ି ମିଶିଥିଲା ସେତେବେଳର ଲୁଣ ମରାରେ । ଜେଲ୍ ଯାଇନାହିଁ ମାତ୍ର ନିଜ ନାମରେ ଅନେକ କାଳ ଧରି ଜେଲ୍ ଯାଇଛି ବୋଲି ପ୍ରଚାର ଚଳେଇଥିଲା । ସେ କାଳର ସମାଜରେ ଜେଲ୍ ଯାଇଥିବା ବ୍ୟକ୍ତିକୁ ଲୋକେ ଏକଘରିକିଆ କରୁଥିଲେ । ଭବିଷ୍ୟତରେ ଏହି ଜେଲ୍ ଯିବା ଗୋଟିଏ ବିଶ୍ଵବିଦ୍ୟାଳୟ ଡିଗ୍ରୀର ସମ୍ମାନ ପାଇବ ବୋଲି କେହି କଳ୍ପନା କରିନଥିଲେ । ନିଜ ନାମରେ ଏପରି ଗୋଟାଏ ମିଥ୍ୟା ପ୍ରଚାର କରିବା ପଛରେ କି ଅଭିସନ୍ଧ ଥିଲା, କେହି ନ ବୁଝି ନ ଶୁଝି ଲୋକେ ୟାକୁ ସମାଜରୁ ବାଛନ୍ଦ କରିଥିଲେ । ଲୋକଟି ସ୍ଵେଚ୍ଛାରେ ସମାଜର ଦଣ୍ଡକୁ ବରଣ କରିନେଲା ଆଉ ‘ଯେ ଅପେକ୍ଷା କରେ ସେଇ ଜିତେ’ ଫାଷ୍ଟ ବୁକର ଏଇ ଗୋଟାଏ ଲେସନକୁ ନିଶ୍ଚୟ ସେ ପାଣି କରିଥିଲା । ଆପଣା ଉପରେ ଦୃଢ଼ବିଶ୍ଵାସ ରଖି ବାରବର୍ଷ କାଳ ନାନା ହୀନସ୍ତା ଭୋଗିଲାପରେ ଶେଷକୁ ଆସିଲା ୧୯୪୭ ଅଗଷ୍ଟ ପନ୍ଦର । ତପସ୍ୟାର ସୁଫଳ ଫଳିଲା । ତଥାପି ଗ୍ରାମ୍ୟ ସମାଜ ତା’ ନୀତିରେ ଦୃଢ଼ ରହିଥାଏ । କ୍ଷତ୍ରିୟ ପୁତ୍ର ବିଶ୍ଵାମିତ୍ର ବ୍ରହ୍ମର୍ଷି ଉପାଧି ଲାଭ ନ କରିପାରି ଥରକୁଥର ତପସ୍ୟାପ୍ରାପ୍ତ ସିଦ୍ଧିକୁ ବଶିଷ୍ଠଙ୍କ ଉପରେ ଆଣି ପରଖିଲା ପରି ଏ ଲୋକ ଗାଁକୁ କେତେବାର ପକେଇଚି ଉଠେଇଚି । ୧୯୪୭ରୁ ଅଦ୍ୟାବଧି ବିଭିନ୍ନ ପର୍ଯ୍ୟାୟରେ ଏ ଲୋକ ଗ୍ରାମର ଅଶେଷ କ୍ଷତି ଘଟାଇ ଆସିଥିଲେ ମଧ୍ୟ ମନେମନେ ଭବାନୀପ୍ରସାଦ ଲୋକଟିକୁ ସମ୍ମାନ କରନ୍ତି । ଏହାର ଏକମାତ୍ର କାରଣ ହେଉଛି ଲୋକଟିର ସେଇ ବିଶ୍ୱାସ, ଯେଉଁ ବିଶ୍ୱାସ ବଳରେ ମିଥ୍ୟାଉପରେ ମଧ୍ୟ ଜଣେ ବାରବର୍ଷ କାଳ ଅଟଳ ରହିପାରେ !

 

ଲୋକଟିର ପ୍ରଶ୍ନକୁ ସମ୍ମାନ ଦେଖାଇ ଭବାନୀପ୍ରସାଦ ଉତ୍ତର ଦେଲେ, “ଏ ବୃକ୍ଷ ବିଦେଶୀ ବୃକ୍ଷ କି ନା ମୁଁ ଜାଣେନା । ଆପଣ ଗଛର ନାଁରୁ ହିଁ ବୋଧହୁଏ ବିଦେଶୀ ଦେଶୀ ବୋଲି ଚିହ୍ନୁଚନ୍ତି । ମୋର ଚିହ୍ନିବା ବାଗ କିନ୍ତୁ ଭିନେ । ଶୁଣନ୍ତୁ ବାଘ ଆଉ ରୋଗ ଆଗରେ ବିଦେଶୀ ଦେଶୀ ମଣିଷ ସମ୍ଭଳା ପଡ଼େନାହିଁ । ମହାତ୍ମା ଗାନ୍ଧି ତ ପୁଣି ବିଶ୍ୱଯୁଦ୍ଧ ବେଳେ ବିଦେଶୀ ଶାସକଙ୍କୁ ସମର୍ଥନ କରିବାପେଇଁ ଆହ୍ୱାନ ଦେଇଥିଲେ । ମାତୃଭୂମି ଆଉ ମଣିଷ ଭିତରେ ବଡ଼ ଛୋଟର କଥାପଡ଼ିଲେ ମଣିଷ ନିଶ୍ଚୟ ବଡ଼ ବୋଲି ଯେକେହି କହିବ “ଊର୍ଣ୍ଣନାଭ ଆଶ୍ରମ” ଗୋଟିଏ ଦାତବ୍ୟ ଅନୁଷ୍ଠାନ ନହେଲେ ମଧ୍ୟ ଲୋକହିତକର କାର୍ଯ୍ୟ ନିଶ୍ଚୟ କରିବ । ଏଣୁ ଦେଶ ବିଦେଶ ନିର୍ବିଶେଷରେ ଔଷଧ ବୃକ୍ଷ ଆମଦାନୀ କରିବା “ସ୍ୱରାଜ୍ୟ”ର ନୀତିବିରୁଦ୍ଧ ନୁହେଁ । ତା’ ଛଡ଼ା ଆମେ ତ ବିଦେଶୀ କଳରେ ତିଆରି ଔଷଧ ଆଣିନାହୁଁ । ଆଣିଛୁ ଏଇ ମାଟିରେ ବଢ଼ିପାରୁଥିଲାଭଳି ଗଛଟିଏ । ମନେକରନ୍ତୁ ଏ ଗଛର ନାଁ ବିଦେଶୀ “ଆୟାପାନ” ନ ହୋଇ ସଂସ୍କୃତ “ଆୟୁ–ପାନ” ଦିଆହେଲା, ଏଥର ହେଲା ତ-?”

 

ଭବାନୀପ୍ରସାଦଙ୍କ କଥାକୁ କାନେଇ ମଧ୍ୟ ଏତେବେଳଯାକେ କର୍ମୀ ଜନକ କଅଣ ଚିନ୍ତା କରୁଥାନ୍ତି । ବୋଧହୁଏ ସେ ଭବାନୀପ୍ରସାଦଙ୍କ ଉପରେ ସନ୍ତୁଷ୍ଟ ହୋଇପାରିଲେ ନାହିଁ । “ନାଙ୍ଗୁଡ଼ା”ଙ୍କ ପରି ତାଙ୍କର ବି ଗୋଛାଏ ଦାଢ଼ି ଥାଏ । ବୋଧହୁଏ ଆହୁରି ଗହଳିଆ । ପିଲାମାନଙ୍କ ହାତ ଗାଁର ଏ ଦାଢ଼ିଟି ସହିତ ମଧ୍ୟ ଖୁବ୍ ପରିଚିତ । କିନ୍ତୁ ନାଙ୍ଗୁଡ଼ାଙ୍କ ପରି ନୁହେଁ । ହାତ ସୁଖ କରିସାରି ପିଲାଏ ୟାଙ୍କୁ ରଗେଇବା ପେଇଁ କହନ୍ତି–“ତୁମର ବାରବର୍ଷିଆ ତାଙ୍କର ବେଣାଚେର !” ଦାଢ଼ିଆଏ ରାଗିଯାନ୍ତି । ପିଲାଙ୍କୁ ଗାଳି ଦଉ ଦଉ ସେ ନାଙ୍ଗୁଡ଼ାଙ୍କ ନାମରେ ଅପପ୍ରଚାର ଆରମ୍ଭ କରିଦିଅନ୍ତି । ଏମିତି ସବୁବେଳେ, ବ୍ୟକ୍ତିଗତ ଈର୍ଷାରୁ ସଚରାଚର ଯେମିତି ସତ୍ୟ ବା ଅସତ୍ୟ ଜନ୍ମହୋଇପଡ଼େ ସେମିତି ନାଙ୍ଗୁଡ଼ାଙ୍କ ସୁନାମର ଏକମାତ୍ର କଳଙ୍କ ପ୍ରଚାରିତ ହୋଇଯାଏ ଯେ ନାଙ୍ଗୁଡ଼ାଏ ସୂର୍ଯ୍ୟ ମନ୍ଦିର ତୋଳା ପାଣ୍ଠିରୁ ପୋଷେ କାଢ଼ିନେଇ କୁଆଡ଼େ ଆପଣାର ଏକମାତ୍ର ଝିଅ ଜୋଇଙ୍କୁ ଦେଇଦେଇଥିଲେ ।

 

ଭବାନୀପ୍ରସାଦଙ୍କ ଉତ୍ତରରେ ଦାଢ଼ିଆଏ ସନ୍ତୁଷ୍ଟ ନ ହୋଇପାରିବାର ଏକମାତ୍ର କାରଣ ବୋଧହୁଏ ହୋଇଥାନ୍ତି–ନାଙ୍ଗୁଡ଼ାଏ । ସହଜେ ସେ ମୁଖ୍ୟ ଅତିଥି । ପୁଣି ଭବାନୀପ୍ରସାଦଙ୍କ ନାମକରଣକୁ ସମର୍ଥନ କରି ନାଙ୍ଗୁଡ଼ାଏ କହିଲେ–“ଆୟୁ–ପାନ ! ବାଃ ! ବିଶୁଦ୍ଧ ସଂସ୍କୃତ ଭଳି ଶୁଭୁଚି ତ । ଏପରି ସ୍ଥଳେ ଦେଶୀ ବିଦେଶୀ ଭେଦଭାବ ଗୋଟାଏ କଅଣ ?”

 

“କଅଣ କହିଲେ ?” ବାରବର୍ଷିଆଏ ନିଜର ଦାଢ଼ିକୁ ଖୁବ୍ ଜୋର ଝିଙ୍କିଦେଇ କହିଲେ, “ତେବେ ଆମେରିକା ଟଙ୍କାଟା ଗନ୍ଧଉଚି କାହିଁକି ? ଟଙ୍କା ତ ସଭ୍ୟତାର ମଞ୍ଜି ! ତାଙ୍କ ବାଡ଼ିରୁ ଟଙ୍କାର ବିହନ କିଛି ଆଣିଲ, ଏ ବାଡ଼ିରେ ବୁଣିଲ, ଫଳିଲା–ଖାଇଲ, ଖୁଏଇଲ; ଖରାପଟା କଅଣ ହେଇଗଲା ?”

 

“ଟଙ୍କା ସଭ୍ୟତାର ମଞ୍ଜି ନୁହେଁ । କଳିର ମଞ୍ଜି ! ଗାନ୍ଧିଜି ସେଇଥିପାଇଁ କହିଥିଲେ–ବିଦେଶୀ ମଞ୍ଜିମାନଙ୍କ ଭିତରେ ଦି କିସମର ମଞ୍ଜି ଖେଚଡ଼ । ଗୋଟିଏ ହେଲା ବିଦେଶୀ ଟଙ୍କା, ଅନ୍ୟଟି ହେଲା ‘ବିଦେଶୀ’ ମଣିଷ । ଅସଲ ସ୍ୱରାଜ୍ୟ ପାଇଁ ଏ ଦୁହିଁଙ୍କୁ ପ୍ରଥମେ ନିଜ ମାଟିରୁ ବାଳୁଙ୍ଗା ଉପାଡ଼ିଲା ପରି ଉପାଡ଼ିଦବ !” ଅବଶ୍ୟ ନାଙ୍ଗୁଡ଼ାଏ କଥା କହୁ କହୁ ହଠାତ୍ ଥରିଗଲେ, ତାଙ୍କର ସ୍ୱର ଚହଲି ଗଲା । ନାଙ୍ଗୁଡ଼ାଏ ରାଗିକରି ଥରୁନଥାନ୍ତି । ସହଜେ ବୟସ, ଆଉ ତା’ ସାଙ୍ଗକୁ ମିଶିଥିଲା ଆଉ ଗୋଟିଏ ଧକ୍କା । ତାଙ୍କର ଯୋଉ ଜୋଇଁଟିକୁ ଘିନି ନାଙ୍ଗୁଡ଼ାଙ୍କ ମୁଣ୍ଡରେ ଏ ଅପବାଦ ସେଇ ଜୋଇଁ ହିଁ ମୂଳରୁ ନାଙ୍ଗୁଡ଼ାଙ୍କ ସବୁ ଦୁଃଖର କାରଣ । ସଂସାରର ସବୁ ନିରାଶ୍ରୟ ଜୋଇଁ, ସ୍ତ୍ରୀକୁ ଉଘେଇ ଯେମିତି କହିଥାନ୍ତି ସେ ତମ ବାପା ସିଗରେଟ୍ ପୋଡ଼ିବାରେ ଯେତେ ଉଡ଼େଇଦେଲେ ସେତକ ଯଦି ମତେ ଦେଇଥାନ୍ତେ ତେବେ ମୁଁ ଆଉ ଦି’ବର୍ଷ କଲେଜରେ ପଢ଼ିପାରିଥାନ୍ତି । ସେମିତି ନାଙ୍ଗୁଡ଼ାଙ୍କର ଏକମାତ୍ର ଜୋଇଁ ନିଜ ସ୍ତ୍ରୀକୁ ଉଲୁଗୁଣା ଦେଇ କହନ୍ତି–“ତମ ବାପା ଯେତେ ଖର୍ଚ୍ଚକରି ନିଜପେଇଁ ନାଙ୍ଗୁଡ଼ଟିଏ କିଣିଲେ, ତହିଁରେ କାଣିଚାଏ ଯୌତୁକ ଦେଇଥିଲେ, ଆଜି ମୁଁ ଆଇ.ସି.ଏସ୍ ହୋଇ ବସିଥାନ୍ତି ।” ଏଇ ଆଇ. ସି.ଏସ୍ ହତାଶା ବଢ଼ି ବଢ଼ି ଶେଷକୁ ଏମିତି ଆକାର ଧରିଲା ଯେ, ଗତ ଛଅମାସ ତଳେ ଡେପୁଟି ମାଜିଷ୍ଟ୍ରେଟ୍ ଚାକିରିରୁ ରିଟାୟାର୍ କରିବାକୁ ଆଉ ମାସେ ବାକିଥାଏ; ହଠାତ୍ ଶୁଣାଗଲା, ନାଙ୍ଗୁଡ଼ାଙ୍କ ଜୋଇଁ ପୁଣି ଥରେ ବାହା ହଉଚନ୍ତି ! ଏ ବାହାଘରକୁ ଅଟକେଇବା ପାଇଁ ନାଙ୍ଗୁଡ଼ାଏ ଯଥାସାଧ୍ୟ ଚେଷ୍ଟାକଲେ । ଶେଷକୁ ସରକାରଙ୍କୁ ଲେଖି ରାଜନୈତିକ ଚାପ ମଧ୍ୟ ପକାଇଲେ । କିନ୍ତୁ ନାଙ୍ଗୁଡ଼ାଙ୍କ ଦୁର୍ଭାଗ୍ୟକୁ ସେତିକି ବେଳକୁ ରାଜ୍ୟରେ ନିର୍ବାଚନ ଚଡ଼କ ପଡ଼ିଗଲା । ଜୋଇଁ ରିଟର୍ନିଂ ଅଫିସର ଭାବେ ଦ୍ୟୁତକ୍ରୀଡ଼ାର ଗୋଟିଏ ସୁଯୋଗ ପାଇଗଲେ । ଯାହାକୁ ଜିତେଇଲେ, ସେ କ୍ଷମତାକୁ ଆସିବାମାତ୍ରେ ଜୋଇଁଙ୍କୁ କାର୍ଯ୍ୟକାଳ ବଢ଼ାଇଦେଲେ । କେବଳ ସେତିକି ନୁହେଁ ଉକ୍ତ ଅଫିସରଙ୍କୁ ଅର୍ଥାତ ନାଙ୍ଗୁଡ଼ାକୁ ସେଇ ଉଚ୍ଚାଭିଳାଷୀ ଜ୍ଵାଇଁଙ୍କୁ ସର୍ବଭାରତୀୟ ଚାକିରିକୁ ପଦୋନ୍ନତି ଦେଲେ । ଜୋଇଁ ପୁନର୍ବିବାହ କଲେନାହିଁ, କିନ୍ତୁ ନିଜର ପୁନଃ ଯୌବନପ୍ରାପ୍ତିର ପ୍ରମାଣ ଅନେକ ମାର୍ଗରେ ନିଜର ସ୍ତ୍ରୀ କନ୍ୟା ଆଉ ପୁତ୍ରଙ୍କ ନିକଟରେ ପ୍ରଦର୍ଶନ କରିବାକୁ ଲାଗିଲା ଶେଷରେ ଦୀର୍ଘ ପଇଁତିରିଶ ବର୍ଷ ବୈବାହିକ ଜୀବନଯାପନ କଲାପରେ ନାଙ୍ଗୁଡ଼ାଙ୍କ ପ୍ରାୟ ପଚାଶ ବର୍ଷ ବୟସ୍କା କନ୍ୟା ବିଦେଶରେ ପଢ଼ୁଥିବା ତା’ର ବଡ଼ପୁଅଟି ଛଡ଼ା ଅନ୍ୟ ଦୁଇଟି ପୁତ୍ରକନ୍ୟାଙ୍କୁ ଧରି ଦିନେ ପହଞ୍ଚିଗଲେ ନାଙ୍ଗୁଡ଼ାଙ୍କ କୁଡ଼ିଆରେ-। ଏମାନଙ୍କ ମଧ୍ୟରେ ଥିଲା ନାଙ୍ଗୁଡ଼ାଙ୍କର ନାତୁଣୀଟିଏ ଯେ ଏମ୍.ଏ ପଢ଼େ ଆଉ ଛ ସାତ ବର୍ଷର ସଦ୍ୟ ନାତିଟିଏ ଯେକୌଣସି ସହରି ସାହେବୀ ସ୍କୁଲରେ ନାଁ ଲେଖାଇଥାଏ । ଅଜାକୁ ଦେଖିବାମାତ୍ରେ ସର୍ବ–ପ୍ରଥମେ ତା’ର ପଶ୍ନହେଲା, “ହେଲୋ ଗ୍ରାଣ୍ତ ଫାଦର୍ !” ନାଙ୍ଗୁଡ଼ାଏ ହସିବେ କି କାନ୍ଦିବେ ସେଦିନ ସ୍ଥିର ନ କରିପାରି କେବଳ ଥରିବାକୁ ଲାଗିଲେ । ମଝିରେ ମଝିରେ ନାଙ୍ଗୁଡ଼ାଙ୍କୁ ଏହି ଥରା ରୋଗ ଧରେ । ଅବଶ୍ୟ ସେତେବେଳେ ସାଧକ ଭଙ୍ଗିରେ ନାଙ୍ଗୁଡ଼ା ଦିହକୁ କାଠ କରିଦିଅନ୍ତି । କିନ୍ତୁ ଦିହରୁ ଯାଇ ସେ ବସେ ତାଙ୍କ କଣ୍ଠରେ–ସ୍ଵରରେ ।

 

ଆଜିକାଲି ଏହି ସ୍ଵର ସଂଯମ ପାଇଁ ନାଙ୍ଗୁଡ଼ାଏ ବେଶି କଥାବାର୍ତ୍ତା କରନ୍ତି ନାହିଁ ତେଣୁ ସେତିକି କହି ସେ ତାଙ୍କର ମୁଖ୍ୟ ଅତିଥିତ୍ଵ ଶେଷ କଲେ ।

 

“ଊର୍ଣ୍ଣନାଭ ଆଶ୍ରମ”ର ଉଦ୍‍ଘାଟନ ଉତ୍ସବ ସୁରୁଖୁରୁରେ ଶେଷ ହେଲା । କିନ୍ତୁ ପ୍ରତି ଶୁଭକାର୍ଯ୍ୟରେ ବୀଘ୍ନ ପହଞ୍ଚିଲାପରି ଭବାନୀପ୍ରସାଦ ଅଶାନ୍ତିର ସୂଚନା ପାଇଲେ । ବଗିଚାର ସେଇ ଝଙ୍କାଳିଆ କଲମି ଆମ୍ବଗଛମୂଳକୁ ଯାଇ ତା’ର ସୁଶୀତଳ ଛାଇରେ ଟିକିଏ ଏକୁଟିଆ ବସିଯିବେ ବୋଲି ସ୍ଥିରକରି ସେ ଅତିଥିମାନଙ୍କୁ ବିଦାୟଦେଇ ଗଛମୂଳକୁ ଗଲେ । କୁକୁଡ଼ାମାନଙ୍କ ପାଇଁ ଉଦ୍ଦିଷ୍ଟ ଦୋଳିଟି ପବନରେ ଆସ୍ତେ ଆସ୍ତେ ଝୁଲୁଥାଏ । କଅଣ ଭାବି ନିଜେ ଭବାନୀ ପ୍ରସାଦ ସେଇ ଦୋଳିଉପରେ ଯାଇ ବସିପଡ଼ିଲେ ।

 

ନଅ

 

ସେଦିନ ରେଳଷ୍ଟେସନରେ ଯେତେ ଗର୍ବ କରି ବିଭୁପ୍ରସାଦ ମନେମନେ ତା’ ବାପାଙ୍କୁ କହିଥିଲା–“ଚାକିରି ? କାହାର ଚାକିରି କରିବି ? ଏ ସରକାରର ? କୌଣସି ଶେଠ୍ ବ୍ୟବସାୟୀ କଣ୍ଟ୍ରାକ୍ଟରର ? ସବୁ ସମାନ ବାପା ! ସବୁ ସମାନ । ଆପଣ ଜାଣନ୍ତି, ଏ ନିର୍ବାଚନରେ କିଏ ଜିତିବ-? କିଏ ମୁଖ୍ୟମନ୍ତ୍ରୀ ହେବ ଜାଣନ୍ତି ? ....ଏ ସରକାର ସେଇ ସମସ୍ତଙ୍କ ମିଳିତ ପ୍ରଚେଷ୍ଟାରୁ ଜନ୍ମ....ଏଠି ସରକାର ଯିଏ, ଅସାଧୁ ପୁଞ୍ଜିପତି, ବ୍ୟବସାୟୀ ସିଏ....ସମସ୍ତଙ୍କ ଦିହରେ ଗୋଟିଏ ରକ୍ତ ବୋହୁଛି ବାପା ! ଆଉ ସେ ରକ୍ତ ବି ନିଜର ନୁହେଁ ! ସବୁ ସେଇ ବିଦେଶୀ ରକ୍ତ । ବିଦେଶର ଶ୍ରମିକ ଝାଳ ବୁହାଏ, ସୃଷ୍ଟି କରେ ଡଲାର୍, ଷ୍ଟର୍ଲିଂ ଆଉ ରୁବଲ୍ । ସେଇ ଦେଶର ଶ୍ରମିକର ରକ୍ତକୁ ଯିଏ ଶୋଷଣ କରି ଏ ଦେଶର ପୁଞ୍ଜିପତି ହୁଏ, ତା’ ରକ୍ତ ମୋର ଏ ଧମନୀରେ ନ ବୋହୂ ବାପା-!” କିନ୍ତୁ ବିଭୁପ୍ରସାଦର ସେଇ ଗର୍ବ ବେଶିଦିନ ତିଷ୍ଟିବା ଭଳି ଆଉ ଲାଗିଲା ନାହିଁ ।

 

ଗାଁରୁ ଚାଉଳ ତଥାପି ଆସୁଥାଏ । ଲୋକ କରି ଭବାନୀପ୍ରସାଦ ବଡ଼ପୁଅ ପାଖକୁ କିଛି ରସିଦ୍ ଆଉ ଜମିବିକା ଟଙ୍କାରୁ କିଛି ପଠେଇ ଦେଇଥାନ୍ତି । ତା’ ସହିତ ମଧ୍ୟ ଆସିଥାଏ ଊର୍ଣ୍ଣନାଭ ଆଶ୍ରମର ନୂଆ କୁକୁଡ଼ାଙ୍କର କିଛି ଅଣ୍ଡା । ସବୁରି ସାଙ୍ଗରେ ଥାଏ ଖଣ୍ଡିଏ ଚିଠି–ଭବାନୀପ୍ରସାଦଙ୍କ ହାତଲେଖା–

 

“ଜମିବିକ୍ରି ଆରମ୍ଭ ହୋଇଗଲା । ଏଥର ନିଜ କଥା ନିଜେ ବୁଝ ବାବା ! ଅନିରୁଦ୍ଧକୁ ଯେକୌଣସି ପ୍ରକାରରେ କଲେଜରେ ଅନ୍ତତଃ ଚାରିବର୍ଷ ଠେଲିବାକୁଇ ହବ । ନଚେତ୍ ଗାଁରେ ବସି ସେ କରନ୍ତା କଅଣ ? ବାସ୍ତରା ହିଁ ହୁଅନ୍ତା । ବାହାରିଥିଲା ସିଏ ବେପାର କରିବାକୁ । ବେପାର ଆଉ କଅଣ ? କେଉଁଠି ଠିକା ଧରିଥାନ୍ତା ଆଉ ଠକିଥାନ୍ତା । ଏତେ ପିଲାଦିନୁ ତାକୁ ସେ ଲାଇନରେ ଛାଡ଼ିଦବା କ’ଣ ଠିକ୍ ? ଟଙ୍କା ଯଦି ଥରେ ମୁହଁରେ ଲାଗିଯିବ, ତେବେ ସାରା ସଂସାରକୁ ଚାଟିପକେଇବ । ସେଥିପାଇଁ ଭାବିଲି–ପଢ଼ୁ, ପଢ଼ିଯାଉ ଆଖି ଫିଟିଯାଉ । ତେଣିକି ଯଦି ଆଖି ଥାଇ ଅନ୍ଧ ହବ, ତା’ ଫଳ ସେ ଭୋଗିବ ।”

 

ବିଭୁପ୍ରସାଦ ଚିଠି ପଢ଼ି ହସିଲା; ଆଉ ସୁକୁମାରୀକୁ ପଢ଼ି ଶୁଣେଇଦେଲା । କହିଲା– “ତେଣେ ଜମିବିକ୍ରି ଆରମ୍ଭ ହୋଇଗଲ । ପ୍ରସ୍ତୁତ ହୋଇଯାଅ । ପରୀକ୍ଷା ବେଳ ଆସିଗଲା ।”

 

କିନ୍ତୁ ସୁକୁମାରୀ ବିଭୁପ୍ରସାଦର ପରୀକ୍ଷା ପାଇଁ ପ୍ରସ୍ତୁତ ହେଉନଥିଲା । ପୈତୃକ ସମ୍ପତ୍ତି, ପୈତୃକ ଭିଟାମାଟି, ପୈତୃକ ବିଶ୍ୱାସ ବା ପୈତୃକ ମୂଲ୍ୟବୋଧ ହଠାତ୍ ଦିନେ ସକାଳୁ ଗୋଡ଼ତଳୁ ଉଭେଇଗଲେ ଯେଉଁ ପରୀକ୍ଷା ଦବାକୁ ଡକରା ପଡ଼େ, ସୁକୁମାରୀ ସେ ପରୀକ୍ଷା କେଉଁଦିନୁ ଦେଇସାରିଥାଏ । ବିଭୁପ୍ରସାଦର ସମସ୍ୟାରେ ଧନ୍ଦିହେବା ପୂର୍ବରୁ ତା’ ନିଜର ସମସ୍ୟାମାନ ତାକୁ କର୍ଯ୍ୟବ୍ୟସ୍ତ ରଖିଥାଏ । ଏ ସମସ୍ୟା ଜୀବନରେ ଥରେ ଆସେନାହିଁ । ସବୁଦିନେ ସକାଳେ ଆରମ୍ଭ ହୋଇ ସନ୍ଧ୍ୟାବେଳକୁ ଶେଷ ହୁଏ । କିନ୍ତୁ ରାତିକ ଶୋଇ ସକାଳୁ ଉଠିଲାବେଳକୁ ତାହା ପୁଣି ନୂଆକରି କେହି ଯେମିତି ଘର ଦୁଆରମୁହଁରେ ରଖିଦେଇ ପଳେଇ ଯାଇଥାଏ । ଏହିପରି ଗୋଟିଏ ସମସ୍ୟାରୁ ଚିରୁଡ଼ାଏ ଜଞ୍ଜାଳକୁ ସମାଧାନ କରିବା ଆଶାରେ ସେଦିନ ସକାଳୁ ସୁକୁମାରୀ ତା’ ଚୁଲିରୁ ପାଉଁଶ କାଢ଼ୁଥାଏ ଓ ଚିନ୍ତା କରୁଥାଏ–ଆଜି ସକାଳେ ଚୁଲିପେଇଁ ଜାଳ ଆସିବ କୋଉଠୁ ! ନିରବ ନିଳୟର ଛୋଟ ହତା ଖଣ୍ଡିକ ଭିତରେ ଯେତେ ଡାଙ୍ଗ, କାଠି କୁଟା, ବଣଚାକୁଣ୍ଡା, ପୋକଶୁଙ୍ଘା ଥିଲା, ସବୁ ସଫା ହୋଇଗଲାଣି । କିଣା ଜାଳେଣି କାଠ ଗତ ରାତିରୁ ଶେଷ । ସହରରେ ଜାଳେଣି କାଠ ଚାଉଳଠୁଁ ମହଙ୍ଗା । ସେଦିନ ବିଭୁପ୍ରସାଦ କହୁଥିଲା–କୋଇଲା ଶସ୍ତା; କିନ୍ତୁ କୋଇଲା ଅଇଛିକା ଆସିବ କୋଉଠୁ ?

 

ହଠାତ୍ ସେଇଦିନ ସୁକୁମାରୀର ଆଖିଆଗକୁ ଆସିଯାଏ ଗୋଟିଏ ସମାଧାନ । ପାଚେରି ସେପଟ କଣ୍ଟ୍ରାକ୍ଟର ଘରର ପାଇଖାନାପଟେ ଥାଏ ଯୋଉଁ ପାଉଁଶ ଗଦାଟା । ବାଛିବସିଲେ ପ୍ରତିଦିନ କିଛି କିଛି ପୋଡ଼ା କୋଇଲା ମିଳିପାରେ ସେଠୁ । ବିଭୁପ୍ରସାଦ ଜାଣତରେ ବା ଅଜାଣତରେ ସୁକୁମାରୀ ନିଜ ଘରର ଜାଳଖର୍ଚ୍ଚ ଗତ କିଛିଦିନ ଧରି ସେଇ ଜାଗାରୁ ହିଁ ଉଠେଇଥାଏ ଓ ଦିନକ ଦି’ଓଳି ଏହିପରି ଉପାୟରେ ବିଭୁପ୍ରସାଦକୁ ରୋଷେଇ କରି ଖାଇବାକୁ ଦେଇଥାଏ । କିନ୍ତୁ ଆଜି ସେଇ ନିତିଦିନିଆଁ ଘଟଣା ହଠାତ୍ କାହିଁକି ଗୋଟାଏ ପ୍ରଳୟ ସୃଷ୍ଟି କରିଦେବାକୁ ବସିଲା–ନିରବ ନୀଳୟରେ !

 

ବାପାର ଚିଠିକୁ ଧରି ବିଭୁପ୍ରସାଦ ଆହୁରି କଅଣ କହୁଥାଏ, ସୁକୁମାରୀ ଉଠିପଡ଼ିଲା । ଖାଲି ପାଚିଆଟିଏ ଧରି ସେ ଅଣ୍ଟାରେ କାନି ଭିଡ଼ିଦେଇ ବାରଣ୍ଡା ତଳକୁ ପାଦଟାଏ ବଢ଼େଇଥାଏ–ବିଭୁପ୍ରସାଦ ବୋଧହୁଏ ଜାଣିନେଲା ମତଲବ । ହଠାତ୍ ଚିହିଙ୍କି ଆସି ସୁକୁମାରୀ ହାତର ପାଚିଆଟାକୁ ଛଡ଼େଇନେଲା ଓ ରାଗରେ ପଚିଆଟାକୁ ଗୋଇଠାଏ ପକେଇ କହିଲା–“କଅଣ ପୁଣି ଗୃହ ବାଲ୍ଟି ବୋହିବାକୁ ମନ ଡାକିଲାଣି ?”

 

ସୁକୁମାରୀ ପ୍ରଥମେ ବୁଝିପାରିଲା ନାହିଁ ବିଭୁପ୍ରସାଦର କ୍ରୋଧକୁ । ଅଣ୍ଟାରୁ କାନି ଫିଟାଇ ସେ ପୁଣି ଫେରିପଡ଼ିଲା ପିଣ୍ଡା ଉପରକୁ ।

 

ବିଭୁପ୍ରସାଦର ରାଗ ସରିନଥାଏ । ସ୍ତ୍ରୀ ଅସୁନ୍ଦର ବୋଲି ଥରେ ସନ୍ଦେହ ହେଲେ ତା’ର ପ୍ରତ୍ୟେକ ଅବୟବ, ଏପରିକି ମୁଣ୍ଡରେ ନେଇଥିବା ଫୁଲଟାଏ ମଧ୍ୟ ଯେମିତି ପୁରୁଷ ଆଖିକୁ ଅସୁନ୍ଦର ଦିଶିଯାଏ, ବିଭୁପ୍ରସାଦ ସୁକୁମାରୀର ପ୍ରତ୍ୟେକ ସ୍ଵାଭାବିକତାକୁ ଏପରିକି ତା’ର କ୍ଷୁଦ୍ର ସୃଜନୀଶକ୍ତିକୁ ମଧ୍ୟ ଖୁଣି ଖୁଣି ଚାଲିଥାଏ ।

 

ମନେପକାଇଲା ସୁକୁମାରୀ–ସେଦିନ ତା’ ନଟଭାଇ ପେଇଁ ଚିରୁଡ଼ାଏ ବାଇଗେଣି ଲାଗି ମେଞ୍ଚାଏ ପିଠୋଉ ବାଟିବାବେଳଠୁଁ କେମିତି ଫଣାଟେକି ଉଠିଥାଏ ବିଭୁପ୍ରସାଦ । ଆଉଦିନେ, ଘର କାହିଁକି ଅନ୍ଧାର କରୁଚ, ମୋତେ ଆଲୁଅ ଭଲ ଲାଗେ ବୋଲି କହିଲାରୁ ଗାଲରେ ଚାପୁଡ଼େ ମାରିଥାଏ ଏଇ ପୁରୁଷ । ଅଇଛିକା ମୁଁ ତା’ର କାମକୁ ସରଳ କରିଦବାକୁ ବାହାରିଲାରୁ ମତେ ଅପମାନ କରୁଚି । କଅଣ ? କଅଣ ତେବେ ମତେ ହବାକୁ ଚାହୁଁଛି ଏ ? ମୁହଁ ଖୋଲି କହିଲା–“ହାତ ଧଇଲାବେଳେ ଜାଣିନଥିଲ କି–କାହାର ହାତ ଧରୁଚ ବୋଲି ? ମୁହଁରୁ ଓଢ଼ଣା କଢ଼ିଲାବେଳେ ଦେଖିନଥିଲା କି କେଡ଼େ କାଳୀ ଅପରଛନିଆ ଅସୁନ୍ଦରୀ ବୋଲି ? କାହା ମୁହଁକୁ ଅନେଇ ବାହା ହୋଇଥିଲ ? ମୋ ମୁହଁକୁ ନା ମୋ ମା’ ମୁହଁକୁ ? ସେତେବେଳେ ମୋ ଦିହ ବାସୁଥିଲା; କାଇଁକିନା, ମୋ ମା’ପେଟେରାରେ ବୋତଲେ ଅତର ମହକ ଦଉଥିଲା ବୋଲି ? ମୋ ମା’ ମହାଜନର ଗୃହ ଉଠେଇନଥିଲା, ଓଲଟି କାଳୀସୀ ହୋଇ ମହାଜନକୁ ବେତରେ ପିଟି ପକେଇଥିଲା–ଏଇ କଥାପଦକୁ ତେବେ ବାହାହୋଇଥିଲ ? ହେଲେ ମନେରଖ, ମୁଁ ମୋ ମା’ ନୁହେଁ । ମୁଁ–ମୁଁ । ମୁଁ ଅସୁନ୍ଦରୀ । ମୁଁ ମେହେନ୍ତର । ମୁଁ ପରର ଗୁହ କାଢ଼େ । ମୁଁ ଏବେ ବି ମଦୁଆ ମରଦଙ୍କ ହାତରୁ ଟଣାଓଟରା ବିଧାଚାପୁଡ଼ା ସହେ । ତେମେ ମତେ ଦୟା ଦେଖେଇବ ବୋଲି ଭାବିଥିଲ । ତେମେ ମତେ ସ୍ୱପ୍ନରେ ଦେଖିଥିଲ ବୋଧେ ଏଯାଏଁ । ହେଲେ, ମୁଁ ତମର ସ୍ଵପ୍ନ ନୁହେଁ ! ଦେଖ ମୋର ବି ଗୋଟାଏ ପାଦ ଅଛି । ତମର କି ଆଉ କାହାର ଯାହା ପାର ତା’ ସ୍ୱପ୍ନ ହେଲେ ବି ମୋର ଏ ପାଦ ଯେ ନ ଚଳେ ତା’ ନୁହେଁ ମ !”

 

ବିଭୁପ୍ରସାଦ ରାଗରେ ଥରୁଥାଏ । ତା’ର ସେଇ ମଧ୍ୟବିତ୍ତ ପରିବାରର କ୍ରୋଧକୁ ସମ୍ଭାଳିନପାରି ସଟାଂ କରି ଚଟକଣାଟାଏ ସେ କଷିଦେଲା ସୁକୁମାରୀର ଗାଲରେ ଆଉ ଧକ୍କାଟାଏ ମାରି କହିଲା–“ଯା–ଯା–ପାଦ ଅଛି ତ ଚାଲି ଯା, ଯୁଆଡ଼େ ଯିବୁ ଯା । ଏତେ ଛୋଟ ଲୋକ–ମୁଁ ଜାଣିନଥିଲି । ଏଗୁଡ଼ାଙ୍କ ସାଙ୍ଗରେ ସମ୍ୱନ୍ଧ ରଖିବାଇ ଆହୁରି ଛୋଟଲୋକ !”

 

ସୁକୁମାରୀ ପଦେହେଲେ ଉଁ କି ଚୁଁ ହେଲାନାଇଁ । ସିଧା ଗୋଡ଼ ବଢ଼େଇଦେଲା ପିଣ୍ଡାତଳକୁ । ତା’ର ଗୋଡ଼ ଛନ୍ଦୁରୀ ହେଲାନାଇଁ । ଡଗଡଗ ଚାଲି ନିରବ ନିଳୟ ହତା ପାରିହୋଇଗଲା ।

 

ମୂର୍ତ୍ତିପରି ଠିଆ ହୋଇଥାଏ ବିଭୁପ୍ରସାଦ । ରାସ୍ତା ମୋଡ଼ରୁ ସୁକୁମାରୀର କାନି ଲୁଚିଗଲା-

 

ବାପାଙ୍କର ଚିଠି ଖଣ୍ଡିକ ତଥାପି ଫଡ଼୍ ଫଡ଼୍ ହଉଥାଏ ପବନରେ, ବିଭୁପ୍ରସାଦ ହାତରେ-। ରାଗରେ ଟିକି ଟିକି କରି ଛିଣ୍ଡେଇ ଫୋପାଡ଼ିଦେଲା ସେ । ଟିକିଏ ବେଳ ଗୁମ୍ ମାରି ସେ ବସିପଡ଼ିଲା । ତା’ପରେ କଅଣ ଭାବିଲା, ଜାମା ଖଣ୍ଡିଏ ଦିହରେ ଗଳେଇପକେଇ ସେ ବି ବାହାରିପଡ଼ିଲା । ସୁକୁମାରୀକୁ ଖୋଜି ଆଣିବାପେଇଁ ନୁହେଁ; ପ୍ରଥମେ ନିଜର ଗର୍ବକୁ ତଳିତଳାନ୍ତ କରିବାପେଇଁ ।

 

ସନ୍ଧ୍ୟାବେଳକୁ ସେ ଓ ସୁକୁମାରୀ ସାଙ୍ଗହୋଇ ଘରକୁ ଫେରିଲେ । ବିଭୁପ୍ରସାଦର ଗର୍ବ ଚୂନା ହୋଇଯାଇଥିଲା । ଅବଶ୍ୟ ଗର୍ବ ଚୂନା କରିବାପେଇଁ ତାକୁ ମେହେନ୍ତର ସାଜି କାହାରି ପାଇଖାନା ସଫା କରିବାକୁ ପଡ଼ିଲା ନାହିଁ । କାରଣ ଦାରିଦ୍ର୍ୟ ଉପରେ କ୍ରୋଧ କରି ଅଧିକ ଦାରିଦ୍ର୍ୟକୁ କୁଣ୍ଢେଇଧରି କାନ୍ଦିବା କିମ୍ବା ଘୃଣାକୁ ଏଡ଼େଇବାପାଇଁ ବିଭତ୍ସତାର ଆଶ୍ରୟ ନେବା ଯାହା, ଅହଙ୍କାରକୁ ଶାସନ କରିବାପାଇଁ ଅଭିମାନୀ ଦୁର୍ଯ୍ୟୋଧନ ପରି ରକ୍ତନଦୀରେ ପହଁରିବା ସେଇଆ ।

 

ବିଭୁପ୍ରସାଦ ଯେଉଁ ସରକାରକୁ ଠିକାଦାରି, ଆଉ କୋଟା, ପରିମିଟ୍, ଆଉ ଲାଇସେନ୍ସଧାରୀ ସରକାର ବୋଲି ମନଭିତରେ ଘୃଣା କରୁଥିଲା ତାହାରି ପାଖରେ ଶେଷରେ ଚାକିରିଟିଏ ପାଇବାପାଇଁ ମନସ୍ଥ କରିସାରି ସେଦିନ ସନ୍ଧ୍ୟାରେ ଘରକୁ ଫେରିଆସିଲା ।

 

ଦଶ

 

ଏଣ୍ଡୁଅ ଦଉଡ଼ି ଦଉଡ଼ି କିଆବଣକୁ । ସେଦିନ ନିଜ ନାଁ ପଛରେ ବିଶ୍ଵବିଦ୍ୟାଳୟର କେତୁଟା ଡିଗ୍ରୀ ଓ ଗୋଛାଏ ପ୍ରକାଶିତ ରିସର୍ଚ୍ଚ ପେପର୍ ଧରି ବିଭୁପ୍ରସାଦ ଚାକିରି ଅନ୍ୱେଷଣରେ ଯେଉଁଠିକି ଧାଇଁଯାଇଥିଲା, ସେ ଜାଗାଟା ଆଉ କେଉଁଠି ନୁହେଁ–ସେଇ ପୁରୁଣା କଲେଜ; ଯେଉଁଠି ଗତ କେଇମାସତଳେ ସେ ଗବେଷଣା କରୁଥିଲା । ଗବେଷଣା ସେ ବନ୍ଦ କରିଥିଲା ନିଜ ଦୋଷରୁ ନୁହେଁ, ସେଥିପାଇଁ ବିଶେଷ କାରଣମାନଙ୍କ ମଧ୍ୟରୁ ପ୍ରଥମ ହେଲା ତା’ର ଗବେଷଣା ନିର୍ଦ୍ଦେଶକ ଓ ମୁଖ୍ୟ ଅଧ୍ୟାପକ ସେଇ ଡ. ଜେନା ! ଘଟଣାଚକ୍ରରେ ପଡ଼ି ଡ. ଜେନା ଚାକିରି ଛାଡ଼ି ଦେଇଥିଲେ । ବର୍ତ୍ତମାନ କୌଣସି ଦୂର ପ୍ରଦେଶରେ ବିନୋବାଜୀଙ୍କ ପରିଚାଳିତ ଭୂଦାନ ଦଳରେ ପଦଯାତ୍ରାରତ ଥାଇ ସେ ଏବେ ମଧ୍ୟ ବିଭୁପ୍ରସାଦ ସହିତ ପତ୍ରାଳାପ କରନ୍ତି । ଦ୍ଵିତୀୟ କାରଣଟି ଥିଲା ନଟବର ଓ ତା’ର ନିର୍ବାଚନକାଳୀନ କାର୍ଯ୍ୟକଳାପ ।

 

ସେଦିନ ନୂତନ ମୁଖ୍ୟ ଅଧ୍ୟାପକ ଡ. ଶର୍ମାଙ୍କ ଅଫିସ୍ ଭିତରକୁ ପଶି ଯାଉ ଯାଉ ବିଭୁପ୍ରସାଦ ନାକରେ ବାଜିଗଲା ପୁଣି ସେଇ ପୁରୁଣା ଲାବୋରେଟାରି ଗନ୍ଧ । ସେଇ ଗନ୍ଧରେ ହିଁ ଅଧେ ବୁଡ଼ିଗଲା ତା’ର ଅହଙ୍କାର । ମନକୁ ବୁଝେଇଦେଲା ସେ–ଜୀବନ ଅହଙ୍କାର ଅପେକ୍ଷା ବଡ଼ । ଆଉ ଅଭିଜ୍ଞତା–ଜୀବନ ଅପେକ୍ଷା ବଡ଼ । ଦେଖେଁ, କି ପ୍ରକାର ମଣିଷ ଏ..... । ଅଧ୍ୟାପକଙ୍କ ଅଫିସରେ ସ୍ପ୍ରିଂ କବାଟ ଠେଲି ପଶିଗଲା ଭିତରକୁ ।

 

ଡ. ଶର୍ମା–ବିଭୁପ୍ରସାଦର ଅଚିହ୍ନା ନୁହନ୍ତି । କଲେଜରେ ଗତ ପ୍ରାୟ ଦଶବର୍ଷ ସମୟକାଳ ଭିତରେ ବେଶ୍ ଜଣାଶୁଣା । ପୁଣି ବୟସାଧିକ୍ୟ ନୁହନ୍ତି । ତେଣୁ ବିଭୁପ୍ରସାଦ ସହିତ ହସଖୁସି ଗପସପ ମଧ୍ୟ କେବେକେବେ କରିଥାନ୍ତି । କିନ୍ତୁ ଯେମିତି ପୂର୍ବେ, ସେମିତି ଏବେ । ଦେଖୁ ଦେଖୁ ହସିଦେଲେ ଆଉ ପଚାରିଲେ, “ଆସିଗଲ ? ମୁଁ ଜାଣେ, ତୁମେମାନେ ପୁଣିଥରେ ଫେରିଆସିବ । ଅନ୍ତତଃ ତୁମେ ଫେରିଆସିବ ବୋଲି ମୁଁ ଜାଣିଛି । ତୁମ ପାଇଁ ଗୋଟିଏ ଚମତ୍କାର ଗବେଷଣା ବିଷୟ ରିଜର୍ଭ କରି ଏତେଦିନକାଳ ରଖିଛି । କିନ୍ତୁ ମନେରଖ–ଏ ଆଉ ସେ ପୁରୁଣା ଚାକୁଣ୍ଡାତେଲ ଗବେଷଣା ନୁହେଁ କି ଭୂଦାନ ପ୍ରଭୃତି “ନନସେନ୍ସ” ନୁହେଁ । ନୂଆ ସରକାର–ନୂଆ ଦିଗ । ନା, ନା–ଭାବ ନାହିଁ ଯେ, ମୁଁ ସରକାରୀ ଯୋଜନାର ଆଜ୍ଞାବହ ହୋଇ ଏଠି ବସିଚି; ବରଂ ଏତେଦିନଧରି ଯେଉଁ ବିଷୟଟି ମୁଁ ସରକାରଙ୍କ ମୁଣ୍ଡରେ ପୂରେଇ ପାରିନଥିଲି, ଏବେ ନୂଆ ସରକାର ହୃଦୟଙ୍ଗମ କରିଛନ୍ତି–ସେତିକି ମୋର ଆନନ୍ଦ । ବର୍ତ୍ତମାନ ଆସ; ବସ ବସ । କଅଣ ଦରକାର ତୁମର ! ରିସର୍ଚ୍ଚ ସ୍କଲାରସିପ୍–ଟିଏ ତ ? ବର୍ତ୍ତମାନ ଲେଖିଦଉଚି ସୁପାରିଶ ପତ୍ରଟିଏ । ଡାଇରେକ୍ଟରଙ୍କ ପାଖକୁ ନେଇଯାଅ । ମୁହୂର୍ତ୍ତେ ଲାଗିବ ନାଇଁ । ଆଚ୍ଛା ! ନଟବର ଗଲା କୁଆଡ଼େ ? ସେ ବି ଆସିବ ନା ନାଇଁ ?”

 

ବିଭୁପ୍ରସାଦ କୌଣସି ଉତ୍ତର ଦବାପାଇଁ ତରତର ହଉନଥାଏ ଆଜି । ସେ ଡ. ଶର୍ମାଙ୍କୁ ଜାଣିଚି ଆଉ ବର୍ତ୍ତମାନ ମଧ୍ୟ ଜାଣିହଉଚି ତାଙ୍କର ପ୍ରତ୍ୟେକ ବାକ୍ୟ ସହିତ ଅନ୍ତରରୁ ଉପାଡ଼ି ହୋଇଆସୁଥିବା ସେଇ ମାଟି ସରସର ଆବେଗର ମୂଳଟିକୁ । ସେ ଆଉ କେହିନୁହଁନ୍ତି; ସେଇ ପୁରାତନ ଯୁଗର ଶିଷ୍ୟକାଙ୍ଗାଳ ଜଣେ ଗୁରୁ । ଉତ୍ତମ ଶିଷ୍ୟ, ଉତ୍ତମ ମେଧା ଦେଖିଲେଇଁ ପରକୁଳରୁ ନିଜ କୂଳକୁ ଘୋଷାରି ନ ଆଣିବା ପର୍ଯ୍ୟନ୍ତ ଗୁରୁପ୍ରାଣରେ ଶାନ୍ତି ନାଇଁ !

 

ମୁଖ୍ୟ ଅଧ୍ୟାପକଙ୍କ ଅଫିସ୍‍କୁ ଲାଗି ମସ୍ତବଡ଼ ଲାବୋରେଟୋରୀ ଗୃହ । ସେଇ ଟେବୁଲ, ସେଇ କାଚ ବୋତଲ ଭର୍ତ୍ତି ତରଳ, କଠିଣ ଆଉ ଗ୍ୟାସୀୟ ରାସାୟନିକ ରିଏଜେଣ୍ଟ, ସେଇ ଧୂଆଁଚରା ବୈଜ୍ଞାନିକଙ୍କର ଫଟକେଇଟା ସେମିତି ସ୍ଥିର ରହିଚନ୍ତି କାନ୍ଥଉପରେ । କିନ୍ତୁ ମନ୍ଦିର ଆଜି ଶୂନ୍ୟ । କେତେଜଣ ଛାତ୍ର ଅବଶ୍ୟ ଟେବୁଲ୍‍ପାଖରେ ଠିଆ ହୋଇଥାନ୍ତି । କିନ୍ତୁ ସେମାନଙ୍କର ନୂଆ ଅଚିହ୍ନା ମୁହଁଗୁଡ଼ିକ ଉପରେ କନକନିଆ ସେଇ ଆଖିଗୁଡ଼ିକ ଦେଖିବାମାତ୍ରେ ବିଭୁପ୍ରସାଦ ବୁଝିପାରିଲା–ଏଗୁଡ଼ିକ ପଥର ମନ୍ଦିରଗାତ୍ରର ପଥରର ମୂର୍ତ୍ତି ମଧ୍ୟ ନୁହନ୍ତି । ସତେଯେମିତି କେତେଜଣ ଦର୍ଶକ ବାହାରର ଟାଣଖରାରୁ ଦଉଡ଼ିଆସି ଟିକିଏ ଛାଇ ପାଇ ଏଇ ମନ୍ଦିର ଦିହକୁ ଆଉଜି ପଡ଼ିଛନ୍ତି !

 

ବିଭୁପ୍ରସାଦକୁ ନିରୁତ୍ତର ଦେଖି ଡ. ଶର୍ମା ଆହୁରି କୋମଳ କଣ୍ଠରେ କହିଲେ, “କଅଣ ଭାବୁଚ ? ଏଇ ଗ୍ରନ୍ଥକୁ ଦେଖୁଚ ? ମୁଁ ଜାଣେ–ସେମାନେ କେତୋଟି ଉଡ଼ନ୍ତା ଚଢ଼େଇ । କେତୋଟି ଖୁଦକଣିକା ବିଞ୍ଚାହୋଇଚି । ସେଇଆକୁ ଖୁମ୍ପିବାପେଇଁ ବସିପଡ଼ିଛନ୍ତି ।”

 

ଡ. ଶର୍ମା ଆଉ କଅଣ କହିବାକୁ ଚାହୁଁଥିଲେ, ହଠାତ୍ ବିଭୁପ୍ରସାଦର ପାଟିରୁ ବାହାରିଗଲା, “କ୍ଷମା କରିବେ ସାର୍ ! ମୁଁ ବି ସେମିତି ଗୋଟାଏ ଉଡ଼ନ୍ତା ଚଢ଼େଇ । ଉଡ଼ିଆସିଚି ଖୁଦ ଲୋଭରେ । ମୁଁ ଗବେଷଣା ଇଚ୍ଛାରେ ଆସିନାଇଁ ସାର୍ । ମତେ ଖଣ୍ଡିଏ ଚାକିରି କରେଇଦିଅନ୍ତୁ ।”

 

“ଚାକିରି ?” ଡ. ଶର୍ମାଙ୍କ ଆଖିଦିଓଟି ଚଷମାଭିତରୁ ଜଳଜଳ ଦିଶିଗଲା ।

 

“ଶୁଣୁଛି, ଆପଣଙ୍କର ଏଠି କେତୋଟି ଲେକ୍‍ଚରସିପ୍ ଚାକିରି ଖାଲିପଡ଼ିଛି । ଅନ୍ତତଃ ଛଅଟି ମାସ ପାଇଁ–ଯଦି ଆପଣ ସୁପାରିସ୍ କରନ୍ତି, ତେବେ ଗୁଜୁରାଣ ମେଣ୍ଟନ୍ତା । ଆପଣ ବୋଧହୁଏ ଜାଣିଥିବେ ମୁଁ ବିବାହିତ...”

 

“ମୁଁ ଜାଣେ, ମୁଁ ଜାଣେ । ତୁମେ ଗୋଟିଏ ହରିଜନ ଝିଅ ବାହାହୋଇଚ ।” ଡ. ଶର୍ମାଙ୍କ ଆଖି ପୁଣି ଅଧା ଘୋଡ଼େଇ ହୋଇପଡ଼ିଲା–ତାଙ୍କର ଓଜନିଆ ପତା ଦୁଇଟାତଳେ । କିନ୍ତୁ ତାଙ୍କର ସ୍ଵରରେ ପୂର୍ବର ରସାଳତା ନ ଥିଲା । ଈଷତ୍ ଶିଠାଳିଆ କଣ୍ଠରେ ସେ କହିଲେ, “କେବଳ ସେତିକି ନୁହେଁ, ତୁମେ ବି ଖଦଡ଼ ପିନ୍ଧିଚ, ମୁଁ ଦେଖିପାରୁଚି ।” ତାପରେ ହସିପକେଇ କହିଲେ, “ୟାପରେ ନିଶ୍ଚୟ ଝୁଲାମୁଣି ଖଣ୍ଡିଏ ଧରିବ । ଆଉ ତାପରେ ? ‘ଭୂଦାନ’ ତ ?”

 

ବିଭୁପ୍ରସାଦ ନିରୁତ୍ତର ରହିବାକୁ ପସନ୍ଦ କଲା । ଅଭିମାନ କଲାନାଇଁ । ସେ ବୁଝିପାରିଲା–ଡ. ଶର୍ମାଙ୍କର ଏ ପରିହାସ କାହାପାଇଁ । ଏଇଟା ବିଭୁପ୍ରସାଦ ପାଇଁ ନୁହେଁ କି ପ୍ରତିଦ୍ଵନ୍ଦୀ ଡ. ଜେନାଙ୍କ ପାଇଁ ନୁହେଁ; ଏହା ତତ୍କାଳୀନ ଗୋଟିଏ ସାଧାରଣ କଥନି ମାତ୍ର । ତତ୍କାଳୀନ ଅସାଧାରଣର ସାଧାରଣ ପ୍ରତି ଗୋଟିଏ ଗାଳି ମାତ୍ର । ଅତୀତରେ ଏ ଗାଳି ବିଭୁପ୍ରସାଦ ନିଜେ ମଧ୍ୟ କେତେବାର ପ୍ରୟୋଗ କରିଥାଏ ଅନ୍ୟମାନଙ୍କ ପ୍ରତି । ସଂକ୍ଷେପରେ ଏହାହିଁ ଥିଲା ତତ୍କାଳୀନ ପ୍ରଗତିଶୀଳ ତାରୁଣ୍ୟର ମନୋଭାବ–ସଂରକ୍ଷଣଶୀଳ ବାର୍ଦ୍ଧକ୍ୟପ୍ରତି ।

 

କିନ୍ତୁ ବିଭୁପ୍ରସାଦକୁ ଚୁପ୍ କରିଦେଇ ଡ. ଶର୍ମା ନିଜେ ଚୁପ୍ ରହିଲେନାଇଁ । ତାଙ୍କର ସବୁଠାରୁ ଭଲ ଗୋଟାଏ ଗୁଣ ହେଲା–ସେ ଯୁକ୍ତିପ୍ରିୟ, ଯୁକ୍ତି ସହ୍ୟ କରନ୍ତି । ଆଉ ତା’ଠାରୁ ଭଲଗୁଣଟି ହେଲା ଯୁକ୍ତିରେ ନିଜେ ହାରିଯିବାକୁ ସେ ଯେମିତି ଭଲପାଆନ୍ତି ନାହିଁ, ସେମିତି ନିଜଆଗରେ ଯୁକ୍ତିରେ କେହି ହାରିଯାଉଥିବା ଦେଖିଲେ ସେ ସହିପାରନ୍ତି ନାହିଁ ।

 

ଯୁକ୍ତିକୁ ବଞ୍ଚେଇବା ଯେଉଁ ଦ୍ଵିତୀୟ ପ୍ରସ୍ଥ ଆଲୋଚନା ଆରମ୍ଭ କରି ସେ କହିଲେ, “ଏ ଭିତରେ କିଛି ଚିଠି ପାଇବ କି ଡ. ଜେନାଙ୍କଠାରୁ ?”

Unknown

 

ଉତ୍ତରରେ ପୁଣି ଛକିଯିବାକୁ ହେଲା । କାରଣ ଯେଉଁ ଉଦ୍ଦେଶ୍ୟ ଘେନି ବିଭୁପ୍ରସାଦ ଏଠାକୁ ଆସିଥିଲା, ଡ. ଜେନାଙ୍କ ଚିଠି ତାହାକୁ ସଫଳ କରିବାରେ ସାହାର୍ଯ୍ୟ କରିବ କି ନା, ସେ ବୁଝିପାରୁନଥିଲା । ଅତୀତରେ ଡ. ଜେନାଙ୍କ ପ୍ରତି ଡ. ଶର୍ମାଙ୍କର ଓ ଡ. ଶର୍ମାଙ୍କ ପ୍ରତି ଡ. ଜେନାଙ୍କର ରାଜନୈତିକ ଅପଡ଼ ବିଭୁପ୍ରସାଦ ପାସୋରିନଥାଏ । ତଥାପି ସେ ବୁଝିଥାଏ ବିଶ୍ଵବିଦ୍ୟାଳୟର ଏ ଦୁଇ ଚୁମ୍ବକ ମୁଣ୍ଡଭିତରେ ଚାଲିଥିବା ଗୁପ୍ତ ପ୍ରଣୟର ସୂତ୍ରକୁ । ଗୋଟିଏ ଚଉକି ପାଇଁ ଦୁହେଁ ଅବଶ୍ୟ ଯୁଝ ଥିଲେ, ଯେମିତି ଚାଲିଥାଏ ଉପରେ ରାଜନୈତିକ କ୍ଷେତ୍ରରେ । ତଥାପି ଡ. ଜେନା ଓ ଡ. ଶର୍ମାଙ୍କ ସମ୍ପର୍କ ବିଶୁଦ୍ଧ ରାଜନୈତିକ ନଥିଲା । ଏହା କେତେକାଂଶରେ ଭାଇତିରି ବିବାଦ ମଧ୍ୟ ଥିଲା-

 

ଦୁଇ ଯୁଝତ୍ସୁ ଭ୍ରାତାଙ୍କ ମଧ୍ୟରେ ଗୋଟିଏ ବୁଝାମଣା ପାଇଁ ଆଗରୁ ବିଭୁପ୍ରସାଦ କେତେଥର ନିରବ ପ୍ରାର୍ଥନା କରିଥିଲା ଆଜି ସେମିତି, ଆଉ ଥରେ ପ୍ରାର୍ଥନା କରିବାପେଇଁ ତା’ର ଆତ୍ମା ଡାକୁଥିଲା ବୋଧହୁଏ । ତେଣୁ ଡ. ଶର୍ମାଙ୍କୁ ହଠାତ୍ ମିଛଟାଏ ନ କହିଦେଇ ପକେଟ ଅଣ୍ଡାଳି ଖଣ୍ତିଏ ଚିଠି ବାହାର କରି ସେ ବଢ଼େଇଦେଲେ ।

 

ଡ. ଶର୍ମା ଚିଠିଟିକୁ ଖୋଲିଲେ ଓ ଆଖିର ଚଷମାକୁ କାଢ଼ି ଟେବୁଲଉପରେ ଥୋଇଲେ । ଡ. ଶର୍ମା ବୋଧହୁଏ ନିକଟ ଜିନିଷକୁ ଯେତେ ଭଲକରି ଦେଖିପାରନ୍ତି, ଦୂର ଜିନିଷକୁ ସେମିତି ଦେଖିପାରନ୍ତି ନାଇଁ । ତେଣୁ ପଢ଼ିଲାବେଳେ ସେ ଆଖିରୁ ଚଷମା କାଢ଼ିଦିଅନ୍ତି ।

 

ନିଷ୍ଠାର ସହିତ କିଛି ସମୟ ପଢ଼ିସାରି ପୁଣି ଚିଠିଟିକୁ ଭାଙ୍ଗି ଭାଙ୍ଗି ବିଭୁପ୍ରସାଦ ହାତକୁ ବଢ଼ାଇଦେଇ ସେ ଟିକିଏ ଦ୍ୱିଧାରେ ପଡ଼ିଲାପରି ପଚାରିଲେ, “ତୁମର ମତ କଅଣ ?”

 

ବିଭୁପ୍ରସାଦ ଡ. ଶର୍ମାଙ୍କ ହାତରୁ ଫେରିପାଇଥିବା ଚିଠିଟିକୁ ଖୋଲି ଆଉ ଥରେ କଅଣ ମନେପକେଇଲା ପରି ଚିଠିର ସେଇ ଅଂଶଟିକୁ ଦେଖୁଥାଏ ଯେଉଁଥିରେ ଥାଏ–“ଆଶ୍ରମବାଡ଼ିରେ ଗଛେ କଖାରୁ ଲଗାଇଥିଲି । ଆଜି ଦେଖିଲି ସେଥିରେ ତିନୋଟି ଫୁଲକଷି । ଝଡ଼ିପଡ଼ିବ କି କ’ଣ ଜାଣେନାଇଁ । ତେବେ ମନେପଡ଼ିଗଲା ତୁମେ ତିନିହେଁ–ନଟବର, ବିଭୁପ୍ରସାଦ ଆଉ ମନମୋହନ.....ଭାରି ଖୁସି ଲାଗୁଚି ଏଠି । କଖାରୁ ତିନୋଟିଙ୍କୁ କହୁଥିଲି–ହେ କଖାରୁମାନେ ! ତୁମେ ହିଁ ଫଳ, ତୁମେ ହିଁ ବଡ଼ ହୁଅ । ଯେକୌଣସି ବିଶ୍ଵବିଦ୍ୟାଳୟ ଥେସିସ୍‍ଠାରୁ ତୁମେ ବଡ଼, ଆଉ ତୁମେ ମହତ୍ ।”

 

“କ’ଣ ଭାବୁଚ ତୁମେ ?” ଡ. ଶର୍ମା ତାଙ୍କ ପ୍ରଶ୍ନର ନିର୍ଦ୍ଧିଷ୍ଟ ଉତ୍ତର ଜାଣିବାକୁ ଚାହୁଁଥିଲେ ବୋଧହୁଏ ।

 

“କାହା ବିଷୟରେ ସାର୍ ?” ବିଭୁପ୍ରସାଦ ପଚାରିଲା ।

 

“ଏଇ ଚିଠି ବିଷୟରେ–ତୁମେ କ’ଣ ଭାବୁଚ ଏ ତିନୋଟିଯାକ ଫୁଲକଷି ନ ଝଡ଼ି ରହିବ-? କିମ୍ବା ମନେକର ଗୋଟିଏ ମାତ୍ର ରହିଗଲା; ଅନ୍ୟ ଦୁଇଟି ଶୁଖିଗଲା । ଯେଉଁଟି ରହିଗଲା–ଡ. ଜେନା କେଉଁ ନାମରେ ଡାକିବେ ତାକୁ ? ନଟବର, ବିଭୁପ୍ରସାଦ ଓ ମନମୋହନ କ୍ରମରେ କିମ୍ୱା ଓଲଟା କରି ମନମୋହନ, ବିଭୁପ୍ରସାଦ, ନଟବର କ୍ରମରେ ?”

 

ଏମିତି ଅଖାଡ଼ୁଆ ପ୍ରଶ୍ନର ଉତ୍ତର ବା କଅଣ ଦିଅନ୍ତା ବିଭୁପ୍ରସାଦ ! କାରଣ ଡ. ଜେନାଙ୍କ ଚିଠିରୁ ଯଦିଚ କଖାରୁ ଫୁଲର କଷି ତିନୋଟିର ଝଡ଼ ପଡ଼ିବାର ଆଶଙ୍କା ଟିକିଏ ପ୍ରକାଶ ପାଉଥିଲା; ତଥାପି ସମୁଦାୟ ଚିଠିଟିର ଶେଷ କଥା ନୈରାଶ୍ୟ ନୁହେଁ । ସେ ତ ପରିଷ୍କାର ଘୋଷଣା କରୁଥିଲେ–“ତୁମେ ହିଁ ଫଳ.......ବିଶ୍ଵବିଦ୍ୟାଳୟର ଥେସିସ୍‍ଠାରୁ ତୁମେ ବଡ଼, ତୁମେ ମହତ୍ !”

 

ବିଭୁପ୍ରସାଦଠାରୁ ତଥାପି କୌଣସି ଉତ୍ତର ନ ପାଇ ଡ. ଶର୍ମା ଆଉ ଥରେ ସମସ୍ୟାଟିକୁ ବ୍ୟାଖ୍ୟା କରି କହିଲେ–

 

“ଶୁଣ ! ତୁମର ମନେଥାଇପାରେ, ଥରେ ଏଇ ଡ. ଜେନା କେମିତି ଗୋଟିଏ ଅଭୂତ ପ୍ରସ୍ତାବ କରିଥିଲେ । ତୁମେ ତିନିହେଁ ସେତେବେଳେ ତାଙ୍କର ଛାତ୍ର ଥିଲ ଓ ତିନିଜଣଯାକ ପରସ୍ପରର ପ୍ରତିଦ୍ଵନ୍ଦୀ ମଧ୍ୟ ଥିଲ । ତିନିଙ୍କ ଭିତରୁ କିଏ ପ୍ରଥମେ ଡକ୍ଟରେଟ୍ ଉପାଧି ପାଇବ, ଏଥିପେଇଁ ଗୋଟିଏ ବାଦାନୁବାଦ ଲାଗିଥିଲା । ସେତେବେଳେ ଡ. ଜେନାଙ୍କର ସମସ୍ୟା ଥିଲା ତିନିହେଁ ଉପାଧିଯୁକ୍ତ ହୁଅନ୍ତୁ; କିନ୍ତୁ ଏକକାଳୀନ ନ ହୁଅନ୍ତୁ । କାରଣ ତାଙ୍କର ଆଶଙ୍କା ଥିଲା ଗୋଟିଏ ବର୍ଷରେ ତିନୋଟି ଛାତ୍ର ଯଦି ଏକାବେଳକେ ଉତ୍ତୀର୍ଣ୍ଣ ହୋଇଯାନ୍ତି, ତେବେ ପୁଣି ଗୋଟିଏ ନୂଆ ସମସ୍ୟା ଦେଖାଦେଇଥାନ୍ତା । କାରଣ ସେତେବେଳକୁ ମନମୋହନ ପୋଷ୍ଟଡକ୍ଟରେଟ୍ ଗବେଷଣା କରିବାକୁ ବିଦେଶ ଯାତ୍ରା ପାଇଁ ନିଜପକ୍ଷରୁ ଆୟୋଜନ କରିସାରିଥିଲା । ଡକ୍ଟରେଟ୍ ଉପାଧିଟିଏ ପାଇପାରିଥିଲେ ସେ ନିଶ୍ଚୟ ବିଦେଶ ଯାଇଥାନ୍ତା ଓ ଉଚ୍ଚତର ଗବେଷଣା କରିବାର ସୁଯୋଗ ଆଉ ଖ୍ୟାତି ପାଇପାରିଥାନ୍ତା । କିନ୍ତୁ ନଟବର ବା ତୁମେ ସେମିତି ଆୟୋଜନ କରିନଥିଲ ବା କରିପାରିନଥାନ୍ତ । କାରଣ ଯେକୌଣସି କାରଣରୁ ପରିସ୍ଥିତି ତୁମକୁ ସେମିତି ସୁହାଇ ପାରିନଥାନ୍ତା; ଯାହାକି ମନମୋହନର କ୍ଷେତ୍ରରେ ହୋଇଥିଲା । ଏଥିପାଇଁ ତୁମେମାନେ ମନମୋହନର ବାପାଙ୍କ ସୌଭାଗ୍ୟପ୍ରତି ହୁଏତ କାତର ହେବାରେ ଯଥାର୍ଥତା ଥିଲା । କିନ୍ତୁ ବିଚରା ମନମୋହନର ସେଥିରେ ଦୋଷ କଅଣ ଥିଲା ? ତଥାପି ବାପର ଦୋଷରେ ପୁଅକୁ ଦୋଷୀ କରି ଡ. ଜେନା ସେତେବେଳେ ଗୋଟିଏ ପ୍ରସଙ୍ଗ ଆଗତ କଲେ । ପ୍ରସଙ୍ଗଟି ମନେଥାଇପାରେ ତୁମର । ତାଙ୍କ ମତରେ–ମନେକର, ଦୁଇଜଣ ଶକ୍ତିଶାଳୀ ମଲ୍ଲ ଯୋଦ୍ଧା ଗୋଟିଏ କୁସ୍ତି ପ୍ରତିଯୋଗିତାରେ ବାରମ୍ୱାର ଖେଳ ‘ଡ୍ର’ କଲେ । ବିଚାରକମାନେ ଦୁଇ ଯୋଦ୍ଧାଙ୍କୁ ସମାନ ବୋଲି ଘୋଷଣା କଲେ । ଏଠାରେ ନ୍ୟାୟତଃ ଦୁଇ ଯୋଦ୍ଧାଙ୍କୁ ସମାନ ସମାନ ଦୁଇଟି ପଦକ ପୁରସ୍କାର ମିଳିବା କଥା; କିନ୍ତୁ ଦେଖାଗଲା ଯେ ପଦକ ମାତ୍ର ଗୋଟିଏ । ବର୍ତ୍ତମାନ ପ୍ରଶ୍ନ ହେଉଛି, ଯଦି ଦର୍ଶକବୃନ୍ଦ ଅଡ଼ିବସନ୍ତି ଯେ ଏଇ ଗୋଟିଏ ମାତ୍ର ପଦକ ଦୁଇଜଣଙ୍କ ଭିତରୁ କାହାରି ଜଣକୁ ହେଲେ ଦିଆଯାଉ, ତେବେ ବିଚାରକମାନେ କାହା ସପକ୍ଷରେ ଭୋଟ ଦେବେ ?

 

ଏଇ ପ୍ରସଙ୍ଗଟିକୁ ଡ. ଜେନା ତାଙ୍କ ମାର୍ଗରେ ସମାଧାନ କରିଥିଲେ । ମନେଅଛି ତୁମର–ସେ ଯୋଉ ସିଦ୍ଧାନ୍ତ ଦେଇଥିଲେ ? କହିନଥିଲେ ସେ–ଯେ ପଖାଳ ବେଲାଏ ତେଣ୍ଡି ଦେଇ ଅଣ୍ଡା, ମାଂସ, ଆଉ ଆପେଲ୍ ସାଙ୍ଗରେ ତାଳ ପକାଏ–ସେଇ ବଡ଼ ! ସେଇ ବଡ଼ ! ଶେଷରେ ଏଇ ସମାଧାନ ହିଁ ସେ କରିଥିଲେ–ନଟବରର ଥେସିସ୍‍କୁ ମନମୋହନର ଥେସିସ୍ ଅପେକ୍ଷା ଅଗ୍ରାଧିକାର ଦେଇ । କରିନଥିଲେ ?

 

ଏଠାରେ ମୋର ପଚାରିବାର କଥା ଡ. ଜେନାଙ୍କର ଭୂଦାନ ଆଶ୍ରମ ବାଡ଼ିରେ ଯେଉଁ କଖାରୁ କଷି ତିନୋଟି ହୋଇଛି; ସେମାନଙ୍କ ଭିତରେ ବଡ଼ କିଏ, ଏ ବିବାଦ କେମିତି ସେ ସମାଧାନ କରିବେ ?”

 

ବିଭୁପ୍ରସାଦ ଆଉ ଚୁପ୍ ରହିପାରିଲା ନାହିଁ । ଡ. ଶର୍ମାଙ୍କ କଥାରୁ ଡ. ଜେନାଙ୍କ ସମସ୍ୟା ଶୁଣିଲାବେଳେ ତା’ ଆଖିକୁ ବେଶି ଦିଶିଯାଉଥାଏ ଡ. ଶର୍ମାଙ୍କ ନିଜ ସମସ୍ୟା । ସ୍ୱରକୁ ଯଥାସମ୍ଭବ ସଂଯତ କରିବାକୁ ଚେଷ୍ଟା କରି ମଧ୍ୟ ସାମାନ୍ୟ ଅଧୀର ହୋଇ ସେ କହିଲା, “ମୁଁ ଜାଣେନାଇଁ ସାର୍–ଡ. ଜେନା କେମିତି ସମାଧାନ କରିବେ; କିନ୍ତୁ ମୁଁ ଯେତେଦୂର ଜାଣେ ଡ. ଜେନା ଯେଉଁ ଆଶ୍ରମରୁ ଏ ଚିଠିଟି ଲେଖିଛନ୍ତି ସେ ଆଶ୍ରମର ଅନ୍ୟନାମ ସର୍ବୋଦୟ ଆଶ୍ରମ । ଉଦୟ ବା ଉଇଁବା ଗୋଟିଏ କ୍ରିୟା ମାତ୍ର । ଏ କ୍ରିୟା ଭିତରୁ ତ ବଡ଼ ଛୋଟ ତାରତମ୍ୟ ପ୍ରକାଶ ପାଉନାହିଁ !”

 

ଡ. ଶର୍ମା ହସିଲେ । ହସୁ ହସୁ ତାଙ୍କ ଓଠକଣରୁ ସାମାନ୍ୟ ଲାଳ ଗଡ଼ିପଡ଼ିଲା । ସେଇଆକୁ ରୁମାଲରେ ପୋଛୁ ପୋଛୁ ସେ କହିଲେ, “ତେବେ ଏ ବାକ୍ୟଟିର ଅର୍ଥ କଅଣ–ତୁମେ ହିଁ ଫଳ, ତୁମେ ହିଁ ଫଳ; ଯେକୌଣସି ବିଶ୍ଵବିଦ୍ୟାଳୟ ଥେଥିସ୍‍ଠାରୁ ତୁମେ ବଡ଼, ମହତ୍–ଏହାର ଉଦ୍ଦେଶ୍ୟ କଅଣ ? ଏ ଆଉ ଗୋଟାଏ ପ୍ରକାର ଷଡ଼ଯନ୍ତ୍ର ନୁହେଁ କି ? କଖାରୁ ଫଳେଇବାକୁ ବଡ଼ କହି ବିଶ୍ଵବିଦ୍ୟାଳୟ ଥେସିସ୍‍କୁ ନିରର୍ଥକ, ମୂଲ୍ୟହୀନ ପ୍ରମାଣିତ କରିବା ପଛରେ ମତଲବ ଅଛି ନା ନାହିଁ ? ଗତ ଅସହଯୋଗ ଆନ୍ଦୋଳନରେ ଦଳେ ଲୋକ ଯେମିତି ରାଜନୈତିକ ଉଦ୍ଦେଶ୍ୟରେ କଳଲୁଗାର ବଦନାମ କରି ତନ୍ତଲୁଗାର ପ୍ରଶଂସା କରୁଥିଲେ, ବର୍ତ୍ତମାନ ସେମିତି ଦଳେ ଲୋକ ବିଶ୍ଵବିଦ୍ୟାଳୟ ଥେସିସ୍‍ର ନିନ୍ଦାକରି କଖାରୁମାନଙ୍କ ପ୍ରଶଂସା ଗାନ ଆରମ୍ଭ କରିଛନ୍ତି । ତୁମେ ନିଜେ କୁହତ–ଏ ଗୋଟିଏ ଛଳନା ନା ନୁହେଁ ?”

 

ବିଭୁପ୍ରସାଦ ପୁଣି ଚୁପ୍ ହୋଇଗଲା ।

 

ଡ. ଶର୍ମା ସାମାନ୍ୟ ଉତ୍ତେଜିତ ହୋଇପଡ଼ିଥିଲେ । ସେଇ ଉତ୍ତେଜନାରେ ସେ ଦପ୍‍କରି ଜଳିଉଠି କହିଲେ, “କୁହ ! ଚୁପ୍ ହେଇଗଲ କାହିଁକି ? ତୁମେ ତ ପୁଣି ଏଇ ଡ. ଜେନାଙ୍କ ପାଖରେ ଗବେଷଣା କରୁଥିଲ ସେତେବେଳେ ? କେଉଁ ବିଷୟରେ ଗବେଷଣା କରୁଥିଲ ?”

 

“ଚାକୁଣ୍ଡା ଫଳରୁ ଉତ୍ପନ୍ନ ତେଲ ଓ ତାହାର ଖାଦ୍ୟ ଉପାଦେୟତା ।” ବିଭୁପ୍ରସାଦ ଏ ଅନାସକ୍ତଭାବେ ଉତ୍ତର ଦେଲା । “ତେବେ ?” ଡ. ଶର୍ମା ପୁଣି ଥରେ ଓଠ ପୋଛିଲେ, “ବିଶ୍ୱବିଦ୍ୟାଳୟ, ଖାଦ୍ୟ ସମସ୍ୟା ସହିତ ଜଡ଼ିତ ନା ନୁହେଁ ? ଯେଉଁ ଲୋକ ଏଇ ଚଉକିରେ ବସିଗଲା କାଲି ଭାରତ କାହିଁକି ବିଶ୍ୱର ଖାଦ୍ୟ ସମସ୍ୟା କଥା ଚିନ୍ତା କରୁଥିଲେ, ଆଜି ଚଉକିରୁ ଉଠିଯିବାରୁ କହୁଛନ୍ତି କଅଣ ନା ଆଶ୍ରମ ବାଡ଼ିର ଗଛେ କଖାରୁ ହିଁ ଦେଶର ସମସ୍ୟା ସମାଧାନ କରିପାରେ । ଏହା ରାଜନୀତି ନୁହେଁ ତ ଆଉ କଅଣ ?”

 

ଡ. ଶର୍ମାଙ୍କ ସହିତ କଥୋପକଥନ ସେତିକିରେ ବନ୍ଦ ରଖି ବିଭୁପ୍ରସାଦ ଉଠିଲା । ଡ. ଶର୍ମା ତାକୁ ଚାକିରି ସମ୍ପର୍କରେ ଉପଦେଶ ଦେଇ କହିଲେ, “ଦେଖ, ଚାକିରି କଥା ଛାଡ଼ । ସେ ସବୁ ହାତରେ ନାହିଁ । ସେ ସବୁ ଅଛି ସରକାରଙ୍କ ହାତରେ । ମୋ ହାତରେ ଯେତିକି ଅଛି ସେତିକି ନେବ ତ ନିଅ । ବର୍ତ୍ତମାନ ପରିସ୍ଥିତି ବୁଝୁଛ ତ ? ଯଦି ଗବେଷଣା କରିବାକୁ ରାଜି ହୋଇଯାଅ–ତେବେ ତୁମେ ହିଁ ହେବ ଅପ୍ରତିଦ୍ୱନ୍ଦ୍ୱୀ । କାରଣ ଘଟଣାଚକ୍ରରେ ପଡ଼ି ବର୍ତ୍ତମାନ ତୁମର ଦୁଇ ପ୍ରତିଦ୍ୱନ୍ଦ୍ୱୀ ମନମୋହନ ଓ ନଟବର ଯୁଦ୍ଧକ୍ଷେତ୍ରରୁ ଅନ୍ତର୍ହିତ । ତୁମେ ହିଁ ସର୍ବେସର୍ବା । ଗବେଷଣା କର । ବର୍ଷ ଗୋଟିଏ ଲାଗିବ ନାଇଁ । ତୁମକୁ ମୁଁ ଡକ୍ଟରେଟ୍ କରେଇଦେବି ଓ ବିଦେଶ ଯିବାପାଇଁ ସୁପାରିସ୍ କରିବି । କଅଣ କହୁଛ ?”

 

ବିଭୁପ୍ରସାଦ ତଥାପି କିଛି କହିଲା ନାହିଁ । ଉଠିଲା । ଡ. ଶର୍ମାଙ୍କୁ ନମସ୍କାର କରି ଫେରିବା ପୂର୍ବରୁ କେବଳ ପଦେ କହିଲା, “ସାର୍ ମୋର ଦୁଃଖ କିନ୍ତୁ ଆପଣ ବୁଝିଲେ ନାଇଁ; ମୁଁ ଆଉ ଚାକୁଣ୍ଡା ତେଲ ଓ ତାହାର ଖାଦ୍ୟ ଉପାଦେୟତା ବିଷୟରେ ଗବେଷଣା କରିବା ଅବସ୍ଥାରେ ନାହିଁ । କାରଣ ଭୋକରେ ମୋ ପେଟ ଜଳୁଛି; ନିଜେ ଗବେଷକ ହୋଇ ବର୍ତ୍ତମାନ ବୁଝିପାରୁଛି ଯେ ଚାକୁଣ୍ଡା ତେଲରୁ ଉତ୍ପନ୍ନ ଖାଦ୍ୟରେ ଭୋକ ମରିବ ନାଇଁ । ବରଂ ଗୋଟିଏ କଖାରୁ ଯଦି କୋଉଠି ମିଳିଯାନ୍ତା । ଏଇ ଦୃଷ୍ଟିରୁ ବୋଧହୁଏ ବିଶ୍ୱବିଦ୍ୟାଳୟ ଥେସିସ୍‍ଠାରୁ କଖାରୁକୁ ବଡ଼ କହିଛନ୍ତି ଡ. ଜେନା । ଏହି କାରଣରୁ ମଧ୍ୟ ମୁଁ ମୋ ନିଜପାଇଁ ଗବେଷଣା କରି ବିଦେଶ ଯିବାପାଇଁ ବାଟ ଖୋଜିବା ଅପେକ୍ଷା ଶିକ୍ଷକତା କରି ଏଇ ହାତରେ କେତୋଟି ମଣିଷ ଗଢ଼ିବା ବଡ଼ କାର୍ଯ୍ୟ ବୋଲି ସ୍ଥିର କରିଛି । ଆପଣଙ୍କୁ ପୁନର୍ବାର ବିନୀତ ଅନିରୋଧ କରୁଛି, ମତେ ଶିକ୍ଷକତା ପାଇଁ ସୁପାରିସ୍ ଟିକିଏ କରନ୍ତୁ ।”

 

ଡ. ଶର୍ମା ସେତେବେଳକୁ ଆଖିରେ ଚଷମା ଲଗେଇ ସାରିଥାନ୍ତି । ବିଭୁପ୍ରସାଦ ଉତ୍ତରରେ କ୍ଷୁଣ୍ଣ ହୋଇନଥାନ୍ତି ସେ । କେବଳ ହସି ହସି କହିଲେ, “ଶୁଣ ବାବୁ ! ଆଦର୍ଶବାଦ ମଧ୍ୟ କ୍ଷଣିକ । କ୍ଷଣିକ ଉତ୍ତେଜନାରେ ଏ ଦେଶର କୋଟି କୋଟି ଲୋକ ଆଦର୍ଶବାଦୀ ହୁଅନ୍ତି । ପୁଣି ଉତ୍ତେଜନା କାଟିଗଲେ ନିଜର ଭୁଲ୍ ବୁଝି ଯାହା ଓଲଟା କରନ୍ତି ତାହାଠାରୁ ବଳି ମାରାତ୍ମକ ଜିନିଷ ଏ ଦେଶର ଇତିହାସରେ ଘଟିନାହିଁ । ତୁମେ ଶିକ୍ଷକ ତା’ କରିବାକୁ ସ୍ଥିର କରିଛ, ମାତ୍ର ଯେଉଁ ମୁହୂର୍ତ୍ତରେ ତୁମର ଏ ସ୍ଵପ୍ନ ସରିଯିବ, ସେତେବେଳେ କଅଣ କରିବ ? ବିଶ୍ୱବିଦ୍ୟାଳୟର ହଜାର ହଜାର ଶିକ୍ଷକ ଆଜି ନିଜ ନିଜ ଚଉକିରେ ବସି ଘୁମାଉଛନ୍ତି । ତୁମେ କ’ଣ ଭାବୁଛ ଅତୀତରେ ଏମାନେ ମଧ୍ୟ କୌଣସି ସ୍ୱପ୍ନ ନ ଦେଖି ଏଠାକୁ ଆସିଥିଲେ ?”

 

ବିଭୁପ୍ରସାଦ କବାଟ ଖୋଲି ଧୀରେ ବାହାରକୁ ବାହାରିଆସିଲା । ସ୍ପ୍ରିଂଦିଆ କବାଟଟାକୁ ହଠାତ୍ ଛାଡ଼ିଦେଇ ନ ପାରି ଧୀରେ ଧୀରେ ସ୍ପ୍ରିଂଟାକୁ କୋହଳ ହୋଇଯିବା ପର୍ଯ୍ୟନ୍ତ ସେ ଅପେକ୍ଷାକଲା ସେଇ ଦୁଆର–ବନ୍ଧରେ । କବାଟଟି ଆପେ ବନ୍ଦ ହୋଇଗଲା ନିବୁଜ୍ ହୋଇ । ବିଭୁପ୍ରସାଦ ତଥାପି ଅପେକ୍ଷା କରିଥାଏ । ଚାଲିଯିବାପେଇଁ ସେ ମୁହଁ ବୁଲେଇଲା । କିନ୍ତୁ ପଛରେ ପଡ଼ିଯାଇଥିବା ଲାବୋରେଟୋରୀର ଗନ୍ଧ ତଥାପି ତା’ର ଆଗ ବୁଲିପଡ଼ି ନାକଭିତରକୁ ପଶି ଆସୁଥାଏ । ସେଇଠୁ ପଶି ଗୋଇଠି ଉପରେ ଘାଉଁକିନା ପଛକୁ ବୁଲିପଡ଼ିଲା ସେ । ସ୍ପ୍ରିଂ କବାଟଟାକୁ ଠେଲିଦେଇ, ପରଦାକୁ ଭିଡ଼ିଦେଇ ସେ ପୁଣି ଥରେ ହାଜର ହେଇଗଲା ଡ. ଶର୍ମାଙ୍କ ଆଗରେ ।

 

“କୁଆଡ଼େ ଫେରିଲ ?” ଡ. ଶର୍ମା ହସୁଥିଲେ । “ମୁଁ ଜାଣେ ତୁମେ ପୁଣି ଫେରିବ । ଆଖିରୁ ଚଷମା ଖୋଲିପକେଇ ସେ କହୁଥିଲେ ।

 

ମୁଁ ଗବେଷଣା ହିଁ କରିବି ସାର୍ ! ମତେ ପ୍ରବ୍ଲେମ୍ ଦିଅନ୍ତୁ ।” ବିଭୁପ୍ରସାଦ ତଳକୁ ମୁହଁପୋତି କହିଲା ।

 

ଡ. ଶର୍ମା ନିଜର ଚିଠିଲେଖା କାଗଜରେ ଖଣ୍ଡିଏ ଚିଠି ଡାଇରେକ୍ଟରଙ୍କ ପାଖକୁ ଲେଖୁଥିଲେ ଆଉ ହସି ହସି କହୁଥିଲେ, “ମୁଁ ଲେକ୍‍ଚରର୍ ପୋଷ୍ଟ ପାଇଁ ମଧ୍ୟ ତୁମର ନାଁ ଏହାସହିତ ସୁପାରିସ୍ କରୁଚି । ଗବେଷଣା ଓ ଶିକ୍ଷକତା ଉଭୟ ତୁମେ କରିପାର । ଏହାବ୍ୟତୀତ ଆମର ଖାଲି ଲେକ୍‍ଚରର୍ ପୋଷ୍ଟଗୁଡ଼ିକ ଶୀଘ୍ର ପୂରଣ କରିବାପେଇଁ ଉପରୁ ତାଗିଦା ଆସିବା ପୂର୍ବରୁ ତଳୁ ମଧ୍ୟ ତାଗିଦା ଆରମ୍ଭ ହୋଇଗଲାଣି । ୟା’ଭିତରେ ଗୋଟିଏ ଛାତ୍ରଆନ୍ଦୋଳନ ମଧ୍ୟ ହୋଇସାରିଲାଣି । ଜାଣିଚ ? ନଟବର ଛାତ୍ରମାନଙ୍କୁ ଶିଖାଇକି କାଣ୍ଡ ଆରମ୍ଭ କରିଚି ଏ ମଧ୍ୟରେ ? ଛାତ୍ରମାନେ ଅଡ଼ିବସିଛନ୍ତି ଶିକ୍ଷକ ନିଯୁକ୍ତି ପୂର୍ବରୁ ଛାତ୍ରମାନଙ୍କ ପରାମର୍ଶ ନିଆଯିବା ଉଚିତ । ତୁମେ ଏ ଚିଠିଟି ନେଇ ଡାଇରେକ୍‍ଟରଙ୍କୁ ଭେଟିବା ପୂର୍ବରୁ ଟିକିଏ ମନମୋହନକୁ ଦେଖା କରିପାରିବ ? ଛାତ୍ର ଓ ସରକାରଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷାକରିବାପାଇଁ ସେ ଦାୟିତ୍ଵ ନେଇଛି । ଏ ଚିଠି ସହିତ ତା’ଠାରୁ ଖଣ୍ଡିଏ ସୁପାରିସପତ୍ର ଯଦି ହାସଲ କରିପାରିବ ତେବେ ଡାଇରେକ୍ଟର ନିଶ୍ଚୟ ଶୁଣିବେ ତୁମର ପ୍ରାର୍ଥନା ।”

 

ବିଭୁପ୍ରସାଦ ଡ. ଶର୍ମାଙ୍କ ଚିଠିଟିକୁ ପକେଟରେ ଯତ୍ନର ସହିତ ରଖିଲା ଓ ସ୍ପ୍ରିଂ କବାଟଟିକୁ ପୁଣିଥରେ ଖୋଲି ସେ ବାହାରିଆସିଲା । ଏଥର କବାଟ ପାଖରେ ସେ ଆଉ ଠିଆହୋଇ ରହିଲା ନାହିଁ । ସିଧା ଚାଲିଲା ମନମୋହନର ଅଫିସକୁ ।

 

ସେଦିନ ମୋନମୋହନଠାରୁ ସୁପାରିସ୍ ପତ୍ରଟିଏ ହାସଲ କରିବାକୁ ଡେରି ଲାଗିନଥିଲା ବିଭୁପ୍ରସାଦକୁ । ବୋଧହୁଏ ଏହି କାରଣରୁ ନୀରବନିଳୟରୁ ଅପମାନିତ ହୋଇ ଦାଣ୍ଡକୁ ପକାଇଯାଇଥିବା ତା’ର ସ୍ତ୍ରୀ ସୁକୁମାରୀକୁ ପୁଣି ଖୋଜି ପାଇବାକୁ ସେଦିନ ଡେରି ଲାଗିଲା ନାହିଁ ତାକୁ ।

 

ଏଗାର

 

ଗତ କେତୋଟି ଦିନ ହେବ ନୀରବନିଳୟ ପ୍ରକୃତରେ ନିରବ ଆଉ ଶାନ୍ତ । ବିଭୁପ୍ରସାଦ ପକ୍ଷରୁ ଭଙ୍ଗାରୁଜା ଓ ହିଂସାତ୍ମକ କାଣ୍ଡ ବନ୍ଦ ହୋଇଯାଇଥିଲା । ଅନ୍ତତଃ ବାହ୍ୟିକଭାବେ ଆଉ ଘଟିନଥିଲା । କପ୍, ଥାଳିଆ, ବୋତଲ, ଦୁଆତମାନେ ଆଉ ଚଟାଣରେ ସକାଳୁଆ ଗଙ୍ଗଶିଉଳୀ ଫୁଲମାନଙ୍କ ପରି ଫୁଟୁନଥିଲେ । କିମ୍ୱା ସୁକୁମାରୀର ଏ ଫୁଲତୋଳା ଦେଖିବାକୁ ବିଭୁପ୍ରସାଦର ଆଉ ଉତ୍ସାହ ନ ଥିଲା । ସେ ବଡ଼ିଭୋରରୁ ଉଠି, ତରତର ହୋଇ ନିତ୍ୟକର୍ମ ଶେଷକରି ଚା ଜଳଖିଆ ମାଗୁଥିଲା–ସୁକୁମାରୀକୁ ଓ ଟିକେ ଡେରିହୋଇଗଲେ କମ୍ପାଉଥିଲା–ଆଣନା ! ଗତ ରାତିରୁ ଇଲେକ୍ଟ୍ରିକ୍ ହିଟର୍‍ଟାଏ ଲାବୋରେଟୋରୀରେ ଜଳି ଚାଲିଚି ! ମାନେପଡ଼ିଲା ନାଇଁ ଲିଭେଇଦବାକୁ । କେତେଗୁଡ଼ିଏ ବିଦ୍ୟୁତ୍‍ଶକ୍ତି ବୃଥା ହୋଇଗଲା ସିନା !

 

ବିଭୁପ୍ରସାଦ ବର୍ତ୍ତମାନ ପୂରାପୂରି ଜଣେ ଗବେଷକ ଓ ଅଧ୍ୟାପକ । ସେଦିନ ମନମୋହନଠାରୁ ସୁପାରିସ୍ ପତ୍ର ଆଣି ଡାଇରେକ୍ଟରଙ୍କୁ ଦେବାର ମାତ୍ର ଅଠଚାଳିଶ ଘଣ୍ଟା ଭିତରେ ନିଯୁକ୍ତିପତ୍ର ସେ ପାଇଯାଇଥାଏ । ମନମୋହନ ତାକୁ ଆହୁରି କହିଥାଏ– “ଯଦି ଚବିଶଘଣ୍ଟାରୁ ପଚିଶଘଣ୍ଟା ହୋଇଯାଏ ନିଯୁକ୍ତିପତ୍ର ପାଇବାକୁ, ମତେ ଟିକିଏ ଟେଲିଫୋନ୍ କରି ଜଣାଇଦବୁ ।”

 

ବିଭୁପ୍ରସାଦକୁ ଟେଲିଫୋନ୍ କରିବାକୁ ପଡ଼ିନାହିଁ । ସକାଳୁ ସକାଳୁ ଜଣେ ପତ୍ରବାହକ ନୀରବନିଳୟ ବାରଣ୍ଡାରେ ଟହଲ ମାରିଲା । ବିଭୁପ୍ରସାଦ “ଡାକିଲା–କିଏ ?”

 

ପତ୍ରବାହକ ନମସ୍କାର କଲା ଓ ଚିଠିଟିକୁ ବିଭୁପ୍ରସାଦ ହାତକୁ ବଢ଼େଇଦେଇ ସାକୁଲେଇହୋଇ କହିଲା, “ଆଜ୍ଞା, ଟିକିଏ ଗତକାଲିର ତାରିଖ ପକେଇଦିଅନ୍ତୁ ।”

 

“କାହିଁକି ?” ବିଭୁପ୍ରସାଦ ରାଗିନଥିଲା । ତଥାପି ଲୋକଟାର ସେଇ ନିଲଠା ମୁହଁକୁ ଦେଖିବାମାତ୍ରେ ତାକୁ ବିରକ୍ତ ଲାଗିଲା । ଚିରକାଳ ଏମାନେ ଏହିପରି–ମନକୁମନ ସେ କହିଲା–ବୋହିଯାଉଥିବା ପାଣିଧାରଟା ଆଗରେ ବିନା କାରଣରେ ଗୋଡ଼ ଦେଖେଇଦେବା ଏମାନଙ୍କର ଅଭ୍ୟାସ । ଉପରେ ଯେତେ ଗତିଶୀଳ ଟେଲିଫୋନର ଶାସନ ଚାଲୁ ପଛେ, ତଳେ ଏମିତି କାନକୁଣ୍ଡିଆ, ଦାନ୍ତ ନେଫେଡ଼ା । ବିରକ୍ତିକୁ ବହୁତ ଚାପିରଖି ବିଭୁପ୍ରସାଦ ଆଉଥରେ ପଚାରିଲା, “କଅଣ କହୁନ କାହିଁକି ? ଯୋଉ ଚିଠିକୁ ଚବିଶଘଣ୍ଟା ଭିତରେ ପହଞ୍ଚେଇ ଦେବାପାଇଁ ରାଷ୍ଟ୍ର ପ୍ରତିଜ୍ଞା କରିଥିଲା, ତାକୁ ତୁମେ ଏକା ଚବିଶଘଣ୍ଟା ଡେରି କରେଇଦେଲ ! ଏଥିରେ କୋଉ ଶାସନ ନିଜ ପ୍ରତିଶ୍ରୁତି ରକ୍ଷା କରିପାରିବ ?”

 

ଲୋକଟି ତଥାପି କିଛି ଜବାବ୍ ଦେଲାନାଇଁ । ଚିଠିଟିକୁ ତା’ ହାତରୁ ଆଣି ବିଭୁପ୍ରସାଦ ଠିକ୍ ତାରିଖ ବସେଇ ରସିଦ୍ ଦସ୍ତଖତ କରିଦେଲା ଓ ରସିଦଟିକୁ ଫେରାଇଦେଇ ଲୋକଟି ଯିବାପର୍ଯ୍ୟନ୍ତ ଅପେକ୍ଷା କଲା । ତାପରେ ସୁକୁମାରୀକୁ ଡାକୁ ଡାକୁ ସେ ଚିଠିଟିକୁ ଫିଟେଇ ପଢ଼ିସାରିଥିଲା ।

 

ସୁକୁମାରୀ ଆସିଲା । ଖାଲି ଆସିନଥାଏ । ବିଭୁପ୍ରସାଦ ପେଇଁ ଊର୍ଣ୍ଣନାଭ ଆଶ୍ରମରୁ ଆସିଥିବା ଗୋଟିଏ ଅଣ୍ଡା ପୋଚ୍ କରି ଆଣିଥାଏ ।

 

ବିଭୁପ୍ରସାଦ ସୁକୁମାରୀ ହାତରୁ ଥାଳିଆଟିକୁ ନଉ ନଉ ଲକ୍ଷ୍ୟକଲା ସୁକୁମାରୀର କାଳୀଆ ହାତଉପରେ ମେଞ୍ଚାଏ ହାଣ୍ଡିକଳା ଲାଗିଚି । ବିଭୁପ୍ରସାଦ ସେଇ ହାତଟିକୁ ଧରିପକେଇଲା ଓ ପକେଟରୁ ରୁମାଲ ବାହାର କରି କଳା ମେଞ୍ଚାକ ପୋଛି ପକେଇଲା । ସୁକୁମାରୀ ଲାଜରେ, ଅଭିମାନରେ ହାତଟାକୁ ଟାଣିନେଲା ବିଭୁପ୍ରସାଦର ହାତ ଭିତରୁ ଆଉ କହିଲା, “ଯେତେ ପୋଛିଲେ କଅଣ ହବ ? କଳା ତ କଳା !”

 

ବିଭୁପ୍ରସାଦ ହସିଲା । ଉତ୍ତର ଦେଲାନାହିଁ କିଛି । ଏକ ଢୋକରେ ଅଣ୍ଡାଟାକୁ, ଆର ଢୋକରେ ପାଣି ଚାହା ମିଶାମିଶି କରି ପେଟକୁ ପକେଇଦେଇ ସେ ଲାବୋରେଟୋରି ବାହାରିପଡ଼ିଲା । ବାହାରିଯିବା ପୂର୍ବରୁ ସୁକୁମାରୀକୁ ପୁଣି ଥରେ ପାଖକୁ ଡାକିଲା । ତା’ର ମତଲବ୍ ନ ବୁଝି ସୁକୁମାରୀ ତାକୁ ଧରାଦବା ମାତ୍ରେ ବିଭୁପ୍ରସାଦ ତାକୁ ଭିଡ଼ିନେଇଗଲା ଆହୁରି ନିକଟକୁ ଓ ଗେଲ କରୁ କରୁ ତା’ କାନରେ କହିଲା–“ମୁଁ ତୁମର ବାହାରର କଳାକୁ ଘୃଣା କରେ–ଅନ୍ତରର କଳାକୁ ନୁହେଁ !”

 

ସୁକୁମାରୀ କିଛି ବିଶେଷ ଆଗ୍ରହ ପ୍ରକାଶ କଲାନାହିଁ । କେବଳ କହିଲା, “ଶୀଘ୍ର ଆସିବ-।”

 

ବିଭୁପ୍ରସାଦ ତରତର ହୋଇ ଘରୁ ବାହାରିଗଲା । କିନ୍ତୁ କେତେପାଦ ଯାଇ ପୁଣି ଫେରିପଡ଼ିଲା ଓ ସେଇଠୁ ସୁକୁମାରୀକୁ ଶୁଣେଇ ଶୁଣେଇ କହିଲା, “ମୁଁ ସେଦିନ ମନମୋହନର ଅଫିସକୁ ଯାଇଥିଲି । ଆଜି ମୋତେ ତା’ ଘରକୁ ବି ନିମନ୍ତ୍ରଣ କରିଛି । ହୁଏତ ଯାଇପାରେ । ଟିକିଏ ଡେରିହୋଇଯିବ ।”

 

ମୁହଁ ବୁଲେଇ ଆଗକୁ ପାଦ ବଢ଼େଇଦେଲା ସେ । କେଇଖେପା ଗଲା । ସେଇଠୁ ପୁଣି ବୁଲିପଡ଼ିଲା । ସୁକୁମାରୀ ତା’ ବାଟକୁ ଅନେଇ ପୂର୍ବପରି ଠିଆ ହୋଇଥାଏ । ବିଭୁପ୍ରସାଦର ପାଟିରୁ ଆଉ କଅଣ ପଦେ ବାହାରିପଡ଼ୁଥିଲା । କିନ୍ତୁ ତାକୁ ଚାପିଦେଇ ସେ ଖାଲି ହସିଦେଲା ଓ ଏଥର ଆଉ ପଛକୁ ନ ଚାହିଁ ଲାବୋରେଟୋରୀମୁହାଁ ଧପାଲିଲା ।

 

ବାଟରେ କେତେ କଥା ତା’ ମନକୁ ଆସୁଥାଏ । ସବୁରି ଭିତରେ ଥାଏ ମନମୋହନ ପ୍ରତି ଏଇ ଅଯାଚିତ ସହାନୁଭୂତି ଆଉ ସହଯୋଗର ଇଚ୍ଛା । ଏଇ ଇଚ୍ଛାକୁ ହିଁ ଦିନତମାମ ସେ ଏପଟସେପଟ କରି ପରୀକ୍ଷା କରୁଥାଏ–ଲାବୋରେଟୋରିର ବିଭିନ୍ନ କାର୍ଯ୍ୟ ଭିତରେ । ହଜାରବାର ମନଭିତରକୁ ସେଇ ଗୋଟିଏ ସନ୍ଦେହ ଚାଲିଆସୁଥାଏ ତା’ର–ଏଇ ସହାନୁଭୂତି, ସହାନୁଭୂତି ନା ଆନୁଗତ୍ୟ ? ସାମାନ୍ୟ ଖଣ୍ଡିଏ ଚାକିରି କରେଇଦେଇ ମନମୋହନ ତା’ର ବିବେକକୁ ଖାଇଦେଲା ନାହିଁ ତ ? କିନ୍ତୁ ସାଙ୍ଗେ ସାଙ୍ଗେ ଏ ପ୍ରଶ୍ନର ଜବାବ ମିଳିଯାଉଥାଏ ଆହୁରି ପ୍ରଶ୍ନଉପରେ ପ୍ରଶ୍ନରେ–ଚାକିରି ? ସେ କଅଣ ବାସ୍ତବିକ ଚାକିରି କରିବାକୁ ବାହାରିଚି ? ଏ ଚାକିରି କଅଣ ମନମୋହନର ବ୍ୟକ୍ତିଗତ ନୌକରୀ ? ସ୍ଵାଧୀନ ରାଷ୍ଟ୍ରରେ କେହି କଅଣ ଅନ୍ୟର ଚାକିରି କରେ ? ଏ ସନ୍ଦେହ ସେଇ ପୁରୁଣା ବ୍ରିଟିଶ୍ ଦିନର । ସ୍ଵାଧୀନ ରାଷ୍ଟ୍ରରେ ଚାକିରିର ଅର୍ଥ ସହଯୋଗ । ସହଯୋଗ ହିଁ ସ୍ଵାଧୀନତାର ଅସ୍ତିତ୍ଵ; ଯେଉଁ ଅସ୍ତିତ୍ଵ ଉପରେ ରାଷ୍ଟ୍ରର ମେଦ ସଞ୍ଚିତ ହୁଏ । ଏ ଅସ୍ତିତ୍ଵଟିକୁ କାଢ଼ିନିଅ–ମୁହୂର୍ତ୍ତକରେ ରାଷ୍ଟ୍ରର ମେଦ ଖସିପଡ଼ିବ । ରାଷ୍ଟ୍ରକୁ ଏପରି ଖସେଇ ପକେଇବାପେଇଁ ବ୍ୟକ୍ତିର ଅଧିକାର ଅଛି ? ଥାଇପାରେ–ରାଷ୍ଟ୍ରର ଦୁଃଶାସନକୁ ଟଲାଇ ସୁଶାସନ ପ୍ରତିଷ୍ଠା କରିବାପେଇଁ ଯେତିକି ବିଦ୍ରୋହ ଦରକାର, ସେତିକି ଅଧିକାର ଥାଇପାରେ । ମାତ୍ର ସମ୍ପୂର୍ଣ୍ଣ ରାଷ୍ଟ୍ର ସହିତ ସମ୍ପୂର୍ଣ୍ଣ ଅସହଯୋଗର ଅଧିକାର ବା ଆବଶ୍ୟକତା ମଣିଷର ଅଛି କି ? ଏ ଆବଶ୍ୟକତା ଯାହା–ନିଜ ଆତ୍ମାକୁ ନିଜ ଶରୀରରୁ ଗାଦିଚ୍ୟୁତ କରିବାର ଆବଶ୍ୟକତାହିଁ ତାହା । ପୃଥିବୀକୁ କଅଣ ଏପରି ଦୁର୍ଦ୍ଦିନ ଆସିଗଲାଣି ଯେତେବେଳେ ମଣିଷ ନିଜ ଆତ୍ମା ସହିତ ମଧ୍ୟ ଅସହଯୋଗ କରିବ ?

 

ସେଦିନ ତମାମ୍ ଲାବୋରେଟୋରୀର ଯନ୍ତ୍ରପାତି, ଖାତାପତ୍ର, ବହିପତ୍ର ସଜାଡ଼ିବାରେ ଚାଲିଗଲା । ମଝିରେ ଡ. ଶର୍ମା ଆସିଥିଲେ । ବିଭୁପ୍ରସାଦକୁ କାର୍ଯ୍ୟ–ବ୍ୟସ୍ତ ଦେଖି ସନ୍ତୋଷ ପ୍ରକାଶ କଲେ । ହସି ହସି କହିଲେ–“କଅଣ କରିବା କୁହ । ସେଇ ଚାକୁଣ୍ଡା ତେଲ ସମ୍ପର୍କୀୟ ଗବେଷଣା ପୁଣି ଚାଲୁକରିବ, ନା ନୂଆ କିଛି ? ମୋର ମନେହଉଛି ନୂଆ କିଛି କର । ଚାକୁଣ୍ଡା ତେଲ ଆଉ ଖାଦ୍ୟ ସମସ୍ୟା–ବାସ୍ତବିକ ବଡ଼ ଦୂରଦୂରାନ୍ତ ସମ୍ପର୍କ–ଯେମିତି ମଙ୍ଗଳ ଗ୍ରହର ମୃତ୍ତିକା ଓ ତହିଁରେ ଆଖୁଚାଷର ସମ୍ଭାବନା ।”

 

ବିଭୁପ୍ରସାଦ ଡ. ଶର୍ମାଙ୍କ ହସରେ ସହଯୋଗ କଲା ଓ କହିଲା, “କିନ୍ତୁ ପୁଣିଥରେ ମୂଳରୁ ଆରମ୍ଭ କଲେ ଶେଷ କରିବାକୁ ଆଉ କେତେଦିନ ଲାଗିବ ?”

 

“ଅନ୍ୟୂନ ତିନିବର୍ଷ । କିନ୍ତୁ ପୂରା ସମୟ ଦେଇ ଯଦି କରିପାରିବ ତେବେ ଦେଢ଼ ବା ଦୁଇବର୍ଷ ମଧ୍ୟରେ କରିଦେଇପାର ।” ଡ. ଶର୍ମା ବର୍ତ୍ତମାନ ଆଉ ହସୁନଥିଲେ ।

 

“ପୁଣି ତିନିବର୍ଷ ? ଅର୍ଥାତ୍ ଗତ ଚାରିବର୍ଷର ହାଡ଼ଭଙ୍ଗା ପରିଶ୍ରମ ପରେ ପୁଣି ତିନିବର୍ଷ-? ମୋ ବୟସ ବର୍ତ୍ତମାନ ଛବିଶ ପୂରି ସତେଇଶ ଚାଲିଛି ସାର୍ !” ବିଭୁପ୍ରସାଦର ସ୍ଵରରେ ହତାଶା ନ ଥିଲା ବରଂ ଆତ୍ମୋତ୍ସର୍ଗ ପାଇଁ ନୂତନ ପ୍ରସ୍ତୁତିକାଳୀନ ଦୀର୍ଘଶ୍ୱାସହିଁ ବାହାରୁଥିଲା ।

 

“ବିଜ୍ଞାନ ସମ୍ମୁଖରେ ସାତ ବର୍ଷ ବା ସତେଇଶ ବର୍ଷ କିଛି ନୁହେଁ ବନ୍ଧୁ ! ସମୁଦାୟ ଜୀବନ ବି କିଛି ନୁହେଁ । ତୁମେ ଯୋଉଠୁ ଛାଡ଼ିବ ଅନ୍ୟଜଣେ ଆସିବ ସେଇଠୁ ଧରିନେବ । ଇତିହାସ ପରି ବିଜ୍ଞାନ ଗୋଟିଏ ନିରବଚ୍ଛିନ୍ନ ସୁଅ । ଏ ସାହିତ୍ୟ ନୁହେଁ ଯେକୌଣସି ମହାକାବ୍ୟର ସମୁଦ୍ର ଭିତରେ ଏ ସୁଅଟି ଦିନେ ମିଶିଯିବ–ଏଇ ଆଶାରେ ଲେଖକ ଲେଖିଚାଲିବ । ବିଜ୍ଞାନରେ ଫଳ କିଛି ନିର୍ଦ୍ଦିଷ୍ଟ ନୁହେଁ; ଅଭିଜ୍ଞତାର କ୍ରମନ୍ୱୟ ହିଁ ବିଜ୍ଞାନ ।” ବିଜ୍ଞାନ ପରି ଡ. ଶର୍ମାଙ୍କ ହସ ମଧ୍ୟ ଅସରନ୍ତି ।

 

ବିଭୁପ୍ରସାଦ କିଛି ସମୟ କାନେଇ ରହିଲା–ଡ. ଶର୍ମାଙ୍କ ସ୍ଵରର ପ୍ରତିଧ୍ଵନିକୁ । ତାପରେ ଆଶ୍ଚର୍ଯ୍ୟ ହୋଇ ମନକୁମନ ପଚାରିଲା–ଏଇ କ’ଣ ତେବେ ସେଇ କ୍ରମନ୍ୱୟ–ଯେପରି ଶିକ୍ଷକତା କ୍ରମରେ ମୋ ବାପା, ତାପରେ ଡ. ଜେନା, ତାପରେ ଏଇ ଡ. ଶର୍ମା ? ସବୁତ ସେଇ ଏକ ଆଉ ଅଛିଣ୍ଡା ସ୍ୱରପରି ଶୁଭିଯାଉଛି କାନକୁ ! ସେମାନେ ତେବେ ପ୍ରକୃତରେ ପୃଥକ୍ ପୃଥକ୍ ଅସ୍ତିତ୍ଵ ନୁହନ୍ତି-? ଗୋଟିଏ ଆଲୋକ ରଶ୍ମିର ଦ୍ଵିବିଧ ଗୁଣ ପରି ଏମାନେ କେତେବେଳେ ତରଙ୍ଗ ପରି ହୁଅନ୍ତି ତ ପୁଣି କେତେବେଳେ ଆଲୋକକଣିକା ପରି ପରସ୍ପରଠାରୁ ବିଚ୍ଛିନ୍ନ ହୋଇ, ବାଟୁଳା ବାଟୁଳା ହୋଇ ଏଣେତେଣେ ଛାଡ଼ିକି ଯାଆନ୍ତି ?

 

ଏହିପରି ଭାବୁଥାଏ, ହଠାତ୍ ବାହାରେ ମଟର ହର୍ଣ୍ଣ ଶୁଣାଗଲା । ସେ ମଟର ହର୍ଣ୍ଣ ଉଭୟ ଡ. ଶର୍ମା ଓ ବିଭୁପ୍ରସାଦର ପରିଚିତ । ଡ. ଶର୍ମା ଚଉକିରୁ ଉଠିପଡ଼ିଲେ ଓ ଲାବୋରେଟୋରୀ ବାହାରକୁ ଛୁଟିଗଲେ । ବିଭୁପ୍ରସାଦ କିନ୍ତୁ ବସି ରହିଲା–ମନମୋହନ ନିଜେ ଆସି ତାକୁ ପାଛୋଟିନେବା ପର୍ଯ୍ୟନ୍ତ । ଦୁହେଁ ସାଙ୍ଗହୋଇ ବାହାରିଗଲେ ମନମୋହନର ଗାଡ଼ିରେ–ମନମୋହନର ଘରକୁ । ବାଟରେ ବିଶେଷ କିଛି କଥାବାର୍ତ୍ତା ହେବାପାଇଁ ନ ଥିଲା । ମନମୋହନ ଚିନ୍ତାମଗ୍ନ ଜଣାପଡ଼ୁଥିଲା, ବିଭୁପ୍ରସାଦ ମଧ୍ୟ ନିଜେ ଖୁବ୍ ଚିନ୍ତିତ ଥିଲା ।

 

ମନମୋହନର ନବବିବାହିତା ସ୍ତ୍ରୀ ପୋର୍ଟିକୋ ପର୍ଯ୍ୟନ୍ତ ଓହ୍ଲାଇଆସି ଦୁଇଜଣଙ୍କ ପାଇଁ କେତେବେଳୁ ଅପେକ୍ଷା କରିଥିଲା । ବିଭୁପ୍ରସାଦ ଆଗରୁ ଶୁଣିଥିଲା–କୌଣସି ଗୋଟିଏ ପ୍ରଦେଶର ଖୁବ୍ ପ୍ରତିପତ୍ତିଶାଳୀ ରାଜନୈତିକ ନେତା, ଯେକି ବର୍ତ୍ତମାନ ଅନ୍ୟକୌଣସି ପ୍ରଦେଶର ରାଜ୍ୟପାଳରୂପେ ଅବସ୍ଥାପିତ, ତାଙ୍କରି ଏକମାତ୍ର କନ୍ୟାକୁ ମନମୋହନ ବାହା ହୋଇଥିଲା । ଏଇ ସ୍ତ୍ରୀଲୋକଟି ସମ୍ପର୍କରେ ମନେମନେ ଆଗରୁ କେତେକଥା ସେ ଭାବିନଥିଲା ! କିନ୍ତୁ ପୋର୍ଟିକୋର ଗୋଟିଏ ଚିକ୍କଣ କଳା ଗମ୍ବୁଜକୁ ଅଧା ଆଉଜି ଅପେକ୍ଷାରତ ସେଇ ଝିଅଟିକୁ ଦୂରରୁ, ମଟର ଫାଟକ ଟପିବାର ବହୁତ ପୂର୍ବରୁ ଦେଖିପକେଇବା ବେଳଠୁଁ ବିଭୁପ୍ରସାଦର ମନ ଅଧେ ହାଲୁକା ହୋଇଗଲା । ମଟରର, ବିଭୁପ୍ରସାଦ ପାଖ ଦରଜାକୁ ସେଇ ହିଁ ଫିଟେଇଦେଲେ–ସେଇ ମହିଳା–ମନମୋହନର ସ୍ତ୍ରୀ । ମନମୋହନ ଅନ୍ୟପାଖେ ଦରଜା ଖୋଲି, ମଟରଟିକୁ ପ୍ରଦକ୍ଷିଣ କରିସାରି “ଏଇ ହଉଛନ୍ତି ମୋର ସାଙ୍ଗ–ଆଉ ଏ ମୋ ସ୍ତ୍ରୀ” କହିବା ପୂର୍ବରୁ ବିଭୁପ୍ରସାଦର ଅପରିଚିତତା କଟିଯାଇଥିଲା । ଏହାପରେ ପୋର୍ଟିକୋରୁ ମୋଜାଇକ୍ ବାରଣ୍ଡାର ପାହାଚ, ପାହାଚରୁ ବାରଣ୍ଡାଉପରେ ସଜାହୋଇଥିବା ବିଭିନ୍ନ ଜାତିର ନାଗଫେଣିଆ ବା କାକ୍‍ଟସ୍, କାକ୍‍ଟସରୁ ଦାମିକା ପରଦା, ପରଦାରୁ ସୋଫା ଓ ସୋଫାରୁ ଡ୍ରଇଂରୁମର ଆହୁରି ଚମତ୍କାର ଓ ମୂଲ୍ୟବାନ୍ ଉପକରଣମାନଙ୍କ ଉପରଦେଇ କାନ୍ଥରେ ଟଙ୍ଗା ହୋଇଥିବା ସେଇ ଗାନ୍ଧିଙ୍କର ଲାଇଫସାଇଜ୍ ଫଟୋଟି ପର୍ଯ୍ୟନ୍ତ ପ୍ରାୟ କିଛି ଅଚିହ୍ନା, ଅଜଣା ବା ଛାଡ଼ଛାଡ଼ରା ଜିନିଷ ଆଉ ମିଳିଲା ନାହିଁ ।

 

ବିଭୁପ୍ରସାଦ ଓ ମନମୋହନକୁ ବସେଇଦେଇ ସେହି ମିହିଳାଟି ଯାହାଙ୍କ ନାଁ ଉଷା ବୋଲି ପୂର୍ବରୁ ମନମୋହନର ବିବାହ ନିମନ୍ତ୍ରଣ ପତ୍ରରୁ ସେ (ବିଭୁପ୍ରସାଦ) ଜାଣିଥିଲା, ସେ ଚାଲିଗଲେ ଭିତରକୁ–ଟିକିଏ ଆସୁଛି କହି–ବୋଧହୁଏ ଚା ଜଳଖିଆର ଆୟୋଜନରେ । ସ୍ଵରରେ ମଧ୍ୟ କୌଣସି ଅଚିହ୍ନା ଭାବର ସୂଚନା ଜଣାପଡ଼ିଲା ନାହିଁ–ବିଭୁପ୍ରସାଦର କାନରେ–ଯଦିଚ ଭଦ୍ରମହିଳା ଏପର୍ଯ୍ୟନ୍ତ ସ୍ୱାମୀର ମାତୃଭାଷାକୁ ଆୟତ୍ତ କରିପାରିନଥିଲେ ।

 

“ବାସ୍ତବିକ ଉଷାଟିଏରେ ଭାଇ ! ତୁ ଏତେ ଭାଗ୍ୟବାନ ମୁଁ ଜାଣିନଥିଲି । ଜାଣୁ ? ଆମେ କେତେ ଭୁଲ୍‍କଥା ଭାବିଥିଲୁ–ଏଇ ମହିଳାଙ୍କ ବିରୁଦ୍ଧରେ ! ଆମେ କଅଣ ? ମୁଁ ନିଜେ ! ମୁଁ ଭାବିଥିଲି ତୁ ବୋଧେ ନିଜକୁ ବଳି ପକେଇଦେଲୁ–ତୋ ବାପାଙ୍କ ସ୍ଵାର୍ଥପାଇଁ ! ଭାବିଥିଲି–ଭଦ୍ରମହିଳାଙ୍କୁ ତୁ ଅନିଚ୍ଛା ସତ୍ତ୍ଵେ ବିଭାହେବାକୁ ରାଜି ହୋଇଗଲୁ–ତୋ ବାପାଙ୍କୁ ଯେତେବେଳେ ଚାକିରିରୁ ସସପେଣ୍ଡ କରାହୋଇଥିଲା–ସେତେବେଳେ । ବହୁତ କୁତ୍ସିତ କଥା ତୋ ସ୍ତ୍ରୀଙ୍କ ସମ୍ପର୍କରେ ଭାବିଥିଲି । କ୍ଷମାକରିବୁ ମତେ !” ବିଭୁପ୍ରସାଦର ଏ ସ୍ଵୀକାରୋକ୍ତି ମନମୋହନ ନିକଟରେ ନ ଥିଲା, ଥିଲା ନିଜ ନିକଟରେ । ମନମୋହନର ସୌଭାଗ୍ୟ ତା’ର ସୁନ୍ଦରୀ ସ୍ତ୍ରୀର ସୌକୁମାର୍ଯ୍ୟ ଓ ସେମାନଙ୍କ ଚତୁଃପାର୍ଶ୍ୱସ୍ଥ ସେ ଐଶ୍ଚର୍ଯ୍ୟ ବିଭୁପ୍ରସାଦକୁ ବଶ ବା ମୃଗ୍ଧ କରିଦେଇନଥିଲା; ବରଂ ତା’ ଅନ୍ତରର ବହୁ ଅବଦମିତ କୌତୂହଳ ଜିଜ୍ଞାସାକୁ ଭାଷାରେ ପ୍ରକାଶ କରିଦେଲା ।

 

ମନମୋହନ ପୂର୍ବପରି ଚିନ୍ତିତ ଥାଏ । ବିଭୁପ୍ରସାଦର ସ୍ଵୀକାରୋକ୍ତିରେ ସେ ଆଶ୍ଚର୍ଯ୍ୟ ବା ମର୍ମାହତ ହେଲାପରି ଦିଶୁନଥାଏ । ବୋଧହୁଏ ସେ ଶୁଣୁନଥିଲା କି କଅଣ ! ଟିକିଏ ପରେ ଉଷା ଆସିଗଲେ । ଟ୍ରେଧରି ପଛେ ପଛେ ପରିଚ୍ଛନ୍ନ ଚାକରଟିଏ । ତା’ ପଛେ ପଛେ ସରକାରୀ ଖଦଡ଼ ପୋଷାକଧାରୀ ପିଅନ୍ ଆଉ ଗୋଟିଏ ଟ୍ରେରେ ଟି ପଟ୍ ଓ କପ୍ ପ୍ଳେଟ୍ ପ୍ରଭୃତି ଧରି ଶ୍ରୀମତୀ ମନମୋହନ ଜଳଖିଆ ପ୍ଳେଟଗୁଡ଼ିକ ସଜାଡ଼ିବାରେ ବ୍ୟସ୍ତ ଥିଲେ । ଅନ୍ୟ ରୁମର ଟେଲିଫୋନ୍ ବାଜିଲା । ମନମୋହନ ଧଡ଼୍ କରି ଉଠିଗଲା ଟେଲିଫୋନ୍ ଧରିବାକୁ । ଚାକର ଓ ପିଅନ୍ ଟ୍ରେ ଦୁଇଟି ରଖିଦେଇ ଅପସରି ଗଲେ । ବିଭୁପ୍ରସାଦ ଓ ଉଷା ଏକୁଟିଆ ହୋଇଗଲେ । ଘରେ ପାଦଦେବା ବେଳଠୁଁ ଏପର୍ଯ୍ୟନ୍ତ ଏଇ ଗୋଟିଏ ମାତ୍ର ମୁହୂର୍ତ୍ତ ବିଭୁପ୍ରସାଦର ସାମାନ୍ୟ ଅଜଣା ଓ ଅପ୍ରତ୍ୟାଶିତ । କାରଣ ଏପର୍ଯ୍ୟନ୍ତ ଜୀବନର ଏଇସବୁ ମୁହୂର୍ତ୍ତମାନଙ୍କୁ ଖୁବ୍ ସତର୍କ ହେବାକୁ ସେ ପିଲାଦିନୁ ଶିଖିଥିଲା । କିନ୍ତୁ ମନମୋହନର ସ୍ତ୍ରୀ ଉଷା ଗୋଟିଏ ଚମତ୍କାର ସର୍ବଗୁଣସମ୍ପନ୍ନା ମହିଳା । ହଠାତ୍ ସେ ଆରମ୍ଭ କରିଦେଲା ଆଳାପ–ସତେକି ଗୋଟିଏ ବାକ୍ୟର ଆଧାରୁ ସେ କୌଣସି କାମ ପାଇଁ ଉଠିଯାଇଥିଲା ଆଉ ଫେରିଆସିବା ମାତ୍ରେ ପଚାରିଲା–“କେବେ ଆଣୁଛନ୍ତି ?”

 

ପ୍ରଥମେ ବୁଝିପାରିଲା ନାଇଁ ବିଭୁପ୍ରସାଦ । ଉଷାର ଆଖିକୁ ଏଡ଼େଇବା ପାଇଁ ସେ ବୋଧହୁଏ ଅନ୍ୟଆଡ଼େ ଚାହିଁଥିଲା । ଦୁଇ କାନ୍ଥର ମିଳନ ସ୍ଥଳରେ, ଗୋଟିଏ ଛୋଟ ତିନିକୋଣିଆ ସେଲଫ୍ ଉପର ଥାକରେ ମନମୋହନ ଓ ଉଷାର ଗୋଟିଏ ଯୁଗ୍ମ ଫଟୋ ରଖାଯାଇଥିଲା । ବିଭୁପ୍ରସାଦ ସେଇ ଉଷାକୁ ହିଁ ଲକ୍ଷ୍ୟ କରୁଥିଲା ଓ କାହିଁକି କେଜାଣି ଭାବୁଥିଲା ଯେ, ସେ ଉଷା ସତେକି ଏ ଉଷା ନୁହେଁ ! ଏତିକିବେଳେ ପୁଣି ତା’ କାନରେ ବାଜିଲା– “ମୁଁ ଆପଣଙ୍କ ବିଷୟରେ ସବୁ ଶୁଣିଛି । ତାଙ୍କ ନାଁ ସୁକୁମାରୀ ନା ?”

 

ବିଭୁପ୍ରସାଦ କିଛି ଉତ୍ତର ଦେବାପୂର୍ବରୁ ମନମୋହନ ପଶିଆସିଲା ଘରଭିତରକୁ ଆଉ ତା’ ସ୍ତ୍ରୀକୁ ପଚାରିଲା, “ମୁଁ ଲଞ୍ଚ ଖାଇସାରି ଗଲାପରେ ଟେଲିଫୋନ୍ ଆସିଥିଲା କି ?”

 

ଉଷା ମୁଣ୍ଡହଲାଇ ମନାକଲା, କିନ୍ତୁ ଟିକିଏ ଛାଡ଼ି ପଚାରିଲା–“କାହିଁ ? କଅଣ ହେଲାକି-?”

 

ମନମୋହନ କିଛି ଉତ୍ତର ଦେଲାନାହିଁ ଉଷାକୁ । କିନ୍ତୁ ବିଭୁପ୍ରସାଦକୁ ଉପଲକ୍ଷ୍ୟ କରି କହିଲା– “ଏ ସରକାର ବେଶିଦିନ ନୁହେଁ–ମୁଁ ମୂଳରୁ ଜାଣିଚି !”

 

ବିଭୁପ୍ରସାଦର ଆଗ୍ରହନଥିଲା ମନମୋହନର ରାଜନୈତିକ ଚିନ୍ତାରେ ସହଯୋଗ କରିବାପାଇଁ । ସେ ଚୁପ୍ ହୋଇ ଶୁଣିଗଲା–ଯେମିତି ନିରବ–ନିଳୟରେ ନଟବରକୁ ରାଜନୀତି ସମ୍ପର୍କରେ ଏକତରଫା ଆବେଗ ପ୍ରକାଶ କରିବାକୁ ସେ ଛାଡ଼ିଦିଏ ସେମିତି ।

 

“ଭୁଲ୍ ହୋଇଗଲା–ରାଜନୀତି ଏମିତି ମଇଳା ମୋର ଧାରଣାନଥିଲା । ଟିକିଏ ହୁସିଆର୍ ହୋଇଥିଲେ ମୁଁ ଆଜି ଅନ୍ୟକେଉଁଠି ଥାଆନ୍ତି । ତୁ ତ ଜାଣୁ ବିଦେଶର ବିଶ୍ଵବିଖ୍ୟାତ ବିଶ୍ଵବିଦ୍ୟାଳୟରେ ମୋପାଇଁ ଜାଗା ମିଳିଯାଇଥିଲା । ତୁମେ ସବୁ କେତେ ଭାଗ୍ୟବାନ ସେ ଦୃଷ୍ଟିରୁ–ଯେଉଁମାନେ ଯେକୌଣସି ପ୍ରକାରେ ନିଜର ମେରୁରୁ ଟଳିପଡ଼ି ନାହଁ–ଜାବୁଡ଼ିଧରିଚ ବିଶ୍ଵବିଦ୍ୟାଳୟକୁ । ମୁଁ କିନ୍ତୁ ପାରିଲି ନାହିଁ । ମତେ ମଇଳା କୁଣ୍ଡଭିତରକୁ ଟାଣିଆଣିଲେ ଏଇମାନେ ସବୁ ମିଳିମିଶି.... ।” ମନମୋହନ ଉଷାଆଡ଼କୁ ଆଙ୍ଗୁଠି ଦେଖେଇଲା ।

 

ଲକ୍ଷ୍ୟକଲା ବିଭୁପ୍ରସାଦ–ମନମୋହନର ଆଖିକୁ ନୁହେଁ, ଉଷାର ଆଖିକୁ । ଚମକିପଡ଼ିଲା ସେ । କେଜାଣି କେମିତି ଉଷାର ସେଇବେଳର ଆଖିକୁ ସେ ଚିହ୍ନିଥିଲା–ଆହୁରି ବହୁତ ପୂର୍ବରୁ । ସେ ଆଖିର ମ୍ରିୟମାଣତା ହିଁ କହିଦେଉଥିଲା ଉଷାର ଅନ୍ତରସ୍ଥ ପିଞ୍ଜରାବଦ୍ଧ ଚଢ଼େଇଟି ବାହାରୁ ପିଞ୍ଜରାଫାଙ୍କରୁ ଅନବରତ ଟାକି ବସିଥିବା ସେଇ ଅନ୍ୟ ହଳ ଆଖିଦୁଇଟିକୁ ଦେଖି କି ଅନନ୍ୟୋପାୟ ଅବସ୍ଥାରେ ବସିରହିଥିଲା । ଭୟ ଆଉ ଦୁଃଖରେ ବେଳେବେଳେ ଘୁମେଇପଡ଼ୁଥିଲା କି କଅଣ ସେ ଚଢ଼େଇର ଆଖି । ଆଉ ବାଗ ପାଇ ସେତିକିବେଳେ ଉଦ୍ୟତ ପଞ୍ଝାଟିଏ ପିଞ୍ଜରାକାଠି ସନ୍ଧିରେ ଗେଞ୍ଜିଦେଇ ସେଇ ବାହାରର ଜୀବ ଡାକଦେଉଥିଲା–ମ୍ୟାଉଁ !

 

ଉଷାର ମୁହଁକୁ ଦେଖୁ ଦେଖୁ ବିଭୁପ୍ରସାଦର ମନେପଡ଼ିଯାଉଥିଲା ଘରେ ଛାଡ଼ିଆସିଥିବା ସୁକୁମାରୀର ମୁହଁ । ଦୁଃଖରେ ଅପମାନରେ ଝାଉଁଳିପଡ଼ୁଥିବାବେଳେ କେତେ ପରିଚିତ ଦିଶନ୍ତି–ଅଧିକାଂଶ ନାରୀ ଏ ପୃଥିବୀର ! କିନ୍ତୁ ପୁରୁଷଙ୍କର କଥା ଭିନେ । ତୁମେ ସୁନା ବା ପଥରର ନାରୀମୂର୍ତ୍ତିକୁ ଅକ୍ଳେଶରେ ସୀତା ବା ଅହଲ୍ୟା ବୋଲି ଚିହ୍ନଟ କରିଦେଇପାର; ମାତ୍ର ସୁବର୍ଣ୍ଣ–ସୀତାଙ୍କୁ କୋଳରେ ବସାଇ ରାଜସୂୟ ଯଜ୍ଞ କରୁଥିବା ରାମମୂର୍ତ୍ତିକୁ ଅନାଇ ତୁମେ ବୁଝିପାରନା ଯେ, ଏଇ ସେଇ ପୁରୁଷ, ଯାହାର ପାଦରୁ ଝରିପଡ଼ୁଥିବା ବାଲିରେଣୁର ସ୍ପର୍ଶରେ କେବଳ ପଥର ଅହଲ୍ୟା ହୋଇ ଜିଇଁଉଠେ ନାହିଁ–ନଉକା ମଧ୍ୟ ନାୟିକା ପାଲଟିଯିବାର ଆଶଙ୍କା ଥାଇପାରେ, ସେଇ ସ୍ପର୍ଶରେ ! ନାରୀ ମାୟା ହୋଇପାରେ; କିନ୍ତୁ ପୁରୁଷହିଁ ମାୟାଧର !

 

“ବାପା ବର୍ତ୍ତମାନ ଟେଲିଫୋନ୍ କରୁଥିଲେ । ବୋଧହୁଏ ସେ ଆସିଲେ ଏଇଲେ । ଆଜିକା କ୍ଲବ ପ୍ରୋଗ୍ରାମ୍ ବନ୍ଦ କର ଉଷା ! ଜରୁରୀ କାମ ଅଛି । ଜାଣିଚ ତ ଶିକ୍ଷାମନ୍ତ୍ରୀ କିଏ ହେବାପାଇଁ ସ୍ଥିର ହୋଇଚି ? ପୁଣି ସେଇ ବୁଢ଼ାମାନଙ୍କୁ ଡାକିକରି ଅଣାଯାଉଚି । ଏଥିରେ ଏମାନଙ୍କ ମୁଣ୍ଡ ଠିକ୍ ଅଛି ବୋଲି କିଏ କହିବ ? ଏମାନେ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ–ପାଞ୍ଚବର୍ଷ ଭିତରେ ଘରପିଛା ଅନ୍ୟୂନ ଗୋଟିଏ ମୁଣ୍ଡ ମଣିଷ ସୃଷ୍ଟି କରିଦେବେ, ଯେ କି ଜାଣିଥିବ–ବିଦ୍ୟୁତ୍ କଅଣ ? ତାପ କଅଣ ? ଚୁମ୍ବକ କଅଣ ? ଡାରଉଇନ୍ କିଏ ? ଗୋ–ବୀଜ ଟିକାର ଆବିଷ୍କର୍ତ୍ତା କିଏ ? ମୋଟ ଉପରେ ଏ ବିଶ୍ୱ କଅଣ ଓ ଏ ଅପରିଚିତ ବିଶ୍ୱ ଉପରେ ଠିଆହୋଇଥିବା ଆହୁରି ଅଜ୍ଞାତ ଜୀବ ମଣିଷ ସହିତ ଏ ବିଶ୍ୱର ସମ୍ପର୍କ କଅଣ ! ଆଚ୍ଛା କହିଲ–ପୂର୍ବରୁ ନିର୍ବାଚନରେ ଏପରି ଅଦ୍ଭୁତ ପ୍ରତିଶ୍ରୁତି ଲୋକଙ୍କୁ କେହି କେବେ ଦେଇଥିଲେ ? ସମସ୍ତେ କହିଥିଲେ, ଆମେ ତୁମ ଗାଁ କ୍ଲବ୍ ଘରକୁ ଗୋଟାଏ କମ୍ୟୁନିଟି ରେଡ଼ିଓ ସେଟ୍ କରେଇଦବୁ, ଗାଁ ଭିତରକୁ ରାସ୍ତାଟାଏ ପକେଇଦବୁ କି ଅତିବେଶୀରେ ତୁମ ଗାଁରେ ସ୍କୁଲ ଘରଟାଏ ତୋଳେଇଦବୁ । କିନ୍ତୁ ଲୋକଙ୍କୁ ରୋକଠୋକ୍ କଥାରେ କେହି କହିଥିଲା କି–ତୁମେ ଅଶିକ୍ଷିତ–ତୁମର ପ୍ରଥମେ ଦରକାର ପାଠ–ତୁମେ ଦରିଦ୍ର ଏବଂ ଏ ଦାରିଦ୍ର୍ୟର ପ୍ରଥମ କାରଣ ହେଉଚି, ତୁମର ମାନସିକ ଦାରିଦ୍ର୍ୟ ! ଆରେ, ଚାଷବିଲରେ ଆଣ୍ଠେଇପଡ଼ି ମୁଣ୍ଡଝାଳ ତୁଣ୍ଡରେ ମାରିଲେ କେହି ଧନୀ ହୋଇଯାଏ ନାହିଁ । ଚାଷ ଖୁବ୍ କଲ । ଏଥର ଶିଳ୍ପକୁ ଅନାଅ । ପାଖ ପ୍ରଦେଶର ଲୋକେ ଶିଳ୍ପ କରିବେ, ଜମିରେ ଅର୍ଥକାରୀ ଫସଲରୁ ଧନ ଉପୁଜେଇବେ ଆଉ ତୁମକୁ ଖାଉଟିଫସଲ ଉତ୍ପାଦନରେ ଲଗେଇବେ । ଧାନ, ମୁଗ ବିରିରେ କେତେବାଟ ତୁମେ ଉଠିବ । ପର ରୋଷେଇଶାଳରେ ପୁଝାରୀଗିରି କରି କେତେ ପଇସା କମେଇବ ଯେ, ଚାଳଘରକୁ କୋଠା କରିବ ? ତୁ ବିଶ୍ଵାସ କର ବିଭୁପ୍ରସାଦ ! –ଗତ ନିର୍ବାଚନରେ ଆମେ ପାଇସାଟିଏ ବିନର୍ବ୍ୟୟ କରିନାହୁଁ । କେବଳ ପ୍ରଚାରରେ ହିଁ ଯାହା ଆମର ଖର୍ଚ୍ଚ । ଆଉ ଏ ପ୍ରଚାରପତ୍ର ତୁ ତ ଦେଖିଥିବୁ–ଲୋକଙ୍କୁ ଶିଳ୍ପବିକାଶମୁଖୀ କରେଇବାପେଇଁ ଆମେ କେବଳ ଆହ୍ଵାନ ଦେଇଥିଲୁ । ଲୋକେ ଶୁଣିଲେ–ଖାଲି ଶୁଣିଲେନାଇଁ–ପଦ–ତୋଳା ଭଳି କାନରେ ବାଜୁଛି ତିଙ୍କର–ଏଇ ଯୁଗର ସଙ୍ଗୀତ ! ମଣିଷ ସବୁଠେଇ ସମାନ ଭାଇ, ସବୁଠେଇ ସମାନ । କିଏ ନ ଚାହେଁ ଧନୀ ହେବାକୁ ? କିଏ ନ ଚାହେଁ ମଟର ଚଢ଼ିବାକୁ ? କିଏ ନ ଚାହେଁ ତା’ ପିଲାକୁ ବିଦେଶ ପଠାଇବାକୁ ? ସବୁ ଥିଲା କିନ୍ତୁ ନେତୃତ୍ୱ ନଥିଲା ଦେଶରେ । ଏବେ ବି ନାହିଁ ! ଅମର ପକ୍ଷ ହେଲେ କ’ଣ କ’ଣ ହେବ ? ମୁଁ ତାଙ୍କ ମୁହେଁ ମୁହେଁ କହିବି ଯେ, ଏମାନେ ଏପର୍ଯ୍ୟନ୍ତ ସେଇ ପୁରୁଣା ଗାନ୍ଧୀ ଅମଳର ନୀତି ଧରି ବସିଛନ୍ତି । ଏଥିରେ କି ଶାସନ ଚଳିବ ? ମୁଖ୍ୟମନ୍ତ୍ରୀଙ୍କ ସହିତ ଏବିଷୟରେ ମୋର ଘଣ୍ଟା ଘଣ୍ଟା ଧରି ଆଲୋଚନା ହୋଇଥିଲା । ସେ ନିଧାର୍ଯ୍ୟ ପ୍ରତିଶ୍ରୁତି ଦେଇଥିଲେ ଯେ, ଅନ୍ତତଃ ଶିକ୍ଷା ବିଭାଗକୁ ସେ ଉଚ୍ଚଶିକ୍ଷିତ ଯୁବକ ଅର୍ଥାତ୍ ନୂଆ ରକ୍ତହାତକୁ ସମ୍ପତ୍ତି ଦେବେ । କିନ୍ତୁ କଲେ କଅଣ ? ମୁଁ ତାହା ଖବର ପାଉଛି ପୁଣି ସେଇ ବୁଢ଼ା ଖଦଡ଼ିଆ ଆଉ ଆଧୁନିକ ବିଜ୍ଞାନ ସମ୍ପର୍କରେ ‘ଅ’ ଅକ୍ଷରବର୍ଜିତ ଲୋକଙ୍କ ହାତକୁ ଏ ପୋର୍ଟଫୋଲିଓଟି ଚାଲିଯାଉଛି !”

 

ବିଭୁପ୍ରସାଦ ତଥାପି ମନମୋହନର ରାଜନୈତିକ ମନ୍ତବ୍ୟ ଉପରେ ଗୁରୁତ୍ଵଆରୋପ କରିନଥାଏ । କାରଣ ଏହି ଦୀର୍ଘ ବକ୍ତୃତାଟି ଶୁଣୁ ଶୁଣୁ ତା’ର ମନେପଡ଼ିଯାଉଥାଏ, ପୁରୁଣା ଦିନର ଏଇ ମନମୋହନ ମୁହଁଟା । ଏଇ ନା ସେ ଦିନେ ମୁଖ୍ୟ ଅଧ୍ୟାପକ ଡ. ଜେନାଙ୍କୁ ମୁହେଁ ମୁହେଁ ବତେଇଥିଲା–ଆପଣ ମୁଖ୍ୟ ଅଧ୍ୟାପକ ହେବାପାଇଁ ଯୋଗ୍ୟନୁହନ୍ତି । ଆପଣଙ୍କ ନିକଟରେ ଗବେଷଣା କରି କେହି କେବେ ନୋବେଲ ପ୍ରାଇଜ ଆଶା କରିପାରେ ନାହିଁ ! ଚାକୁଣ୍ଡା ତେଲ ଆଜିର ସମସ୍ୟା ନୁହେଁ । ଆଜିର ସମସ୍ୟା ସିନଥେଟିକ୍ ପେଟ୍ରୋଲ ! ସିନଥେଟିକ୍ ପେଟ୍ରୋଲ ଉପରେ ଗବେଷଣା କରିବାପାଇଁ ମୁଁ ବର୍ଲିନ୍ ଯାଉଛି–ଅପେକ୍ଷା କରନ୍ତୁ–ମୁଁ ଇ ଫେରିବି ଏଇ ପୋଷ୍ଟକୁ !

 

ତଥାପି ମନମୋହନ ପୂରାପୂରି ବଡ଼ କୁହା ବୋଲି କହିହୁଏନା । ଆଉ ତା’ର ପ୍ରମାଣ ହେଲା–ଗତ ନିର୍ବାଚନ ଏମିତି ଗୋଟିଏ ପରୀକ୍ଷା ଥିଲା ଯେଉଁଥିରେ ଅକୃତକାର୍ଯ୍ୟ ହୋଇ ନଟବର ବିଭୁପ୍ରସାଦର ସେତିକି ସହାନୁଭୂତି ଦାବିକରେ, ସେଥିରେ କୃତକାର୍ଯ୍ୟ ହୋଇଥିବା ମନମୋହନ ସେତିକି ସହଯୋଗ ମଧ୍ୟ ଦାବିକରେ । ତେଣୁ ମନମୋହନର ଏଇ ବକ୍ତୃତାକୁ ପୂର୍ବ ଛାତ୍ର ଅଯଥା ବକ୍ ଚତୁରୀ ବୋଲି ନଭାବିବାକୁ ସ୍ଥିର କରି ବିଭୁପ୍ରସାଦ ପଚାରିଲା–

 

“ତୁ ବର୍ତ୍ତମାନ କହୁଥିଲୁ ନା–ରାଜନୀତି ଗୋଟିଏ ମଇଳା କୁଣ୍ଡ ବୋଲି ? କିନ୍ତୁ ତୋ କଥାରୁ ଜଣାପଡ଼ୁଛି ଯେମିତି ମନ୍ତ୍ରୀ ହେବାପାଇଁ ତୁ ପାଗଳ ।”

 

ମନମୋହନ ଚା ପିଇବା ଏପଯ୍ୟନ୍ତ ଆରମ୍ଭ କରିନଥିଲା । ଅନ୍ୟଦିନ ହୋଇଥିଲେ ବିଭୁପ୍ରସାଦର ଏତିକି କଥାରେ ରାଗି ଗରମ ଚାହାକୁ ଅଜାଡ଼ି ଦେଇଥାନ୍ତେ ବୋଧହୁଏ, ତା’ର କଷ୍ଟଦାତା ଉପରେ । କିନ୍ତୁ ଏ ମଧ୍ୟରେ ସେ ଅଳ୍ପ ବହୁତ ଲାଗିଯାଇଥିଲେ ରାଜନୀତିର ଖରାବର୍ଷାରେ । ଅଧୀର ନ ହୋଇ ଢୋକେ ଚା ଢୋକିଲା ବି ବେଶ୍ ସହଜରେ ଆଉ ଉତ୍ତରଦେଲା ମନ୍ତ୍ରୀ ହେବାପାଇଁ ଦେଶର ପଇଁଚାଳିଶ କୋଟି ମଣିଷ ପାଗଳ । ଏକା ମୁଁ ନୁହେଁ । ପାଞ୍ଚବର୍ଷର ପିଲାକୁ ପଚାର–ବଡ଼ ହେଲେ କ’ଣ ହେବୁ ? ଏହାର ଉତ୍ତର ସେଇ ପଦଟିଏ । ଅବସ୍ଥା ଏମିତି କାହିଁକି ହୋଇଚି ଜାଣ ? ଏ ହେଉଛି ଅନଗ୍ରସତାର ଆଉ ଗୋଟିଏ ଲକ୍ଷଣ । ଅନଗ୍ରସର ବ୍ୟକ୍ତିର ମନ ଯେମିତି ଦ୍ଵନ୍ଦ୍ୱାତ୍ମକ, ଅନଗ୍ରସର ଦେଶର ମନସ୍ତତ୍ଵବି ସେମିତି । ଅନଗ୍ରସର ମନ ତା’ର ଆଦ୍ୟ ଓ ପ୍ରାନ୍ତ ଦୁଇ ବିନ୍ଦୁକୁ ଏକାଠି ନ ମିଳେଇପାରିଲେ ବିନାଶ ହୁଏ । ଯେ ଭୋକରେ ମରୁଥାଏ, ସେଇ ଯଦି ଅମରତ୍ଵ ପ୍ରାର୍ଥନା କରି ଠାକୁରଙ୍କ ଆଗରେ ଅଧିଆ ନପଡ଼େ ତେବେ ତା’ ପାଇଁ ମରଣ ଆହୁରି କଷ୍ଟଦାୟକ ହୁଏ । ସେମିତି ବି ଅନଗ୍ରସର ଦେଶର ଅର୍ଥନୀତି । ସେ ଅକମା ଓ ଦରିଦ୍ର, ହାତରେ ଖଡ଼ା ଗଛ ଉଧାଏ ନାହିଁ ଯାହାର, ଆମ ଦେଶରେ ଯୋଗ୍ୟ ଲୋକ ସେଇ; ଶାସନ ଦଣ୍ଡ ସେଇ ହିଁ ବିନା ସ୍ଵାର୍ଥରେ ଧରିପାରେ ବୋଲି ଆମର ଧାରଣା । ଦରିଦ୍ର ଓ କ୍ଷମତା–ଦୁଇ ଆଦ୍ୟ ପ୍ରାନ୍ତଭିତରେ ଅର୍ଥନୀତି ଗୋଟିଏ ପନ୍ଥାଉପରେ ଏପର୍ଯ୍ୟନ୍ତ ବ୍ୟବହୃତ ହୋଇଆସୁଥିଲା ଫଳରେ ଯେ, ପ୍ରାନ୍ତକୁ ଛାଡ଼ି ପନ୍ଥାର ଆଶ୍ରୟ ନେଉଥିଲା ସେ ଉପର ଆଖିରେ ଓଳିଏ ଆଗରେ ମଧ୍ୟ ପାପିଷ୍ଠ ବୋଲି ବିବେଚିତ ହେଉଥିଲା । ଏହି କାରଣରୁ ଏପର୍ଯ୍ୟନ୍ତ ଦେଶର ଧନୀ ଶିଳ୍ପପତି ବ୍ୟବସାୟୀମାନେ ଠଗ, ଶୋଷଣକାରୀ, ଦଲାଲ୍ ବୋଲି ଗାଳିଖାଆନ୍ତି ଓ ନିଜେ ମଧ୍ୟ ଅସ୍ପୃଶ୍ୟ ଭଳି ସାଧାରଣ ଲୋକଙ୍କଠାରୁ ଦୂରରେ ରହନ୍ତି । କହ ତ ଦେଖି ! ଯେଉଁ ଦେଶରେ ଲକ୍ଷ୍ମୀ ଅସ୍ପୃଶ୍ୟ, ଉତ୍ପାଦକ ବା “ପ୍ରୋଡ଼୍ୟୁସର୍” ପାପିଷ୍ଠ, ସେ ଦେଶର ଦାରିଦ୍ର୍ୟ କ୍ଷମତା ପିଛା ନ ଦଉଡ଼ିଯିବ କୁଆଡ଼େ ? ଗତ ନିର୍ବାଚନରେ ଏଇ ଅନଗ୍ରସର ମନୋବୃତ୍ତି ବିରୁଦ୍ଧରେ ହିଁ ଆମେ ଠିଆହୋଇଥିଲୁ ।”

 

“କିନ୍ତୁ ତୁ କଅଣ ଭାବୁଚୁ–ଯେଉଁ ଅନଗ୍ରସରତା ବିରୁଦ୍ଧରେ ତୁମ ଦଳ ଠିଆହୋଇଥିଲା, ସେଇ ଅନଗ୍ରସର ଲୋକଙ୍କ ଭୋଟରେ ହିଁ ତୁମେ ଜିତିଲ ? ଏ ତ ଆଉ ଗୋଟିଏ ଦ୍ୱନ୍ଦ୍ୱ ପରି ମୋର ମନେହେଉଛି ।” ବିଭୁପ୍ରସାଦ ନିଜର ଅଲକ୍ଷ୍ୟରେ କେତେବେଳେ ରାଜନୀତି ଆଲୋଚନା ଭିତରକୁ ପଶିଆସିଥିଲେ; ଯଦିଚ ମନମୋହନ ଘରେ ଗୋଡ଼ ଦେବା ବେଳଠୁଁ ସେ ସ୍ଥିର କରିଥିଲା ଯେ, ଯେଉଁ ଘରେ ଉଷାପରି ଚମତ୍କାର ଗୃହିଣୀ ଥାଏ, ସେ ଘରେ ରାଜନୀତି ଆଲୋଚନା କରିବା ଅର୍ଥ ପ୍ରକୃତରେ ମଇଳା କୁଣ୍ଡ ଘାଣ୍ଟିବା ।

 

ଏହି ସମୟରେ ଅନ୍ୟଘରେ ଟେଲିଫୋନ୍ ପୁଣି ଥରେ ବାଜିଲା । ଏଥର ମନମୋହନ ନିଜେ ଉଠିନଯାଇ ଉଷାକୁ କହିଲା, “ଦେଖ ତ କିଏ ପୁଣି ଡାକିଲା । ବୋଧହୁଏ କ୍ଲବରେ ତୁମକୁ ଖୋଜାପଡ଼ିଚି ।” ତା’ପରେ ଉଷାଆଡ଼ୁ ମୁହବୁଲେଇ ବିଭୁପ୍ରସାଦର ପ୍ରଶ୍ନର ଉତ୍ତର ଦେଲା– “ଦେଖ୍-! ପୁଣି ଗୋଟିଏ ନୂଆ ଦ୍ୱନ୍ଦ୍ୱ ତୁ ନିଜେ ସୃଷ୍ଟି କଲୁ । ଯେଉଁଠି ଅଶିକ୍ଷିତ, ଦରିଦ୍ର, ଅନଗ୍ରସର, ସେଠି ସେମାନଙ୍କ ସ୍ଵେଚ୍ଛାକୃତ ଭୋଟପେଇଁ ଅପେକ୍ଷା କରିବା ଅର୍ଥ ଅସାଧରଣତ୍ଵକୁ ସର୍ବସାଧାରଣର ଦାସ କରି ରଖିବା । ତୁ ନିଜେ କହ–ଦେଶରେ ଅରାଜକତା ଘୋଟିଗଲେ ବିପ୍ଲବର ଦାୟିତ୍ଵ ଅସାଧାରଣର ନା ସର୍ବସାଧାରଣର ?”

 

“ସର୍ବସାଧାରଣଙ୍କର ମଧ୍ୟ !” ବିଭୁପ୍ରସାଦ ଦୃଢ଼ ସ୍ୱରରେ କହିଲା ।

 

“କେମିତି ?” ମନମୋହନ ଗୋଟାଏ ଅଳେଇଚ ଦାନା ଉଠେଇଥିଲା ଚୋବେଇବାକୁ । ଅଧାରେ ଅଟକି ବିଭୁପ୍ରସାଦ ମୁହଁକୁ ଚାହିଁଲା ।

 

“ସର୍ବସାଧାରଣ ଅରାଜକତାର ମୃତ୍ୟୁ ପାଇଁ ପ୍ରାର୍ଥନା କରେ–ମାୟାସୁରଭୀ ବେଶହୋଇ ଧରିତ୍ରୀମାତା କାନ୍ଦିବାର ଚିତ୍ର ଦେଖିନୁ ପୁରାଣ ପୃଷ୍ଠାରେ ?”

 

“ଧେତ୍; ମାର ଗୁଲି ତୋ ପୁରାଣକୁ !” ମନମୋହନ ତା’ର ସେଇ ପୁରୁଣାଦିନର ବୋଲି ସବୁ ପୁଣି ଥରେ ବାହାର କଲା ଓ ହସି ହସି ଅଳେଇଚ ଦାନାଟିକୁ ପାଟିରେପକେଇ କହିଲା, “ଆଚ୍ଛା ! ଯଦି ତାହାହିଁ ହେଲା–ତେବେ ତୁମ ଲୋକେ ମାୟାସୁରଭୀ କାନ୍ଦଣାକୁ ଶୁଣିସାରି କଅଣ କହିଲେ ? ଜାଣୁ ତ ? ଗୋଟାଏ ଆଠମାସ ଗର୍ଭର ସ୍ତ୍ରୀଲୋକକୁ ଗାଁ ଗାଁରେ ବୁଲେଇ ଆମ ବିରୁଦ୍ଧରେ କେତେକ କଅଣ ପ୍ରଚାର କରିଗଲା ନଟବର ? ଲୋକେ କଅଣ କହିଲେ ? ଓଲଟି ନରାଧମତା ପେଇଁ ନଟବର ନାଁରେ ମକଦ୍ଦମା ଏପର୍ଯ୍ୟନ୍ତ ଚାଲିଛି । ଯଦି ଧନଦ୍ୱାରା ଭୋଟ୍ କିଣିବା ପାପ ବୋଲି କେହି କହୁଥାଏ, ନୃଶଂସତାଦ୍ଵାରା ଲୋକଙ୍କୁ ଭୟଭୀତ କରାଇ ତାଙ୍କ ମନ କିଣିବା ସେହିପରି ପାପ । ଏ ସେହି ପୁରୁଣା ଯୁଗର କଥା, ଯେତେବେଳେ ଧର୍ମପ୍ରଚାରକମାନେ ଲୋକଙ୍କୁ ଧର୍ମଭୟ ଦେଖାଇ ଶାସନଡ଼ୋରି ହାତରେ ରଖିପାରୁଥିଲେ । ଦେଶ ଅନଗ୍ରସରତାରୁ ‘ଏତିକି ’ବୋଧହୁଏ ଉପରକୁ ଉଠିପାରିଛି ।” ମନମୋହନ ଅଳେଇଚ ଦାନାଟିକୁ କଳପାଟିରେ ଏପର୍ଯ୍ୟନ୍ତ ଜାକିଥିଲା । ଆସ୍ତେ ଆସ୍ତେ ଚୋବେଇଲାଗିଲା ।

 

“କିନ୍ତୁ ଏ ଭୟ କ’ଣ ଧର୍ମଭୟ ନା ସତ୍ୟଭୟ ?” ବିଭୁପ୍ରସାଦ ସୁବିଧା ଦେଖି ତା’ ମନର ବହୁଦିନ ଧରି ଉଙ୍କିମାରୁଥିବା ସେ ପ୍ରଶ୍ନଟିର ସୂତ୍ରପାତ କଲା ।

 

“କେଉଁଟା ?” ମନମୋହନର ଅଳେଇଚ ଚୋବା ପାଟି ପୁଣି ସ୍ଥିର ହୋଇଗଲା ।

 

ବିଭୁପ୍ରସାଦ ଚାରିଆଡ଼କୁ ଚାହିଁଲା–ଉଷା ତଥାପି ଟେଲିଫୋନ୍ କରୁଥାଏ । ପଚାରିଦେଲା ଅବଶେଷରେ–“ସତକରି କହ ତ–ସେଇ ଗରିବ ବିଧବା ନର୍ସଟିର ଭଉଣୀ–ଯେ ଏୟାରହୋଷ୍ଟେସ୍ ହବାପେଇଁ ତୋ ଆଶ୍ରା ନେଇଥିଲା ସେଇ ମୁରାଶାର ଏତେ ଦୁର୍ଦ୍ଦଶା କାହାଯୋଗୁଁ-? ତା’ ଗର୍ଭରେ ଖେଳୁଥିବା ଶିଶୁଟି–” ବିଭୁପ୍ରସାଦ ଅଟକି ଗଲା ।”

 

“ସେ ପିଲା ମୋର ! ମୋର ! ଏଥିରେ ସନ୍ଦେହ କରିବାର ଅଛି କଅଣ ?” ମନମୋହନ ଏପରି ନିର୍ଲିପ୍ତ ସ୍ୱରରେ ଉତ୍ତରଦେଲା, ସତେକି ସେ ସ୍ୱୟଂ ସୃଷ୍ଟିକର୍ତ୍ତା ପାଲଟି ଯାଇଥିଲା । ଲୋକଲଜ୍ଜା ବା ଭୟ ସବୁ ତା’ ପାଖରେ ନିରର୍ଥକ ।

 

“ତେବେ ତୁ କାହିଁକି ବାହା ନ ହେଲୁ ? ଜାଣୁ ତ ସେ ବର୍ତ୍ତମାନ କୋଉ ଅବସ୍ଥାରେ ଅଛି-?”

 

“କିନ୍ତୁ ତୁମେ ସବୁ ଜାଣ କି ମୁଁ କୋଉ ଅବସ୍ଥାରେ କେଉଁଠି ଅଛି ?” ମନମୋହନ ହସୁଥାଏ ଓ ତା’ର ଅଭିଜାତ ଓଠ–ପାଟିଟିକୁ ବୁଲେଇ ବୁଲେଇ ଅଳେଇଚ ଦାନାଟିକୁ ନିଃଶେଷ କରିଲାଗିଥାଏ ।

 

“କେଉଁ ଅବସ୍ଥାରେ ?” ବିଭୁପ୍ରସାଦର ଆଖିକୁ କିଏ ଯେମିତି ଓଟାରିନେଇଗଲା ପ୍ରଥମେ ଡ୍ରଇଂ ରୁମର ସବୁ ଦାମିକା, ଚକଚକ୍ ଆସବାବପତ୍ରଆଡ଼କୁ ଓ ପରେ ଦୁଇକାନ୍ଥର ମିଳନ ସ୍ଥଳରେ ଥୁଆହୋଇଥିବା ସେଇ ଯୁଗ୍ମ ଫଟୋଟିଆଡ଼କୁ ।

 

“ଜାଣୁନା ତୁ ? ମୋ ସହିତ ଉଷାର ବିବାହ କେଉଁ ସର୍ତ୍ତରେ ?” ମନମୋହନ ଅଳେଇଚ ଦାନାଟିର ଶିଠାକୁ ଥୁ ଥୁ କରି ବାହାରକୁ ଫିଙ୍ଗିଦେବାପେଇଁ ଟିକିଏ ଅଟକିଯାଇ ଅବଶେଷରେ କହିଲା, “ମୋର ବାପା ଯେତେବେଳେ ସସପେଣ୍ଡ ହେଲେ ସେତେବେଳେ ଉଷା କିଏ ମୁଁ ଜାଣେନା । କିନ୍ତୁ ପନ୍ଦରଦିନ ଭିତରେ ମୋର ବାପା ଯେତେବେଳେ ପଦସ୍ଥ ହେଲେ ଓ ବେଦୀଉପରେ ଉଷାର ହାତ ମୁଁ ଧରିଲି, ସେଇ ରାତିରେ ଉଷା ପ୍ରସବ କଲା ଗୋଟିଏ ଶିଶୁପୁତ୍ର ।”

 

‘ମନମୋହନ !’ ବିଭୁପ୍ରସାଦ ନିଜେ ଅଧୀର ହୋଇପଡ଼ିଲା ଓ କାନ୍ଥର ସେଇ ଯୁଗୁ ମୂର୍ତ୍ତିଟି ଉପରୁ ତା’ର ଛଳ ଛଳ ଆଖିଦୁଇଟାକୁ ବୁଲେଇନେଇ ହଠାତ୍ ବଡ଼ ବଡ଼ ଆଖିରେ ଚାହିଁଲା–ଜୀବନ୍ତ ମନମୋହନଆଡ଼କୁ–ଯାହାକୁ ଏତେଦିନଯାକେ ସେ ଦେଖିନଥିଲା ଓ କାହିଁକି ଦେଖିନଥିଲା ବୋଲି ସେ ଆଶ୍ଚର୍ଯ୍ୟ ହୋଇଗଲା ।

 

ମନମୋହନ ତଥାପି ହସୁଥାଏ ଓ ନିଜଆଡ଼କୁ ଲମ୍ବିଯାଇଥିବା ବିଭୁପ୍ରସାଦର ସହାନୁଭୂତି–ପୂର୍ଣ୍ଣ ହାତକୁ ଏଡ଼ାଇଦେବା ପାଇଁ ଟିକିଏ ଦୂରେଇଯାଇ ସେ କହୁଥାଏ, “ୟା ଫଳରେ ତୁମେ ସବୁ ପୁଣି ଭୁଲ୍ ବୁଝିଯିବ–ମୁଁ ଜାଣେ । କାରଣ ପାପ–ପୁଣ୍ୟ–ବୋଧ, କ୍ରିୟା–ପ୍ରତିକ୍ରିୟା–ବୋଧ, ତୁମ ମୁଣ୍ଡକୁ ଏମିତି ଖାଇଦେଇଚି ଯେ, ତୁମର ସମୁଦାୟ–ଜୀବନ ଦର୍ଶନକୁ ଗୋଟିଏ ସରଳ ସମୀକରଣରେ ପ୍ରକାଶ କରିଦେଇହବ–ମୁଁ ଯାହା ଦେଖୁଛି ! ତୁ କଅଣ ଭାବୁଚୁ, ଯେଉଁ ଅନ୍ୟାୟ ବିଷୟରେ ତୁମେ ଆମେ କଥାବାର୍ତ୍ତା ହଉଚେ ସେଇଟା ଅଛି ମୃରାଶା ଗର୍ଭରେ ? ଆଉ ଯେଉଁ ପ୍ରତିକାର ପାଇଁ ଆମେ ମୁଣ୍ଡ ପାତିଦେଇଚେ ସେଇଟା ଥିଲା ଉଷାକୁ ବାହାହବାରେ, ନା ଗୋଟାଏ କାଳୀଭୁଷୁଣ୍ଡୀ ହରିଜନ ଝିଅର ହାତଟାକୁ ଧରିପକେଇବାରେ ? ଆଜି ପୃଥିବୀରେ ଯେଉଁସବୁ ଅନ୍ୟାୟ କୁହ ଅତ୍ୟାଚାର କୁହ ଦେଖାଦେଉଚି, ଯାହାକୁ ସଜାଡ଼ି ପକେଇବା ପେଇଁ ଆମେ ତୁମେ ଏମିତି କାନ୍ଦିପକଉ, ଏଗୁଡ଼ାକ ବାସ୍ତବ ଅନ୍ୟାୟ ବା ବାସ୍ତବ ଅତ୍ୟାଚାର ନୁହେଁ । ସବୁ ମନୁଷ୍ୟକୃତ । ମନୁଷ୍ୟକୃତ ଅନ୍ୟାୟକୁ ମଣିଷ ସଜାଡ଼ିନେଲା–ଏଥିରେ ବଡ଼ କଥା ରହିଲା କଅଣ ? କାନ୍ଦିପକେଇବା ଦରକାର କଅଣ ? ତୋର ବୁଝିବା ଉଚିତ ଯେ, ଉଷାକୁ ବାହାହୋଇପଡ଼ି ମୁଁ ଯେମିତି ଗୋଟାଏ ଐତିହାସିକ କାର୍ଯ୍ୟ କରିପକେଇନାଇଁ, ସେମିତି ମୁରଶା ନାମ୍ନୀ ଗୋଟାଏ ଇତର କଲେଜ ଝିଅକୁ ଗର୍ଭ କରିଦେଇ ଗୋଟାଏ ଜଘନ୍ୟ କାର୍ଯ୍ୟ ବି କିଛି କରିଦେଇ ନାହିଁ । ମୋ ମତରେ ବହୁ ନାରୀରମଣ ଗୋଟାଏ ଅପରାଧ ନୁହେଁ । ସେମିତି ଅଶିକ୍ଷିତ ଦରିଦ୍ର ଭୋଟକୁ ଅର୍ଥଦ୍ୱାରା ବଶୀଭୂତ କରି ନିର୍ବାଚନରେ ଗୋଟିଏ ଦଳକୁ ସଂଖ୍ୟାଗରିଷ୍ଠ କରିବା ଓ ଦେଶକୁ ଅରାଜକତାମୁକ୍ତ କରି ଦୃଢ଼ ସରକାରଟିଏ ପ୍ରତିଷ୍ଠିତ କରିବା ମଧ୍ୟ ଅପରାଧ, ନୁହେଁ ।”

 

“ଅପରାଧ ତେବେ କଅଣ ?” ମନମୋହନଆଡ଼କୁ ଲମ୍ବିଯାଇଥିବା ହାତଟିକୁ ପୁଣି ସଙ୍କୁଚେଇ ଆଣୁ ଆଣୁ ବିବ୍ରତ ଭାବେ ପ୍ରଶ୍ନଟିକୁ ପଚାରୁ ପଚାରୁ ବିଭୁପ୍ରସାଦ ଉଠିପଡ଼ିଲା ।

 

ମନମୋହନ ହୋ ହୋ ହୋଇ ହସିପକେଇଲା ଓ ବିଭୁପ୍ରସାଦର ହାତ ଭିଡ଼ିଦେଇ କହିଲା, “ବସ୍, ବସ୍ ! ରାଗିଯିବୁ ତୁ ନିଶ୍ଚୟ–ମୁଁ ଜାଣେ । କାରଣ ତୋ ଭିତରେ ପ୍ରତିକ୍ରିୟା ଆରମ୍ଭ ହୋଇଗଲାଣି ବୋଲି ମୁଁ ସ୍ପଷ୍ଟ ଦେଖିପାରୁଚି ତୋ ଆଖିରୁ ।

 

ଏଇଲେ କାନ୍ଦିପକାଉଥିଲୁ, ପୁଣି ଏଇଲେ ଆଖି ନାଲ କଲୁଣି । ପାଗଳା ନଟବରଠୁଁ ରୋଗଟା ସଂକ୍ରମିଲାଣି ନା କଅଣ ?”

 

କିନ୍ତୁ ବିଭୁପ୍ରସାଦ ଆଉ ବସିପାରିଲା ନାହିଁ । ଟହଲି ଟହଲି ଡ୍ରଇଂ ରୁମ୍‍ଟାକୁ ଥରେ ପ୍ରଦକ୍ଷିଣ କରିସାରି ସେ ପୁଣି ଆସି ଠିଆହେଲା ସେଇ ଯୁଗ୍ମ ଫଟୋଟି ଆଗରେ–ମନମୋହନ ଓ ଉଷାର ସେଇ ଫଟୋଟା ଆଗରେ । କେତେ ସମୟ ସେଇ ଫଟୋଟାକୁ ନିରୀକ୍ଷଣ କରୁ କରୁ ହଠାତ୍ ଚମକିପଡ଼ିଲା ପରି ସେ ମନମୋହନଆଡ଼କୁ ବୁଲିପଡ଼ି ପଚାରିଲା, “ପୁଅଟିଏ ହୋଇଥିଲା ନା ? କେଉଁଠି ଅଛି ସେ ପିଲା ?”

 

“କାହିଁକି ? ତୁ କଅଣ ଭାବୁଚୁ ମୁଁ ତାକୁ ଶେଷ କରିଦେଇଛି ବୋଲି ?” ମନମୋହନର ସେ ପୌରୁଷପୂର୍ଣ୍ଣ ହସ କ୍ରମଶଃ ଚକ୍ଷୁଶୂଳ ହୋଇଆସୁଥାଏ ବିଭୁପ୍ରସାଦ ପକ୍ଷରେ ।

 

“ଅସମ୍ଭବ କଅଣ ? ତୋ ମତରେ ଅପରାଧ ତ କିଛି ନାହିଁ ବୋଲି ତୁ ନିଜେ ସ୍ଵୀକାର କରୁଚୁ !” ଅନ୍ୟଆଡ଼େ ଚାହିଁ କହିଲା ବିଭୁପ୍ରସାଦ ।

 

“କିନ୍ତୁ ତୁ ଭୁଲିଯାଇଛୁ ଯେ, ମୁଁ ଜଣେ ମଣିଷ ଓ ମାନବିକ ଦୁର୍ବଳତା ମଧ୍ୟ ମୋ ଦେହରେ ବାସ କରିପାରେ । ଏଇ ଦୁର୍ବଳତା ଯୋଗୁଁ ମୁଁ ସେ ଶିଶୁଟିକୁ ଏପର୍ଯ୍ୟନ୍ତ ମୁକ୍ତି ଦେଇପାରିନାହିଁ । ପିଲାଟା ଏପର୍ଯ୍ୟନ୍ତ ଏଇ ଘରେ ଅଛି । ବୋଧହୁଏ ଆରଘରେ ଉଷା ତାକୁ ଦୁଧ ଖୁଆଉଛି !” ମନମୋହନ ଗଳାସଫା କରିବାପାଇଁ ଥରେ ଦୁଇଥର କାଶିଲା ଓ ଅତିଶୟ ପରିଷ୍କାର ଗଳାରେ ଡାକିଲା, “ଉଷା ! ପିଲାଟା ଶୋଇପଡ଼ିଲାଣି କି ? ଟିକିଏ ଏଣିକି ଆଣ ତ !”

 

ମୁହୂର୍ତ୍ତେ ଆଉ ଠିଆହୋଇ ରହିବାପାଇଁ ବିଭୁପ୍ରସାଦର ଗୋଡ଼ରେ ଶକ୍ତି ନଥିଲା । ସେ ଲଥ୍ କରି ବସିପଡ଼ିଲା ସୋଫାଉପରେ । ଅବଶ୍ୟ ଉଷା । ଆଉ ତା’ ଆଗକୁ ଆସିନାହିଁ । କିନ୍ତୁ ଏବେ ଏଡ଼େବଡ଼ ଘରଭିତରେ ଏତେବେଳ ଧରି ହଜିଯାଇଥିବା ଗୋଟାଏ ଶିଶୁର ଉପସ୍ଥିତିକୁ ଅନୁଭବ କରିବାପାଇଁ ବେଶି ବେଳ ଲାଗିଲା ନାହିଁ ତାକୁ ।

 

“ଏଥର ଖୁସି ତ ?” ମୁରୁକେଇ ମୁରୁକେଇ ହସି ମନମୋହନ ଚାହିଁ ରହିଥାଏ ବିଭୁପ୍ରସାଦର ମୁହଁକୁ, ଯେମିତି ସଦ୍ୟ କଣ୍ଢେଇଟିଏ ହାତରେ ପାଇଥିବା ଛୁଆମୁହଁକୁ ଚାହିଁ ମା’ ହସୁଥାଏ ।

 

ବିଭୁପ୍ରସାଦକୁ ନିରୁତ୍ତର ରହିବା ଦେଖି ନିଜପକ୍ଷରୁ ମନମୋହନ ସେଇ ଅପଚର । ପ୍ରଶ୍ନଟିକୁ ପଚାରିଲେ–ଆଉ ଏମିତି ସ୍ଵରରେ ପଚାରିଲା ଯେ, ଶୁଣିଲା ଲୋକର ମନେହେବ ପ୍ରଶ୍ନକର୍ତ୍ତା ଜଣେ ନୁହେଁ, ଜଣକଠାରୁ ବହୁସଂଖ୍ୟାରେ ବେଶୀ–ଯାହାକୁ ବିଧାନସଭା ଭାଷାରେ କୁହାଯାଏ ସଂଖ୍ୟାଗରିଷ୍ଠ ।

 

“ମୁଁ ଜାଣେ ଏଥରକ ତୁ ପଚାରିବୁ ସେଇ ଆର ଶିଶୁଟି କଥା–ଯେଉଁଟା ମୁରାଶା ଗର୍ଭରେ ଏଯାବତ୍ ବଞ୍ଚିକରି ରହିଛି ।” ବିଭୁପ୍ରସାଦର ଆଖିରେ ଆଖି ମିଳେଇବାପେଇଁ ନିଜ ଚଉକିଟାକୁ ସୁବିଧା ଜାଗାକୁ ଟାଣି ଆଣୁ ଆଣୁ କହିଲା ମନମୋହନ, “କିନ୍ତୁ ବୁଝିରଖ ! ମୋ ଦୁର୍ବଳତା ଏମିତି ଶକ୍ତିଶାଳୀ ହୋଇପାରିନାହିଁ ଯାହାଯୋଗୁଁ ମୋ ନିଜ ରକ୍ତର ରକ୍ତକୁ ଇଚ୍ଛାକଲେ ଅଧ୍ୟ ମୁଁ ଚକ୍ରଉହାଡ଼ କରିଦେଇପାରିବି ! ତାକୁ ଏ ସଂସାରରୁ ଯିବାକୁଇ ପଡ଼ିବ ଭାଇ ! ଆଉ ସେଥିପାଇଁ ମତେ ଦୋଷଦେଇ ଲାଭନାହିଁ । କାରଣ ଏ ଇଚ୍ଛା ମୋ ଦୁର୍ବଳତାରୁ ଜନ୍ମ ନୁହେଁ । ମନୁଷ୍ୟ ଶିଶୁକୁ ହତ୍ୟା କରିବା କାର୍ଯ୍ୟ ଅତ୍ୟନ୍ତ ଦୁରୂହ । ଏ ଦୁରୂହତା କେବଳ ଜଣକ ପକ୍ଷରେ ସମ୍ଭବ । ସେ ଜଣକ କିଏ, ତୁ ତ ଜାଣୁ । ଗଣତନ୍ତ୍ରରେ ଏ ଜଣକର ନାଁ ହଉଚି–ଦଳ ! ଗତ ନିର୍ବାଚନରେ ମୁରାଶା ଗର୍ଭର ଏଇ ଶିଶୁର ଅସ୍ତିତ୍ୱ ଘେନି ମୁଖ୍ୟତଃ ଦୁଇଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଗୋଟିଏ ପାଖରେ ଥିଲା–ନଟବର ଓ ତା’ର ମିଳିତ ସାମ୍ମୁଖ୍ୟ । ଅନ୍ୟପାଖରେ ମୁଁ ଓ ମୋର ଦଳ । ନଟବର ମୂଳରୁ ମୁରାଶା ଗର୍ଭର ଏଇ ଭ୍ରୁଣକୁ ଅବୈଧ ଘୋଷଣା କରିଥିଲା ଓ ଶେଷରେ ସେଇ ଅବୈଧ–ପାଣ୍ଠିକୁ ଆମରି ବିରୁଦ୍ଧରେ ପ୍ରୟୋଗ କରି ନିର୍ବାଚନରେ ଆମକୁ ହରାଇବାପାଇଁ ବସିଥିଲା । ଏଥର ତୁ ନିଜେ କହ, ଯେତେବେଳେ ତୋ ନିଜର ଔରସରୁ ତିଆରି ହୋଇଥିବା କୌଣସି ଭ୍ରୁଣକୁ ତୋରି ବିରୁଦ୍ଧରେ ପ୍ରୟୋଗ କରି କେହି ପ୍ରମାଣ କରିବାକୁ ଚାହେଁ ଯେ, ତୁ କେବଳ ଦୁଃଶ୍ଚିତ୍ର ନୁହେଁ, ଶାମ୍ବ ପେଟର ଲୌହମୂଷଳ ଭଳି ସେଇ ଅବୈଧତା ହାତରେ ତୋର ଓ ତୋ ବଂଶର ସର୍ବନାଶ ଘଟିବା ଉଚିତ–ସେତେବେଳେ ସେଇ ଲୌହ ମୂଷଳକୁ ଘଷି ନଷ୍ଟ କରିଦେବା ବ୍ୟତୀତ ଆଉ କଅଣ କିଛି ଉପାୟ ଅଛି ?”

 

“କିନ୍ତୁ ଲୌହ ମୁଷଳକୁ ଧ୍ଵଂସ କରିହେଲା କି ?” ବିଭୁପ୍ରସାଦ ପୁଣିଥରେ । ପୌରାଣିକ ମାୟାସୁରଭୀ ପରି ଭୟାର୍ତ୍ତ ଆଖିରେ ମନମୋହନକୁ ଚାହିଁ ପଚାରିଲା ।

 

“କଅଣ ତୁ କହୁଚୁ ମୁଁ ବୁଝିପାରୁନାହିଁ”–ମନମୋହନ ବିରକ୍ତ ହୋଇପଡ଼ି କହିଲା, “ତୁ କଅଣ ପୁଣି ସେଇ ପୁରାଣର ଦ୍ୱାହିଦେଇ ଯୁକ୍ତି କରିବାକୁ ବାହାରିଚୁ ନା କଅଣ ?”

 

“ନା କେବଳ ପୁରାଣରୁ ଉପମାଟାଏ ତୁ ଦେଲୁ ବୋଲି–” ବିଭୁପ୍ରସାଦ ଈଷତ୍ ହସିପକେଇଲା ।

 

ମାତ୍ର ମନମୋହନ ଏକେବାରେ ବିରକ୍ତ ହୋଇଗଲା ଓ ଖୋଲାଖୋଲି ରାଗିଯାଇ କହିଲା–“ମାର୍ ଗୁଲି ତୋ ପୁରାଣକୁ, ତୁମେ ସବୁ ମୂର୍ଖ କେବଳ ଉପମାକୁ ବିଶ୍ୱାସ କର ଅଥଚ ଉପମେୟକୁ ପାଶୋରି ସାରିଥାଅ । ଏଠାରେ ଲୌହମୂଷଳକୁ ନଷ୍ଟ କରିହେବ କି ନା, ଏ ପରିଣତି ସତ୍ୟର ବିଚାର ନୁହେଁ । ସତ୍ୟର ଯଥାର୍ଥ ବିଚାର ହେଉଚି–ଏହିପରି ଗୋଟିଏ ପରିସ୍ଥିତିରେ ଖଣ୍ଡେ ବିପଜ୍ଜନକ ଲୁହାମୁଣ୍ଡାକୁ ନଷ୍ଟ କରିଦେବାପାଇଁ ସେହି ପୁରାଣରେ ମଧ୍ୟ ସର୍ବଦର୍ଶୀ ଶ୍ରୀକୃଷ୍ଣଙ୍କର ଯେଉଁ ବ୍ୟାକୁଳତା ପ୍ରକାଶ ପାଇଥିଲା–ଯାହାଫଳରେ ଭୀମଉପରେ ମୂଷଳ ଘର୍ଷଣର ଯେଉଁ ଦାୟିତ୍ୱ ପଡ଼ିଲା ସେଇଆ । ପୁରାଣରେ ଲୌହମୂଷଳର ପରିଣତି କଅଣ ହେଲା ତାହା ସହିତ ବାସ୍ତବତାର ପରିଣତିକୁ ଯୋଡ଼ିବା ହିଁ ଭାଗ୍ୟବାଦ । ତୁମେ ସବୁ ଭାଗ୍ୟବାଦୀ । କର୍ମକୁ ଚିରକାଳ ଏମିତି ପୂର୍ବନିର୍ଦ୍ଧିଷ୍ଟ ପରିଣତି ଦୃଷ୍ଟିରୁ ହିଁ ବିଚାର କର । ଫଳରେ ନା କର୍ମ ନା ପରିଣତି । ଏହି ଦୃଷ୍ଟିରୁ ମୁଁ ତୁମମାନଙ୍କ ସହିତ ଏକମତ ନୁହେଁ । ତା’ ଛଡ଼ା ତୁ ତ ଜାଣୁ, ମୁଁ ଏସବୁ ବ୍ୟାପାରରେ ଜଣେ ବୈଜ୍ଞାନିକ ଭଳି ସିଦ୍ଧାନ୍ତ ନବାକୁ ଚାହେଁ । ଯଦି ଲୌହମୂଷଳରେ ମୋର ମୃତ୍ୟୁ ନିହିତ ବୋଲି ତୁ ଦେଖିପାରୁଛୁ ତେବେ ସେ ଦୃଷ୍ଟି ତୋ ନିଜର । ତା’ ସହିତ ମୋର ସମ୍ପର୍କ କଅଣ ? ମୁଁ ମୋର କର୍ତ୍ତବ୍ୟ ହିଁ କରୁଚି ଓ ତାହାହିଁ ବିଜ୍ଞାନକ୍ଷେତ୍ରରେ ନୂତନ ସିଦ୍ଧାନ୍ତଙ୍କୁ ରାସ୍ତା ବୋଲି ମୋର ବିଶ୍ୱାସ ।”

 

ବାହାରେ ମଟର ଘର୍ ଘର୍ ଶବ୍ଦ ଶୁଣି ବିଭୁପ୍ରସାଦ ଚମକିଉଠିଲା । ମନମୋହନ ବିଭୁପ୍ରସାଦ କାନ୍ଧଉପରେ ଗୋଟାଏ ହାତ ଚାପିଦେଇ କହିଲା–“ବସ୍ ! ବସ୍ ! ଆହୁରି ବହୁତ କଥା ଅଛି ।” ତାପରେ ସେଇ ସନ୍ଧ୍ୟାରେ ଶେଷଥର ପାଇଁ ବିଭୁପ୍ରସାଦର ଆଖିକୁ ଘନିଷ୍ଟଭାବେ ଚାହିଁ ସେ କହିଲା–

 

“ଏ ପୃଥିବୀରେ ପୁଣ୍ୟ ଯାହାର ପାରେ ତା’ର ପ୍ରାପ୍ୟ ହେଲେ ମଧ୍ୟ, ଏ ସଂସାରରେ ଯାବତୀୟ ପାପ ଅବଶେଷରେ କିଏ ମୁଣ୍ଡେଇବ ବୋଲି ତୋର ଧାରଣା ବିଭୁପ୍ରସାଦ ?”

 

ବିଭୁପ୍ରସାଦ ନିରୁତ୍ତର । କିନ୍ତୁ ସେ ପୁଣି ଉଠିପଡ଼ିବାକୁ ଚେଷ୍ଟା କରୁଥିଲା ।

 

“ଭଗବାନ ? ଭଗବାନ ମୁଣ୍ଡେଇବେ ?” ମନମୋହନ ତାକୁ ଆଉ ଥରେ ଚଉକିଉପରେ ଚାପିଦେଲା ଓ ହସିହସି ତା’ ଆଖିକୁ ସେମିତି ଘନିଷ୍ଟଭାବେ ଚାହିଁ ଚାହିଁ କହିଲା–

 

“ମଣିଷ ପାପ କରେ । ଏଣୁ ସେଇ ପାପକୁ ଘେନି ଖେଳିବାର ଅଧିକାର ଏକା ତାରି–ସେଇ ମଣିଷର ! କିନ୍ତୁ ସେ ମଣିଷ ମୁଁ କି ତୁ–ନରକରେ ମୁଁ ପଡ଼ିବି କି ତୁ ପଡ଼ିବୁ–ଏ କେଉଁ ବିଚାର-? ଏ ସଂସାରର ପାପରେ ପଡ଼ି ଯେଉଁ ପର୍ଯ୍ୟନ୍ତ ଜଣେ ମଣିଷ ନକରରେ ଘାଣ୍ଟି ହେଉଥିବ, ସେପର୍ଯ୍ୟନ୍ତ ଏଇ ଖେଳ ହିଁ ଲାଗିଥିବ ବିଭୁପ୍ରସାଦ !”

 

ପୋର୍ଟିକୋରେ କାର୍ ହର୍ଣ୍ଣ ଶୁଣି ମନମୋହନ ଉଠିପଡ଼ିଲା । ତା’ ପଛେ ପଛେ ବିଭୁପ୍ରସାଦ । ଉଷା ମଧ୍ୟ ବାହାରିପଡ଼ିଲା–ଅନ୍ୟଘରୁ । କାଖରେ ତା’ର ଦୁଧଖିଆ ଛୁଆ ।

 

“ଏଇ ! ବାପା ବୋଧହୁଏ ଆସିଗଲେ ।” ମନମୋହନ ପରଦାକୁ ଟେକୁ ଟେକୁ ବାହାରକୁ ଉଙ୍କିମାରିଲା ଓ ହଠାତ୍ ଫେରିପଡ଼ି ଚୁପ୍ ଚୁପ୍ କରି ବିଭୁପ୍ରସାଦ କାନରେ କହିଲା, “ନା, ବାପା ନୁହନ୍ତି । ସେଇ ବୁଢ଼ାଗୁଡ଼ାକ–ଯେଉମାନେ ରାଜନୀତିରେ ମୋର ବାପା ! ରହିବୁ ? ପରିଚୟ କରେଇଦେବି ?”

 

ବିଭୁପ୍ରସାଦ ସୁଟ୍‍କରି ବାହାରିପଡ଼ିଲା ଡ୍ରଇଂରୁମରୁ ବାରଣ୍ଡାକୁ, ବାରଣ୍ଡାରୁ ପାହାଚକୁ, ପାହାଚରୁ ପୋର୍ଟିକୋ ହୋଇ ଫାଟକଆଡ଼କୁ ।

 

ବାର

 

ଇତିମଧ୍ୟରେ “ଊର୍ଣ୍ଣନାଭ–ଆଶ୍ରମ”ର ଡିପ୍ଲିଟରର କୁକୁଡ଼ାମାନଙ୍କ ସଂଖ୍ୟା ଦଶରୁ କୋଡ଼ିଏକୁ ବୃଦ୍ଧି ପାଇସାରିଲାଣି । ଅବଶ୍ୟ ଏ ବୃଦ୍ଧି କୁକୁଡ଼ାମାନଙ୍କ ଇଚ୍ଛା ଜାତ ନୁହେଁ । ଏହା ଭବାନୀପ୍ରସାଦଙ୍କ ଇଚ୍ଛାର ଫଳ । ଅନିରୁଦ୍ଧର କଲେଜ ପଢ଼ା ଖର୍ଚ୍ଚ ଏ ଭିତରେ ଟିକିଏ ବଢ଼ିଯାଇଥାଏ । ତାହା ଅବଶ୍ୟ ପିଲାଟାର ଦୋଷ ନୁହେଁ । ଟଙ୍କା ଷାଠିଏଟା ବା କେତେ ? ସେଇଥିରୁ ଦରମା, ମେସିଂ, ଧୋବା, ଭଣ୍ଡାରି ଆଉ ବହିଖାତା କିଣା ପର୍ଯ୍ୟନ୍ତ । ଛ’ମାସ ଗୋଟାଏ ପ୍ରକାର ଥିଲା । ତା’ପରେ କଅଣ ହୋଇଗଲା । ଖବରକାଗଜ–ମାନଙ୍କରେ ସରକାରୀ ଚାକିରିଆମାନଙ୍କର ଦରମା ବଢ଼ିବା ଖବର ବାହାରିପଡ଼ିଲା । ଦିନ ଦୁଇଟା ଯାଇନାହିଁ, ଚିଠି ଦେଲା ଅନିରୁଦ୍ଧ–“ଏଣେ ମେସ୍ ଖର୍ଚ୍ଚ ପାଞ୍ଚ ଟଙ୍କା ବଢ଼ିଲା, ତେଣେ ଅଣ୍ଡା ବେଶି କର ।”

 

ମାତ୍ର ଚଉଦଗୁଣ୍ଠ ଜମିରୁ ମାସିକ ଷାଠିଏ ଟଙ୍କା ଉପୁଜେଇବା ଭବାନୀପ୍ରସାଦଙ୍କ ପକ୍ଷରେ କଷ୍ଟକର ନୁହେଁ । ଦଶୋଟି କୁକୁଡ଼ାରୁ ମାସିକ ତିରିଶ ଟଙ୍କା, ଥରେ ଥରେ ଚାଳିଶ ଟଙ୍କା ଉଠେଇବା କାଠିକର ପାଠ ନୁହେଁ । ବାକିତକ ଟଙ୍କା ଭରଣା କରିବାପାଇଁ ଭବାନୀପ୍ରସାଦଙ୍କୁ ନିଶ୍ଚୟ ଟିକିଏ ବେଶି ପରିଶ୍ରମ କରିବାକୁ ପଡ଼ୁଚି । ଚଉଦ ଗୁଣ୍ଠରୁ ଗୁଣ୍ଠେ ଘର, ଅଧଗୁଣ୍ଠେ ମାଛ ଗଡ଼ିଆ ଗଲା । ଆଉ ଯାହା ରହିଲା ତା’ ଭିତରେ କୁକୁଡ଼ା ଘର, ଗାଈ ଗୁହାଳ, ଅରାଏ କପା ବଗିଚା (ୟାରି ଭିତରେ ବି ଫୁଲ ଆଉ କିଛି ଔଷଧ ଗଛ) ପେଇଁ ଜେଗା ବାଦ୍ ଦେଲାପରେ ଆଉ ଯାହା ରହିଲା ସେଥିରେ ପୁରା ଜମିରେ ସେ ପନିପରିବା ଲଗେଇଥାନ୍ତି । କୋଉ କାଳର ଆଦିମ ମାଟି ପଡ଼ିଥିଲା-। ଅନେଇ ବସିଥିଲା ଶାଗ ମଞ୍ଜିକୁ । ବଢ଼ିଲା ଧୁସ୍ ଧାସ୍ । ବାଇଗଣ ବି କିଛି କମ୍ ବଢ଼ିନାହିଁ ଏ ମାଟିରେ । ଖାଲି ଖତ ପାଣି ଟିକିଏ ଯୋଗେଇଦେଲେ ଗଲା । ୟାଛଡ଼ା ଭୋଦୁଅ ମାସରୁ ଆଗୁଆ ବିଲାତି ବାଇଗଣ ଆଉ କୋବିପାଇଁ ପଟାଳି ତିଆରି ହୋଇସାରିଥାଏ । ଏ ସନ ବି ଶୀତ ଜଲଦି ପଡ଼ିଗଲା–ଆଣିଣ ଅଧାରୁ । ଗାଁ ଦେବୀଘରେ କାଦୁଅ ଚକଟା ହଉଥାଏ, ଭବାନୀପ୍ରସାଦ କୋବିଚାରା ରୋଇଲେ । ଦେବୀ ଜୀବନ୍ୟାସ ପାଇଲାବେଳକୁ କୋବି ଗଛ ଚାଖଣ୍ଡେ ଚାଖଣ୍ଡେ-। ପ୍ରଥମ ପରିବା ବିକ୍ରି ହେଲା ଦି ମାସ ଅଢ଼େଇ ମାସରେ । ଏଣୁତେଣୁ ଟାଣଟୁଣରେ ଚଳେଇନେଲେଣି ସେ କୌଣସି ପ୍ରକାରେ ।

 

ଅନିରୁଦ୍ଧ ପୂଜାଛୁଟିରେ ଆସିଥିଲା । ବଗିଚା ବୁଲିଲା । କୁକୁଡ଼ାଙ୍କ ଡିପ୍ଲିଟର୍ ଘର ଜାଲିରେ ଆଖିମାଡ଼ି ଭିତରକୁ କେତେବେଳଯାକେ ଚାହିଁଲା । କଅଣ ଭାବିଲା । କୁଆଡ଼େ ଚାଲିଗଲା । ତେଣୁ ଆସି କହିଲା, “ବାପା ! କୁକୁଡ଼ାଙ୍କୁ କଅଣ ଗୋଟାଏ ରୋଗ ହୁଏ ବୋଲି ଜାଣିଚ ?”

 

ଚମକିପଡ଼ିଲେ ଭବାନୀପ୍ରସାଦ । ସାନପୁଅର ଆଖିକୁ ନ ଚାହିଁ ତା’ର କପାଳକୁ ଲକ୍ଷ୍ୟକରି କହିଲେ, “କାହିଁ କଅଣ ଦେଖିଲୁ କି ? ଘୁମୋଉଚି କି କିଏ ?”

 

ଅନିରୁଦ୍ଧ ଗମ୍ଭୀର । ତଥାପି ଜବରଦସ୍ତି ହସିଲାଭଳି କହିଲା, “ଗଞ୍ଜାଟା କେମିତି ଚୁପ୍ ହୋଇ ବସିଥିଲା ଯେ ।”

 

ଭବାନୀପ୍ରସାଦ ପୁଅର କପାଳରୁ ତା’ ଗଞ୍ଜାଦେଖା ଆଖିକୁ ଟିକିଏ ନିଠେଇ କରି ଚାହିଁଲେ । ବିବ୍ରତ ହେଲେନାହିଁ; କାରଣ ରୋଗର ପ୍ରତିଷେଧକ ମାତ୍ର ଦି ଦିନ ତଳେ ପଶୁଡାକ୍ତରଙ୍କୁ ଡାକି ଦିଆଇଥିଲେ ସେ । ପାଖରେ ତିନିମାଇଲ ଦୂରରେ ପଶୁଡାକ୍ତରଖାନା । ଅବଶ୍ୟ କୁକୁଡ଼ା ରୋଗର ଟିକା ସେଠି ନ ଥାଏ; କାରଣ ଆଖପାଖରେ ବେଶି କେହି କୁକୁଡ଼ା ରଖିନାହାନ୍ତି । ତଥାପି କୁହାବୋଲା କରି ସହରରୁ ଟିକା ମଗେଇ ଦିଆ ହୋଇଥାଏ ।

 

“କୁକୁଡ଼ାମାନଙ୍କୁ ଟିକା ଦବା କଥା”–ଅନିରୁଦ୍ଧ ଗମ୍ଭୀର ହୋଇ ପୁଣି ପଦେ କହିଲା; କିନ୍ତୁ ତା’ ଓଠରୁ ହସଟିକକ ଶୁଖିନଥାଏ ।

 

ଭବାନୀପ୍ରସାଦ ପୁଅର କପାଳଉପରୁ ଆଖି ଖସେଇଆଣି ତା’ ଓଠକୁ ପର୍ଯ୍ୟବେକ୍ଷଣ କଲେ ଆଉ କହିଲେ, “ସେ କାମ ସରିଚି । ଡାକ୍ତର ଆସିଥିଲା, ଟିକା ଦେଇଦେଇଚି ।” ତାପରେ ନିଜର ହସକୁ ଚାପି ନ ପାରି ହସିପକେଇ ପୁଣି କଥା ଯୋଗେଇଦେଲେ, “ତୁ କଅଣ ଭାବିଚୁ ମୁଁ ଅରଟରେ ସୂତା କାଟୁଚି ବୋଲି କୁକୁଡ଼ାଙ୍କୁ କବିରାଜୀ ଔଷଧ ଖୁଏଇବି ? ହଁ, ଯୋଉଦିନ ତୁମେ ସବୁ କବିରାଜୀ ଉପରେ ଗବେଷଣା କରିବ, ବାହାର କରିବ ଆମରି ମାଟିର, ଆମରି ଶାସ୍ତ୍ରର ଔଷଧ, ସେଦିନ ଆମେ ଆମ ଔଷଧ ଖାଇବା ।”

 

ପୁଣି ଟିକିଏ ରହି ତାପରେ ପୁଣି ସଂଶୋଧନ କଲେ “ହେଲେ ବି ଡାକ୍ତରୀ ଔଷଧ, ଇନଜେକସନ୍ ତ ତାଙ୍କ ଦେଶର ନୁହେଁ । ଆମରି ଡାକ୍ତର, ଆମରି ଦେଶର ଔଷଧ, ଆମରି ଇଞ୍ଜେକସନ୍ । ଏଥିରେ ବିଦେଶୀ ରହିଲା କେଉଁଠି ?”

 

“ଅନିରୁଦ୍ଧ ତଥାପି ହସୁଥାଏ । ବୋଧହୁଏ ହସୁନଥାଏ କି କଅଣ । ଭବାନୀପ୍ରସାଦ ନିଠେଇ କରି ଦେଖନ୍ତି ତା’ ଓଠକୁ । ଶୀତ ଟିକିଏ ପଡ଼ିଲାମାତ୍ରେ ଏ ପିଲାଟିର ଓଠ ବରାବର ଫାଟିଯାଏ । ଗତ ରାତିର ଶୀତ କଥା ଭାବି ଭବାନୀପ୍ରସାଦ ଆଉ କଅଣ କହିବାକୁ ବାହାରିଥାନ୍ତି, କିନ୍ତୁ କହନ୍ତି ନାଇଁ । ପୁଅକୁ ଛାଡ଼ିଦିଅନ୍ତି କହିବାପେଇଁ ।

 

“ମୁଁ ସେକଥା କହୁନାଇଁ ବାପା ! ହଠାତ୍ ତଳଓଠଟାକୁ କାମୁଡ଼ିପକେଇ ସେ କହେ–“ମୋର ଡରଟା ଅନ୍ୟଠେଇଁ । ଏ ଟିକାଗୁଡ଼ିକ ପୁରୁଣା ନୁହେଁ ତ ? ଆଜିକାଲି ବହୁତ ଠେଇଁ ଟିକା ନେଇକରି ବି ମଣିଷକୁ ବସନ୍ତ ହଉଚି । ଶୁଣାଯାଉଚି ଟିକା ରସ ଠିକ୍‍ଭାବେ ତିଆରି ହେଉନାହିଁ କିମ୍ବା ଭାରି ପୁରୁଣା । ଠିକ୍‍ଭାବେ ସାଇତା ହଉନାଇଁ ।”

 

ଭବାନୀପ୍ରସାଦ ବେଶୀ ବେଳ ପୁଅର ଓଠକାମୁଡ଼ାକୁ ସହିପାରନ୍ତି ନାଇଁ । କୁକୁଡ଼ା ଘରଆଡ଼େ ମୁହଁବୁଲେଇ କହନ୍ତି–“ଦେଖାଯାଉ ଫଳ କଅଣ ହଉଚି । ଡାକ୍ତର ତ ଭଲ ଟିକା ବୋଲି କହିଚି ।”

 

ଛୁଟି ସରେ । ଅନିରୁଦ୍ଧ ବାହାରିଯାଏ । କୁକୁଡ଼ାମାନଙ୍କ ଉପରେ ଆଉ କଥାବାର୍ତ୍ତା ହୁଅନ୍ତ ନାଇ ବାପ ପୁଅ । ଉଭୟେ ଛୁଟିଟାଯାକ ଯେମିତିକି ଜିଦାଜିଦିରେ କଟେଇଦିଅନ୍ତି । ବାପ କହେ–କୁକୁଡ଼ା ବଞ୍ଚିବେ । ପୁଅ କଥାରେ କହେ ନାହିଁ, ଭାବେ ଓଲଟା । ଉଭୟେ କିନ୍ତୁ ପ୍ରତିଦିନ ସକାଳେ ସନ୍ଧ୍ୟାରେ କୁକୁଡ଼ାଘର ଜାଲିଭିତରୁ ସେଇ ଗଞ୍ଜାଟାର ଗତିବିଧି ନିଜ ନିଜ ବେଳରେ ଛକିକରି ଦେଖିଥାନ୍ତି । ଗଞ୍ଜାଟା ସତରେ ଟିକିଏ ଲେସମେଇ ଯାଇଥାଏ । ମାତ୍ର ଔଷଧ ଠିକ୍ ଫଳ ଦେଇଥାଏ ।

 

କୁକୁଡ଼ା ଆଉ କୋବି କଖାରୁ ବାହାରେ ଆଉ ଯେଉଁ ଅର୍ଥନୀତି ରହିଲା, ତାହା ହେଲା ପାଞ୍ଚ ଏକରରୁ କିଛି କମ୍ ବିଲରେ ଧାନ, ଦିଓଟି ଗାଇଙ୍କ ଦୁଧ, ଦହି, ଘିଅ, ଛେନା, ଗୋବର ଆଉ ଗଡ଼ିଆର ମାଛ । ମାଛ ଗଡ଼ିଆ ଉପରେ ଏବର୍ଷ ନିର୍ଭର କରିହେବ ନାହିଁ । ଜାଆଁଳ ହାଲି ଛଡ଼ା ହୋଇଥାନ୍ତି । ତା’ ଛଡ଼ା ଓଧଙ୍କର ପ୍ରାଦୁର୍ଭାବ ଏ ଅଞ୍ଚଳରେ ଟିକେ ବେଶି । ତଥାପି ପ୍ରତିଷେଧକ ନିଆଯାଇଥାଏ । କଣ୍ଟାବାଇଁଶୀ ଝଟା ବିଡ଼ା ବିଡ଼ା କରି ପାଣିରେ ଗଳେଇ ଦିଆଯାଇଥାଏ । କଣ୍ଟାଭିତରୁ ଓଧ ମାଛ ଟାଣିନେଇପାରନ୍ତି ନାହିଁ । ମାଛ ବଢ଼ୁଛନ୍ତି ମଧ୍ୟ ଭଲ । ଘରେ ତିଆରି ମାଛ ଖାଦ୍ୟ ଯଥା କୁଣ୍ଡା, ଗୋବର, ଅଇଁଠା ଭାତ, ମେଥିବଟା, ଉଇଟାଙ୍କୁ ଯଥାରାତି ପଡ଼ୁଚି ପାଣିରେ । ୟା ଛଡ଼ା ମାଛ ଚାଷ ପେଇଁ ଏ ଅଞ୍ଚଳକୁ ମାଛ ବିଭାଗରୁ ଲୋକ ଆସନ୍ତି । ମାଛ ବଢ଼େଇବା ପେଇଁ ଏତେ ବହି, ଏତେ ସୂକ୍ଷ୍ମଚିନ୍ତା ସବୁ ବୈଜ୍ଞାନିକମାନେ କରିଛନ୍ତି ! ଭାରି ଆଶ୍ଚର୍ଯ୍ୟ ହୋଇ ମାଛ ଆଉ କୁକୁଡ଼ାଙ୍କ ଉପରେ ଉପଦେଶ ଆଉ ପୁସ୍ତିକାସବୁ ଭବାନୀପ୍ରସାଦ ଏବେ ଏବେ ଶୁଣନ୍ତି, ପଢ଼ନ୍ତି । ସେ ଜାଣିନଥାନ୍ତି ଯେ, ମାଛମାନଙ୍କ ଦିହରେ ଚର୍ବି ବଢ଼େଇବା ପେଇଁ ସୋରିଷ ତେଲ ଟିକିଏ ଟିକିଏ ଏତେ ଦରକାର ତାଙ୍କର । ଟୋପିଏ ସୋରିଷତେଲ ପକେଇଦେଇ ପାଣିକୁ ଚାହିଁ କେତେବେଳେ ବସିପଡ଼ନ୍ତି ସେ ପୋଖରୀକୂଳରେ ଆସ୍ତେ ଆସ୍ତେ ଚହଟିଯାଏ ତେଲ–ଗଡ଼ିଆସାରା । ପତଳା ଇନ୍ଦ୍ରଧନୁର ଚାଦରଟିଏ ବିଛେଇ ହୋଇଯାଏ–ମଣିଷଆଖି ଆଉ ମାଛଆଖିର ସୀମାନ୍ତରେ । ପୁଣି ଆଶ୍ଚର୍ଯ୍ୟ ଲାଗେ । ପାଣି ତଳର ଆଖି କଅଣ ଏ ରଙ୍ଗକୁ ଦେଖୁଛି ? ଦେଖିପାରେ ? ପଚାରନ୍ତି ନିଜକୁ ନିଜେ, କବିପରି ନୁହେଁ–ବୈଜ୍ଞାନିକପରି–ପୁଣି କେତେବେଳେ ବୈଜ୍ଞାନିକପରି ନୁହେଁ, କବିପରି ।

 

ପୁଷମାସରେ ଧାନଖଳାକୁ ଆସିଲାମାତ୍ରେ, ପୁଣି ଚିନ୍ତାପଡ଼ିଲା–କ୍ଷେତ କଅଣ ଆହୁରି ଛ’ମାସ ଅଳସୁଆ ହୋଇ ଶୋଇବ ? କ୍ଷେତ ସାଙ୍ଗକୁ ଚଷା ବି ?

 

ଗାଁରେ ସେତେବେଳେ ତିନିମାସିଆ ତାଇଚୁଙ୍ଗ ଧାନର ବିପ୍ଳବ ନୂଆ ନୂଆ ପ୍ରବେଶ କରିଥାଏ । ନୂଆ ସରକାର ବିଭିନ୍ନ ଯୋଜନା ଠିକ୍ ସମୟରେ ଆଣି ପହଞ୍ଚେଇ ଦେଉଥାଏ ଗାଁଗଣ୍ଡାରେ । ଗ୍ରାମପଞ୍ଚାୟତମାନ ନୂଆ ଗଢ଼ାଯାଉଥାଏ ଗାଁରେ । ଶୁଣାଯାଉଥାଏ–ବିଜୁଳି ଆସିଯିବ ଖୁବ୍‍ଶୀଘ୍ର । ପଞ୍ଚାୟତମାନେ ଛୋଟ ଛୋଟ କାରଖାନା ବସେଇପାରିବେ । ମାତ୍ର ଏ କାରଖାନା ପେଇଁ କଞ୍ଚାମାଲ ବାହାରୁ ଅଣାହେବ ନାଇଁ । ଏଇଠିକା ମାଲ୍ ଏଇଠିକା କାରଖାନାରେ ଲାଗିବ । ଏଇଠିକା ମଣିଷ ଘର ଓଳିତଳ ନିଜ କାରଖାନାରେ ଖଟିବେ । ହସ୍ତଶିଳ୍ପ ଭଳି କାରଖାନାରୁ ଉପଜାତ ହେବ ଦ୍ରବ୍ୟମାନ । ପୁଣି ସେ ଦ୍ରବ୍ୟ ବାସନାତେଲ, ଦାନ୍ତଘଷା ପେଷ୍ଟ୍ ପରି ସୌଖୀନ୍ ଦ୍ରବ୍ୟ ନୁହେଁ; ସାଧାରଣ ଖାଉଟି ଦ୍ରବ୍ୟ । ଭବାନୀପ୍ରସାଦ ଭାରି ଖୁସି ହୁଅନ୍ତି । ପୁଅମାନଙ୍କ ଚିନ୍ତାରୁ ମନ ହାଲୁକା କରିଦେଇ ନିଜକୁ ନିଜେ ଧନ୍ୟବାଦ ଦିଅନ୍ତି ଆଉ କହନ୍ତି–ଭାଗ୍ୟବାନ ତ ଏଇ–ଏତିକିବେଳେ ଯେଉଁମାନେ ଚାକିରିରୁ ଅବସର ପାଇଛନ୍ତି । କାମ କରିବାକୁ ଚାହିଁଲେ ଜୀବନ ଗୋଟାକଯାକ ଯାହା ହୋଇପାରି ନାହିଁ, ସବୁ ମନସାଦ ଏତିକିବେଳେ ମେଣ୍ଟାଇ ଦେଇ ହବ । ଏ ତ ଖାଲି ଗ୍ରାମପଞ୍ଚାୟତ ନୁହେଁ । ଗାନ୍ଧିଜୀଙ୍କ କଳ୍ପିତ ଗ୍ରାମ୍ୟ ସ୍ଵରାଜ୍ୟ । ଏ ଆଜି ଆସିଚି ନୂଆ ରୂପରେ, ସେତେବେଳର ସ୍ୱାୟତ୍ତଶାସନ ଭଳି । ସେଦିନ ସିନା ଚାକିରି ଛାଡ଼ିବାର ଯୁ ନଥିଲା । ଆଜି ଚାକିରି ବଳେ ବଳେ ଛାଡ଼ି ଚାଲିଯାଇଛି । ସ୍ଵାଧୀନ–ଏଣିକି ମଣିଷ ସ୍ଵାଧୀନ ।

 

ଶୁଣାଯାଏ ଗ୍ରାମପଞ୍ଚାୟତ ପାଇଁ ନିର୍ବାଚନ ହେବ । କେନ୍ଦ୍ରରେ ଯେମିତି ଲୋକସଭା ପେଇଁ, ରାଜ୍ୟସଭା ପେଇଁ ଜିଲ୍ଲାରେ ଜିଲ୍ଲାପରିଷଦ ଆଉ ଗାଁରେ ଗ୍ରାମପଞ୍ଚାୟତ ପେଇଁ ନିର୍ବାଚନ ହବ । ଜଣକେତେ ଆସି ଭବାନୀପ୍ରସାଦଙ୍କ କାନରେ ପକେଇଦେଇଯା’ନ୍ତି–“ମାଷ୍ଟ୍ରେ ! ତୁମକୁ ଆମେ ସରପଞ୍ଚ କରିବୁ ।”

 

ଭବାନୀପ୍ରସାଦ ଚିନ୍ତା ମଧ୍ୟ କରନ୍ତି ନାହିଁ । ସିଧା ଉତ୍ତର ଦିଅନ୍ତି–“ପୁଣି ଥରେ ସେ ଭୁଲ୍ କରନାଇଁ । ଲାଙ୍ଗୁଳାଏ ବଞ୍ଚିଚନ୍ତି । ଗାନ୍ଧିଙ୍କୁ ତମେ ଏମିତି ଆଡ଼େଇ ଦେଇଥିଲ ସେଦିନ; ଆଣି ବସେଇଲ କଞ୍ଚାଟୋକା ଜହର–ଲାଲଙ୍କୁ । ଫଳ ତ ଏବେ ହାତେ ହାତେ ପାଇଲ । ପାପର ପ୍ରାୟଶ୍ଚିତ୍ତ କର ଏଇଲେ । ଗ୍ରାମପଞ୍ଚାୟତ ନୁହେଁ ଏ–ୟାର ନାଁ ରାମରାଜ୍ୟ ! ଏ ଚିନ୍ତା ଜହରଲାଲଙ୍କ ମୁଣ୍ଡରୁ ନୁହେଁ ବାବୁ ! ଏଇ ଗୋଟିଏ ପଦ, ସେ କୁଆଡ଼େ ଗଲା । ତାକୁ ଗୁଳି ମାଇଲ ତମେ । ଏବେ ପୁଣି ଥରେ ପଡ଼ିଲାଣି ନା ? ସେ ଭୁଲ୍ କରନାଇଁ । ଲାଙ୍ଗୁଳାଙ୍କୁ ଡାକ ପଦଅର୍ଘ୍ୟ ଦେଇ । ଏ ରାମରାଜ୍ୟ ତାଙ୍କର ପ୍ରାପ୍ୟ ।”

 

ସେମାନେ ଶୁଣନ୍ତି ନାଇଁ । କହନ୍ତି, “ମାଷ୍ଟ୍ରେ ! ତୁମେ ଯେବେ ଠିଆହବ କୁହ । ଆଉ କାହା ନାଁ କୁହନାଇଁ ।”

 

ଭବାନୀପ୍ରସାଦ ଚିଡ଼ିଯାନ୍ତି ଆଉ କୁହନ୍ତି, “ମୋ ମତରେ ଯଦି ମୂଲ୍ୟ ନାଇଁ, ମୋର ମୂଲ୍ୟଟା ରହିଲା କୋଉଠି ? ମୋ ମତରେ–ଏ ପଦବୀ ଲାଙ୍ଗୁଳାଙ୍କ ପ୍ରାପ୍ୟ । ସବୁଠୁଁ ସଚ୍ଚୋଟ ଲୋକ ସେଇ–ଏ ଅଞ୍ଚଳର ।”

 

“ସଚ୍ଚୋଟପଣିଆଁ ବଡ଼କଥା ନୁହେଁ ମାଷ୍ଟେ ! ତୁମର ତ ସେଇ ଇସ୍କୁଲିଆ କଥା ଗଲାନାଇଁ ! ଲାଙ୍ଗୁଳା ଖରାପ ଭଲ ପଡ଼ିଚି ଏଠି ? ସେଥିପାଇଁ ଶକ୍ତି ଥିବା ଦରକାର ଉଭୟ ଦିହରେ ଆଉ ମନରେ । ଆମେ ଠିକ୍ କରୁଚୁ ତୁମେ ଏ କାମକୁ ଭଲ ପାରିବ ।” ସେମାନେ ଜୋରଦେଇ କହନ୍ତି ।

 

ଭବାନୀପ୍ରସାଦ ତଥାପି ମୁଣ୍ଡ ହଲାଉଥାନ୍ତି । ଏତିକିବେଳେ କେହିଜଣେ, ତାଙ୍କର ଶୁଭେଚ୍ଛୁ, ତାଙ୍କ କାନରେ କହିପକାନ୍ତି, “ହଁ କରିଦିଅ ହୋ । ଏତେ ଭାବୁଚ କାହିଁକି ? ପାଞ୍ଚବର୍ଷ କୁଆଡ଼େ ବିତିଯିବ–କାନ କୁଣ୍ଡୋଉ କୁଣ୍ଡୋଉ । ଟୋକାଟା ବର୍ଷ ପାଞ୍ଚଟାରେ ଏମ୍.ଏ. ପାଖାପାଖି ଧରିଯିବ । ଛାଡ଼ିଦେବେ ପଛେ ସେତେବେଳେ ।”

 

ଭବାନୀପ୍ରସାଦ କାନ କୁଣ୍ଡେଇ କୁଣ୍ଡେଇ ଗାଁ’ଭିତରୁ ଧାଇଁଆସି ପଶିଯାନ୍ତି “ଉର୍ଣ୍ଣେନାଭ ଆଶ୍ରମ” ଭିତରେ । ଝଙ୍କା କଲମି ଆମ୍ବଗଛ ଡାହିଆରୁ କୁକୁଡ଼ା ଦୋଳିଟି ତଥାପି ଏପର୍ଯ୍ୟନ୍ତ କୁକୁଡ଼ା ଘରକୁ ସ୍ଥାନାନ୍ତରିତ ହୋଇପାରୁନାହିଁ । ତାଆର ଉପରେ ବସନ୍ତି ଆଉ ଭାବନ୍ତି । ଗ୍ରାମ୍ୟ ରଜନୀରେ ଢଙ୍ଗ ଅଛପା ନୁହେଁ ତାଙ୍କୁ । ମନେମନେ ପୁଣି ଧିକ୍‌କାରନ୍ତି ନିଜକୁ ଆଉ କୁହନ୍ତି–“କାହିଁକି ଯାଉଛୁ ତୁ ସେ ଗାଁ କଥାକୁ ପୁଉଣି ! ବଡ଼ ଜାଗାରେ ସୂକ୍ଷ୍ମ ଯେ ଅଟେ ବଡ଼ ଭାରତ ଭୂଇଁରେ ହଜିଗଲା ୟାର ଅର୍ଥ । ହଜନ୍ତା ନାଇଁ ? ଆରେ–ଅତର ଟୋପାଏ ପେଇଁ କେହି ତ ଅଣ୍ଟି ପତେଇଦିଏ ନାହିଁ, ରୁମାଲ କାନି ଟିକିଏ ଯଥେଷ୍ଟ । ସେଇ ସୂକ୍ଷ୍ମ ପରୀକ୍ଷାପେଇଁ ତ ଏଇ ବକଟେ ହାତକୁ ଆଶ୍ରା କରୁଚୁ । ଏବେ ମାସ ଛଅଟା ଯାଇନାଇଁ ୟାକୁ ବି ଛାଡ଼ିବାକୁ ବସିଲୁଣି ତୁ ?”

 

“ଊର୍ଣ୍ଣନାଭ ଆଶ୍ରମ” ବାହାରକୁ ଯେତେ କମ୍‍ଥର ଯିବାକୁ ଦରକାରପଡ଼େ ସେତିକିଥର ଯାଆନ୍ତି ଭବାନୀପ୍ରସାଦ । ଅନ୍ତତଃ ପଞ୍ଚାୟତ ନିର୍ବାଚନ ଶେଷପର୍ଯ୍ୟନ୍ତ ନିଜକୁ ଆଶ୍ରମ ହତାଭିତରେ ତାଲା ପକେଇଦେଲା ସେ । ଦିନ ପନ୍ଦରଟାରେ ନିର୍ବାଚନ ସଇଲା । ଗାଁ ଭିତରକୁ ଥରେ ବୁଲିଯାଇ ସେ ଯାହା ଦେଖିଲେ–ଡରମାଡ଼ିଗଲା । ପ୍ରତି ଘରକାନ୍ଥରେ ଚିତାପଡ଼ିଲାପରି ହାତଲେଖା ଆଉ ଛପା ରଙ୍ଗିନ୍ ନିର୍ବାଚନ ପୋଷ୍ଟର ସବୁ ମରାହୋଇଥାଏ । ଯୁବକମାନେ ଦଳଦଳ ହୋଇ ଖୁବ୍ ଲୁଚିଛପି ବସି ମନ୍ତ୍ରଣା କରୁଥାନ୍ତି । ଜଣକୁ ଡାକି ଭବାନୀପ୍ରସାଦ ଖୁବ୍ ଆସ୍ତେକରି ପଚାରିଲେ–“କିଏ ହେଲା ?” କିନ୍ତୁ ଉତ୍ତର ମିଳିଲା ସ୍ଳୋଗାନରେ । ଭବାନୀପ୍ରସାଦ ଧକ୍କାଖାଇଲା ଭଳି ପେଲିହୋଇଗଲେ ପଛକୁ ।

 

କାନ୍ଧରେ ନିଜ ହାତବୁଣା ସବାପ୍ରଥମ ତନ୍ତଗାମୁଛା ଖଣ୍ଡକ ପକେଇ ସେ ବୁଲି ବାହାରିଥାଆନ୍ତି ଟିକିଏ । ଏଇ ପନ୍ଦର ଦିନ ଊର୍ଣ୍ଣନାଭ ଆଶ୍ରମ ଭିତରେ ନିଜକୁ ବନ୍ଦୀରଖିଥିବା କାଳରେ ଏ ଖଣ୍ଡିକ ସେ ବୁଣିଥିଲେ । ଗାଁ ବୁଲିର ଅନ୍ୟ ଉଦ୍ଦେଶ୍ୟଟିଏ ମଧ୍ୟ ଥିଲା । ଭାବିଥାନ୍ତି ସେ–ଯାଉଚି, ଯେ ଜିତିଥିବ ତାକୁ ଦେବି ଏଇ ଉପହାରଟି ।

 

ମନେମନେ ସେ ଦୃଢ଼ ନିଶ୍ଚିତ ହୋଇଥିଲେ ଯେ, ଏ ନିର୍ବାଚନରେ ନିଶ୍ଚୟ ଲାଙ୍ଗୁଳାଏ ଜିତିଥିବେ । କିନ୍ତୁ ସ୍ଳୋଗାନରୁ ଯାହା ଶୁଣିଲେ ତାଙ୍କ ମନ ବିରସ ହୋଇଗଲା ।

 

ତଥାପି ମନର ବିକାରକୁ ପଛକୁ ରଖି, ସେ ପ୍ରତିଜ୍ଞା ରକ୍ଷା କରିବାପେଇଁ ବାହାରିପଡ଼ିଲେ-। ଯୁବକମାନଙ୍କୁ ପଛରେ ଛାଡ଼ି ସେ ମୁହେଁଇଗଲେ ଲାଙ୍ଗୁଳାଙ୍କ ପ୍ରତିଦ୍ଵନ୍ଦ୍ଵୀ “ବାରବର୍ଷିଆ”ଙ୍କ ଘରଆଡ଼େ । ବାରବର୍ଷିଆଏ ହିଁ ଗ୍ରାମପଞ୍ଚାୟତ ନିର୍ବାଚନରେ ଜିତିଥିଲେ ସେ ।

 

କିନ୍ତୁ, ତାଙ୍କ ଘରେ ପହଞ୍ଚି ଶୁଣିଲେ–ବାରବର୍ଷିଆଏ ଘରେ ନାହାନ୍ତି । ସେ ଚାଲିଗଲେଣି–ରାଜଧାନୀକୁ ।

 

ତେର

 

ସେଦିନ ମନମୋହନ ଘରୁ ଛାଟିପିଟି ହୋଇ ବାହାରକୁ ପଳେଇଆସେ ବିଭୁପ୍ରସାଦ । କିନ୍ତୁ ଗୋଟିଏ ସଂକ୍ରାମକ ରୋଗୀ ସଙ୍ଗେ ଅଙ୍ଗାଙ୍ଗୀଭାବେ ମିଶିସାରିଲା ପରେ ଯେତେ ଝଡ଼ାଝଡ଼ି ଧାଁଧପଡ଼ କଲେ ମଧ୍ୟ ରୋଗର ଜୀବାଣୁକୁ କଅଣ ଦେହରୁ ଫୋପାଡ଼ିଦେଇ ହୁଏ ? ମନମୋହନର ଯୁକ୍ତି ଓ ସିଦ୍ଧାନ୍ତଗୁଡ଼ିକ କାଳେକାଳେ ଏମିତି ସଂକ୍ରାମକ । ଏଇଥିପାଇଁ ମନମୋହନ ସାଙ୍ଗରେ ଯୁକ୍ତିତର୍କ କରିବାକୁ ବିଭୁପ୍ରସାଦ ସବୁବେଳେ ଡରିଥାଏ । ଏ ଡର ଅବଶ୍ୟ ହାରଜିତରୁ ନୁହେଁ; କେବଳ ଆତ୍ମଦ୍ୱନ୍ଦ୍ୱର । କାରଣ ଯୁକ୍ତିରେ ପରାସ୍ତକରି ମନମୋହନ ପ୍ରତିଦ୍ଵନ୍ଦ୍ଵୀର ହାତମୁଠାରେ ଥିବା ଜିନିଷକୁ ଛଡ଼ାଇନେବାକୁ ଚେଷ୍ଟା କରେନାହିଁ, କେବଳ ପ୍ରତିଦ୍ଵନ୍ଦ୍ଵୀର ହାତମୁଠାରେ ଯଦି ଶିବଲିଙ୍ଗଟିଏ ପଡ଼ିଯାଇଥାଏ ତେବେ ଯୁକ୍ତିକରି ତାହାକୁ ସାମାନ୍ୟ ମାଇଲଖୁଣ୍ଟଟିଏ ବୋଲି ପ୍ରମାଣ କରିଦେଇଥାଏ ମନମୋହନ । ଫଳରେ ତୁମେ ଯଦି ଜଣେ ମାର୍କଣ୍ଡେୟ ହୋଇଥାଅ, ଗୋଟାଏ ହାତରେ ଶିବଲିଙ୍ଗକୁ ଓଟାରିଧରି ଅନ୍ୟହାତରେ ଯମଓଟରାକୁ ସମ୍ଭାଳୁଥାଅ, ତେବେ ତୁମକୁ ନ ଜିତାଇ ଯମକୁ ଶେଷରେ ସେ ଜିତାପଟ ଦିଏ । ଏହାହିଁ ମନମୋହନ ସହିତ ଯୁକ୍ତିତର୍କ କରିବାର ପରିଣତି–ବିଭୁପ୍ରସାଦ ପାଇଁ !

 

ଘରେ ପହଞ୍ଚିବା ପର୍ଯ୍ୟନ୍ତ ବିଭୁପ୍ରସାଦ ମନମୋହନର ଅସଂଖ୍ୟ ଚମତ୍କାର ଯୁକ୍ତି ମଧ୍ୟରୁ ତଥାପି କେବଳ ସେଇ ଗୋଟିକୁ ଭଜି ହଉଥାଏ । କାରଣ ସେଇ ଗୋଟିକ ହିଁ ପ୍ରକାରାନ୍ତରେ ବିଭୁପ୍ରସାଦ ନିଜ ପକ୍ଷରେ ଯୁକ୍ତି ମଧ୍ୟ । ମନେପଡ଼ି ଯାଉଥାଏ ମନମୋହନର ସେଇ ଧାଡ଼ିଟି–“ଆଜି ପୃଥିବୀରେ ଯେଉଁସବୁ ଅନ୍ୟାୟ କୁହ ଅତ୍ୟାଚାର କୁହ ଦେଖାଯାଉଚି, ଯାହାକୁ ସଜାଡ଼ି ପକେଇବାପେଇଁ ଆମେ ତୁମେ କାନ୍ଦିପକଉ, ଏଗୁଡ଼ାକ ବାସ୍ତବ ଅନ୍ୟାୟ ଅତ୍ୟାଚାର ନୁହେଁ । ସବୁ ମନୁଷ୍ୟକୃତ । ମନୁଷ୍ୟକୃତ ଅନ୍ୟାୟକୁ ମଣିଷ ସଜାଡ଼ିନେଲା–ଏଥିରେ ବଡ଼କଥା ରହିଲା କଅଣ ?”

 

ବାସ୍ତବିକ୍ ମନମୋହନର ଏଇ ଗୋଟିଏ ବାକ୍ୟ ସେଦିନ ବିଭୁପ୍ରସାଦର ଆଉ ଗୋଟିଏ ବିଷଦାନ୍ତ ଝାଡ଼ିଦେଲା । ପ୍ରଥମଟି ଯାଇଥିଲା ସରକାରୀ ଚାକିରି ସମ୍ପର୍କରେ ଯେଉଁ ବୃଥା ଅହଙ୍କାରଟି ଥିଲା–ତାକୁ ନିଜହାତରେ ନିଜେ ଭାଙ୍ଗିଦବାରେ । ଦ୍ୱିତୀୟଟି ଗଲା–ସୁକୁମାରୀ ସମ୍ପର୍କରେ ଏଯାବତ୍ ଯେଉଁ ବୃଥା ଗର୍ବଟି ସେ ପୋଷଣ କରିଥିଲା, ତାକୁ ଖର୍ବ କରିଦେବାରେ । ଏ ଗର୍ବକୁ ଖର୍ବ କରିବାରେ କେବଳ ମନମୋହନର କୃତିତ୍ଵ ନ ଥାଏ ଅବଶ୍ୟ । ତା’ ସ୍ତ୍ରୀ ଉଷାର ଜୀବନ୍ତ ଉଦାହରଣ ହିଁ ଥାଏ ୟା ପଛରେ । ଉଷାକୁ ଆଗରେ ନ ଥୋଇ, ଉଷାର ଦୁଃଖକୁ ନିଜ ମୁଣ୍ଡ ପସରାରେ ନଥୋଇ ମନମୋହନ ଯଦି ଖାଲି କଥାରେ କହିଥାନ୍ତା ଯେ–ହେଃ ! ହରିଜନ ବିବାହ ଗୋଟେ କଅଣ ? ସେଗୁଡ଼ାକ ପୁରୁଣାକାଳୀଆ ବୀରତ୍ୱ ! ହରିଜନ ସମସ୍ୟା ମନୁଷ୍ୟକୃତ୍ୟ, ମଣିଷର ଦୋଷ ମଣିଷ ସଜାଡ଼ିନେଲା, ଏଥିରେ ଗର୍ବ କରିବାର କଅଣ ଅଛି ?–ବିଭୁପ୍ରସାଦ ହୁଏତ ତା’ କଥା ଶୁଣିନଥାନ୍ତା । ଆପଣା ଗୌରବରେ ଆପେ ମଣ୍ଡିହୋଇ ସେ ସବୁଦିନପରି ଆଜି ସନ୍ଧ୍ୟାରେ ବି ଘରକୁ ଫେରିଥାନ୍ତା । ରାତିଅଧରେ ଅନ୍ଧାର ଜୁଡ଼ୁବୁଡ଼ୁ ଶେଯଉପରେ ହାତବଢ଼େଇ ସେ ଖୋଜନ୍ତା ସୁକୁମାରୀକୁ ନୁହେଁ–ସୁକୁମାରୀର ଦେହକୁ । ସୁକୁମାରୀ ଯେତେବେଳେ ଆପତ୍ତି କରନ୍ତା ଓ ବେଳେବେଳେ କିଏ ଯେମିତି ତା’ର ସେଇ କଳାବିଚିକିଟିଆ ଦେହରେ ପଶି ତା’ ମୁହଁରେ ଶାସ୍ତ୍ରର ଭାଷା କୁହାଏ, ଯେମିତି କୁହନ୍ତା–“କାହିଁକି ମୋ ସାଥିରେ ଲାଗିଛ ? ମୁଁ ଜାଣେ ତମେ ମତେ ଖୋଜୁନ, ଖୋଜୁଚ ମୋ ଭିତରେ ଆଉ କାହାକୁ” କିମ୍ବା “ତୁମେ ଯାହାକୁ ଏତେ ଖୋଜୁଚ ମୁଁ ଜାଣେ ମ ! ତୁମେ କ’ଣ ମୋ ଥିବାକୁ ଭଲପାଅ ? ଭଲପାଅ ମୋ ନଥିବାକୁ !” ସେତିକିବେଳେ ବଦ୍ରାଗୀ ପଶୁପରି ଗର୍ଜିଉଠି କିମ୍ବା ଭଣ୍ଡ ଜାରପୁରୁଷପରି ଆଜି ସେ କହିପାରନ୍ତା, “ଶୁଣ ସୁକୁମାରୀ ! ଜଣେ ମଣିଷ ଆଉଜଣେ ମଣିଷକୁ ତୁଛେଇଁକି ଭଲପାଏ ନାହିଁ । ଭଲପାଏ ତା’ ଭିତରର ଆତ୍ମା ବା ଭଗବାନଙ୍କୁ । ଏହାକୁ ମୂଲ୍ୟବୋଧ ବା ଆଦର୍ଶ ବୋଲି ମଧ୍ୟ କହିପାର । ତୁମକୁ ମୁଁ ଆଲୁଅରେ ଦେଖିପାରେ ନାହିଁ । ପରିଷ୍କାର କଥାରେ ମୁଁ ସୁକୁମାରୀକୁ ଚିହ୍ନେନାଇଁ । ଚିହ୍ନେ ସେଇ ଆତ୍ମାଟିକୁ, ଯେ ଦରିଦ୍ର ନିଷ୍ପେଷିତ ଏବଂ ଜନ୍ମ ଯାହାର ମେହେନ୍ତର କୂଳରେ । ଏଇ ‘ମେହେନ୍ତର’ ଶବ୍ଦଟି କେତେ ଘୃଣ୍ୟ ତାହା ମୁଁ ପିଲାଦିନୁ ଜାଣେ । ବହୁତଥର କହିଛି, ମୋ ବାପା ଶତଚେଷ୍ଟା ସତ୍ତ୍ୱେ ଗୋଟିଏ ମେହେନ୍ତର ଝିଅକୁ ବାହା ହୋଇପାରିନଥିଲେ । ଆଜି ବି ଏ ପୃଥିବୀର ଅବସ୍ଥା ବଦଳି ନାଇଁ । କିନ୍ତୁ ମୁଁ ସେହି ଅସମ୍ଭବକୁ ସମ୍ଭବ କରିଚି । ପୁରାତନ ଆଦର୍ଶକୁ ନୂତନ ରୂପ ଦେଇଚି । ଅଦୃଶ୍ୟକୁ ଦୃଶ୍ୟ କରେଇଚି । ଅଥଚ ତୁମେ କହୁଚ ଯେ, ମୁଁ ତୁମର ଥିବାକୁ ଭଲପାଏ ନାହିଁ, ନଥିବାକୁ ଭଲପାଏ ! ଭୁଲ୍ କଥା ସୁକୁମାରୀ, ଭୁଲ୍ କଥା । ଆସ, ମୋ ପାଖକୁ ଲାଗିଆସ ଆଉ ନିଜକୁ ସମର୍ପଣ କରିଦିଅ ।

 

କିନ୍ତୁ ଆଜି ମନମୋହନ, ବିଭୁପ୍ରସାଦର ସେ ଯୁକ୍ତିକୁ ଭଣ୍ଡାମି ବୋଲି କେବଳ ପ୍ରମାଣିତ କରିନାହିଁ । ବରଂ ବିଭୁପ୍ରସାଦକୁ ମନମୋହନ ଆହ୍ଵାନ କରିଛି–ତା’ର ସେଇ ସୁନ୍ଦରୀ ଅଣହରିଜନ ରାଜ୍ୟପାଳର କନ୍ୟା ଉଷାକୁ ସୁକୁମାରୀ ସହିତ ସମକକ୍ଷ କରି, ଆଗରେ ଥୋଇ, ପଚାରିଚି ସତେକି–“କହ ତ ଦେଖି ! ଉଷା ଆଉ ସୁକୁମାରୀ ଏ ଦୁଇ ଅନ୍ୟାୟ ମଧ୍ୟରେ କେଉଁଟି ବଡ଼ ?”

 

ରାସ୍ତାରେ ବୁଲୁ ବୁଲୁ ଟିକିଏ ଡେରିହୋଇଗଲା ସେଦିନ । ଘରେ ପହଞ୍ଚିବାକ୍ଷଣି ସୁକୁମାରୀ ପଚାରିଲା, ଏତେ ରାତିଯାକେ କେଉଁଠି ଥିଲ ? ଲାବୋରେଟୋରୀରେ ?

 

ସୁକୁମାରୀ ଏଇ ଲାବୋରେଟୋରୀ ଶବ୍ଦଟିକୁ ଠିକ୍ ଭାବେ ଉଚ୍ଚାରଣ କରିପାରେ ନାହିଁ । ପ୍ରତି ସନ୍ଧ୍ୟାରେ ଘରକୁ ଫେରିଲେ ସେ ଯେତେବେଳେ ଏଇ ଭୁଲ୍ ଉଚ୍ଚାରଣଟି ତା’ ସ୍ତ୍ରୀମୁହଁରୁ ଶୁଣେ ବିରକ୍ତ ହୋଇ ସାଙ୍ଗେ ସାଙ୍ଗେ ଠିକ୍ ଉଚ୍ଚାରଣଟି ଶିଖାଏ । ଅବଶ୍ୟ ଏ ଅଭ୍ୟାସଟି ସେ ଆଣିଥାଏ ତା’ ବାପା–ଭବାନୀପ୍ରସାଦଙ୍କଠୁଁ । ପୁଅର ପ୍ରତି ଚିଠିରେ ଥିବା ଭୁଲ୍ ଶବ୍ଦଚାରିପଟେ ମୁଣ୍ଡଳା ଦେବାପରି ଅଭ୍ୟାସ ଏ । ଏ କ୍ଷେତ୍ରରେ ବିଭୁପ୍ରସାଦ କେବଳ ମୁଣ୍ଡୁଳା ଦିଏନାହିଁ; ଗାଳି ବି ଦିଏ । କହେ, “ଯେତେ ଶିଖେଇଲେ କଅଣ ହେବ, ତୁମଦ୍ଵାରା କିଛି ହେବନାଇ । ଦସ୍ୟୁ ରତ୍ନାକର ମୁହଁରୁ ରାମ ଶବ୍ଦ ବାହାରିଲା ?” ଏ ଗାଳିରେ ସୁକୁମାରୀ ରାଗେନାହିଁ କି କାନ୍ଦେନାହିଁ, କେବଳ ହସିଦିଏ । କିନ୍ତୁ ଏଇ ହସ ହିଁ ଆହୁରି ଉତ୍‍କ୍ଷିପ୍ତ କରେ ବିଭୁପ୍ରସାଦକୁ । କାରଣ ଏଇ ହସଭିତରେ ଥାଏ ସେଇ ନିଉନ ଭାବ, ଯାହା କାଳ କାଳ ଧରି ସମାନକୁ କରେ ଅସମାନ, ପରିଷ୍କାରକୁ କରେ ମଇଳା, ଆଉ ସଖ୍ୟକୁ ଦାସ୍ୟ କରିଦିଏ । ଭୁଲ୍ ଉଚ୍ଚାରଣଠୁଁ ନିଉନ ସେଇ ମଳିନ ହସକୁ ଆହୁରି ଘୃଣାକରେ ବିଭୁପ୍ରସାଦ । ଚିଡ଼ିଯାଏ । ଚିହିଁକିଉଠେ ଆଉ ବେଳେବେଳେ ଏ ଅପରିଛନିଆ ହସକୁ ଘୋଡ଼େଇ ପକେଇବା ପେଇଁ ବ୍ୟଗ୍ର ହୋଇଉଠି ସେ ପକାଏ ବି ଗୋଟେ ଚଟକଣା, ସୁକୁମାରୀର ସରୁଆ ଟାକୁଆ ଗାଲକୁ ଆଉ ଗର୍ଜି ଗର୍ଜି କହେ, “ମଣିଷ ପଛେ ବେଶ୍ୟାଙ୍କର ବଶ ହୋଇପାରେ; କିନ୍ତୁ ଏମିତି ଚିହ୍ନା ଛୋଟିଆ ମଣିଷଙ୍କୁ ବରଦାସ୍ତ କରିନପାରେ । ଯେତେ କାନ୍ଧରେ ବସେଇଲେ କଅଣ ହବ ? ନିଜ ଭିତରର ଛୋଟିଆ ତ ସବୁବେଳେ ଭୂଇଁକୁ ଦରାଣ୍ଡୁଚି !”

 

କିନ୍ତୁ ଆଜି ଅଲଗା । ଏ ଅଲଗାପଣିଆ କରେଇଦେଲେ ସେ ଦିଜଣ–ମନମୋହନ ଆଉ ଉଷା ।”

 

ଘରେ ପହଞ୍ଚୁ ପହଞ୍ଚୁ, ସୁକୁମାରୀର ଭୁଲ୍ ଉଚ୍ଚାରଣକୁ ଠିକ୍ କରିଦବାକୁ ଆଗ ହାଇଁପାଇଁ ନହୋଇ ବିଭୁପ୍ରସାଦ ସୁକୁମାରୀର ସେଇ ନିତିଦିନିଆଁ ଅସୁନ୍ଦରିଆ ସରୁଆ ଟାକୁଆ ଗାଲକୁ ଟିକିଏ ଛୁଇଁଦେଲା ଆଉ କହିଲା–“ଭାରି ଭୋକ । କଅଣ ରଖିଚ ? ଏଁ ? ଘରଟାକୁ ଅନ୍ଧାର କରିଚ କାହିଁକି-? ଲଣ୍ଠନରେ ତେଲନାହିଁ ନା କଅଣ ?”

 

ସୁକୁମାରୀ ବୁଝିପାରିଲା ନାହିଁ ଆଜି ଏ ନୂଆ କଥା କହି ଶିଖୁଥିବା ପୁରୁଷଟିର ଭାଷାକୁ । ତା’ କାନକୁ ବିଭୁପ୍ରସାଦର ପ୍ରତି ପଦରେ ଯେମିତି ବର୍ଣ୍ଣାଶୁଦ୍ଧି ! ଲାଜେଇଯାଇ ସେ କହିଲା, “ଓ ବୁଝିଲି । ତୁମେ ମନମୋହନ ବାବୁଙ୍କ ଘରକୁ ଯାଇଥିଲ ପରା । ସେଠି ତ ଭଲ ଖାଇବାକୁ ଦେଇଥେବେ ।”

 

ହଠାତ୍ ବିଭୁପ୍ରସାଦର ମନେପଡ଼ିଗଲା ଉଷାର ମୁହଁ । ଜୀବନ୍ତ ଉଷାର ନୁହେଁ । ସେଇ ଚିତ୍ରରେ ଥିବା ଉଷାର ମୁହଁ–ଯେଉଁ ମୁହଁରେ ଅନ୍ୟାୟ ଅତ୍ୟାଚାରର ଏମିତି ସରୁଆ, ଟାକୁଆ, ଆମ୍ବିଳା ଆମ୍ବଟିଏ ଫଳିଥିଲା । ସୁକୁମାରୀକୁ ସେଇଠି, ସେଇ ଖାଇବାପତ୍ର ପାଖରେ କୋଳେଇ ନବାପେଇଁ ହଠାତ୍ ଇଚ୍ଛା ହେଇଯାଉଥିଲା ବିଭୁପ୍ରସାଦର । କିନ୍ତୁ ପୁଣି କିଏ ଚମକେଇଦେଲା ଭିତରଆଡ଼ୁ–ଅନ୍ୟାୟ ଅତ୍ୟାଚାର ମନୁଷ୍ୟକୃତ । ମଣିଷର ଭୁଲ୍ ମଣିଷ ସଜାଡ଼ିନିଏ–ଏଥିରେ ବଡ଼ କଅଣ । ଅଟକିଗଲା ବିଭୁପ୍ରସାଦ । ସୁକୁମାରୀକୁ ଉଷା ମନେକରି ପୁଣି ସେଇ ବୈଷ୍ଣବୀୟ ପରକୀୟା ଯେପରି ମାଡ଼ିନଯାଏ ସେଥିପ୍ରତି ସତର୍କ ହୋଇଗଲା । ଆଜି ପୂର୍ଣ୍ଣପ୍ରାଣରେ ସେ ଭାବିବାକୁ ଆରମ୍ଭ କରିଦେଇଥାଏ ଯେ–ସୁକୁମାରି–ଯାହାର ହାତଧରି ବିଭୁପ୍ରସାଦ ବାହାହୋଇଛି ସେ ନିଜେ ଅନ୍ୟାୟ ନୁହେଁ କି ଅତ୍ୟାଚାରର ଫଳ ନୁହେଁ, ଉଷାର ପ୍ରତିଚ୍ଛବି ନୁହେଁ, ଏମିତିକି ସେ ସେଇ ମଣିଷ ନୁହେଁ ଯେ, ନିଜପ୍ରତି ମାନବିକତାର ବିଚାର ଦାବି କରେ । ସେ ହେଉଚି ସେଇ–ଯିଏ କେବଳ ଗୋଟିଏ ଉପମାଦ୍ୱାରା ହିଁ ଯଥାର୍ଥରେ ପ୍ରକାଶିତ ହୋଇଥାଏ । ଆଉ ସେ ଉପମାଟି ହଉଚି–ଏହିପରି ପଦେ କଥା ଯେମିତି ଅର୍ଦ୍ଧାଙ୍ଗିନୀ–ଯାହା ମଣିଷର ଅଧେ–ଭଲର ଅଧେ–ସୁନ୍ଦରର ଅଧେ–ନ୍ୟାୟର ଅଧେ–ବିଚାରର ଅଧେ–ସବୁର ଅବଶ୍ୟମ୍ଭାବୀ ସେଇ ଅଧକ !

 

ନିରବ ନିଳୟରେ ଆଜି ରାତିସାରା ଅଖଣ୍ଡ ଜ୍ୟୋତି ପରି ଲଣ୍ଠନ ଆଲୁଅଟି ଜଳୁଛି; ଯେଉଁ ଆଲୁଅ, ଦ୍ରବ୍ୟ ଆଉ ଦ୍ରବଣୀୟତା ମଧ୍ୟରେ, ଜଳପରି ଖେଦିଯାଇଚି ଓ ମିଳେଇ ଦେଇଚି–ଦିହିଁଙ୍କୁ । ଆଜି ବିଭୁପ୍ରସାଦର ବିକାର ନାହିଁ, ଅବ୍ୟ ନାହିଁ । ସୁକୁମାରୀର ସନ୍ଦେହ ନାହିଁ–ଥିବା–ନଥିବାର । କେବଳ କୃତ୍ରିମ ରାଗ କରି ସେ ପଚାରୁଚି ସେଇ ଆଲୁଅମୁହାଁ ପୁରୁଷଟାକୁ–

 

“ହସୁଚ କାହିଁକି ? ମୁଁ ଜାଣେ ମ, ତୁମେ ମତେ ଭଲପାଅ ନାହିଁ ।”

 

ଲାଜରେ ମୁହଁକୁ ଘୋଡ଼େଇ ପକେଇଥାଏ ପଣତକାନିରେ ସେ । ତା’ ମୁହଁକୁ ସିଧାସଳଖ ଦେଖିବାପାଇଁ ବିଭୁପ୍ରସାଦର ଆଜି ଜିଦି ନୁହେଁ–ସତ୍‍ସାହସ ବି ନୁହେଁ, କଅଣ ସେଇଟା ସେ ନିଜେ ଜାଣେନାହିଁ । ପଣତ ଘୋଡ଼ଣିଟିକୁ ମୁହଁରୁ ଓଟାରୁଥାଏ ସେଇଭାବରେ ଯେମିତି ହିରଣ୍‍ମୟ–ପତ୍ରତଳୁ ସେ ସତ୍ୟର ମୁଖକୁ ଦେଖିବାକୁ ମନବଳାନ୍ତା ।

 

କଥୋପକଥନର ଶେଷ ନାହିଁ–ଯେମିତି ସଂସାରରେ ପ୍ରକୃତି ଆଉ ପୁରୁଷର ମିଳନର ଶେଷ ନାହିଁ । ରାତିସାରା ଦୁହେଁ ଦୁହିଁଙ୍କୁ ସଭାଷଣ କରିବାକୁ ପ୍ରସ୍ତୁତ । ବିଭୁପ୍ରସାଦ ଆଶ୍ଚର୍ଯ୍ୟ ହୁଏ–ଏତେ କବିତା ଏଇଠି କୋଉଠି ଏମିତି କିଏ ମାଡ଼ିଦେଇ ଯାଇଥିଲା ? ସେଇ କବିତାକୁ ଆହୁରି ଉଖାରିବାପେଇଁ ଟିହାଉଥାଏ ବିଭୁପ୍ରସାଦ–

 

“ମୁଁ ତୁମକୁ ଶିବଙ୍କ ପରି ଭଲପାଏ ସୁକୁମାରୀ ! ତୁମେ ମୋର ଗୌରୀ !”

 

“ଗୌରୀ ନୁହେଁ ମୁଁ କାଳୀଟା !” କହିପକାଏ ସେ । ପୁଣି ସତର୍କ ହୋଇଯାଏ–କାଳେ ବେଶୀ କହିଦେଲା ବୋଲି ସେ କାନ୍ଦିପକାଏ । କିନ୍ତୁ ବିଭୁପ୍ରସାଦ ପୁଣି ତା’ ଧାରା ବଦଳେଇଦିଏ । ସ୍ୱର୍ଗର ଭାଷାକୁ ମର୍ତ୍ତ୍ୟର ବୋଲିରେ ପରିଣତ କରିଦବାପେଇଁ ସେ ନିତିଦିନିଆ କଥା ପକେଇଦିଏ; ଆଉ ପଚାରେ–

 

“ଆସନ୍ତାକାଲି ବଜାରକୁ ଯିବା । ଜାଣ, ମୁଁ ଦରମା ପାଇବି କାଲି ? ତୁମର କଅଣ ଦରକାର ?”

 

“ମୋର କିଛି ଦରକାରନାଇ । ଖାଲି ମତେ ସାଙ୍ଗରେ ନିଅ । ତୁମକୁ ଲାଜମାଡ଼ିବ ନାହିଁ ତ ? ଯିଏ ପଚାରିବ ଇଏ କିଏ ବୋଲି–କଅଣ କହିବ ?”

 

“ଲାଜ କାହିଁକି ମାଡ଼ିବ ? ସମସ୍ତେ ଜାଣନ୍ତି ତୁମେ ମୋର ସ୍ତ୍ରୀ । ଆଜି ମନମୋହନର ସ୍ତ୍ରୀ ଉଷା ତୁମ କଥା ପଚାରୁଥିଲା । ଜାଣିଚ–ମନମୋହନର ସ୍ତ୍ରୀ କିଏ ? ରାଜ୍ୟପାଳର କନ୍ୟା, ଆଉ କାହାର ବୋହୂ, କାହାର ସ୍ତ୍ରୀ ? ଆଜି କିନ୍ତୁ ସେଦିନ ନାହିଁ ସୁକୁମାରୀ । ଆଜି ସମସ୍ତେ ସମାନ, ସମସ୍ତେ ସମାନ । ମଣିଷର ଭୁଲ୍ ଆଜି ମଣିଷ ସଜାଡ଼ି ନେବାକୁ ତିଆର । ଆଜି ଆଉ କାହାକୁ ଡରନାଇ ।”

 

ସେଇଠି ବିଭୁପ୍ରସାଦ କହିଦେଲା ବି ସୁକୁମାରୀକୁ–ମନମୋହନର ସ୍ତ୍ରୀ ଉଷାର ସେଇ ପୁତ୍ର ସନ୍ତାନଟି କଥା । ତା’ ସାଙ୍ଗରେ ମିଶେଇ ପୁଣି କହିଲା, “ଆଚ୍ଛା କୁହ ତ ! ନଟବର କୋଉ ଗୁଣରେ ମନମୋହନଠାରୁ ବଡ଼ ? ଆମେ କାହିଁକି ବୃଥାଟାରେ ସେ ଛତରାଟାକୁ ଆଶ୍ରୟ ଦଉଚେ-?”

 

ସୁକୁମାରୀ ହଠାତ୍ କିଛି କହିଲା ନାହିଁ । ତା’ ନଟଭାଇ ସମ୍ପର୍କରେ କେତେବେଳେ କଥା ପଡ଼ିଗଲେ ସେ ଏମିତି ଚୁପ୍ ହୋଇଯାଏ ।

 

“କିଛି କହୁନ କାହିଁକି ?” ବିଭୁପ୍ରସାଦ ହଲେଇଦେଲା ସୁକୁମାରୀକୁ ଆଉ ପଚାରିଲା, “ତୁମେ କଅଣ ଭାବୁଚ ନଟବରର ଏ ସତ୍ସାହ ଅଛି ? ଅଛି ଯଦି ତେବେ ମୁରାଶାକୁ ସେ ଏମିତି ନଚଉଚି କାହିଁକି ? ବାହା ହେଇପଡ଼ୁନାହିଁ ?”

 

କେତେବେଳକେ ସୁକୁମାରୀ ହସିଲା, ଆଉ ଜବାବ ଦେଲା ସେମିତି ହସି–ହସି, “ବାହା ହୋଇପଡ଼ିଲେ କ’ଣ ସବୁ କଥା ମେଣ୍ଟିଯାଏ ? ଯଦି ମେଣ୍ଟି–ଯାଉଥାନ୍ତା ତେବେ ମୂଳରୁ ତୁମ ମନମୋହନବାବୁ ମୁରାଶାକୁ ବାହା ହୋଇପଡ଼ିଲେ ନାଇ ?”

 

“ମଣିଷ ବିପଦରେ ନପଡ଼ିଲେ ଶିକ୍ଷା କରେନାହିଁ ।” ବିଭୁପ୍ରସାଦ ହାଇ ମାରୁମାରୁ କହିଲା ।

 

ସୁକୁମାରୀ କିନ୍ତୁ ହାଇ ମାରୁନଥାଏ । ଶେଯରୁ ଦରଉଠା ହୋଇ ସେ ଟିକିଏ କାନ ପାତିଲା ଓ କଅଣ ଭାବି ମୁଣ୍ଡପାଖ ଟେବୁଲଉପରେ ଜଳୁଥିବା ଲଣ୍ଠନଟାକୁ ଟିକିଏ ଦାଗିଦେଲା ।

 

“କିଏ ?” –ବିଭୁପ୍ରସାଦ ତା’ର ସ୍ୱଭାବସିଦ୍ଧ ସ୍ଵରରେ ଥରେ ପଚାରିଦେଲା ଓ କିଛି ଉତ୍ତର ନ ପାଇ ହଠାତ୍ ଅନ୍ଧାରିଆ ହୋଇଯାଇଥିବା ଘରଭିତରର ଚାରିଆଡ଼କୁ କନକନ ହୋଇ ଚାହିଁଲା । ଟିକିଏ ବେଳ ଗଲା । ପୂର୍ବରୁ ଅଧା ରହିଥିବା କଥାର ଖିଅଧରି ପୁଣି ସେ କହିଲା, “ମଣିଷ ବିପଦରୁ ଶିଖେ । ମଣିଷ ଛଡ଼ା ଆଉ ଯେ ଶିକ୍ଷାକୁ କାନାଏ, ସେ ବି ମଣିଷଠୁଁ କିଛି କମ୍ ନୁହେଁ ସୁକୁମାରୀ ! ମନମୋହନ ଏଇଥିପେଇଁ ନଟବରଠୁଁ ଛୋଟ ନୁହେଁ ।”

 

ସୁକୁମାରୀ ଆଲୁଅକୁ ଭଲପାଏ । କିନ୍ତୁ ଅନ୍ଧାରରେ ତା’ ଦୃଷ୍ଟି ପ୍ରଖର ହୁଏ । ବିଭୁପ୍ରସାଦ କଥାର ପ୍ରତିବାଦ ନ କରି ସେ ଉଠିପଡ଼ିଲା ଓ ବିଭୁପ୍ରସାଦକୁ ହଲେଇଦେଇ କହିଲା–

 

“ଶୁଣ ! ମତେ ଲାଗୁଚି ନଟଭାଇ ବିପଦରେ ପଡ଼ିଛନ୍ତି !”

 

ନିଜେ ପଛେ କହୁଥିବ, କିନ୍ତୁ ସୁକୁମାରୀ ମୁହଁରୁ ସେଇ ନାଁଟା ଶୁଣିଲେ ବିଭୁପ୍ରସାଦର ଚିରଦିନ ଏଇ ଗୋଟିଏ ପ୍ରତିକ୍ରିୟା ହୁଏ–

 

“ପଡ଼ୁ ବିପଦରେ–ବଜ୍ଜାତ୍ କାହାଁକା ! ତୁମେ କେମିତି ଜାଣିଲ ? ଶୋଇପଡ଼ । ସବୁବେଳେ ନଟଭାଇ, ନଟଭାଇ ହୁଅନାଇଁ । ଭଲ ସ୍ତ୍ରୀର ଲକ୍ଷଣ ଏ ନୁହେଁ ।”

 

କିନ୍ତୁ ସୁକୁମାରୀ ତରବର ହୋଇ ଉଠିପଡ଼ିଲା ଓ ଦିହମୁଣ୍ଡର ଲୁଗାପଟା ସଜାଡ଼ି ପକେଇଲା ।

 

ମାତ୍ର ବିଭୁପ୍ରସାଦ ବୁଝିପାରୁନଥାଏ ସୁକୁମାରୀର ଏ ଅଯଥା ସତର୍କତାର କାରଣ । ଭୁସ୍ କରି ସେ ନିଜେ ଏଥର ଶେଯରୁ ଉଠିପଡ଼ିଲା ଓ ଅନ୍ଧାରକୁ ହାତ ବଢ଼େଇଦେଇ ଯାହାକୁ ଭିଡ଼ିଆଣିଲା, ସେଇଟା ସୁକୁମାରୀର ମୁଣ୍ଡର ସେଇ ବାଳ କେରାକ ।

 

ଠିକ୍ ସେତିକିବେଳେ ଝରକା ରେଲିଂ ପଛରେ କଏଦୀଖାନାର ରେଲିଂ ଭିତରୁ ଡାକିଲା ପରି ଅଧୀର ଚାପା ସ୍ଵରରେ ନଟବରର ମୁହଁ ବିଭୁପ୍ରସାଦକୁ ଡାକିଲା–

 

“ବିଭୁ ! ସୁକୁମାରୀ ! ଉଠ ! ଉଠ ! ଜଲଦି କବାଟ ଖୋଲ ।”

 

ବିଭୁପ୍ରସାଦ ସୁକୁମାରୀର ଚୁଟି ଛାଡ଼ିଦେଲା । ସୁକୁମାରୀ କବାଟ ପାଖକୁ ଦଉଡ଼ିଗଲା ଓ କିଳିଣୀ ଫିଟେଇଦେଲା ।

 

ନଟବର ଘରଭିତରକୁ ପଶିଆସିଲା–ସିଧା ବିଭୁପ୍ରସାଦ ପାଖକୁ । ତା’ର ଗୋଟାଏ ଡେଣାଧରି ବାହାରକୁ, ନୀରବନିଳୟର ଓଳିତଳ ଝାପ୍‍ସାଳିଆ ଜାଗାକୁ ଟାଣିନେଇ ଚୁପ୍ ଚୁପ୍ କହିଲା ତା’ କାନରେ, “ତାକୁ କିଛି ଜାଣେନା, ପାଟିତୁଣ୍ଡ କରନା, ପାଚେରି ଆରପାଖେ ଶତ୍ରୁ । ତୋପାଖରେ ଡେଟଲ୍ ବୋତଲ ଅଛି ? ଖଣ୍ଡେ ସଫା କନା ଆଉ ଡେଟଲ୍ ଚୁପ୍‍ଚାପ କାଢ଼ିଆଣ । ମୃରାଶାର ଅବସ୍ଥା ସାଂଘାତିକ ।”

 

ବିଭୁପ୍ରସାଦ ସ୍ତବ୍ଧ । ତାକୁ ପୁଣି ଗୋଟାଏ ଧକ୍କାମାରି ନଟବର କହିଲା, “ଡେରିକରନା । ଭୀଷଣ ବ୍ଲିଡ଼ିଂ । ମୁଁ ତାକୁ ସାଇକେଲ ପଛରେ ଘେନିଆସିବାକୁ ବାଧ୍ୟହେଲି । ଏ ସହରରେ କୌଣସି ରିକ୍ସାବାଲାଙ୍କୁ ମଧ୍ୟ ଭରସା ନାହିଁ । ଗତ ନିର୍ବାଚନରେ ଏ ସହର ତମାମ ରିକ୍ସାବାଲା ଭୋଟ୍ ଦେଇଛନ୍ତି ତାଙ୍କୁ । ସବୁ ସରକାରୀ ଡାକ୍ତର ତାଙ୍କ ହାତରେ । ବେସରକାରୀଙ୍କ ପାଇଁ ପଇସା ନାହିଁ ମୋ ପାଖେ । ଏସବୁ ଗୋଟାଏ ପାଖେ–ଅନ୍ୟପାଖେ ପୁଲିସ୍ ! ଗତ ପନ୍ଦରଦିନ ତାଙ୍କ ଆଖିରେ ଧୂଳିଦେଇ ବୁଲୁଥିଲି । ଆଜି ଟେର୍ ପାଇଗଲେ । ଯେଉଁ ପାଞ୍ଚଶ ଟଙ୍କା ତୁ ବହୁଦିନ ତଳେ ଦେଇଥିଲୁ, ସେଇଆକୁ ବଞ୍ଚେଇ ବଞ୍ଚେଇ ରଖିଥିଲି । କାମରେ ଆସିଗଲା । ସେଇଆକୁ ପକେଇଦେଲି ତାଙ୍କ ଆଗକୁ ସେମାନେ ମୁହୂର୍ତ୍ତେ ଆଖି ବୁଜିଦେଲେ । ଏଇ ଅବସରରେ ମୁଁ ତାକୁ ଲୁଚେଇଦେଇ ଆସିଛି ଗୋଟାଏ ଶୁଖିଲା ନାଳ ଶଙ୍ଖତଳେ । ଜଲ୍‍ଦି କର ଟିକିଏ–ଡେଟଲ୍ ଆଉ କନା... ।”

 

ମୂର୍ଖଙ୍କ ପରି ବିଭୁପ୍ରସାଦ ତଥାପି ଆଁକରି ଠିଆ ହୋଇଥାଏ । ନଟବର ବିଭୁପ୍ରସାଦର ସ୍ଥାଣୁତ୍ଵକୁ ଆଉ ମୁହୂର୍ତ୍ତେ ବରଦାସ୍ତ ନ କରି ଘରଆଡ଼କୁ ଦଉଡ଼ିଗଲା । ପିଣ୍ଡାଉପରେ ସୁକୁମାରୀ ଠିଆ ହୋଇଥାଏ । ନଟବର ନିଃସହାୟ ହୋଇ ତାରି ଆଶ୍ରୟ ନେଇଗଲା । ଆଉ କିଛି ନ ଲୁଚେଇ କହିଲା, “ଡେଟଲ୍ ଅଛି ? କନା ଅଛି ? ଗରମ ପାଣି ଟିକିଏ ଝଅଟ ବସା ତ ! ଗରମ ଦୁଧ ମିଳିବ-? ତତେ ଡେଲିଭରି କରେଇଆସେ ?”

 

ସୁକୁମାରୀ ସବୁ ଆସେ । ସବୁ ଜଣା ତାକୁ ।

 

ମୁହୂର୍ତ୍ତେ ଲାଗିଲାନାଇ ସବୁ ସଜାଡ଼ିଦବାକୁ–ଡେଟଲ୍, ଗରମ ପାଣି, ସାବୁନ, ସଫାକନା.... ।

 

ଆର ମୁହୂର୍ତ୍ତରେ ନଟବର ବାହାରିପଡ଼ିଲା । ଏକା ନୁହେଁ, ପଛେ ପଛେ ସୁକୁମାରୀ ।

 

ବିଭୁତିପ୍ରସାଦ କଅଣ ଭାବିଲା । ନଟବରର ଆଗ ବୁଲିପଡ଼ି ପଚାରିଲା–“ସୁକୁମାରୀ ବି ଯାଉଚି ?”

 

ନଟବର ବୁଝିପାରେ–ଏଇସବୁ ମୁହୂର୍ତ୍ତରେ ବିଭୁପ୍ରସାଦର ମନଭିତରେ କଅଣ ସବୁ ଚାଲେ, ସେ ଜାଣେ । ଜାଣେ ବି–କୋଉ ମନ୍ତ୍ରରେ ଏ ସାପ ପୁଣି ଫଣାକୁ ନୁଆଁଇଦିଏ । କହିଲା–

 

“ଓଲୁ ବୁର୍ଜୁଆ କାହାଁକା ! ପରିସ୍ଥିତିର ଗୁରୁତ୍ୱ କେବେ ବୁଝିବୁ ଆଉ ! ବ୍ଲିଡିଂ ହେଇ ସେ ଦରମଲା ହେଲାଣି । ପଚାରୁଚି–ସୁକୁମାରୀ ବି ଯାଉଚି ? ସୁକୁମାରୀ କଅଣ ଏକା ତୋର ?”

 

ବିଭୁପ୍ରସାଦର ହାତ ତଳକୁ ଖସିପଡ଼ିଲା ।

 

ଆଗେ ଆଗେ ନଟବର; ପଛେ ପଛେ ସୁକୁମାରୀ । ଅନ୍ଧାରଆଡ଼କୁ ସେ ଦୁହେଁ ମୁହେଁଇଗଲେ । ନୀରବନିଳୟ ପିଣ୍ଡାରେ କଣ୍ଟ୍ରାକଟର୍ ଘରର ଆଲୁଅ ପଡ଼ିଥାଏ–ଯାହାକୁ ବିଭୁପ୍ରସାଦ କହେ ରାଷ୍ଟ୍ରର ଆଲୁଅ ।

 

ନଟବର ଦି ତିନିଖେପା ଯାଇ ପୁଣିଥରେ ପଛେଇଆସିଲା । ବିଭୁପ୍ରସାଦକୁ ପୁଣିଥରେ ନିକଟକୁ ଟାଣିନେଇ ତା’ କାନରେ ସେ କହିଦେଇ ଗଲା–“ତୁ ଘରେ ରହ । ପୁଲିସ ଆସିପାରେ । ତତେ ଘରେ ନ ପାଇ ସନ୍ଦେହ କରିପାରେ । ତା’ ଛଡ଼ା ଡେଲିଭରି କାମ ତୋଦ୍ୱାରା ହବନାଇଁ କି ମୋଦ୍ୱାରା ହବନାଇଁ । ଏଥିପାଇଁ ସ୍ତ୍ରୀଲୋକ ଦରକାର । ସୁକୁମାରୀ ଯାଉ । ଘଣ୍ଟାଏ ପରେ ଆଣି ମୁଁ ନିଜେ ଛାଡ଼ିଦେଇ ଯିବି । ବ୍ୟସ୍ତ ହ ନା ।”

 

ନୀରବିନିଳୟର ହାତର ଖଣ୍ଡିଏ ପଥରଉପରେ ରାତିର ଅବଶିଷ୍ଟାଂଶ କଟେଇଦେଲା ବିଭୁପ୍ରସାଦ । ଘଣ୍ଟାଏ ଗଲା, ଦି ଘଣ୍ଟା ଗଲା, ରାତି ବିତିଗଲା, ତାପରଦିନ ବିତିଗଲା ଓ ପୁଣି ରାତି ଆସିଲା । କିନ୍ତୁ ସୁକୁମାରୀ ଆଉ ଫେରିଲାନାହିଁ । ସବୁଦିନେ ସକାଳୁ ଉଠି ଲାବୋରେଟୋରି ଯିବା ସେତେବେଳକୁ ଗୋଟେ ଅଭ୍ୟାସରେ ପରିଣତ ହୋଇଯାଇଥାଏ ବିଭୁପ୍ରସାଦର । ସେଦିନ ସକାଳୁ ସେ ତାହାହିଁ କଲା । ରାତିରେ ହୁଏତ ସେ ସେଇ ଲାବୋରିଟୋରିରେ ବି ଶୋଇପଡ଼ିଥାନ୍ତା । କିନ୍ତୁ ତାକୁ ଲାଗିଲା କାଳେ ସୁକୁମାରୀ ଫେରିଆସି ବସିଥିବ ଦୁଆରବନ୍ଧରେ; କିନ୍ତୁ ଫେରିଆସି ସେ ଦେଖେ–କେହି ନାହିଁ । ନୀରବନିଳୟ ଖାଲି; ଆଉ ଖାଁ–ଖାଁ ।

 

ଚଉଦ

 

ସକାଳ ପହରୁ ଗୋଟାଏ ଦମାକ୍ ଦମାକ୍ ଶବ୍ଦ ସାରା ଗାଁ କମ୍ପାଉଥାଏ ସେଦିନ । ବ୍ୟାକରଣ ଶାସ୍ତ୍ରରେ ଶବ୍ଦ ଆଉ ପଦ ମଧ୍ୟରେ ଯେତିକି ପାର୍ଥକ୍ୟ–ସହରର କୋଳାହଳ ଓ ଗ୍ରାମର କୋଳାହଳରେ ମଧ୍ୟ ସେତିକି ପାର୍ଥକ୍ୟ ଥାଏ । ଏହି କାରଣରୁ ଗତ କେଇଦିନ ହେବ, ଭୋରଭୋରରୁ “ଊର୍ଣ୍ଣନାଭ ଆଶ୍ରମରୁ” ଯେଉଁ ହେମଦସ୍ତା ପାହାର ଗାଁର ଏମୁଣ୍ଡ ସେମୁଣ୍ଡ ବ୍ୟାପିଯାଏ, ଲୋକେ ସେ ଶବ୍ଦକୁ କାନାନ୍ତି ଆଉ କିଏ କେତେପ୍ରକାର ଅର୍ଥ କରନ୍ତି । ଅନର୍ଥ ବି କରନ୍ତି । କିନ୍ତୁ କଥାଟା ମୋଟାମୋଟି ବୁଝାପଡ଼େ, ଯାହା ନ ବୁଝାପଡ଼େ ଲୋକେ ‘‘ଊର୍ଣ୍ଣନାଭ ଆଶ୍ରମ’’କୁ ଆସି ବୁଝିଯାନ୍ତି । ବୁଝିସାରି ସମସ୍ତେ ଯେ ମୁଣ୍ଡଟୁଙ୍ଗାରି ପ୍ରଶଂସା କରନ୍ତି ତା’ ନୁହେଁ; କେତେକ ହସନ୍ତି । କେତେକ କାହିଁକି ? ବେଶୀଭାଗ ହସନ୍ତି । କାରଣ ବେଶୀଭାଗ ହଉଚନ୍ତି ଯୁବକ, ଯେଉଁମାନେ ବୁଝିଲେ ବି ହସନ୍ତି ନ ବୁଝିଲେ ବି ହସନ୍ତି । କିନ୍ତୁ ସହରରେ ଏ ହସଟି ନଥାଏ-। ତେଣୁ ସେଠାରେ ବୁଝିବା ନ ବୁଝିବା ସମାନ ହେଲେ ବି ସେଠାକାର ଉଦ୍ୟମ ଏଠାକାର ଉଦ୍ୟମପରି ଏତେ ଉତ୍ସାହପ୍ରଦ ନୁହେଁ । ‘‘ଊର୍ଣ୍ଣନାଭ ଆଶ୍ରମ’’ର ହେମଦସ୍ତାରୁ ସେହି ଉତ୍ସାହ ଆଜି ଗାଁରେ ବିକିରିତ ହେଉଥାଏ ।

 

ଏଇ ଶବ୍ଦକୁ ଏକପ୍ରକାର ଆଶ୍ରୟ କରି ସେଦିନ ଲାଙ୍ଗୁଳାଏ ଦାଣ୍ଡପିଣ୍ଡାରେ ବସି ତାଙ୍କର ସ୍ୱାମୀ–ପରିତ୍ୟକ୍ତା ଦରବୁଢ଼ୀ ଝିଅକୁ ଆଶ୍ୱାସୁଥାନ୍ତି, “କାନ୍ଦନା ମା’ ! ସୁଖର ଦିନ ପୁଣି ଫେରିବ । ଜୋଇଁ ତାଙ୍କର ଭୁଲ୍ ଅତିଶୀଘ୍ର ବୁଝିବେ । ସେ ତ କିଛି ପିଲାନୁହଁନ୍ତି ! ପୁଅ ବିଦେଶରେ ପଢ଼ୁଚି, ଝିଅ ଏମ୍. ଏ. ପରୀକ୍ଷା ଦବ । ଏମାନଙ୍କ ମମତା ଛାଡ଼ି ସେ କଅଣ ବେଶୀଦିନ ମାତିପାରିବେ ତାଙ୍କ ନିଜ ସଉକରେ ? ତା’ ଛଡ଼ା ଏ ଅଣ୍ଡାଟା–କୋଉ ବାପ ଏଡ଼େଟିକେ, ଏଡ଼େ କଉତୁକିଆ ପିଲାକୁ ଛାଡ଼ି ମଦମାତ୍ସର୍ଯ୍ୟରେ ବୁଡ଼େଇଦବ ନିଜକୁ ? କିଛି ଅପାଠୁଆ ମଣିଷ ତ ନୁହଁନ୍ତି !”

 

ତେଣେ ଗାଁର ଆଉ ଗୋଟିଏ ଅଂଶରେ ଯୁବକମାନଙ୍କୁ ଉତ୍ସାହବାଣୀ ଶୁଣୋଉଥାନ୍ତି ଗ୍ରାମପଞ୍ଚାୟତର ନୂତନ ନେତା–ବାରବର୍ଷିଆଏ । ସେ ସଦ୍ୟ ରାଜଧାନୀରୁ ଫେରିଥାନ୍ତି ଓ ନିର୍ବାଚନ ପରେ ପ୍ରତିଷ୍ଠିତ ନୂଆ ସରକାରର ଆଶାବାଣୀ ପ୍ରଚାର କରି ସେ କହୁଥାନ୍ତି–“ବେକାର ସମସ୍ୟା ଏ ଦେଶରେ ଆଉ ରହିବ ନାହିଁ । ଘରପାଖେ ତୁମର ବନ୍ଦର ପ୍ରତିଷ୍ଠା ହେଉଚି । ଦେଖୁଚ ତ କେତେ ଟ୍ରକ୍ ଟ୍ରାକ୍ଟର ଛୁଟୁଚି ? ବନ୍ଦର ଇଲାକାରେ ନିର୍ମାଣ ଯୋଜନା ତ ବୁଢ଼ିଆଣୀ ବସାପରି ମେଲିଗଲାଣି-। ରାସ୍ତା, ଘାଟ, ପୋଲଠୁଁ ଆରମ୍ଭ କରି ନାନାପ୍ରକାର ଶିଳ୍ପ, ହୋଟେଲମୋଟେଲ୍ ସବୁ ଖୋଲିଯିବ । ବିଦେଶୀ ଜାହାଜ ଲାଗିବ । ତୁମ ଜାହାଜ ବି ଲାଗିବ ବିଦେଶରେ । ବର୍ଷ ପାଞ୍ଚଦଶଟାର ବ୍ୟବଧାନ-। ଏତେ ଡେରିପର୍ଯ୍ୟନ୍ତ ତୁମକୁ କିନ୍ତୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଗ୍ରାମପଞ୍ଚାୟତର ପରିକଳ୍ପନା ଏଇ ଆଶୁ ସମାଧାନକୁ ଲକ୍ଷ୍ୟକରି ପ୍ରସ୍ତୁତ କରାଯାଇଛି । ମୁଁ ବ୍ୟବସ୍ଥା କରିଦେଇ ଆସିଚି–ଗାଁ’ପାଖରେ ଯାବତୀୟ ସଡ଼କ, ପୋଲ, ସରକାରୀ ଘର ପ୍ରଭୃତିର ନିର୍ମାଣ କାର୍ଯ୍ୟ ଏଇ ଗାଁର ବେକାର ଓ ଅର୍ଦ୍ଧବେକାର ଶ୍ରମିକ ପାଇବେ । ୟା’ ଛଡ଼ା ଅଛି ଗ୍ରାମାଞ୍ଚଳ ଶିଳ୍ପ ଯୋଜନା-। ବିଶେଷଜ୍ଞମାନେ ଅତିଶୀଘ୍ର ଆସି ପହଞ୍ଚିବେ । ଦେଖ, କଅଣ ହଉଚି !”

 

କିନ୍ତୁ ଏଣେ, ଶବ୍ଦର ପ୍ରସ୍ତୁତିସ୍ଥାନ ‘‘ଊର୍ଣ୍ଣନାଭ ଆଶ୍ରମ’’ରେ ଭବାନୀପ୍ରସାଦ ନିଜ ହାତର ହେମଦସ୍ତା ନାଦରେ ନିଜେ ଉଦ୍‍ବୁଦ୍ଧ ହୋଇ ଲାଗିପଡ଼ିଥାନ୍ତି–ହାତେ ହାତେ କୁକୁଡ଼ା ଖାଦ୍ୟ ପ୍ରସ୍ତୁତିରେ । ତାଙ୍କର ସମସ୍ୟାଟି ଏହିପରି–

 

ସ୍ଥାନୀୟ ପଶୁଡାକ୍ତରଙ୍କ ଜରିଆରେ ସେ ପ୍ରଥମ ପ୍ରଥମରୁ କୁକୁଡ଼ା ଖାଦ୍ୟ ସହରରୁ ମଗଉଥିଲେ । ଏ ଖାଦ୍ୟ ସରକାରୀ ମିଲ୍ ତିଆରି । ବିଶେଷଜ୍ଞଙ୍କ ହାତ ୟା ପଛରେ ଥାଏ । ତେଣୁ ଭବାନୀପ୍ରସାଦ ସାମାନ୍ୟ ଅଧିକ ଖର୍ଚ୍ଚାନ୍ତ ହେଲେ ବି ପ୍ରଥମେ ପ୍ରଥମେ ଏଇ ବିଶେଷଜ୍ଞ ତିଆରି କୁକୁଡ଼ା ଖାଦ୍ୟ ସହରରୁ ମଗାଇ ନିଜ କୁକୁଡ଼ାମାନଙ୍କୁ ଖୁଆଉଥିଲେ । କିନ୍ତୁ ଅନୁଭୂତିରୁ ଅତିଶୀଘ୍ର ସେ ବୁଝିପାରିଲେ ଯେ, ଏ ଖାଦ୍ୟଉପରେ ନିର୍ଭର କରିହେବ ନାହିଁ । କାରଣ ଏ ଖାଦ୍ୟ ଖୁଆଇବା ପରଠୁଁ କୁକୁଡ଼ାମାନେ କ୍ରମଶଃ ଦୁର୍ବଳ ହୋଇପଡ଼ିଲେ ଓ ଅଣ୍ଡା କମେଇଦେଲେ । ତତ୍‍କ୍ଷଣାତ୍ ଏ ପ୍ରତିକ୍ରିୟା ଧକ୍କା ଖାଇଲା–ଅନିରୁଦ୍ଧର ପଢ଼ାଖର୍ଚ୍ଚ ଉପରେ । ଦରଦାମ ବୃଦ୍ଧିହେତୁ ତା’ର ମାସକୁ ପାଞ୍ଚଟଙ୍କା ଅଧିକ ଖର୍ଚ୍ଚ ବଢ଼ିଥାଏ । ତାକୁ ତୁଲେଇବାପେଇଁ ଆହୁରି କିଛି ନୂଆ କୁକୁଡ଼ା ଯୋଗକରିଥାନ୍ତି ସେ ଇତିମଧ୍ୟରେ–ମୂଳ ସହିତ । ତଥାପି ଅଣ୍ଡା ସଂଖ୍ୟା ପୂର୍ବଠୁଁ କମିଗଲା । ଉପଦେଶ ପାଇଁ ଭବାନୀପ୍ରସାଦ ଦଉଡ଼ିଲେ–ପଶୁଡାକ୍ତରଙ୍କ ପାଖକୁ । ଏ ମଧ୍ୟରେ ପଶୁଡାକ୍ତରଙ୍କ ସହିତ ତାଙ୍କର ଆନ୍ତରିକତା ଆସିଯାଇଥିଲା । ଭବାନୀପ୍ରସାଦଙ୍କଠୁଁ ସବୁ ଶୁଣି ଡାକ୍ତର ହସିଲେ ଓ ପୁଣି ଗମ୍ଭିରି ହୋଇଯାଇ କହିଲେ, “ଆଜିକାଲି ଯାହା ହେଲାଣି, ସେଥିରେ ପରଉପରେ ନିର୍ଭର ନ କରିବା ଭଲ । ମୁଁ ଆପଣଙ୍କୁ ଆଦର୍ଶ କୁକୁଡ଼ା ଖାଦ୍ୟର ଉପକରଣ ତାଲିକା କରିଦଉଚି । ନିଜ କୁକୁଡ଼ାଙ୍କ ଖାଦ୍ୟ ନିଜେ ତିଆରି କରନ୍ତୁ ।

 

ଭବାନୀପ୍ରସାଦ ବୁଝିପାରିଲେ–ପଶୁଡାକ୍ତରଙ୍କ ଉପଦେଶ । ଦୁଃଖିତ ହେଲେ ସେ । ରାଷ୍ଟ୍ର ଆଉ ବିଶେଷଜ୍ଞ ତିଆରି ଜିନିଷ ଥାଉଥାଉ, ପୁଣି ବ୍ୟକ୍ତିଗତ ପ୍ରଚେଷ୍ଟାରେ ଜିନିଷ ଉତ୍ପାଦନର ଅନିବାର୍ଯ୍ୟ ଆବଶ୍ୟକତା ତାଙ୍କ ମତ ବିରୁଦ୍ଧ ନହେଲେ ମଧ୍ୟ ସେ ଦୁଃଖ କରି ଡାକ୍ତରଙ୍କୁ କହିଲେ, “ଯଦି ରାଷ୍ଟ୍ର ଆଉ ବିଶେଷଜ୍ଞଙ୍କୁ ମଣିଷ ଅବିଶ୍ୱାସ କରିବ, ତେବେ ତ ଚଳିହେବନାଇଁ ଆଦୌ ?”

 

“କାହିଁକି ?” ଡାକ୍ତର ହସି ହସି ପଚାରିଲେ, “ଆପଣ ପରା ‘‘ଊର୍ଣ୍ଣନାଭ ଆଶ୍ରମ’’ ପ୍ରତିଷ୍ଠା କରିଛନ୍ତି ସ୍ୱାବଲମ୍ବନ ପାଇଁ ?”

 

ଡାକ୍ତରଙ୍କ ପ୍ରଥମ ମନ୍ତବ୍ୟ ପରି ଦ୍ଵିତୀୟ ମନ୍ତବ୍ୟଟି ମଧ୍ୟ ଭବାନୀପ୍ରସାଦ ବୁଝିଲେ । ଆହୁରି ଦୁଃଖିତ ହେଲେ । କାରଣ ଗତ କେତେଦିନ ହବ ଲୋକେ ତାଙ୍କର ଆତ୍ମନିର୍ଭରଶୀଳ ପ୍ରଚେଷ୍ଟାକୁ ଏମିତି ଭୁଲ୍ ବୁଝି ପରିହାସ କରିବା କଥା ସେ ଜାଣନ୍ତି । ‘‘ଊର୍ଣ୍ଣନାଭ ଆଶ୍ରମ’’ର ସ୍ୱାବଲମ୍ବନକୁ ଥୋକେ ଆପଣା ସ୍ୱାର୍ଥ ବୋଲି ବିଚାରୁଛନ୍ତି ତ ଆଉ ଥୋକେ ଆଶ୍ରମର ସ୍ଵାତନ୍ତ୍ର୍ୟକୁ ବୃହତ୍ତର ଗ୍ରାମ୍ୟସ୍ଵାର୍ଥର ବିରୋଧୀ ବୋଲି ବିଚାରୁଛନ୍ତି । କେହି କେହି କଲେଜ–ପଢ଼ୁଆ ଗାଁ ଟୋକା ‘‘ଊର୍ଣ୍ଣନାଭ ଆଶ୍ରମ’’କୁ ବିରକ୍ତିରେ ରାଷ୍ଟ୍ରଭିତରେ ରାଷ୍ଟ୍ର ବୋଲି କହିଥାନ୍ତି । ଅନ୍ୟ ଯେ ଯାହା କହୁପଛେ ନିଜ ପୁଅ ଅନିରୁଦ୍ଧର ମତ ବି ସେଇଆ । ଯେଉଁ ସ୍ଵାବଲମ୍ବୀ ଅର୍ଥନୈତିକ ସଂସ୍ଥାଟିର ମୂଳ ଲକ୍ଷ୍ୟହେଲା–ଏଇ ପିଲାଟିକୁ ପାଦବାଟେ ମାଟିରୁ ସିଧାସଳଖ ରସ ପିଏଇ, ସ୍ୱାଧୀନତାର ମିଠା ରସରେ ରଞ୍ଜିତ ଚିନ୍ତାକୁ ମୁଣ୍ଡରୁ ଆଖୁଫୁଲପରି ଉଡ଼େଇବା, ସେଇଆକୁ ପୁଣି ସେ ବିରୋଧ କରେ; ପରିହାସ କରେ ।

 

ଭବାନୀପ୍ରସାଦ ଡାକ୍ତରଙ୍କଠୁଁ ଖାଦ୍ୟ ତାଲିକାଟି ନେଇ ଫେରିଆସିଲେ । ଉପକରଣମାନ ସଂଗ୍ରହ କଲେ । ସବୁ ସରଞ୍ଜାମ ଅବଶ୍ୟ ଆଶ୍ରମର ଚାରିକୋଣରୁ ମିଳିଲା ନାହିଁ । କାରଣ ତାଲିକା ଅନୁଯାୟୀ କୁଣ୍ଡା, ଦାନା, ଚୋକଡ଼ ପ୍ରଭୃତି ବ୍ୟତୀତ ଶୁଖୁଆ, ହାଡ଼ଗୁଣ୍ଡ ପ୍ରଭୃତି ଆହୁରି କେତେକ ପଦାର୍ଥ ଆଦର୍ଶ କୁକୁଡ଼ା ଖାଦ୍ୟରେ ଅତ୍ୟାବଶ୍ୟକୀୟ ଅଂଶ । ଗ୍ରାମାଞ୍ଚଳରେ ଶୁଖୁଆ ମିଳିବା କଷ୍ଟକର ନୁହେଁ । କିନ୍ତୁ ଏଥିପାଇଁ କେଉଟଉପରେ ନିର୍ଭର କରିବାକୁ ହିଁ ପଡ଼ିବ । ସେମିତି ହାଡ଼ଗୁଣ୍ଡା । ବଜାରରୁ ମେସିନ୍ ତିଆରି “ବୋନମିଲ୍” ଘିନିଆସିଥିଲେ ଚଳିଥାନ୍ତା । କିନ୍ତୁ ଭବାନୀପ୍ରସାଦଙ୍କର ଆଉ ବିଶ୍ୱାସ ନ ଥାଏ ମେସିନ୍ ତିଆରି ଜିନିଷ ଉପରେ; ବିଶେଷତଃ ମେସିନତିଆରି ଖାଦ୍ୟ ଜିନିଷ ଉପରେ । ତେଣୁ ହାଡ଼ଗୁଣ୍ଡପେଇଁ ସେ ନିର୍ଭର କଲେ ଗାଁର ଆଦିମ ସେଇ ଘରେ ଦି ଘରେ “ହାଡ଼ି”ମାନଙ୍କ ଉପରେ ।

 

ବିଲ ପଞ୍ଜରାରୁ, ଗୋରୁହାଡ଼, ଚମ, ଶିଙ୍ଗ ପ୍ରଭୃତି ସଂଗ୍ରହ କରି ସହରର ବ୍ୟବସାୟୀମାନଙ୍କୁ ଯୋଗେଇଦିଅନ୍ତି ଏମାନେ । ତା’ଛଡ଼ା ଗାଁର ପର୍ବ–ପର୍ବାଣୀରେ, ଯାନିଯାତ୍ରାରେ ଢୋଲ ପେଁକାଳୀ ବଜାଇ କିଛି କିଛି ରୋଜଗାର କରି ପୂର୍ବକାଳରୁ ଚଳିଆସୁଥିଲେ ଏମାନେ । ଭବାନୀପ୍ରସାଦ ଚାଲିଲେ ସେଆଡ଼େ–ଗାଠୁଁ ଟିକେ ଦୂର ଗୋଟିଏ ଦଣ୍ଡାରେ ପଲାମାରି ରହିଥିବା ହାଡ଼ି–ଘରଆଡ଼େ । ବୁଢ଼ା ମାନବା ହାଡ଼ି–ତା ନାଁ “ମାନବ” ବୋଲି କେଉଁ ଚେତନାରୁ କିଏ ଦେଇଥିଲା କେଜାଣି, ଭବାନୀପ୍ରସାଦ ସେ ନାଁ ସହିତ ସେଇ ମଣିଷକୁ ଯେତେବେଳେ ଦେଖନ୍ତି, ଏଇ ନାମକରଣ ତାତ୍ପର୍ଯ୍ୟ ଚିନ୍ତା କରି ବିସ୍ମିତ ହୁଅନ୍ତି ଓ ଏହି ବିସ୍ମୟରୁ ଲୋକଟିକୁ ଭଲପାନ୍ତି ମଧ୍ୟ–ସେଇ ବସିଥିଲା ତା’ ପଲା ଦୁଆରମୁହଁରେ । ମାନବା–ବୁଢ଼ା; କିନ୍ତୁ ଦୃଷ୍ଟିଶକ୍ତି ପ୍ରଖର । ଦୂରରୁ ଭବାନୀପ୍ରସାଦଙ୍କୁ ଦେଖିପକେଇ ଉଠିଆସିଲା । ଓଳଗିହୋଇ ହସିଲା । ଭବାନୀପ୍ରସାଦ ବୁଝିଲେ ସେ ହସର ତାତ୍ପର୍ଯ୍ୟ । କାରଣ ମାନବା ବୁଢ଼ା ହେଲେ ବି ଖୁବ୍ ଯୋଗାଡ଼ି ଓ ଖବର ରଖିଲାବାଲା ଲୋକଖଣ୍ଡେ । ତା’ କାନରେ ବାଜିଯାଇଥିଲା–ଭବାନୀପ୍ରସାଦଙ୍କ ପୁଅର ହାଡ଼ିଝିଅ ବାହାହବା କଥା-। ତାଛଡ଼ା ତଳହଟିର ମହିଆ ହାଡ଼ି, ଯେ ଜାହାଜରେ କାମ କରେ, ମାନବା ତାକୁ ମଧ୍ୟ ଜାଣେ-। କୋଉ ସୂତ୍ର ଯୋଡ଼ି ପ୍ରମାଣ କରିଥାଏ ସେ ଯେ ମହିଆ ମାନବାର ମଧୁର ସମ୍ପର୍କ । ଭବାନୀପ୍ରସାଦଙ୍କୁ ଦେଖୁ ଦେଖୁ ମାନବାର ମନେପଡ଼ିଗଲା ଏଇ ସମ୍ପର୍କ-। ମୁହଁରେ କହିଲା ନାହିଁ ସେ କଥା । କାରଣ ଭବାନୀପ୍ରସାଦ ତା’ ଆଖିରେ ତଥାପି ଉଚ୍ଚକୁଳସମ୍ଭୂତ–ଜମିଦାର ବା ବାବୁ-। ଖାଲି ହସରେ ହସରେ ଉଭୟ ସମ୍ୱନ୍ଧକୁ ଧରି–ଧରିକା ମାନବା କହିଲା–

 

“ଏତେଦିନକେ ବାବୁଙ୍କର ପାଦ ଏଣିକି ମୋହିଲା ? ଭାଗ୍ୟ କହିବ ସିନା ୟାକୁ । କଅଣ ବୋଲିବା ହେବେ ବୋଲନ୍ତୁ । ପୁଅମାନଙ୍କର ସବୁ କୁଶଳ ତ ?”

 

ଭବାନୀପ୍ରସାଦ ମାନବାର ପୁରାତନ ମୁହଁକୁ ଚାହିଁବେ କି ନ ଚାହିଁବେ ଥୟ କରୁ କରୁ କହିଲେ–

 

“ଆରେ, ସେଇ ପୁଅମାନଙ୍କ ପାଇଁ ତ ଏତେ ନାଟ । ଆଉ କଥା କ’ଣ କି ? ଆସିଥିଲି ଗୋଟାଏ କାମରେ । ହାଡ଼ଗୁଣ୍ଡ କିଛି ଦରକାରପଡ଼ିଲା । ବଜାରରେ ଏ ଜିନିଷ ମିଳୁଚି ଯେ, ହେଲେ ବଜାର ଜିନିଷକୁ ଆଉ ବିଶ୍ୱାସ ନାଇଁ । କହୁଛନ୍ତି ହାଡ଼ଗୁଣ୍ଡ, ହେଲେ ବଜାରିଏ ଦଉଚନ୍ତି ପଥରଗୁଣ୍ଡ-। ମିସିନି ତ ବଇଚି–ଯାହା ପାଇଲା ଚୂନା କଲା । ମିସିନିକୁ ଛାଡ଼ି ମଣିଷକୁ ନ ଧଇଲେ ଗତି ନାଇଁ-। ଆସିଥିଲି ସେଇଥିପାଇଁ ।”

 

ଭବାନୀପ୍ରସାଦ ଇତିମଧ୍ୟରେ ମାନବା ମୁହଁକୁ ସିଧାସଳଖ ଚାହିଁସାରିଥିଲେ । ବିଶେଷତଃ ଯେତେବେଳେ ତାଙ୍କ ପାଟିରୁ ବାହାରିପଡ଼ିଲା–ମଣିଷକୁ ନ ଧଇଲେ ଗତି ନାହିଁ–ସେତିକିବେଳେ ।

 

ମାନବା ହସିଲା । ଭବାନୀପ୍ରସାଦ ମୁହଁ ବୁଲେଇନେଲେ । ମାନବାର ପଛପଟେ ତା’ ପୁରୁଣା ପିଲା ଓ ଇତିମଧ୍ୟରେ ଜମିଯାଇଥିବା କେତୋଟି ପିଲାଙ୍କୁ ଅନଉ ଅନଉ ଭବାନୀପ୍ରସାଦ ମାନବାର ସେଇ ପୁରୁଣା ମୁହଁକୁ ଓ ମୁହଁର ହସକୁ ଦେଖୁଦେଖୁ ମୂଳ ବିସ୍ମୟରେ ପଡ଼ିଯାଇ ଭାବିବସିଲେ ସେଇ ପୁରୁଣା କଥା–କେଉଁ ଚେତନାରୁ କିଏ ଦେଇଥିଲା ଏ ନାଁଟା–ମାନବ ?

 

ମାନବା ତା’ ମାପରେ ହସିହସିକା ଭବାନୀପ୍ରସାଦଙ୍କ ମୁହଁକୁ ଚାହିଁଥାଏ । ଏଣିକି ତେଣିକି ଚାହିଁବା ଦରକାର ନଥାଏ ତା’ର । ମନହଉଥାଏ ତା’ର–ପଟି ଖଣ୍ଡିଏ ଆଣି ପକେଇଦିଅନ୍ତା, ବନ୍ଧୁଲୋକ ବସନ୍ତେ । କିନ୍ତୁ ପୁଣି କେତେ କଥା ଥାଏ ସେଥିରେ । ପଟିକଥା ନ ଭାବି ମାନବା ହାଡ଼କଥା ପକେଇଲା, ଆଉ ପଚାରିଲା–

 

“ହାଡ଼ଗୁଣ୍ଡ କଅଣ ହବ ମ ! ଗଛରେ ଦବ ?”

 

“ଗଛ ନୁହଁ ଆଉ କ’ଣ ? ଭବାନୀପ୍ରସାଦ ମାନବାର ଦ୍ୱିତୀୟ ବାକ୍ୟରେ, ଆଉଥରେ ଚାହିଁଲେ ନିକଟେଇ କରି ତା’ ମୁହଁକୁ । ତାପରେ ନିଜ ପ୍ରଶ୍ନର ଉତ୍ତରଦେଇ କହିଲେ,” ମଣିଷ ଆଉ ଗଛ, ଫରକ୍ କ’ଣ ? ମାଟିରୁ ରସ ନ ଶୋଷିଲେ ମୁଣ୍ଡରୁ ଫୁଲ ବାହାରିବ ? ପୁଅ ପାଠ ପଢ଼ିବେ । ଆମବେଳେ ଆମେ ନିଜେ ରୋଜଗାର କରୁଥିଲୁ, ପଢ଼ୁଥିଲୁ । ଏବେ ପିଲାଏ ବିଦ୍ୟା ପଢ଼ିଲେ ଯେ, ମାସ ଶେଷକୁ ପାଞ୍ଚଟଙ୍କା ନିଅଣ୍ଟ ହେଲେ ମୁଣ୍ଡକୁ ଚିନ୍ତା ଘାରିଲା । ଆଉ ସେ ବିଦ୍ୟା ଏମିତି ଯେ ପାଦେ ହୁଡ଼ିଲେ ବର୍ଷେ । ପାଠ ଯାହା, ଚାଷ ତଦ୍ରୂପ । ମଣିଷ ଯାହା, ଗଛ ସେଇଆ ।”

 

ମାନବା ତଥାପି ହାଡ଼ଗୁଣ୍ଡର ଆବଶ୍ୟକତା ବୁଝିପାରିଲା ନାହିଁ । ପାଠ ସହିତ ହାଡ଼ଗୁଣ୍ଡର ସମ୍ପର୍କ ଧରିନପାରି ଟିକିଏ ଆଚମ୍ବିତ ହୋଇ ଚାହିଁଲା । ଭବାନୀପ୍ରସାଦ ବୁଝିପାରିଲେ । ସମ୍ପର୍କଟାକୁ ସୂକ୍ଷ୍ମରେ ବ୍ୟାଖ୍ୟା ନ କରି ସ୍ଥୂଳରେ ବୁଝାଇଦେଲେ ଓ ତା’ ସାଙ୍ଗେ କହିଲେ–

 

“ଅସଲ କଥାଟା ହେଲା–ଦିଇଟା । ବିଦ୍ୟା ଆଉ ଧନ । ପୂର୍ବେ ଖାଲି ବିଦ୍ୟା ଥିଲା; ଏବେ ଧନ ମିଶିଲା ସେଥିରେ । ଯେତେ ଅସୁନ୍ଦର ହଉ ଆଗକାଳେ ବିଦ୍ୟା ତାକୁ ସୁନ୍ଦର କରିଦେଉଥିଲା । ଏବେ ଧନ ବି ସେ କଥା କରିପାରିଲାଣି । ହେଲେ ଏବକୁ ଧନର ଥାନ ଉଚ୍ଚରେ-। କାରଣ ବିଦ୍ୟାକୁ ବି କିଣିବାପାଇଁ ଧନ ଦରକାର । ପ୍ରଚୁର ଧନ ଦରକାର । କୁକୁଡ଼ା ପୁଞ୍ଜାଏ ପାରିଉଠିବେ ନାହିଁ–ମୁଁ ଯାହା ଦେଖିଲିଣି, ଯାହା ବା ପାରନ୍ତେ ତାଙ୍କୁ ହେପାଜତ କରିବା ମୁସ୍କିଲ୍ ହେଲାଣି । ହେଇ ଏବେ ମେଞ୍ଚାଏ ହାଡ଼ଗୁଣ୍ଡ ତାଙ୍କ ଖାଇବା ଜିନିଷରେ ମିଶିବା ଦରକାର-। ବଜାର ଉପରେ ତ ବିଶ୍ୱାସ ନାହିଁ । ଯାହା ଆଣିବ ଭେଜାଲି, ଅପମିଶ୍ରିତ, ନହେଲେ ବିଷ । ବିଶ୍ୱାସ କରି ଘିଅ କି ତେଲ ଛଟାଙ୍କିଏ ଖାଇବାପାଇଁ ଆଣିବ ବଜାରରୁ । ଖାଇଲ ତ ମଲ । ଏମିତି ଯୁଗରେ କରିବ କ’ଣ ? ଖାଲି ତା’ ମିସିନକୁ ଦୋଷଦେଇ ଲାଭ ନାହିଁ । ଖାଇବା ପତରରେ ବିଷ ଯେ ଦଉଚି, ସେ ତ ମିସିନ ନୁହେଁ–ମଣିଷ । ଏମିତି ଦୋ ଘାଇରେ ପଡ଼ିଚି ଯେ ମଣିଷକୁ ନ ଧଇଲେ ମଲ, ଧଇଲେ ମଲ ।”

 

ମାନବାକୁ ହାଡ଼ଗୁଣ୍ଡ ବରାଦଦେଇ ‘‘ଊର୍ଣ୍ଣନାଭ ଆଶ୍ରମ’’କୁ ଫେରିଲେ ଭବାନୀପ୍ରସାଦ । ବାଟଯାକ ଆଉକିଛି ଭାବୁନଥିଲେ–ଭାବୁଥିଲେ ମାନବା ହାଡ଼ିର ମୁହଁକୁ । ମାନବାର ମୁହଁ କାଳୀଆ ଆଉ ଅଶଣ୍ଢବା । ସବୁଠୁ ଅଶଣ୍ଢବା ହଉଚି ତା’ର ନାକ, ଓଠ ଆଉ କପାଳ । ବାଳ ବି କୁଞ୍ଚୁକୁଞ୍ଚୁ । ପିଲାଦିନୁ ଏହିପରି ରୂପଠୁଁ ଅଲଗା ହୋଇ ରହିବା ଅଭ୍ୟାସରେ ପଡ଼ିଥାଏ । ଏହି କାରଣରୁ ମାନବା ନିଜ ଗାଁର ଲୋକହେଲେ ବି କେଉଁ ଦୂରଦେଶର ମନିଷପରି । ଜୀବନରେ ଥରେଅଧେ କ୍ଵଚିତ ଦେଖା । ଆଉ, ଯେତେବେଳେ ଦେଖାଦିଏ–ମନିଷରୂପରେ ନୁହେଁ, ସମସ୍ୟାରୂପରେ । ଏମିତି ଦିନେ ପିଲାଦିନେ ମାନବାର ସମସ୍ୟାକୁ ଦେଖିଥିଲେ ସେ–୧୯୨୧–୨୨ରେ । ସେତେବେଳେ ଚରଖା ଆଉ ସ୍ଵରାଜ୍ୟ ପରି ମାନବା ଥିଲା ଗୋଟିଏ ସମସ୍ୟା । ପ୍ରକୃତରେ ମଧ୍ୟ ମାନବାର ସେତେବେଳର ରୂପ ଭିନେ ଥିଲା । ଏ ରୂପକୁ ଆଖିଖୋଲିଲେ ଚିହ୍ନି ହଉନଥାଏ; ଆଖି ବୁଜିଲେଇ ଦିଶିଯାଏ । ଏମିତି ଦିନେ ଆଖିବୁଜି ସେ ଠିକ୍ କରିଥିଲେ ଗୋଟାଏ ସମାଧାନ–ମାନବାର ସେଇ ଭଉଣୀ ଯାହା ନାଁ ହୀରା–ତାରି ସମ୍ପର୍କରେ । ମାନବାର ଏଇ ଅଷଣ୍ଢବାରୂପ ସେତେବେଳେ ବି ଥିଲା, କେବଳ ନ ଥିଲା ଆହୁରି ବିକୃତ ଥିଲା–ଯେମିତି ଗାନ୍ଧିଜୀଙ୍କର ଟୋକାବେଳର ରୂପ ବୁଢ଼ାଦିନର ରୂପଠୁଁ ଭିନେ ଦିଶେ, ସେମିତି । ତଥାପି ମାନବା ଆଉ ହୀରା ମଣିଷ ପରି ଦିଶୁନଥିଲେ–ବୁଜିଲା ଆଖିକୁ । କିନ୍ତୁ ଖୋଲା ଆଖିର କଥା ନିଆରା । ମଣିଷକୁ ଅମଣିଷ କରି ଯୁଗେ ଯୁଗେ ଦେଖେଇଆସିଚି ଏଇ ଖୋଲା ଆଖି । ଯାହା ଚିନ୍ମୟ ତାକୁ ଅଷଣ୍ଢବା, ଆଉ ଯାହା ସତ୍ୟତାକୁ ମିଥ୍ୟାକରି ଦେଖାଏ ଏଇ ଖୋଲା ଆଖି । ତଥାପି ଆଖିକୁ ଫୁଟେଇଦେଲେ ସମସ୍ୟା ମେଣ୍ଟିଯାଏ ନାହିଁ–ଓଲଟି ଦ୍ଵିଗୁଣ ବଢ଼ିଯାଏ ।

 

‘‘ଊର୍ଣ୍ଣନାଭ ଆଶ୍ରମ’’ରେ ପହଞ୍ଚିବା ପର୍ଯ୍ୟନ୍ତ ଭବାନୀପ୍ରସାଦ ଆଖି ମକଚୁଥାନ୍ତି । ମାନବର ମୁହଁର ଛବିକୁ ଆଖିରେ ମକଚୁ ମକଚୁ କେତେବେଳେ ହାଜର ହୋଇଯାଇଥାଏ ସେଠି ବଡ଼ପୁଅ ବିଭୁପ୍ରସାଦର ମୁହଁ । ଅନ୍ତରଭିତରୁ ସେଇ ମୁହଁ ତା’ ପଚାରିବା ଠାଣିରେ ବାରମ୍ବାର ପଚାରୁଥାଏ ପ୍ରଶ୍ନ–ତୁମେ ପରା ଆସିଚ ଗାଁକୁ କ୍ଷେତ୍ର ପ୍ରସ୍ତୁତ ପାଇଁ ? କେତେଦିନ ଲାଗିବ ଏ ପ୍ରସ୍ତୁତି-?

 

ପ୍ରସ୍ତୁତି ? ହଁ ପ୍ରସ୍ତୁତି ! –ହସିହସି ଉତ୍ତର ଦେଉଥାନ୍ତି ଭବାନୀପ୍ରସାଦ ନିଜକୁନିଜେ, ଆଉ ହେମଦସ୍ତାର ପୁଆକୁ ଉପରକୁ ଟେକି ପ୍ରଥମଥର ଦାଉଁକରି ଛେଚାଦବା ପୂର୍ବରୁ ନିଜକୁନିଜେ ପୁଣି କହୁଥାନ୍ତି–

 

“ତୁମେ ତେଣେ ପ୍ରସ୍ତୁତ ହେଲେ କଅଣ ହେବ ? ଏଣେ ଆଦର୍ଶ କୁକୁଡ଼ାଖାଦ୍ୟ ଗଣ୍ଡାଏ ବି ପ୍ରସ୍ତୁତ ହୋଇପାରିନାହିଁ । ଏ ଦେଶ ଏମିତି ନ ଥିଲା ମୂଳରୁ । ଅସବର୍ଣ୍ଣ ବିବାହ ନୂଆ କଥା ନୁହେଁ, ଆର୍ଯ୍ୟ–ଅନାର୍ଯ୍ୟ ବିବାହ ନୂଆ କଥା ନୁହେଁ । ନୂଆକଥା ହଉଚି ଜୀବନର ବିଭିନ୍ନ ଉପାଦାନକୁ ଏକାଠି କରିବା । ଖାଲି ଏକାଠି କରିଦେଲେ ହବନାଇଁ । ଏଥିପାଇଁ ଦରକାର ଛେଚା–ଆଚ୍ଛାକରି ଛେଚା !”

 

‘‘ଊର୍ଣ୍ଣନାଭ ଆଶ୍ରମ’’ର ହେମଦସ୍ତା ପାହାରର ନିୟମିତତା ସେଇଠୁ ଆରମ୍ଭ ହୋଇଗଲା-

 

ପନ୍ଦର

 

ମୃତ୍ୟୁକୁ ଆଖିବୁଜିଦେଇ ତା’ କୋଳରେ ଢଳିପଡ଼ିବା ଗୋଟାଏ କଥା ଓ ମୃତ୍ୟୁକୁ ‘ତୁ ହୁଁ ମମ ଶ୍ୟାମ ସମାନ’ କହି ଆଲିଙ୍ଗନ କରିବା ଆଉ ଗୋଟିଏ କଥା । ବିଭୁପ୍ରସାଦ ସାଙ୍ଗରେ ତା’ର ବଁ-। ଡାହାଣିଆ ହୋଇ ଉଭୟ କଥା ଏକ ସାଙ୍ଗରେ ଚାଲିଥାନ୍ତି । ପିଲାଦିନୁ ସେ ମୃତ୍ୟୁକୁ ଦେଖିଛି, ତା’ପାଖରେ ମୁଣ୍ଡପାତିଛି ଓ ତାକୁ ସ୍ଵୀକାର କରିଛି । ଏହାର ଭଲ ଉଦାହରଣ ହେଲା–ସେଇ ଗୋଟିଏ ମୃତ୍ୟୁ, ଯାହାକୁ ସେ ନିଜ ଆଖିରେ ଭଲକରି ଦେଖିଚି–ଯେମିତି ମୁଭି କ୍ୟାମେରାର ଫିଲ୍ମରେ ଗୋଟିଏ ଦଉଡ଼ୁଥିବା ଜେବ୍ରା ଉପରକୁ କୁଦିପଡ଼ୁଥିବା ସିଂହର ବିଭିନ୍ନ ଅବସ୍ଥିତିଗତ ଚିତ୍ରକୁ ଭଲକରି ଦେଖିହୁଏ; ତେଣୁ ବୁଝିହୁଏ–ସେମିତି । ପୁଣି ମୃତ୍ୟୁ ସମ୍ୱନ୍ଧରେ ସଚରାଚର ସବୁଠାରୁ ଉତ୍କୃଷ୍ଟ ଯେଉଁ ଉଦାହରଣ ଦିଆଯାଏ ତାକୁ କେବଳ ସେ ବହିରେ ପଢ଼ିନାହିଁ, ସେ ଅଙ୍ଗେ ନିଭେଇଚି-। ସେ ଉଦାହରଣଟି ହେଉଚି–ନିଜ ମା’ର ମୃତ୍ୟୁ । ମା’ର ମୃତ୍ୟୁ ଦୁଃଖଦାୟକ କି ନୁହେଁ, ସେପରି ମୃତ୍ୟୁ ସହିତ ଜଡ଼ିତ ହୋଇ କାନ୍ଦିହୁଏ କି ନାହିଁ, ଏସବୁ ବିଚାର ପଛ କଥା । ତା’ ଛଡ଼ା ସେ ବି ପ୍ରକୃତରେ ମନେପକେଇପାରେନା ଯେ–ମା’ ମରିଗଲା–ଏହି ବାକ୍ୟଟି ଅନ୍ୟ କାହା ମୁହଁରୁ ଶୁଣିପକେଇବାମାତ୍ରେ କିମ୍ବା ଶୁଣିବାର କିଛି ସମୟପରେ ସେ ଭେଁକିନା କାନ୍ଦିପକେଇଚି କିମ୍ବା କାନ୍ଦି ନାହିଁ । ଏପରି ମନେ ନ ପକେଇପାରିବାର ବଡ଼ କାରଣ ହେଲା–ସେତେବେଳେ ବିଭୁପ୍ରସାଦ ପିଲା ହୋଇଥିଲା । କିନ୍ତୁ ପିଲା ହୋଇଥିଲେ ମଧ୍ୟ ଓ ମା’ ପାଇଁ କେତେଘଣ୍ଟା ଶୋକ କଲା ଏ ସଂଖ୍ୟାଟି ଭୁଲିଯାଇଥିଲେ ମଧ୍ୟ ତା’ ମନରୁ ପାସୋରି ଯାଇନଥାଏ ସେ ଦୃଶ୍ୟଟି ଓ ତା’ ସଙ୍ଗେସଙ୍ଗେ ସେଇ ବାକ୍ୟ କେତୋଟି–

 

ମା’କୁ ଅହିଅ ଡେଙ୍ଗୁରା ବଜେଇ ସେମାନେ ମଶାଣିକୁ ବୋହିନିଅନ୍ତି । ମଶାଣିରେ ବିଭିନ୍ନ କ୍ରିୟା ପରେ ମା’କୁ ଆଉ ଥରେ ନୂଆଲୁଗା ପିନ୍ଧେଇଦିଅନ୍ତି । ତାପରେ ବିଭିନ୍ନ ସ୍ଵରର ମନ୍ତ୍ର ଉଚ୍ଚାରଣ ଭିତରେ ସେମାନେ ଯେତେବେଳେ ତା’ ମୁଣ୍ଡରେ ପୁଣିଥରେ ସିନ୍ଦୂର ପିନ୍ଧେଇଦିଅନ୍ତି, ଆଜି ବି ମନେପଡ଼େ ବିଭୁପ୍ରସାଦର ସେଇ ସେଇ ମୁହଁ ନୁହେଁ, ସିନ୍ଦୂରର ଦାଉ । ଏବେବି ମନେପଡ଼େ ବିଭୁପ୍ରସାଦର–ସେ ଯାହା ପଚିରିଥିଲା ତା’ ବାପାଙ୍କୁ, ଯେ ବରାବର ବିଭିନ୍ନ ଅଶୌଚକ୍ରିୟା ପାଳିଲାବେଳେ ବଡ଼ପୁଅ ବିଭୁପ୍ରସାଦ ପାଖେ ଠିଆହୋଇଥାନ୍ତି, ତାଙ୍କ ଆଖିରେ ଟୋପାଏ ହେଲେ ଲୁହ ନ ଦେଖି ବିଭୁପ୍ରସାଦ ମଧ୍ୟ କାନ୍ଦୁନଥାଏ । କେବଳ ଅନ୍ୟମାନେ ଯାହା କାନ୍ଦୁଥାନ୍ତି । ବିଭୁପ୍ରସାଦ ତା’ ମା’ମୁଣ୍ଡରେ ଦାଉ ଦାଉ ସିନ୍ଦୂରକୁ ଦେଖି ଅଭିଭୂତ ହୋଇ କିଛିବେଳ ଠିଆହେଲା ପରେ ପ୍ରଶ୍ନଗୁଡ଼ିକ ଛାଁକୁ ଉତୁରିପଡ଼ନ୍ତି । ବାପାଙ୍କୁ ଗୋଟିଏ ପାଖକୁ ଟାଣିନେଇ ଚୁପ୍ ଚୁପ୍ କରି ସେ ପଚାରିଥିବା ଆଜି ସ୍ପଷ୍ଟ ମନେପଡ଼େ । ପଚାରେ, “ତୁମେ କ’ଣ ଭାବୁଚ ? ବୋଉ ମରିଯାଇଚି ?”

 

ମୁଣ୍ଡ ହଲେଇଦିଅନ୍ତି ଭବାନୀପ୍ରସାଦ–ଯାହାର ଅର୍ଥ–କିଏ କହୁଚି ? ଦେଖିପାରିନୁ ତା’ ମୁହଁର ଜ୍ୟୋତିକୁ ? ୟାକୁ କଅଣ ମରିବା କୁହନ୍ତି ?

 

“ୟାପରେ ତେବେ କଅଣ ? ନିଆଁ ତ ଜଳିଉଠିଲାଣି । ତାକୁ ନିଆଁରେ ପକାଇଦେବା ? ସେ ପାଉଁଶ ହୋଇଯିବ ନା ନାହିଁ ?” ବିଭୁପ୍ରସାଦ ପଚାରୁଥାଏ ।

 

ପୁଣିଥରେ ମୁଣ୍ଡ ହଲେଇଦିଅନ୍ତି ଭବାନୀପ୍ରସାଦ–ଯାହାର ଅର୍ଥ–ନା–ନିଆଁ ତାକୁ ପୋଡ଼ିପାରେ ନାହିଁ, ଖଣ୍ଡାରେ ସେ କଟେନାହିଁ, ସମୟ ତାକୁ ସୁଅରେ ବୁଡ଼େଇ ଦେଇପାରେ ନାହିଁ । କିନ୍ତୁ ମୃତ୍ୟୁ ସମ୍ୱନ୍ଧରେ ଏଇ ଶେଷ କଥା ନୁହେଁ । ମା’ ମୁହଁରେ ନିଜହାତରେ ନିଆଁଦେଇ ତାକୁ ପାଉଁଶରେ ପରିଣତ କରିସାରି ବିଭୁପ୍ରସାଦ ଘରକୁ ଫେରେ । ତା’ ପରେ ଯାଇ ଆରମ୍ଭହୁଏ ମୃତ୍ୟୁର ଅସଲ ପରିଚୟ ।

 

ସେଦିନ ତୁଠରୁ ଫେରି ବିଭୁପ୍ରସାଦ ତା’ ସାଙ୍ଗମାନଙ୍କୁ ଖୋଜି ଗାଁଭିତରକୁ ବାହାରିଯାଏ-। ସେତିକିବେଳେ ଗୋଟିଏ ଘରୁ କୁଆଁ କୁଆଁ ଶବ୍ଦ ଶୁଣି ସେ ଅଟକେ । ସେଇଠି ପଚାରୁ ପଚାରୁ ଜଣେକିଏ ପୁରୁଖା ଲୋକ କହନ୍ତି–“ତୋ ମା’ ପୁଣି ଫେରିଆସିଲାଣିରେ ଆମ ଘରକୁ । ଆ ଦେଖିବୁ-।”

 

ଅନ୍ତୁଡ଼ିଶାଳକୁ ସାଧାରଣତଃ ପିଲାମାନଙ୍କୁ ଛଡ଼ାଯାଏ ନାହିଁ । କିନ୍ତୁ ବିଭୁପ୍ରସାଦକୁ ଛାଡ଼ିଦିଆଗଲା । କାରଣ ଗାଁର ସମସ୍ତେ ବିଶ୍ୱାସ କରୁଥିଲେ ସେଇ ଗୋଟିଏ କଥା–ଆତ୍ମାର ମୃତ୍ୟୁ ନାହିଁ । ସେ ବାରମ୍ବାର ନୂଆ ରୂପରେ ଫେରିଆସେ । ଆଜି ଭବାନୀପ୍ରସାଦଙ୍କ ସ୍ତ୍ରୀ, ବିଭୁପ୍ରସାଦର ମା’ ମରିବାର ଘଣ୍ଟାଏ ନ ବିତୁଣୁ ସେ ଆତ୍ମା ପୁଣି ଫେରିଲା । ନ ଫେରିବ କେମିତି ? ପଛରେ ମା’ଛେଉଣ୍ଡ ଛୁଆ ଲାଗିଛନ୍ତି ଯେ !

 

ଏଥିରେ ଅବିଶ୍ୱାସର ପ୍ରଶ୍ନ ନାହିଁ । ଯଦିଚ କଅଁଳା ଛୁଆଟିର ରୂପ, ବର୍ଣ୍ଣ, ଆକୃତି ଓ ସବା ପଛରେ ତା’ ଆଖିର ଚାହାଣିରେ ପରିଚିତ ବୋଲି କିଛି ନ ଥିଲା, ତଥାପି ବିଭୁପ୍ରସାଦର ଏପର୍ଯ୍ୟନ୍ତ ବିଶ୍ୱାସ ଯେ, ତା’ର ମା’ ମରିନାହିଁ । କାରଣ ସେଦିନ ଅନ୍ତୁଡ଼ିଶାଳରେ ଯାହାର କୁଆଁକୁଆଁ ରାବ ତା’ କାନରେ ବାଜିଥିଲା, ଆଜିପର୍ଯ୍ୟନ୍ତ ସେଇ ପିଲାଟି ବଞ୍ଚିଚି । ସେ ବର୍ତ୍ତମାନ ବଡ଼ ହୋଇଗଲାଣି । କିନ୍ତୁ ଏବେବି ତାକୁ ଦେଖିଲେ ବିଭୁପ୍ରସାଦ ତାକୁ ମା’ବୋଲି ଭାବେ ଓ ଏମିତି ଭାବିବାମାତ୍ରେ ତା’ କାନରେ ବାଜେ ସେଇ କୁଆଁକୁଆଁ ରାବ । ସେ ରାବ ତ ମୃତ୍ୟୁର ହୋଇପାରେନା ! ସେ ରାବ ଅମରତାର । ରାବ ଯେହେତୁ ଅମର, ମା’ ବି ଅମର । ମା’ସହିତ ଶିଶୁ ଆଉ ଶିଶୁ ସହିତ ମନୁଷ୍ୟ ମଧ୍ୟ ଅମର । ଅନ୍ୟ କଥାରେ ମା’ର ମୃତ୍ୟୁ ହୋଇପାରେ; କିନ୍ତୁ ମଣିଷର ମରଣ ନାହିଁ । ସେ କେବଳ ମରେ ଆଉ ଥରେ ଜନ୍ମ ହେବାପାଇଁ ! ଏ ବିଶ୍ୱାସ କେବଳ ବିଭୁପ୍ରସାଦର ନୁହେଁ, ତା’ର ବାପାଙ୍କର, ତାଙ୍କ ବାପାଙ୍କର–ଏମିତି, ଏମିତି ପରମ୍ପରାଗତ ଏ ବିଶ୍ୱାସ !

 

କିନ୍ତୁ ଆଜି ଯେତେବେଳେ ଖବର ପହଞ୍ଚିଲା ଅଧ୍ୟାପକ ସେଠି, ବିଶ୍ୱବିଦ୍ୟାଳୟ ହତାରେ ବିଷଖାଇ ଆତ୍ମହତ୍ୟା କରିଦେଇଛନ୍ତି–ବିଭୁପ୍ରସାଦ ଆଉ ଲାବୋରେଟୋରୀରେ ବସି ବସିକା ପ୍ଲାସ୍କରେ ଟକ୍‍ଟକ୍ ଫୁଟୁଥିବା ଗୋଟିଏ ନୂଆ ରାସାୟନିକ ଦ୍ରବ୍ୟର କୁଆଁ କୁଆଁ ରାବକୁ କାନେଇ ସ୍ଥିର ରହିପାରିଲା ନାହିଁ । ଡ. ଶର୍ମାହିଁ ପ୍ରଥମେ ଏ ଖବର ଦେଲେ–

 

“ଜାଣ ? ହତଭାଗାଟା କଅଣ କରିଦେଲା ?”

 

“କିଏ ? ନଟବର ?” ନଟବର ଚେତନାହିଁ ଏକମାତ୍ର ଜୀବିତ ଚେତନା ସେତେବେଳେ ବିଭୁପ୍ରସାଦ ଉପରମନରେ ଲହଡ଼ିପରି ଖେଳୁଥାଏ । ଭିତରଟା ସ୍ଥିର ହୋଇଯାଇଥାଏ ତା’ର । ଏ ସ୍ଥିରତା ମଧ୍ୟ ସେଇ ନଟବରର କାର୍ଯ୍ୟ । ଜଳପରି ତା’ର ଉପରଅଂଶ ଚପଳ; କିନ୍ତୁ ଭିତର ସ୍ଥିର । କାରଣ ବିଭୁପ୍ରସାଦ ସେପର୍ଯ୍ୟନ୍ତ ଭୁଲିନଥାଏ ନଟବରର ସେଇ ଡାକ–

 

“ସୁକୁମାରୀ କଅଣ ଏକା ତୋର ?”

 

ଡ. ଶର୍ମା ବିଭୁପ୍ରସାଦକୁ ହଲେଇଦେଲେ । ତାଙ୍କ ଦିହର ଥରାକୁ ନିଜଦେହରେ ଅନୁଭବ ନ କରିବା ପର୍ଯ୍ୟନ୍ତ ବିଭୁପ୍ରସାଦର ଧ୍ୟାନ ଭାଙ୍ଗେନାହିଁ ।

 

“କଅଣ କଥା ?” ଆଶ୍ଚର୍ଯ୍ୟ ହୋଇ ସେ ପଚାରେ ।

 

“ଶୁଣିପାରୁନାହଁ ? ଛାତ୍ରମାନେ ସେଠିଙ୍କ ଶବକୁ କାନ୍ଧେଇ କଲେଜରେ ଶୋଭାଯାତ୍ରା କରିବେ ବୋଲି କହୁଛନ୍ତି । ମନମୋହନ ନିଜେ ଆସିଚି ଓ ଛାତ୍ରମାନଙ୍କୁ ବୁଝୋଉଚି । ଆସ, ଦେଖିବା !”

 

ଡ. ଶର୍ମା ଓ ବିଭୁପ୍ରସାଦ ଆଗିଲି–ପିଛଲି ହୋଇ ବାହାରିଗଲେ । ରସାୟନ ବିଭାଗରୁ ଲମ୍ବା କରିଡ଼ର୍ ଲମ୍ବିଛି ଲାଇବ୍ରେରିଯାକେ । ପୂର୍ବେ ଯେଉଁଠି ଗୋଟିଏ ଗୁଲ୍ମାକୃତି କାମିନୀ ଗଛ ଥିଲା ଓ ଏଇ କାମିନୀ ଗଛମୂଳେ ନୂଆହୋଇ କଲେଜରେ ନାଁ ଲେଖାଇଲାବେଳେ ସେ ଓ ତା’ର ବାପା କଲେଜ ସମ୍ବନ୍ଧରେ କଥାବାର୍ତ୍ତା ହେଉଥିଲେ ଓ ଭବାନୀପ୍ରସାଦ ଏଇଠି ଠିଆହୋଇ ଲାଇବ୍ରେରିଆଡ଼କୁ ହାତଦେଖେଇ କହୁଥିଲେ–

 

“ଏ ହଉଚି ତୋ ମା’ ! ୟାରି ଜଠରରୁ ପୁଣି କେବେ ତୁ ଆତ୍ମପ୍ରକାଶ କରିବୁ ବାବା ! ମୁଁ ଚାହିଁବସିଚି ସେଇ ଶୁଭଦିନକୁ ।” ସେଇଠି ପଡ଼ିଥାଏ ଅଧ୍ୟାପକ ସେଠିଙ୍କ ଶବ । ତାକୁ ଘେରିଯାଇଥାନ୍ତି ଛାତ୍ରମାନେ । ମଝିରେ ଠିଆହୋଇଥାଏ ମନମୋହନ ଓ ଯୁକ୍ତିତର୍କ ଲାଗିଥାଏ–ଶୋଭାଯାତ୍ରା ବିରୁଦ୍ଧରେ ।

 

ଛାତ୍ରମାନେ ଭାବପ୍ରବଣ ହୋଇପଡ଼ିଥାନ୍ତି । ଅତି ସ୍ଵାଭାବିକ ସେ ଭାବପ୍ରବଣତା । କିନ୍ତୁ ତାଆରି ଭିତରେ ଚାଲିଥାଏ, ଯୁକ୍ତିତର୍କ–ଅତ୍ୟନ୍ତ ବାସ୍ତବ, କଠୋର ଆଉ ମନନଶୀଳ ମଧ୍ୟ ।

 

ଛାତ୍ରମାନେ ଯୁକ୍ତି କରୁଥାନ୍ତି–

 

“ଆମେ ଜାଣୁ ! ଏ ହଉଚି ନିର୍ବାଚନର ଅହନ୍ତା ! ଅଧ୍ୟାପକ ସେଠି ଚାକିରିରୁ ଇସ୍ତଫାଦେଇ ନିର୍ବାଚନରେ ଜଣେ ପ୍ରାର୍ଥୀ ହୋଇଥିଲେ । ଏହି କାରଣରୁ ତାଙ୍କୁ ଚାକିରି ଫେରାଇ ଦିଆଗଲା ନାହିଁ । ସେ ବେକାର ହୋଇ କେତେବାର ଆପଣଙ୍କ ଶରଣ ପଶିଛନ୍ତି । କିନ୍ତୁ ଆପଣ ତାଙ୍କୁ ଚାକିରି ପାଇଁ ସୁପାରିସ୍ କଲେନାହିଁ । ବ୍ୟର୍ଥ ଆଉ ହତାଶ ହୋଇ ଆତ୍ମହତ୍ୟା କରିବା ବ୍ୟତୀତ ତାଙ୍କର ଆଉ ଅନ୍ୟଗତି କଅଣ ? ଆମକୁ ଦେଇଦିଅ ଏ ଶବ । ବିଶ୍ଵବିଦ୍ୟାଳୟର ବ୍ୟର୍ଥତା ଲୋକଙ୍କୁ ଦେଖେଇବାପେଇଁ ଆଜି ଏଇ ଶବ ହିଁ ଆମର ନିଶାଣ ।”

 

ମନମୋହନ ଶୋକାର୍ତ୍ତ ଦିଶୁଥାଏ । ତା’ ମୁହଁ ବା ସ୍ୱରରେ ତିଳାର୍ଦ୍ଧେ ଛଳନା ନ ଥାଏ । ବିଭୁପ୍ରସାଦ ପରିଷ୍କାର ଦେଖିପାରୁଥାଏ ତା’ ମୁହଁକୁ, କାରଣ ଲୋକଗହଳି ଭିତରେ ମନମୋହନ କଦାପି ବୁଡ଼ିଯାଏ ନାହିଁ; ଆଜି ବି ବୁଡ଼ିଯାଇନଥିଲା । ଏକେତ ଡେଙ୍ଗା, ଦ୍ୱିତୀୟରେ ଲୋକଗହଳିର ସମ୍ମୁଖୀନ ହେଲେ, କୌଣସି ସହଜା ତ ପ୍ରବୃତ୍ତିବଶତଃ ସେ ଭୂମିର ଅବସ୍ଥା ଏମିତି ବୁଝିପାରେ ଯେ, ସାଧାରଣତଃ ସେ ଯେଉଁଠି ଠିଆହୋଇଥାଏ ସେଇ ଥାନଟି ନିକଟବର୍ତ୍ତୀ ଭୂମିଠାରୁ ବରାବର ଟିକିଏ ଉଚ୍ଚ ଥାଏ । ଫଳରେ ମନମୋହନର ମୁଣ୍ଡ ଜନତାର ମୁଣ୍ଡଠୁଁ ସବୁବେଳେ ଟିକିଏ ଉପରେ ଥାଏ । ଏଣୁ ଦୂରରେ ଠିଆହୋଇ ମଧ୍ୟ ତା’ ମୁହଁକୁ ଦେଖିବାରେ କଷ୍ଟ ନ ଥାଏ । ଆଜି ବି ମନମୋହନ ନିଜପାଇଁ ଉଚ୍ଚ ଜାଗାଟିଏ ବାଛିନେଇଥାଏ ।

 

ବିଭୁପ୍ରସାଦ ସେଠିଙ୍କ ଶବକୁ ଏପର୍ଯ୍ୟନ୍ତ ଦେଖିପାରିନଥାଏ । ଲୋକେ ଘେରିଥାନ୍ତି । କିନ୍ତୁ ମନମୋହନର ମୁହଁ ଦେଖି ସେ ବୁଝିପାରୁଥାଏ ସେଠିଙ୍କ ବିଷଖିଆ ମୁହଁଟି କି କରୁଣ ଓ ଭୟଙ୍କର ଦିଶୁନଥିବ ! ତାଛଡ଼ା–ଏଇତ–ଏଇତ ସେଇ ଅଧ୍ୟାପକ ସେଠି; ଯାହାଙ୍କ ସହିତ ଗୋଟିଏ ଲାବୋରେଟୋରୀରେ ଘଣ୍ଟା ଘଣ୍ଟା ଗବେଷଣା କରି ବର୍ଷ ବର୍ଷ କାଳ ସେମାନେ ସମସ୍ତେ ପ୍ରତିଦିନ ଏଇବାଟେ ଚାଲିଯାଇଥିଲେ ପ୍ରତି ସନ୍ଧ୍ୟାରେ–କଫି ହୋଟେଲ୍ ! ଏତେ ହସ, ଏତେ ଆଳାପ ଆଲୋଚନା, ଆଉ ଏତେ କ୍ରୋଧ ଅଭିମାନର ଜୀବନ୍ତ ସମ୍ପର୍କକୁ ଶତ୍ରୁ ବି କଅଣ ଭୁଲିପାରେ ? କେବଳ ଅମଣିଷ ହିଁ ଭୁଲିଯାଇପାରେ । ମାତ୍ର ଆଜି, ମନମୋହନକୁ ବିଭୁପ୍ରସାଦ ଚିହ୍ନେ, ଚିହ୍ନେ ବିଶେଷ କରି ତା’ ସ୍ତ୍ରୀ ଉଷା ଜରିଆରେ । ବିଭୁପ୍ରସାଦର ପୂର୍ଣ୍ଣ ବିଶ୍ଵାସ–ମନମୋହନ ଅମଣିଷ ନୁହେଁ । କେବଳ ସାଧାରଣ ମଣିଷଠୁ ଟିକିଏ ବଡ଼ । ହୋଇପାରେ ଡେଙ୍ଗା ବି !

 

ଶୋକାଭିଭୂତ ହୋଇ ମନମୋହନ ଛାତ୍ରମାନଙ୍କୁ ବୁଝୋଉଥାଏ–“ଶୁଣ, ତରୁଣ ବନ୍ଧୁମାନେ ! ଅଧ୍ୟାପକ ସେଠି କେବଳ ତୁମର ଶିକ୍ଷକ ନୁହଁନ୍ତି–ମୋର ବି । ତୁମେମାନେ ବୋଧହୁଏ ଜାଣନା, ମୁଁ ବି ଅଧ୍ୟାପକ ସେଠିଙ୍କ ଛାତ୍ର । ତାଛଡ଼ା ସେ ବି ମୋର ଘନିଷ୍ଠ ବନ୍ଧୁ । ଏପରି ଘନିଷ୍ଠ ଯେ–ତୁମେ ଯଦି କଥାଟିକୁ ଠିକ୍ ଅର୍ଥରେ ନିଅ, ତେବେ ମୁଁ କହିବି ଯେ, ମୁଁ ଯେତେବେଳେ ଏଇ କଲେଜରେ ଜଣେ ଗବେଷକ–ଛାତ୍ର ଥିଲି ଓ ଅନ୍ୟମାନଙ୍କ ପରି ଗୋଟିଏ ଡକ୍ଟରେଟ୍ ଉପାଧି ପାଇବାପାଇଁ ବ୍ୟାକୁଳ ହୋଇ ପରିଶ୍ରମ କରୁଥିଲି, ସେତେବେଳେ ବିନା ଦ୍ଵିଧାରେ ମୁଁ ଏଇ ଅଧ୍ୟାପକଙ୍କ ଅସୀମ ପରିଶ୍ରମ ଲବ୍ଧ କେତେକ ମୂଲ୍ୟବାନ୍ ବୈଜ୍ଞାନିକ ତଥ୍ୟକୁ ଚୋରି କରିନେଇ ନିଜ ନାମରେ ପ୍ରକାଶ ମଧ୍ୟ କରିଥିଲି । ତୁମେ ଯଦି ପଚାର, ବନ୍ଧୁତାର ପ୍ରତିଦାନ କଅଣ ଏଇଆ ? ମୋର ଉତ୍ତର କଅଣ ଜାଣ ? ମୋ ମତରେ ବନ୍ଧୁତା ହିଁ ତାହା, ଯାହାକୁ ତୁମେ ନିର୍ବିଘ୍ନରେ ଲୁଣ୍ଠନ କରିପାର । ମହାଭାରତ ଯୁଦ୍ଧରେ ଦ୍ରୋଣଙ୍କର ପ୍ରିୟଶିଷ୍ୟ ଦ୍ରୋଣଙ୍କୁ କଅଣ ନ କଲେ ?”

 

“ଏ ନିର୍ବାଚନ କଅଣ ମହାଭାରତ ଯୁଦ୍ଧ ?” ଜଣେ କିଏ ଛାତ୍ର, ଯେ କି ମନମୋହନର ମୁହାଁମୁହିଁ ଠିଆହୋଇଥାଏ, ତୀକ୍ଷ୍ଣ କଣ୍ଠରେ ପଚାରିଲା । “ଆପଣ କ’ଣ ଭାବୁଛନ୍ତି ଏ ନିର୍ବାଚନରେ ଯେଉଁ ପକ୍ଷ ଜିତିଲା, ସେ ପକ୍ଷ ଧର୍ମର ? କୁହନ୍ତୁ ତ ଦେଖି, ମହାଭାରତ ଯୁଦ୍ଧରେ ଏତେ ଯୋଦ୍ଧା ନିହିତ ହେଲେ–କିନ୍ତୁ କୌଣସି ଜଣେ ଆତ୍ମହତ୍ୟା କରିଚି ? ଅଧର୍ମର ଶାସନରେ ହିଁ ମଣିଷ କିଂକର୍ତ୍ତବ୍ୟବିମୂଢ଼ ହୋଇ ଆତ୍ମହତ୍ୟା କରେ । ନଚେତ୍ ଅଧ୍ୟାପକ ସେଠି ଆଜି ଏଠି ଏମିତି ଶୋଇନଥାନ୍ତେ କି ଆପଣ ନିଜପଛରେ ଲାଠିଧାରୀ ପୋଲିସଙ୍କୁ ସଜାଡ଼ି ରଖି ଏଠି ଏମିତି ବକ୍ତୃତା କରୁନଥାନ୍ତେ ।”

 

ମନମୋହନ ବାସ୍ତବିକ ପୋଲିସ୍ ବାହିନୀକୁ ଖବର ଦେଇଥିଲା କିମ୍ଵା ସେମାନେ ନିଜର କର୍ତ୍ତବ୍ୟ କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ । କିନ୍ତୁ କଲେଜ ହତାଭିତରକୁ ସେମାନେ ପଶିନଥାନ୍ତି । ଶିକ୍ଷାନୁଷ୍ଠାନ ଭିତରକୁ ରାଷ୍ଟ୍ରର ଅଙ୍ଗୁଳି ପ୍ରବେଶ ତଥାପି ଅକର୍ତ୍ତବ୍ୟ ବୋଲି ପୁରୁଣା ବ୍ରିଟିଶ୍ ଦିନର ଆଇନକୁ ପୋଲିସ୍ ନିଜପକ୍ଷରୁ ନ ଭାଙ୍ଗିବାପେଇଁ ସତର୍କ ଥାଏ । କେବଳ ଶିକ୍ଷାନୁଷ୍ଠାନ ବାହାରକୁ, ମୃତ ଅଧ୍ୟାପକଙ୍କ ଶବକୁ ଛାତ୍ରମାନେ ଶୋଭାଯାତ୍ରାରେ ନ ନିଅନ୍ତୁ ଏବଂ ନେଲେ ମଧ୍ୟ ଶାନ୍ତିଭଙ୍ଗ ନ ହଉ, ଏହି ଉଦ୍ଦେଶ୍ୟରେ ପୋଲିସ୍ ଜାଗତିଆର ରହିବା କଥା ଓ ରହିଥାଏ ମଧ୍ୟ ।

 

ପ୍ରତିବାଦ କରୁଥିବା ଛାତ୍ରର ପ୍ରଶ୍ନଉପରେ ଉତ୍ତରଦେଇ ଘଟଣାଟିକୁ ଗୋଟିଏ ଗାଁ ମାଇପି କଳିରେ ପରିଣତ ନ କରିବାପେଇଁ ବୋଧହୁଏ ମନମୋହନ ଚାହୁଁଥାଏ । ତେଣୁ ସେ ଟିକିଏ ଚୁପ୍ ହୋଇଗଲା । କିନ୍ତୁ ଏତିକିବେଳେ ଜଣେକିଏ, ବୋଧହୁଏ ଛାତ୍ର, କିନ୍ତୁ ବେଶ୍ ବୟସ୍କ ଓ ଖୁବ୍ ଗମ୍ଭୀର କଣ୍ଠବାଲା ମଣିଷ ପ୍ରଥମ ଛାତ୍ରର ପ୍ରଶ୍ନର ଉତ୍ତର ସ୍ୱରୂପ କହିଲା–“କିଏ କହିଲା ମହାଭାରତ ଯୁଦ୍ଧରେ ଆତ୍ମହତ୍ୟା ନାହିଁ । ଭୀଷ୍ମଙ୍କର ଇଚ୍ଛା–ମୃତ୍ୟୁ କଅଣ ? କର୍ଣ୍ଣଙ୍କର କବଚ କୁଣ୍ଡଳ ଦାନ କଅଣ ? ଏତେ ବା କାହିଁକି–ଗାନ୍ଧାରୀଙ୍କ କଥା ଏବେ ଦେଖ ! ଯେଉ ମା’ ଧର୍ମ ଧର୍ମ ବୋଲି ରଡ଼ି ଛାଡ଼ୁଥିଲା, ଶେଷରେ ଧର୍ମ ଯେତେବେଳେ ଜିତିଲା, କଅଣ କଲା ? ଏମିତିକି ବାନପ୍ରସ୍ଥରେ ଯାଇ ମଧ୍ୟ ଗାନ୍ଧାରୀ ଦାବାନଳରେ ସ୍ୱେଚ୍ଛାରେ ପ୍ରବେଶ କଲେ ।” ଟିକିଏ ଦମ୍ ନେବାପାଇଁ ଅଟକିଗଲା ସେ ସ୍ଵର । ତାପରେ ପୂର୍ବାପେକ୍ଷା ଆହୁରି ଗମ୍ଭୀର ସ୍ଵରରେ ପ୍ରାୟ ମନ୍ତ୍ର ଉଚ୍ଚାରଣ ପରି ସେ କହିଲା–

 

“ଧର୍ମକୁ ଡାକିବା ସହଜ; କିନ୍ତୁ ଧର୍ମର ନିରପେକ୍ଷତା ସହ୍ୟକରିବା ହିଁ ସବୁଠୁଁ କଷ୍ଟ ।”

 

କିନ୍ତୁ ଅଯାଚିତଭାବେ ପାଇଥିବା ସାହାଯ୍ୟକୁ ମନମୋହନ ଗ୍ରହଣ କରିନେଲା ନାହିଁ । ହୁଏତ ଅନ୍ୟଦିନ ହୋଇଥିଲେ କରିଥାନ୍ତା । କିନ୍ତୁ ଆଜି କାହିଁକି ନ କଲା–ବିଭୁପ୍ରସାଦ ବୁଝିପାରିଲା ନାହିଁ । ବରଂ ମନମୋହନ ବିରକ୍ତ ହୋଇଗଲା ଓ ଉତ୍ତେଜିତ ହୋଇ ତା’ର ପ୍ରକୃତ ସ୍ଵରରେ କହିଲା–

 

“ଧର୍ମକୁ ମାରଗୁଲି । ଏ ଦେଶ ଧର୍ମନିରପେକ୍ଷ ଦେଶ । ପୁଣି ଏ ଯୁଗର ମୂଳମନ୍ତ୍ର ଧର୍ମ ନୁହେଁ–ସତ୍ୟ । ଆସ ! ସତ୍ୟ ବିଷୟରେ କଥାବାର୍ତ୍ତା କର । ମୁଁ ଦେଖିପାରୁଚି–ବିଶ୍ଵବିଦ୍ୟାଳୟର ପ୍ରାୟ ଆମେ ସମସ୍ତେ ଏ ହତା ଭିତରେ ଠିଆହୋଇଚେ । ଏଠି ବାବାଜୀ ବା ସନ୍ନ୍ୟାସୀ ପୁରୁଷ କେହିନାହାନ୍ତି । ଧର୍ମ ବିଷୟରେ ଏ ପୃଥିବୀରେ ଦୁଇ ଶ୍ରେଣୀର ଲୋକେ କଥାବାର୍ତ୍ତା କରନ୍ତି । ଦଳେ ଅନ୍ଧ–ଯେଉଁମାନେ ଧର୍ମ ନାଁରେ ସାମ୍ପ୍ରଦାୟିକତା ସୃଷ୍ଟି କରନ୍ତି ଓ ଆଉ ଦଳେ ଅତ୍ୟନ୍ତ ଚକ୍ଷୁଷ୍ମାନ୍, ଯେଉଁମାନେ ବ୍ୟାସ ବାଲ୍ମୀକି ପରି ସବୁକଥାର ଆଗତ ଭବିଷ୍ୟତ, ଆମୂଳଚୂଳ ଦେଖିପାରନ୍ତି । ଧର୍ମ ବିଷୟରେ ସେଇମାନେ ହିଁ କହିପାରନ୍ତି, ଯେଉଁମାନେ ଆରମ୍ଭ ଓ ଶେଷ ଉଭୟକୁ ଜାଣନ୍ତି । ଛାତିରେ ହାତରଖି କୁହ ତ, ଏଠି ଯେଉଁମାନେ ଠିଆ ହୋଇଛନ୍ତି ତାଙ୍କଭିତରୁ କେହିଜଣେ ଏ ଘଟଣାର ସମୁଦାୟ କଥା ଜାଣନ୍ତି ? ଅର୍ଥାତ୍ ଏ ଘଟଣା କେଉଁଥିରୁ ଘଟିଲା ଓ ଘଟିବାଦ୍ଵାରା ମାନବ ଇତିହାସ କେଉଁ ନୂଆରୂପ ନେବାକୁ ଯାଉଛି–ବ୍ୟାସ ବାଲ୍ମୀକି ପରି କେହି ଏଠି ବୁଝିପାରୁଛନ୍ତି ?”

 

କେବଳ ଏଇ ପ୍ରଶ୍ନଟି ନୁହେଁ । ୟା ସହିତ ପ୍ରଶ୍ନକର୍ତ୍ତା ମନମୋହନର ନିଶ୍ଚୟ କୌଣସି ନିଷ୍ଠା ମିଶି ରହିଥିଲା । କୋଳାହଳ ଟିକିଏ ଥମ୍ ପଡ଼ିଗଲା । ପ୍ରକୃତରେ ବ୍ୟାସ କି ବାଲ୍ମୀକି କେହି ସେ ଲୋକ ସମାଗମ ମଧ୍ୟରେ ଉପସ୍ଥିତ ଥିଲେ କି ନା ଏ କ୍ଷେତ୍ରରେ ବଡ଼ କଥା ନୁହେଁ । ଅସଲ କଥା ହଉଚି ଯେଉଁ ମୃତ ବ୍ୟକ୍ତିଟି ପ୍ରତି ସହାନୁଭୂତିଶୀଳ ହୋଇ ଘଟଣାସ୍ଥଳରେ ଏତେ ଭାବାବେଗ ପ୍ରକାଶ ପାଉଥିଲା, ସେ ବ୍ୟକ୍ତିଟି କିଏ, ତା’ର ପୂରା ନାମ କଅଣ, ତା’ର ବୟସ କେତେ, ସେ ବିବାହିତ କି ନା, ଏମିତିକି ଯେଉଁ ବିଶ୍ଵବିଦ୍ୟାଳୟ ଆଜି ତାଙ୍କୁ କାନ୍ଧରେ ଧରି ସହରରେ ଶୋଭାଯାତ୍ରା କରିବାକୁ ଜିଦିଧରି ବସିଥିଲା, ସେ ବିଶ୍ଵବିଦ୍ୟାଳୟ ପ୍ରତି ଜୀବିତ କାଳରେ ଉକ୍ତ ବ୍ୟକ୍ତିଙ୍କର ଦାନ କଅଣ, କି କି ଗବେଷଣାତ୍ମକ ପ୍ରବନ୍ଧ ସେ ଲେଖି କେଉଁଠୁ ପ୍ରଶଂସିତ ହୋଇଥିଲେ–ଏ ସମ୍ବନ୍ଧରେ ପ୍ରାୟ କେହି ଖୁବ୍ ଅବଗତ ନଥିଲେ । ଏପରିକି ବିଭୁପ୍ରସାଦ ମଧ୍ୟ ନୁହେଁ । ମନମୋହନର ସେ ପ୍ରଶ୍ନରେ ବିଭୁପ୍ରସାଦ ନିଜେ ମଧ୍ୟ ଲଜ୍ଜିତ ହେଲା–କାରଣ ସ୍ୱର୍ଗତ ଅଧ୍ୟାପକ ସେଠିଙ୍କ ସହିତ ଏତେଦିନ ପରିଚୟ ଥିବାସତ୍ତ୍ଵେ ଥରେହେଲେ କୌଣସି ସୂତ୍ରରେ ସେ ଅଧ୍ୟାପକଙ୍କ ଘରକୁ ଯାଇନାହିଁ । ପୁଣି ଯେଉଁ ପତ୍ନୀଙ୍କ ସମ୍ୱନ୍ଧରେ ଶ୍ରୀ ସେଠି ଏତେ ରସିକତା କରନ୍ତି, ତିନି ତିନିଥର ପୁତ୍ର ଶୋକରେ ପୁଆ କଦଳୀ ଗଛ ପରି କଟାହୋଇ ପୁଣି କୁଏଁଇବା ବେଳେ ସେଇ ମଣିଷ କଅଣ ପରି ଦିଶେ, ବିଭୁପ୍ରସାଦ ଦିନେହେଲେ ଦେଖିନାହିଁ । ବର୍ତ୍ତମାନ ମନମୋହନ ଯେତେବେଳେ ବ୍ୟାସ, ବାଲ୍ମୀକିଙ୍କ ନା ଉଠେଇଲା, ବିଭୁପ୍ରସାଦ କାହିଁକି କେଜାଣି ଚମକିପଡ଼ିଲା । ତାହାହିଁ ଆରମ୍ଭ । କାରଣ ତା’ ପରଠୁଁ ବିଶ୍ଵବିଦ୍ୟାଳୟ ପ୍ରାଙ୍ଗଣରେ ଯାହାସବୁ ଘଟିଗଲା ବିଭୁପ୍ରସାଦ ସେଥିରେ ଆପେଆପେ ଜଡ଼ିତ ହୋଇଗଲା ଏବଂ ଏ ଜଡ଼ିବା ସହିତ ଅଧ୍ୟାପକ ସେଠିଙ୍କ ବ୍ୟକ୍ତିଗତ ଜୀବନ ପୁଣି ଥରେ ନୂଆରୂପରେ ତାକୁ ଘଟଣା ପ୍ରବାଦ ଭିତରକୁ ଟାଣିନେଲା ।

 

ମନମୋହନ ଓ ଛାତ୍ରଙ୍କ ଯୁକ୍ତିତର୍କ ଆଉ କିଛିବେଳ ଲାଗିଲା । ମନମୋହନର ଯୁକ୍ତିଧାରା ଅବିକଳ ସେମିତି–ଯେମିତି ଡ୍ରଇଂରୁମରେ । ପାପପୁଣ୍ୟ ଉପରେ ତା’ର ଯାହା ମତାମତ ମୃତ୍ୟୁଉପରେ ମଧ୍ୟ ତାହା । ତା’ ମତରେ–“ଆଧୁନିକ ପୃଥିବୀରେ ମୃତ୍ୟୁ ବୋଲି ଗୋଟାଏ କିଛି ଜିନିଷ ନାହିଁ, ବା କେବେ ନ ଥିଲା । ମଣିଷକୁ ଏକ ବୋଲି ବିଚାର କଲେ, ଏ ମଣିଷ ଆଦ୍ୟରେ ଥିଲା, ମଧ୍ୟରେ ଅଛି ଓ ପ୍ରାନ୍ତରେ ଥିବ । ପ୍ରସ୍ତର ଯୁଗରୁ ପ୍ଲାଷ୍ଟିକ୍ ଯୁଗ ପର୍ଯ୍ୟନ୍ତ ସେଇ ଗୋଟିଏ ମଣିଷ ଚାଲିଚି । କେବଳ ବକଳା କେଇ ପ୍ରସ୍ଥ ଛାଡ଼ିଯାଇଚି ଯାହା । ଏ ବକଳା ଛାଡ଼ିବାକୁ ମୃତ୍ୟୁ କହିବା ହିଁ ଅନ୍ୟାୟ । ଏହାହିଁ ଅଗ୍ରସରବାଦର ଧର୍ମ । ଏଇ ଅଗ୍ରସରବୋଧ ଯୋଗୁଁ ମଣିଷ ଯୁଦ୍ଧକ୍ଷେତ୍ରରେ ପ୍ରାଣଦେବାକୁ ପଶ୍ଚାତ୍‍ପଦ ହୁଏନାହିଁ । ବୁଢ଼ା ଚାଷୀ ନଡ଼ିଆଗଛ ଲଗାଇଲାବେଳେ ତା’ ଫଳକୁ ଆଶା ନ କରି ମଧ୍ୟ ପ୍ରଚୁର ଫଳ ଅନ୍ତତଃ ସ୍ୱପ୍ନରେ ଖାଇଯାଏ । ସେମିତି ମଧ୍ୟ ବୈଜ୍ଞାନିକ । ତୁମେ ଏମିତି ବୈଜ୍ଞାନିକ ଦେଖିଛ, ଯେ କବିମାନଙ୍କ ପରି ଚିରନ୍ତନ ଗୋଟିଏ କିଛି ଆବିଷ୍କାର କରିଦେଇପାରିବ ବୋଲି ବୃଥା ଆସ୍ଫାଳନ କରେ ? ତଥାପି ଆଧୁନିକ ବୈଜ୍ଞାନିକ ମଧ୍ୟ ଅମୃତର ସନ୍ଧାନ କରେ । କେବଳ ପାର୍ଥକ୍ୟ ଏତିକି ଯେ କବି ତା’ ନିଜ ତୁଣ୍ଡରେ ଥୋଡ଼ାଏ ଅମୃତ ଚୋଷିକରି ‘ମରିବାକୁ’ ଇଚ୍ଛା କରିଥାଏ । ଅଥଚ ବୈଜ୍ଞାନିକ ତା’ ପିଲାଙ୍କ ପାଇଁ ସେ ଅମୃତତକ ସଞ୍ଚୟ କରିବାକୁ ଚାହେଁ । ଏହାହିଁ ଅଗ୍ରସରବାଦର ବିଶ୍ୱାସ । ଏହି କାରଣରୁ ସୃଷ୍ଟିରେ ମଣିଷ ଚିରନ୍ତନ ହେଲେ ବି ମଣିଷ ବଡ଼ ନୁହେଁ, ତା’ର ଗତି ହିଁ ବଡ଼ । ମୃତ୍ୟୁ ଏଇ ଗତିର ପ୍ରତୀକ ।”

 

ସେଦିନ ଏସବୁ କହିଲାବେଳେ ମନମୋହନ କଣ୍ଠରେ ପରିହାସ ନ ଥିଲା । ପାଶ୍ଚାତ୍ୟ ବିଜ୍ଞାନ ଓ ଦର୍ଶନ ତା’ ମନକୁ ପୂର୍ଣ୍ଣ ଅଧିକାର କରିବସିଥିଲା । ତଥାପି ମଣିଷ ଏକ ଓ ଚିରନ୍ତନ କହିଲାବେଳେ ହିନ୍ଦୁ ଦର୍ଶନରେ ସେ ପୂର୍ଣ୍ଣ ଅଧିଷ୍ଠିତ ଥିଲାପରି ତା’ର ସ୍ଵରରୁ ଟିକିଏ ଟିକିଏ ବାରି ହୋଇପଡ଼ୁଥାଏ । ଶେଷଆଡ଼କୁ ସେ ମଧ୍ୟ ପଦେ କହିଥିଲା–ମୃତ୍ୟୁ ହିଁ ମାୟା; କିନ୍ତୁ ଜୀବନ ମାୟା ନୁହେଁ, ଶାଶ୍ଵତ । ଏହାର ଆଧୁନିକ ବ୍ୟାଖ୍ୟାକରି ବୁଝେଇବାକୁ ସେ ଆହୁରି ଚେଷ୍ଟା କରିଥିଲା ମଧ୍ୟ । ବହୁତଗୁଡ଼ାଏ କଥା କହିବା ତା’ ନୀତି ବିରୁଦ୍ଧ ତଥାପି ଖୁବ୍ କମ୍ ଶବ୍ଦରେ ହେଲେ ମଧ୍ୟ ଏହି ସଂକ୍ରାନ୍ତରେ ସେ ବହୁତ ବଡ଼ ବଡ଼ ଚିନ୍ତାକୁ ଅତି ତାତ୍ପର୍ଯ୍ୟପୂର୍ଣ୍ଣ ଭାବେ ଥୋଇଦେଲା । ଏପରିକି ବିଭୁପ୍ରସାଦ ମଧ୍ୟ ସେ ଯୁକ୍ତିର ତାତ୍ପର୍ଯ୍ୟ ଅନୁଭବ କରିବାକୁ ଆରମ୍ଭ କରିଥାଏ । କଥା କହୁ କହୁ ମନମୋହନ ପାଶ୍ଚାତ୍ୟ ଲୋକଙ୍କର ଉନ୍ନତ ଜାତୀୟ ଜୀବନ ଓ ବ୍ୟକ୍ତିଗତ ଜୀବନରେ ଅନୁଭୂତିର ପ୍ରାଚୁର୍ଯ୍ୟକୁ ଅଧ୍ୟାପକ ସେଠିଙ୍କ ମୃତ୍ୟୁ ସହିତ ଯୋଡ଼ିଦେଲା ଓ ହଠାତ୍ କହିଲା–

 

“ଶୁଣ ତରୁଣ ବନ୍ଧୁଗଣ ! ଯେକୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ଆରମ୍ଭରେ ଅନେକ ଧନ ଜୀବନ ଏମିତି ମାଟିରେ ଲୋଟିଯାଏ । ତୁମେ ୟାକୁ ଆତ୍ମହତ୍ୟା ବା ବିନବ୍ୟୟ କହୁଚ । କିନ୍ତୁ ମୋ ମତରେ ଅଧ୍ୟାପକ ସେଠି ତାଙ୍କ ଭାବୀ ବଂଶଧରଙ୍କ ପାଇଁ ଆତ୍ମହୁତି ଦେଇଛନ୍ତି । ଅଧ୍ୟାପକ ସେଠି ହିଁ ତାଙ୍କ ମୃତ୍ୟୁରେ ଆମମାନଙ୍କ ଆଖି ଖୋଲିଦେଇଛନ୍ତି । ସରକାରଙ୍କ ଦୃଷ୍ଟିକୁ ସେ ଆକୃଷ୍ଟ କରିଛନ୍ତି ବିଶ୍ଵବିଦ୍ୟାଳୟଆଡ଼କୁ ।”

 

ମନମୋହନର ପ୍ରଥମ ଭୁଲ୍‍ଟି ଏଇଠି ହୋଇଗଲା । କାରଣ ଏପର୍ଯ୍ୟନ୍ତ ତା’ର ବ୍ୟକ୍ତିଗତ ଶୋକରୁ ଉତ୍ପନ୍ନ ମୃତ୍ୟୁ ସବନ୍ଧୀୟ ହେତୁବାଦ ବିଶ୍ଵବିଦ୍ୟାଳୟ ଛାତ୍ରମାନଙ୍କୁ ଅଳ୍ପ ବହୁତେ ଶାନ୍ତ କରିପାରିଥିଲା । କିନ୍ତୁ ବ୍ୟକ୍ତିଗତ ଶୋକକୁ ସାର୍ବଜନୀନ କରିଦେବାକୁ ଯାଇ ସେ ଯେତେବେଳେ ଅନ୍ୟର ଆତ୍ମହତ୍ୟାକୁ ଆତ୍ମୋସ୍ତ୍ରର୍ଗ ବୋଲି କହିଲା ଓ “ମୁଁ” କୁ ଆମେ ବୋଲି ସମ୍ୱୋଧନ କଲା, ସାଙ୍ଗେସାଙ୍ଗେ ପ୍ରଶ୍ନହେଲା–ଏ “ଆମେ” ଲୋକଟି କିଏ ଓ ଆତ୍ମୋସ୍ୱର୍ଗ ବୋଲି ଯାହା କୁହାଯାଉଛି ସେଇଟି କାହା ନିକଟରେ ?

 

ମନମୋହନ ତେଣୁ ନିଜପକ୍ଷରୁ ଜାତୀୟ କାର୍ଯ୍ୟକ୍ରମର ଗୋଟିଏ ସଂକ୍ଷିପ୍ତ ବିବରଣୀ ଦେବାକୁ ବାଧ୍ୟହେଲା । ଏ ସମ୍ପର୍କରେ ଆଲୋଚନା କରିବାପେଇଁ ପଞ୍ଚବାର୍ଷିକ ଯୋଜନା ଓ ଏ ଯୋଜନାର ଅନ୍ତର୍ଗତ ବିଭିନ୍ନ ନିର୍ମାଣ ପରିକଳ୍ପନା; ଯଥା:–ଦେଶରେ ନୂଆ ବନ୍ଦର ନିର୍ମାଣ, ଶିଳ୍ପାୟତନ, ଶିକ୍ଷାୟତନର ପରିକଳ୍ପନା ଓ ଏ ମାଧ୍ୟମରେ ଦେଶରୁ ଅଜ୍ଞାନ, ଦାରିଦ୍ର୍ୟ ଓ ବେକାର ସମସ୍ୟା ଦୂରୀକରଣ ସହିତ ଜାତୀୟ ଜୀବନର ନୂତନ ବିକାଶ ସଂକ୍ରାନ୍ତୀୟ କେତେକ ଅତି ବ୍ୟବହୃତ ସାମ୍ବାଦିକ ଶବ୍ଦ ଉଚ୍ଚାରଣ କରିପକେଇଲା ।

 

ସେଗୁଡ଼ିକ ଏମିତି ଦିନଥିଲା ଯେତେବେଳେ ସାଧାରଣ ବିଶ୍ଵବିଦ୍ୟାଳୟ ଛାତ୍ରକୁ ମାତ୍ର ଦୁଇଜଣଲୋକ ବିରକ୍ତ ବା ଉତ୍ତେଜିତ କରିପାରୁଥିଲେ । ଘରେ ବାପ, ବାହାରେ ସରକାର । ବାପ–ବାର୍ଦ୍ଧକ୍ୟ, ନିରାଶ୍ରୟତା ନିଶ୍ଚେଷ୍ଟତା ଓ ସବା ଉପରେ ଦୀର୍ଘନିଃଶ୍ୱାସ ସହିତ ସେଇ ତ୍ରାହି ତ୍ରାହି ଡାକର ପ୍ରତୀକ । ସରକାର–ପିତୃତ୍ଵର ଅବିକଳ ପ୍ରତିବିମ୍ବ–କେବଳ ଦୀର୍ଘଶ୍ଵାସ ପରିବର୍ତ୍ତେ ଦୀର୍ଘ ବିବୃତ ଓ ତ୍ରାହି ସ୍ଥାନରେ ଆତ୍ମପ୍ରତାରଣା । ଆଉ ଏ ତ୍ରାହି ଓ ଆତ୍ମପ୍ରତାରଣାର ପ୍ରତିଧ୍ଵନିମାନେ ମିଳିତ ହେଉଥିଲେ ଯେଉଁଠି ତାହାହିଁ ସମ୍ବାଦପତ୍ର, ଯେଉଁ ସମ୍ବାଦପତ୍ରକୁ ଛାତ୍ରମାନେ କେବଳ ପଢ଼ୁନଥିଲେ, ପୋଡ଼ୁଥିଲେ ମଧ୍ୟ ।

 

ମନମୋହନ ଭୁଲ୍ ହୋଇଗଲା । ତା’ ବକ୍ତୃତାଟି ସେ ଯେମିତି ଆନ୍ତରିକତା ସହିତ ଆରମ୍ଭ କରିଥିଲା, ସେମିତି ଶେଷ କରିପାରିଲା ନାହିଁ । ଅଧ୍ୟାପକ ସେଠିଙ୍କ ଆତ୍ମହତ୍ୟାକୁ ଉପଲକ୍ଷ କରି ସେ ପ୍ରଥମରୁ ଯେମିତି ମାର୍ମିକତାର ସହିତ କରିପାରିଥିଲା–” ମୋ ମତରେ ବନ୍ଧୁତା ହିଁ ତାହା, ଯାହାକୁ ତୁମେ ନିର୍ବିଘ୍ନରେ ଲୁଣ୍ଠନ କରିପାର” ଶେଷପର୍ଯ୍ୟନ୍ତ ସେଇ ଭାବକୁ ରକ୍ଷା କରିପାରିଲାନାହିଁ-। ଯେଉଁ ମୁହୂର୍ତ୍ତରେ ସେଇ କେତୋଟି ସାମ୍ବାଦିକ ଶବ୍ଦ ତା’ ମୁହଁକୁ ଚାଲିଆସିଲା ବିଭୁପ୍ରସାଦ ଲକ୍ଷ୍ୟ କରିଥିଲା–ମନମୋହନର ମୁହଁଉପରୁ ନିଷ୍ଠାର କେତେଟା କିରଣ ହଠାତ୍ ଝାଉଁଳିପଡ଼ିଲା-

 

ମନମୋହନର ସମ୍ମୋହନ ଶକ୍ତିର ସୀମା ଏଇଠି ଧରାପଡ଼ିଲା । ମନମୋହନ ସେତେବେଳଯାକେ ସୁନ୍ଦର ଯେତେବେଳଯାକେ ସେ ନିଜର ଅହଙ୍କାର ପସରାକୁ ଦର୍ଶକମାନଙ୍କ ଆଗରେ ଖୋଲିଧରି ପ୍ରଦର୍ଶନୀଟିଏ ସୃଷ୍ଟି କରିଥାଏ । ଅବଶ୍ୟ ମଣିଷ ପରର ଅହଙ୍କାରକୁ ଭଲପାଏ ନାହିଁ । କିନ୍ତୁ ଅହଙ୍କାରୀ ଯେତେବେଳେ ନିଜ ପସରା ଖୋଲିଦିଏ ଓ ନିଜ ପସରାକୁ ଦେଖେଇ ବଡ଼ପାଟି କରେ–” ଦେଖ ! ଏହାଠାରୁ ବଳି ବଡ଼ ଅହଙ୍କାର ସୃଷ୍ଟିରେ ଅଛି ?” –ସେତେବେଳେ ସେ ଜଣେ କୃଷକଭଳି ସୁନ୍ଦର ଦିଶେ । କିନ୍ତୁ ପସରାକୁ ଘୋଡ଼େଇଦବାମାତ୍ରେ ଆରମ୍ଭ ହୋଇଯାଏ ଜଟିଳତା ।

 

ବିଶ୍ଵବିଦ୍ୟାଳୟ ହତାରେ ସେଇ ଜଟିଳତା ହିଁ ଆରମ୍ଭ ହୋଇଗଲା ସେଦିନ ।

 

ସମୁଦାୟ ଘଟଣାଟି ମୂଳରୁ ଶେଷଯାଏ ଘଟିଯିବାକୁ ଖୁବ୍ ଅଳ୍ପସମୟ ଲାଗିଲା । କାରଣ ଗୋଟିଏ ମୃତଦେହ ଓ ଉତ୍ତେଜିତ ଜନତା ଏମାନଙ୍କୁ କେନ୍ଦ୍ରକରି ଦୀର୍ଘସମୟ ବକ୍ତୃତା ଦବା ମୂର୍ଖତା ବୋଲି ମନମୋହନ ଜାଣେ । ତଥାପି ପଞ୍ଚବାର୍ଷିକ ଯୋଜନା ଉପରେ ସେ କଅଣ ପଦଟିଏ କହୁଥାଏ, ହଠାତ୍ ପୁଣିଥରେ ସେଇ ଗମ୍ଭୀର କଣ୍ଠର ଚିତ୍କାର ଶୁଣାଗଲା–

 

“ଦେଖନ୍ତୁ ଆଜ୍ଞା ! ମୁଁ ଯାହା କହୁଥିଲି ସେଇଆ କି ନା ? ଧର୍ମକୁ ଡାକିବା ସହଜ । କିନ୍ତୁ ଧର୍ମର ନିରପେକ୍ଷତା ସହ୍ୟକରିବା ସବୁଠୁଁ କଷ୍ଟ ! ହେଇ ଦେଖନ୍ତୁ ! ଅଧ୍ୟାପକଙ୍କ ନିଜହାତର ଦସ୍ତଖତ । କାଗଜଟି ଏଇଠି ପଡ଼ିଥିଲା । ପବନରେ ଆଉ ଟିକକେ ତ କୁଆଡ଼େ ଉଡ଼ିଯାଇଥାନ୍ତା !”

 

ଛାତ୍ରମାନଙ୍କ ବୃତ୍ତଟି ହଠାତ୍ ଲାଗିଆସିଲା କେନ୍ଦ୍ରଆଡ଼କୁ । ମନମୋହନ ତଥାପି କେନ୍ଦ୍ରରେ ଠିଆ ହୋଇଥାଏ । ବିଭୁପ୍ରସାଦ, ଟିପଆଗରେ ଠିଆହୋଇପଡ଼ିଲା ଓ କୂଅ ଫନ୍ଦଉପରେ ନଇଁପଡ଼ି ଭିତରର ପାଣିକୁ କଳନା କଲାପରି ମଣିଷମାନଙ୍କ ପିଠିଉପରକୁ ଉହୁଙ୍କି ଯିବାମାତ୍ରେ ଯେଉଁ ପ୍ରଥମ ଦୃଶ୍ୟଟି ତା’ ଆଖିରେ ପଡ଼ିଗଲା ସେଇଟା କାଗଜ ନୁହେଁ–ମଲା ମଣିଷର ମୁହଁ ! ଦୂରରେ ଥାଇ ଅଧ୍ୟାପକ ସେଠିଙ୍କର ମୃତ୍ୟୁକୁ ଏପର୍ଯ୍ୟନ୍ତ ମନମୋହନର ମୁହଁର ଅବସ୍ଥାରୁ ହିଁ ଅନ୍ଦାଜ କରୁଥିଲା ସେ । କିନ୍ତୁ ଏତେବେଳକେ ନିଜଆଖିରେ ସେ ମୁହଁକୁ ଦେଖିପକେଇବାମାତ୍ରେ ବିଭୁପ୍ରସାଦର ପୁଣି ମନେପଡ଼ିଗଲା ସେଇ ମୂଳ କଥା । ମନେପଡ଼ିଗଲା ସେଇ “ମୃତ୍ୟୁ”ର ମୁହଁ–ଯାହାକୁ ସେ ଜୀବନର ଆଦ୍ୟ ଶୋକ ବୋଲି କହେ ଓ ଯାହାର ବ୍ୟାଖ୍ୟାପାଇଁ ତା’ର ବାପାଙ୍କୁ ସେଦିନ ଚୁପ୍ ଚୁପ୍‍ କରି ପଚାରିଥିଲା–“ତୁମେ କଅଣ ଭାବୁଚ ? ବୋଉ ମରିଯାଇଚି ?”

 

କିନ୍ତୁ ଆଜି ତା’ର ପ୍ରଶ୍ନ ଓ ଉତ୍ତରର ରୀତି ସମ୍ପୂର୍ଣ୍ଣ ଅଲଗା । ପିଲାଦିନ ପରି ଆଜି ମୃତ୍ୟୁ ସମ୍ପର୍କରେ ପ୍ରଶ୍ନ ଏତେ ସଳଖ ନୁହେଁ କି ତା’ର ଉତ୍ତର ମଧ୍ୟ ଏତେ ସରଳ ନୁହେଁ ।

 

ସେପର୍ଯ୍ୟନ୍ତ ବିଭୁପ୍ରସାଦ ଅସଲ କାଗଜଟିକୁ ଦେଖିନଥାଏ କି ତହିଁରେ ଅଧ୍ୟାପକ ସେଠିଙ୍କର ହାତଲେଖା ବୋଲି କୁହାଯାଉଥିବା ଲେଖାଟିର ସାରାଂଶ କ’ଣ ଜାଣିପାରିନଥାଏ । ଘଟଣାଟା କଅଣ କାହାକୁ ପଚାରିବ ବୋଲି ମୁହଁ ବୁଲୋଉ ବୁଲୋଉ ହଠାତ୍ ପିଠିଉପରେ ଦାଉଁକରି ଗୋଟାଏ ପାହାର କୁଆଡ଼ୁ ଆସି ବାଜିଲା । ସେ ବସିପଡ଼ିଲା ଓ ଯନ୍ତ୍ରଣାରେ ଛଟପଟ ହୋଇ ପାଟିକରିଉଠିଲା–“ବୋଉଲୋ !”

 

ତାପରେ ଆରମ୍ଭ ହୋଇଗଲା–ଧାଁଧପଡ଼, ବାପାଲୋ ମା’ଲୋ । ତା’ ପଛକୁ ଟେକା । ଟେକା କିଏ ପ୍ରଥମେ ପକେଇଲା ଓ ତା’ର ଜବାବ କେତେ ସମୟଧରି ପୋଲିସକୁ ଦେବାକୁ ହେଲା ଲାଠି, ଟିଅରଗ୍ୟାସ୍ ଆଉ ବୁଟ୍ ଦଳାଦଳିରେ–ବିଭୁପ୍ରସାଦ ଜାଣେନା ।

 

ବିଭୁପ୍ରସାଦର ହୋସ୍ ଆସିଲା ପୋଲିସ୍ ଗାଡ଼ିର ଧକଡ଼ଚକଡ଼ରେ । ଆଖି ଫିଟେଇବାମାତ୍ରେ ସେ ପୁଣିଥରେ ଦେଖିଲା ସେଇ ମୁହଁଟିକୁ–ଅଧ୍ୟାପକ ସେଠିଙ୍କର ସେଇ ଶିଶୁସୁଲଭ ଚିକ୍କଣ ମୁହଁଟାକୁ–ଏତେ ନିକଟରୁ ସେ ମୁହଁକୁ ଆଉ କେବେ ଜୀବନରେ ଦେଖିନଥିଲା ସେ । କାରଣ ଏମିତି ପାଖାପାଖି ହୋଇ ପ୍ରାୟ ଗୋଟିଏ ଶେଯରେ, ପୁଣି ଏକା ଗତିଶୀଳ ଏକ ଲକ୍ଷ୍ୟାଭିମୁଖୀ କଦାପି ହୋଇନଥିଲା ସେ । ପୋଲିସଗାଡ଼ି ସେ ଦୁହିଁକୁ କୁଆଡ଼େ ବୋହିନେଉଥିଲା, ବିଭୁପ୍ରସାଦ ଜାଣିପାରିନଥାଏ ।

 

କିନ୍ତୁ ଗାଡ଼ିର ପ୍ରତ୍ୟେକଥର ଗତି ମନ୍ଥରତା ସହିତ ଗୋଟିଏ ଡାକ ବରାବର ତା’ କାନରେ ପଡ଼ୁଥାଏ–“ଅଧ୍ୟାପକ ସେଠି ଅମର ରହେ ।” ଏ ଡାକ ଯେ ସ୍ଵର୍ଗତ ଆତ୍ମାପ୍ରତି ସହରର ଶେଷ ଶ୍ରଦ୍ଧାଞ୍ଜଳି ଏଥିରେ ସନ୍ଦେହନଥାଏ ବିଭୁପ୍ରସାଦର । ମୃତ ଅଧ୍ୟାପକଙ୍କ ବୟସର ଛାଇ ନପଡ଼ିଥିବା ଚିକ୍କଣ ଚିବୁକକୁ ବିଭୁପ୍ରସାଦ ଆଉଥରେ ଅନାଉ ଅନାଉ ନିଜେ କେତେବେଳେ ପୁଣି ମୂର୍ଚ୍ଛା ହୋଇଯାଇଥିଲା ।

 

ଷୋହଳ

 

ପଞ୍ଚାୟତ ଶିଳ୍ପପରିକଳ୍ପନାର ପ୍ରଥମ ଅସରା ଧୂଆଁ ତଥାପି ଆକାଶରୁ ଲିଭିନାହିଁ, କୋଇଲାପୋଡ଼ା ଫୁରୁକୁଟିଆ ଗନ୍ଧ ଗାଁର ଏମୁଣ୍ଡସେମୁଣ୍ଡ ବ୍ୟାପିଗଲା । ଗାଁମୁଣ୍ଡରେ କେନାଲପାଖ ଗୋଚର ପଡ଼ିଆର ଫାଳକରେ ସେଦିନ ଚାରିଜଣ ବ୍ରାହ୍ମଣଙ୍କ ବେଦ ଉଚ୍ଚାରଣ ଧ୍ୱନିଭିତରେ ପ୍ରତିଷ୍ଠା ପାଇଥିବା ପଞ୍ଚାୟତ ଟାଇଲି କାରଖାନା ଚିମିନିଟାକୁ ଦୂରରୁ ଦେଖିପକାଇ ଉଦୁଉଦିଆ ଦି’ପହରେ ମଇଁଷି ଚରାଉଥିବା ଗୋଟିଏ କଠଉପିନ୍ଧା ବୁଢ଼ା ଗଉଡ଼କୁ କାଳୀସୀ ଧରିପକେଇଲା । ନାଚିନାଚିକା ଗଉଡ଼ବୁଢ଼ା ଝପଟିଆସିଲା ଗାଁମୁଣ୍ଡ କେନାଲପାଖକୁ । ଟାଇଲି କାରଖାନା ଉଦ୍‍ଘାଟନ ପାଇଁ ଜମାହୋଇଥିବା ମଣିଷ, ଗାଡ଼ି ମଟର, ବ୍ରାହ୍ମଣ ଆଉ ବେଦଧ୍ୱନିକୁ ବାଡ଼େ ରଖି କେନାଲ ଆରବାଡ଼କେ କାଳୀସୀ ଠିଆହୋଇ କାରଖାନା ଚିମିନିରୁ ଫୁତ୍‍ଫୁତ୍ ହୋଇ ବାହାରୁଥିବା ସେଇ କାଳୀୟ ଫୁତ୍କାରକୁ ଆହ୍ୱାନ ଜଣେଇଲା–ଦେଖ୍ ଦେଖ୍, ଦେଖ୍ ମୋ ପାଦକୁ ! ଦେଖୁଚୁ ଏ କଠଉକୁ-! ଚଢ଼ିଯିବି ! ଦଳିପକେଇବି ! ଦଳିପକେଇବି କହୁଚି–ସେ ସପ୍ତଫେଣୀ ମୁଣ୍ଡକୁ–ପୁଣି ଦେଖେଇଲୁ ମୁହଁ ? ବୁଡ଼୍ ବୁଡ଼୍ ବୁଡ଼୍–ବୁଡ଼ିଯା କହୁଚି ତୋ କାଳୀନ୍ଦୀ ଜଳରେ । ପଶିଯା, ପଶିଯା–ପଶିଯା ଗାତଭିତରକୁରେ କାଳୀଆ ! ନଚେତ୍...... !

 

କିନ୍ତୁ ଗାଁର କାଳୀସୀ, ବୁଢ଼ା ମଇଁଷିଆଳର ଏଇ “ନଚେତ୍” ପଦକୁ ନ ଶୁଣିଲାପରି ଶିଳ୍ପର ଧୂଆଁଉଠିଲା ଓ ଗାଁର ଆକାଶରେ ଫଣା ବିସ୍ତାର ମୁହୂର୍ତ୍ତକ ମଧ୍ୟରେ ସମସ୍ତଙ୍କୁ ଘୋଡ଼େଇ ପକେଇଲା–ସେଇ ଫଣାତଳେ ।

 

ତଥାପି ଶିଳ୍ପ ବିରୁଦ୍ଧରେ ଗାଁର ପ୍ରତିବାଦର ମଞ୍ଜି ପୋତା ହୋଇଥିଲା ସତେକି ସେଇ ବୁଢ଼ା ମଇଁଷିଆଳର କଠଉତଳେ ! ପଞ୍ଚାୟତ ଶିଳ୍ପ ପ୍ରତିଷ୍ଠାର ଦିନ ପନ୍ଦରଟା ନ ଯାଉଣୁ ଟାଇଲି କାରଖାନା କାନ୍ଥରେ ଗୋଟାଏ ପ୍ରଚାରପତ୍ର କୁଆଡ଼ୁ ଆସି ଲାଗିଗଲା । ସେଥିରେ ଲେଖାଥିଲା–“ଶ୍ରମିକ ମଜଦୂର ଜିନ୍ଦାବାଦ” ଏବଂ ତା’ ତଳକୁ ଆଉ ଗୋଟିଏ ଧାଡ଼ି–‘‘ଟାଇଲି ସରକାର ହୁସିଆର୍ ।”

କିନ୍ତୁ ଟାଇଲି କାରଖାନାଧୂଆଁରେ ଗାଁର ଆକାଶ ଯେତିକି ଯେତିକି ଆଚ୍ଛନ୍ନ ହେଉଥିଲା, ତେଣେ ଭବାନୀପ୍ରସାଦଙ୍କ ‘ଊର୍ଣ୍ଣନାଭ ଆଶ୍ରମ’ର ସ୍ୱାବଲମ୍ବନ ସେତିକି ଦୃଢ଼ହେବାର ଆବଶ୍ୟକତା ପଡ଼ିଯାଇଥାଏ । ଭବାନୀପ୍ରସାଦ ଗ୍ରାମପଞ୍ଚାୟତର ଟାଇଲି କାରଖାନା ସହିତ ପ୍ରତିଯୋଗିତା କରି ନିଜ ଆଶ୍ରମରେ ରାଣୀଗଞ୍ଜ ଟାଇଲି ତିଆରି କରିବା ଯୋଜନା ଅବଶ୍ୟ କରୁନଥିଲେ । ବରଂ ଗ୍ରାମପଞ୍ଚାୟତ ପକ୍ଷରୁ ନେଳିନାଲି କାଗଜରେ ଛପାହୋଇ ବଣ୍ଟାହୋଇଥିବା କେତେକ ପ୍ରଚାରପତ୍ରକୁ ସେ ମନଦେଇ ପଢ଼ିଥିଲେ । ପ୍ରଚାରପତ୍ରରେ ରହିଯାଇଥିବା ଗୋଟାଏ ଦୁଇଟା ବର୍ଣ୍ଣାଶୁଦ୍ଧିଯୋଗୁ ସେ ପ୍ରଚାରକମାନଙ୍କ ଉପରେ ସାମାନ୍ୟ ବିରକ୍ତ ହେବା ସତ୍ତ୍ୱେ ପ୍ରକୃତରେ ସେଇ ହଉଚନ୍ତି ଟାଇଲି କାରଖାନାର ପ୍ରଥମ ଗରାଖ । ନଅଣ୍ଟ ଖଦିକୁ ଅଣ୍ଟାଚାରିପାଖେ ଟାଣଟୁଣ କରି ସେଥିରୁ ଯାହା ପଇସା ବଞ୍ଚେଇଥିଲେ, ସେଥିରେ କେଇଖଣ୍ଡ ଟାଇଲି କିଣିଆଣି ସେ ସର୍ବପ୍ରଥମେ ନିଜ କୁକୁଡ଼ାଘରର ଚାଳ ଛପରକୁ ଉଡ଼େଇଦେଲେ ଓ ତା’ ଜେଗାରେ ଟାଇଲି ଛପର କରେଇଦେଲେ ।

ଭବାନୀପ୍ରସାଦଙ୍କ ଟାଇଲି କିଣିବା ଦିନ ଗାଁର କେତେଜଣ ଯୁବକ; ଯେ କି ଏଥିମଧ୍ୟରେ ଗ୍ରାମପଞ୍ଚାୟତର ଟାଇଲି କାରଖାନାକୁ ନାନାଦିଗରୁ ସମାଲୋଚନା କରିବା ଆରମ୍ଭ କରିଦେଇଥିଲେ, ଭବାନୀପ୍ରସାଦଙ୍କୁ ପରିହାସ କରିଥିଲେ–

 

“କଅଣ ମାଷ୍ଟ୍ରେ ! ଇଏ କୋଉ ସ୍ୱାବଲମ୍ବନ ?”

 

ଭବାନୀପ୍ରସାଦ ଗୋଟିଏ ଦିଗରେ ଟାଇଲି କାରଖାନାର ଚୁଲା ଓ ତାକୁ ଘେରି ଠିଆହୋଇଥିବା ଗାଁର ସେଇ କେଇଜଣ ଶ୍ରମିକଙ୍କ ଖଙ୍କା ପେଟରେ ଜଳୁଥିବା ଭୋକର ନିଆଁ ଓ ଅନ୍ୟଦିଗରେ ବେକାର, କିନ୍ତୁ କଳିଯୁଗର ସମସ୍ତେ ଅନ୍ୟାୟ ଓ ପାପ ବିରୁଦ୍ଧରେ ନିଜର ସମସ୍ତ କ୍ରୋଧକୁ ଆଖିଭିତରେ ହାକୁ–ହାକୁ କରୁଥିବା ଯୁବକମାନଙ୍କ ନିଆଁକୁ ଅନେଇ କିଛି ସମୟ ସ୍ଥିରହୋଇ ଠିଆହୋଇପଡ଼ିଲେ । ଅଣ୍ଟାରୁ ପଇସା କାଢ଼ି ଅଧାଗଣା କରି ସେ ଧରିଥିଲେ । ଟାଇଲି ଡିପୋରୁ ଟାଇଲି ଗଣିସାରି ଗାଁର କୁଷିଆ ପ୍ରଧାନ, ଯେ ଗତକାଲି କୃଷକ ଥିଲା ଆଜି କାରଖାନା ଶ୍ରମିକ ହେଇ କୋଇଲାପୋଡ଼ା ଫୁରୁକୁଟିଆ ଧୂଆଁରୁ ବେଜାଏ ଶୋଷି ଦେଇଥିବାରୁ କି କଅଣ, ବେଜାର ହୋଇ ପାଟିକରି କହିଲା–

 

“ଦିଅମ ! ଦଉନ ! ଟଙ୍କାବୋଲି ଏତିକି–କେତେ ଫଟେଇହଉଚ ବା ! ଫୋରମିଆନ୍ ତେଣେ ପରା ସୁସୁରି ମାଇଲାଣି–”

 

ଗାଁର ଯୁବକମାନଙ୍କ ପ୍ରଶ୍ନର ଉତ୍ତର ନ ଦେଇ ଭବାନୀ–ପ୍ରସାଦ କୁଷିଆ ପଧାନ ହାତକୁ ବାକିତକ ଟଙ୍କା ବଢ଼େଇଦେଲେ ଓ ଟାଇଲିତକ ଧରି ଚାଲିଆସିଲେ । ବାଟରେ ମନକୁ ବୁଝେଇଦେଇ ସେ କହିଲେ–“ସ୍ୱାବଲମ୍ବନର ଅର୍ଥ ହାତରେ ରାଣୀଗଞ୍ଜ ଟାଇଲି ନୁହେଁ–କୁକୁଡ଼ା ତିଆରି । ପ୍ରଥମେ କୁକୁଡ଼ାମାନେ ନିରାପଦ ରୁହନ୍ତୁ । ମଣିଷ ବଳେ ନିରାପଦ ହେଇଯିବ ।”

 

କିନ୍ତୁ ଭବାନୀପ୍ରସାଦଙ୍କର କୁକୁଡ଼ାମାନଙ୍କର ନିରାପତ୍ତା ନା ଥିଲା ଚାଳଘରେ, ନା ଟାଇଲିଘରେ । ତାହା ଥିଲା ଭବାନୀପ୍ରସାଦଙ୍କର ଦିନୁଦିନ ଜାକିହୋଇ ଆସୁଥିବା ନିଜ ନିରାପତ୍ତାବୋଧ ଉପରେ–ଯାହାକୁ ଏତେଦିନ ସ୍ୱାବଲମ୍ବନ ବୋଲି ସେ ମନେକରି ଆସିଥିଲେ ।

 

ଅନିରୁଦ୍ଧର ଟେଷ୍ଟ୍ ପରୀକ୍ଷା ପାଖେଇଆସୁଥାଏ । ଏହି ସମୟରେ ଚିଠି ଆସିଲା–ଭୟଙ୍କର ଛାତ୍ର ଆନ୍ଦୋଳନ । ସ୍କୁଲ କଲେଜ ବନ୍ଦ । ପ୍ରତିଦିନ ଶୋଭାଯାତ୍ରା ଓ ଲାଠିଚାର୍ଜ ଚାଲିଛି ଇତ୍ୟାଦି–କିନ୍ତୁ ସବାପଛକୁ ଥିଲା ଧାଡ଼ିଟାଏ, ଯାହାକୁ ଦେଖୁଦେଖୁ ଭବାନୀପ୍ରସାଦ ଚମକିଉଠିଲେ । ତାଙ୍କର ମନେହେଲା, ସତେଯେମିତି ତାଙ୍କ ପାଖରେ ଖୁବ୍ ଚଢ଼ାଗଳାରେ କିଏ ଧାଡ଼ିଏ ଚଣ୍ଡୀପାଠ କରିଦେଲା । କିନ୍ତୁ ଏପରି ଭୁଲ୍ ଉଚ୍ଚାରଣ ଯେ, ପ୍ରତି ପଦକରେ ଖାଁ–ଖାଁ ହୋଇ ହସିପକାଉଥିବା ଚଣ୍ଡୀର ହସରେ ଭବାନୀପ୍ରସାଦଙ୍କ ଆପାଦମସ୍ତକ ଭୟରେ ଥରିଗଲା । ପୁଅକୁ ସେଇ ଚଣ୍ଡୀମୁହଁରୁ ରକ୍ଷା କରିବାପାଇଁ ସେମିତି ଥରିଥରିକା ବସିବାଥାନରୁ ଉଠିପଡ଼ିଲେ ଭବାନୀପ୍ରସାଦ । ଅନିରୁଦ୍ଧ ଲେଖିଥିଲା–

 

“ମୁଁ ମୂଳରୁ କହୁଚି, ଏ ପାଠରେ କିଛି ନାହିଁ ବାପା ! ଯେଉଁଭାବେ ମୋ ନିଜ ଭାଇ ଓ ଛାତ୍ରଭାଇଙ୍କୁ କଲେଜ ହତାଭିତରେ ପଶି ପୁଲିସ୍ ପିଟିଦେଇଗଲା, ଲାଇବ୍ରେରିରେ ବସିଥିବା ଜଣେ ମେଧାବୀ ଛାତ୍ରଙ୍କୁ ଭିଡ଼ିଆଣି ତଳେ ପକେଇଦେଲା, ତା’ ମୁଣ୍ଡକୁ ଗୋଇଠା ଉପରେ ଗୋଇଠା ଚଢ଼େଇ କହିଲା–‘ଏଃ ! ଶଳା ମୁଣ୍ଡରେ କେତେ ବୁଦ୍ଧି ରଖିଚି । ଆରବର୍ଷକୁ ଆଇ.ଏ.ଏମ୍. ପାଇଥାନ୍ତା ।’ ୟାର ମୁକଦ୍ରଷ୍ଟା ହୋଇ ଆମେ କଅଣ ବସିରହିବା ? ମୁଁ ଚାଲିଲି ବାପା–ମୁଁ ଚାଲିଲି-!”

 

ଅନିରୁଦ୍ଧର ଏଇ ଶେଷପଦଟି ଭବାନୀପ୍ରସାଦଙ୍କୁ ସବୁଠୁଁ ବେଶୀ ତର୍କେଇଦେଲା ।

 

ଭବାନୀପ୍ରସାଦ ଦଉଡ଼ିଲେ ସହରକୁ ।

 

ଛାତ୍ରପରିଷଦ ପକ୍ଷରୁ ସେଦିନର ଆନ୍ଦୋଳନ ପାଇଁ ଯେଉଁ ଶୋଭାଯାତ୍ରା ସଜ ହେଉଥିଲା, ସେଇଥିରେ ଅଗ୍ରଣୀ ହେବାପାଇଁ ପୁଅ ସଜ ହେଉଥିଲା–ପହଞ୍ଚିଗଲେ ଭବାନୀପ୍ରସାଦ-

 

ମୁହୂର୍ତ୍ତକ ମଧ୍ୟରେ ସବୁକଥା ସଫା ହୋଇଗଲା ଭବାନୀପ୍ରସାଦଙ୍କ ଆଖିରେ । ରାଷ୍ଟ୍ରର ଚଣ୍ଡୀ ପୁଅକୁ ଅଧା ଖାଇସାରିଲାଣି ଦେଖି ଭବାନୀପ୍ରସାଦ ତାଙ୍କ ଶେଷ ପାଦଟିକୁ ଆହୁରି ଜୋର ବଢ଼େଇଦେଲେ–“ରହ ! ଖା’ନା, ଖା’ନା ତାକୁ, ମୁଁ ଆସିଗଲିଣି–ସବୁ ଭୁଲ୍ ସୁଧାରିନେବି ।” କହୁ କହୁ ପୁଅ କାନ୍ଧଉପରେ ପଡ଼ିଗଲା ବାପର ହାତ ।

 

ସହର ରାସ୍ତାରେ ଧଇଁସଇଁ ହୋଇ ଦଉଡ଼ିଥିବା ନିଜ ବାପକୁ ଦେଖିପକେଇ ଅନିରୁଦ୍ଧର ମୁହଁ ଲାଲ୍ ପଡ଼ିଗଲା । ରାସ୍ତାରେ ଶହ ଶହ ଛାତ୍ର ସେତିକି ବେଳକୁ ଜମିଯିବାକୁ ଆରମ୍ଭ କରିଥାନ୍ତି । ସେମାନେ ସମସ୍ତେ ଏକା । କାହାରି ପଛରେ ବାପଟିଏ ଧଇଁସଇଁ ହୋଇ ଦଉଡ଼ିନଥାଏ । କିନ୍ତୁ ନିଜପଛରେ ଜୋକପରି ଲାଗିରହିଥିବା ସେଇ ମଣିଷଟାକୁ ଦେଖିପକେଇ ଆଜି ଅନିରୁଦ୍ଧ କଅଣ ଭାବିଲା, ଲାଲ୍‍ରୁ ଶେଥା, ଶେଥାରୁ କଇଁଥା ପଡ଼ିଗଲା । ଆଉ ଚାହୁଁ ଚାହୁଁ ଧାରେ ଲୁହ ଗଡ଼ିପଡ଼ିଲା ତା’ ଆଖିରୁ ।

 

ଭବାନୀପ୍ରସାଦ ଚିହ୍ନନ୍ତି ତାଙ୍କର ପୁଅମାନଙ୍କର ଏ ରଙ୍ଗପରିବର୍ତ୍ତନକୁ, ଆଉ କାନ୍ଦକୁ । ସେ ପରିବର୍ତ୍ତନ, ସେ କାନ୍ଦ ଅଭିମାନ ବା ଦୁଃଖର ନୁହେଁ । ଛେଉଣ୍ଡ ପିଲାଙ୍କ କାନ୍ଦ ସେଗୁଡ଼ାକ । ସେମାନେ ହେଉଛନ୍ତି ତ୍ରିଶଙ୍କୁ–ସଶରୀରେ ସ୍ୱର୍ଗକୁ ଯିବାର ଇଚ୍ଛା ଯାହାଙ୍କର ପ୍ରଚୁର । କିନ୍ତୁ ସ୍ଵର୍ଗରେ ସେମାନଙ୍କର ସ୍ଥାନ ନ ଥାଏ କି ତାଙ୍କୁ ସ୍ୱର୍ଗକୁ ପଠେଇବାଲାଗି ତଳେ ରହି ଯୋଉମାନେ ଯଜ୍ଞ କରନ୍ତେ, ସେ କୁଳପୁରୋହିତ ବି ସେମାନଙ୍କ ପାଇଁ ଯଜ୍ଞ କରିବାକୁ ପ୍ରସ୍ତୁତ ନ ଥାନ୍ତି ।

Unknown

 

ଏ ପୃଥିବୀ ତ୍ରିଶଙ୍କୁମୟ ନୁହେଁ, ବିଶ୍ଵାମିତ୍ର ଶୂନ୍ୟ ହୋଇଗଲେଣି–ଏତିକି ଭାବୁଭାବୁ ନିଜେ ବିଶ୍ଵାମିତ୍ର ପାଲଟିଯିବାକୁ ବସିଲେ ଭବାନୀପ୍ରସାଦ । ତଥାପି ସ୍ୱରକୁ ନରମ କରି ସେ ଅନିରୁଦ୍ଧକୁ ଉପଦେଶ ଦେଲେ–“ପରୀକ୍ଷାପେଇଁ ଲାଗିଯା । ମୁଁ ଯାହା ଦେଖିପାରୁଚି, ଏ ଆନ୍ଦୋଳନ କିଛି ନୁହେଁ । ଅସଲ ଆସୁଚି ଆଗକୁ । ମାତ୍ ନା ଏଥିରେ, ଫେରିଚାଲ ।”

 

ଅନିରୁଦ୍ଧ ବୁଝିପାରିଲା ନାହିଁ । ତା’ ଛଡ଼ା ସେ ତ ଏକା ନ ଥିଲା । ତା’ ସାଙ୍ଗରେ ଥିଲେ ଆଉ କେତେଜଣ, ଯୋଉମାନେ ଶୋଭାଯାତ୍ରାରେ ଅନିରୁଦ୍ଧକୁ ଅଗ୍ରଣୀ କରିନବାକୁ ବାଟବରଣ ପାଇଁ ଅପେକ୍ଷା କରି ରହିଥିଲେ । ନେତାର କାନ୍ଧଉପରେ ଖଦଡ଼ପିନ୍ଧା ଜଣେ ବୁଢ଼ା କାହିଁକି ହାତ ଥୋଇଲାଣି ଦେଖି ବେଢ଼ିଆସିଲେ ଚାରିଆଡ଼ୁ । କିଏ ଜଣେ ହାତ ବି ଲାଗେଇଦେଲା ଭବାନୀପ୍ରସାଦଙ୍କ ଧୋତି ଫେରରେ ।

 

ଅପ୍ରତିଭ ହୋଇଗଲେ ଭବାନୀପ୍ରସାଦ । ଚାଳିଶବର୍ଷର ଶିକ୍ଷକତା ଭିତରେ ଛାତ୍ରମାନଙ୍କର ସ୍ୱରୂପ ସେ ଅଳ୍ପବହୁତେ ଚିହ୍ନିଥିଲେ । କିନ୍ତୁ ତ୍ରିଶଙ୍କୁର କ୍ରୋଧରେ ସମ୍ମୁଖୀନ ସେ ଏଇ ପ୍ରଥମଥର ଯେମିତିକି ହୋଇଥିଲେ ।

 

ଭବାନୀପ୍ରସାଦଙ୍କର ବିଶ୍ଵାମିତ୍ରଭାବ ତଥାପି କଟିନଥାଏ ସେଇ ଭାବରେ ବଶବର୍ତ୍ତୀ ହୋଇ ସେ କହିପକେଇଲେ–“ଶୁଣ ପିଲାଏ ! ଅସଲ ଯଜ୍ଞର ଆୟୋଜନ କର । ଏ ଯଜ୍ଞର ହୋତା ସେମାନେ ନୁହନ୍ତି–ଯାହାଙ୍କ କଥାରେ ପଡ଼ି ତୁମେ ଏ ଆନ୍ଦୋଳନରେ ମାତିଛ, କି ଯାହା ବିରୁଦ୍ଧରେ ତୁମେ ଏ ଶୋଭାଯାତ୍ରାରେ ବାହାରିଚ । ଏ ଯଜ୍ଞର ହୋତା ମୁଁ, ଆମେ–ତୁମରି ବାପାମାନେ–ଯେଉଁମାନେ ଏଠି ନାହାନ୍ତି । ତାଙ୍କର ତପସ୍ୟା ତାଙ୍କରି ପୁଣ୍ୟର ଶକ୍ତିବଳରେ ତୁମେ ଭାରତର ସ୍ଵାଧୀନତାଭଳି ଅଧାସ୍ୱର୍ଗରେ ହେଲେ ତିଷ୍ଠିଚ । ଏଇ ଅଧାସ୍ୱର୍ଗକୁ ବି ତୁମ ପାଦତଳୁ ଓଟାରିନବାପାଇଁ ତେଣେ ଲୋକ ଛକିଗଲେଣି । ଆଜିକାର ଖବରକାଗଜ ଦେଖିଚ ?”

 

ଛାତ୍ରମାନେ ଭବାନୀପ୍ରସାଦଙ୍କର ପ୍ରାଥମିକ ଯୁକ୍ତିରେ ସାମାନ୍ୟ ଆଶ୍ୱସ୍ତ ହେଉ ହେଉ ପୁଣି ଫିଡ଼ିକିଗଲେ–ତାଙ୍କର ସେଇ ଶେଷ ପଦରେ । ସ୍ୱାଧୀନତାକୁ ଅଧାସ୍ୱର୍ଗ ସହିତ ତୁଳନା କରୁ କରୁ ଛାତ୍ରମାନଙ୍କ ଭିତରୁ କେହି କେହି ଗୋଟାଏ ଦିଇଟା ତାଳିମାରି ଆସୁଥିଲେ; କିନ୍ତୁ ଭବାନୀପ୍ରସାଦଙ୍କ ଯୁକ୍ତିରେ ଖବରକାଗଜ ଶବ୍ଦ ଶୁଣୁଶୁଣୁ ସବୁ ବେତାଳିଆ ଧରିଗଲା । ଛାତ୍ରମାନେ ପୁଣି ଥରେ ସନ୍ଦେହଶୀଳ ଚକ୍ଷୁରେ ଭବାନୀପ୍ରସାଦଙ୍କ ଖଦିକୁ ଚାହିଁଲେ । ଜଣେ କିଏ ପଚାରିଦେଲା–

 

“ଆପଣ କୋଉ ଖବରକାଗଜର–ମଉସା ? ଯେଉଁଥିରେ ପଞ୍ଚବାର୍ଷିକ ଯୋଜନାର ସଫଳରୁ ପୃଷ୍ଠାଏ ଓ କୁଫଳରୁ ପୃଷ୍ଠାଏ ବାହାରିଥାଏ–ତାରି ସମ୍ବାଦଦାତା ?”

 

ଭବାନୀପ୍ରସାଦ ନିଜେ ବି ବୁଝିପାରିଲେ ନାହିଁ ଛାତ୍ରମାନଙ୍କର ପରିହାସ । ଗମ୍ଭୀର ହୋଇ କହିଲେ–“ମୁଁ ଯୋଜନା କଥା କହୁନାହିଁ–ଯଜ୍ଞକଥା କହୁଚି–ଯୁଦ୍ଧକଥା କହୁଚି–ଖବରକାଗଜରେ ବାହାରିନାହିଁ ? ତେଣେ ସୀମାରେ ସୈନ୍ୟଛାଉଣୀ–ସାଜ ସାଜ ଡାକ–କମ୍ୟୁନିଷ୍ଟମାନେ ଚାହିଁବସିଛନ୍ତି–ଦେଶର ଅଭ୍ୟନ୍ତରୀଣ ବିତ୍ପାତ ଆରମ୍ଭ ହୋଇଗଲା.... ।”

 

ଏଥର ଅନିରୁଦ୍ଧ ମଧ୍ୟ ଯୋଗଦେଲା ସେଇ ହାଉହାଉ, ସେଇ ପରିହାସରେ । ଜଣେ ଛାତ୍ର ଅଟ୍ଟହାସ୍ୟ କରି ଉଠି କହିଲା–

 

“ପୁରୋହିତଙ୍କୁ ସବୁ ଯୋଜନା କରିଆସେ–ଆମେ ଜାଣୁ ତମ ଫନ୍ଦି ! ଯେଉଁଠି ପଞ୍ଚବାର୍ଷିକ ଯୋଜନା ଶେଷ ହୁଏ, ସେଇଠି ଯୁଦ୍ଧ ଯୋଜନା ଆରମ୍ଭ କରିବା ତତ୍ତ୍ୱ ଆଜିର ନୁହେଁ–ବହୁ ପୁରୁଣା । ଜାତୀୟ ଯୋଜନାର ପରିଣତି ହିଁ ଯୁଦ୍ଧ । ଆମେ ବରଂ ଯୁଦ୍ଧ ଚାହୁଁ–ଯୁଦ୍ଧ ! ଆମେ ମରିବାକୁ ଚାହୁଁ, ମରିବାକୁ ! ଅନ୍ତରର ଶତ୍ରୁକୁ ଲୁଚେଇବାପେଇଁ ବାହାରର ଶତ୍ରୁକୁ କାଳେ କାଳେ କଳା ଅପରିଚ୍ଛିନ୍ନ କମ୍ୟୁନିଷ୍ଟ କହିଥାଏ ମଣିଷ । କିନ୍ତୁ ଆଜି ଆମର ପଣ–ଅନ୍ତରର ଶତ୍ରୁକୁ ସମୂଳେ ଉପାଡ଼ି ଫୋପାଡ଼ିବୁ–କମ୍ୟୁନିଷ୍ଟଙ୍କ କଥା ପଛକୁ ।”

 

ଭବାନୀପ୍ରସାଦଙ୍କ ଆଖି ଆପେଆପେ ସେଇ ପିଲାଟିଆଡ଼କୁ ବୁଲିଗଲା । ତାକୁ ଦେଖିପକାଇବାମାତ୍ରେ କାହିଁକି କେଜାଣି ତାଙ୍କୁ ଲାଗିଲା ଏ ହଉଚି ସେଇ ଛାତ୍ର ଯାହାକୁ ଲାଇବ୍ରେରି ଭିତରୁ ଟାଣିଆଣି ପୁଲିସ୍ ତା’ ମୁଣ୍ଡକୁ ବୁଟ୍ ମାରି କହିଥିଲା–ଏ...ଆଇ. ଏ. ଏସ୍. ହୋଇଥାନ୍ତା !

 

ଅନିରୁଦ୍ଧକୁ ଛାଡ଼ିଦେଇ ଭବାନୀପ୍ରସାଦ ଏଥର ସେଇ ମେଧାବୀ ଛାତ୍ରଟିକୁ ହିଁ କିଛି ସମୟ ଦେଖିଲେ । ସେଇ ପିଲାଟିକୁ ଦେଖିଲାପରେ ଭବାନୀପ୍ରସାଦଙ୍କର କେମିତି କେଜାଣି ଗୋଟାଏ ହୃଦବୋଧ ଜାତ ହୋଇଗଲା ଓ ହଠାତ୍ ତାଙ୍କଭିତରେ କିଏ ଯେମିତି କହିଲା, ଠିକ୍ ଅଛି–ଠିକ୍ ରାସ୍ତାରେ ଅଛନ୍ତି ମୋ ପିଲାଏ ! ସେଇଠାରୁ ଚୁପ୍ ହୋଇ ଫେରିପଡ଼ିଲେ ଭବାନୀପ୍ରସାଦ–ଗାଁମୁହାଁ । ଅନିରୁଦ୍ଧ ବାପଠୁ ବିଦାୟନେଇ ଚାଲିଗଲା । ଛାତ୍ର ଶୋଭାଯାତ୍ରା ଆଗେଇଗଲା । ଭବାନୀପ୍ରସାଦ ଗାଁମୁହାଁ ! ଦି’ପାଦ ଫେରିଛନ୍ତି କି ନାହିଁ, ପୁଣି କ’ଣ ଯେମିତି ସଲସଲ ହୋଇଗଲା ମନଭିତରେ । ବୁଲିପଡ଼ିଲେ । ଶୋଭାଯାତ୍ରାର ମାରାତ୍ମକ ସ୍ଲୋଗାନ୍ ପୁଣି ଥରେ ଅଶୁଦ୍ଧ ଚଣ୍ଡୀସ୍ତୋତ୍ରର ଉଚ୍ଚାରଣ ପରି ଥରେଇଦେଲା ତାଙ୍କୁ । ବୁଲିପଡ଼ି ଶୋଭାଯାତ୍ରା ଆଗକୁ ଦଉଡ଼ିଲେ ସେ । କିନ୍ତୁ ଅନିରୁଦ୍ଧର ମୁହଁ ପରିବର୍ତ୍ତେ ସେଇ ମେଧାବୀ ଛାତ୍ରଟିର ମୁହଁ ପୁଣି ଥରେ ତାଙ୍କ ଆଖିକୁ ଦିଶିଗଲା । ମେଧାବୀ ଛାତ୍ରମାନଙ୍କ ଉପରେ ଭବାନୀପ୍ରସାଦଙ୍କର ଦୀର୍ଘ ଚାଳିଶ ବର୍ଷର ଆସ୍ଥା ତାଙ୍କୁ ପୁଣି ଅଟକେଇଦେଲା । ତଥାପି ତାଙ୍କ ଅନ୍ତରରେ ଖଲଖଲ ହୋଇଥିବା ସେହି ପ୍ରଶ୍ନଟି ତାଙ୍କୁ ଆଗକୁ ଠେଲିନେଲା ।

 

ଶୋଭାଯାତ୍ରା ଭିତରୁ ସେଇ ମେଧାବୀ ଛାତ୍ରଟିକୁ ସେଦିନ ଆଉ ଥରେ ଏକୁଟିଆ ବାହାରକୁ ଟାଣିନେଇ ତା’ ସହିତ ଟିକିଏ ନିରୋଳାରେ କଥାବାର୍ତ୍ତା ହେବାପାଇଁ ଇଚ୍ଛାକରି ଭବାନୀପ୍ରାସଦ ଆଗେଇଯାଇଥିଲେ । ପିଲାଟିକୁ ଠାବ କରିପାରିଥିଲେ ସେ । ପିଲାଟିକୁ ହାତରେ ପାଇଲାମାତ୍ରେ ଓ ମ୍ୟାଟ୍ରିକରେ ସେ ପ୍ରଥମ ହୋଇଥିଲା ବୋଲି ଶୁଣିଲାମାତ୍ରେ ବାତ୍ସଲ୍ୟରେ ଗଦ୍‍ଗଦ୍ ହେଲାପରି ପ୍ରଥମେ ତାକୁ କୁଣ୍ଢେଇପକେଇଲେ । କିନ୍ତୁ ସେଇ କୁଣ୍ଢେଇବା ଭିତରେ ଭବାନୀପ୍ରସାଦ ତାକୁ ତାଙ୍କ ଅନ୍ତରର ସେଦିନର ବଡ଼ ପ୍ରଶ୍ନଟିକୁ ମଧ୍ୟ ପଚାରିଦେଇଥିଲେ । ବହୁଦିନଧରି ଜଣେ ମେଧାବୀ ଛାତ୍ର ସହିତ ନିଜ ମନର ଏୟି ନିଶ୍ଚିତ ପ୍ରଶ୍ନଟି ଆଲୋଚନା କରିବାପାଇଁ ଭବାନୀପ୍ରସାଦଙ୍କର ବଳବତୀ ଇଚ୍ଛା ରହିଥିଲା । ସୁବିଧା ପାଇଗଲେ ସେ–କହିଲେ–

 

“ତୁମେ ଅନ୍ତରର ଶତ୍ରୁକୁ ମାରିବ ବୋଲି ପଣ କରିଛ–ଶୁଣି ଖୁସିହେଲି; କିନ୍ତୁ ମୋର ଗୋଟାଏ କଥା ପଚାରିବାର ଅଛି । ତୁମେ ଜଣେ ବୁଦ୍ଧିମାନ ଯୋଗ୍ୟ ଛାତ୍ର । ମୋର ଏ ପ୍ରଶ୍ନର ଉତ୍ତର ଦିଅ । ମଣିଷପକ୍ଷରେ ତା’ ନିଜ ସ୍ଵାଧୀନତା ବଡ଼; ନା ତା’ ମାତୃଭୂମିର ସ୍ଵାଧୀନତା ବଡ଼ ? କ’ଣ ତୁମେ ଭାବୁଚ ଏ ବିଷୟରେ ?”

 

ଛାତ୍ରଟି ଭବାନୀପ୍ରସାଦଙ୍କ ମୁହଁକୁ ଟିକିଏ ବେଳ ଚାହିଁଲା । କଅଣ ଭାବିଲା–କହିଲା–

 

“ଆପଣ ସ୍ଵାଧୀନତାକୁ ତିନୋଟି ସତ୍ୟଗାରଦ୍ଵାରା ବନ୍ଦିନୀ ହୋଇଥିବା ସୀତାଙ୍କ ରୂପରେ ଦେଖୁଛନ୍ତି ମଉସା ।”

 

ଭବାନୀପ୍ରସାଦଙ୍କୁ ତା’ର ସେଇ ମଉସା ଡାକ ଅପେକ୍ଷା ସୀତାଙ୍କ ପ୍ରସଙ୍ଗକୁ ଏତେ ଝଟ୍ ଡେଇଁପଡ଼ିବାର ସେଇ ଭଙ୍ଗିଟି ଭାରି ସୁନ୍ଦର ଦିଶିଲା ।

 

“କହ, କହ, କହିଯା–“ଆନନ୍ଦରେ ଗଦ୍‍ଗଦ୍ ହୋଇଉଠିଲେ ଭବାନୀପ୍ରସାଦ । ଶୋଭାଯାତ୍ରା ଆଗେଇ ଯାଉଥିଲା । ଛାତ୍ରଟିର ସମୟ ନ ଥିଲା । ତଥାପି କଥାଟିକୁ ଶେଷ କରିବାପାଇଁ ଟିକିଏ ଅଟକିଗଲା ।

 

“ସୀତାଙ୍କ କୁଡ଼ିଆ ଆଗରେ ତିନୋଟି ଗାର କାଟିଦେଇ ଲକ୍ଷ୍ମଣ ତାଙ୍କୁ କୁଡ଼ିଆଭିତରେ ବନ୍ଦୀ କରିଦେଇ କହିଯାଇନଥିଲେ–ବିପଦ ଏଇ ତିନିଗାର ସେପଟେ ଦେବୀ ! କିନ୍ତୁ ସୀତା କଅଣ କଲେ ? ଲକ୍ଷ୍ମଣଙ୍କ ତିନିଗାର ଡେଇଁ ଭିକ୍ଷୁକବେଶୀ ରାବଣକୁ ଭିକ୍ଷା ଦବାପାଇଁ ସେ ପାଦ ବଢ଼ାଇଦେଲେ ନା ନାହିଁ ? ବହିଃସ୍ଥ ଗାରର ସୀମା ଅନ୍ତସ୍ଥ ବାସ୍ତବତାର ଦାବିକୁ ଅଟକେଇପାରିଲା-? ଏ ପୃଥିବୀରେ ସ୍ଵାଧୀନତାର କୌଣସି ଭୌଗୋଳିକ ସୀମା ନାହିଁ । ପୃଥିବୀ ଏକ, ମଣିଷ ଏକ–ଏକ ହିଁ ଆମର ସ୍ଵାଧୀନତା । ଆମପାଖରେ ମାତୃଭୂମି, ପିତୃଭୂମି ଚେତନା ନିରର୍ଥକ-।”

 

ଶୋଭାଯାତ୍ରାର କୋଳାହଳ ବଢ଼ି ଉଠିଥାଏ । ବନ୍ଧୁକ ଓ ଲାଠିଧାରୀ ପୋଲିସ୍ ଛାତ୍ରମାନଙ୍କ କଡ଼େ କଡ଼େ ଜଗି ଜଗି ଚାଲୁଥାନ୍ତି । କିନ୍ତୁ ଭବାନୀପ୍ରସାଦ ସେଆଡ଼କୁ ଦୃଷ୍ଟି ନ ଦେଇ ସେଇ ମେଧାବୀ ଛାତ୍ରଟି ତା’ର ସେଇ କବିତ୍ଵପୂର୍ଣ୍ଣ ଉତ୍ତରରେ ବାସ୍ତବିକ କଅଣ ସୂଚେଇବାକୁ ଚାହୁଁଥିଲା, ସେଇଆକୁ ଚିନ୍ତାକରିବା ପାଇଁ ଟିକିଏ ଅଟକିଗଲେ ।

 

ପିଲାଟି ଭବାନୀପ୍ରସାଦ ପାଇଁ ଅପେକ୍ଷା ନକରି ଆଗେଇ ଯାଉଥାଏ । ଭବାନୀପ୍ରସାଦ ତାର ଉତ୍ତେଜନାକୁ ଲକ୍ଷ୍ୟ କରିଥାନ୍ତି ଓ ପାଖେ ପାଖେ ଚାଲିଥିବା ପୋଲିସ୍ର ଉତ୍ତେଜନାକୁ ମଧ୍ୟ ଲକ୍ଷ୍ୟ କରୁଥାନ୍ତି । ହଠାତ୍ ସମସ୍ତ ପ୍ରଶ୍ନର ସମାଧାନ ପାଇଗଲାପରି ସେ ନିଜ ଉତ୍ତେଜିତ ହୋଇପଡ଼ିଲେ ଓ ସାଙ୍ଗେ ସାଙ୍ଗେ ଦଉଡ଼ି–ଗଲେ । ତାଙ୍କର ଲକ୍ଷ୍ୟ ଆଜି ଅନ୍ୟ କେହି ନ ଥିଲା, ଥିଲା ସେଇ ଛାତ୍ରଟି ! ତାର ବିପଥଗାମୀ ମେଧାବୀ । ସେଇ ମେଧାଟିକୁ ଅଣ୍ଡାଳି ଶୋଭାଯାତ୍ରା–ଭିତରୁ ଟାଣିଆଣିଲି ସେ ।

 

“ଶୁଣ ! ମୁଁ ତୁମକୁ ଏ ଶୋଭାଯାତ୍ରାରେ ମିଶିବାକୁ ଛାଡ଼ିବିନାହିଁ ! ତୁମେ ରାମାୟଣକୁ ଭୁଲ୍ ବୁଝୁଛ, ଭୁଲ୍ ! ତୁମେ ସୀତାଦେବୀଙ୍କ ସତ୍ୟଗାର ଲଂଘନର ପ୍ରକୃତ ମର୍ମ ବୁଝୁନା । ସୀତା ରାବଣକୁ ଭିକ୍ଷା ଦେବାପାଇଁ ସତ୍ୟଗାର ଲଂଘନ କରିନଥିଲେ । କୁଟୀର ବାହାରେ ‘ହା ଲକ୍ଷ୍ମଣ, ହା ସୀତେ’ ଡାକ ହିଁ ତାଙ୍କୁ ସତ୍ୟ ଲଂଘନ କରାଇ ବାସ୍ତବତାଆଡ଼କୁ ଟାଣିନେଲା । ସୀତା ପାଦ ପାଦକରି ସତ୍ୟକୁ ଯେତିକି ଲଂଘନ କରୁଥିଲେ, ସେତିକି ନିକଟତମ ହେଉଥିଲେ ସେ ରାବଣର–ଏହା ସତ୍ୟ; କିନ୍ତୁ ସେ ସେତିକି ନିକଟତମ ବି ହଉଥିଲେ ଆଉଜଣଙ୍କର–ଅର୍ଥାତ; ରାମଙ୍କର–ସ୍ଵାମୀଙ୍କର । ରାବଣ ସତ୍ୟ; କିନ୍ତୁ ସ୍ୱାମୀ ହିଁ ବାସ୍ତବ । ଆଜି ମାତୃଭୂମିକୁ ଯେଉଁ ପ୍ରସଙ୍ଗକ୍ରମେ ତୁମେ ସଂକୀର୍ଣ୍ଣ ଭୌଗୋଳିକ ସୀମା ବୋଲି ଭାବୁଚ, ସେଇ ପ୍ରସଙ୍ଗକ୍ରମେ କହ ତ ଦେଖି ସ୍ଵାଧୀନତାର ସୀତା କେଉଁ ସତ୍ୟବହିର୍ଭୁତ ବାସ୍ତବତାର ନିକଟତର ହେବାନିମନ୍ତେ ସୀମା ଆରପଟର ଶତ୍ରୁଥାଳିରେ ଭିକ୍ଷା ଦେବାପାଇଁ ପାଦ ବଢ଼େଇଦେବ ? ତୁମେ କେବଳ ଜ୍ଞାନରୁ ହିଁ ସ୍ଵାଧୀନତାର ଅର୍ଥ କରୁଚ । ମାତ୍ର ବାବା ! ଜ୍ଞାନ ଶେଷ କଥା ନୁହେଁ ।”

 

ଛାତ୍ରଟି ଶୋଭାଯାତ୍ରାରେ ମିଶିଯିବା ପାଇଁ କଲବଲ ହଉଥାଏ । କିନ୍ତୁ ଭବାନୀପ୍ରସାଦ ତାକୁ ପଛକୁ ଏମିତି ଓଟାରିଦେଲେ ଯେ ସେଇ ଓଟରାରେ ବୋଧହୁଏ ବିଚରା ପିଲାଟିର ଜୀବନ ବଞ୍ଚିଗଲା । କାରଣ ଆଉ ଗୋଟିଏ ମୁହୂର୍ତ୍ତରେ ତେଣେ ପୋଲିସ୍ ପକ୍ଷରୁ ହଠାତ୍ ଲାଠି ଆରମ୍ଭ ହୋଇଗଲା । ଚାହୁଁ ଚାହୁଁ ଶୋଭାଯାତ୍ରା ଯେ କୁଆଡ଼େ ଛିନ୍ନଛତ୍ର ହୋଇଗଲା । ମୁହୂର୍ତ୍ତକ ଭିତରେ ରାସ୍ତା ସଫା । ଅନିରୁଦ୍ଧ କୁଆଡ଼େ ଗଲା ଭବାନୀପ୍ରସାଦ ତାକୁ ଦେଖିପାରିଲେ ନାହିଁ । କିନ୍ତୁ ଉକ୍ତ ଛାତ୍ରଟି–ଯାହାକୁ ଭବାନୀପ୍ରସାଦ ଟାଣିଆଣିଥିଲେ ନିଜ ମନକଥା ଶୁଣାଇବାପେଇଁ ସେହି ଛାତ୍ରଟି ଯେ, ତା’ର ସମସ୍ତ ମେଧାଶକ୍ତି ସତ୍ତ୍ୱେ ପୁଲିସ୍ ଆଗରେ କାହିଁକି ବାରମ୍ୱାର ଟଳିପଡ଼େ–ଭବାନୀପ୍ରସାଦ ସେତିକିବେଳେ ବୁଝିଲେ । ସେ ଦଉଡ଼ିପାରେ ନାହିଁ । ପିଲାଦିନର ଆଣ୍ଠୁଗଣ୍ଠି ବାତ ତାକୁ ଯେକୌଣସି ଦଉଡ଼ିଆସୁଥିବା ଶତ୍ରୁ ଆଗରେ ପ୍ରାୟ ପଙ୍ଗୁ କରିଦେଇଥାଏ ।

 

ଲାଠିଧାରୀ ପୋଲିସ୍ ସେଇ ଛାତ୍ରଟିର ସେତିକି ଦୁର୍ବଳତାକୁ ସତେ କି ଚିହ୍ନି ରଖିଥାଏ ।–ଚିହିଙ୍କି ଆସିଲା ସେ । ଆଉ ଟିକକେ, ଜୀବନରେ ଦ୍ୱିତୀୟବାର ପୁଲିସ୍ ବୁଟ୍‍ତଳେ ସେଇ ମେଧାବୀ ମସ୍ତିଷ୍କଟି ହୁଏତ ଚାପି ହୋଇଯାଇଥାନ୍ତା ଓ ସହର ରାସ୍ତାଉପରେ ମଣିଷ ବୁଦ୍ଧିର ଏଡ଼େ ସୁନ୍ଦର ଫୁଲଟିଏ, ମେଞ୍ଚାଏ ଦହିଭଳି ଛିଟିକି ପଡ଼ିଥାନ୍ତା ହୁଏତ !

 

କିନ୍ତୁ ଠିକ୍ ସମୟରେ ଭବାନୀପ୍ରସାଦ ସେଇ ଅଚିହ୍ନା ଅଭିଭାବକ ହୀନ ସନ୍ତାନଟିକୁ ରାସ୍ତାଉପରୁ ଆପଣା ବାହୁଭିତରେ ଟେକିନେଇଗଲେ ଓ ଦୁହେଁ ଠିକ୍ ସମୟରେ ପାଖର ଗୋଟାଏ ଦୋକାନ ଭିତରକୁ ପଶିଗଲେ । ବାହାରେ ଲାଠି ଓ ମଣିଷଙ୍କ ଦଉଡ଼ି ଆରମ୍ଭ ହୋଇଗଲା ଜାଣି ଦୋକାନୀ ଧଡ୍ କରି କବାଟରେ ଧଡ଼ା ବନ୍ଦ କରିଦଉଥିଲା; ଏତିକିବେଳେ ଘର–ଭିତରକୁ ଗଳିଗଲେ ଭବାନୀପ୍ରସାଦ । ଜଣେ ଛାତ୍ର, ଜଣେ ଶିକ୍ଷକ ଓ ଜଣେ ବେପାରୀ ଏହିପରି ତିନିଜଣ ବ୍ୟକ୍ତି ଗୋଟିଏ ନିବୁଜ ଦୋକାନଘର ଭିତରେ ସେଦିନ ଦିପହରଟାଯାକ ବନ୍ଦୀହୋଇ ରହିଗଲେ । ବାହାରେ ପୁଲିସ୍ ପଇଁତରାର ବୁଟ୍ ଶବ୍ଦ ଶୁଭୁଥାଏ ।

 

ସତର

 

ଭବାନୀପ୍ରସାଦ ସେମାନଙ୍କୁ ଅଟକେଇପାରିଲେ ନାହିଁ–ସେମାନଙ୍କୁ ରକ୍ଷା କରିପାରିଲେ ନାହିଁ । ସେମାନଙ୍କ ଭିତରୁ ମାତ୍ର ଜଣକୁ ହାବୁଡ଼ରେ ପାଇ, ଦୌହିକଭାବେ ଟେକିନେଇ ଗୋଟାଏ ଦୋକାନରେ ପୂରେଇ, ଘଣ୍ଟାକେଇଟା ତାକୁ ଜବରଦସ୍ତି ମାଡ଼ିବସି ବଞ୍ଚେଇ ରଖିବାକୁ ସକ୍ଷମ ହୋଇଥିଲେ ମଧ୍ୟ ତା’ର “ବିପଥଗାମୀ” ମେଧାକୁ ବାଟକୁ ଆଣିବାପାଇଁ ତାଙ୍କର ସବୁ ଚେଷ୍ଟା ପଣ୍ଡ ହେଲା । ନିଜର ଜୀବନରକ୍ଷା ପାଇଁ ସେଇ ବୁଦ୍ଧିମାନ୍ ମାତ୍ର ପଙ୍ଗୁ ଛାତ୍ରଟି ଭବାନୀପ୍ରସାଦଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିବା ତ ଦୂରର କଥା ଓଲଟି ଭବାନୀପ୍ରସାଦଙ୍କୁ “ରିଆକ୍ସନାରୀ”, “ସିକ୍ରେଟ,–ଏଜେଣ୍ଟ,” “ଦଲାଲ୍” ବୋଲି କହି ଏପରି ଗାଳିଗୁଲଜ ଆରମ୍ଭ କରିଦେଲା ଯେ, ଦୋକାନିଟି ଭୟରେ ବାଡ଼ି କବାଟ ଫିଟେଇଦେଲା ଓ ଭବାନୀପ୍ରସାଦଙ୍କୁ ଛାତ୍ରଟି ସହିତ ବାହାରକୁ ଚାଲିଯିବା ପାଇଁ ଅନୁନୟ ହୋଇ ପ୍ରାର୍ଥନା କଲା ।

 

ବାହାରିଆସିଲେ ଭବାନୀପ୍ରସାଦ । ଅନ୍ତତଃ ବିଚରା ଦୋକାନିଟିର ନିରାପତ୍ତା ରକ୍ଷା ହେଉ–ଏଇଆ ଭାବି ବାହାରିଆସିଲେ । ଛାତ୍ରଟି ମଧ୍ୟ ମୁକ୍ତିପାଇଲା ପରି ଖସିଗଲା–ଭବାନୀପ୍ରସାଦଙ୍କ ହାବୁଡ଼ରୁ । ସତେକି କେହିଜଣେ ତା’ ପ୍ରତି କୌଣସି ଦୂରଭିସନ୍ଧି ରଖି ତାକୁ ଗୋଟିଏ ଘରେ ଆବଦ୍ଧ କରି ରଖିଥିଲା, ଏହିପରି ଭାବରେ ଭବାନୀପ୍ରସାଦଙ୍କ ମୁହଁକୁ ଥରେ ଓ ଦୋକାନିଟିର ମୁହଁକୁ ଥରେ କର୍କଶ ଅନୁଦାର ଚକ୍ଷୁରେ ଚାହିଁଦେଇ ସେ ପୁଣି ଥରେ ମୁଖ୍ୟ ରାସ୍ତାଆଡ଼କୁ ବାହାରିପଡ଼ିଲା । ଏତିକିବେଳେ ଭବାନୀପ୍ରସାଦଙ୍କର କ୍ରୋଧ ଜାତ ହେଲା । ଏହି କ୍ରୋଧ କ୍ରମଶଃ ଅନିରୁଦ୍ଧଆଡ଼କୁ ମଧ୍ୟ ସଞ୍ଚରିଗଲା ।

 

ସେଦିନ ସନ୍ଧ୍ୟା ଓ ରାତିତମାମ ଖୋଜି ଖୋଜି ଅନିରୁଦ୍ଧକୁ ତା’ର ଜଣେ ସାଙ୍ଗଘରେ ଠାବ କଲେ ଭବାନୀପ୍ରସାଦ । ସେ ପ୍ରସ୍ତୁତ ହେଉଥିଲା–ପରଦିନ ଶୋଭାଯାତ୍ରା ପାଇଁ ।

 

“ଚାଲ ଗାଁକୁ ମୋ ସାଥିରେ ।” ଭବାନୀପ୍ରସାଦ ଟାଣିଲେ ତାକୁ ।

 

“ନା–ଛାତ୍ରପରିଷଦର ବିନାଅନୁମତିରେ ମୁଁ ଯିବିନାହିଁ–କାଲି ଆମେ ଆମରଣ ଅନଶନ କରିବୁ ।” ସେ ଉତ୍ତରଦେଲା ।

 

“ଯା ମର୍ !” ଭବାନୀ ପ୍ରସାଦ କ୍ରୋଧାନ୍ଧ ହୋଇ ଚିତ୍କାର କଲେ ଓ ଫେରିଆସିଲେ ଗାଁକୁ-

 

ସହରରୁ ଗାଁକୁ ଫେରିବା ରାସ୍ତାରେ ଭବାନୀପ୍ରସାଦଙ୍କ କ୍ରୋଧ ଅବଶ୍ୟ ଟିକିଏ ଥଣ୍ଡା ପଡ଼ିଯାଇଥାଏ । ସମୁଦାୟ ଘଟଣାଟିକୁ ଆଉ ଥରେ ମୂଳରୁ ଶେଷଯାକେ ଭାବିଭାବି ସେ ପଛକୁ ଫେରୁଥିଲେ ଓ ବାରମ୍ଵାର ନିଜକୁ ସନ୍ଦେହ କଲାପରି ନିଜର ସେଇ ଖଦଡ଼ ଧୋତି ଓ ପଞ୍ଜାବିଟାକୁ ଝାଡ଼ି ପକାଉଥିଲେ ଏବଂ ସେତିକିବେଳେ ନିଜକୁ ପ୍ରଶ୍ନ କରୁଥିଲେ–’କେଉଁଠି ରହିଗଲା ? କେଉଁଠି ରହିଗଲା ?–ରିଆକ୍ସନାରୀ ? ଦଲାଲ ? କେଉଁଠି ଲେଖା ଅଛି ଏ ଦେହରେ ? କଅଣ ଦେଖି ଏତେ ସନ୍ଦେହ ?’

 

ଭବାନୀପ୍ରସାଦଙ୍କ ପ୍ରତି ଏ ଆକ୍ଷେପ କେବଳ ଜଣେ ଛାତ୍ରର ନୁହେଁ, ସମୁଦାୟ ଛାତ୍ରସମାଜର–ଏପରିକି ତାଙ୍କ ନିଜ ପୁଅ ଅନିରୁଦ୍ଧର ! କେବଳ ଅନିରୁଦ୍ଧ ବି ନୁହେଁ–ବଡ଼ ବିଭୁପ୍ରସାଦର ମଧ୍ୟ । ବିଭୁପ୍ରସାଦକୁ ଠୁଙ୍କି ଦେଇଥିଲେ ସେମାନେ ହାଜତରେ । ତାକୁ ମଧ୍ୟ ଦେଖିଆସିଥିଲେ ଭବାନୀପ୍ରସାଦ । ସେଇ ଏକା ନୁହେଁ–ଆହୁରି ଶହ ଶହ ଛାତ୍ରଙ୍କ ଆଖିଗୁଡ଼ାକୁ ଲୁହା ରେଲିଂ ପଛପଟେ ଦେଖି ଚମକିପଡ଼ିଥିଲେ ସେ । ଏକା ନଛାର ସବୁ ! ବାଟରେ ପୁଣି ମନେପଡ଼ିଗଲା–ବଡ଼ଠୁଁ ସାନ ସମସ୍ତଙ୍କର । ସେଇ ଆଖି ! ପୁଣି କ୍ରୋଧ ହେଲା । ପୁଣି ତା’ ମନକୁ ଉତୁରିଗଲା ବି କ୍ରୋଧ, ସନ୍ଦେହ, ଆତ୍ମଗ୍ଳାନି । ମନଭିତରେ ପୁଣି କୋଉଠୁଁ ଟାଣପଣ ପିଚିକି ଆସିଲା, “ଆଚ୍ଛା ଦେଖିବା”–ଗାଁ ମାଟିରେ ଗୋଡ଼ ଦେଉଦେଉ ରାଣୀଗଞ୍ଜ ଟାଇଲ ଛପରତଳୁ ଜୁଳୁଜୁଳୁ କରି ଭବାନୀପ୍ରସାଦଙ୍କ ବାଟକୁ ଚାହିଁ ବସିଥିବା ହଳହଳ ଆଖିକୁ ଦେଖୁଦେଖୁ ଭୁଲିଗଲେ ସେ ସବୁ ପଛ କଥା । ମନକୁମନ ଜନ୍ମ ହୋଇପଡ଼ିଲା ସେହି ପ୍ରବୋଧ ବାକ୍ୟଟି, ଯେଉଁଟାକୁ ସବୁ ବିପଦବେଳେ ସାହସର ସହିତ ଉଚ୍ଚାରଣ କରନ୍ତି ସେ–ନିଜ ପିଲାଙ୍କ ବିଷୟରେ ଭାବନା ଅସ୍ତବ୍ୟସ୍ତ ଯେତେବେଳେ କରେ ସେଇ ବେଳରେ, “ଖେଳନ୍ତୁ ଖେଳନ୍ତୁ–ଗାଁକୁ ଫେରି ଟେଣ୍ଡର୍ ଧରି ମରିବା ଅପେକ୍ଷା ସହର ରାସ୍ତାରେ ସ୍ଲୋଗାନ ମାରୁ ମାରୁ ଗୁଳି ଖାଇ ମରିବା ଭଲ ।” ଅବଶେଷରେ ଆଶ୍ୱସ୍ତି ହେଲେ ଭବାନୀପ୍ରସାଦ ।

 

ଅଠର

 

ମାତ୍ର ସହରରୁ ଫେରି ଭବାନୀପ୍ରସାଦଙ୍କ ପାଦରୁ ବଥା ମରିନଥାଏ । ସତ୍ୟର ଆଗେ ଆଗେ ସବୁବେଳେ ଧପାଲିଥିବା ବାସ୍ତବତା ତାଙ୍କ ଆଗରୁ ଆସି ଗାଁରେ କେତେବେଳୁ ପହଞ୍ଚିସାରିଥାଏ–ତାଙ୍କୁ ଜଣାନଥାଏ ।

ଏଥିରୁ ପ୍ରଥମ ଘଟଣାଟି ଘଟିଗଲା ଗାଁରେ ନବପ୍ରତିଷ୍ଠିତ ସେଇ ପଞ୍ଚାୟତ ଶିଳ୍ପର ଟାଇଲି କାରଖାନା ହତାରେ ।

ପ୍ରଥମ ପ୍ରଥମରୁ ଏହା ଦେଖାପଡ଼ୁଥିଲା, ଯେପରି ସହରଆଡ଼ୁ ଗୋଟାଏ ଦେଖାଶିଖା ଫେସନ ଗାଁକୁ ପଶିଆସିଥିଲା ଓ ଗାଁର ମଧ୍ୟଇଂରାଜୀ ସ୍କୁଲର ଛାତ୍ର–ମାନଙ୍କୁ ସହରର ଗୋଟାଏ ଖରାପ ସିନେମାର କୁପ୍ରଭାବ ପରି ପ୍ରଭାବିତ କରି ଗୁଡ଼ାଏ ବାଜେ ଅଶ୍ଲୀଳ ଗୀତ ତାଙ୍କ ମୁହଁରେ ବୋଲେଇଲା । କିନ୍ତୁ ଭବାନୀପ୍ରସାଦ ଅତିଶୀଘ୍ର ବୁଝିପାରିଲେ ଘଟଣାର ସତ୍ୟାସତ୍ୟ । ଭୋଗ ପ୍ରଭାବଗତ ନୁହେଁ, ଧାତୁଗତ ହୋଇସାରିଲାଣି–ଏତିକି ଜଣାପଡ଼ିବାମାତ୍ରେ ସେ ମର୍ମାହତ ହୋଇ ବସିଗଲେ ।

ସେଦିନ ସ୍କୁଲର ପ୍ରାର୍ଥନା ଘଣ୍ଟା ଯଥାସମୟରେ ବାଜିଥାଏ । କିନ୍ତୁ ଘଣ୍ଟା ବାଜିବାମାତ୍ରେ ନିତିଦିନିଆଁ ପ୍ରାର୍ଥନା ପରିବର୍ତ୍ତେ, ତିନୋଟି ପଦ ସ୍ଲୋଗାନ୍ ଗାଁର ଶୁପ୍ତ ବାତାବରଣକୁ ଥରେଇଦେଲା-। ଦୂରରୁ ଇସ୍କୁଲପିଲାଙ୍କ ନିତିଦିନିଆଁ ପ୍ରାର୍ଥନା ଶୁଣି ଗାଁର ଯେଉଁ କୋଳର ଛୁଆମାନେ ମା’କୋଳର ଧୋ–ବାଇଆକୁ ମଧ୍ୟ ଅପେକ୍ଷା ନକରି ଆଖିବୁଜି ଶୋଇପଡ଼ନ୍ତି, ଆଜି ସେଇ ଶିଶୁମାନେ ଚେଇଁବସିଲେ ।

ଉଠିଆସିଲେ ପ୍ରଥମେ ପିଲା, ଛୁଆ ଗଣ୍ଡାଏ । ଉଠିଆସିଲେ ତା’ପରେ ସ୍ତ୍ରୀଲୋକମାନେ ଓ ବୁଢ଼ାଏ । ସବାଶେଷରେ ଉଠିଲେ ଯୁବକମାନେ । ବିଲରେ ହଳ କରୁଥିବା କେତେ ଜଣ ଚାଷୀ ବି ସେଥିରୁ ବାଦ୍ ପଡ଼ିଲେ ନାହିଁ । ମଧ୍ୟଇଂରାଜୀ ସ୍କୁଲର ଛୋଟଛୋଟ ପିଲାଙ୍କ କଣ୍ଠରୁ ସେଇ ତିନିପଦ ସ୍ଲୋଗାନ୍ ସମସ୍ତଙ୍କ ଶୋଇଲା ଆଖିକୁ ଫିଟାଇଦେଲା–ପ୍ରତ୍ୟେକର ମନଲାଖି ପଦଟିଏ ସେଇ ସୁରଭିତରୁ ହଠାତ୍ ବାହାରିଆସିଲା ସତେକି !

ଭବାନୀପ୍ରସାଦଙ୍କ କାନକୁ ଡାକ ତିନୋଟି ଅବଶ୍ୟ ନୂଆ ନଥିଲା । ସହରରେ ଅସଂଖ୍ୟ ସମବେତ ଛାତ୍ର ଓ ଜନତାର ସମ୍ମିଳିତ କଣ୍ଠରୁ ସେଇ ତିନିଡ଼ାକ ବାରମ୍ବାର ଶୁଣି ଶୁଣି ସେ ସଦ୍ୟ ଫେରିଥାନ୍ତି ଗାଁକୁ ।

କିନ୍ତୁ ଭବାନୀପ୍ରସାଦ ମଧ୍ୟ ଶୋଇବା ଅବସ୍ଥାରୁ ଚେଇଁବସିଲେ । ବିଶେଷତଃ କୋମଳମତି ଶିଶୁ ଯେତେ ଦେଖାଶିଖା ହେଲେ ମଧ୍ୟ ଯେତେବେଳେ ଏଇ ତିନୋଟି ଡାକ ଡାକି ଡାକି ଗାଁଦାଣ୍ଡରେ ଚାଲିଯାଏ, ସେତେବେଳେ ସତ୍ୟଯୁଗର ସଙ୍ଗୀତପରି ସେ ଡାକ ମଣିଷକୁ କେବଳ ଉଚ୍ଚାଟ କରେନାହିଁ । ନୂତନ ଆଶା, ନୂତନ ଆଲୋକକୁ କେଉଁ ଜଡ଼ ନିଦ୍ରାରୁ ଉଠାଇ ବସାଏ ।

“ଆମର ଦାବି ପୂରଣ ହେଉ ।”

“ସତ୍ୟ କଥା ପ୍ରଘଟ ହେଉ ।”

“ଅଧ୍ୟାପକ ସେଠି ଅମର ରହେ ।”

–ଡାକ ତିନୋଟି କେବଳ ଭବାନୀପ୍ରସାଦଙ୍କୁ ନୁହେଁ, ଗାଁର ଆଉ ଗୋଟିଏ ସତ୍ୟଯୁଗର ସଙ୍ଗୀତକୁ କାନେଇ ରହିଥିବା କାନରେ ପଡ଼ିଗଲା ।

ବୃଦ୍ଧ ନାଙ୍ଗୁଡ଼ା ନରହରି ପରିଡ଼ାଏ ସେଦିନ ସକାଳୁ ଅନ୍ୟଦିନ ପରି ଦାଣ୍ଡପିଣ୍ଡାରେ ବସିଥାନ୍ତି । ତାଙ୍କର ବୁଢ଼ୀ ଝିଅଟି, ପାଖରେ ବସି ଆଖିରୁ ସବୁଦିନ ପରି ଲୁହ ଗଡ଼ଉଥାଏ ଓ ଗୋଟିଏ କୁଲାରେ କିଛି ବଜାରକିଣା ଅରୁଆ ଚାଉଳରୁ ବସିବସିକା ଗୋଡ଼ି ଗଡ଼ଉଥାଏ । ନାଙ୍ଗୁଡ଼ାଏ ବୁଢ଼ୀଝିଅକୁ ସବୁଦିନ ପରି ଆଜି ବି ଅଭ୍ୟାସ ଅନୁସାରେ ପ୍ରବୋଧ ଦେଉଥାନ୍ତି–‘ତୁ ବ୍ୟସ୍ତହନା ମା’ ! ସବୁ ଠିକ୍ ହୋଇଯିବ ! ସତ୍ୟ ନିଶ୍ଚୟ ଦିନେନା ଦିନେ ଆସିବ ଏ ପୃଥିବୀକୁ । ଜୋଇଁଙ୍କର ଭଲ ବୁଦ୍ଧି ହବ ମା’ ! ସେ ଫେରିଆସିବେ ତୋ ପାଖକୁ ।’ ଝିଅକୁ ଏହିପରି ଆଶ୍ୱାସନା ଦେଉ ଦେଉ ତେଣେ ବୁଢ଼ା, ଝିଅର ପୁଅ ସେଇ ଚଗଲା–କନଭେଣ୍ଟ୍ ପଢ଼ୁଆ ହୁରୁମା ନାତିଟାକୁ ମୂଳରୁ ଆଉ ଥରେ ପଦ୍ଧତିରେ ପକେଇ ଗଢ଼ିବାପେଇଁ ମନସ୍ଥ କରି, ଗତ କେତେଦିନ ହେବ ତା’ ହାତକୁ ପ୍ରତିଦିନ ସକାଳୁ ଯେମିତି ମେଞ୍ଚେ ଚିକିଟାମାଟି ବଢ଼େଇଦେଇ କହିଥାନ୍ତି–ଗଢ଼ିଲୁ ଗୋଟେ ଆମ୍ବ, ଗଢ଼ିଲୁ ଆତଟାଏ, କି କଦଳୀଟାଏ, ଆଜି ସେମିତି କଅଣଟାଏ ପଦ ଉଚ୍ଚାରଣ କରି ସେ କହିଆସୁଥିଲେ–‘ଗଢ଼ିଲୁ ଦେଖି, ଗୋଟାଏ’–ଠିକ୍ ସେତିକିବେଳେ ହଠାତ୍ ଦୂରରୁ ତାଙ୍କ କାନରେ ବାଜିଗଲା ପଦ ତିନୋଟି-

ପୂରଣ ହେଉ

ପ୍ରଘଟ ହେଉ

ଅମର ରହେ ।

 

“ଆଲୋ ଆଲୋ, କିଏ ଜଣେ ମହାତ୍ମା ଚାଲିଗଲେ କି କଅଣ !” ନାଙ୍ଗୁଡ଼ାଙ୍କ ଝିଅ ଚାଉଳରୁ ଗୋଡ଼ି ବାଛିବା ବନ୍ଦ କରି ଝଟ୍ ଉଠିପଡ଼ିଲେ । ତାଙ୍କର ସହର ତାଲିମ୍ କାନ ଦୂରରୁ ସେହି ଦୃଶ୍ୟଟିକୁ ବେଶ୍ ବୁଝିପାରିଥାଏ । କିନ୍ତୁ ନାଙ୍ଗୁଡ଼ାଏ ହଠାତ୍ ଧରିପାରିଲେ ନାହିଁ ।

 

“କିଏ ? ମହାତ୍ମା ଚାଲିଗଲେ ?” ନାଙ୍ଗୁଡ଼ାଙ୍କର ଆସନ ଏଇ ଚର୍ତୁଥ ଡାକରେ ହିଁ ଟଳିଗଲା । ଚିକିଟାମାଟି ମେଞ୍ଚାକ ଫୋପାଡ଼ିଦେଇ ନଙ୍ଗୁଡ଼ାଏ ବାଡ଼ିଟାକୁ ଦରାଣ୍ଡି ପକେଇଲେ । ଆର ମୁହୂର୍ତ୍ତରେ ସେ ଯାଇ ପହଞ୍ଚିଥିଲେ ଶୋଭାଯାତ୍ରା ଆଗରେ ।

 

ଛୋଟ ଶୋଭାଯାତ୍ରାଟି ସ୍କୁଲ ଫାଟକଭିତରୁ ବିଧବଦ୍ଧଭାବେ ବାହାରୁ ବାହାରୁ ଦିନ ମୁଣ୍ଡଉପରେ ପହଞ୍ଚିଥାଏ । ପିଲାଙ୍କ କାନ୍ଧଉପରେ ଲଦା ହୋଇଥାଏ–କୋକେଇଟିଏ । ଯୋଡ଼ାଏ ମୋଟା ମୋଟା ବାଉଁଶ । ତା’ ଉପରେ ପରାହୋଇଥାଏ–ହେଁସ । ମୁଣ୍ଡପାଖରେ ଗଛେ ତୁଳସୀ । ଗୋଡ଼ପାଖକୁ କଟୁରିଟିଏ । ନିଆଁ–ବରିହାଟିଏ ଧରି ଆଗେ ଆଗେ ଚାଲିଥାଏ–ସ୍କୁଲର ଶେଷବର୍ଷର ଜଣେ ଛାତ୍ର–ମୃତବ୍ୟକ୍ତିର ବଡ଼ପୁଅ ପାଟ୍ ସେ କରୁଥାଏ । ପଛେ ପଛେ ଖଇକଉଡ଼ି ବିଞ୍ଛିବିଞ୍ଚିକା ଚାଲିଥାନ୍ତି ଆଉ ଦଳେ । ସମସ୍ତେ ଅଳ୍ପ ବୟସର ସ୍କୁଲ ଛାତ୍ର । କେବଳ ସେତିକି ନୁହେଁ । ଶୋଭାଯାତ୍ରାର ଆଉ ଏକ କରୁଣ ଦିଗ ମଧ୍ୟ ଥାଏ । ମୃତ ଅଧ୍ୟାପକଙ୍କର ବିଧବା ସ୍ତ୍ରୀଭୂମିକାରେ ଆଉଜଣେ ଅଳ୍ପ ବୟସର ଛାତ୍ର ଚାଲିଥାଏ । ତାକୁ ସଦ୍ୟ ବିଧବା ସ୍ତ୍ରୀଲୋକଟିର ରୂପରେ ସଜାଇ ଦିଆଯାଇଥାଏ ଓ ଏହି ବିଧବାର କରୁଣ କ୍ରନ୍ଦନଭିତରୁ ମଧ୍ୟେ ମଧ୍ୟେ ବିଳାପଟିଏ ଗାଁର ସହୃଦୟ ପରିବେଶକୁ ଆହୁରି ଥରେଇଦେଉଥାଏ–

 

“ତାଙ୍କୁ ମାଇଲା ସରକାର ଛାରରେ ଦଇବ !”

 

କୌଣସି ଗୋଟିଏ ପୁରୁଣା ଓଡ଼ିଆ ଛାନ୍ଦର ସ୍ୱରକୁ ଅନୁକରଣ କରି ପରିହାସ ଉଦ୍ଦେଶ୍ୟରେ ଏମିତି ଗୋଟିଏ ସ୍ୱର ଛାତ୍ରମାନେ ଡହା ଧରିଥିଲେ ମଧ୍ୟ ଆଧ୍ୟାପକ ସେଠିଙ୍କର ଏହି ବିଧବା ସ୍ତ୍ରୀର କ୍ରନ୍ଦନସ୍ୱର ହିଁ ଶୋଭାଯାତ୍ରାର ରାଜନୈତିକ ଦିଗଟିକୁ ଏକ ଜୀବନ୍ତ ପାରିବାରିକ ଶୋକାତୁରତାଦ୍ୱାରା ଆଚ୍ଛନ୍ନ କରି ରଖିଥାଏ । ଫଳରେ ଏହି କୋକେଇ ପଛରେ ଧାଡ଼ି ଧାଡ଼ି ହେଇ ଆଉ ଯେତେସବୁ ରାଜନୈତିକ ପୋଷ୍ଟର ସବୁ ଛୋଟ ଛୋଟ ପିଲାଙ୍କ କାନ୍ଧରେ ସବାର ହେଇ ଚାଲିଥାଏ, ସେସବୁ ସେଇ ‘ବିଧବା’ ଛାତ୍ରଟିର କାନ୍ଦହେତୁ ଏପରି ବାସ୍ତବ ଓ ଅର୍ଥପୂର୍ଣ୍ଣ ମନେହେଉଥାଏ ଯେ, ଗାଁଦାଣ୍ଡରେ ଚାଲିଗଲାବେଳେ ସେଦିନ ଗ୍ରାମବାସୀମାନେ ମଧ୍ୟ ମୁଗ୍ଧହୋଇ ନିଜ ନିଜ ପିଲାଙ୍କ ଅଭିନୟରେ ଯୋଗଦେଲେ । ଚାହୁଁ ଚାହୁଁ ଛୋଟ ପିଲାଙ୍କର ଶୋକ ଏକ ଜାତୀୟଶୋକରେ ପରିଣତ ହୋଇଗଲା । ପିଲାଙ୍କ ପଛେ ପଛେ ଆଖିରୁ ଲୁହ ପୋଛି ପୋଛି ଦେଖଣାହାରିମାନଙ୍କର ଗୋଟିଏ ପଟୁଆର ମଧ୍ୟ ମିଶିଗଲା । ଦେଖୁ ଦେଖୁ ଗୋଟିଏ ବିରାଟ ପଟୁଆର ଗାଁର ସରୁ ରାସ୍ତାରେ ବାହାରିପଡ଼ିଲା ଏବଂ ସବୁରି ମୁଣ୍ଡଉପରେ ସେଇ ବଡ଼ ବଡ଼ ଅକ୍ଷରର ପୋଷ୍ଟର ତିନୋଟି ମଧ୍ୟ ଚାଲିବାକୁ ଲାଗିଲା ।

 

“ଆମର ଦାବି ପୂରଣ ହେଉ”

 

“ସତ୍ୟକଥା ପ୍ରଘଟ ହେଉ”

 

“ଅଧ୍ୟାପକ ବିଶ୍ୱନାଥ ସେଠି (ଆବିର୍ଭାବ ୧୯୨–ଅମର ରହେ” ତିରୋଭାବ ୧୯୬)–

 

ଗାଁ ଭିତରେ ପଟୁଆର ଚାଲିଗଲାବେଳେ ଜଣାନଜଣା ସବୁଘରୁ ଲୋକେ ଶୋଭାଯାତ୍ରାକୁ ସଂଖୋଳୁଥାନ୍ତି । ସେଠିଙ୍କ କୋକେଇ ଉପରେ ଯେଝା ବାଡ଼ିର ଗେଣ୍ଡୁ ମନ୍ଦାର ଯାହା ଥାଏ, ଥୋଇଦେଇ ଜାଣିବା ନଜାଣିବା ଅଧିକାଂଶ ଲୋକେ କଅଣ ଭାବୁଥାନ୍ତି, କୋକେଇକୁ ଦଣ୍ଡବତଟିଏ କରୁଥାନ୍ତି । କେହି ଆହୁରି କଅଣ ଭାବୁଥାଏ, ମୁଣ୍ଡିଆଟିଏ ମାରିସାରି କୋକେଇ କାନ୍ଧେଇଥିବା ସ୍କୁଲଛାତ୍ରକୁ ପଚାରିବି ଦଉଥାଏ–

 

“ଇଏ କିଏ ବା ? କିଏ ଏ ଚାଲିଗଲେ ?”

 

ଅଧ୍ୟାପକ ସେଠିଙ୍କ କୋକେଇ କନ୍ଧେଇଥିବା ପିଲାଏ ଲୋକଙ୍କର ସେଇ ପ୍ରଶ୍ନର ଉତ୍ତର ବୋଧହୁଏ ଆପେ ଜାଣିନଥାନ୍ତି । ତେଣୁ, ପଛରେ ସହରରୁ ଆସିଥିବା କୌଣସି ଜଣେ ଦୁଇଜଣଙ୍କଆଡ଼କୁ ହାତ ଦେଖେଇଦେଇ ପଚାରୁଥିବା ମଣିଷକୁ ଉତ୍ତର ଦେଉଥାନ୍ତି–

 

“ତାଙ୍କୁ ପଚାର ! ତେବେ ଇଏ ଜାତିରେ ଜଣେ ଧୋବା ଥିଲେ । ଆମେ ଏତିକି ଜାଣୁ ।”

 

ଶୋଭାଯାତ୍ରା ଧୀରେ ଧୀରେ, ଘର ଘର ବୁଲିସାରି ‘‘ଊର୍ଣ୍ଣନାଭ ଆଶ୍ରମ’’ ଫାଟକ ପାଖରେ ପହଞ୍ଚି ସାରିଥାଏ । ଭବାନୀପ୍ରସାଦ ସହରରୁ ଫେରି ଥକ୍କାମାରା ହୋଇ ବସିପଡ଼ିଥାନ୍ତି । ଅନିରୁଦ୍ଧର କଇଁଥା ମୁହଁ ଆଖି ଓ ତା’ର ସେଇ ଅଧା ପଙ୍ଗୁ ସାଙ୍ଗଟିର “ରିଆକ୍ସନାରି”, “ଦଲାଲ” ଉଚ୍ଚାରଣର ସ୍ୱର ତାଙ୍କ ମନରୁ ତଥାପି ଲିଭିନଥାଏ । ଏହି ସମୟରେ କୋକେଇଟି ଆସି ଲାଗିଲା ‘‘ଊର୍ଣ୍ଣନାଭ ଆଶ୍ରମ’’ ଫାଟକ ଆଗରେ । ଭବାନୀପ୍ରସାଦ ଫାଟକପାଖକୁ ବିମର୍ଷ ଭାବେ ଉଠିଆସିଲେ ।

 

ପ୍ରଥମେ ଶୋଭାଯାତ୍ରା ଆଗରେ ନିଜ ନାତି ଟୋକାର ଉଚ୍ଛନ୍ନ କାନ୍ଧଉପରେ ହାତଟାଏ ଥୋଇ ଅଧେ ଟାଣିହୋଇ ଅଧେ ପଛେଇ–ପଛେଇକା ଚାଲିଥିବା ଗ୍ରାମର କୁଳବୃଦ୍ଧ ଲାଙ୍ଗୁଳା ନରହରି ପରିଡ଼ାଙ୍କୁ ଦେଖିପକେଇବା ମାତ୍ରେ ଭବାନୀପ୍ରସାଦଙ୍କ ଅଧେ ବିମର୍ଷତା କଟିଗଲା । ଆଜି ଗାଁଦାଣ୍ଡରେ ଚାଲିଥିବା ଗୋଟିଏ ଶୋଭାଯାତ୍ରା ଆଗରେ ନାଙ୍ଗୁଡ଼ାଙ୍କୁ ଦେଖିପକାଇବାକ୍ଷଣି ଭବାନୀପ୍ରସାଦ ସବୁ ପୂର୍ବ ପର ସମ୍ୱନ୍ଧ ଭୁଲିଯାଇ ସେଇ ମଣିଷଟି ଉପରେ ଆଖି ନିବନ୍ଧ କରିଦେଲେ । ତାଙ୍କର ମନହେଲା, ଯେମିତି ସମୟ ପଛକୁ ଚାଲିଗଲା–କେତେ ପଛକୁ, ଯେଉଁଠି ଅସଲ ସତ୍ୟଯୁଗକୁ ମଣିଷମାନେ ପଛରେ ଛାଡ଼ିଦେଇ ଆସିଥିଲେ । ସତ୍ୟଯୁଗ ଯେ ଆଗରେ ନାହିଁ, ରହିଗଲାଣି କେତେ ପଛରେ ଓ ସେଇଦିଗକୁ ହିଁ ମୁହଁକରି ଗାଁର ଆବାଳବୃଦ୍ଧବନିତା ପୁଣି ଚାଲିଲେଣି, ଏତିକି ସ୍ଵପ୍ନ ଭବାନୀପ୍ରସାଦଙ୍କ ସହରଝଲସା ଆଖିଦୁଇଟାରେ ଲାଗିଯିବା ମାତ୍ରେ ସେ ପୁଣି ଥରେ ସେଇ ପୁରୁଣା ସ୍ୱାବଲମ୍ବନଶୀଳ, ଘରୋଇ କୁକୁଡ଼ା ଖାଦ୍ୟ ପ୍ରସ୍ତୁତକାରୀ ଓ ଖଦିପିନ୍ଧା ଭବାନୀପ୍ରସାଦ ପାଲଟିଗଲେ ।

 

ଲାଙ୍ଗୁଳା ନରହରି ପରିଡ଼ାଙ୍କ ଛବି ଭବାନୀପ୍ରସାଦଙ୍କୁ ଚିରକାଳ ଏହିପରି ଆତ୍ମବିଶ୍ୱାସ ଦିଆଏ, ଯେମିତି ସେଦିନ ପୁଲିସ୍ ଫାଶରେ ବନ୍ଧାହୋଇ ଚାଲିଥିବା ଏହି ମଣିଷଟିକୁ କାନ୍ଦିକାନ୍ଦିକା ଅନୁସରଣ କଲାବେଳେ ଗାଁର ଆବାଳବୃଦ୍ଧବନିତାଙ୍କର ପଟୁଆରକୁ ଭବାନୀପ୍ରସାଦ ମଥୁରାମଙ୍ଗଳର–ଅକ୍ରୂର ଆସିଛି ତାଙ୍କୁ ଧରିନେବା ପାଇଁ–ସେଇ ସୁରଟିକୁ ପାଇଯାଇଥିଲେ ।

 

“ଦିଅ ମାଷ୍ଟ୍ରେ ! ପିଲାଙ୍କ ଉତ୍ସାହ ଉପରେ ଫୁଲଚନ୍ଦନ ପକାଅ । ସତ୍ୟ ଏଇ ପିଲାଙ୍କ ତୁଣ୍ଡରେ ହିଁ ଆଜି ବଞ୍ଚିତ !” ନାଙ୍ଗୁଡାଙ୍କର ଆଦେଶ ପାଇଲାମାତ୍ରେ ଭବାନୀପ୍ରସାଦ ସାଙ୍ଗେ ସାଙ୍ଗେ ହତାଭିତରକୁ ଦଉଡ଼ିଗଲେ ଓ ଫୁଲଗଛରୁ ବହେ ଫୁଲ ଛିଣ୍ଡେଇ ପକେଇଲେ । ଆଉ ସବାଉପରେ ଦିକେଣ୍ଡି ଅସଲ, ତାକୁଡ଼ିକଟା ଖଦଡ଼ ସୂତାର ମାଳ ଥୋଇ ତାକୁ ଗୋଟିଏ ଅର୍ଘ୍ୟଥାଳିରେ ଘେନିଆସି ପହଞ୍ଚିଗଲେ । ସସମ୍ମାନେ ସେଠିଙ୍କ ପ୍ରତିକୃତିଥିବା କୋକେଇ ଉପରେ ଊର୍ଣ୍ଣନାଭ ଆଶ୍ରମର ଶ୍ରଦ୍ଧାଞ୍ଜଳି ଢାଳିଦେବାପାଇଁ ଭବାନୀପ୍ରସାଦ ହାତ ବଢ଼େଇଛନ୍ତି, ଏହି ସମୟରେ କେତେ ଜଣ ଛାତ୍ର, ବୟସ ବେଶି ନୁହେଁ, କିନ୍ତୁ ଆଖିରେ ଆଖିଏ ଆଖିଏ ଘୃଣା କେତେଦିନରୁ ଭର୍ତ୍ତି ହୋଇସାରିଥାଏ ତାଙ୍କର, ସମସ୍ୱରରେ କହିଲେ–

 

“ହାଁ ହାଁ–ଫୁଲ ଦିଅନ୍ତୁ; କିନ୍ତୁ ସେ ସୂତା ମେଚାକ ନୁହେଁ–”

 

ଧକ୍‌କା ଖାଇଲାଭଳି ଭବାନୀପ୍ରସାଦ ପଛେଇଗଲେ । ଛାତ୍ରଙ୍କ କଥା ଅନୁଯାୟୀ କେବଳ ଫୁଲତକ ଥୋଇ ସୂତା ମୋଡ଼ାତକ ପଛକୁ ଫେରେଇଆଣିଲେ ସେ । ନିରୀହ ଦିଶୁଥିବା ଶବ–ଶୋଭାଯାତ୍ରାର ଆଭ୍ୟନ୍ତରୀଣ କ୍ରୋଧକୁ ସେତିକିବେଳୁ ସେ ବୁଝିପାରିଥିଲେ ।

 

‘‘ଊର୍ଣ୍ଣନାଭ ଆଶ୍ରମ’’ ଟପି ଶୋଭାଯାତ୍ରା ଛୋଟିଆ ରାସ୍ତାରୁ ବଡ଼ରାସ୍ତାଆଡ଼କୁ ମୁହେଁଇଗଲା । ବନ୍ଦରରାସ୍ତା । ସେପଟେ ତାଳଦଣ୍ଡା କେନାଲ–ଏପଟେ ସୁସୁ ଗର୍ଜୁଥାଏ–କାଳୀୟନାଗ–ଗ୍ରାମପଞ୍ଚାୟତର ଟାଇଲି କାରଖାନା । ମଝିରେ, ବନ୍ଦର ନିର୍ମାଣପାଇଁ ଅହରହ ଚଲାଣ ଚାଲିଥିବା ପଥର ବୋଝେଇ ଟ୍ରକର ଘୁଘୁ ଆଉ ଯାତ୍ରୀବାହୀ ବସ୍‍ମାନଙ୍କରେ ଯାତ୍ରୀମାନଙ୍କର ହାଉଯାଉ । ଏହାହିଁ ଜାତୀୟ ଜୀବନର ଗଙ୍ଗା–ଯମୁନା । ଏହି ସଙ୍ଗମସ୍ଥଳରେ ତାଙ୍କର ପ୍ରିୟ ଅଧ୍ୟାପକଙ୍କ ସ୍ମୃତିକୁ ବିସର୍ଜନ ଦେବାପାଇଁ ଛାତ୍ରମାନେ ପୂର୍ବରୁ ମନସ୍ଥ କରିଥିଲେ । ଆଗେଇଗଲେ ।

 

ଟାଇଲିକାରଖାନା ହତାରେ ଇତିମଧ୍ୟରେ ଉପାଦାନ ଖୁବ୍ ଆଗେଇଯାଇଥାଏ । ପ୍ରତିଦିନ ପ୍ରାୟ ହଜାରେ ଘର ତିଆରି ଟାଇଲି କାରଖାନା ଚୁଲିରୁ ବାହାରୁଥାଏ ଓ ହତାରେ ଜମା ହେଉଥାଏ । ଭଲ ପୋଡ଼ ଅଭାବରୁ କିମ୍ବା ଟାଇଲିତିଆରି ବିଶେଷଜ୍ଞଙ୍କ ଖଇଚାରୁ କାହିଁକି କେଜାଣି ଟାଇଲିଗୁଡ଼ାକ କେମିତି ଗୋଟାଏ ଖଜାଗଦା ଭଳି ଦୂରରୁ ଦିଶୁଥାଏ । ରାଣୀଗଞ୍ଜ ଟାଇଲି ପରି ସେତେ ନାଲି ଦିଶୁନଥାଏ । ତା’ ଛଡ଼ା ଟାଇଲିଗୁଡ଼ାକ ଦରପୋଡ଼ା ହୋଇଥିବାରୁ ବୋଧହୁଏ, ଟିକିଏ ଚାପା ପାଇଲେ ଖୁସ୍ କରି ଖଜାଭଳି ଛାଡ଼ି ଯାଉଥାଏ । ଏପରିକି, ଦିନ କେଇଟା ତଳେ ଅସରାଏ ଭଳି ବର୍ଷା ହୋଇଯାଇଥିଲା, ସେଇ ବର୍ଷା ପରେ ଟାଇଲିକାରଖାନା ହତାରେ ଜମା–ହୋଇଥିବା କେତେଗୁଡ଼ାଏ ସଜ ପୋଡ଼ା ଟାଇଲି ବର୍ଷାପାଣିରେ ଧୋଇଯାଇଛି–ଏହିପରି ଗୋଟାଏ ଖବର ରଟିବାମାତ୍ରେ ଟାଇଲି କାରଖାନା ହତାରେ ପ୍ରତିଦିନ ନୂଆ ଉତ୍ପନ୍ନ ହେଉଥିବା ଟାଇଲିଗଦା ଦିନକୁଦିନ ବଡ଼ ହେଇ ହେଇ, କ୍ରମଶଃ କାରଖାନା ହତା ଟପି ରାସ୍ତାଉପରକୁ ପହଞ୍ଚି ଯାଇଥାଏ । ଏହି ରାସ୍ତାଉପରେ ପଡ଼ିଥିବା ଟାଇଲିଗୁଡ଼ାକ ଉପରେ ବନ୍ଦର ରାସ୍ତାରେ ଚାଲିଥିବା ଟ୍ରକ୍, ମଟର ମଝିରେ ମଝିରେ ଚଢ଼ିଗଲେ, ପ୍ରତିବର୍ଷ ନଈବଢ଼ି ପରେ, ଶୁଖିଲା ଖଜାଳିଆ ପଟୁଉପରେ ପିଲାଏ ଚଢ଼ିଚଢ଼ିକା ପାଦତଳୁ ବାହାରୁଥିବା ମୁସୁ ମୁସୁ ଶବ୍ଦକୁ ଉପଭୋଗ କଲାପରି, ଟାଇଲି ଗଦାଉପରେ ଚଢ଼ିଯାଉଥିବା ଟ୍ରକ୍‍ଚକତଳୁ ସେଇ ମୁସ୍ ମୁସ୍ ଶବ୍ଦକୁ ଡ୍ରାଇଭରମାନେ ଉପଭୋଗ କରିବା ବ୍ୟତୀତ ଗ୍ରାମପଞ୍ଚାୟତ ଟାଇଲି କାରଖାନାରୁ ବାହାରୁଥିବା ଅଧିକାଂଶ ଟାଇଲିମାନେ ସତେକି ଆଉ କୌଣସି ବ୍ୟବହାରପାଇଁ ଉଦ୍ଦିଷ୍ଟ ନଥାନ୍ତି; ସେହିଭଳି ନୀତି ଉତ୍ପାଦିତ ହୋଇ ନିତି ଟ୍ରକ୍ ଚକତଳକୁ ଯାଉଥାନ୍ତି ସେମାନେ ।

 

“ଅଧ୍ୟାପକ ସେଠି ଅମର ରହେ”–ଶୋଭାଯାତ୍ରାଟି ହଠାତ ଏହି ଟାଇଲି କାରଖାନା ଆଗରେ ଆସି ରହିଗଲା ।

 

ଶୋଭାଯାତ୍ରା ଦେଖିବାପାଇଁ କାରଖାନାରେ ଶ୍ରମିକମାନେ ଇତିମଧ୍ୟରେ ହତାଭିତରେ ରୁଣ୍ଡହୋଇ ସାରିଥାନ୍ତି । ଏଇ ଗାଁ ଲୋକେ–ଏଇ ଗାଁର ଶ୍ରମିକ ଏମାନେ । ନିଜ ପିଲାଙ୍କ ଶୋଭାଯାତ୍ରା ଦେଖିବାକୁ କାରଖାନା କାମ ବନ୍ଦକରି ଦେଇ ବହାରିଆସିଥାନ୍ତି ଟିକିଏ ପଦାକୁ । ସକାଳୁ ଏ ଯାଏଁ ଧୂଆଁଭିତରେ ଆଉଟି ହଉଥିଲେ । ଟିକିଏ ଫୁରୁସତ୍ ମିଳିଲାରୁ ଅଣ୍ଟିରୁ ଦୋକତା, ବଟୁଆରୁ ପାନ ତାଙ୍କର ବାହାରି ସାରିଥାଏ । ନାଲି ନାଲି ଜିଭ, ମାତ୍ର କଳା କଳା ଦନ୍ତର ହସ ଟିକକ ଲୁହା ତାର ଘେରିଆ ବାଡ଼ ସେପଟୁ ଫୁଟି ଦିଶୁଥାଏ କିନ୍ତୁ ସେ ହସ କାହାରିକୁ ଖତେଇ ହଉନଥାଏ ।

 

ଶୋଭାଯାତ୍ରା ଗ୍ରାମପଞ୍ଚାୟତ ଟାଇଲି କାରଖାନା “ସରକାରୀ ଶିଳ୍ପଦୋଗ ପରିକଳ୍ପନା” ଫଳକ ମରାହୋଇଥିବା କାରଖାନା ଫାଟକଆଗରେ ପହଞ୍ଚିଯିବା ବେଳକୁ କାନ୍ଧେଇଥିବା ଛାତ୍ରମାନଙ୍କ ପଛେ ପଛେ ଚାଲିଥିବା ସେହି “ବିଧବା–ଛାତ୍ର”ଟିର ବାହୁନା ଧୀରେ ଧୀରେ ବଢ଼ିଉଠିଥାଏ ।

 

ଅଳ୍ପସମୟ ତଳେ ଯେଉଁ ଶିଶୁକଣ୍ଠର ବୈଧବ୍ୟପୂର୍ଣ୍ଣ ବାହୁନିବା ସ୍ୱର ଶୋଭାଯାତ୍ରାରେ ରାଜନୈତିକ ଦିଗଟିକୁ ସମ୍ପୂର୍ଣ୍ଣଭାବେ ଚାପିଦେଇ ତାହାକୁ ଗୋଟିଏ ଶୋକାର୍ତ୍ତ, ପାରିବାରିକ ଶବଶୋଭାଯାତ୍ରାରେ ପୂର୍ଣ୍ଣାଙ୍ଗ ଅନୁଭୂତି ଦେଉଥିଲା, ହଠାତ ସେଇ ସ୍ୱରଟି ହିଁ ସମୁଦାୟ ଶୋକାର୍ତ୍ତ ପରିବେଶକୁ ଗାଟିଏ ଉଗ୍ର, ବିସ୍ଫୋରକ, ରାଜନୈତିକ ବାୟୁମଣ୍ଡଳରେ ପରିଣତ କରିଦେଲା ।

 

“ତାଙ୍କୁ ପୋଡ଼ିବ ଟିକିଏ ଭଲରେ ଦଇବ !”

 

“ବିଧବାଛାତ୍ର”ଟି ମୁହଁର ଏହି ଇଙ୍ଗିତପୂର୍ଣ୍ଣ ଆକ୍ଷେପଟିକୁ କେହି ପୂର୍ବରୁ ପ୍ରସ୍ତୁତ କରିନଥିଲା । ଏହା ଗୋଟିଏ ସାଧାରଣ ଗାଉଁଲି ବ୍ୟଞ୍ଜନାପୂର୍ଣ୍ଣ । ଇଙ୍ଗିତ ବୋଲି ଗ୍ରହଣ କରିବାପାଇଁ କହି ମଧ୍ୟ ପ୍ରସ୍ତୁତ ନ ଥିଲେ । କାରଣ ଶିଶୁଙ୍କର ସେଇ ଅଭିଯୋଗପୂର୍ଣ୍ଣ ଆକ୍ଷେପଟି ସେଦିନ ଭାରତୀୟ ଗ୍ରାମମାନଙ୍କରେ ଯେଉଁଠି ଯେଉଁଠି “ସରକାରୀ ଶିଳ୍ପଦ୍ୱୋଗ ପିକଳ୍ପନା’’ର ନାମ ଫଳକ ସବୁ ଝୁଲୁଥିବା, ସେଇ ଫଳକ ପଛପଟର ଜ୍ଵଳନ୍ତ ମାତ୍ର ଦରପୋଡ଼ା, ସତ୍ୟଭଳି ଦେଶର ସବୁ ବିବେକି ଆତ୍ମାର ସ୍ୱତଃସ୍ଫୂର୍ତ୍ତ କବିତାଭଳି ଏହିପରି ଜାତୀୟ ଜୀବନର ସଙ୍ଗମ ସ୍ଥଳରେ ଆପଣାଛାଏଁ ବାହାରି ପଡ଼ୁଥିଲା ।

 

ଅଧ୍ୟାପକ ସେଠି ଅମର ରହେ–ଶୋଭାଯାତ୍ରା ଟାଇଲକାରଖାନା ଆଗରେ ଅଟକି ରହିବାର ଆଉ ଗାଟିଏ କାରଣ ମଧ୍ୟ ଥିଲା । ସେମାନେ କାରଖାନା କର୍ତ୍ତୃପକ୍ଷଙ୍କଠାରୁ ମୁଠାଏ ଶ୍ରଦ୍ଧାଞ୍ଜଳି ପାଇଁ କିଛି ଫୁଲ ବୋଧହୁଏ ଆଶା କରୁଥିଲେ । ଶୋଭାଯାତ୍ରା ଆଗରେ ନାଙ୍ଗୁଡ଼ାଏ ତଥାପି ଚାଲୁଥିଲେ । ମୁହଁଖୋଲି କାରଖାନା ଶ୍ରମିକମାନଙ୍କୁ ପାଖକୁ ଡାକି କହିଲେ ସେ–“ପିଲାଙ୍କ କଥା ଧରନାଇ । ଟାଇଲିକୁ ଟିକିଏ ଭଲକରି ପୋଡ଼ । ଆମଦେଶର ପଇସା ଏ । କାରଖାନା ବଞ୍ଚିଲେ ତୁମେ ହିଁ ବଞ୍ଚନ୍ତ । ଛାଡ଼ । ଗଣ୍ଡାଏ ଫୁଲ ଦେଇଦିଅ । ପିଲାଏ ସନ୍ତୁଷ୍ଟ ହୁଅନ୍ତୁ । ବାଟେବାଟେ ପଳାନ୍ତୁ ।”

 

କିନ୍ତୁ ୟାର ଉତ୍ତରରେ କାରଖାନା ଭିତରପଟୁ ଜବାବ ଆସିଗଲା । ସତେକି ଟାଇଲିକାରଖାନାରେ ଫୁଲ ତିଆରି ହୁଏ ନାହିଁ, ଟାଇଲି ତିଆରିହୁଏ, ଏହାରି ପ୍ରମାଣ ଦବାପେଇଁ ଶୂନ୍ୟରୁ ଅସରାଏ ଭଙ୍ଗା ଟାଇଲି ବର୍ଷିଗଲା ।

 

ଶୋଭାଯାତ୍ରାକାରୀ ଛାତ୍ର ସରକାରୀ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ଏପ୍ରକାର ଉପହାରର ମର୍ମ ପୂର୍ବରୁ ବୁଝି ପ୍ରସ୍ତୁତ ହୋଇଥିଲେ ଅବଶ୍ୟ । ହିଂସାର ପକ୍ଷ ଗୋଟାଏ ନୁହେଁ–ଦୁଇଟା । ସେଥିରୁ ଗୋଟିଏ ପକ୍ଷ କଟିଯାଇଥିଲେ ଚଢ଼େଇଟି ତଳକୁ ଗଳିପଡ଼ିଥାନ୍ତା ନିଶ୍ଚୟ ।

 

କିନ୍ତୁ ନ୍ୟାୟ ଶୋଭାଯାତ୍ରାକାରୀ ଅଳ୍ପ ବୟସର ଭାବପ୍ରବଣ ଶିଶୁଙ୍କଆଡ଼କୁ ସେଦିନ ଅଧିକ ଟିକିଏ ଢଳି ରହିଥାଏ ବୋଧହୁଏ । କାରଣ ଛାତ୍ରଙ୍କ ପଛପଟେ ଗାଁର ଜନମତ ତଥାପି ନାଙ୍ଗୁଡ଼ ଭଳି ଲହଲହ ହେଲେ ଗୋଡ଼େଇଥାଏ ।

 

ଅନ୍ୟଦିନ ହେଇଥିଲେ ଶୋଭାଯାତ୍ରାକାରୀ ଛାତ୍ର ଓ ଜନମତ ଟାଇଲି କାରଖାନାଆଡ଼ୁ ପଡ଼ିଥିବା ସେଇ ଖଜାଳିଆ ଟାଇଲି କେଇଖଣ୍ଡକୁ ଆଧୁନିକ ଶିଳ୍ପର ଚିମିନି ଗଛରେ ଫୁଟିଥିବା କେଇଟା ଥୋପା ଫୁଲ ବୋଲି ସ୍ଵାଗତ କରିନେଇଥାନ୍ତେ । କିନ୍ତୁ ଯେଉଁ କାରଣରୁ ‘‘ଊର୍ଣ୍ଣନାଭ ଆଶ୍ରମ’’ର ଅରଟସୂତାକୁ ମେଞ୍ଚାଏ ମିଛ, କି ମେଞ୍ଚାଏ ଛଳନା ବୋଲି ଜ୍ଞାନ କରି ଇସ୍କୁଲର ସବୁଠାରୁ କ୍ଷୁଦ୍ର, ସୂକ୍ଷ୍ମ ଅଭିମାନୀ ପିଲାଟି ମଧ୍ୟ ଭବାନୀପ୍ରସାଦଙ୍କ ଉପରକୁ ଚିହିଙ୍କି ଆସିଥିଲା ଓ ପାଟିକରିଥିଲା ନା, ନା, ସେଗୁଡ଼ାକ ଦିଅନା, ଦିଅନା; ଅପବିତ୍ର ହେଇଯିବ ଆମ ମୁର୍ଦ୍ଦାରଟା । ତାକୁ ସ୍ଵର୍ଗରେ ପୂରେଇଦେବେନାଇଁ–ଏଇ ସୂତା ମେଞ୍ଚାକ ଯୋଗୁଁ....ଠିକ୍ ସେହି କାରଣରୁ ଗାଁମୁଣ୍ଡ ଟାଇଲିକାରଖାନାରୁ ବାହାରୁଥିବା ଠକାମି–ଟାଇଲି କେଇଟାକୁ ଖଂଗସ ବୁଝିଗଲେ–ଇସ୍କୁଲ ପିଲାଏ-

 

ଉପରୋକ୍ତ କାରଣ ବ୍ୟତୀତ ଅରଟସୂତା ଓ ପଞ୍ଚାୟତଟାଇଲି ଏ ଦୁହିଁଙ୍କୁ ଏକାଗଛର ମଞ୍ଜି ବୋଲି ଜ୍ଞାନ କରିବାପାଇଁ ଆହୁରି ଏକ ସାମାଜିକ କାରଣ ମଧ୍ୟ ଥିଲା । ଏହା ଅବଶ୍ୟ ପୂରାପୂରି ଅର୍ଥନୈତିକ ଗୋଟିଏ କାରଣ, ଯଦିଚ ଟିକିଏ ଲୌକିକ ପରଶ୍ରୀକାତରତା ଏହି ଅର୍ଥନୈତିକ କାରଣ ଉପରେ ତଥାପି ଭାବପ୍ରବଣତାର ଟିକିଏ ରଙ୍ଗ ବୋଳିଦେଇଥାଏ ସେଦିନ ।

 

କିନ୍ତୁ ସୁସମ ଅର୍ଥନୀତିର ଆଦର୍ଶ ଶେଷ ପରିଣତିକୁ ଯଦି ସାମ୍ୟ ହିଁ କୁହାଯିବା ଦରକାର, ତେବେ ସାମ୍ୟର ଅସଲ ରକ୍ଷାକର୍ତ୍ତା ସେଇ ଶିଶୁସୁଲଭ ସାମାଜିକ ଭାବପ୍ରବଣତାଟି ବ୍ୟତୀତ ଆଉ କେହି କେଉଁଠି ଥିଲାପରି ଦିଶୁନଥାଏ । ଏହି ଭାବପ୍ରବଣତାକୁ ଅବଶ୍ୟ ହିଂସା ବୋଲି କେହି କେହି କହିଥାନ୍ତି । ଏହି ହିଂସାକୁ ସେଦିନ ସାମାଜିକ ପରଶ୍ରୀକାତରତା ବୋଲି ଅବଶ୍ୟ କେହି କେହି ପୁନର୍ନାମକରଣ କରିଥାନ୍ତି । କିନ୍ତୁ ସାମାଜିକ ସାମ୍ୟ ଓ ପରଶ୍ରୀକାତରତା ଏ ଦୁହେଁ ପରସ୍ପର ସହିତ ଏପରି ଅଙ୍ଗାଙ୍ଗୀଭାବେ ଜଡ଼ିତ ଯେ, ଏଥିମଧ୍ୟରୁ କେଉଁଟି ପ୍ରବଣତା ଓ କେଉଁଟି ଭାବମୟତା ତାହା ଠିକ୍ କରିବା ସେତେବେଳକାର ପରିସ୍ଥିତିରେ ଦୁରୂହ ।

 

ଗାଁଭିତରେ, ସେଦିନ ମାତ୍ର ଦୁଇଟି ଘରଉପରେ ଛୁଆଣି ହୋଇଥିବା ଟାଇଲି ଛପର ଖୁବ୍ ଆଖିଦୃଷ୍ଟିଆ ହୋଇ ରହିଥାଏ । ଏଥିମଧ୍ୟରୁ ଗୋଟିଏ ଭବାନୀପ୍ରସାଦଙ୍କ ‘‘ଊର୍ଣ୍ଣନାଭ ଆଶ୍ରମ’’ର ସ୍ଵାବଲମ୍ବନର ମୁଣ୍ଡଉପରେ ଟୋପିଟିଏ ପରି ବିରାଜୁଥାଏ ତ, ଅନ୍ୟଟି ଗ୍ରାମପଞ୍ଚାୟତର ଅସ୍ଥାୟୀ ଅଫିସ୍ ବା ସ୍ଵୟଂ ଗ୍ରାମପଞ୍ଚାୟତ ନେତା ବାରବର୍ଷିଆଙ୍କ ବାସଭବନ ଉପରେ ବିରାଜୁ ଥାଏ । ବାରବର୍ଷିଆଏ ଟାଇଲିକାରଖାନାର ଦ୍ୱିତୀୟ ଗରାଖରୂପେ ଇତିମଧ୍ୟରେ, ଭବାନୀପ୍ରସାଦଙ୍କ ପଛକୁ, ନିଜ ଘରଟିକୁ ଟାଇଲି ଛପର କରେଇଦେଇଥାନ୍ତି । ପଞ୍ଚାୟତର ନେତୃସ୍ଥାନୀୟ ବ୍ୟକ୍ତି ବାରବର୍ଷିଆଏ ତାଙ୍କ ନିଜଘରକୁ ଟାଇଲି ଛପର କରିବାରେ ଗାଁର ଯେକୌଣସି ଲୋକପରି ନ୍ୟାୟତଃ ଅଧିକାରୀ ଥିଲେ ଅବଶ୍ୟ । ତାଛଡ଼ା ଗାଁରେ ଟାଇଲି କରଖାନା ନିର୍ମାଣ ପାଇଁ ସମସ୍ତ ସରକାରୀ ସାହାଯ୍ୟ ବାର ବର୍ଷଯାଏ ହିଁ ରାଜଧାନୀକୁ ଦଉଡ଼ାଦଉଡ଼ି କରି ଆଣିଥିଲେ । କିନ୍ତୁ ଏତେବଡ଼ ଗାଁଭିତରେ ଦୁଇଟି ଛଡ଼ା ତୃତୀୟ ଘରଉପରେ ଟାଇଲିର ଟୋପିଟିଏ ନ ଲାଗିପାରିବାର ଘଟଣାଟି ନିଜେହିଁ ନିଜକୁ କାଇଲି କଲାପରି ସେଦିନ ଗାଁର କ୍ରୋଧ ଆଗରେ ମୁହଁପୋତି ଠିଆହେଇଥାଏ ସତେକି !

 

ଏହି କ୍ରୋଧ ହିଁ “ଅଧ୍ୟାପକ ସେଠି–ଅମର ରହେ”, “ସତ୍ୟ କଥା ପ୍ରଘଟ ହେଉ” କିମ୍ଵା “ଆମର ଦାବି ପୂରଣ ହେଉ”–ଏହି ତିନି ଡାଳକୁ ଓଲଟପାଲଟ, ପାଲଟଓଲଟ କରି ଡାକୁଥିବା ଶୋଭାଯାତ୍ରାର ହୃଦୟରେ ବାରୁଦପରି ଖୁନ୍ଦାହେଇ ରହିଥିବା ଲକ୍ଷ୍ୟ କରିଥିଲେ ଭବାନୀପ୍ରସାଦ–ଟିକିଏ ତଳେ ବର୍ତ୍ତମାନ ଟାଇଲକାରଖାନା ଦିଗରୁ ମାଡ଼ିଆସୁଥିବା ରେଳା ଶୁଣି ଭବାନୀପ୍ରସାଦ ନିଜେ ସତର୍କ ହେଇଗଲେ ।

 

“ୟାପରେ ପଡ଼ିବ ତୁମର ପାଳି–ନିୟତିର କ୍ରୋଧ ନିୟତିକୁ ମଧ୍ୟ ନାଶ କରିଦେବ–“କହୁ କହୁ ଭବାନୀପ୍ରସାଦ ଦଉଡ଼ିଗଲେ–ଶୋଭାଯାତ୍ରାର ପଛକୁ ଓ ଚାହୁଁ ଚାହୁଁ ‘‘ଊର୍ଣ୍ଣନାଭ ଆଶ୍ରମ’’ର କୁକୁଡ଼ାଘର ପାଖରେ ପହଞ୍ଚିଗଲେ ସେ । ଲଥ୍‍କରି ବସିପଡ଼ିଲେ ଦୁଆରମୁହଁରେ ।

 

“ମୁଁ ମରିବି; କିନ୍ତୁ ତୁମର ଗୋଟିଏ ପର ନଷ୍ଟହେଲେ ଏ ପୃଥିବୀ ସତ୍ୟାନାଶ ହେଇଯିବ, ଜଳି ଧ୍ଵଂସ ହୋଇଯିବ......” କୁକୁଡ଼ାମାନଙ୍କ ସହିତ ଆଖିରେ ଆଖିରେ ଏହିପରି ବାକ୍ୟ ବିନିମୟ କରୁକରୁ ଭବାନୀପ୍ରସାଦ ଚକାମାଉଲି ପକେଇ ସାରିଥିଲେ ଓ ସେତିକିବେଳେ ତାଙ୍କର ମନେପଡ଼ିଲା–ତେଣେ ପୁଅ ଅନିରୁଦ୍ଧ ମଧ୍ୟ ଆଜି କାହା ଦୁଆରେ ଯୋଉ ଅନଶନ କରିବ ବୋଲି କହୁଥିଲା ତାହା ସେତେବେଳକୁ ଆରମ୍ଭ ହୋଇସାରିବଣି । ଏମିତି ବସିଥିବ ଟୋକାଟା–ଅଖିଆଅପିଆ । ଏମିତି ଜଳୁଥିବ ପେଟ ଆଉ ଛାତି ମଧ୍ୟ ତା’ର ।

 

କିନ୍ତୁ ଭବାନୀପ୍ରସାଦଙ୍କ ସତ୍ୟାଗ୍ରହ ସେଦିନ ଟିକିଏ ଆଗତୁରା ଆରମ୍ଭ ହେଇଯାଇଥିଲା-। କାରଣ ଧର୍ମର ଗତି କେବଳ ସୂକ୍ଷ୍ମ ନୁହେଁ କୁଟିଳ ମଧ୍ୟ ।

 

ଗ୍ରାମପଞ୍ଚାୟତ ଟାଇଲି କାରଖାନାର ମିଥ୍ୟା ଉତ୍ପାଦନକୁ ସେଦିନ ଗାଁର ଶିଶୁ ବାସ୍ତବିକ ଗୋଟିଏ କାଳୀୟଦଳନ ନାଟକ ଅଭିନୟ କଲାପରି ଦଳିଦେଲେ । ଗାଁର କାଳୀସୀ ମଇଁଷିଆଳ ବୁଢ଼ାଟି ମଧ୍ୟ କୋଉଠିଥିଲା, ପିଲାମାନଙ୍କ ଅଭିନୟରେ, ପ୍ରତ୍ୟକ୍ଷରେ ନହେଲେ ମଧ୍ୟ, ପରୋକ୍ଷରେ ଯୋଗଦେଲା । ନାଳ ସେପଟେ, ଗୋଠେ ମଇଁଷି ପରିବେଷ୍ଟିତ ହେଇ ବୁଢ଼ା ଦିପହର ଗୋଟାକଯାକ ଖାଲି ଫୁଙ୍କିଲା–ବଇଁଶୀ !

 

ସେଦିନର ଧ୍ଵଂସକାଣ୍ଡ କେବଳ ଟାଇଲିକାରଖାନାର ବୃଥା ଉତ୍ପାଦନକୁ ନଷ୍ଟ କରିବାରେ ଶେଷ ହେଇନଥାଏ । କେଉଁ ଦୁର୍ଯ୍ୟୋଗକୁ ଗୋଟିଏ “ପବ୍ଲିକ କାରିଅର” ଟ୍ରକ୍ କାରଖାନା ହତାଭିତରେ ଆସି ଠିଆ ହେଇଥାଏ । ଟାଇଲି କାରଖାନା ଯାବତୀୟ ଅବିକ୍ରି ରଦି ଟାଇଲିକୁ ସେଇଦିନ କୁଆଡ଼େ ଚାଲାଣ କରିବାର ବ୍ୟବସ୍ଥା ବୋଧହୁଏ କରାଯାଇଥାଏ । ଟ୍ରକ୍ ଡାଲାରେ ଟାଇଲି ବୋଝଇ ପ୍ରାୟ ଖତମ ହେଇସାରିଥାଏ । “ଅମର ରହେ ଶୋଭାଯାତ୍ରା” ଆଉ ମୁହୂର୍ତ୍ତେ ଡେରି କରିଥିଲେ ଟ୍ରକ୍ ଛୁ ମାରିଥାନ୍ତା ।

 

ପିଲାଏ ପହଞ୍ଚିଗଲେ । ଟ୍ରକ୍ ଡ୍ରାଇଭରକୁ କହିଲେ–“ଉତାର୍ !” ଡ୍ରାଇଭର–ଦାଢ଼ିବାଲା । କଅଣ ବୁଝିଲା, ପିଲାଙ୍କଆଡ଼କୁ ଆଖିତରାଟି ଚାହିଁଲା, କହିଲେ–“ୟେ’ ସରକାରୀ ମାଲ ହୈ !”

 

“କାହାଁ ଯା ରହା ହୈ ?”

 

“ଇଷ୍ଟବେଙ୍ଗଲକା ରିଫ୍ୟୁଜି କଲୋନି ଯାହାଁ ବନତା ହୈ ।”

 

ହିଂସା ଆଉ ମାନବିକତା–ଗୋଟିଏ ଧନୁର ଶର ଆଉ ଗୁଣ–ଗତି ଆଉ ଉଦ୍ଦେଶ୍ୟ । କେବଳ ଦିଗଟିଏ ହିଁ ଦରକାର । ସେତିକି ଯଥେଷ୍ଟ ।

 

“ୟେ ତେବେ ଯାଉଚି ଜତୁଗୃହ ନିର୍ମାଣ ଲାଗି ?”

 

ଦାଢ଼ିଆ ଡ୍ରାଇଭର ଭ୍ରମରେ ପଡ଼ିଗଲା । ମୁଣ୍ଡ ହଲେଇଦେଲା “ହାଁ ହାଁ–ବାତ୍ ୟହି ହୈ-!”

 

ଡ୍ରାଇଭର ଷ୍ଟିଅରିଂ ପଛରେ ତଥାପି ବସିଥାଏ । ପେଟ୍ରୋଲ୍ ଟାଙ୍କିଭିତରୁ ଗୋଟାଏ ନାଲ ନିଆଁର ଜିଭ ଟ୍ରକ୍ଡ଼ାଲାକୁ ଚାଟିସାରି ଡ୍ରାଇଭର କ୍ୟାବିନ୍ ଆଡ଼େ ବୁଲିଗଲା ।

 

ଟ୍ରକ୍ ଡାଲାରେ ବୋଝେଇ ହେଇସାରିଥିବା ଦରପୋଡ଼ା ଟାଇଲିକୁ ଉଦ୍ ବାସ୍ତୁ ମଣିଷ ମୁଣ୍ଡଉପରେ ଛପର କରିବାକୁ ଛାଡ଼ିବାପୂର୍ବରୁ ଟାଇଲିତକ ଭଲକରି ପୋଡ଼ିବାର ବ୍ୟବସ୍ଥା ଛାତ୍ରମାନେ କରିଦେଲେ ।

 

ଟାଇଲିକାରଖାନା ଓ କାରଖାନାପାଖ ପଞ୍ଚାୟତ ଅଫିସଘରକୁ ଜୂର କରିସାରି ଶୋଭାଯାତ୍ରା ଲଙ୍କାର ହନୁମାନ ପରି ଲାଞ୍ଜ ବଢ଼େଇଦେଲା । ଲାଞ୍ଜରେ କିରାସିନି କନା ବାନ୍ଧିବା ପେଇଁ ଲୋକଙ୍କର ଅଭାବ ନଥାଏ । ଗାଁର ଯେଉଁ ବିକ୍ଷୁବ୍ଧ ଯୁବାଦଳଟି ଇତିମଧ୍ୟରେ ଗ୍ରାମର ଅନ୍ୟାନ୍ୟ ଦୁର୍ନୀତିମାନଙ୍କର ଗୋଟିଏ ତାଲିକା ପ୍ରସ୍ତୁତ କରିସାରିଥିଲେ, ତାଙ୍କରି ଭିତରୁ ଜଣେ କିଏ ଉଚ୍ଚ ସ୍ୱରରେ କହିଲା–

 

“ଗତ ଛ’ମାସ ଧରି ଚିନି ଟିକିଏ ମଣିଷ ଦେଖିଲା ନାହିଁ ! ବଜାରରୁ ଚିନି ଗଲା କୁଆଡ଼େ-? ସମସ୍ତେ ଚାଲ ଚିନିଡିଲର୍ ଘରଆଡ଼େ ।”

 

ଶୋଭାଯାତ୍ରା ଟାଇଲିରୁ ମୁହଁ ବୁଲେଇଥାଏ ଚିନିଆଡ଼େ–ଏତିକିବେଳେ କେଉଁଠୁ କିପରି ଗୋଟିଏ ଉଡ଼ାଖବର ପରି ଖବରଟିଏ ଉଡ଼ିଆସିଲା–

 

“ବିଶ୍ଵବିଦ୍ୟାଳୟ ଛାତ୍ରଆନ୍ଦୋଳନ ପ୍ରତ୍ୟାହୃତ ହେଲା ।”

 

ଦୁର୍ନୀତିଗ୍ରସ୍ତ ଚିନିଡ଼ିଲରଟି ସେଇ ଶୋଭାଯାତ୍ରାର ଗୋଟିଏ ଅଙ୍ଗପରି ଦିନତମାମ ଜଣେ ଦେଖଣାହାରି ହୋଇ ଶୋଭାଯାତ୍ରାର କଡ଼େକଡ଼େ ଚାଲିଥିଲେ ମଧ୍ୟ ବୁଝିପାରିଲା ନାହିଁ, କେଉଁ ପୁଣ୍ୟ ହେତୁ ସେଦିନ ଭଗବାନ ତା’ ନିଜଘରର ଛପରଟିକୁ ରକ୍ଷା କରିଦେଲେ ।

 

ଊଣେଇଶି

 

“ଦାଢ଼ିଆ ଗଲାଣି ଭୋବନିଶୋର ।”

 

ବିଶ୍ଵବିଦ୍ୟାଳୟ ଛାତ୍ରଆନ୍ଦୋଳନ ପ୍ରତ୍ୟାହୃତ ସମ୍ୱାଦର ଯଥାର୍ଥ ବିବରଣୀ ଗାଁରେ ପହଞ୍ଚିବା ସାଙ୍ଗେ ସାଙ୍ଗେ ଭବାନୀପ୍ରସାଦ ନିଶ୍ୱାସଟିଏ ପକେଇଲେ ଓ କୁକୁଡ଼ାଘର ଆଗରେ ଯେଉଁ ଆସନଟିକୁ ଜମେଇ ସାରିଥିଲେ ତାହାକୁ କୋହଳ କରିଦେଲେ । ସକାଳପହରୁ ସହରରୁ ଫେରିଲାବେଳଠୁଁ ଗାଁରେ ଛାତ୍ର ଶୋଭାଯାତ୍ରାର ଆରମ୍ଭ ଓ ଶେଷପର୍ଯ୍ୟନ୍ତ ସାରାଦିନ ସେ ଅନ୍ନଜଳ ଛୁଇଁନଥିଲେ । ଏକେ ତ ଅନିରୁଦ୍ଧର ଚିନ୍ତା ଦ୍ଵିତୀୟତଃ ସହର ଓ ଗାଁ ଉଭୟତ୍ର ଛାତ୍ରମାନଙ୍କ ସେହି ପରିହାସ ବ୍ୟଞ୍ଜକ “ଖଦଡ଼ିଆ” ଶବ୍ଦର ଗ୍ଲାନି ତାଙ୍କ ପୋଷାକ ଭେଦକରି ଚର୍ମକୁ ଛୁଇଁଥିଲା ଓ ସାରାଦେହକୁ ଜଳାଉଥିଲା । ନିଜ ଦେହ ଚତୁପାର୍ଶ୍ଵର ସେହି ଜ୍ଵଳନକୁ ଭବାନୀପ୍ରସାଦ ଗୋଟିଏ ଅଗ୍ନି ପରୀକ୍ଷାର ଆରମ୍ଭ ମନେକରିଥିଲେ କିନ୍ତୁ ଶେଷମୁହୂର୍ତ୍ତରେ ଯେତେବେଳେ ସମ୍ବାଦ ଆସିଲା ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଅନଶନ କରିବାକୁ ଯାଇଥିବା କେତେକ ଛାତ୍ରପ୍ରତିନିଧିଙ୍କ ସହ ସେଦିନ ସରକାରଙ୍କର ଗୋଟିଏ ଫଏସଲା ହୋଇଗଲା ଓ ଛାତ୍ରମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିନେବା ସଙ୍ଗେସଙ୍ଗେ ସରକାର ହାଜତରେ ପଶିଥିବା ସମସ୍ତ ଛାତ୍ରଙ୍କୁ ମୁକୁଳେଇଦେଲେ ଓ ଛାତ୍ରମାନଙ୍କଉପରୁ ସମସ୍ତ ମକଦ୍ଦମା ଉଠେଇ ଦେବାପାଇଁ ପ୍ରତିଶ୍ରୁତି ଦେଇଦେଲେଣି, ସେତେବେଳେ ଭବାନୀପ୍ରସାଦ ସହରରେ ଥିବା ନିଜ ପିଲାଦୁଇଟାଙ୍କ ପାଇଁ ଆଶ୍ଵସ୍ତ ହେଲେ ଓ କୁକୁଡ଼ାଘର ଆଗରୁ ଝାଡ଼ିଝୁଡ଼ି ହେଇ ଉଠିବସିଲେ । ହାତଗୋଡ଼ ଧୁଆଧୋଇ ହୋଇ ଭବାନୀପ୍ରସାଦ ସେଦିନ ସନ୍ଧ୍ୟାବେଳେ ଭାତଗଣ୍ଡିଏ ଆଗରେ ଥୋଇ ପିଢ଼ାଖଣ୍ଡିଏ ଉପରେ ବସିଛନ୍ତି କି ନାହିଁ ହଠାତ୍ ତାଙ୍କ କାନପାଖରେ କିଏ ଫାସୁ ଫାସୁ ହେଇ କହିଲା–

 

“ଦାଢ଼ିଆ ଗଲାଣି ଭୋବନିଶୋର–ପଲଟଣ ଗାଡ଼ି ଗାଁମୁଣ୍ଡରେ ଠିଆହେଇଚି !”

 

ଭବାନୀପ୍ରସାଦ ଚମକିପଡ଼ିଲେ । ମୁହଁବୁଲେଇ ଦେଖିଲେ–ଯେଉଁ ମାଇପିଟି ଘର ଜଗି ପଡ଼ିଥାଏ–ତାଙ୍କ ଅନୁପସ୍ଥିତିରେ–ସେଇ !

 

“କଅଣ ହେଲା ? “ଉଠିପଡ଼ିଲେ ଭବାନୀପ୍ରସାଦ ଖାଇବା ପିଢ଼ାରୁ ।

 

ମାଇପିଟି ଭାବାନୀପ୍ରସାଦଙ୍କ ପ୍ରଶ୍ନର ଉତ୍ତର ଦେଲାନାହିଁ । କିନ୍ତୁ ତା’ର ସ୍ଵର ହିଁ କହିଦେଲା–ଭୟଙ୍କର ରାତି ରହିଛି ଆଗରେ ।

 

“ରହ ଯୋଗନୀଖିଆଏ ! ଯିଏ ମୋ ପିଲାଙ୍କ ଦିହରେ ଟିପ ଛୁଏଁଇବ, ମୋ ପିଲାଙ୍କ ସମ୍ପତ୍ତିରେ ଆଖିପକେଇବ–ଦାନ୍ତ ନଗେଇଦେବି !”

 

ସ୍ତ୍ରୀଲୋକଟି ଭବାନୀପ୍ରସାଦଙ୍କ ଦୁଆର ମୁହଁରେ ଗୋଡ଼ ଲମ୍ବେଇଦେଲା ଓ ଗତ କୋଡ଼ିଏ ବର୍ଷଧରି ବିଭୁପ୍ରସାଦର ମା’ ମଲାଦିନୁ ଗାଁରେ ଭବାନୀପ୍ରସାଦଙ୍କ ପିଲାଙ୍କ ପାଇଁ ଥିବା ଜମି ପାଞ୍ଚ ଏକର ଆଉ ନଡ଼ାଛୁଆଣି ଘର ଦି’ବଖରାକୁ ଯେଉଁବାଗେ ଜଗିରଖି ପକେଇଆସିଥିଲା–ସେଇ ବାଗେ ପୁଣି ଜଗା ଆରମ୍ଭ କରିଦେଲା ।

 

ଭବାନୀପ୍ରସାଦ ସେତିକିରୁ ଆହୁରି ଭଲକରି ବୁଝିଗଲେ ନିଜ ଘରଉପରକୁ ମାଡ଼ିଆସୁଥିବା ବିପତ୍ତିକୁ–ସେ ରାତିରେ । କିନ୍ତୁ ତାଙ୍କର ସନ୍ଦେହ ରହିଥାଏ ବିତ୍ପତ୍ତି ଉପରେ ନୁହେଁ–ବିତ୍ପତ୍ତିର ଉତ୍ପତ୍ତିରେ । ସଙ୍ଖୁଡ଼ି ଛୁଇଁଥିବା ହାତକୁ ତରବର ହେଇ ଧୋଇ ପକଉ ପକଉ ସେ ସେଇ ମାଇପିଟିକୁ ଲକ୍ଷ୍ୟକରି ପଚାରିଲେ–

 

“ଛାତ୍ର ଆନ୍ଦୋଳନ ତେବେ ବନ୍ଦ ହେଇନାହିଁ ?”

 

ମାଇପିଟି ଭବାନୀପ୍ରସାଦଙ୍କ ଏମିତି ଫଟେଇହବାରେ ସବୁଦିନେ ରାଗେ । ରାଗିଯାଇ କହିଲା, “ମାଇପଙ୍କ ଭଳିଆ କୁକୁଡ଼ାଘର ଆଗରେ ଭୂଇଁରେ ନଅମ୍ବ ହୋଇ ଶୋଇପଡ଼ିଲେ କଅଣ ହବ ? ତେମେ ଦଉଡ଼ୁନ–ଭୋବନିଶୋର । ମନ୍ତ୍ରୀଗୁରାକ କଅଣ ଏକା ତାଆର ? ଅଳପେଇସ ବାରବର୍ଷିଆ ଦାଢ଼ିଆ ଫଚେଇତର ? ତାଆର ଏକା ଶକତି ଅଛି–ପଲଟଣ ପୂରେଇଦବ ! ତେମେ କରୁଚ କଅଣ ?”

 

ଭବାନୀପ୍ରସାଦ ଘର ଜଗୁଆଳି ବୁଢ଼ୀର ଲମ୍ବିଲା ଗୋଡ଼କୁ ଡେଇଁପଡ଼ିଲେ । ଗାଁଦାଣ୍ଡକୁ ଅନେଇଦେଲେ । ସବୁଆଡ଼ ଅନ୍ଧାର । ଘରେ ଘରେ ତାଟି ପଡ଼ିଗଲାଣି । ଦକ୍ଷିଣା ପବନ ପିଟୁଚି । କାନ ଫଡ଼ ଫଡ଼ କରି ଗାଁ ରାସ୍ତାରେ ଦଉଡ଼ୁଥିବା କିଛି ଗୋଟାଏ ଶବ୍ଦ ଶୁଣି ତାଙ୍କ ଛାତି ଦାଉଁ ଦାଉଁ ହୋଇଗଲା । ମନେପଡ଼ିଗଲା–ପୁରାତନ କେତେ ଭୟ । –କୋକୁଆ ? ଠାକୁରାଣୀ ? ଘୁଷୁରିଛୁଆ ବେଶରେ ଚଣ୍ଡୀ ଚାମଣ୍ଡି ?

 

ଓହ୍ଲେଇଗଲେ ପିଣ୍ଡାତଳକୁ ଭବାନୀପ୍ରସାଦ । ଊର୍ଣ୍ଣନାଭ ହତାଟପି ବାହାରେ ରାସ୍ତାକୁ ଅନୁସନ୍ଧାନ କଲେ । ତାପରେ ସେ ବୁଝିପଚାରିଲେ–ଅଦୃଶ୍ୟ ଫଡ଼ ଫଡ଼ ଶବ୍ଦ ଅନ୍ୟକିଛି ନୁହେଁ–ପବନରେ ହଲଚଲ ହଉଥିବା ଓ ଉଡ଼ିଉଡ଼ିକା ଦଉଡ଼ୁଥିବା କାଗଜ କେତେଖଣ୍ଡ ସେଗୁଡ଼ାକ–ବୋଧହୁଏ ଶୋଭାଯାତ୍ରାର ପୋଷ୍ଟର !

 

ମନେପଡ଼ିଗଲା ଭବାନୀପ୍ରସାଦଙ୍କର ସକାଳର ଡାକ ତିନୋଟି–“ସତ୍ୟକଥା । ପ୍ରଘଟ ହଉ ।”

 

“ଆମର ଦାବି ପୂରଣ ହଉ ।”

 

“ଅଧ୍ୟାପକ ସେଠି ଅମର ରହେ ।”

 

ପୋଷ୍ଟର କାଗଜରେ ଥିବା ଏହି ଡାକ ତିନୋଟି ଅନ୍ଧାର ରାତିରେ ଅଣ୍ଡିରା ବିଲୁଆ ଡାକ ଭଳି ଶୁଣାଗଲା ଭବାନୀପ୍ରସାଦଙ୍କୁ । ଏହି ସମୟରେ ସହରକୁ କୌଣସି ବ୍ୟବସାୟରେ ଯାଇଥିବା ଜଣେ ଲୋକ ଅନ୍ଧାରରେ ଗାଁ ରାସ୍ତାରେ ସାଇକଲ ଝପଟେଇଥିଲା, ଭବାନୀପ୍ରସାଦଙ୍କୁ ଦେଖି ଭେଟଣା ହେଲାପରି ଓହ୍ଲେଇପଡ଼ିଲା ।

 

“କିଏ ? ମାଷ୍ଟ୍ରେ ?”

 

“କଅଣ ସାଡ଼ିକା ଅବସ୍ଥା ? ସହରରେ ? ସବୁ ବନ୍ଦବାନ୍ଦ ହେଇଗଲାନା ?”

 

ଲୋକଟି ସେଇ ଅନ୍ଧାରରେ ଭବାନୀପ୍ରସାଦଙ୍କ ହାତକୁ କଅଣ ଖଣ୍ଡେ କାଗଜ ଗୁଞ୍ଜିଦେଲା ଆଉ କହିଲା–

 

“ନିଅ ପଢ଼ ! ସଂସାରରୁ ଧର୍ମ ଉଠିଗଲାଣି ହେ ! ମୁଁ ଯାଉଚି–ଦେଖେ ପିଲାଛୁଆ ମଲେଣି କି ବଞ୍ଚିଛନ୍ତି ।”

ଭବାନୀପ୍ରସାଦ ଲେଉଟିଆସିଲେ । ପିଣ୍ଡାଉପରେ ଡିବିରିଟିଏ ଜଳୁଥାଏ । ମାଇପିଟିର ମୂର୍ତ୍ତି ସେଇ ଆଲୁଅରେ କେମିତି ଗୋଟାଏ ଅତି ପୁରୁଣା ଭୟର ମୂର୍ତ୍ତିପରି ଦିଶିଗଲା–ଭବାନୀପ୍ରସାଦଙ୍କ ଆଖିକୁ । ତଥାପି ସେଇ ପୁରୁଣାଭୟର ଆଲୁଅରେ ସତ୍ୟର ଦୁଇପଟକୁ ପରିଷ୍କାର ଦେଖିପାରିଲେ ଭବାନୀପ୍ରସାଦ ।

ଅନ୍ଧାରରେ ଯେଉଁ କାଗଜକୁ ଖଣ୍ଡେ ପ୍ରଚାରପତ୍ର ବୋଲି ଭାବୁଥିଲେ ଭବାନୀପ୍ରସାଦ, ଆଲୁଅରେ ତାହା ଖଣ୍ଡିଏ ବିଶ୍ୱାସପାଇଥିବା ଖବରକାଗଜରୂପେ ଦେଖିପାରି ସେ ପ୍ରଥମେ ତାରିଖଟିକୁ ଦେଖିଲେ । ସେଇ ସନ୍ଧ୍ୟାର କାଗଜ । ଉପର, ହେଡ଼୍ ଲାଇନର ବଡ଼ ବଡ଼ ଅକ୍ଷରଗୁଡ଼ିକୁ ଚାହିଁଦେଲେ । ଛାତ୍ର ଆନ୍ଦୋଳନ ପରିବର୍ତ୍ତେ ଅନ୍ୟଗୋଟିଏ ନୈତିକ ମର୍ମପୂର୍ଣ୍ଣ ସମ୍ୱାଦ ଦେଖି ସେ ଉତ୍ସାହିତ ହୋଇଉଠିଲେ ।

‘‘ଧର୍ମର ଗତି ସୂକ୍ଷ୍ମ ।” ଏହି ବାକ୍ୟଟିକୁ ଖବରକାଗଜରୁ ଦେଖିବାପାଇଁ ସତେକି ସେ ଆଦୌ ଆଶାକରିନଥିଲେ । କିନ୍ତୁ ତାହା ହିଁ ସେଇ ସନ୍ଧ୍ୟାର ଖବରକାଗଜମାନଙ୍କର ହେଡ଼୍‍ଲାଇନ୍ ହୋଇଯାଇଥିଲା ଏବଂ ତା’ରି ତଳକୁ ଆଉ ଟିକିଏ ଛୋଟ ଅକ୍ଷରରେ ଥିଲା–

“ମୋର ସ୍ତ୍ରୀ ଅନ୍ତଃସତ୍ତ୍ୱା, ଏଥିପାଇଁ ମୁଁ ଦାୟୀନୁହେଁ, ଦାୟୀ ନଟବର । ମୋର ଆତ୍ମହତ୍ୟା ପାଇଁ ମୋର ଅନ୍ତରଙ୍ଗ ବନ୍ଧୁ ନଟବର ହିଁ ଦାୟୀ–ସରକାର ନୁହନ୍ତି ।”

ଅଧ୍ୟାପକ ବିଶ୍ୱନାଥ ସେଠିଙ୍କ ହସ୍ତାକ୍ଷର ଓ ଦସ୍ତଖତ ସହ ତାଙ୍କ ସ୍ଵୀକୃତିର ଗୋଟିଏ ଫଟୋଗ୍ରାଫକୁ ମଧ୍ୟ ଖବରକାଗଜର ଆଉଠାଏ ଦେଖିଲେ–ଭବାନୀପ୍ରସାଦ ଏବଂ ଏହାରି ତଳକୁ ସେଦିନର ସମ୍ୱାଦ ବିବରଣୀ ପ୍ରକାଶ ପାଇଥିଲା–

 

“ବିଶ୍ଵବିଦ୍ୟାଳୟ ଛାତ୍ର ଧର୍ମଘଟ ଭାଙ୍ଗିଲା । ଛାତ୍ରମାନେ ବିଶ୍ଵବିଦ୍ୟାଳୟ ହତାରେ ଘଟିଥିବା ଜଣେ ଅଧ୍ୟାପକଙ୍କର ଆତ୍ମହତ୍ୟାକୁ କେନ୍ଦ୍ରକରି ଗତ ଏକ ସପ୍ତାହ ଧରି ଯେଉଁ ଆନ୍ଦୋଳନ ଚାଲୁ ରଖିଥିଲେ, ଉକ୍ତ ଅଧ୍ୟାପକଙ୍କ ମୃତ୍ୟୁକାଳୀନ ସ୍ଵୀକୃତି ପତ୍ରଟିର ସତ୍ୟାସତ୍ୟ ପ୍ରକଟିଲା ପରେ, ନିଜ ଭ୍ରମ ବୁଝିପାରି ଆନ୍ଦୋଳନ ପ୍ରତ୍ୟାହୃତ କରିନେଲେ । ଛାତ୍ରନେତା ନଟବର ରାଉତ ଯେ କି ଗତ କେତେଦିନ ହେବ ଫେରାର ହୋଇଛନ୍ତି, ପୋଲିସ ପକ୍ଷରୁ ତାଙ୍କୁ ଖୋଜାଲାଗିଛି । ଏ ଖୋଜିବାରେ କେତେକ ଛାତ୍ରମଧ୍ୟ ପୁଲିସକୁ ସାହାଯ୍ୟ କରିବାରେ ଆଗଭର ହେବା ଦେଖାଯାଉଛି । ଆଜି ସନ୍ଧ୍ୟାରେ ସ୍ଥାନେ ସ୍ଥାନେ ଛାତ୍ର ଓ ସାଧାରଣ ସଭା ହୋଇ, ଛାତ୍ରନେତା ନଟବରଙ୍କର ନିନ୍ଦା କରିଯାଉଛି ଏବଂ ଏହା ସଙ୍ଗେ ସଙ୍ଗେ ଲକ୍ଷ୍ୟ କରାଯାଇଛି ଯେ, କେତେକ ଉଦ୍ୟକ୍ତ ଛାତ୍ର ସହରର କାନ୍ଥରେ ଲଗାଯାଇଥିବା “ଅଧ୍ୟାପକ ସେଠି ଅମର ରହେ” ପ୍ରଭୃତି ଗତକାଲିର ଶୋଭାଯାତ୍ରାରେ ବ୍ୟବହୃତ ପୋଷ୍ଟର କାଗଜ ଜମାକରି ତହିଁରେ ନିଆଁ ଲଗାଉଛନ୍ତି ।”

 

ଏହା ପଛକୁ ଆଉ ଦି’ଧାଡ଼ି–

 

“ସରକାର ଅହିଂସା ଆନ୍ଦୋଳନକାରୀ ଛାତ୍ରମାନଙ୍କ ଉପରୁ ସମସ୍ତ ମକଦ୍ଦମା ଉଠାଇନେଇଛନ୍ତି । କିନ୍ତୁ ଯେଉଁ ଯେଉଁ ଅଞ୍ଚଳରେ ଭଙ୍ଗାରୁଜା ଓ ଲୁଟ୍‍ତରାଜ କାର୍ଯ୍ୟ ଘଟିଯାଇଛି, ସେଠାରେ ପୋଲିସ୍ ତତ୍ପରତା ଆଇନ ଅନୁସାରେ ଚାଲିବ ବୋଲି ଆଜି ଦିପହରେ ପ୍ରେସନୋଟ୍ ଜରିଆରେ ସରକାର ଜଣାଇ ଦେଇଛନ୍ତି ।”

 

ଖବରକାଗଜରୁ ପଢ଼ୁଥିବା ଏଇ ଶେଷ ବାକ୍ୟ ଦୁଇଟି ହିଁ ଭବାନୀପ୍ରସାଦଙ୍କୁ ସୂଚେଇଦେଲା–ସେଦିନ ଗାଁ’ଉପରକୁ ମାଡ଼ିଆସୁଥିବା ବିତ୍ପତ୍ତିର ଉତ୍ପତ୍ତିକୁ ।

 

ଭବାନୀପ୍ରସାଦଙ୍କ ଛାତିଭିତରେ ଏକକାଳୀନ ଗୁଡ଼ାଏ ଭୟାର୍ତ୍ତ କୁକୁଡ଼ା ଫଡ଼ଫଡ଼ ହୋଇଉଠିଲେ । ଘର ଜଗୁଆଳି ସ୍ତ୍ରୀଲୋକଟିର ମୁହଁରୁ ଟିକିଏ ପୂର୍ବରୁ ଶୁଣିଥିବା ସେଇ ସତର୍କବାଣୀ–‘‘ଦାଢ଼ିଆ ଗଲାଣି ଭୋବନିଶୋର...ପଲଟଣ ଆସିଗଲେଣି” ବାକ୍ୟଟି ଗୋଟିଏ ସମ୍ପୂର୍ଣ୍ଣ ଅର୍ଥ ଗ୍ରହଣ କରିବାମାତ୍ରେ ଭବାନୀପ୍ରସାଦ ସକାଳପରି ପୁଣି ଥରେ ଦଉଡ଼ିଗଲେ ତାଙ୍କ କୁକୁଡ଼ାମାନଙ୍କର ରହିବାସ୍ଥାନ ସେଇ ଜାଲିଘରଆଡ଼କୁ । ଲଥ୍‍କରି ପୁଣିଥରେ ବସିପଡ଼ିଲେ ତାଆରି ଦୁଆର ମୁହଁରେ ଓ ଅପେକ୍ଷା କରି ରହିଲେ–ରାତିର ଅନ୍ଧାରଆଡ଼କୁ । ମାତ୍ର ତାଙ୍କଠୁଁ ଟିକିଏ ଦୂରରେ ମିଞ୍ଜି ମିଞ୍ଜି ହେଇ ଅନ୍ଧାର ପରିବେଷ୍ଟିତ ଯେଉଁ ଡିବିରି ଆଲୁଅଟି ଜଳୁଥିଲା ତାହାର ଗୋଟିଏ ଶିଖା ଭବାନୀପ୍ରସାଦଙ୍କ ବିଷଣ୍ଣ ଦିନଭରି ଅନଶନ ଗ୍ରସ୍ତ, ମୁହଁଟିକୁ ଆଲୋକିତ କରି ରଖିଥିଲା ।

ସେଦିନ ରାତିରେ ଗାଁଭିତରେ କେବଳ ଦି’ଠା ଦୁଇଟି ମିଞ୍ଜି ମିଞ୍ଜି ଆଲୁଅ ଜଳୁଥାଏ । ଏଥିମଧ୍ୟରୁ ଗୋଟିଏ ଭବାନୀପ୍ରସାଦଙ୍କ ଘରେ, ଅନ୍ୟଟି ଆଉ ଠାଏ ।

ଲାଙ୍ଗୁଳା ନରହରି ପରିଡ଼ାଙ୍କ ନାତି ଟୋକାର ଜୀବନ ଆଜି ରାତିରେ ରହିବ କି ନା ଏହି ଆତଙ୍କ କେବଳ ପିଲାଟିର ମା’କୁ ଗ୍ରାସ କରିନଥାଏ, ଗାଁର ତାଟିକବାଟ ଭିତରେ ନିଶ୍ଵାସ ବନ୍ଦକରି କାନେଇଥିବା ଅଧିକାଂଶ ଲୋକଙ୍କୁ ମଧ୍ୟ ସାରାରାତି ଚେତା ରଖିଥାଏ । ଗ୍ରାମପଞ୍ଚାୟତ ଟାଇଲିକାରଖାନାର ସମ୍ପତ୍ତି ନଷ୍ଟକରିବା ଓ ଗୋଟିଏ ସରକାରୀ ଜିନିଷ ବୋହୁଥିବା ଟ୍ରକରେ ନିଆଁ ଲଗେଇଦେବା ଘଟଣା ପଛକୁ ଯେତେବେଳେ ଗାଁରେ ହୁରିପଡ଼ିଗଲା ଯେ, ଗୋଟାଏ ଜିପରେ ବସି ଗ୍ରାମପଞ୍ଚାୟତ ନେତା ବାରବର୍ଷିଆଏ ରାଜଧାନୀଆଡ଼କୁ ଛୁଟିଗଲେଣି, ଆଉ ଘଣ୍ଟାକେ ପହଞ୍ଚିଯିବେ ପୁଲିସ୍, ଚାଲିବ ଧସ୍ତାଧସ୍ତି, ଖାନତଲାସ, ଧରପଗଡ଼, ଛେଚାଛେଚି, ସେତିକିବେଳୁ ନିଜ ନିଜର ଇସ୍କୁଲ ପଢ଼ୁଆ ପିଲାମାନଙ୍କୁ କୋଳକୁ ଜାକିନେଇ ମା’ମାନେ ଆପଣାର ଧନମାନକୁ ରକ୍ଷା କରିବାପେଇଁ କାନେ କାନେ କହିଲାଗିଲେ–

“ସୁନାଟା ପରା–ଧନଟା ପରା–ଜମାରୁ ସତ କହିବୁ ନାଇଁ । ସେ ପଚାରିବ କହିବୁ–ଆମେ ଜାଣିନାହୁଁ, କାଲିଠୁଁ ପାଳିଜ୍ଵରରେ ପଡ଼ିଚୁ ବାପା ଆଉ ମୁଁ ଦିହିଁକା ଦିହେଁ । ଇସ୍କୁଲ ଦୁଆରମୁହଁ ମାଡ଼ିନାଇ ମୁଁ ଦିନଯାକ...”

କିନ୍ତୁ ଘରେ ଘରେ, ନିରବତାର କମ୍ୱଳତଳେ ଏହିପରି ଫୁସୁରୁଫାସୁରୁ ଶୁଭୁଥିଲା ବେଳେ, ତେଣେ ନାଙ୍ଗୁଡ଼ାଙ୍କର ପାଟି ଗାଁ ଥରେଇଦେଲା–

“ମୁଁ ଜାଣେ–ମୁଁ ନିଜଆଖିରେ ଦେଖିଚି, ମୁସୁମୁସୁ କରି ଭାଙ୍ଗିପକେଇଲେ ଟାଇଲି ଗଦାଟାକୁ ! ଆଉସବୁରି ଲିଡ଼ର ଏଇ ! ଏଇ ! ତୋ ପୁଅ ! ମୋର ନାତି ! ୟାର ଓସ୍ତାନି ଖରାପ–ମୁଁ ଜାଣେ । ସହରୀ, ସାହେବୀ ଇସ୍କୁଲ ତାଲିମ ଇଏ । ଶଳା ଭାଙ୍ଗିବା ହିଁ ଶିଖିଗଲେ ପିଲାଦିନୁ ! ମୋରି ଆଗରେ ପେନ୍ଥାଏ ପାଚିଲା ମାଟି କଦଳୀ କୋଉକାଳର ଥୁଆ ହେଇଥିଲା–ଭାଙ୍ଗି ପକେଇଲା–କିଛି ଅଜାଣତରେ ନୁହେଁ–ଜାଣତରେ ! ଭାଙ୍ଗିବାର ସୁଖ ମୁହଁରେ ଲାଗିଗଲାଣି । ୟାକୁ ଏତିକିବେଳୁ ଛଡ଼େଇଦେ ମୁଁ କହୁଚି–ନଚେତ୍ ମଟରରେ ନିଆଁ କଅଣ ଲଗେଇଲା ? ସାରା ଦେଶକୁ ଜାଳିଦେବେ ଏଇ ପଞ୍ଝାକ ! ଆଉ ସବୁରି ଆଗରେ ଲିଡ଼ର୍ ଏଇ ତୋ ପୁଅ ଖଣ୍ଡକ ! ମୋରି ନାତି !”

ନାଙ୍ଗୁଡ଼େଙ୍କର ଏଇ ସ୍ୱୀକାରୋକ୍ତି ହିଁ ବିପଦକୁ ଡାକିଆଣିଥାଏ ତାଙ୍କର ଘରକୁ । ତାଛଡ଼ା ବିପଦର ଅନ୍ୟାନ୍ୟ କାରଣ ମଧ୍ୟ ଥିଲା ନାଙ୍ଗୁଡ଼ାଙ୍କ ଘରଉପରେ । ବାରବର୍ଷିଆ ଓ ନାଙ୍ଗୁଡ଼ାଙ୍କ ଭିତିରି ରାଜନୈତିକ ବିବାଦ, ମନୋମାଳିନ୍ୟ, ଆଦର୍ଶଗତ ପାର୍ଥକ୍ୟ ସାଙ୍ଗକୁ ନାଙ୍ଗୁଡ଼ାଏ ସାରାଦିନ ବାଡ଼ିଖଣ୍ଡିଏ ଠୁକୁଠୁକୁ କରି ଶୋଭାଯାତ୍ରା ଆଗେଆଗେ ଯୋଉ ଧପାଲିଥିଲେ, ଉତ୍ସାହରେ କହିକହିକା ଯେ, “ସତ୍ୟ କେବଳ ପିଲାଙ୍କ ତୁଣ୍ଡରେ ଆଜି ବଞ୍ଚିଚି” ସେଇ ବାକ୍ୟଟି ହିଁ ଆଜିଦିନର ଗୁରୁତ୍ୱପୂର୍ଣ୍ଣ ଉଚ୍ଚାରଣ ହୋଇଥିଲେ ସୁଦ୍ଧା ରାତିକି ପେଚାଭଳି ବସିପଡ଼ିଥାଏ ନାଙ୍ଗୁଡ଼ାଙ୍କ ଚାଳଉପରେ ଓ ମଝିରେ ମଝିରେ ରାବିଦଉଥାଏ ନାଙ୍ଗୁଡ଼ାଙ୍କ ମୁଣ୍ଡଉପରେ !

 

ନାଙ୍ଗୁଡ଼ାଏ ଆଲୁଅଟିଏ ଜଳେଇଦେଇ, ଅଧରାତି ସରିକି ଦାଣ୍ଡପିଣ୍ଡାରେ ବସି ବସିକା ସବୁ ଘଟଣାକୁ ଆମୂଳଚୂଳ ଆଉ ଥରେ ମନଭିତରେ ଭାବୁଥାନ୍ତି ଓ କ’ଣ ସବୁ ସ୍ଥିର କରୁଥାନ୍ତି, ମଝିରେ ମଝିରେ ଉଠିଯାଉଥାନ୍ତି ଓ ଖଟଉପରେ ନିଘୋଡ଼ ନିଦରେ ଶୋଇଥିବା ଛୋଟ ପିଲାଟାର ବୁଜିଲା ଆଖିର ମୁହଁକୁ ଚାହିଁଦେଇ ଫେରିଆସୁଥାନ୍ତି ନିଜ ଜାଗାକୁ । ପିଲାଟାର ମା’, ସେଇ ହତଭାଗିନୀ ଝିଅଟି ନିଜ ପିଲାକୁ ଜଗି ଖଟପାଖରେ ବସି ରହିଥାଏ । ତା’ ମୁହଁକୁ ଚାହିଁବାପାଇଁ ଦଣ୍ଡେ ଅପେକ୍ଷା ନ କରି, ଅଧେ କାଇଲି ଆଉ ଅଧେ ନିଃସହାୟ ହେଲାପରି ବୁଢ଼ା ଆପଣା ଜାଗାକୁ ଲେଉଟି ଆସୁ ଆସୁ ସେଥର ହଠାତ୍ କଅଣ ମନେହେଲା, ସନ୍ଧ୍ୟାର ଡାକକୁ ବଦଳେଇଦେଲା ଆଉ ନିସ୍ତବ୍ଧ ଗାଁକୁ ସ୍ତବ୍ଧ କରିଦେଲାଭଳି ବଡ଼ପାଟିରେ କହିଲା–

 

“ଡରନା ମା’ ଡରନା ! ସତ୍ୟ ବୋଧହୁଏ ଜନ୍ମ ହେଇନାହିଁ ଏ ସଂସାରରେ ! ହେଲେ ସତ୍ୟାଗ୍ରହ ତା’ ଆଗରୁ ଜନ୍ମ ହୋଇଯାଇଚି । ଆସନ୍ତୁ ଯେ ଆସିବେ ଆଜି ରାତିରେ । କିନ୍ତୁ, ତୋ ପିଲାର ଦିହକୁ ଯେ ଛୁଇଁବ, ନାଙ୍ଗୁଡ଼ା ନରହରିର ନୃସିଂହ ଅବତାର ସେଇ ଦେଖିବ । ଏଇଠି, ପଚାଶ ବର୍ଷର ଖଦଡ଼ କାନିରେ ଗଣ୍ଠିପଡ଼ିଲା ! ତୋ ପିଲା ପେଇଁ, ଗାଁଟା ଯାକର ପିଲାଙ୍କ ପେଇଁ ଏଇ ଗଣ୍ଠିର ସବୁତକ ପୁଣ୍ୟ ଆଜି ରାତିରେ ଅଜାଡ଼ିଦେବି । ଦେଖିବି, କୋଉ ସରକାର, କୋଉ ପଲଟଣ ଏ ଗଣ୍ଠିଭିତରୁ ଛୁଆଙ୍କୁ ମୋର ନେଇଯିବ ।”

 

ସେଦିନ ରାତିରେ ଭବାନୀପ୍ରସାଦଙ୍କ କୁକୁଡ଼ା ସମେତ, ଗାଁର ସବୁତକ ଇସ୍କୁଲ ପିଲାଙ୍କୁ ଗୋଟାଏ ଖଦଡ଼ ଧୋତିରେ ପଡ଼ିଥିବା ଗଣ୍ଠି ହିଁ ବଞ୍ଚେଇଦେଲା ।

 

ରାତିଅଧ ବେଳକୁ ପୁଲିସ୍ ଫଉଜ ଧରି ବାରବର୍ଷିଆଏ ରାଜଧାନୀରୁ ଗାଁକୁ ଫେରିଆସିଲେ । କିନ୍ତୁ ପୁଲିସ୍ ଧରପଗଡ଼ କଲାନାହିଁ । କେବଳ ଭଙ୍ଗା ଟାଇଲି ଗଦାକୁ ଜଗି ଦିନେ ଦି ଦିନ ରହିଲା ଓ ତାପରେ ଯୁଆଡ଼ୁ ଆସିଥିଲା, ସିଆଡ଼େ ଫେରିଗଲା ।

 

ଏହି ସମ୍ପର୍କରେ ପରେ ଜଳରବଟିଏ ଶୁଣାଗଲା । ବାର ବର୍ଷିଆଏ ରାଜଧାନୀରେ ସେଦିନ ରାତିରେ ଘରୋଇ ମନ୍ତ୍ରୀଙ୍କ ସହିତ କଅଣ ପରାମର୍ଶ କରିଥିଲେ । ଗାଁରେ ଭଙ୍ଗାରୁଜା କାର୍ଯ୍ୟରେ ଲିପ୍ତଥିବା ଶିଶୁମାନଙ୍କୁ ଶିକ୍ଷା–ଦେବା ପରିବର୍ତ୍ତେ, ଶୋଭାଯାତ୍ରା ଆଗେ ଆଗେ ନାଙ୍ଗୁଡ଼ାଙ୍କ ପରି ଚାଲିଥିବା କେତେଜଣ ଅସନ୍ତୁଷ୍ଟ ରାଜନୈତିକ ନେତାଙ୍କୁ ଶିକ୍ଷାଦେବାପାଇଁ ବାରବର୍ଷିଆ ଗୋଟିଏ ପ୍ରସ୍ତାବ ଆଣିଥିଲେ । କିନ୍ତୁ ଶେଷରେ ପ୍ରସ୍ତାବଟି ଗୃହୀତ ହୋଇପାରିଲା ନାହିଁ-। ଏଥିପାଇଁ ନାଙ୍ଗୁଡ଼ାଙ୍କ ଖଦଡ଼ ଲୁଗାର ଗଣ୍ଠି ହିଁ ସାରା ଗାଁକୁ ବଞ୍ଚେଇଦେଲା ବୋଲି ଲୋକେ କହିବା ପୂର୍ବରୁ ନିଜେ ବାରବର୍ଷିଆଏ ହିଁ କହିବୁଲିଲେ ।

 

ପରଦିନ ସକାଳକୁ ସେଇ ଗଣ୍ଠିପକା, ଆଣ୍ଠୁ ନ ଲୁଚା ଖଦି ଖଣ୍ଡକ ପିନ୍ଧି ନାଙ୍ଗୁଡ଼ାଏ ବାଡ଼ି ଠୁକୁ ଠୁକୁ କରି ‘‘ଊର୍ଣ୍ଣନାଭ ଆଶ୍ରମ’’ରେ ପହଞ୍ଚିଗଲେ ଓ ଭବାନୀପ୍ରସାଦଙ୍କୁ ନିରୋଳାରେ ପାଇବାମାତ୍ରେ–ଭେଁ ଭେଁ କାନ୍ଦିଉଠିଲେ–

 

“ମାଷ୍ଟ୍ରେ ! ମୁଁ ନଙ୍ଗଳା ହେଇଗଲି–ମୋର ଆଉ ଦ୍ଵିତୀୟ ବସ୍ତ୍ର ନାହିଁ ।”

 

କୋଡ଼ିଏ

 

ମାତ୍ର ଏ ଓ ବାହ୍ୟ

 

କାରଣ, ବାସ୍ତବତା ସମ୍ପର୍କରେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସେ, ତା’ର ଉତ୍ପତ୍ତି ସ୍ଵାର୍ଥରୁ । ଅର୍ଥାତ୍ ସ୍ଵାର୍ଥପର ବ୍ୟକ୍ତି ଚେତନାରୁ । ଯେଉଁଠି ସ୍ଵାର୍ଥର ପୁଞ୍ଜିଲଗାଣ ଅଧିକ, ବାସ୍ତବତାର ଉପଲବ୍ଧି ସେଠି ଅଧିକ । ଯେଉଁଠି ସ୍ଵାର୍ଥ ହାନିର ଆଶଙ୍କା ବହୁତ, ସେଠି ବାସ୍ତବତାର ଅନୁଭୂତି ମଧ୍ୟ ବହୁତ । ଅନ୍ୟକଥାରେ ସାମାଜିକ ପରିବର୍ତ୍ତନ ଆଉ ବିବର୍ତ୍ତନ ଯେପରି ଏକ କଥା ନୁହେଁ, ସେହିପରି ସାମାଜିକ ବିପ୍ଳବ ଆଉ ପ୍ରସୂତି ବେଦନା ଏକାକଥା ନୁହେଁ ।

 

ଉପରୋକ୍ତ ଦୃଷ୍ଟିରୁ ବିଶ୍ଵବିଦ୍ୟାଳୟ ଛାତ୍ର ଧର୍ମଘଟ ଯେଉଁଠୁ ଆରମ୍ଭହେଲା ଓ ଯେଉଁଠି ଶେଷହେଲା ଏକ ଦୁଇ ବିନ୍ଦୁ ମଧ୍ୟରେ ଘଟିଯାଇଥିବା ପରିବର୍ତ୍ତନକୁ ବିଚାରକଲେ ସବୁଠୁଁ ବେଶି କ୍ଷତି ଯାହାର ହେଲା, ତାହା ଆଉ କାହାର ନୁହେଁ–ବିଭୁପ୍ରସାଦର । ସେଦିନ ବିଶ୍ଵବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ନାମ ତଳେ “ଅମର ରହେ” ଶବ୍ଦଟି ଲେଖି ତାକୁ ଛାତ୍ରମାନେ ଦେଶ ତମାମ୍ ସହର ଓ ଗାଁର କାନ୍ଧରେ ବସେଇ ବୁଲେଇସାରିଲା ପରେ ସେଇ ନାଁତଳେ “ମୁର୍ଦ୍ଦାବାଦ” ବୋଲି ପୁଣି ଥରେ ଲେଖି ତାକୁ କାନ୍ଧରେ ଧରି ବୁଲେଇବା ଭିତରେ ଯାହା ଯାହା ପରିବର୍ତ୍ତନ ଘଟିଥିଲା ସାମାଜିକ ଦୃଷ୍ଟିରୁ ତାହା ଐତିହାସିକ ବା ରାଜନୈତିକ ଅସ୍ଥିରତାର ଆଉ ଗୋଟିଏ ରୂପ ବୋଲି କୁହାଯାଉଥିଲେ ମଧ୍ୟ ନୀରବନିଳୟର ବ୍ୟକ୍ତି ଜୀବନରେ ଏହା ସେହିପରି ଏକ ମାରାତ୍ମକ ସମସ୍ୟା ସୃଷ୍ଟିକଲା । ଯେମିତି ମହାଭାରତ ଯୁଦ୍ଧକ୍ଷେତ୍ରରେ ଅର୍ଜୁନର ଶରାଘାତରେ ସ୍କନ୍ଧଚ୍ୟୁତ ହୋଇଥିବା ଜୟଦ୍‍ରଥର ମୁଣ୍ଡ ଭୂତଳ ସ୍ପର୍ଶ କରିବା ପୂର୍ବରୁ କେଉଁ ଏକ ଅନାସକ୍ତ ସ୍ଵର ଅର୍ଜୁନର କାନରେ କହିଦେଇ ଗଲା–

 

“ହେ ପାର୍ଥ ! ଜୟଦ୍‍ରଥର କଟାମୁଣ୍ଡଟିକୁ ତଳେ ପକାଇଦିଅନା । ଜୟଦ୍‍ରଥ ନିଜେ ଜଣେ ସାଧାରଣ ବ୍ୟକ୍ତି ହୋଇଥିଲେ ମଧ୍ୟ ଏହାର ମସ୍ତିଷ୍କ ଅସାଧାରଣ । ଏହାକୁ ସ୍କନ୍ଧଚ୍ୟୁତ କରାଯାଇପାରେ; ମାତ୍ର ଏହାକୁ ତଳେ ଲୋଟାଇବାଠାରୁ ଅଧିକ ମାରାତ୍ମାକ କ୍ରିୟା ଏ ସଂସାରରେ ଦୁର୍ଲଭ । ପୁତ୍ର ଜନ୍ମବେଳେ ଜୟଦ୍‍ରଥର ପିତା ଭବିଷ୍ୟତବାଣୀ ଶୁଣିଥିଲେ–ଏ ପୁତ୍ରେ ବିଶାଳଯଶା ହେବ; କିନ୍ତୁ ଅଜ୍ଞାନ ତିମିର ଏହାର ବ୍ୟକ୍ତିତ୍ଵକୁ ଏପରି ଆବୃତକରି ରଖିବ ଯେ, ନିଜସ୍ଵ ଯଶାଲୋକ ନିଜେ ଅବଲୋକନ କରି ବିମୁଗ୍ଧ ହେବାପୂର୍ବରୁ ଅନ୍ୟମାନେ ଏହାର ଆଲୋକରେ ବିଚଳିତ ହୋଇଉଠିବେ । ଫଳରେ ଯୁଦ୍ଧକ୍ଷେତ୍ରରେ ଏହାର ମୁଣ୍ଡକୁ ସ୍କନ୍ଧଚ୍ୟୁତ କରିବା ନିମିତ୍ତ ପୃଥିବୀର ସର୍ବଶ୍ରେଷ୍ଠ ବୀର ମଧ୍ୟ ଅନ୍ୟାୟ ଯୁଦ୍ଧର ଆଶ୍ରୟ ନେବାପାଇଁ ପଶ୍ଚାତ୍‍ପଦ ହେବନାହିଁ । କିନ୍ତୁ ଅଜ୍ଞାନତିମିର ହିଁ ଏହାର ସର୍ବଶେଷ କାଳ ହେବ । ଏହି ତିମିରାକନ୍ନ ଗୋଟିଏ ସନ୍ଧ୍ୟାରେ, ସୂର୍ଯ୍ୟ ଆକାଶରେ ଥାଇ ମଧ୍ୟ ଅଦୃଶ୍ୟ ହୋଇ ରହିଥିଲାବେଳେ, ତୁମ୍ଭ ପୁତ୍ରର ଅନ୍ତର୍ନିହିତ ଆଲୋକମୟ ମସ୍ତକଟି ଭୂଲୁଣ୍ଠିତ ହେବ ।”

 

“ହେ ଅର୍ଜୁନ ! ଉପରୋକ୍ତ ଭବିଷ୍ୟତବାଣୀ ଶ୍ରବଣକରି, ଏହି ମହାଯଶ ପୁତ୍ରର ପିତା ଋଷିପ୍ରତିମା ରାଜ ବୃଦ୍ଧକ୍ଷାତ୍ର ବିଚଳିତହୋଇ ଯାହା ଉଚ୍ଚାରଣ କରିଥିଲେ ତାହା ଏହିପରି–

 

ମାନବିକଗଣ ଅନ୍ଧକାରାଚ୍ଛନ୍ନ ହେଲେ ମଧ୍ୟ ତାହାର ଅନ୍ତର୍ନିହିତ ମୂଲ୍ୟ ଅସୀମ । ତେଣୁ ହେ ଦୈବବାଣି ! ତୁମ୍ଭେ ସାକ୍ଷୀ ରହ । ପୁତ୍ରର ପିତାରୂପେ ମୁଁ ଏହାହିଁ କହିରଖେ, ଯେଉଁ ବ୍ୟକ୍ତି ଅନ୍ଧକାରକୁ ଘୃଣାକରି ଅନ୍ତର୍ନିହିତ ଆଲୋକକୁ ଅବମାନନା କରିବ ଓ ତାହାକୁ ମୃତ୍ତିକାସାତ୍ କରିବ ତାହାର ସ୍ଵମସ୍ତିଷ୍କ ମଧ୍ୟ ସହସ୍ରଖଣ୍ଡ ହୋଇଯିବ ।”

 

“ସୁତରାଂ ସେ କୌନ୍ତେୟ ! ଜୟଦ୍‍ରଥର ଶରୀର ଗୋଟିଏ ସାଧାରଣ–ବ୍ୟକ୍ତିର ଶରୀର ହେଲେ ମଧ୍ୟ ଏହାର ମୁଣ୍ଡଟି ଅସାଧାରଣ । ଏହାକୁ ସ୍କନ୍ଧଚ୍ୟୁତ କରାଯାଇପାରେ । ମାତ୍ର କନ୍ଦୁକବତ୍ ଯୁଦ୍ଧକ୍ଷେତ୍ରରେ ଗଡ଼ାଇ ଏହାକୁ ଖେଳ–ସାମଗ୍ରୀ କରିବାଠାରୁ ବିପଦ ଆଉ ନାହିଁ । ତେଣୁ, ଏହି ମୁଣ୍ଡର ଯଥାର୍ଥ ଅବସାନ ନିମିତ୍ତ ତୁମ୍ଭେ ଗୋଟାଏ ଉପାୟ ଅବଲମ୍ବନ କର । ଦ୍ଵିତୀୟବାଣ ଆକାଶମାର୍ଗରେ ଉଡ଼େଇ ଶତ ଯୋଜନାରେ କ୍ଷେପଣ କର । ଶତ ଯୋଜନ ଦୂରରେ, ଏହାର ପିତା ବୃଦ୍ଧକ୍ଷାକ୍ର ବର୍ତ୍ତମାନ ଗୋଟିଏ ଆଶ୍ରମରେ ବାନପ୍ରସ୍ଥ ପାଳନପୂର୍ବକ ପାରତ୍ରିକ ମୁକ୍ତି କାମନାରେ ତପସ୍ୟାରତ । ପୁତ୍ରର ମୁଣ୍ଡଟିକୁ ପିତାର କୋଳରେ ଏପରି ନିକ୍ଷେପ କର, ପିତୃକୋଳରୁ ଗଡ଼ିଯାଉଥିବା ମୁଣ୍ଡକୁ ଦର୍ଶନ କରିବାର ସୁଯୋଗ ନିଜେ ବୃଦ୍ଧକ୍ଷାତ୍ର ହିଁ ପ୍ରାପ୍ତହେବେ ଓ ତାଙ୍କର ନିଜ ସର୍ତ୍ତକୁ ନିଜେ ରକ୍ଷାକରି ବୃଦ୍ଧକ୍ଷାତ୍ର ନିଜର ମସ୍ତିଷ୍କକୁ ସହସ୍ର ଖଣ୍ଡ ହେଉଥିବା ଅନୁଭବ କରିପାରିବେ ।”

 

ସେଦିନ ଛାତ୍ରଆନ୍ଦୋଳନ ସଂଶ୍ଲିଷ୍ଟ ସମସ୍ତ ଛାତ୍ରବନ୍ଦୀମାନଙ୍କୁ ଜେଲରୁ ଖଲାସ କରିଦିଆଗଲା ପରେ ବିଭୁପ୍ରସାଦ ନୀରବନିଳୟକୁ ଫେରିଆସିଥାଏ । ସୁକୁମାରୀ ସେପର୍ଯ୍ୟନ୍ତ ଘରକୁ ଫେରିନଥାଏ । କେତେଦିନତଳେ ସେଇ ଯୋଉଁ ରାତିରେ ନଟବର ଧଇଁସଇଁ ହୋଇ କୁଆଡ଼ୁ ଧାଇଁଆସିଥାଏ ଆଉ କବାଟ ଖଡ଼ଖଡ଼ କରି ତୁନିତୁନି, ତା’ର ସେଇ ଚିଡ଼ିଚିଡ଼ା ବଦ୍ରାଗୀ ସ୍ଵରରେ ବିଭୁପ୍ରସାଦକୁ ଡାକ ପକାଇଥାଏ–“ଉଠ୍ ଉଠ୍ ! ମାଇପକୁ କୁଣ୍ଢେଇ କେତେ ଶୋଉଚୁରେ ! ତତେ ଶୁଭୁନାହିଁ–ସାରାରାତି ପୁଲିସ୍ ହୁଇସିଲ୍ ମାରିମାରି ଏ ଗଳିରୁ ସେ ଗଳି ଧାଇଁଚି ସହର ତମାମ ? ଗୋଟିଏ ଗର୍ଭିଣୀ ସ୍ତ୍ରୀଲୋକକୁ ସାଇକେଲ ପଛରେ ବସେଇ ସାରାରାତି ମୁଁ ତାଙ୍କୁ ଭୁଆଁ ବୁଲୋଉଚି । ଭୟଙ୍କର ବ୍ଲିଡିଂ ଆରମ୍ଭ ହୋଇଗଲାଣି । ସେଇ ରକ୍ତର ବାସ୍ନାରେ ଦଉଡ଼ୁଚନ୍ତି ପଞ୍ଝାକଯାକ; କିନ୍ତୁ ପାରିବେ ନାହିଁ, ପାରିବେ ନାହିଁ–ମୁଁ ଜାଣେ । ଧର୍ମ ଆମରି ପଟରେ ତଥାପି ରହିଛି ଭାଇ ! ଆମେ ଜୁଆଡ଼ି ନୋହୁଁ–ଚୋରା ମଦ ବେପାର ଆମର ନାହିଁ । ଉଠ୍ ! ଜଲ୍‍ଦି କବାଟ ଖୋଲ–ତୁମର ଏଠି ଡେଟଲ୍ ଅଛି ? ପାଣି ଟିକିଏ ଝଅଟ ଗରମ କରି ହବ ?” ....ଇତ୍ୟାଦି ଇତ୍ୟାଦି.....ସେଇ ରାତିରେ ନଟବର ସାଙ୍ଗରେ ଗୋଡ଼କାଢ଼ି ସୁକୁମାରୀ ଯେ ଚାଲିଯାଇଥାଏ, ଆଉ ଫେରିନଥାଏ ।

 

ପୁଲିସ ଲାଠି ମୁଣ୍ଡଉପରେ ପଡ଼ି ବିଭୁପ୍ରସାଦ ବେହୋସ ହୋଇ ପୁଣି ହୋସ୍ ଆସିବାପରଠୁଁ ତା’ କାନ ପାଖରେ ମନ୍ତ୍ରପରି ଥୋପି ସେଇ ପଦକ ବାଜୁଥାଏ–“ଧର୍ମ ଆମରି ପଟରେ ତଥାପି ରହିଚି ଭାଇ !” ଏହି ଧର୍ମ–ଜୋରରେ ବିଭୁପ୍ରସାଦ କେମିତି ଗୋଟାଏ କୁରୁଳି ଉଠୁଥାଏ ତା’ ଅନ୍ତରଭିତରେ ଆନନ୍ଦରେ । ହାଜତର ଲୁହା ରେଲିଂ ଫିଟେଇ ବିଭୁପ୍ରସାଦକୁ ମୁକ୍ତିଦେବା ପାଇଁ ଅପେକ୍ଷା କରିଥିବା ପୁଲିସକୁ ମନେମନେ ଗୋଟିଏ ଚୁମ୍ବନ ମଧ୍ୟ ଦେବାକୁ ଏହି ଧର୍ମଜୋର ହେତୁ ସେ ପଛେଇ ଯାଇନଥିଲା । ପୋଲିସ୍ ହସ୍ପିଟାଲର ଗୋଟାଏ ନର୍ସ ହାତରେ ବନ୍ଧାଯାଇଥିବା ତା’ ମୁଣ୍ଡର ମୋଟା ବ୍ୟାଣ୍ତେଜକୁ ଆଉଁସି ଆଉଁସି ସେଦିନ ଗର୍ବର ସହିତ ସହର ରାସ୍ତାକୁ ପାଦବଢ଼େଇ ଦେଲାବେଳକୁ ବିଭୁପ୍ରସାଦ ଆଗରେ କଳା ଆମ୍ବାସାଡ଼ର୍ ଗାଡ଼ିଟିଏ ଆସି ଅଟକି ଯାଇଥାଏ । ବିଭୁପ୍ରସାଦ ଚିହ୍ନେ ଏ ଗାଡ଼ିକୁ । କିନ୍ତୁ ଆଶ୍ଚର୍ଯ୍ୟ ହୋଇଗଲା ସେ–ଜେଲ୍–ଫେରନ୍ତା ବନ୍ଦୀମାନଙ୍କୁ ଅଭିନନ୍ଦନ ଜଣେଇବାପାଇଁ ସମବେତ ଛାତ୍ରମାନଙ୍କର ଗୋଟିଏ କ୍ଷୁଦ୍ର ଦଳଭିତରେ ମନମୋହନର ସ୍ତ୍ରୀ ଉଷାକୁ ଦେଖି–କାହାକୁ ସ୍ଵାଗତ ଜଣେଇବାପାଇଁ ଆସିଚି ସେ ? ଏହିପରି ଭାବୁଚି ସେ, ଗାଡ଼ିର କବାଟ ଖୋଲି ଉଷା ଛାତ୍ରମାନଙ୍କ ଭିଡ଼ ଠେଲି ବିଭୁପ୍ରସାଦ ପାଖକୁ ଆଗେଇଆସିଲା ଓ ତା’ର ହାତଧରି ଗାଡ଼ିଭିତରକୁ ଟାଣି ନଉ ନଉ କହିଲା–’ ମୁଁ ଏଥିଭିତରେ କେତେଥର ଆପଣଙ୍କ ଘରକୁ ଯାଇଛି; କିନ୍ତୁ ଆପଣଙ୍କର ସ୍ତ୍ରୀଙ୍କର ଭେଟ ଆଦୌ ପାଉନାହିଁ । ପ୍ରତିଥର କବାଟରେ ଗୋଟିଏ ତାଲା ଲଟକିଛି ଦେଖି ଫେରିଆସୁଚି । ଆଜି ମଧ୍ୟ ଯାଇଥିଲି । ଆପଣଙ୍କ ସ୍ତ୍ରୀ ଘରେନାହାନ୍ତି । ଥିଲେ ମୁଁ ନିଶ୍ଚୟ ଭିଡ଼ିଆଣିଥାନ୍ତି–ଜଣେ ଜେଲ୍ ଫେରନ୍ତା ସ୍ଵାମୀଙ୍କୁ ଅଭିନନ୍ଦନ କରିବାପାଇଁ । ଆପଣ ଆସନ୍ତୁ । ମନମୋହନବାବୁ ଘରେ ଅପେକ୍ଷା କରିଛନ୍ତି ଆପଣଙ୍କ ପାଇଁ ।”

 

ମୁଣ୍ଡର ମୋଟା ବ୍ୟାଣ୍ଡେଜକୁ ବିଭୁପ୍ରସାଦ ଆଉ ଥରେ ଛୁଇଁଥିଲା–ମନମୋହନର ଗାଡ଼ିରେ ନଇଁକରି ବସିବାବେଳେ । ଆଉ ସେତିକିବେଳେ ଅନ୍ତତଃ ମୁହୂର୍ତ୍ତକ ପାଇଁ ତା’ ଭିତରେ ଯେଉଁ ଗର୍ବଟି ମୁଣ୍ଡ ଟେକିଥିଲା, ସେ ଗର୍ବ ସହିତ ବିଭୁପ୍ରସାଦର ପରିଚୟ ଆଜିର ନୁହେଁ; ତାହା ବହୁତ ପୁରୁଣା । କେତେବାର ସେ ତା’ର ବାପାଙ୍କ ମୁହଁରୁ ପିଲାଦିନେ ଶୁଣିଛି ସେଇ ସବୁ ପୁରାଣର କାହାଣୀପରି କାହାଣୀ, ଯାହାର ଆରମ୍ଭ ଏହିପରି–

 

“ହଜାରିବାଗ ଜେଲ୍‍ର ଓ୍ୱାର୍ଡର କାନ୍ଦିପକାଇଲେ । ସେତେବେଳେ ଗାଇସ୍ ସାହେବ୍ ପୁଲିସ୍ ସୁପରିଟେଣ୍ଡେଣ୍ଟ ଥାନ୍ତି...” କିମ୍ୱା,

 

“ଜେଲ୍ ! ଜେଲ୍ ! ଜେଲ୍ ହିଁ ଆଧୁନିକ ମଣିଷର ତପସ୍ୟା–ଭୂମି । ଏହାରି ଭିତରେ ତୁମେ ମଧ୍ୟ ଦିନେ ଥାଇ ଶୁଣିପାର–ସଂସାରର ସବୁଠାରୁ ପ୍ରିୟବସ୍ତୁ ଯାହାକୁ ହୃଦୟରେ ସାକ୍ଷୀପୁରୁଷରୂପେ ଥାପି ମଣିଷ ସବୁ ଦୁଃଖର ସମୁଦ୍ର ପାରିହୋଇଯାଇପାରେ, ସେହିପରି ପ୍ରିୟବସ୍ତୁକୁ ଭଗବାନ ଛଡ଼ାଇନେଇଛନ୍ତି । ଜହରଲାଲଙ୍କ ଆତ୍ମଜୀବନୀ ପଢ଼ିଛି ? ସେଇ ଯୋଉ ଖଣ୍ଡକ ଲାଇବ୍ରେରିରୁ ଆଣିଥିଲି ? ପଢ଼ ! ପଢ଼ !”

 

ମନମୋହନର ସ୍ତ୍ରୀ ଉଷାର ଅଭିନନ୍ଦନକୁ ସନ୍ଦେହ ବା ଘୃଣା କରିବାର କିଛି କାରଣ ନଥିଲା ବିଭୁପ୍ରସାଦର । ଏପରିକି ମନମୋହନର ସେଇ କଳା ଆମ୍ବାସାଡ଼ର୍ ଗାଡ଼ିର ପଛ ସିଟ୍‍ର ନରମ ଗଦିରେ ବସିପଡ଼ିଲାବେଳେ ବିଭୁପ୍ରସାଦ ନିଜକୁନିଜେ ବୁଝେଇ ଦେଇପାରିଥିଲା–

 

ଠିକ୍ ଅଛି, ଏପରିକି ମହାତ୍ମାଗାନ୍ଧିଙ୍କୁ ମଧ୍ୟ ଦିନେ ବିରଳାଭବନର ଗାଡ଼ିରେ ଜେଲ୍‍ରୁ ଫେରିବାକୁ ପଡ଼ିଥିବ ।’

 

ଏହାବ୍ୟତୀତ ବିଶ୍ଵବିଦ୍ୟାଳୟ ଛାତ୍ରଆନ୍ଦୋଳନର ପ୍ରଥମ ପର୍ଯ୍ୟାୟରେ ଭୋଗିଥିବା ଜେଲ୍‍ଦଣ୍ଡ ଟିକକରେ କି ଶକ୍ତି ଥିଲା କେଜାଣି, ଏଯାବତ୍ ଅବରୁଦ୍ଧ ଗୋଟିଏ ଅନୁଭୂତିର ହାର ଏହି ଦଣ୍ଡ ଓ ଦୈହିକ ନିର୍ଯାତନା ମାଧ୍ୟମରେ ଉନ୍ମୁକ୍ତ ହୋଇଯାଇଥିଲା । ଏହି ଦ୍ଵାରଟି ଖୋଲିଯିବାମାତ୍ରେ ବିଭୁପ୍ରସାଦର ବହୁକାଳ ଧରି ସଙ୍କୁଚିତ ହୋଇ ରହିଥିବା ଆତ୍ମପୁରୁଷଟି ହଠାତ୍ ବିସ୍ତୃତି ଲାଭ କଲାପରି ଅନ୍ତର୍ଜଗତରୁ ଲୌକିକଜଗତଆଡ଼କୁ ଏପରି ପ୍ରବଳ ବେଗରେ ପ୍ରବାହିତ ହୋଇଆସିଲା ଯେ, ମନମୋହନର ସେଇ କଳା ମଟରଗାଡ଼ିଟାଆଡ଼କୁ ମଧ୍ୟ ବିଭୁପ୍ରସାଦ ଆଉ ଏକ ଉଦାର, ସ୍ନେହସ୍ନିଗ୍ଧ ଆଙ୍ଗୁଠି ଲମ୍ବେଇହେଲା ଓ ଗାଡ଼ିଟାର ବାହାରଭିତର ସବୁକୁ ଆଉଁସି ପକଉ ପକଉ ପ୍ରକାଶ୍ୟରେ ମନମୋହନର ସ୍ତ୍ରୀ ଉଷାକୁ ଶୁଣେଇଲାଭଳି କହିଲା–

 

“କଏଦୀ ହେବାର ଉପକାର ଏତିକି ! କଳା କିଟିକିଟି ଅନ୍ଧାରକୁ ଭୟ କରୁଥିବା ଶିଶୁ ଯେପରି କୃଷ୍ଣ କୃଷ୍ଣ ଜପ ଆରମ୍ଭ କରିଦିଏ ଓ ଅନ୍ଧାରଭିତରୁ କୃଷ୍ଣତାକୁ ହିଁ କ୍ରମେ ଉପଲବ୍ଧି କରିପାରେ, ସେହିପରି ହାତଗୋଡ଼ ବନ୍ଧାହୋଇ ସ୍ଵାଧୀନତାଶୂନ୍ୟଭାବେ ପରାଶ୍ରିତ ହୋଇ ପଡ଼ିରହିଥିବା ମଣିଷ ତା’ର ପ୍ରତ୍ୟେକ ଦୀର୍ଘଶ୍ଵାସ ସହିତ ସ୍ଵାଧୀନତାକୁ ଗଭୀରଭାବେ ଉପଲବ୍ଧ କରିପାରେ । କିନ୍ତୁ ମନମୋହନର ଦୟାରୁ ମୁଁ ଯେଉଁ ଦଣ୍ଡ ଭୋଗିଲି, ତାହା ମୋର ଦୁଇଟିଯାକ ଆଖିକୁ ଏକାବେଳକେ ଖୋଲିଦେଇଛି ଉଷା ! ଏକରେ ମୁଁ ଆନନ୍ଦିତ ହେଉଚି, ତୁମେ କହିଲାବେଳୁ ଯେ ମୋର ସ୍ତ୍ରୀ ସୁକୁମାରୀ ଆଦି ମୁଁ ଜେଲ୍‍ରୁ ଫେରୁଥିବା ମୁହୂର୍ତ୍ତରେ ମୋପାଇଁ ଅପେକ୍ଷା କରି ଘରେ ବସିରହି ନାହିଁ; ମୋ ଘରେ ତାଲା ଲଟକିଛି ! ଏହାର ପ୍ରଥମ ଅର୍ଥଟି ମୁଁ ଏହିପରି ଅନୁଭବ କରୁଛି ଯେ, ମୋର ସ୍ତ୍ରୀ ସେଇ କାଳୀ, ହରିଜନ ଝିଅଟି ମୋର ଅନୁପସ୍ଥିତିରେ ମଧ୍ୟ ତା’ର ମୌଳିକ ସ୍ୱାଧୀନତାକୁ ତଥାପି ବଜାୟ ରଖିପାରିଛି ଓ ଘରେ ତାଲାପକାଇ ସ୍ଵାଧୀନ–ଭାବେ ବିଚରଣ କରିପାରୁଚି । ପୁଲିସର ହାତକଡ଼ା ମୋ ହାତରେ ଲାଗିବା ପୂର୍ବ ମୁହୂର୍ତ୍ତ ପର୍ଯ୍ୟନ୍ତ ମୁଁ ବରାବର ମୋ ସ୍ତ୍ରୀର ଏତିକି ଅନ୍ତର୍ନିହିତ ସ୍ୱାଧୀନତାବୋଧକୁ ମନେମନେ ହିଂସା କରିଆସୁଥିଲି । ଏଣୁ ଦିନେଦିନେ ବିଶେଷତଃ ରାତିଅଧରେ, ଏପରିକି ମୋର ବିବାହ ପୂର୍ବରୁ ମଧ୍ୟ ମୁଁ ଯେତେବେଳେ ଚିନ୍ତା କରୁଥିଲି ଯେ, ମୁଁ ବିବାହିତ; କିନ୍ତୁ ବିବାହ ପରେ ପରେ ମୋର ମୃତ୍ୟୁ ହୋଇଯାଇଛି ଓ ମୋର ବିଧବା ସ୍ତ୍ରୀ ନିରାଶ୍ରୟ ଅବସ୍ଥାରେ ଏହି ସହରରେ ଗୋଟିଏ ଭିତ୍ତିହୀନ କୁଡ଼ିଆରେ ବାସ କରୁଥିଲାବେଳେ କୌଣସି ଦୁର୍ବୃତ୍ତ କୁଡ଼ିଆ ବାହାରେ ଠିଆହୋଇ ମୋର ବିଧବା ସ୍ତ୍ରୀକୁ ଇସାରା ଦେବାପାଇଁ କବାଟରେ ଠକ୍‍ଠକ୍ କରୁଚି, ସେତେବେଳେ ସେଇ ପରପୁରୁଷ ପରିବର୍ତ୍ତେ ମୋର ପ୍ରେତାତ୍ମାର ସମସ୍ତ କ୍ରୋଧ ମୋର ସ୍ତ୍ରୀଉପରେ ହିଁ ଠୁଳହୁଏ ଓ ମନେହୁଏ ଯେ, ମଲାପରେ ମଧ୍ୟ ମୋ ସ୍ତ୍ରୀକୁ ଜଗି ବସିବାପାଇଁ ମୋତେ ମୋ କୁଡ଼ିଆ ଚାଳରେ ହିଁ ଅନ୍ତତଃ ଗୋଟିଏ ଠିକଣାବେଳେ ସତ୍ ସତ୍ ବୋଲି ଚିତ୍କାର କରିପାରୁଥିବା ଝିଟିପିଟିଟିଏ ହୋଇ ରହିବାକୁ ପଡ଼ିବ । କିନ୍ତୁ ତୁମେ ବିଶ୍ୱାସ କରିପାରିବ ନାହିଁ ଉଷା ! ଆଜି ଏହି ମୁହୂର୍ତ୍ତରେ ମୁଁ କେତେ ସ୍ଵାଧୀନଭାବେ ଏହି ପଦକ କହୁଚି ଯେ ମୋ ଘରେ ତାଲାପଡ଼ିଥିବା ଶୁଣି ମୁଁ ଆଜି ଗଭୀର ଆନନ୍ଦ ଅନୁଭବ କରୁଛି । ଏଥିରୁ ଯେଉଁ ଦୁଇଟି ଅର୍ଥ ମୁଁ କାଢ଼ିପାରୁଛି, ତହିଁର ପ୍ରଥମଟି ତ କହିଲି ଯେ, ସୁକୁମାରୀ ବୋଧହୁଏ ମୋର ଗିରଫ ହୋଇଯିବା ସମ୍ବାଦ ଶୁଣି ନିଜର ଆତ୍ମରକ୍ଷା ପାଇଁ ସହରର କେଉଁଠାରେ ଆତ୍ମଗୋପନ କରିବାପାଇଁ ବାହାରିଯାଇଛି କିମ୍ବା ଦ୍ଵିତୀୟରେ, ସେ ମଧ୍ୟ ତୁମରି ପରି ତା’ର ଜେଲ୍ ଫେରନ୍ତା ସ୍ଵାମୀକୁ ଅଭିନନ୍ଦନ ଜଣେଇବାପାଇଁ ଏଇଠି ଆମରି ପାଖରେ ଏପରି ଛଦ୍ମବେଶରେ ଠିଆହୋଇଛି–ଯେମିତି ତୁମର ଏଇ କଳା ମଟର ଗାଡ଼ିଟି !

 

“ମୁଁ ଜାଣେ ! ପୃଥିବୀର ସବୁ କଳା ଆଉ କୁତ୍ସିତର ଅନ୍ତରର ଆର୍ତ୍ତନାଦକୁ ମୁଁ ଏତେଦିନ ଶୁଣିବାକୁ ସକ୍ଷମ ହୋଇଛି ଉଷା ! ଏପରିକି ଏଇ କଳା ମଟରଟିର ବାହ୍ୟରୂପ ଭିତରେ ମୋର ସ୍ତ୍ରୀ ସୁକୁମାରୀ–ସେଇ କାଳୀ ହରିଜନ ଝିଅଟିର ଉପସ୍ଥିତି ଓ ତା’ର ଦୀର୍ଘନିଶ୍ୱାସକୁ ମୁଁ ବେଶ୍ ଅନୁଭବ କରିପାରୁଛି ।”

 

ଏହିପରି ଅଧେ ପାଗଳ ଓ ଅଧେ ଭଲମଣିଷ ପରି ପ୍ରଳାପ କରୁ କରୁ ବିଭୁପ୍ରସାଦ ମନମୋହନର ମଟରରେ ବସି ବନ୍ଧୁ ପତ୍ନୀ ଉଷାର ଆତିଥ୍ୟକୁ ଉଦାରତାର ସହିତ ଗ୍ରହଣ କରିନେଇଥାଏ ସେଇ ସନ୍ଧ୍ୟାରେ ।

 

ସେଦିନ ମନମୋହନ ଘରେ ଖିଆପିଆ କରି ନିରବ ନିଳୟକୁ ଫେରୁ ଫେରୁ ରାତିଅଧ-। ମନମୋହନ ଦିନସାରା ତା’ର ଘରସାମ୍ନାରେ ଜମିରହିଥିବା ଦଳେ ଛାତ୍ର ପ୍ରତିନିଧିଙ୍କ ସହିତ କଅଣ ସବୁ ଆଲୋଚନା କରିବାରେ ବ୍ୟସ୍ତଥାଏ । ଜେଲଫେରନ୍ତା ବନ୍ଧୁଙ୍କୁ ସ୍ୱାଗତ ଜଣାଇବାପାଇଁ ମୁହୂର୍ତ୍ତେ ସେ ଘରଭିତରକୁ ପଶିଆସିଥିଲା ଅବଶ୍ୟ; କିନ୍ତୁ ବାକିତକ ସମୟ ଉଷାର ପୂର୍ଣ୍ଣ ସାନିଧ୍ୟ ହିଁ ବିଭୁପ୍ରସାଦ ଲାଭ କରିଥିଲା ସେଦିନ । ଖିଆପିଆ ସାରି ଘରକୁ ଫେରିଲାବେଳେ ଉଷା ମଧ୍ୟ ପୁଣି ଥରେ ଗାଡ଼ି ବାହାରକଲା ଆଉ କହିଲା–

 

“ଚାଲନ୍ତୁ, ମୁଁ ନିଜେ ନେଇ ଆପଣଙ୍କୁ ଘରେ ଛାଡ଼ି ଆସିବି । ସୁକୁମାରୀ ବୋଧହୁଏ ଫେରିଆସିବେଣି । ସ୍ଵାମୀ ସ୍ତ୍ରୀଙ୍କୁ ଏକାଠି କରିଦେଇ ମୁଁ ଫେରିଆସିବି ।”

 

ମନମୋହନ ସେତିକିବେଳେ ଟିକିଏ ଘରଆଡ଼େ ମୁହଁ ଦେଖେଇଦବା ପାଇଁ ଆସିଥିଲା-। ବିଭୁପ୍ରସାଦ ମୁଣ୍ଡରେ ବନ୍ଧା ହୋଇଥିବା ପୁଲିସ ହସ୍ପିଟାଲର ବ୍ୟାଣ୍ଡେଜକୁ ଦେଖେଇ, ତା’ର ନିତିଦିନିଆ ପରିହାସମୟ ସ୍ୱରରେ କହିଲା–

 

“କିବେ ! ପଗଡ଼ିଟା ଏପର୍ଯ୍ୟନ୍ତ ଖୋଲିନାହୁଁ ?”

 

ବିଭୁପ୍ରସାଦ ହସି ହସି ଜବାବଦେଲା–

 

“ଏ ପଗଡ଼ି ରହିଲା–ସେଇଦିନ ଖୋଲାହେବ, ଯେଉଁଦିନ ଦୁଃଶାସନ ରକ୍ତରେ ଦ୍ରୌପଦୀର ବେଣୀ ବନ୍ଧା ହେବ ।”

 

ମନମୋହନ ହୋ ହୋ ହୋଇ ହସିଲା ଓ ଏହିପରି ହସ ମଝିରେ ହଠାତ୍ ଗମ୍ଭୀର ହୋଇଯାଇ ସେ ଯେପରି ପ୍ରତ୍ୟେକଥର ବିଭୁପ୍ରସାଦର ଚେତନାଜ ଗତର ନିଗୂଢ଼ତମ କୋମଳ ଫୁଲଟିଆଡ଼କୁ ଗୋଟିଏ କଠୋର, କର୍କଶ ହାତ ବଢ଼େଇ ଦଉ ଦଉ ସାଧାରଣତଃ କହିଥାଏ–

 

“ଚୋପ୍ ! ପୁଣି ପୁରାଣ କାଢ଼ୁଚୁ !” ଆଜି ହଠାତ୍ ସ୍ଵର ବଦଳେଇଦେଇ ସେ କହିଲା–

 

“ଖବରଦାର ! ଇତିହାସକୁ ପୁଣି ଥରେ ପୁରାଣଭାଷାରେ କହନା ବିଭୁପ୍ରସାଦ ! ନଚେତ୍ ତୋର ମଧ୍ୟ ସେଇ ଦଶା ହେବ ଯାହା ଅଧ୍ୟାପକ ସେଠିଙ୍କର ।”

 

“ଅଧ୍ୟାପକ ସେଠିଙ୍କର ? କି ଦଶା ? କାହିଁକି ? ଶେଷ ମୁହୂର୍ତ୍ତରେ, ଏପରିକି ତାଙ୍କର ଶବବ୍ୟବଚ୍ଛେଦ ହେବାପାଇଁ ତୁମ ପୁଲିସ୍ ଦୁଇଜଣ ତାଙ୍କୁ ଷ୍ଟ୍ରେଚରରେ ପୋଷ୍ଟମର୍ଟମ୍ ରୁମ୍ ପର୍ଯ୍ୟନ୍ତ ବୋହିନବାବେଳଯାକେ ତ ମୁଁ ବରାବର ତାଙ୍କର ମୁହଁର ଶେଷ ଭାଷାକୁ ପଢ଼ିବାକୁ ଚେଷ୍ଟା କରିଚି । ଏକା ଭ୍ୟାନରେ ଆମେ ଦୁଇଜଣ ଗୋଟିଏ ଷ୍ଟ୍ରେଚର୍ ଉପରେ ହିଁ ବୁହାହେଇ ଯାଇଥିଲୁ । ସେ ମରିଥିଲେ, ମୁଁ କିନ୍ତୁ ମରିନଥିଲି । ପୁଲିସ୍ ଭାବିଥିଲା ବୋଧହୁଏ– । ଛାଡ଼ ସେ କଥା । ମୋର କହିବାର କଥା ଅଧ୍ୟାପକ ସେଠିଙ୍କୁ ମୁଁ ଯେତେଦୂର ଜାଣେ ମୃତ୍ୟୁ ତାଙ୍କୁ ଗ୍ରାସ କରିପାରିନାହିଁ–ଅନ୍ତତଃ ତାଙ୍କର ଶେଷ ହସଟିକୁ ! ତାଙ୍କର ସେହି ହସଟି ବାସ୍ତବିକ ଅମର–ଯାହା ଛାତ୍ରମାନେ ରାସ୍ତାରେ ସ୍ଲୋଗାନ୍ ଦଉଥିଲେ–ସେଇଆ । ସବୁଦିନେ ଲାବୋରେଟୋରୀରୁ ବାହାରି ଆମସାଙ୍ଗେ କଫି ଖାଇବାକୁ ଗଲାବେଳେ ସେ ଯେପରି ମନକୁମନ ହସୁଥାନ୍ତି ସବୁଦିନ ପାଇଁ । ସେ ହସଟି ରହିଗଲା ତାଙ୍କ ମୁହଁରେ । ମୃତ୍ୟୁ ତ ତାଙ୍କୁ ଜୟ କରିପାରିଲା ନାହିଁ ! ଏଥିରେ ଦଶାପଡ଼ିଲା କୁଆଡ଼ୁ-?”

 

ମନମୋହନ ପୁଣି ଥରେ ହୋ–ହୋ ହୋଇ ହସିଲା ଓ ହସ ମଝିରେ ହଠାତ୍ ଅଟକିଯାଇ କହିଲା–

 

“ଅଧ୍ୟାପକ ସେଠି ମଲାବେଳେ ମଧ୍ୟ ହସୁଥିଲେ–ଏ ହସଟାକୁ ମୁଁ ବି ଦେଖିଛି; କିନ୍ତୁ ମଲାବେଳେ ହସୁଥିବା କୌଣସି ମଣିଷକୁ ତୁ କେବେ ଦେଖିଛୁ ବିଭୁପ୍ରସାଦ ? କେତେ ଦାୟିତ୍ଵହୀନ ହେଲେ ମଣିଷ ଏପରି ହସ ହସେ–ଜାଣୁ ?”

 

ଏଥର ବିଭୁପ୍ରସାଦ ନିଜେ ହସିଲା ଆଉ କହିଲା–“ମଲାବେଳେ ଶ୍ରୀକୃଷ୍ଣ ମଧ୍ୟ ଏହିପରି ହସ ହସିଥିଲେ । ଯେତେବେଳେ ଜାରାଶବର...”

 

“ଚୋପ୍ ! ପୁଣି ପୁରାଣ କାଢ଼ୁଚୁ !” ମନମୋହନ ଏଥର ଅସହିଷ୍ଣୁ ଭାବେ ଚିତ୍କାର କରିଉଠିଲା ଓ କହିଲା–

 

“କଥାକଥାକେ ଶ୍ରୀକୃଷ୍ଣଙ୍କୁ କାଢ଼େନା ବିଭୁପ୍ରସାଦ । ଏଠି କଥାପଡ଼ିଚି ତୋ ମୋ ଭିତରେ-। ମନେକର, ତୋ ସ୍ତ୍ରୀ ସହିତ ଜଣେ ପୁରୁଷକୁ ଏକା ଶେଯରେ ଦେଖି ତୁ ଆତ୍ମହତ୍ୟା କରିବା ନିମିତ୍ତ ସ୍ଥିର କରିଦେଲୁ । ପୁଣି ମନେକର, ଆତ୍ମହତ୍ୟା କରିବାପାଇଁ ବିଷପାତ୍ରଟିକୁ ହାତରେ ଧରିଲାବେଳେ ତତେ ହସ ଲାଗିଲା । ଏହିପରି ହସ ହସିଲାବେଳେ ମଣିଷର ମନର ଅବସ୍ଥା କଥା କେବେ ଭାବିଚୁ-? ମଣିଷ ଯଦି ପ୍ରକୃତରେ ଶ୍ରୀକୃଷ୍ଣ ହୋଇଥାନ୍ତା ବା ଭଗବାନ ହୋଇଥାନ୍ତା, ତେବେ ପ୍ରକୃତରେ ବିଷପାତ୍ରକୁ ହାତରେ ଧରି ଏପରି ମୁହୂର୍ତ୍ତରେ ସେ ହସିବାରେ ସମୟ ନଷ୍ଟ କରନ୍ତା ନାହିଁ । କିମ୍ୱା ଯଦି ହସିବା ହିଁ ଏକ ଭାଗବତ ଆବଶ୍ୟକୀୟତା ହୋଇଥାନ୍ତା, ତେବେ ଭଗବାନଙ୍କ ମୁହଁରୁ–“ମୁଁ ଦାୟୀ ନୁହେଁ” ବୋଲି ନାସ୍ତିକତା ପ୍ରକାଶପାଅନ୍ତା ନାହିଁ । ବରଂ ନିଜର ମୃତ୍ୟୁ ପାଇଁ ନିଜକୁ ଦାୟୀ କରି ଜଣେ ସର୍ବଦ୍ରଷ୍ଟା ବ୍ୟକ୍ତି ହସି ହସି କହନ୍ତା–

 

“ମୋହ ବାଞ୍ଝିତ ଏହୁ କର୍ମ

ଜାରା ନକର ମତିଭ୍ରମ !”

 

କିନ୍ତୁ ଅଧ୍ୟାପକ ସେଠି ନିଜର ମୃତ୍ୟୁକାଳୀନ ସ୍ଵର୍ଗତୋକ୍ତିରେ କଅଣ ଲେଖିଯାଇଛନ୍ତି ଜାଣୁ ବିଭୁପ୍ରସାଦ ?

 

ଡ୍ରଇଂ ରୁମ୍ ଟିପୟ ଉପରେ ସନ୍ଧ୍ୟାର ଖବରକାଗଜ ଏପର୍ଯ୍ୟନ୍ତ ଖୋଲା ହୋଇନଥାଏ । ଖବରକାଗଜକୁ ଝଟ୍‍କରି ଟାଣିଆଣି ମନମୋହନ ତାକୁ ସେମିତି ଅଖୋଲା ଅବସ୍ଥାରେ ବିଭୁପ୍ରସାଦର କୋଳଉପରକୁ ଫୋପାଡ଼ିଦେଲା ଓ କହିଲା–ପଢ଼ !

 

ଗତ କେତେଦିନ ହେବ, ଛାତ୍ର ଆନ୍ଦୋଳନରେ ଗିରଫ ହେବାପରଠାରୁ ବିଭୁପ୍ରସାଦ ବାସ୍ତବିକ ଖଣ୍ଡିଏ କାଗଜ ଟୁକୁରା, ଏପରିକି ପାଇଖାନା ବ୍ୟବହାର ପାଇଁ ମଧ୍ୟ ପାଇନଥିଲା । ଶହ ଶହ ଛାତ୍ର ଓ ଜନସାଧାରଣଙ୍କୁ ଏକକାଳୀନ ବନ୍ଦୀ କରି ଗୋଟିଏ ବଡ଼ ଘରେ ରଖିବାସତ୍ତ୍ଵେ ସବୁଠାରୁ ବଡ଼ ଅସୁବିଧାଟି ସ୍ଵଳ୍ପ ଜେଲ୍ ଜୀବନ ଭିତରେ ବିଭୁପ୍ରସାଦ ଭୋଗିଥିଲା ଏଇ ପାଇଖାନାରେ । ପ୍ରଥମତଃ ପାଇଖାନା ତୁଳନାରେ ଜଳଯୋଗାଣ ଥିଲା ଆହୁରି କମ୍ । ତେଣୁ ବନ୍ଦୀମାନଙ୍କ ଭିତରେ ସବୁଠାରୁ ବେଶି ଟଣାଓଟରା ଲାଗିଯାଉଥିଲା–ଖଣ୍ଡେ ରୁଟି ଟୁକୁରା ପାଇଁ ଯେତେ ନୁହେଁ, ଖଣ୍ଡେ କାଗଜ ଟୁକୁରା ପାଇଁ ସେତିକି । ଏହି ହେତୁ, ବାହାରୁ ଛାତ୍ରମାନଙ୍କୁ ରାଜନୈତକ ବନ୍ଦୀରୂପେ ଗ୍ରହଣ କରିବାପାଇଁ ଅଧିକରୁ ଅଧିକ ଚାପପଡ଼ିବା ଫଳରେ ଜେଲ୍ କର୍ତ୍ତୃପକ୍ଷ ଶେଷରେ ବନ୍ଦୀମାନଙ୍କୁ ଖବରକାଗଜ ଯୋଗେଇବା ଆରମ୍ଭ କରିଥିଲେ ମଧ୍ୟ ଖବରକାଗଜରୁ ସମ୍ୱାଦ ପହଞ୍ଚିବା ପୂର୍ବରୁ ତାହା କାଗଜ ବୁଭୁକ୍ଷୁ ମଣିଷ ହାତର ଟଣାଓଟରାରେ ଚିରି ବିଧ୍ୱସ୍ତ ହୋଇଯାଉଥିଲା ।

 

ଏହି ସମ୍ୱାଦବିହୀନତା ହିଁ ବିଭୁପ୍ରସାଦକୁ ଏପର୍ଯ୍ୟନ୍ତ ଗୋଟିଏ ନିତ୍ୟ ଜଗତର ଊର୍ଦ୍ଧ୍ୱରେ ଆଉ ଏକ ନିତ୍ୟ ଜଗତକୁ ଉତ୍ତୋଳିତ କରି ରଖିଥିଲା । ବାହ୍ୟ ଚକ୍ଷୁ ବନ୍ଦ କରିଦେଇ, ଧ୍ୟାନସ୍ଥ ହେଲାପରି ଏପର୍ଯ୍ୟନ୍ତ ପ୍ରତ୍ୟେକ ବସ୍ତୁକୁ ସେ ଦେଖୁଥିଲା ତା’ର ଅନ୍ତର୍ଚକ୍ଷୁରେ–ଅବିକଳ ସେମିତି–ଯେମିତି ବୈବାହିକ ଜୀବନର ସେହି ରାତିମାନଙ୍କରେ ବାହାରର ଆଲୁଅକୁ ଲିଭେଇଦେଇ, କଳା କିଟ୍‍କିଟ୍ ଅନ୍ଧାରଭିତରେ ବିଭୁପ୍ରସାଦ ତା’ ସ୍ତ୍ରୀକୁ ଆଲିଙ୍ଗନ କରୁଥିଲା ଓ ସେହି ଆଲିଙ୍ଗନକୁ ହିଁ ସଂସାରର ସବୁ କଳା କିଟିକିଟି ଅନ୍ଧାରଭିତରୁ ସବୁ ମିଥ୍ୟା, ଅସୁନ୍ଦର, ଅସୁସ୍ଥତାଭିତରୁ କେଉଁ ଏକ ସ୍ଵଚ୍ଛ, କଠିଣ, ସତ୍ୟ, ସୁନ୍ଦର ଓ ସୁସ୍ଥ ବସ୍ତୁର ଆଲିଙ୍ଗନ ମନେକରି ସେ ବାରମ୍ୱାର ସେଇ ଗୋଟିଏ ଆଲିଙ୍ଗନ ପାଇଁ ତା’ ସ୍ତ୍ରୀଆଡ଼କୁ ହାତବଢ଼େଇ ଦଉଥିଲା ।

 

କିନ୍ତୁ ବାସ୍ତବତାର ଉତ୍ପତ୍ତି ଅନ୍ଧାରର ଆଲିଙ୍ଗନରୁ ନୁହେଁ, ବାହ୍ୟ ସମ୍ପର୍କହୀନ ଅନ୍ତର୍ଦୃଷ୍ଟିରୁ ନୁହେଁ, ନିର୍ବ୍ୟକ୍ତିକତାରୁ ନୁହେଁ–ସମ୍ପୂର୍ଣ୍ଣ ସ୍ୱାର୍ଥଜଡ଼ିତ ବ୍ୟକ୍ତିଚେତନାରୁ ହିଁ ତା’ର ଉତ୍ପତ୍ତି ।

 

ଅଖୋଲା ଖବରକାଗଜଟିକୁ ଖୋଲିଦେବାମାତ୍ରେ ବିଭୁପ୍ରସାଦର ଆଖି ପ୍ରଥମେ ପଡ଼ିଲା ଧାଡ଼ିଟାଉପରେ–

 

“ମୋ ସ୍ତ୍ରୀ ଅନ୍ତଃସତ୍ତ୍ଵା, ଏଥିପାଇଁ ମୁଁ ଦାୟୀନୁହେଁ, ଦାୟୀ ନଟବର !”

 

ଧ୍ୟାନ ଭଙ୍ଗ ହେଲାପରି ବିଭୁପ୍ରସାଦ ମନମୋହନର ଡ୍ରଇଂରୁମର ଏଣେତେଣେ ଥରେ ଆଖି ବୁଲେଇଆଣି ପୁଣି ଥରେ ଚାହିଁଲା ସେଇ ବାକ୍ୟଟିକୁ ଓ ଏଥର ପରା ବାକ୍ୟ ପରିବର୍ତ୍ତେ ଗୋଟିଏ ଶବ୍ଦ–ନଟବର–ଏହାରି ଉପରେହିଁ ତା’ର ଦୃଷ୍ଟି ନିବଦ୍ଧ ହେଲା ।

 

ଏଯାବତ୍ ଯେଉଁ ନାଁଟିକୁ ସ୍ମରଣ କଲେ ଭୟଙ୍କର ଦୁଃଖଭିତରେ ମଧ୍ୟ ବାତ୍ସଲ୍ୟର ଏକ କ୍ଷୀଣରସ ବିଭୁପ୍ରସାଦର ଶୁଷ୍କ ହୃଦୟରେ ଧୀରେ ଧୀରେ କ୍ଷରିତ ହୋଇ କ୍ରମଶଃ ସମୁଦାୟ ହୃଦ୍‍ସ୍ଥଳୀକୁ ପ୍ଳାବିତ କରିଦେଉଥିଲା, ସେଇ ନାଁଟି ଗୋଟିଏ କଟାମୁଣ୍ଡ ଭଳି ନିଜକୋଳରେ ପଡ଼ିଥିବା ଦେଖି ବିଭୁପ୍ରସାଦ ଭୟରେ ଠିଆହୋଇପଡ଼ିଲା ।

 

ଖବରକାଗଜଟା ଜୟଦ୍‍ରଥର ମୁଣ୍ଡପରି ବିଭୁପ୍ରସାଦର କୋଳରୁ ଖସିପଡ଼ିଲା ।

 

କିନ୍ତୁ ବିଭୁପ୍ରସାଦର ସ୍ୱମସ୍ତକ ସେହିଠାରେ ସେହି ମୁହୂର୍ତ୍ତରେ ଜୟଦ୍‍ରଥର ପିତା ବୃଦ୍ଧକ୍ଷାତ୍ରର ମୁଣ୍ଡପରି ସହସ୍ର ଖଣ୍ଡ ହୋଇ ଫାଟିଗଲା ନାହିଁ । ସେଥିପାଇଁ ଆଉ ଗୋଟିଏ ମୁହୂର୍ତ୍ତର ଆବଶ୍ୟକତା ଥିଲା ।

 

ବିଭୁପ୍ରସାଦକୁ ସେହିପରି ବିଚଳିତ ହୋଇଉଠି ପଳାଇଯାଉଥିବା ଦେଖି ମନମୋହନ ତାକୁ ଧରିପକେଇଲା ଓ କହିଲା–”

 

“ରହ ! ପଳାନା । ମୁଁ ଜାଣେ ବିଭୁପ୍ରସାଦ, ତୁ ଅଧ୍ୟାପକ ସେଠିଙ୍କ ପରି ପଳାୟନବାଦୀ ନହୁଁ । ମୁହୂର୍ତ୍ତେ ଅପେକ୍ଷା କର ।”

 

ବିଭୁପ୍ରସାଦ କହୁଣୀପାଖରୁ ଜାବୁଡ଼ିଧରି ମନମୋହନ ତାକୁ ଭିତର ଘରଆଡ଼କୁ ଭିଡ଼ିନେଲା । ସେଇଠି ଗୋଟିଏ ଖଟଉପରେ ମଲା ପାଣିକୁଆପରି ବେକ ନୋଷାଡ଼ିଦେଇ ପଡ଼ିଥିବା ଗୋଟିଏ ପରିଚିତ କାଳୀ ସ୍ତ୍ରୀଲୋକକୁ ଦେଖି ବିଭୁପ୍ରସାଦ ଚମକିପଡ଼ିଲା ।

 

“ୟାକୁ ଚିହ୍ନିପାରୁଚୁ ?” ମନମୋହନ ସେମିତି ଜାବୁଡ଼ି ଧରିଥାଏ ବିଭୁପ୍ରସାଦର କହୁଣୀକୁ ଓ ଦୁଇଟି ସତ୍ୟ ମୁହାଁମୁହିଁ ହୋଇ ସତେକି ତୃତୀୟ ସତ୍ୟକୁ ଦେଖିପାରୁଥାନ୍ତି, ଏହିପରି ଦୁହିଁଙ୍କର ଆଖି ମୁହୂର୍ତ୍ତେ ମିଳିଯିବାମାତ୍ରେ ବିଭୁପ୍ରସାଦ ତଳକୁ ମୁହଁ ପୋତିଦେଲା ।

 

“ମୋର ଲୋକେ ଆଜି ସକାଳେ ଗୋଟିଏ ନାଳପୋଲ ତଳୁ ଏହାକୁ ଉଦ୍ଧାର କରି ଆଣିଛନ୍ତି । ଇଡ଼ିୟଟମାନେ ଏହାକୁ ହିଁ ମୃରାଶା ବୋଲି ପ୍ରଥମେ ସନ୍ଦେହ କରିଥିଲେ । କିଛି ଗୋଳମାଳ କରିଦେଇପାରିଥାନ୍ତି ଭାବି ମୁଁ ଏହାକୁ ଡାକ୍ତରମାଇନା କରାଇ ସାରିଛି ।”

 

ମନମୋହନା ଅଟକିଗଲା । ଛେପ ଢୋକିବା ପାଇଁ ନୁହେଁ, ବିଭୁପ୍ରସାଦର ସେହି ମୁହୂର୍ତ୍ତର ପ୍ରତିକ୍ରିୟା ଲକ୍ଷ୍ୟ କରିବାପାଇଁ । ତାପରେ ଶାନ୍ତଭାବରେ ସେ କହିଲା–

 

“ବିଭୁପ୍ରସାଦ ! ତୋର ସ୍ତ୍ରୀ ଅନ୍ତଃସତ୍ତ୍ଵା ! ଏଥିପାଇଁ କିଏ ଦାୟୀ ମୁଁ ଜାଣେନା । ବର୍ତ୍ତମାନ ତୋ ଦାୟିତ୍ୱ ତୁ ଗ୍ରହଣ କର ।”

 

ହଠାତ୍ ଛୋଟିଆ ପିଲାଟିଏ ପରି ବିଭୁପ୍ରସାଦ କଇଁ କଇଁ ହୋଇଗଲା ଓ ସେତିକି ଭିତରେ ମଣିଷର ସବୁଠାରୁ ସତ୍ୟ ସ୍ୱାର୍ଥପର କ୍ରୋଧଟି ତାରି ମୁହଁରୁ ପ୍ରକାଶିତ ହୋଇଗଲା–

 

“ମୁଁ ଦାୟୀ ନୁହେଁ–ଦାୟୀ ସେଇ କମ୍ୟୁନିଷ୍ଟଟା–ଦାୟୀ ସେଇ କମ୍ୟୁନିଷ୍ଟଟା !”

 

ତା’ର ଚିତ୍କାର ମନମୋହନର ଘର ଲଗାୟତ ସମୁଦାୟ ବିଶ୍ୱ ସତେକି ଥରିଗଲା ।

 

ଏକୋଇଶ

 

ସହର ଓ ଗାଁ ଉପରୁ ବିଶ୍ୱବିଦ୍ୟାଳୟ ଛାତ୍ରଆନ୍ଦୋଳନର ସମସ୍ତ ପ୍ରଭାବ କ୍ରମେ କମିକମିକା ଶେଷରେ ସବୁ ଥଣ୍ଡାପଡ଼ିଗଲା । ଛାତ୍ରମାନେ ବାର୍ଷିକ ପରୀକ୍ଷା ପାଇଁ ଖୁବ୍ ଜୋରସୋର୍ ପଢ଼ା ଆରମ୍ଭ କରିଦେଲେ ।

 

ସ୍କୁଲ୍ ଆଉ କଲେଜମାନଙ୍କର ସମସ୍ତ ଛୁଟିକୁ କମେଇ ଦିଆଗଲା ଓ ଷ୍ଟ୍ରାଇକ୍ ଆଦି ବିଶୃଙ୍ଖଳାରେ ନଷ୍ଟ ହୋଇଥିବା ଦିନମାନଙ୍କର ପାଠ୍ୟକ୍ରମକୁ ଦ୍ଵିଗୁଣ ଉତ୍ସାହ ଓ ନିଷ୍ଠାର ସହିତ ଚାଲୁକରିବା ଫଳରେ ଛାତ୍ର ଆନ୍ଦୋଳନର ଯେଉଁ ବାକିତକ କୁପ୍ରଭାବ ବିଶେଷତଃ ସାଧାରଣ ଛାତ୍ରମାନଙ୍କର କାରିଅର୍ ଉପରେ ପ୍ରତିଫଳିତ ହେବାର ଆଶଙ୍କା ରହିଥିଲା, ତାହା ମଧ୍ୟ ଦୂରେଇଗଲା । ଏହାର ପ୍ରମାଣ ସ୍ୱରୁପ, ଛାତ୍ରଆନ୍ଦୋଳନରେ ମୁଖ୍ୟ ଅଂଶଗ୍ରହଣ କରିଥିବା ସତ୍ତ୍ୱେ, ଅନିରୁଦ୍ଧ ଟେଷ୍ଟ୍ ପରୀକ୍ଷାରେ ପାସ୍ କରିଯାଇଛି ଶୁଣି ଭବାନୀପ୍ରସାଦ ଦ୍ଵିଗୁଣ ଉତ୍ସାହରେ ‘‘ଊର୍ଣ୍ଣନାଭ ଆଶ୍ରମ’’ କାର୍ଯ୍ୟରେ ମାତିଗଲେ । କେବଳ ଟେଷ୍ଟ୍ ପରୀକ୍ଷା ନୁହେଁ, ଯାହା ଦେଖାଗଲା ପ୍ରିୟୁନିଭର୍ସିଟି ବାର୍ଷିକ ପରୀକ୍ଷାରେ ମଧ୍ୟ ଅନିରୁଦ୍ଧ ଯଥାରୀତି ବସିଲା ଓ ଚିଠି ଦେଲା–

 

“ଯେତେ ଯାହାହେଲେ ମଧ୍ୟ ଆମ୍ଭମାନଙ୍କ ଭାଗ୍ୟ ଅତି ନିକୃଷ୍ଟ ନୁହେଁ ବୋଲି ମୋର ଏବେ ଖୁବ୍ ମନେହେଉଚି । ଏ ପରୀକ୍ଷାରେ ଅପ୍ରତ୍ୟାଶିତ ଭାବେ କୋଶ୍ଚିନ୍‍ଗୁଡ଼ିକ ଭଲ ପଡ଼ିଗଲା ବାପା । ଯେତିକି ପ୍ରସ୍ତୁତ ହୋଇ ଯାଇଥିଲି, ସେତିକି ଭିତରୁ ଅଧିକାଂଶ ପ୍ରଶ୍ନ ପଡ଼ିଗଲା । ଆଉ ଗୋଟାଏ ଦୁଇଟା ପେପର୍ ବାକି ଅଛି । ସରିଲେ ଗାଁକୁ ଚାଲିଯିବି ।”

 

ଭବାନୀପ୍ରସାଦ ଅନିରୁଦ୍ଧର ଏ ଚିଠିଟାକୁ ପଢ଼ି ସେତେ ଖୁସି ହୋଇପାରିଲେ ନାହିଁ, ଯେମିତି ଟେଷ୍ଟ୍ ପରୀକ୍ଷା ପୂର୍ବରୁ, ଛାତ୍ରଆନ୍ଦୋଳନ ପରେ ପରେ ଅନିରୁଦ୍ଧର ଚିଠି ପଢ଼ି ସେ ଅତିଶୟ ଆନନ୍ଦିତ ହୋଇଯାଇଥିଲେ । ସେତେବେଳେ ସେ ଲେଖିଥିଲା–

 

“ପ୍ରସ୍ତୁତ । ଆଗାମୀ ପରୀକ୍ଷାରେ ପାସ୍ କରିବି କି ଫେଲ୍ ହେବି ସେ କଥା ମୁଁ ଆଉ ଭାବୁନାହିଁ ଏଇଲେ ବାପା । ମତେ ପରୀକ୍ଷା ଦେବାକୁ ପଡ଼ିବ ଅନ୍ତତଃ ତୁମରି ତୃପ୍ତି ପାଇଁ–ମୁଁ ଜାଣେ-। ଏଣୁ ଫଳକୁ ଆଶା ନକରି କର୍ମରେ ହିଁ ଲାଗିଲି । ତେଣିକି ଯାହା ଭାଗ୍ୟରେ ଥିବ ।”

 

ବାର୍ଷିକ ପରୀକ୍ଷାରେ ଅନିରୁଦ୍ଧର ଫଳ କେବଳ ଅପ୍ରତ୍ୟାଶିତଭାବେ ଭଲହେବା ଦେଖାଗଲା ନାହିଁ, ‘‘ଊର୍ଣ୍ଣନାଭ ଆଶ୍ରମ’’ର କୁକୁଡ଼ାମାନଙ୍କର ଉତ୍ପାଦିକା ଶକ୍ତି ମଧ୍ୟ ଅପ୍ରତ୍ୟାଶିତଭାବେ ବଢ଼ିଯିବା ଦେଖି ଭବାନୀପ୍ରସାଦ ଜଣେ ଭଲ କୃଷକ ପରି ନିଜର ଭାଗ୍ୟଫଳର ପ୍ରାଚୁର୍ଯ୍ୟରେ ନିଜେ ଆଶଂକିତ ହୋଇପଡ଼ିଲେ । ଚତୁର୍ଦ୍ଦିଗକୁ ଚାହିଁ, ‘‘ଊର୍ଣ୍ଣନାଭ ଆଶ୍ରମ’’ର ପ୍ରତି ଫଳଗଛ ଶୀର୍ଷରେ ବସନ୍ତ ଋତୁର ସ୍ପର୍ଶ ସ୍ୱରୂପ ଫଳପୁଷ୍ପର ଶୋଭା ଦେଖି ସେ ଯେତିକି ମୁଗ୍‍ଧ ହେଲେ, ସେତିକି ଅଜଣା ଭୟରେ ଦବିଗଲା ତାଙ୍କର ମନ । ‘‘ଊର୍ଣ୍ଣନାଭ ଆଶ୍ରମ’’ର ପ୍ରତି ବର୍ଗଇଞ୍ଚ ସ୍ଥାନର ସଫଳତା ଓ ପ୍ରାଚୁର୍ଯ୍ୟର ଲକ୍ଷଣମାନ ତାଙ୍କ ଦୃଷ୍ଟିରେ କ୍ରମଶଃ ଖୁବ୍ କରୁଣ ଦିଶିଲା । ଆଉ, ସେତିକିବେଳେ ଭବାନୀପ୍ରସାଦଙ୍କର ମନେପଡ଼ିଗଲା–ଛାତ୍ରଆନ୍ଦୋଳନବେଳେ ସେଇ ଯେଉଁ ପଙ୍ଗୁ, ମେଧାବୀ ଛାତ୍ରଟି ଚିତ୍କାର କରୁଥିଲା ତା’ର ଅନ୍ତରାତ୍ମାରୁ–

 

“ଆମେ ଯୁଦ୍ଧ ଚାହୁଁ, ଯୁଦ୍ଧ ! ଆମେ ମରିବାକୁ ଚାହୁଁ–ମରିବାକୁ !”

 

ସେ ପିଲାଟି ପରୀକ୍ଷାରେ କଅଣ କଲା, ଭବାନୀପ୍ରସାଦ ଏଇଆହିଁ ବସିବସିକା ସେଦିନ ଦିପହରଟାଯାକ ଭାବୁଥିଲେ ।

 

ଇତିମଧ୍ୟରେ ‘‘ଊର୍ଣ୍ଣନାଭ ଆଶ୍ରମ’’ରେ ଭବାନୀପ୍ରସାଦଙ୍କ ସ୍ଵାବଲମ୍ବନ ଅବଶ୍ୟ ଆଉ ପାଦେ ଆଗକୁ ଗତି କରିଥାଏ । ଗାଁର ହାଡ଼ି ମାନବା ଉପରେ କୁକୁଡ଼ା ଖାଦ୍ୟର ଅନ୍ୟତମ ମୁଖ୍ୟ ଉପକରଣ ହାଡ଼ଗୁଣ୍ଡ ପାଇଁ ଭବାନୀପ୍ରସାଦ ଆଉ ନିର୍ଭର କରିପାରିଲେ ନାହିଁ । ମାନବା, ‘‘ଊର୍ଣ୍ଣନାଭ ଆଶ୍ରମ’’କୁ ଯୋଉ ହାଡ଼ଗୁଣ୍ଡ ଯୋଗାଉଥାଏ ତହିଁରେ ମଧ୍ୟ କିଛି ଭେଜାଲ୍ ଜିନିଷ ରହିଥିବାରୁ ବିରକ୍ତିବଶତଃ ଭବାନୀପ୍ରସାଦ ଯେ, ଏଣିକି ନିଜେ ଗାଁଦଣ୍ଡା ଗୋହିରୀରେ କାଖେଇ ବୁଲିବୁଲିକା ତାଙ୍କ କୁକୁଡ଼ାଙ୍କ ଖାଦ୍ୟ ପାଇଁ କଞ୍ଚାମାଲ୍ ସଂଗ୍ରହ କରିବାକୁ ବାଧ୍ୟହେଲେ, ତା’ ନୁହେଁ । ବରଂ ଦିନେ ମାନବା ନିଜଆଡ଼ୁ ଭବାନୀପ୍ରସାଦଙ୍କୁ ପ୍ରସ୍ତାବ ଦେଲା–

 

“ସବୁ ତ ହାତେ ହାତେ କରୁଚ । ଆଉ ଏତିକି କାହିଁକି ବାକି ରଖିଲ ମାଷ୍ଟ୍ରେ !”

 

ମାନବା ମୁହଁରୁ ଏଇ ‘ମାଷ୍ଟେ’ ସମ୍ୱୋଧନଟି ଶୁଣୁ ଶୁଣୁ ଚମକିପଡ଼ିଲେ ଭବାନୀପ୍ରସାଦ । ତା’ର ବେଶଭୁଷା ଆଉ ଦରଦରବୁଜା ଆଖିଦୁଇଟାକୁ ଦେଖି ସେ ବୁଝିଗଲେ–ମାନବା ସାମାନ୍ୟ ପିଇଦେଇଥିଲା ।

 

ଭବାନୀପ୍ରସାଦ ମାନବାର ପିଇବା ଆଖିକୁ ଦେଖି ତଥାପି ସେତେ ଆଶ୍ଚର୍ଯ୍ୟ ହେଲେନାହିଁ; କାରଣ ମାନବାପକ୍ଷରେ ପିଇବା ଆଦୌ ଅସ୍ୱାଭାବିକ ନଥିଲା । ତାଛଡ଼ା ମାନବା ଗତ ଦୁଇଦୁଇଟା ମହାସମରକୁ ଯୁଦ୍ଧ ଜାହାଜରେ ହିଁ ପାରିହୋଇଥିବା ସେ ଜାଣନ୍ତି । ମାନବାର ଆଖିରେ ଅସ୍ଥିର ସମୁଦ୍ରର ଜାହାଜିଆ ଭାବକୁ ଏକପ୍ରକାର ସମ୍ମାନର ସହ ଜୀବନସାରା ସେ ଦେଖିଆସିଛନ୍ତି । ୧୯୧୪ ବେଳକୁ ମାନବା ବାର ଚଉଦ ବର୍ଷର ପିଲା । ସେ ଭବାନୀପ୍ରସାଦଙ୍କ ସମସାମୟିକ । ବୟସ ପ୍ରାୟ ଏକା । ଯେତେବେଳେ ମାଇନର ପାସ୍ କରି ଭବାନୀପ୍ରସାଦ ସହରକୁ ଯାଇଥାନ୍ତି ପଢ଼ିବା ପାଇଁ, ସେତେକିବେଳେ ସେ ଶୁଣିଥିଲେ ଗାଁର ମାନବାହାଡ଼ି ଯୁଦ୍ଧ ଜାହାଜରେ ଚାକିରି ପାଇଚି । ମାନବାପ୍ରତି ସେଇ କାଳରୁ ଭବାନୀପ୍ରସାଦଙ୍କର ଗୋଟିଏ ଅଲଗା ମନଭାବ ରହି ଆସିଥାଏ । ସେଇ ବର୍ଷ ଦଶହରା ଛୁଟିରେ ଗାଁକୁ ଆସି ଭବାନୀପ୍ରସାଦ ସର୍ବପ୍ରଥମେ ମାନବାର ସେଇ ଭଉଣୀଟିକୁ ଦେଖିଥିଲେ–ଯାହା ସହିତ ପରେ ନିଜଆଡ଼ୁ ବିବାହ ପ୍ରସ୍ତାବ ନିଜ ମନଭିତରେ ଉଠାଇ ପୁଣି ସେଇ ନିଜ ମନଭିତରେ ହିଁ ହଜମ କରିଦେଇଥିଲେ ସେ । କିନ୍ତୁ ସେଗୁଡ଼ିକ ଥିଲା ଅଲଗା ଧରଣର ଦିନ । ଅଲଗା ଥିଲା ତା’ର ପ୍ରଭାବ–ମଣିଷ ମନଉପରେ । ହରିଜନ, ଖଦି, ଅହିଂସା, ସ୍ୱଦେଶ ପ୍ରଭୃତି ନାନା ପାଗଲକାରୀ ଶବ୍ଦ ବ୍ୟତୀତ ସେଦିନର ବାତାବରଣରେ ଆଉ ଦୁଇଟି ମାତାଲ୍ କରିଦେବାଭଳି ଶବ୍ଦ କୁଆଡ଼ୁ ଆସି ମିଶିଯାଇଥିଲା–ସେତେବେଳକାର ୧୪–୧୫ବର୍ଷ ଯୁବକମାନଙ୍କର ମନରେ । ସେ ଦୁଇଟି ଅବଶ୍ୟ ଆଜି ମଧ୍ୟ ସେମିତି ଭାବିଲା ମଣିଷକୁ ମାତାଲ୍ କରେ । ଯୁଦ୍ଧ ଆଉ ସାମ୍ୟବାଦ–ଏ ଦୁଇଟି ଶବ୍ଦକୁ ଦି’ ପାକିଟିରେ ଘେନି ସେଦିନ ଯୋଉ ବେଶ ପୋଷାକରେ ଗାଁର ମାନବା ହାଡ଼ି ତା’ର ଜାହାଜ ଚାକିରିରୁ ଛୁଟି ଘିନି ପ୍ରଥମଥର ଗାଁକୁ ଆସିଥିଲା, ଭବାନୀପ୍ରସାଦ ତା’ର ସେଇ ବେଶ ପୋଷାକକୁ ଏପର୍ଯ୍ୟନ୍ତ ମନେରଖିଥିଲେ ଓ ବେଳେବେଳେ ନିଜ ପିନ୍ଧା ଖଦିକୁ ଅନେଇ ସେ ସେଇ ୧୯୧୪ କଥା ହିଁ ଭାବୁଥିଲେ । ଏ ପୃଥିବୀ ଖଦିଦ୍ୱାରା ଲଜ୍ଜା ନିବାରଣ କରିବ କିମ୍ବା ଖାକିଦ୍ୱାରା ? ଖଦି ନା ଖାକି ?–ଏଇ ଦ୍ୱନ୍ଦ୍ୱ ଏପର୍ଯ୍ୟନ୍ତ ମଧ୍ୟ ବେଳେବେଳେ ଗ୍ରାସ କରେ ଭବାନୀପ୍ରସାଦଙ୍କୁ । କିନ୍ତୁ ଯାବତୀୟ ଦ୍ୱନ୍ଦ୍ୱ ସତ୍ତ୍ୱେ ଭବାନୀପ୍ରସାଦ ଓ ମାନବା ଏ ଦୁହିଁଙ୍କ ମଧ୍ୟରେ ଥିବା ପ୍ରଧାନ ବ୍ୟବଧାନଟି କେବଳ ସେଇ ଶବ୍ଦ ଦୁଇଟିର ବ୍ୟବଧାନଦ୍ୱାରା ପରସ୍ପରଠାରୁ ସ୍ୱତନ୍ତ୍ର ଓ ଦୁଇଟି ଭିନ୍ନ ସର୍ତ୍ତରୂପେ ଏପର୍ଯ୍ୟନ୍ତ ପରିଚିତ ହେଉଥିଲେ–ଅନ୍ତତଃ ନିଜ ନିଜ ପାଖରେ ।

କିନ୍ତୁ ସେଇ ବସନ୍ତ ଋତୁର ଆଦ୍ୟକାଳରେ, ବୃକ୍ଷ ଶୀର୍ଷରେ ନବପଲ୍ଲବର ଆବିର୍ଭାବ ସହିତ ମାନବାର କଳେବର ଉପରେ ହଠାତ୍ ଖାକି ବଦଳରେ ଖଣ୍ଡେ ସଫେଦ୍ ଖଦିକୁ ଦେଖିପକେଇ ଭବାନୀପ୍ରସାଦ ବିସ୍ମିତ ହେଲେ ।

“ମୁଁ ପଲିଟିକ୍ସରେ ଜଇନ୍ ହେଇଗଲି ମାଷ୍ଟ୍ରେ ! ଦେଖିଲି, ପଲିଟିକସ୍ ନକଲେ ଆଉ ବଞ୍ଚି ହବନାଇ । ଏଥର ତୁମ ହାଡ଼ ବେପାର ନିଜେ କର ।” ଭବାନୀପ୍ରସାଦଙ୍କର ଖୋଜିଲା ଆଖିକୁ ଚାହିଁ ଚାହିଁକା ଯିବାପୂର୍ବରୁ ଏତେକି କହିଦେଇଗଲା ମାନବା ।

ମାନବାର ଏତିକି ଉତ୍ତରରେ ଭବାନୀପ୍ରସାଦ ସନ୍ତୁଷ୍ଟ ହେଲେନାହିଁ । ତାପରେ ଦିନେ କୁକୁଡ଼ା ଖାଦ୍ୟପାଇଁ ହାଡ଼ଗୁଣ୍ଡ ଯୋଗାଡ଼ କରିବାପେଇଁ ମାନବା ଉପରେ ନିର୍ଭର ନକରି ବଡ଼ିଭୋର ପାହାନ୍ତିଆରୁ ଉଠି, କେହି ନ ଦେଖିଲାଭଳି ଗାଁଦାଣ୍ଡରେ ବୁଲି ବାହାରିଲେ ସେ । ପ୍ରଥମେ ପ୍ରଥମେ ମାଟି ସାଲୁବାଲୁ, ଦୁର୍ଗନ୍ଧ ଏପରିକି ବେଳେବେଳେ କଞ୍ଚା ମାଉଁସ ଲାଗିଥିବା ଗୋରୁହାଡ଼ଗୁଡ଼ାକୁ ଛୁଇଁବାକୁ ଭାରି ଅବ୍ୟ ଅବଶ୍ୟ ଲାଗୁଥାଏ ତାଙ୍କୁ । କିନ୍ତୁ ଦିନ କେଇଟା ଭିତରେ ମାନବାର କାମକୁ “ମାଷ୍ଟର” କରିନେଲେ ସେ । ତେଣିକି ଲୋକଦେଖାନ୍ତିରେ ମଧ୍ୟ ହାଡ଼ ଗୋଟେଇବା ଘୃଣା ରହିଲା ନାହିଁ ତାଙ୍କର ।

କିନ୍ତୁ ଗାଁର ମାନବା ହାଡ଼ିର କାର୍ଯ୍ୟ ସମ୍ପାଦନରେ ନିଜେ କୁଶଳତା ଅର୍ଜନ କରି ଯେତେ ଯେତେ ସ୍ୱାବଲମ୍ଵୀ ହେଉଥିଲେ ଭବାନୀପ୍ରସାଦ ମାନବାର କଳେବର ଉପରେ ସେଦିନ ସେଇ ପରିବର୍ତ୍ତନ ଦେଖି ସେମିତି ଆଂଶକିତ ହୋଇପଡ଼ିଥିଲେ, ପ୍ରତିଦିନ ଘାଇଁ ଘାଇଁ ଅରଟ କି ତାକୁଡ଼ି ବୁଲେଇଲାବେଳେ ମଧ୍ୟ, ତାକୁଡ଼ି ମୁନଉପରେ ଆସ୍ତେ ଆସ୍ତେ ପାକଳ ହୋଇ ବଳି ହୋଇଯାଉଥିବା ମେଞ୍ଚାଏ ଫୁରୁସା, ନରମା ତୁଳାର ସେଇ ପରିବର୍ତ୍ତନରେ ସେମିତି ଶଙ୍କିଯାନ୍ତି ସେ ।

ଭବାନୀପ୍ରସାଦ ସେଦିନ ଖବରକାଗଜରେ, ପୂର୍ବଥର ଅପେକ୍ଷା ଆଉ ଟିକିଏ ବଡ଼ ବଡ଼ ଅକ୍ଷରରେ ସୀମାନ୍ତରେ ଶତ୍ରୁ ସମାବେଶ ଓ ଆଗାମୀ ଋତୁରେ ଯୁଦ୍ଧର ସମ୍ଭାବନା ଖବର ପଢ଼ିସାରି କଅଣ ଭାବିଲେ, ‘‘ଊର୍ଣ୍ଣନାଭ ଆଶ୍ରମ’’ର ପ୍ରତ୍ୟେକ ଫଳଗଛକୁ ଥରେ ଥରେ ଆଉଁସି ଦେଇଗଲେ । ସନ୍ଧ୍ୟାବେଳକୁ ଲାଙ୍ଗୁଳା ନରହରି ପରିଡ଼ାଏ ସବୁଦିନ ପରି ଗପସପ କରିବାକୁ ଆସିଥିଲେ । ଭବାନୀପ୍ରସାଦ ବୁଢ଼ାଆଗରେ ମନକଥା ଖୋଲିଦେଇ ବାହୁନିଲାପରି କହିଲେ–

“ଆପଣ ଖଦି ଛାଡ଼ିଦେଲେ, ମାନବା ଖାକି ଛାଡ଼ିଦେଲା । ଏ ଦେଶର ସ୍ଵାଧୀନତା ରହିବ କିପରି ? ଏ ଫଳମାନେ ଗଛରେ ଝୁଲିବେ କିପରି ?”

ଦିନ ପନ୍ଦରଟା ଭିତରେ ଗାଁର ମାନବା ହାଡ଼ିର ଅସଲ ପରିବର୍ତ୍ତନର ଖବର ପାଇଲେ ଭବାନୀପ୍ରସାଦ ।

ଇତିମଧ୍ୟରେ ବନ୍ଦର ରାସ୍ତା ସଂପ୍ରସାରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥାଏ-। ବୋଧହୁଏ ଆଗାମୀ ଶୀତ ଋତୁକୁ ଆଖିରେ ରଖି ଏଇ ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଯାଇଥାଏ । କାରଣ ଖବର ମିଳୁଥାଏ ଯେ ସେତିକିବେଳକୁ ନୂଆ ବନ୍ଦରରେ ଜାହାଜ ଲଗେଇବା ପାଇଁ କର୍ତ୍ତୃପକ୍ଷ ସ୍ଥିର କରିସାରିଥାନ୍ତି । ଜାତୀୟ ଯୋଜନାକୁ ଯଥା ସମୟରେ ସମ୍ପୂର୍ଣ୍ଣ କରିବାପାଇଁ ନିର୍ମାଣ କାର୍ଯ୍ୟକୁ ତ୍ଵରାନ୍ୱିତ କରିଦିଆଯାଇଥାଏ । ତେଣୁ ହଜାର ହଜାର ଛୋଟ ବଡ଼ ଠିକା କାମ ପାଇଁ ଟେଣ୍ଡର ଇତିମଧ୍ୟରେ ଖବରକାଗଜରେ ବିଜ୍ଞାପିତ ହୋଇସାରିଥାଏ ।

ମାନବା ଏହି ଟେଣ୍ଡରରୁ ଗୋଟିଏ ଧରିନେଇଥାଏ ।

 

ବାଇଶ

 

କିନ୍ତୁ ‘‘ଊର୍ଣ୍ଣନାଭ ଆଶ୍ରମ’’ ହତାରେ ସାମାଜିକ ପରିବର୍ତ୍ତନ ସେହି ସରଳ ଖଦି ଓ ଖାକିର ଅଦଳବଦଳରେ ଚାଲିଥିଲାବେଳେ, ଏଣେ ନୀରବନିଳୟରେ ବିଭୁପ୍ରସାଦର ମନପରିବର୍ତ୍ତନ ଏକ ଜଟିଳ ଆକାର ଧାରଣ କରିସାରିଥାଏ । ସେଦିନ ମନମୋହନର ଗାଡ଼ି ନୀରବନିଳୟରେ ଲାଗିବାପୂର୍ବରୁ ବିଭୁପ୍ରସାଦର ବ୍ୟକ୍ତିତ୍ଵ ସହସ୍ର ଖଣ୍ଡ ହୋଇସାରିଥାଏ । ଏହି ଭଗ୍ନ ବ୍ୟକ୍ତିତ୍ଵ ସହିତ ଆଉ ଏକ ଭଗ୍ନପକ୍ଷ ପକ୍ଷୀକୁ ଏକାଠି ଗାଡ଼ିରେ ବସେଇ ମନମୋହନର ସ୍ତ୍ରୀ ଉଷା ଗାଡ଼ି ଡ୍ରାଇଭ୍ କରି ନୀରବନିଳୟରେ ସେମାନଙ୍କୁ ପହଞ୍ଚେଇ ଦେଇଯାଇଥାଏ ।

 

ନୀରବନିଳୟ ଖଟିଆଉପରେ ସୁକୁମାରୀକୁ ଶୁଏଇବାପାଇଁ ବିଭୁପ୍ରସାଦ ଉଷା ସହିତ ଗୋଟିଏ ହାତ ସୁକୁମାରୀ ଦେହରେ ଲଗେଇଥାଏ ଓ ସେତିକିବେଳେ ଚାଉଁକିନା ଗୋଟାଏ ନିଆଁ ତା’ ଦେହରେ ଚରିଯାଉଥାଏ ।

 

ସୁକୁମାରୀର ଅବସ୍ଥା ସେତେବେଳେ ବିଶେଷ ଭଲନଥାଏ । ତା’ର ଅବିଶ୍ରାନ୍ତ ବ୍ଳିଡିଂ ହୋଇଥାଏ । ଏ ବ୍ଳିଡିଂ ପାଇଁ ମନମୋହନର ଲୋକେ ଦାୟୀ । କିନ୍ତୁ ଏଥିରେ ସେମାନଙ୍କୁ ପୂରା ଦୋଷୀ କରିହେବ ନାହିଁ । କାରଣ ସେମାନେ ସୁକୁମାରୀକୁ ଯେତେବେଳେ ଓ ଯେଉଁଠି ଭେଟିଥିଲେ, ସେତେବେଳେ ଓ ସେହିଠାରେ ଯେକୌଣସି ଲୋକ ସେହି ଭୁଲ୍‍ଟି ହିଁ କରିଥାନ୍ତା । ଗୋଟାଏ ଅନ୍ଧାରିଆ ନାଳ ପୋଲତଳେ ବହେ ରକ୍ତ ଜୁଡ଼ୁବୁଡ଼ୁ କନା, ଗୋଟିଏ ଡେଟଲ୍ ବୋତଲ ଓ ପାଣି ଗରମ କରିବା ସରଞ୍ଜାମ ସହ ସେଦିନ ଯେକୌଣସି ସ୍ତ୍ରୀଲୋକକୁ ହାବୁଡ଼େ ପାଇଥିଲେ ଯେକୌଣସି ସ୍ତ୍ରୀଲୋକକୁ ହାବୁଡ଼େ ପାଇଥିଲେ ଯେକୌଣସି ଗୁପ୍ତଚର ତାକୁ ମୃରାଶା ବୋଲି ପ୍ରଥମେ ସନ୍ଦେହ କରିଥାନ୍ତା ଓ କ୍ରୋଧବଶତଃ ହେଉ ବା କାମନାବଶତଃ ହେଉ ଗୋଟିଏ ଲମ୍ବା ବାଡ଼ିରେ ସ୍ତ୍ରୀଲୋକଟିର କନାବୁଜୁଳାକୁ ଉଖାରିଦେଇ ପଚାରନ୍ତା–

 

“କାହିଁ କୁଆଡ଼େ ଗଲା ସେ ମାଉଁସ ପିଣ୍ଡୁଳାଟା ?”

 

ସୁକୁମାରୀର ବ୍ଳିଡିଂ ପାଇଁ ଏଇ ବାଡ଼ି ଦାୟୀ । କିନ୍ତୁ ଡାକ୍ତରୀ ପରୀକ୍ଷାରୁ ଜଣାଯାଉଥିଲା ଯେ, ସୁକୁମାରୀର ଶରୀର ଉପରେ ପୁଲିସ୍ ଠେଙ୍ଗାର ଆଘାତ କୌଣସି ଆଭ୍ୟନ୍ତରୀଣ କ୍ଷତ ସୃଷ୍ଟି କରିନଥାଏ । ତାହା ତଥାପି ବାହ୍ୟ । ପୁଣି ଅନ୍ୟାନ୍ୟ ଡାକ୍ତରୀପରୀକ୍ଷା ଓ ପଚରାଉଚରା ପରେ ଯେତେବେଳେ ଜଣାପଡ଼ିଲା ଯେ, ସୁକୁମାରୀ ମନମୋହନର ଲୋକମାନଙ୍କଦ୍ଵାରା ଧର୍ଷିତା ହେବାପୂର୍ବରୁ ତା’ର “ଲାଷ୍ଟ ମେନ୍ସ” ତାରିଖ ଅନ୍ତତଃ ସାତ ଆଠଦିନରୁ ବେଶି ଗଡ଼ିଯାଇଥିଲା, ସେତେବେଳେ ସ୍ତ୍ରୀଲୋକଟିର ଆତ୍ମାଉପରେ ଯେଉଁ କ୍ଷତର ସୂଚନା ମିଳିଲା, ସେଥିପାଇଁ ମନମୋହନର ଲୋକଙ୍କୁ ମଧ୍ୟ ନୈତିକତା ଦୃଷ୍ଟିରୁ ପୂରା ଦାୟୀ କରିବାର କୌଣସି କାରଣ ନଥିଲା-। ଅବଶ୍ୟ ବିଭୁପ୍ରସାଦକୁ ସନ୍ତୁଷ୍ଟ କରିବାପାଇଁ ମନମୋହନ ତା’ର ସେଇ ଅଜ୍ଞ ଦୁଷ୍ଟଲୋକ କେଇଟାଙ୍କୁ ଏଥିଭିତରେ ବେଶ୍ ଦଣ୍ତ ଦେଇସାରିଥାଏ । ସେମାନଙ୍କୁ ରାଜ୍ୟର ଏ ମୁଣ୍ଡରୁ ସେ ମୁଣ୍ଡକୁ ଟ୍ରାନ୍ସଫର୍ କରିବାପାଇଁ ସରକାରଙ୍କୁ ଗୁପ୍ତରେ ସୁପାରିସ କରିସାରିଥାଏ ଓ ସେ ଗୁପ୍ତ ସୁପାରିସ୍–ପତ୍ରର ନକଲ ବିଭୁପ୍ରସାଦକୁ ଦେଖେଇଥାଏ ସେ । କିନ୍ତୁ ବିଭୁପ୍ରସାଦ ଏସବୁ ଉପରଠାଉରିଆ କାଣ୍ଡକାରଖାନା ସହିତ ନଥାଏ । ସେ ପୁଣି ଡୁବିଯାଇଥାଏ ତା’ ନିଜଭିତରକୁ ଓ ସେହି ରକ୍ତାକ୍ତ ସ୍ତ୍ରୀଲୋକଟିକୁ ନିଜ ଖଟଉପରେ ଶୁଏଇଦେଇ ଗୁମ୍‍ମାରି ବସିଯାଇଥାଏ ନୀରବନିଳୟର ବାହାରପଟ ପିଣ୍ଡାରେ । ଘରଭିତରେ ମନମୋହନର ସ୍ତ୍ରୀ ଉଷା, ଯେ କି ସୁକୁମାରୀ ପିଛା ଇତିମଧ୍ୟରେ ଗୋଟିଏ ଛାଇଭଳି ଲାଗିଥାଏ, ସୁକୁମାରୀର ସେବାଶୁଶ୍ରୂଷା ଦାୟିତ୍ଵ ସେହି ନିଜ ମୁଣ୍ଡଉପରକୁ ନେଇଯାଇଥାଏ ।

 

“ସେ ଆଉ ତୋ ସ୍ତ୍ରୀ ନୁହେଁ ବିଭୁପ୍ରସାଦ !” ଘରୁ ବାହାରିଲାବେଳେ ମନମୋହନ ତାଗିଦ୍ କରିଦେଇଥାଏ ବିଭୁପ୍ରସାଦକୁ–”ସେ ବର୍ତ୍ତମାନ ରାଷ୍ଟ୍ରର ଗୋଟିଏ ସମ୍ପତ୍ତି ! ତା’ ଗର୍ଭରେ ଜାତୀୟ ଶତ୍ରୁର ଗୋଟିଏ ମୂଲ୍ୟବାନ୍ ଗୁପ୍ତ ଦଲିଲ୍ ରହିଛି । ଏ ସମ୍ପତ୍ତି ଓ ଦଲିଲ୍‍ର ରକ୍ଷାକର୍ତ୍ତାରୂପେ ତତେ ଓ ଉଷାକୁ ଟ୍ରଷ୍ଟିସିପ୍ ଦାୟିତ୍ଵ ରାଷ୍ଟ୍ରପକ୍ଷରୁ ଦିଆଗଲା ।” ମଟରର କବାଟ ନିଜହାତରେ ବନ୍ଦ କରୁକରୁ ମନମୋହନ ପୁଣି ଥରେ ପଛରୁ ଡାକି ସତର୍କ କରିଦେଇଥାଏ–

 

“ମୁଁ ଇଚ୍ଛା କରିଥିଲେ ଏ ସମ୍ପତ୍ତିକୁ ଜେଲ୍ ଭିତରେ ରଖିପାରିଥାନ୍ତି ବିଭୁପ୍ରସାଦ ! କିନ୍ତୁ ତୁ ଜାଣୁ, ମୁଁ କମ୍ୟୁନିଜମରେ ବିଶ୍ୱାସ କରେନାହିଁ । ରାଷ୍ଟ୍ରର ସମ୍ପତ୍ତି ଜେଲ୍ ଅପେକ୍ଷା ବ୍ୟକ୍ତିବିଶେଷର ହାତରେ ଅଧିକ ନିରାପଦରେ ପରିବର୍ଦ୍ଧିତ ହୋଇପାରେ, ଏ ବିଶ୍ଵାସ ମୋର ରହିଛି ।”

 

ବିଭୁପ୍ରସାଦ ନିଜର ସ୍ତ୍ରୀ ଓ ତା’ର ଗର୍ଭସ୍ଥ ସତ୍ୟ ବା ଅସତ୍ୟକୁ ବାସ୍ତବିକ ଏହି ଗୋଟିଏ ଟ୍ରଷ୍ଟିପରି ଜଗିବସିଥାଏ–ନୀରବନିଳୟର ଦୁଆର ମୁହଁରେ । କିନ୍ତୁ ତା’ ଅନ୍ତରର ଅଶେଷ ଦ୍ୱନ୍ଦ୍ୱ ମଝିରେ ମଝିରେ ଉଙ୍କି ମାରୁଥାଏ–ନୀରବନିଳୟର ଅଭ୍ୟନ୍ତରକୁ ଓ ସେତିକିବେଳେ ତା’ ମନ ଡାକୁଥାଏ, ସମସ୍ତ ବାହ୍ୟ ଆଭରଣକୁ ଭାଙ୍ଗିଦେଇ, ସମସ୍ତ ଟ୍ରଷ୍ଟିସିପ୍‍କୁ ପାଦରେ ଦଳିଦେଇ ନୀରବନିଳୟର ସେଇ ଅସତ୍ ପାଣ୍ଠିକୁ ଆହୁରି ଭଲକରି ଲୁଣ୍ଠନ କରି ଅନ୍ତତଃ ନିଜ ଶେଆର୍‍ଟିକୁ କାଢ଼ିନିଅନ୍ତା ଓ ଲୁଚିକରି କୁଆଡ଼େ ପଳାଇଯାନ୍ତା–ଯେଉଁଠି ରାଷ୍ଟ୍ର, ଟ୍ରଷ୍ଟି, କମ୍ୟୁନିଷ୍ଟ କି କ୍ୟାପିଟାଲିଷ୍ଟ୍ କେହିନଥାନ୍ତି, ସେଇ ନିରବ ଜନମାନବଶୂନ୍ୟ ରାଜ୍ୟକୁ !

 

କିନ୍ତୁ ବିଭୁପ୍ରସାଦକୁ ନିଜଠାରୁ ନିଜେ ପଳାଇ ନ ଯିବାପାଇଁ ଗୋଟିଏ ପରେ ଗୋଟିଏ ବାଟ ଯେ ବନ୍ଦ କରିଦେବାରେ ଲାଗିଥାଏ, ସେ ଆଉ କେହି ନୁହେଁ–ସେହି ହିଁ ମନମୋହନର ସ୍ତ୍ରୀ ଉଷା ।

 

ମନମୋହନର ସ୍ତ୍ରୀ ଉଷା ନିଜେ ଜଣେ ଡାକ୍ତରୀ ଛାତ୍ରୀ ଓ ରକ୍ତର ଦୃଶ୍ୟ ତା’ ପକ୍ଷରେ ସେତେଦୂର ଭୟାବହ ନୁହେଁ, ଯେମିତି ବିଭୁପ୍ରସାଦ ପକ୍ଷରେ, ଏହା ଏତେଦିନଯାକେ ଜଣାନଥାଏ ବିଭୁପ୍ରସାଦକୁ । ସୁକୁମାରୀର ଯାବତୀୟ ସେବାଶୁଶ୍ରୂଷା, ଡ୍ରେସିଂ, ଇଞ୍ଜେକସନ୍ ଓ ପଥ୍ୟର ଦାୟିତ୍ୱ ସେ ନିଜେ ତୁଲାଉଥାଏ ଓ ସେଇହିଁ ସୁକୁମାରୀକୁ ପ୍ରାରମ୍ଭିକ ଡାକ୍ତରୀ ପରୀକ୍ଷା କରିବା ଦାୟିତ୍ଵ ନେଇଥାଏ । ଫଳରେ ସମୁଦାୟ ଘଟଣାର ଅସଲ ଗୁପ୍ତତା ଏପର୍ଯ୍ୟନ୍ତ କେବଳ ମନମୋହନ ଓ ବିଭୁପ୍ରସାଦ ଏ ଦୁଇ ପରିବାର ଭିତରେ ସୀମିତ ରହିଥାଏ । ବିଭୁପ୍ରସାଦକୁ ଏତିକି ପ୍ରାରମ୍ଭିକ ଆଶ୍ୱାସନା ଦେଇ ଉଷା କହିଥାଏ–

 

“ଧୈର୍ଯ୍ୟ ଧରନ୍ତୁ, ସବୁ ଠିକ୍ ହେଇଯିବ । ସବୁ ଗୁପ୍ତ ରହିବ । ମନମୋହନ ଆପଣଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି–ସବୁ ଗୁପ୍ତ ରଖିବାକୁ । ସେ ତାହାହିଁ କରିବେ । ମୁଁ ଜାଣେ ମନମୋହନଙ୍କର ହୃଦୟକୁ । ବାହାରକୁ ସେ ରାକ୍ଷସ ପରି କଠୋର; କିନ୍ତୁ ଅନ୍ତରରେ ସେ ଭଗବାନଙ୍କ ପରି କୋମଳ-। ତାଙ୍କର ବ୍ୟକ୍ତିହୃଦୟ ନାରୀର ହୃଦୟ । ଆପଣଙ୍କ ସାଙ୍ଗ ନଟବରକୁ ମୁଁ ଚିହ୍ନେନାହିଁ । କିନ୍ତୁ ତାଙ୍କ ହୃଦୟକୁ ମୁଁ ଚିହ୍ନେ–ମୋର ମନେହେଉଚି–ମୁଁ ଚିହ୍ନେଁ । କାରଣ ମୁଁ ମୋ ବାପାଙ୍କୁ ଭଲକରି ଚିହ୍ନେ, ବିଭୁବାବୁ !”

 

ଉଷା ଅପେକ୍ଷା କରେ ଏହିଠାରେ ମୁହୂର୍ତ୍ତେ, କାଳେ ତା’ର ବାପଙ୍କୁ ବିଚାର କଲାବେଳେ ସେ ନିଜେ କଠୋରତା ବା ପକ୍ଷପାତିତା କରିପକାଇବ, ସତେକି ଏହି ଆଶଙ୍କାରେ । ତାପରେ ଧୀରେ ଓ ସବୁବେଳେ ଯେଉଁ ନରମ ନାରୀସ୍ୱର ବିଭୁପ୍ରସାଦକୁ ଉଷାପ୍ରତି ଆକୃଷ୍ଟ କରିଥାଏ, ସେହି ସ୍ୱରରେ କହେ–

 

“ମୋର ବାପା ଜଣେ ପୁରୁଣା କଂଗ୍ରେସ କର୍ମୀ ନିଶ୍ଚୟ । କିନ୍ତୁ ମୁଁ ଜାଣେ, ସେ ଉଭୟ ଅନ୍ତରରେ ଓ ବାହାରେ ଜଣେ କମ୍ୟୁନିଷ୍ଟ ! ସତ୍ୟକୁ ରାଜରାସ୍ତାରେ ନଙ୍ଗଳା ନ କରିବା ପର୍ଯ୍ୟନ୍ତ ତାଙ୍କର ଆଖିରେ ନିଦ ନଥାଏ । ଏପରିକି ତାଙ୍କ ନିଜ କନ୍ୟାକୁ ମଧ୍ୟ ଦିଲ୍ଲୀ ରାସ୍ତାରେ ଲଙ୍ଗଳା କରି ସେଦିନ ବୁଲାଇଥିଲେ ସେ । ଆପଣ ଜାଣନ୍ତି ବିଭୁବାବୁ–ଜଣେ ଡାକ୍ତରୀ ଛାତ୍ରୀଭାବେ ଗୋଟିଏ ଦୁର୍ବଳ ମୁହୂର୍ତ୍ତର ଭୁଲ୍‍କୁ ପୁଣି ସଜାଡ଼ିନେବାପାଇଁ ମୋ ପକ୍ଷରେ ଆଉ ଏକ ମୁହୂର୍ତ୍ତକର ଇଚ୍ଛାଶକ୍ତିର କାରସାଦି ହୋଇଥିଲେହେଁ ମୋପାଇଁ ମୋର ବାପାହିଁ ଚିରକାଳ ନିମିତ୍ତ ଏକ ପ୍ରମାଣପତ୍ର ରଖିଦେଲେ ଓ ରାଜଧାନୀର ଘରେଘରେ ବୁଲି, ଡାକି–ବଜେଇ କହିଦେଇଗଲେ–‘ଖବରଦାର । ମୋର କନ୍ୟା ଦୁଶ୍ଚରିତ୍ରା ! ଏହା ସମ୍ପର୍କରେ ବିବାହପ୍ରସଙ୍ଗ ଆସିଲେ ବୁଝିବିଚାରି କାର୍ଯ୍ୟ କରନ୍ତୁ ।’ କମ୍ୟୁନିଷ୍ଟମାନଙ୍କର ସ୍ୱଭାବ ଏହିପରି ବିଭୁବାବୁ ! ନିଜର ଅତ୍ମୀୟତମ ବ୍ୟକ୍ତିଉପରେ ସବୁଠାରୁ ବେଶି ଅହନ୍ତା ତାଙ୍କର । ସେମାନେ ଦୁଃଶାସନ ନୁହନ୍ତି; କିନ୍ତୁ ଦ୍ରୌପଦୀକୁ ରାଜସଭାରେ ଉଲଗ୍ନ କରାଇବାପାଇଁ ସେହିମାନେହିଁ ପଶାଖେଳନ୍ତି ଓ ବାରମ୍ୱାର ହାରିଯାନ୍ତି ।”

 

ବିଭୁପ୍ରସାଦ ଉଷାର ଏହି ଦ୍ୱିତୀୟ ରୂପକୁ ହିଁ ଦେଖି ସ୍ତବ୍ଧ ହୋଇଗଲା । ଏପର୍ଯ୍ୟନ୍ତ ସେ ମନମୋହନର ସ୍ତ୍ରୀ ଓ ଜଣେ କେନ୍ଦ୍ର “ହାଇକମାଣ୍ଡ”ଙ୍କ ଝିଅକୁ ଗୋଟିଏ ସାଧାରଣ ରାଜନୈତିକ ଚୋରାବେପାରରେ ଏଜେନ୍ସି ନେଇଥିବା ଜଣେ ସାଧାରଣ ସ୍ତ୍ରୀଲୋକ ବୋଲି ଜ୍ଞାନ କରିଥିଲା । ବିଶେଷତଃ ମନମୋହନର ବିବାହକୁ ଗତ କେତେମାସ ତଳେ ସେ କେବଳ ଗୋଟାଏ “ତୁମ ବାପା–ମୋ ବାପା” ରାଜନୈତିକ ଲାଭ–କ୍ଷତି କାରବାର ବୋଲି ଧରିନେଇଥିଲା । ଏଥିପାଇଁ ମନମୋହନର ବାପା ଯେ କି ସେତେବେଳେ କୌଣସି ଦୁଷ୍କର୍ମଯୋଗୁଁ ଚାକିରିରୁ ସସ୍ପେଣ୍ଡ୍ ହୋଇଥିଲେ ଓ ପୁଅକୁ ଗୋଟାଏ ରାଜନୈତିକ ଅଶ୍ଵମେଧଯଜ୍ଞର ବଳିଅଶ୍ୱରୂପେ ଉଷାର ପିତାଙ୍କୁ ଅର୍ପଣ କଲାପରେ ଦୁଷ୍କର୍ମରୁ ମୁକ୍ତି ପାଇଥିଲେ–ଏହି ଧାରଣାବଶତଃ ବିଭୁପ୍ରସାଦ ମନମୋହନର ବାପାଙ୍କ ଅପେକ୍ଷା ଉଷାର ବାପାଙ୍କୁ ହିଁ ଅଧିକ ଘୃଣା କରି ମନେମନେ ଏପରି ବାପାର କନ୍ୟା ଉଷାକୁ ଗୋଟିଏ ସାଧାରଣ “ଷ୍ଟ୍ରିଟ୍‍ଗାର୍ଲ” ବୋଲି ଚିନ୍ତା କରିଥିଲା, ହଠାତ୍ ସେହି ଉଷା–ମୁହଁରୁ ନିଜ ବାପର ଅନ୍ୟପ୍ରକାର ବର୍ଣ୍ଣନା ଶୁଣି ବିଭୁପ୍ରସାଦ ବିସ୍ମିତ ହୋଇଯିବା ସ୍ୱାଭାବିକ ।”

 

ତୁମ ବାପା ଯଦି ଏତେଦୂର ସତ୍ୟନିଷ୍ଠ ବ୍ୟକ୍ତି, ତେବେ ମନମୋହନ ସହିତ ତୁମର ବିବାହ ହେଲା କିପରି ? ବିବାହ ପୂର୍ବରୁ ମନମୋହନ ତେବେ ତୁମ ବିଷୟରେ ସବୁକଥା ଜାଣିଥିଲା-? ସବୁ ଜାଣି ସୁଦ୍ଧା ଗୋଟିଏ ପାପର ପସରା ମୁଣ୍ଡେଇ ଜୀବନସାରା ବୁଲିବାର ସତ୍‍ସାହସ କେଉଁଠୁ ପାଇଲା ସେ ? ମୁଁ ମନମୋହନକୁ ଜାଣେ । ସେ ତୁମର ସ୍ୱାମୀ । ତାକୁ ଭଗବାନ କହିପାର ତୁମେ-। କିନ୍ତୁ ସତ୍‍ସାହସ ଓ ଦୁଃସାହସ ମଧ୍ୟରେ ଆକାଶ ପାତାଳ ପ୍ରଭେଦ । ବୀରତ୍ୱ ଓ ବ୍ୟବସାୟିକ ସାହସ ଏକାକଥା ନୁହେଁ । ଯୁଦ୍ଧକ୍ଷେତ୍ରରେ ରିସ୍କ୍ ଓ ବ୍ୟବସାୟକ୍ଷେତ୍ରର ସ୍ପେକ୍ୟୁଲେସନ୍ ଏକାକଥା ନୁହେଁ । ମତେ କ୍ଷମାକରିବ ଉଷା ! ମନମୋହନ ଯଦି ଜାଣିଜାଣି ଗୋଟିଏ ପାପପସରା ମୁଣ୍ଡେଇଥାଏ, ତେବେ ତା’ ସମ୍ପର୍କରେ ମୁଁ ଯାହା ଜାଣେ ସେ ଭଗବାନ ନୁହେଁ, ଜଣେ ସାଧାରଣ ବ୍ୟବସାୟୀ ।”

 

ଜଣେ ଚୋରା ସୁନା ବ୍ୟବସାୟୀର ଘର ଖାନ୍‍ତଲାସ ଚାଲିଥିଲାବେଳେ ଓ ଘରଭିତରେ ପ୍ରତ୍ୟେକ ଗୁପ୍ତ ସ୍ଥାନରେ ହାତମାରି ଅନୁସନ୍ଧାନକାରୀ କଅଣ ସବୁ ଟାଣିଆଣି ଟଣ୍ଟାଣ୍ ଝଣ୍‍ଝାଣ୍ କରି ତଳେ ବିଛେଇ ଦଉଥିଲାବେଳେ, ଦାଣ୍ଡପିଣ୍ଡାରେ ପୁଲିସ୍ ହାକିମକୁ ଚା’ ଖୁଓଉ ଥିବାବେଳେ ନିଜେ ବ୍ୟବସାୟୀ ଯେପରି ଗୃହର ଅଭ୍ୟନ୍ତରକୁ ଲକ୍ଷ୍ୟକରି ନିଜଭିତରେ ଚିତ୍କାର କରୁଥାଏ, “ଖବରଦାର ! ଚୋରା ଜିନିଷ ଯେତେ ଯାହା ଅଛି ଟାଣିଆଣ, କିନ୍ତୁ ଯେଉଁ ସୁବର୍ଣ୍ଣ ବିଷ୍ଣୁପ୍ରତିମାକୁ ମୁଁ ଇଷ୍ଟଦେବତା ମାନିଛି, ତାକୁ ଚୋରା ସୁନାଭଳି ଟଣାଓଟରା କରନାହିଁ, ନଚେତ୍ ଏ ପୃଥିବୀ ସତ୍ୟାନାଶ ହୋଇଯିବ–” ସେହିପରି ନିରବ ନିଳୟ ପିଣ୍ଡାରେ ବସି ଘରଭିତରୁ ମନମୋହନ ସ୍ତ୍ରୀ ଉଷାର ଆଶ୍ୱାସନା ବାଣୀଭିତରୁ ସୁକୁମାରୀର ଅଚେତନ ଦୀର୍ଘନିଶ୍ୱାସ କେଇଟାକୁ କାନୋଉ କାନୋଉ ବିଭୁପ୍ରସାଦ ଚମକିପଡ଼ୁଥାଏ ଓ ସବୁ ସାମ୍ୟଭିତରେ ପୁଣି ଏକ ବୈଷମ୍ୟ କେଉଁଠି ଦେଖିଲାଭଳି ସେ ଏଥର ପ୍ରକାଶ୍ୟରେ ଉଷାକୁ ପଚାରେ–

“ମୋର କେଉଁଥିରେ କଅଣ ଯାଏଆସେ ଉଷା ? ତୁମ ବାପା କଂଗ୍ରେସ୍ କି କମ୍ୟୁନିଷ୍ଟ୍, ମନମୋହନ ଭଗବାନ କି ରାକ୍ଷସ–ଏ ସବୁଥିରେ ମୋର କଅଣ ଯାଏଆସେ ? ମୁଁ କେବଳ ମୋପାଇଁ ଜାଣିବାକୁ ଚାହେଁ–ମୋର କର୍ତ୍ତବ୍ୟ କଅଣ ?

“ଏହି ମୁହୂର୍ତ୍ତରେ ମୋର କର୍ତ୍ତବ୍ୟ କଅଣ ? କେଉଁ ବୃହତ୍ତର ପକ୍ଷ ସମର୍ଥନ କରିବି ମୁଁ ଏଇଲେ ? ମନମୋହନ କଥାମାନି ମତେ ଚୁପହୋଇ ଜଣେ ଦେଖଣାହାରୀପରି ବସିରହିବାକୁ ପଡ଼ିବ ଓ ଆଗାମୀ କୌଣସି ଗୋଟିଏ ସାମାଜିକ ଦୁଃସମୟରେ ଅଧ୍ୟାପକ ସେଠିଙ୍କ ପରି ମତେ ମଧ୍ୟ ହାତକାଟି ଲେଖିଦେବାକୁ ପଡ଼ିବ ସେହିପରି ବାକ୍ୟଟିଏ–“ମୋର ସ୍ତ୍ରୀ ଅନ୍ତଃସତ୍ତ୍ଵା, ମୁଁ ଦାୟୀ ନୁହେଁ, ଦାୟୀ ନଟବର “କିମ୍ୱା ମତେ ସେଇ ଅସୁର ନଟବରର ଅଭିଶାପକୁ ମୋ ଶରୀରଉପରେ ଗୋଟିଏ କୁଷ୍ଠ ଛଉପରି ଚିରଦିନ ଗୋପନୀୟଭାବେ ବହନ କରିବାକୁ ପଡ଼ିବ ? କିମ୍ୱା ଏ ସବୁଥିରେ ପଶିବା ମଧ୍ୟ ମୋର ଦରକାର କଅଣ ? କି ସମ୍ପର୍କ ମୋର ସେଇ କାଳୀ, ଦୁର୍ଗନ୍ଧମୟ, ଅପରିଷ୍କାର ସ୍ତ୍ରୀଲୋକଟା ସାଙ୍ଗରେ ? ମୁଁ ପରିଷ୍କାର କରି ତୁମକୁ କହୁଚି ଉଷା, ପାଚେରି ସେପଟେ ସେଇ ଯେଉଁ ଆଲୁଅଟା ଜଳୁଚି, ଯାହାକୁ ରାଷ୍ଟ୍ରର ଆଲୁଅ ବୋଲି ମୁଁ ଜାଣେ, ସେଇ ରାଷ୍ଟ୍ରର ଆଲୁଅ ଆମର ସାକ୍ଷୀ, ବିବାହ ଦିନୁ ଏପର୍ଯ୍ୟନ୍ତ ଦିନେହେଲେ ଆମେ ସୁଖରେ ରହିନାହୁଁ, ଏକ ଶେଯରେ, ଏକ ଦେହ, ଏକ ମନ ଏକ ଆତ୍ମା ହୋଇନାହୁଁ । ଜାଣେନା ମୁଁ କାହିଁକି ତାକୁ ବିବାହ କରିଥିଲି, କିମ୍ୱା ସେ ବି କାହିଁକି ମୋତେ ବିବାହ କରିଥିଲା । ଏପରିସ୍ଥଳେ ମତେ ତା’ ସହିତ ବାନ୍ଧିବାର ଦରକାର କଅଣ ? ମତେ ମୁକ୍ତ ଦିଅ ଉଷା । ମୋର ମନେହେଉଛି ବର୍ତ୍ତମାନ, ଏହି ମୁହୂର୍ତ୍ତରେ ତୁମେ ହିଁ ମତେ ଏହିପରି ଅନିଚ୍ଛାଗତ, ଅଶ୍ଲୀଳ ବନ୍ଧନରେ ପକେଇଦେଇଛ । ମୁଁ ଆଉ ଥରେ ପରିଷ୍କାର କରି କହୁଚି, ଯଦି ଏଥିପୂର୍ବରୁ ମୋର ତୁମସହିତ ବ୍ୟକ୍ତିଗତଭାବେ ପରିଚୟ ହୋଇନଥାନ୍ତା, ସଂସାରରେ ତୁମପରି ଉଦାହରଣମାନେ ନଥାନ୍ତେ, ତେବେ କେଉଁଦିନୁ ମୁଁ ଏଇ ବନ୍ଧନରୁ ନିଜକୁ ମୁକ୍ତକରି ସାରନ୍ତିଣି । ଇତିହାସ ବୋଧ ହିଁ ମୋ ଜୀବନକୁ ନଷ୍ଟ କରିଦେଲା ଉଷା । ସାମଞ୍ଜସ୍ୟ ବୋଧ ହିଁ ମୋତେ ଅନ୍ଧ କରିଦେଲା । ତଥାପି ଏହି ସାମ୍ୟଭିତରେ କେଉଁଠାରେ ବୈଷମ୍ୟ ନିଶ୍ଚୟ ବଞ୍ଚିଛି ଉଷା । ମତେ କୁହ, ଦୟାକରି କୁହ, ମନମୋହନର ସ୍ତ୍ରୀ ଓ ଜଣେ ରାଜ୍ୟପାଳର କନ୍ୟା ଉଷା ଏବଂ ବିଭୁପ୍ରସାଦର ସ୍ତ୍ରୀ ଓ ଜଣେ ହରିଜନ ମେହେନ୍ତର ଝିଅ ସୁକୁମାରୀ–ଏ ଦୁହିଁଙ୍କର ପାପର ସମସ୍ତ ସାମଞ୍ଜସ୍ୟ ସତ୍ତ୍ୱେ ଅସାମଞ୍ଜସ୍ୟ ଅଛି ନା ନାହିଁ ? ଏହି ଅସାମଞ୍ଜସ୍ୟ ହିଁ ମୋର ଏହି ମୁହୂର୍ତ୍ତର ଆବଶ୍ୟକତା ଉଷା । ଏହା ବିନା ବଞ୍ଚିବା ବି ମୋ ପକ୍ଷରେ ଅସମ୍ଭବ ।”

ସୁକୁମାରୀର ଘା’ ଡ୍ରେସିଂ ତରବର କରି ଶେଷକରି ଉଠିପଡ଼ିଲା ଉଷା । ନୀରବନିଳୟର ଦରଆଉଜା କବାଟକୁ ପୂରା ଖୋଲିଦେଇ ସେ ଆସି ଠିଆହୋଇପଡ଼ିଲା–ବିଭୁପ୍ରସାଦ ଆଗରେ ।

 

କାନ୍ଥକୁ ଆଉଜିବସି ବାଉଳେଇ ଚାଉଳେଇ ହଉଥାଏ ବିଭୁପ୍ରସାଦ । ଜେଲ୍ ଡାକ୍ତରଖାନାରୁ ଯେଉଁ ବ୍ୟାଣ୍ଡେଜଟି ମୁଣ୍ଡରେ ବାନ୍ଧି ସେ ସେଇଦିନ ଜେଲରୁ ବାହାରିଥିଲା, ସେଇ ବ୍ୟାଣ୍ଡେଜଟା ହୁଗୁଳି ଯାଇଥାଏ ଓ ତା’ ତଳୁ ବିଭୁପ୍ରସାଦର କ୍ଷତ ଜଳଜଳ ଦିଶୁଥାଏ ।

 

ଚମକିପଡ଼ିଲାପରି, ଛୋଟିଆ ମାତ୍ର ଖୁବ୍ ତୀକ୍ଷ୍ଣ ନିଶ୍ୱାସଟିଏରେ ନିଜ ଛାତିକୁ ନିଜେ ଭୁଷିଲାପରି ଭୁଷିଦେଇ କହିଲା ଝିଅଟି, ‘ଓଃ ଆପଣ ଅସାମଞ୍ଜସ୍ୟ–ତାହେଲେ ଖୋଜୁଛନ୍ତି ?’ ତା’ପରେ ଆଣ୍ଠେଇପଡ଼ିଲା, ସେ ଯେମିତିକି ପ୍ରାର୍ଥନା କରିବା ପୂର୍ବରୁ ।

 

କିନ୍ତୁ ସେ ପ୍ରାର୍ଥନା କରୁନଥିଲା କି ସ୍ଵୀକାରୋକ୍ତି ମଧ୍ୟ କରୁନଥିଲା ଯେମିତି ଚର୍ଚ୍ଚର ଫାଦର କିମ୍ୱା ମୁକ୍ତିମଣ୍ଡପ ଆଗରେ । କେବଳ ବିଭୁପ୍ରସାଦର ମୁଣ୍ଡର ହୁଗୁଳା ବ୍ୟାଣ୍ଡେଜଟାକୁ ଟାଇଟ୍‍ କରି ଦଉଦଉ ସେ କହିଲା–

 

ଆପଣଙ୍କର ସ୍ତ୍ରୀଙ୍କ କ୍ଷତ ଦେଖିପାରୁଛି–ବିଭୁପ୍ରସାଦ ବାବୁ ଆପଣ ପ୍ରକୃତରେ ବେଶୀଦିନ ବଞ୍ଚିବେ ନାହିଁ–ଯଦି ହଠାତ୍ କିଛି କରାନଯାଏ–ଯଦି....”

 

ତାପରେ ହସିଦେଲା ସେ, ଅବିକଳ ସେମିତି, ଯେମିତି ସନ୍ଧ୍ୟାବେଳେ ମନମୋହନ ଘରେ ହସି ହସି କହିଥିଲା ସେ–

 

“ଚାଲନ୍ତୁ, ଆପଣ ଦୁହିଁଙ୍କୁ ଏକାଠି କରିଦେଇଆସିବି–ଆସନ୍ତୁ ଭିତରକୁ ।”

 

କିନ୍ତୁ ପରକ୍ଷଣରେ ଆସ୍ତେ ଆସ୍ତେ ମୁହଁଟି ତା’ର ଶୁଖିଗଲା । ଆଖିରେ ଭରିଆସୁଥାଏ ଲୁହ କି କଅଣ– । ଯେଉଁ ହାତରେ ସୁକୁମାରୀର କ୍ଷତରୁ ରକ୍ତ ପୋଛିଦେଉଥିଲା ସେଇ ଅସନା ହାତରେ ଆଖିଦିଇଟାକୁ ମକଚିଦେଇ ସେ ବିଭୁପ୍ରସାଦ ଆଖିକୁ ସିଧାକରି ଥରେ ଚାହିଁଦେଲା । ତାପରେ ସେଇଠି, ସେଇ ଆଣ୍ଠେଇ ପଡ଼ିଥିବା ଜାଗାରେ ମୁହଁକୁ ତଳକୁ ପୋତିଦେଇ କହିଲା ସେ–

 

“ସତ୍ୟ ଓ ସତ୍ୟ ଭିତରେ ବୃହତ୍ତର ଓ କ୍ଷୁଦ୍ରତର ହୋଇ କିଛି ନାହିଁ ଏ ସଂସାରରେ । ସେ ପାର୍ଥକ୍ୟ କେବଳ ସ୍ୱାର୍ଥର । ତୁମେ ଯଦି ଗୋଟିଏ କ୍ଷୁଦ୍ର ସ୍ଵାର୍ଥଠାରୁ ବୃହତ୍ତର ସ୍ଵାର୍ଥ କେତେ ପୃଥକ୍ ଏତିକି ଜାଣିବାକୁ ଚାହୁଁଥାଅ ତେବେ ଶୁଣ । ଖଣ୍ଡିଏ ଦାମିକା ଟେରିଲିନ୍ ଶାଢ଼ି ବା ବୋତଲେ କସମେଟିକ୍‍ର ଅଭାବ ପୂରଣ ପାଇଁ ଜଣେ ରାଜ୍ୟପାଳର କନ୍ୟା ଯେତେ ପାପ ଅର୍ଜନ କରିଥାଏ, ମେଞ୍ଚାଏ ପରିଷ୍କାର ଚିରାକନା ଓ ବୋତଲେ ଡେଟଲ୍ ହାତରେ ଧରି ଅନ୍ଧାର ଭିତରକୁ ପାଦ ବଢ଼େଇଥିବା ଜଣେ ହରିଜନ ଝିଅ ସେତିକି ପାପ ଅର୍ଜନ କରେନାହିଁ । ଦୁଇ ପାପ ମଧ୍ୟରେ ପାର୍ଥକ୍ୟ ବହୁତ ! ଅସାମଞ୍ଜସ୍ୟ ବହୁତ ! ବୈଷମ୍ୟ ବହୁତ !”

 

ତାପରେ ଉଠିପଡ଼ିଲା ସେ ଝଟ୍‍କରି । ଓହ୍ଲାଇଗଲା ଟାଉ ଟାଉ କରି ପିଣ୍ଡାତଳକୁ । ଗାଡ଼ିରେ ବସିଲା । ଧଡ଼୍ କରି କବାଟଟାକୁ ବନ୍ଦକଲା ଓ ଷ୍ଟାଟଦେଲା ।

 

ବିଭୁପ୍ରସାଦ ନୀରବନିଳୟ ପିଣ୍ଡାରେ, କାନ୍ଥକୁ ଆଉଜି ଯେଉଁଠି ବସିଥିଲା, ସେଇଠି ବୁଦ୍ଧଦେବଙ୍କ ପରି ଆହୁରି କେତେ ସମୟ ବସି ରହିଲା–ମନମୋହନର ଗାଡ଼ି ଓ ଉଷା ଉଭୟ ଆଖିରୁ ହଜିଯିବାର କେତେ ସମୟ ପରେ ମଧ୍ୟ ।

 

ତେଇଶି

 

‘ସାଇଟ୍ ଫରଦି ପୂର୍ଣ୍ଣମା ବିସ୍କୁଟ୍ ଏଣ୍ଡ୍ କେକସ୍ ଲିମିଟେଡ଼୍”

 

ଗ୍ରାମପଞ୍ଚାୟତ ଟାଇଲି କାରଖାନା କଡ଼କୁ ଲାଗି ବନ୍ଦର ରାସ୍ତା ଉପରେ ଯେଉ ଦୁଇଏକର ଅନାବାଦି ଜମି ଯୁଗଯୁଗ ଧରି ପଡ଼ିରହିଥିଲା, ଯେଉଥିରେ ଗାଁର ମଇଁଷିଆଳ କାଳିସୀ ଗଉଡ଼ ବୁଢ଼ା ତା’ ମଇଁଷିଙ୍କୁ ଛାଡ଼ିଦେଇ ପାଖ କେନାଲକୂଳ ବରଗଛ ଛାଇରେ ଶୁଏ ଓ ମଝିରେ ମଝିରେ କଅଣ ମନେପଡ଼ିଗଲେ ବଇଁଶୀଟାକୁ ଫୁଁଫୁଁ କରି ଫୁଙ୍କେ ସେଇ ଜମିର ତିନି ଦିଗରେ ଭଙ୍ଗାକାଚ ମଥାନବାଲା ଇଟା ପାଚେରିଟିଏ ଏ ଭିତରେ ମୁଣ୍ଡଉଠେଇ ସାରିଥାଏ । ଟାଇଲି କାରଖାନା ପଟରେ ପାଚେରି ଉଠିନଥାଏ, କେବଳ ବିସ୍କୁଟ୍ କାରଖାନାର ସାଇନବୋର୍ଡ଼ଟା ସେଇ ସରକାରୀ ଓ ପ୍ରାଇଭେଟ୍ ଜାଗାର ଦୋସମାଳିରେ ଗୋଟିଏ ସୀମାଚିହ୍ନ ଭଳି ଠିଆହୋଇ ସାରିଥାଏ-

 

ଛାତ୍ର ଆନ୍ଦୋଳନ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜାତୀୟ ସମ୍ପତ୍ତିର କ୍ଷୟକ୍ଷତି ତାଲିକାଟିଏ ପ୍ରସ୍ତୁତ କରିବାପାଇଁ ଓ ଅନ୍ୟାନ୍ୟ ଅର୍ଥନୈତିକ ଅନୁସନ୍ଧାନ ପାଇଁ ଇତିମଧ୍ୟରେ ଗୋଟିଏ ଜଣିକିଆ ଉଚ୍ଚପାହ୍ୟା କମିଶନ ରାଜ୍ୟର ବିଭିନ୍ନ ସ୍ଥାନ ପରିଭ୍ରମଣକରି ଭବାନୀପ୍ରସାଦଙ୍କ ଗାଁରେ ଡେରା ପକେଇଥିଲେ । ଉଦ୍ଦେଶ୍ୟ–ଗ୍ରାମ୍ୟଗୋଷ୍ଠୀ ଯୋଜନାର ପ୍ରଥମ ପରୀକ୍ଷାମୂଳକ ସଂସ୍ଥା ଏଇ ଟାଇଲି କାରଖାନା ସମ୍ବନ୍ଧରେ କିଛି ଅନୁସନ୍ଧାନ ଓ ତଦନୁଯାୟୀ ଆବଶ୍ୟକୀୟ ରିପୋର୍ଟ ପ୍ରସ୍ତୁତକରି ସରକାରଙ୍କୁ ଗ୍ରାମପଞ୍ଚାୟତ ଶିଳ୍ପଯୋଜନା ସଫଳତା ବା ବିଫଳତା ସମ୍ପର୍କରେ ବେଳହୁଁ ଜାଗ୍ରତ କରାଇବା !

 

ଗତ ବସନ୍ତଋତୁ ଆରମ୍ଭରେ, ବିଶ୍ୱବିଦ୍ୟାଳୟ ହତାରୁ ବରଫ ତରଳା ନଈ ଭଳି ମାଡ଼ିଆସି ଯେଉ ଛାତ୍ର ଅସ୍ଥିରତା ଗ୍ରାମପଞ୍ଚାୟତ ଟାଇଲି କାରଖାନାର ସମସ୍ତ ଉତ୍ପାଦନକୁ ନଷ୍ଟକରି ଦେଇଯାଇଥିଲା, ସେହି ଅସ୍ଥିରତା ପରଠୁଁ ଶୀତୁଳି ପଡ଼ିଯାଇଥିବା କାରଖାନାର ଚୁଲା ଓ ଚିମିନିକୁ ପରୀକ୍ଷାକରି ଜଣକିଆ କମିଶନ କଅଣସବୁ ଦେଖିଥିଲେ ଓ ମତ ଦେଇଥିଲେ । ତା’ପରଠୁଁ କାରଖାନା ଚୁଲିରେ ମାଟିଲେସ ଆଉ ଚିମିନିରେ ବଗିରାଳ ରଙ୍ଗ ବୋଳା ଖୁବ୍ ଜୋରସୋରରେ ଆରମ୍ଭ ହୋଇଯାଇଥାଏ । ଅଳ୍ପଦିନ ଭିତରେ କାରଖାନା ପୁଣି ଚାଲୁ ହବ–ଶୁଣାଯାଉଥାଏ ।

 

ତେଣେ କାରଖାନା ଚୁଲା ତାଉ କରିବାପାଇଁ ଆୟୋଜନ ଚାଲିଥିଲାବେଳେ ଏଣେ ଗାଁର ମଣିଷମାନଙ୍କ ଭିତରେ ପୁଣି ଦୁଇଟା ଉତ୍ତେଜନାମୂଳକ ଘଟଣା ଲାଗ ଲାଗ ଘଟିଯାଇଥାଏ । ଏଥିମଧ୍ୟରୁ ପ୍ରଥମଟି ଖୁବ୍ ଆନନ୍ଦଦାୟକ ଓ ଯଥାର୍ଥ ଉତ୍ତେଜନାମୂଳକ । କିନ୍ତୁ ଦ୍ୱିତୀୟଟି ପ୍ରଥମର ଗୋଡ଼େ ଗୋଡ଼େ ଯେମିତି ସବୁଦିନେ ଗୋଡ଼େଇଥାଏ ଏବେମଧ୍ୟ ସେମିତି ଗୋଡ଼େଇଥିଲା ପରି ମନେହେଉଥାଏ । ଫଳରେ ସାରା ଗାଁ ଏମିତି ଗୋଟାଏ କୁତ୍ସିତ ଉତ୍ତେଜନାରେ ଥରିଯାଉଥାଏ ଯେ ଯଦି ଏଥିପୂର୍ବରୁ ଗ୍ରାମପଞ୍ଚାୟତ ଟାଇଲି କାରଖାନା ପୁଣି ଚାଲୁହୋଇ ସାରିଥାନ୍ତା, ତେବେ ଲୋକେ ଆହୁରି ଥରେ ଗାଁ ମୁଣ୍ଡର କାଳୀୟଦଳନ ଉତ୍ସବ ପାଳନ କରିଥାନ୍ତେ ।

 

କିନ୍ତୁ ଗାଁର ଏହି ଉତ୍ତେଜନାପୂର୍ଣ୍ଣ ବାୟୁମଣ୍ଡଳର ସବୁଠାରୁ ଭୟାବହ ପ୍ରଭାବ ପଡ଼ିଲା ଗାଁର ସେଇ ଦୁଇ ପୁରୁଣା ଘରଉପରେ । ଗୋଟିଏ ଘରୁ ପିଲାଟିଏ ଚାଲିଗଲା । ଆଉ ଗୋଟାଏ ଘରେ, ଛୁଟିରେ ଗାଁକୁ ଫେରି ଭଲପିଲାଭଳି ବସିଥିବା ପିଲାଟିଏ ପୁଣିଥରେ ପାଗଲ ହୋଇଗଲା ଓ ଏଥର “ମୁଁ ଚାଲିଲି ବାପା, ମୁଁ ଚାଲିଲି” ବୋଲି ପାଟିତୁଣ୍ଡ ନ କରି ନିସ୍ତବ୍ଦରେ ଏପରି ଏକ କାଣ୍ଡ କରିବସିଲା ଯେଉଁଥିରେ ଭବାନୀପ୍ରସାଦଙ୍କ ଭିଟାମାଟି ଥରିଗଲା । ଘଟଣାର କ୍ରମ ବିକାଶ ଏହିପରି–

 

ଇତିମଧ୍ୟରେ, ବିଶେଷତଃ ଆଗାମୀ ଶୀତଋତୁରେ, ଯେଉ ଯୁଦ୍ଧ ହେବା ନ ହବା ସମ୍ୱାଦ ମଝିରେ ମଝିରେ ଖବରକାଗଜରେ ପ୍ରକାଶ ପାଉଥାଏ, ସେହି ସମ୍ୱାଦକୁ ଆଖିରେ ରଖି ବନ୍ଦରଇଲାକାରେ ଦିନ ରାତି କଳପରି କାମ ଧମାଧମ୍ ଚାଲିଥାଏ । ସେହିସବୁ କାର୍ଯ୍ୟ ପରିଦର୍ଶନକରି ଆହୁରି ଆଗାମୀ କାର୍ଯ୍ୟ ପାଇଁ ରାଜ୍ୟକୁ ଯଥେଷ୍ଟ ଆର୍ଥିକ ସାହାଯ୍ୟ କେନ୍ଦ୍ରରୁ ମଞ୍ଜୁର କରିବାଲାଗି ଦେଶର ପ୍ରଧାନମନ୍ତ୍ରୀଙ୍କର ଗୋଟିଏ ବନ୍ଦର ପରିଦର୍ଶନ କାର୍ଯ୍ୟକ୍ରମ ସରକାରୀଭାବେ ସ୍ଥିର କରାଯାଇଥାଏ । ପ୍ରଧାନମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧନା ଜଣାଇବା ପାଇଁ ରାଜଧାନୀ ଉଡ଼ାଜାହାଜ ପଡ଼ିଆଠାରୁ ବନ୍ଦର ପର୍ଯ୍ୟନ୍ତ ହାରାହାରି ଷାଠିଏ ସତୁରୀମାଇଲ ରାସ୍ତାକଡ଼ରେ ଥିବା ଛୋଟ ବଡ଼ ସବୁ ବଜାର କେନ୍ଦ୍ରଜାଗା ଓ ଗାଁମାନଙ୍କରେ ଏଥିପାଇଁ ଉଭୟ ସରକାରୀ ଓ ବେସରକାରୀଭାବେ ନାନା ଆୟୋଜନ ଆରମ୍ଭ ହୋଇଯାଇଥାଏ ଓ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇସାରିଥାଏ ।

 

ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ଅନ୍ୟାନ୍ୟ ସ୍ଥାନପରି, ବନ୍ଦର ରାସ୍ତାକଡ଼ ଭବାନୀପ୍ରସାଦଙ୍କ ଗାଁର ଗ୍ରାମବାସୀମାନେ ମଧ୍ୟ ଏକ ସଂକ୍ଷିପ୍ତ କାର୍ଯ୍ୟକ୍ରମ ସ୍ଥିର କରିଥାନ୍ତି । ସବୁଠାରୁ ବଡ଼ କାର୍ଯ୍ୟକ୍ରମ ହେଉଛି ଗ୍ରାମର ଦୁଇଜଣ ପୁରୁଖା ନେତା ନାଙ୍ଗୁଡ଼ାଏ ଓ ବାରବର୍ଷିଆଏ ପ୍ରଧାନମନ୍ତ୍ରୀଙ୍କୁ ମାଲ୍ୟାର୍ପଣ କରିବେ ଓ ସେହି କାର୍ଯ୍ୟକ୍ରମକୁ ସରକାରୀଭାବେ ମଧ୍ୟ ପ୍ରୋଗାମ୍ଭୁକ୍ତ କରା ସରିଥାଏ । ଏଣୁ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭାଗମନକୁ କେନ୍ଦ୍ରକରି ସାରା ଗାଁ ଉତ୍ସାହ ଉଦ୍ଦୀପନାରେ ଫାଟିପଡ଼ୁଥାଏ । ବୟୋବୃଦ୍ଧ ନାଙ୍ଗୁଡ଼ାଙ୍କଠୁଁ ଆରମ୍ଭ କରି ଗାଁର ସବା ଛୋଟପିଲାଟି ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ଗଠନମୂଳକ କାର୍ଯ୍ୟରେ ଲାଗିପଡ଼ିଥାନ୍ତି । ଗ୍ରାମ ସଫେଇ, ସ୍କୁଲ କାନ୍ଥରେ ଚୂନଧଉଳା, ବିଶେଷତଃ ରାସ୍ତାକଡ଼ ଘରଗୁଡ଼ିକର କାନ୍ଥବାଡ଼ ଲିପାପୋଛା, ଚିତାଛଟା ଝୋଟିପକା କାମ ଛଡ଼ା ରାସ୍ତାଉପରେ ଶୁଭାଗମନ ଓ ଶୁଭବିଦାୟ ସୂଚକ ଦୁଇଟି ତୋରଣ ତିଆରି ଦାୟିତ୍ୱ ଗ୍ରାମବାସୀଙ୍କ ଉପରେ ପଡ଼ିଯାଇଥାଏ ।

 

ଏହି ତୋରଣ ସଜାଇବା ଦାୟିତ୍ୱ ନିଜେ ଭବାନୀପ୍ରସାଦ ନିଜଉପରକୁ ନେଇଥାନ୍ତି । ଏଥିପାଇଁ ଅବଶ୍ୟ ଗାଁ ସ୍କୁଲ ପିଲାମାନେ ଦିନରାତି ଭବାନୀପ୍ରସାଦଙ୍କୁ ଅକ୍ଳାନ୍ତ ସାହାଯ୍ୟ କରୁଥାନ୍ତି । ଛାତ୍ର ଆନ୍ଦୋଳନବେଳେ ଗାଁରେ ପଶିଥିବା ଭେଦଭାବ, ଅସ୍ୱୀୟା ଇତିମଧ୍ୟରେ କୁଆଡ଼େ ଉଭେଇଗଲାଣି । ଭବାନୀପ୍ରସାଦ ଲକ୍ଷ୍ୟ କରିଥାନ୍ତି, ସେଦିନ ଯୋଉ କେତେଟା ରକ୍ତମୁଖା ପିଲା ଊର୍ଣ୍ଣନାଭ ଆଶ୍ରମର ଖଦିକୁ ଆଡ଼େଇଦେଇ ପାଟି କରିଥିଲେ–ହାଁ ହାଁ । ଅଡ଼ୁଆ ସୁତା ମେଞ୍ଚାକ ନିକାଲ ନିକାଲ–ସେଇମାନେ ଊର୍ଣ୍ଣନାଭ ଆଶ୍ରମକୁ ଆସି ଆଦରର ସହିତ ଖଦି ଆଉ ଫୁଲର ମାଳ, ପ୍ରଧାନମନ୍ତ୍ରୀଙ୍କ ବେକପାଇଁ ଗୁନ୍ଥିବାରେ ଭୋକଶୋଷ ଭୁଲି ଲାଗିପଡ଼ିଥିଲେ ।

 

ଏହି ଖଦିସୂତାରେ ଗୁନ୍ଥା ଫୁଲମାଳ କେଇଟାକୁ ଦେଖୁ ଦେଖୁ ଭବାନୀପ୍ରସାଦଙ୍କ ଆଖି ଦିନମାନ ତିନ୍ତିଥାଏ । ବିଶେଷତଃ ପ୍ରଧାନମନ୍ତ୍ରୀଙ୍କ ଗଳାର ମାଳା ତିଆରି ପାଇଁ ଯେଉଁ ମଣିଷ ପିଲାମାନେ ମାଳମାଳ ହୋଇ ବସିପଡ଼ିଥାନ୍ତି ସେଇ ମଣିଷମାଳଗୁଡ଼ିକ ଦେଖୁ ଦେଖୁ ତାଙ୍କର ମନେପଡ଼ିଯାଉଥାଏ ପିଛିଲା ଦିନର କଥା । ଏଇ ପିଛିଲା ଦିନର ସ୍ମୃତି ହିଁ ତାଙ୍କୁ ବାଷ୍ପାକୁଳ କରିଦେଉଥାଏ ।

 

ମାଳଗୁଡ଼ିକ ଗୋଟିକପରେ ଗୋଟିଏ ତିଆରି କରିସାରି ପିଲାମାନେ ସେଗୁଡ଼ିକୁ ସଜାଡ଼ି ରଖୁଥାନ୍ତି । କେହି କେହି ଅବା ମାଳ ଭିତରର ଶୂନ୍ୟ, ମଣ୍ଡଳାକୃତି ସ୍ଥାନ ଭିତରକୁ ନିଜ ବେକ ଗଳେଇଦେଇ କଅଣ ସବୁ ପରଖିନେଇ, ପୁଣିଥରେ ସଜାଡ଼ି ରଖୁଥାନ୍ତି । ମାଳଗୁଡ଼ିକ ଭିତରର ଏଇ ଶୂନ୍ୟ, ମଣ୍ଡଳାକୃତି ସ୍ଥାନ ଭବାନୀପ୍ରସାଦଙ୍କ କଳ୍ପନାକୁ ଅଧିକ ଉତ୍ତେଜିତ କରୁଥାଏ । କାରଣ ସେହି ଶୂନ୍ୟ ମଣ୍ଡଳାକୃତି ସ୍ଥାନଗୁଡ଼ିକ ହିଁ ଗୋଟିଏ ଗୋଟିଏ ଗଳାର ଛାଇ ଭଳି ଦିଶି ଦିଶି ଯାଉଥାଏ-। ଏଇ ଗଳାଗୁଡ଼ିକ ଆଜିର ଗଳା ନୁହଁନ୍ତି । ତାଙ୍କ ସ୍ମୃତିର ପ୍ରିୟତମ ଦିନ ସେଇ ୧୯୨୦–୨୧ର ଗଳା ଏମାନେ । କେତୋଟି ଗଳାର ଅନର୍ଗଳ ସ୍ୱର ଆଜି ବି ବାଜିଯାଏ ଭବାନୀପ୍ରସାଦଙ୍କ କାନରେ-। ଏଥିରୁ କେତେ ସ୍ୱର ମାଟି ପାଣି ପବନରେ ମିଶିସାରିଲାଣି ଇତିମଧ୍ୟରେ ଅବଶ୍ୟ । କେତେ ଗଳା ଚାରିପାଖେ ଖଦି ସୁତାର ଫାଶ ପଡ଼ି ଚିପିହୋଇଗଲାଣି ଅବଶ୍ୟ । କିନ୍ତୁ ଯେଉ ଗଳାପାଇଁ ଆଜିର ଏ ମାଳ ତିଆରି ଚାଲିଛି, ସେ ହଜିନାଇଁ, ଚାପିହୋଇ ଯାଇନାହିଁ, ସେମିତି ଅନବରତ ଅନର୍ଗଳ ଗର୍ଜିଚାଲିଛି–ସେଇଦିନୁ ଆଜିଯାଏ ସେଇ ଗୋଟିଏ ସ୍ଵରରେ–ମୋ ଦେଶ, ମୋ ଲୋକ, ମୋ ସ୍ଵରାଜ୍ୟ !

 

ଫୁଲମାଳ, କାଗଜକାମ ଓ ଖୁଣ୍ଟ ପୋତାପୋତି, ଦେବଦାରୁପତ୍ର ବନ୍ଧାବନ୍ଧି ବ୍ୟତୀତ ତୋରଣ ମଣ୍ଡନରେ ଶେଷ ଛୁଆଁଟି ଲାଗିଥିଲା ଭବାନୀପ୍ରସାଦଙ୍କ ଆଙ୍ଗୁଠି ଟିପର । ତୋରଣଗୁଡ଼ିକ କେଉଁ ପଦ୍ଧତିରେ ସଜାହେବ ଏ ଦାୟିତ୍ଵ ପୂରାପୂରି ଭବାନୀପ୍ରସାଦଙ୍କ ଉପରେ ନ୍ୟସ୍ତ ହୋଇଥାଏ । କେବଳ ଥରକୁଥର କାର୍ଯ୍ୟର ଅଗ୍ରଗତି ଲକ୍ଷ୍ୟ କରିବାକୁ ଆସିଥିବା ସରକାରୀ ହାକିମ ଜଣକ ଭବାନୀପ୍ରସାଦଙ୍କୁ ଅଧେ ପରିହାସରେ ଅଧେ ଦାୟିତ୍ଵ ଦୃଷ୍ଟିରୁ କହିଥାନ୍ତି–

 

“ଦେଖ ମାଷ୍ଟ୍ରେ ! ସବୁ କର; କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଉପରେ ଯେମିତି ଅଜାଡ଼ି ନ ହୋଇ ପଡ଼େ ତୁମ ତୋରଣ–ଏତିକି କି ଖିଆଲ ରଖି ଯାହା କରୁଚ କରିଯାଅ ।”

 

ସରକାରୀ ହାକିମଙ୍କ ବ୍ୟତୀତ ଗାଁର ଦୁଇ ପୁରୁଖାନେତା ନାଙ୍ଗୁଡ଼ାଏ ଓ ବାରବର୍ଷିଆଏ ମଧ୍ୟ ଭବାନୀପ୍ରସାଦଙ୍କୁ ତୋରଣ ନିର୍ମାଣ କାର୍ଯ୍ୟ ସଂକ୍ରାନ୍ତରେ ପ୍ରଥମେ ଦିଇଟା ଗୋଟାଏ ଉପଦେଶ ଦେବାକୁ ଇଚ୍ଛା କରିଥିଲେ । କିନ୍ତୁ ପରେ ଭବାନୀପ୍ରସାଦଙ୍କ ମୌଳିକତାକୁ ସମସ୍ତେ ସ୍ଵୀକାର କରିଯାଇଥିଲେ ।

 

“ମାଷ୍ଟ୍ରେ ! ଗତବର୍ଷ ଯେମିତି ତୁମ ଆଶ୍ରମ ପ୍ରତିଷ୍ଠା ଦିନ ଖଦିସୂତାରେ ଗାନ୍ଧିମୁଣ୍ଡ, ନେହେରୁମୁଣ୍ଡ ଆଙ୍କିଥିଲ, ଏଥର ମଧ୍ୟ ସେମିତି ଦିଇଟା ମୂର୍ତ୍ତି ସ୍ଵାଗତ ଓ ବିଦାୟ ତୋରଣର ଆଗିଲିପିଛିଲି ଝୁଲେଇଦିଅ ।” ନାଙ୍ଗୁଡ଼ାଏ ତାଙ୍କର ସରଳ ବାଟରେ ତୋରଣ ମଣ୍ଡନ ସମ୍ପର୍କରେ ଭବାନୀପ୍ରସାଦଙ୍କୁ ଉପଦେଶ ଦେଇଥିଲେ ।

 

କିନ୍ତୁ ଗ୍ରାମପଞ୍ଚାୟତ ନେତା ବାରବର୍ଷିଆଙ୍କ ଫର୍ମାସୀ ଥିଲା ଆଉ ଏକ ପ୍ରକାର । ଭବାନୀପ୍ରସାଦଙ୍କ ପ୍ରାରମ୍ଭିକ ଆୟୋଜନ ତଦାରଖ କରିବାକୁ ୟା ଭିତରେ ଥରେ ସେ ଊର୍ଣ୍ଣନାଭ ଆଶ୍ରମକୁ ଆସିଥିଲେ । ଆଶ୍ରମର ଫଳପୁଷ୍ପପୂର୍ଣ୍ଣ ଶୋଭାଆଡ଼କୁ ଆଖିଦେବା ପୂର୍ବରୁ ପ୍ରଥମେ ତୋରଣ ନିର୍ମାଣ ସମ୍ପର୍କରେ କହିଥିଲେ ।

 

“ଗାନ୍ଧିମୁଣ୍ଡ ନେହେରୁମୁଣ୍ଡ ଅପେକ୍ଷା, ବରଂ ଆରବର୍ଷ ଯେଉଁ କାରଖାନା ମଡ଼େଲଟି ତୁମେ ଖଦିସୂତାରେ ଅଙ୍କନ କରିଥିଲ ଏଥର ସେମିତି ଆମ ଜାତୀୟ ବନ୍ଦରର ଗୋଟିଏ ମଡ଼େଲ୍ ତିଆରିକରି ତୋରଣ ନିକଟରେ ଛୋଟ ପ୍ରଦର୍ଶନୀଟିଏ ଖୋଲ ମାଷ୍ଟ୍ରେ । ଉଭୟ କାମକୁ ପାଇଯିବା–ଖଦିକୁ ଖଦି, ଶିଳ୍ପକୁ ଶିଳ୍ପ । ପ୍ରଧାନମନ୍ତ୍ରୀ ଖଦିକୁ ଯେମିତି ଭଲପାନ୍ତି ଶିଳ୍ପକୁ ସେତିକି ବା ତାଠାରୁ ବେଶି ଭଲପାଆନ୍ତି, ତୁମେ ତ ଜାଣ । ଆମର ଅସଲ ଉଦ୍ଦେଶ୍ୟ ହେଲା, ଏଥର ବୁଢ଼ାକୁ ଖୁସିକରି ବନ୍ଦର ନିର୍ମାଣ ପାଇଁ କେନ୍ଦ୍ରରୁ କିଛି ଅର୍ଥ ସାହାଯ୍ୟ ଝଡ଼େଇବା । ଏଣୁ ବୁଢ଼ାକୁ ଖୁସିକରିବା ପେଇଁ ଯାହା ଦରକାର ତାହାହିଁ କର । ଏଣୁତେଣୁ ଗାନ୍ଧି ମୁଣ୍ଡ ଫୁଣ୍ଡରେ ମାତନା ମାଷ୍ଟ୍ରେ” !

 

ବାରବର୍ଷିଆଏ ଭବାନୀପ୍ରସାଦଙ୍କ ସହିତ ଏତେଦିନେ ମନଖୋଲା ପଦଟିଏ କଥାବାର୍ତ୍ତା ହେଲାପରି ହସିଦେଲେ । ୟାପରେ ଆରମ୍ଭ ହେଲା ବାରବର୍ଷିଆଙ୍କ ଊର୍ଣ୍ଣନାଭ ଆଶ୍ରମ ପରିଦର୍ଶନ । ଆଶ୍ରମର ସଫଳତା ପ୍ରକୃତରେ ତାଙ୍କୁ ମୁଗ୍ଧ କରିଥାଏ । ଊର୍ଣ୍ଣନାଭ ଆଶ୍ରମର ଚାରିଜଣକୁ ଆଖି ବୁଲେଇନେଇ ଶେଷରେ କୁକୁଡ଼ାଘର ଉପରେ ଦୃଷ୍ଟି ସ୍ଥିର କଲେ ।

 

ଭବାନୀପ୍ରସାଦଙ୍କ କୁକୁଡ଼ାଘର ଉପରେ ପଞ୍ଚାୟତ ଟାଇଲି କାରଖାନା ଉତ୍ପାଦନର ଯେଉଁ ସର୍ବପ୍ରଥମ ଦଫା ଟାଇଲି ଛୁଆଣି ହୋଇଥିଲା, ସମୁଦାୟ ସେତିକି ମାତ୍ର ଟାଇଲି ଗ୍ରାମପଞ୍ଚାୟତ ଶିଳ୍ପ ଯୋଜନାର ସ୍ମୃତିଫଳକ ପରି ଊର୍ଣ୍ଣନାଭ ଆଶ୍ରମରେ ବଞ୍ଚିରହିଥାଏ । ସେଇ ଟାଇଲିଗୁଡ଼ାକୁ ଦେଖୁ ଦେଖୁ ବାରବର୍ଷିଆଏ କେମିତି ଗୋଟାଏ ସ୍ଵରରେ ସତେକି ଖୁସିହେଲା ପରି କହିଲେ–

 

“ଜାଣ ମାଷ୍ଟ୍ରେ ! ୟା’ଭିତରେ ଯେଉଁ କମିଶନ ଗାଁକୁ ଆସିଥିଲେ–କାରଖାନା ସମ୍ପର୍କରେ କି ତଦନ୍ତ ରିପୋର୍ଟ ଦେଇଛନ୍ତି ଜାଣ ? ଗ୍ରାମପଞ୍ଚାୟତ ଶିଳ୍ପ ଯୋଜନାକୁ ଫେଲ୍ୟୋର ବୋଲି ମନ୍ତବ୍ୟ ଦେଇଛନ୍ତି । ବେଶି–ଟାଇଲି କାରଖାନା, ଘର ତିଆରି କାଗଜ କାରଖାନା ପ୍ରଭୃତି ବ୍ୟବସ୍ଥାକୁ ଅଲାଭଜନକ ବୋଲି କହିଛନ୍ତି ସେ । ପ୍ରକାରାନ୍ତରେ ଛାତ୍ର ଆନ୍ଦୋଳନକୁ ପ୍ରଶଂସାକରି, ଗ୍ରାମପଞ୍ଚାୟତ ମ୍ୟାନେଜମେଣ୍ଟକୁ ନିନ୍ଦାକରି ସରକାରଙ୍କୁ ରିପୋର୍ଟ ଦେଇସାରିଲେଣି । ଏପରି କାରଖାନାଗୁଡ଼ିକୁ ବ୍ୟକ୍ତିବିଶେଷଙ୍କୁ ହସ୍ତାନ୍ତର କରିଦେବା ପାଇଁ ଏ ସୁପାରିସ କରିଛନ୍ତି ବୋଲି ଶୁଣାଯାଉଛି । ଆମର ଏ କରଖାନାଟିକୁ ସହରର ଜଣେ ବିସ୍କୁଟ୍ ବ୍ୟବସାୟୀ କିଣିନେଲେଣି–ଜାଣ-?”

 

ଭବାନୀପ୍ରସାଦ ବିଶ୍ୱାସ କରିପାରିଲେ ନାହିଁ କାନକୁ । ବିଶେଷତଃ ଗ୍ରାମପଞ୍ଚାୟତର ନେତା ବାରବର୍ଷିଆଏ ଯେଉଁ ପ୍ରଫୁଲ୍ଲତା ସହ ନିଜ କାର୍ଯ୍ୟର ନିଜେ ନିନ୍ଦା କରୁଥିଲେ ଓ ଛାତ୍ର ଆନ୍ଦୋଳନର ପ୍ରଶଂସା କରୁଥିଲେ ଏ ଦୁଇ ପରସ୍ପର ବିରୋଧୀଭାବ ଭବାନୀପ୍ରସାଦ ହଠାତ୍ ଗ୍ରହଣ କରିପାରିଲେ ନାହିଁ ।

 

ବାରବର୍ଷିଆଏ କଥା କହୁ କହୁ ଊର୍ଣ୍ଣନାଭ ଆଶ୍ରମର ସୁଫଳା ବିନ୍ଦୁଗୁଡ଼ିକ ଉପରେ ଆଉଥରେ ଆଖି ବୁଲେଇନେଲେ ଓ ଶେଷରେ ଘର ପିଣ୍ଡାରେ ଖବରକାଗଜ ଖଣ୍ଡେ ଖୋଲିଦେଇ ତା’ଉପରେ ହାମୁଡ଼େଇ ପଡ଼ିଥିବା ଅନିରୁଦ୍ଧକୁ ଦେଖି ଏଥର ବାସ୍ତବିକ ଖୁସିହେଲାପରି କହିଲେ–

 

“କିହୋ ଛାତ୍ରନେତା ! ପରୀକ୍ଷାରେ ପାସ୍ ତ କଲ । ପୁଣି ଭଲଭାବେ ପାସ୍ କଲେ । ଏବେ ଆଗକୁ କ’ଣ ଠିକ୍ କରିଚ ?”

 

ଅନିରୁଦ୍ଧ କିଛି ଉତ୍ତର ଦେଲାନାହିଁ । କିନ୍ତୁ ଭବାନୀପ୍ରସାଦ ପିଲାଟା ପକ୍ଷରୁ ବାରବର୍ଷିଆଙ୍କ ପ୍ରଶ୍ନର ଉତ୍ତର ଦେଲେ, ହସିଦେଲେ ଆଉ କହିଲେ–

 

“ତା’ର ଏକା ଝୁଙ୍କ୍ ଇଂଜିନୟରିଂକୁ ଯିବ । ଗାଁ ପାଖେ ବନ୍ଦର ହେବା ଦିନଠୁଁ ସେଇ ଗୋଟାଏ ନିଶା କଅଣ ଲାଗିଚି । ଆରବର୍ଷ ପଢ଼ାକୁ ଡରି କହୁଥିଲା–ବନ୍ଦର ଅଞ୍ଚଳରେ ମାଟିକାମ ଠିକା ଧରିବ । ଏବର୍ଷ ପରୀକ୍ଷାରେ ଭଲ ହେବାରୁ ପୁଣି କହିଲାଣି–ସେଇ ବନ୍ଦରରେ ଇଂଜିନିୟର ପେଇଁ ବାହାରୁ କାହିଁକି ଲୋକେ ଆସିବେ, ଆମେ କାହିଁକି ସେଇ ପଇସା ଘରକୁ ନ ଆଣିବୁ ?”

 

“ତୁମେ ତେବେ କଅଣ କହୁଚ ?” ବାରର୍ଷିଆଏ ଅନିରୁଦ୍ଧର ପଟ ନେଲାଭଳି ସ୍ଵରରେ ପଚାରିଲେ–ଭବାନୀପ୍ରସାଦଙ୍କୁ ।

 

“ମୁଁ ତାକୁ କହୁଚି–ଯା କୃଷି କଲେଜକୁ । ଆଜି ଦେଶରେ ଖାଦ୍ୟର ଯେଉଁ ଅବସ୍ଥା–ଅସଲ ହେଲା ଖାଇବା । ଶିଳ୍ପ ପଛ ଜିନିଷ । ତାଛଡ଼ା ଏଇ କୁକୁଡ଼ାଗୁଡ଼ାଙ୍କୁ ଅନାନ୍ତୁ ଟିକିଏ ! ଏମାନଙ୍କ କୃପାରୁ ତ ଏତେ କଥା । ୟାଙ୍କୁ ନ ଅନେଇ ଏ ଟୋକା ଯଦି ଯିବ ଇଟା, ଚୂନ, ଲୁହା କରିବାକୁ ତେବେ ଏଗୁଡ଼ାଙ୍କ ଜଞ୍ଜାଳରେ ମୋର କିଏ ଏ ବୟସରେ ଲଟପଟ ହେବ ? କାହିଁକି ବା ଲଟପଟ ହେବ ?

 

ବାରବର୍ଷିଆଏ ହସିଲେ । ଭବାନୀପ୍ରସାଦଙ୍କୁ ଏମିତି ଆଖିରେ ଚାହିଁଲେ ଯେମିତି ତାଙ୍କ ସରଳତାକୁ ଦେଖି ମନେମନେ ବିରକ୍ତ ହେଉଥିଲେ ସେ । ଚୁମ୍ବକରେ କହିଲେ–

 

“ପୁଅ ଠିକ୍, ବାପ ଭୁଲ୍ !”

 

ଅନ୍ୟ ଦିନ ହୋଇଥିଲେ ଚମକିପଡ଼ିଥାନ୍ତେ ବା ମନେମନେ ବିରକ୍ତ ହୋଇଥାନ୍ତେ ଭବାନୀପ୍ରସାଦ । କିନ୍ତୁ ଗତ ଗୋଟିଏ ବର୍ଷ ଊର୍ଣ୍ଣନାଭା ଆଶ୍ରମର ବିଭିନ୍ନ ସ୍ଵାବଲମ୍ବନ–କ୍ଷେତ୍ରରେ ଘାଣ୍ଟିଚକଟି ହୋଇ ଯେମିତି ଉତ୍ତୁରି ସାରିଥିଲେ ସେ ତାପରେ କିଏ ଭୁଲ୍ କିଏ ଠିକ୍ ଏ ପ୍ରଶ୍ନର ଉତ୍ତର ତାଙ୍କ ଦିହକୁ ଛୁଇଁଲା ନାହିଁ ।

 

କିନ୍ତୁ ବାରବର୍ଷିଆଏ ତା’ପରେ ବୁଝାଇଦେଲେ ଭବାନୀପ୍ରସାଦଙ୍କୁ ସେତେବେଳକାର ସରକାରୀ ମହଲର ଅସଲ ଚିନ୍ତାଟିକୁ । କହିଲେ–

 

“ଦ୍ଵିତୀୟ ଯାଇ ତୃତୀୟ ପଶିଲା ମାଷ୍ଟ୍ରେ ! ଦେଶର ଯୋଜନା ଆଉ ବ୍ୟକ୍ତିର ଯୋଜନା ଆଉ କେବେ ସମାନ ହେବ କେଜାଣି ଏ ଦେଶର ଭୂଇଁରେ ! ତୁମପରି ଶିକ୍ଷିତ ଲୋକମାନେ କେତେକାଳ ଏହିପରି ଅବୁଝା କଥା ପ୍ରଚାର କରୁଥିବେ ? କୃଷି ଯୋଜନା ଯାଇ ଶିଳ୍ପ ଯୋଜନାରେ ଜାତିର ପାଦ ପଡ଼ିଚି । ଏ ପାଦ ପୁଣି ଛନ୍ଦୁରେଇ ହେଇପଡ଼ିବ ତୁମେ ଯଦି ଓଲଟା ଚିନ୍ତା କରିବାକୁ ପିଲାମାନଙ୍କୁ ଶିଖେଇବ ମାଷ୍ଟ୍ରେ ! ଏ ଯୁଗ ଇଂଜିନିୟରମାନଙ୍କର ଏ ବାଟ ଛାଡ଼ି ପୁଅକୁ ଯଦି କୃଷିରେ ଭର୍ତ୍ତିକରିବ ତେବେ......”

 

“ତେବେ କଅଣ କହୁଛନ୍ତି ? କୃଷକମାନେ କୃଷିକ୍ଷେତ୍ର ଛାଡ଼ି କାରଖାନାରେ ଶ୍ରମିକ ହେବେ ? ଶ୍ରମିକମାନେ କାରଖାନା ଛାଡ଼ି ଯୁଦ୍ଧକରିବାକୁ ଯିବେ । ଛାତ୍ରମାନେ ବିଶ୍ୱବିଦ୍ୟାଳୟ ଛାଡ଼ି ରାଜନୀତି କରିବାକୁ ବାହାରିବେ–ଏଇଆ ଚାଲିବ ଏ ଦେଶରେ ?” ଇତିମଧ୍ୟରେ କୋଉ ଖଞ୍ଜରେ ଲାଙ୍ଗୁଳା ନରହରି ପରିଡ଼ାଏ ଊର୍ଣ୍ଣନାଭ ଆଶ୍ରମକୁ ପଶିଆସିଥିଲେ ଓ ବାରବର୍ଷିଆଏ ଓ ଭବାନୀପ୍ରସାଦଙ୍କ ଭିତରେ ଚାଲିଥିବା କଥୋପକଥନକୁ କାନେଇଥିଲେ ଏହା ଗୋଚର ନଥିଲା ଭବାନୀପ୍ରସାଦଙ୍କୁ ।

 

ନାଙ୍ଗୁଡ଼ାଙ୍କର ଏମିତି ଚିଡ଼ିଚିଡ଼ା ପଣିଆ ଓ ମୁହାଁମୁହିଁ, ସିଧାସଳଖ, ଠୋଫୋଟକା କଥାବାର୍ତ୍ତା ଏବକୁ ଏବକୁ ବେଶି ବେଶି ବଢ଼ୁଥାଏ । ଦୁଇ ନେତାଙ୍କର ଏପରି ମୁହାଁମୁହିଁ ହୋଇ ଠିଆହେବା ଭାବକୁ ମୁହୂର୍ତ୍ତେ ଦେଖୁଁ ଦେଖୁଁ ଭବାନୀପ୍ରସାଦ ଆଶଙ୍କିତ ହୋଇପଡ଼ିଲେ ।

 

କିନ୍ତୁ ବାରବର୍ଷିଆଏ ଜଣେ ଗାଉଁଲି ନେତା ହେଲେ ମଧ୍ୟ ଉଚ୍ଚଶ୍ରେଣୀର ନେତୃତ୍ୱର ଯେଉଁସବୁ ଗୁଣଯୋଗୁ ଏ ପୃଥିବୀରେ ଏତେ ବିବାଦମାନ ସତ୍ତ୍ୱେ ସେହି ମତମାନେ କୌଣସି କାରଣରୁ ସିଧାସଳଖ ପରସ୍ପର ଦେହରେ ଧକ୍କା ନ ଖାଇ ପରସ୍ପର ସହିତ ତଥାପି କୌଣସି ଅଦୃଶ୍ୟ ବନ୍ଧନରେ ବାନ୍ଧିହେଲା ଭଳି ସହବସ୍ଥାନ କରିପାରନ୍ତି, ସେହି ଗୁଣ ତାଙ୍କଠାରେ ଦେଖିବାକୁ ମିଳେ । ଠିକଣାବେଳରେ ସେ ସମ୍ପୂର୍ଣ୍ଣ ନିରବ ହୋଇଯାନ୍ତି । ଭବାନୀପ୍ରସାଦ, ବାରବର୍ଷିଆଙ୍କ ଏହି ନିରବ ସ୍ଵଭାବକୁ ଭଲପାଆନ୍ତି । ତା’ଛଡ଼ା ପ୍ରଧାନମନ୍ତ୍ରୀଙ୍କ ଆଗମନ ପୂର୍ବରୁ ଗାଁର ରାଜନୈତିକ ବାତାବରଣକୁ ଶାନ୍ତ, ଶୀତଳ ରଖିବାରେ ବାରବର୍ଷିଆଙ୍କ ଯେଉଁ ଗୁରୁ ଦାୟିତ୍ୱ ଥିଲା, ସେହି ଦୃଷ୍ଟିରୁ ଏହି ସମସ୍ୟାର ଏପରି ନିରବ ସମାଧାନ ଭବାନୀପ୍ରସାଦଙ୍କୁ ଆହୁରି ଭଲ ଲାଗିଲା ।

 

ବାରବର୍ଷିଆଏ ଆଉଟିକିଏ ବେଳ ଆଶ୍ରମର ଏଣେତେଣେ ବୁଲି, ବିଶେଷତଃ ତୋରଣ ସଜ୍ଜା ସମ୍ପର୍କରେ ଆଉ ପଦେ ଦି ପଦ ଉପଦେଶ ଭବାନୀପ୍ରସାଦଙ୍କୁ ଦେଇ ଅନ୍ୟକାମରେ ଚାଲିଗଲେ । ନାଙ୍ଗୁଡ଼ା ନରହରି ପରିଡ଼ାଏ ମଧ୍ୟ କାଇଲି ହେଲାପରି ଟିକିଏ ବେଳ ଏଣେତେଣେ ବୁଲିଲେ, ତାପରେ ହସିଦେଇ ଆଶ୍ରମ ଫାଟକ ବାଟେ ବାହାରିଗଲେ । କିନ୍ତୁ ମିନିଟିକ ପରେ ପୁଣିଥରେ ଆଶ୍ରମ ଫାଟକ ଠେଲି ଭିତରକୁ ପଶିଆସିଲେ, କଅଣ ଭାବିଲେ, ଭବାନୀପ୍ରସାଦଙ୍କୁ ଡାକି ହସିହସିକା କହିଲେ–

Unknown

 

“ଗତ ରାତିରେ ମୁଁ ଗୋଟାଏ ସ୍ଵପ୍ନ ଦେଖିଛି । କହିଲ ୟାର ଅର୍ଥ କଅଣ ହୋଇପାରେ-?”

 

ନାଙ୍ଗୁଡ଼ାଙ୍କ ଏହି ସ୍ୱପ୍ନରେ ମଧ୍ୟ, ସେହିଦିନଠାରୁ ସାତଦିନ ପରେ ଯେଉଁ ଦାରୁଣ ଦୁର୍ଘଟଣାଟି ନାଙ୍ଗୁଡ଼ା ନରହରି ପରିଡ଼ାଙ୍କୁ ବହୁଦିନ ପର୍ଯ୍ୟନ୍ତ ମୂକ ଓ ନିରବ କରିଦେବା ପାଇଁ ଅପେକ୍ଷା କରିଥିଲା, ତା’ର ଲେଶମାତ୍ର ସୂଚନା ନ ଥାଏ ।

 

ତାଙ୍କ ସ୍ଵପ୍ନର ଅର୍ଥ ଥାଏ ସରଳ । ସ୍ଵପ୍ନରେ ସେ ଦେଖୁଥାନ୍ତି ସେ ଗୋଟିଏ ନଈବଢ଼ିରେ ପଲେ ଗୋରୁ ଏକାବେଳେକେ ଭାସି ଭାସିକା ଯାଉ ଯାଉ ଗୋଟିଏ ଚଡ଼ାରେ ଲାଗିଯାଉଥାନ୍ତି । କିନ୍ତୁ ପାଣିରୁ ଉଠି ମାଟିଉପରେ ଚାରିଗୋଡ଼ ଲାଖେ କି ନ ଲାଖେ ଏକ ତୁମୂଳ ଗୋଯୁଦ୍ଧ ଆରମ୍ଭ ହୋଇଗଲା । ଓଦା ସରସର କାନ ଫଡ଼ଫଡ଼ କରି ଗୋରୁମାନେ ଲାଞ୍ଜଟେକି ପରସ୍ପରକୁ ଭୁସିବା ଆରମ୍ଭ କରିଦେଲେ । ମାତ୍ର ଏହି ଗୋଯୁଦ୍ଧ ଭିତରେ ଆଉ ଦୁଇଟି ଗୋରୁ, ଶିଙ୍ଗ ପକାପକି ହୋଇ ଲଢ଼ୁଥିଲେ ସୁଦ୍ଧା ମଝିରେ ମଝିରେ ଅଟକିଯାଇ କଅଣ ସବୁ କଥାବାର୍ତ୍ତା ହେଉଥିବା ଶୁଣିପାରି ନାଙ୍ଗୁଡ଼ାଏ ଏହି ସ୍ଵପ୍ନର ବିବାଦମାନ ଗୋରୁ ଦୁଇଟିଙ୍କ ନିକଟବର୍ତ୍ତୀ ହେଲେ । କିନ୍ତୁ ଅତି ନିକଟ ହୋଇଯିବା ମାତ୍ରେ ଗୋରୁ ଦୁଇଟି ଉଭେଇଗଲେ । ସ୍ଵପ୍ନ ଭାଙ୍ଗିଗଲା ।

 

ନାଙ୍ଗୁଡ଼ାଙ୍କ ସ୍ଵପ୍ନର ବର୍ଣ୍ଣନା ତାଙ୍କ ତୁଣ୍ଡରୁ ନ ସରୁଣୁ ଭବାନୀପ୍ରସାଦ ହସିଦେଲେ । କହିଲେ–“ଆପଣ ସିନା ଖଦି ବର୍ଜନ କରିବେ ବୋଲି ସେଦିନ ବିଚାରୁଥିଲେ ଲାଙ୍ଗୁଳା ମହାଶୟ; କିନ୍ତୁ ସେ ଦୁଇ ‘ମୁଣ୍ଡ’କୁ ଆପଣ ଭୁଲିପାରିବେ ନାହିଁ, ଛାଡ଼ିପାରିବେ ନାହିଁ ।”

 

ନାଙ୍ଗୁଡ଼ାଏ ହସିଲେ ଓ ଏକସାଙ୍ଗେ ଆଖି ପୋଛୁ ପୋଛୁ କହିଲେ–“ଛାଡ଼ିବି କିପରି ? ସେଦିନୁ ଆଜିଯାକେ ଏପରି କୌଣସି ରାତି ଯାଇନାହିଁ, ଯୋଉ ରାତିରେ ମୁଁ ସେ ଦୁହିଁଙ୍କ ଭିତରୁ ଅନ୍ତତଃ ଜଣକୁ ସ୍ୱପ୍ନରେ ନ ଦେଖିଛି...... ।”

 

କଥା ନ ସରୁଣୁ ନିଜ ମୁହଁ ଲୁଚେଇ ନାଙ୍ଗୁଡ଼ାଏ ପଳେଇଲେ । ଭବାନୀପ୍ରସାଦ କିଛି ବେଳେ ତାଙ୍କ ଯିବା ବାଟକୁ ଅନେଇ ଠିଆହେଲେ । ତାପରେ ଲାଗିପଡ଼ିଲେ–ତୋରଣ ସଜ୍ଜା କାମରେ ।

 

ସେଦିନ, ଓପରଓଳି ସାଢ଼େ ତିନିରୁ ଚାରି ଭିତରେ ପ୍ରଧାନମନ୍ତ୍ରୀଙ୍କ ମଟର ପଟୁଆର ତୋରଣ ତଳେ ଗତି କରିବା କଥା । ବନ୍ଦର ଅଞ୍ଚଳରେ ଶିଳାନ୍ୟାସ ଉତ୍ସବ ଓ ବକ୍ତୃତା ସନ୍ଧ୍ୟା ସାଢ଼େ ଛ’ରେ । ସାଢ଼େ ଆଠରେ ରାତ୍ରି ଭୋଜନ । ବନ୍ଦର ଉପକୂଳରେ ପୂର୍ବରୁ ତିଆରି ସରିଥିବା ବଙ୍ଗଳାରେ ରାତ୍ରି ରହଣି । ପରଦିନ ସକାଳକୁ ବ୍ରେକ୍‍ଫାଷ୍ଟ ପରେ ଲେଉଟାଣି ହଉହଉ ସକାଳ ନଅ କି ଦଶ । ପୋଗ୍ରାମ୍ କାଗଜ ଆଗରୁ ବନ୍ଦରରାସ୍ତା କଡ଼ର ଗାଁମାନଙ୍କରେ ବଣ୍ଟା ସରିଥାଏ । ତା’ ସାଙ୍ଗକୁ ପ୍ରଚାର ବିଭାଗର ଡାକବାଜିଯନ୍ତ୍ର ଲଗା ଗାଡ଼ିରେ ଦୂରଦୂରାନ୍ତ ଗାଁରୁ ଲୋକମାନଙ୍କୁ ବନ୍ଦର ଇଲାକାର ସଭାସ୍ଥଳକୁ ବୁହା ଆରମ୍ଭ ହୋଇଯାଇଥାଏ । ଠିକଣା ସମୟରେ ଘଣ୍ଟାଘଣ୍ଟ, ଶଙ୍ଖ ମହୁରି ଓ ଧୂପଦୀପ ଆଉ ହୁଳହୁଳି ଆୟୋଜନ ନିମିତ୍ତ ଗାଁ ଗାଁ ବୁଲି ପଞ୍ଚାୟତ ଇଲାକାର ଗ୍ରାମସେବକ ଓ ସେବିକାଦଳ ଗାଁର ବାଜାବାଲା ଓ ସ୍ତ୍ରୀଲୋକମାନଙ୍କୁ ସଙ୍ଗଠନ କରିବାରେ ଲାଗିପଡ଼ିଥାନ୍ତି । ଲାଗଲାଗ ଦୁଇଦିନ ଏଇ କାମ । ଦିନେ ସ୍ୱାଗତ । ଦିନେ ବିଦାୟ ।

 

କିନ୍ତୁ ଭବାନୀପ୍ରସାଦ ଯେଉଁ ତୋରଣ ଦୁଇଟିକୁ ସଜାଇଥିଲେ ତାହା ସାମାନ୍ୟ ଦୁଇଦିନିଆ ତୋରଣ ନଥିଲା । ବାସ୍ତବିକ ସେ ଦୁଇଟି ଗୋଟିଏ ପ୍ରଦର୍ଶନୀ ଉଦ୍ଦେଶ୍ୟରେ ନିର୍ମିତ ନ ହୋଇଥିଲେ ମଧ୍ୟ ଗୋଟିଏ ପ୍ରଦର୍ଶନୀ ହିଁ ସୃଷ୍ଟି କରିଥିଲା । ପ୍ରଧାନମନ୍ତ୍ରୀଙ୍କ ପଟୁଆର ପହଞ୍ଚିବା ପୂର୍ବରୁ ଲୋକାରଣ୍ୟ ହୋଇଯାଇଥିଲା ତୋରଣ ନିକଟରେ । ଏହାହିଁ, ପ୍ରକାରାନ୍ତରେ ଭବାନୀପ୍ରସାଦଙ୍କ ଊର୍ଣ୍ଣନାଭ ଆଶ୍ରମର ଗୋଟିଏ ସିଦ୍ଧିବର୍ଷର ଜୟନ୍ତୀ ବୋଲି ଦେଖଣାହାରିଏ ଦେଖୁ ଦେଖୁ ବୁଝିଗଲେ ।

 

ମୋଟଉପରେ, ସରଳକଥାରେ, ପ୍ରଧାନମନ୍ତ୍ରୀଙ୍କ ସମ୍ୱର୍ଦ୍ଧନା ଉଦ୍ଦେଶ୍ୟରେ ନିର୍ମିତ ଦୁଇଟି ତୋରଣକୁ ଭିତ୍ତିକରି ଭବାନୀପ୍ରସାଦ ଗୋଟିଏ ନମୁନା–ରାମରାଜ୍ୟର ପ୍ରଦର୍ଶନୀ ହିଁ ସୃଷ୍ଟି କରିଥିଲେ-

 

ପାଶ୍ଚାତ୍ୟ ଅର୍ଥନୀତି ଶାସ୍ତ୍ରରେ ରାମରାଜ୍ୟ ବୋଲି ଗୋଟିଏ ଭାରତୀୟ ଶବ୍ଦର ପ୍ରତିଶବ୍ଦ ଯାହାକିଛି ହୋଇଥାଉପଛକେ, ଭବାନୀପ୍ରସାଦଙ୍କ ମତରେ ରାମରାଜ୍ୟ କହିଲେ ଦୁଇଟି ଜିନିଷ ବୁଝାଏ । ଏଥିମଧ୍ୟରୁ ପ୍ରଥମଟି ହେଲା ଶୁଦ୍ଧତା ଓ ଦ୍ଵିତୀୟଟି ହେଲା ପ୍ରାଚୁର୍ଯ୍ୟ । ପୁଣି ଶୁଦ୍ଧତା କହିଲେ କୌଣସି ଈଶ୍ୱରସୃଷ୍ଟ ବା ମନୁଷ୍ୟସୃଷ୍ଟ ବସ୍ତୁର ରାସାୟନିକ ଶୁଦ୍ଧତା ଅର୍ଥରେ ନ ବୁଝି ଭବାନୀପ୍ରସାଦ ଏହାକୁ ବସ୍ତୁର ଉତ୍ପାଦନକ୍ରିୟା ପଛରେ ଫୁଲର ଡେମ୍ଫପରି ଲାଗିଥିବା ଗୋଟିଏ ଶକ୍ତ, ସଳଖ, ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ବା ଇଚ୍ଛା ବୋଲି ଯେମିତି ଦେଖିପାରନ୍ତି ସେହିପରି ପ୍ରାଚୁର୍ଯ୍ୟ କହିଲେ “ଓଭରପ୍ରୋଡ଼କ୍ସନ୍” ଅର୍ଥରେ ନ ବୁଝି ସେ ତାହାକୁ ବସ୍ତୁର ପୂର୍ଣ୍ଣ ବିକାଶ ବା ପୂର୍ଣ୍ଣ ପ୍ରସ୍ଫୁଟନ ବୋଲି ମନେକରନ୍ତି ।

 

ତେଣୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ତୋରଣକୁ ଗୋଟିଏ ନମୁନା ରାମରାଜ୍ୟର ତୋରଣରୂପେ ମଣ୍ଡନ କରିବାକୁ ଯାଇ ଭବାନୀପ୍ରସାଦ ସେଦିନର ଗ୍ରାମାଞ୍ଚଳରେ ଯେଉ ପ୍ରଦର୍ଶନୀଟି ସୃଷ୍ଟି କରିଥିଲେ ତାହା ମୁଖ୍ୟତଃ କୃଷିଜାତ ଦ୍ରବ୍ୟର ଗୋଟିଏ ସାଧାରଣ ଗୋ-ଫଳ-ପୁଷ୍ପ ପ୍ରଦର୍ଶନୀ ପରି ଆକୃଷ୍ଟ କରୁନଥିଲା । ପୁଣି ପ୍ରଦର୍ଶନୀରେ ଗୋଟିଏ ହେଲେ ରଙ୍ଗିନ୍, ଦୃଷ୍ଟି ଆକର୍ଷଣକାରୀ ଫଳ ବା ଫଳମାନଙ୍କର ମନୋଜ୍ଞଚିତ୍ର ସମ୍ୱଳିତ ପୋଷ୍ଟର ବ୍ୟବହାର ନ କରି ସୁଦ୍ଧା ଏତେ ସଂଖ୍ୟାରେ ସେମାନେ ତୋରଣଟିକୁ ଘେରିଗଲେ ଯେ ବାସ୍ତବିକ୍ ଗୋଟିଏ ସମୟରେ ତୋରଣଟିକୁ ଲୋକ ଜୁର କରିଦେଇପାରନ୍ତି ବୋଲି ଭବାନୀପ୍ରସାଦ ଆଶଙ୍କିତ ହୋଇପଡ଼ିଥିଲେ । ତାଙ୍କ ଆଶଙ୍କାକୁ ଲକ୍ଷ୍ୟକରି ଗ୍ରାମପଞ୍ଚାୟତ ନେତା ବାରବର୍ଷଯାଏଁ ଭବାନୀପ୍ରସାଦଙ୍କୁ ସାହାଯ୍ୟ କରିବାପାଇଁ ଆଗଭର ହୋଇ କହିଥିଲେ–

 

“କଅଣ ମାଷ୍ଟ୍ରେ ! ପୁଲିସ୍ ଡାକିବା ?”

 

କିନ୍ତୁ ଭବାନୀପ୍ରସାଦ ହସିଦେଇଥିଲେ ଓ କହିଥିଲେ–“ଘିଅ ଆଉ ଝିଅ ସମାନ । ବିଶୁଦ୍ଧ ଘିଅ ଟୋପିଏ ଯାହା ସତୀ ସ୍ତ୍ରୀଟିଏ ସେଇଆ । ବିଶୁଦ୍ଧତା ଆଉ ସତୀତ୍ୱ–ଏ ଦୁହିଁଙ୍କର ସୁବାସ ଏକାପରି ଦେବତା, ମଣିଷ, ଅସୁରଙ୍କୁ ବିମୋହିତ କରେ । ସେ ଯୁଗରେ ସୀତାଙ୍କୁ ରାବଣ ଅନ୍ତତଃ ଟିକିଏ ଛୁଇଁଦେବା ପାଇଁ ଇଚ୍ଛାକରି କି ପାପ କରିଥିଲା ନ କରିଥିଲା–ସେ କଥାକୁ ମୁଁ ଗୁରୁତ୍ୱ ଦେଉନାହିଁ । ମୋର ଦେଖିବାର କଥା ସତୀତ୍ୱର ସ୍ପର୍ଶ ଟିକିଏ ପାଇଁ ଯୁଗେ ଯୁଗେ କି ବ୍ୟାକୁଳତା–ଏପରିକି ଅସୁର ଆତ୍ମାରେ ! ଆଜିର ଏ ଲୋକେ ସେହିପରି ବିଶୁଦ୍ଧତାକୁ ଟିକିଏ ଛୁଇଁଦେଇ ମୋକ୍ଷ ପାଇଯିବାପାଇଁ କି ହାଇଁପାଇଁ ନ ହଉଛନ୍ତି ! ଏଠି ପୋଲିସ୍ ଜଗେଇଲେ କେତେ ନ ଜଗେଇଲେ କେତେ ?

 

“ତେଣୁ ପ୍ରଧାନମନ୍ତ୍ରୀଙ୍କ ତୋରଣ ସୁରକ୍ଷା ପାଇଁ ଭବାନୀପ୍ରସାଦ ଆଉ ଗୋଟିଏ ବ୍ୟବସ୍ଥା କଲେ । ଊର୍ଣ୍ଣନାଭ ଆଶ୍ରମର ଉତ୍ପାଦିତ ବିଶୁଦ୍ଧ ଘିଅ, ମହୁ ଓ ସୋରିଷ ତେଲ ପ୍ରଭୃତି ଜିନିଷକୁ ସ୍ୱତନ୍ତ୍ରଭାବେ ଆଉଗୋଟିଏ ସ୍ଥାନରେ ରଖି ନିଜେ ବସିପଡ଼ିଲେ ଓ ସେଗୁଡ଼ିକୁ ମାଗଣା ଔଷଧ କରି ବିତରଣ କରିବାକୁ ଲାଗିଲେ ।

 

ଭବାନୀପ୍ରସାଦ ମୂଳ ଅର୍ଥନୈତିକ ଭୁଲ୍‍ଟି ଏଇଠି ଘଟିଗଲା । କାରଣ ଯେଉଁସବୁ ସାଧାରଣ ବସ୍ତୁକୁ ଲୋକେ ଘରେ ସେହି ଖାଣ୍ଡି ଓ ବିଶୁଦ୍ଧ ଅବସ୍ଥାରେ ସହଜରେ ଉତ୍ପାଦନ କରିପାରିଥାନ୍ତେ, ତାହାଙ୍କୁ ଜାତୀୟ ବନ୍ଦର ରାସ୍ତା କଡ଼ରେ କୌଣସି ହୁକୁମ ଔଷଧ ବାଣ୍ଟୁଥିବା ବାବାଜୀପରି ଯେତେବେଳେ ବିତରଣ କରିବାକୁ ସେ ବସିପଡ଼ିଲେ, ସଙ୍ଗେ ସଙ୍ଗେ ଏହାର ଏକ ବିଷମ ପ୍ରତିକ୍ରିୟା ସେ ନିଜେ ଅନୁଭବ କରିପାରିଲେ । କେହିକେହି ଖଳପ୍ରକୃତିର ଲୋକଙ୍କୁ ମଧ୍ୟ ସୁବିଧା ମିଳିଗଲା । ସେମାନେ ସମ୍ବାଦ ରଟାଇଦେଲେ ଯେ ଅମ୍ଭକ ଜାଗାରେ ମାଗଣାରେ ଆମେରିକାରୁ ଆସିଥିବା ଘିଅ, ମହୁ, ଗୁଣ୍ଡଦୁଧ, ସରକାରୀ ଭାବେ ବଣ୍ଟା ଆରମ୍ଭ ହୋଇଗଲାଣି । ଆଉ କେଉଁଠି ବା ସତ୍ୟ ଘଟଣାକୁ ରଙ୍ଗିନ୍ କରି ଲୋକେ ଚିତ୍ରଦେଲେ କୁହାକୋହି ହେଲେ–ଉର୍ଣ୍ଣନାଭ ଆଶ୍ରମ ମାଷ୍ଟ୍ରେ ଏପରି ପୁରୁଣା ବିଶୁଦ୍ଧ ଘିଅ ବାଣ୍ଟୁଛନ୍ତି ଯହିଁରେ ବହୁପୁରୁଣା କଫ ଆଉ ଆଣ୍ଠୁ ଗଣ୍ଠି ବାତ ଶୁଙ୍ଘିଲାମାତ୍ରେ ଭଲ ହୋଇଯାଉଛି । ତା’ର ଫଳ ହେଲା ପ୍ରଧାନମନ୍ତ୍ରୀଙ୍କ ତୋରଣ ମଣ୍ଡନରେ ଗୋଟିଏ ହେଲେ ରଙ୍ଗିନ ପୋଷ୍ଟର ବା ପ୍ରଚାରମୂଳକ ଲେଖା ଭବାନୀପ୍ରସାଦ ଯେତେ ସାବଧାନତାର ସହିତ ବର୍ଜନ କରିଥିଲେ ମଧ୍ୟ ତାଙ୍କ ଆଶ୍ରମର ସୁନାମ ହିଁ ଗୋଟିଏ ସାମୂହିକ ବିପଦର କାରଣ ହୋଇପଡ଼ିଲା । ମାଡ଼ିଆସିଲେ ଲୋକେ ।

 

ଭବାନୀପ୍ରସାଦ ଲୋକଙ୍କ ଘେରଭିତରେ ପଡ଼ିଯାଇଥିଲେ । ବିଶୁଦ୍ଧତାର ସମବଣ୍ଟନରେ ସେ ଏପରି ନିମଜ୍ଜିତ ହୋଇପଡ଼ିଥିଲେ ଯେ, ତେଣେ ବାହାରେ କଅଣସବୁ ଘଟୁଥିଲା ସେ ଜାଣିପାରୁନଥିଲେ । ମାଗଣା ଔଷଧ ବିତରଣ କରୁଥିଲା ପରି ବାସ୍ତବିକ୍ ସେ ଚାମଚେ ଚାମଚେ ଘିଅ ତାଙ୍କ ଆଗରେ ଠିଆହୋଇଥିବା ଧାଡ଼ିଏ ମଣିଷଙ୍କ ହାତରେ କାହାର ବା ପାଟିରେ ସିଧା ଢାଳି ଦେଉଥିଲେ । ଜାଣିବା ଶୁଣିବା ଲୋକେ, ବିଶେଷତଃ ପୁରୁଣାକାଳିଆ ଦରିଦ୍ର ବୁଢ଼ାମାନେ ଯେଉଁମାନେକି ବିଶୁଦ୍ଧତା କଅଣ ତାହାର ମୂଲ୍ୟ କେବେ ଜାଣିଥିଲେ, କିନ୍ତୁ ଏଥିମଧ୍ୟରେ ଭୁଲିଯାଇଥିଲେ ସେମାନେ ଭବାନୀପ୍ରସାଦଙ୍କ ଆଶ୍ରମ ଘିଅକୁ ଟିକିଏ ନେଡ଼ିରେ ଘସି ଦଉଥାନ୍ତି ଆଉ ପ୍ରସ୍ତେ ଭଲକରି ନାକମାଡ଼ି ନେଡ଼ିଉପରୁ ସୁବାସକୁ ଶୁଂଘିସାରି ପରିତୃପ୍ତ ନିଶ୍ୱାସଟିଏ ମାରି କହୁଥାନ୍ତି–

 

“ଆହା ! କେତେ ପିଲା ହେଇଥିଲି–ବୁଢ଼ିମା କୋଉ ବାବୁଘରୁ ଏମିତି ଟିକିଏ ବାସନା ଚିଜ୍ ଆଣିଥିଲା । ସେଇଦିନୁ ଅସଲ ଘିଅବାସ୍ନା ଆଉ ଏ ନାକ ବାରି ନ ଥିଲାରେ ବାପ ! ଠାକୁରେ ମଙ୍ଗଳ କରନ୍ତୁ ତୋର” ।

 

କିନ୍ତୁ ଭବାନୀପ୍ରସାଦଙ୍କୁ ସବୁଠୁ ବେଶି ଆନନ୍ଦ ଲାଗୁଥାଏ ଗାଁର କେତେଟି ଛୋଟ ଛୋଟ ବିଶେଷତଃ ହରିଜନ ଶ୍ରେଣୀର କେତୋଟି ପିଲାଙ୍କର ସେଇ ଆଶ୍ଚର୍ଯ୍ୟଭାବ । ପିଲାଟିଏ ତେଣୁ ଆଁ କରି ଆସୁଥାଏ । ଭବାନୀପ୍ରସାଦଙ୍କ ଆଗରେ ଠିଆହୋଇ ପଡ଼ୁଥାଏ । କୌତୁକ କରି ଭବାନୀପ୍ରସାଦ ପିଲାଟିକୁ ପଚାରନ୍ତି କଅଣ ଖାଇବୁ ? ଘିଅ ନା ମହୁ ? ଭବାନୀପ୍ରସାଦ ତା’ ପାଟିରେ ପ୍ରଥମେ ଟିକିଏ ମହୁ ଢାଳିଦିଅନ୍ତି ।

 

ପିଲାଟି କିଛି ସ୍ଥିର ନ କରିପାରିଲାଭଳି ପାଟି ଚାକୁଳେଇ ଚାକୁଳେଇ ଭବାନୀପ୍ରସାଦଙ୍କୁ ଚାହେଁ । ପଚାରନ୍ତି ଭବାନୀପ୍ରସାଦ–

 

“କେମିତି ଲାଗିଲା ?”

 

“ମିଠା”–ଉତ୍ତର ଦିଏ ସେ ।

 

“ମିଠା ନୁହେଁ, କହ ଅମୃତ” । ଭବାନୀପ୍ରସାଦ ଜୋର ଦିଅନ୍ତି ସେଇ ପଦଟାଉପରେ । ଏତିକିବେଳେ ପିଲାଟି ସନ୍ଦେହ ପ୍ରକାଶ କରେ ଓ ମୁହଁଖୋଲି ପଚାରିଦିଏ–

 

“ଏ ଘିଅ ଟି ? ନା ମହୁ ? ଅମୃତ କହୁଚ ଯେ !”

 

ମଣିଷ ପିଲାର ସେଇ ସଂଶୟ ବଚନରେ ଭବାନୀପ୍ରସାଦ ହାତଗୋଡ଼ ଥରିବାକୁ ଆରମ୍ଭ କରୁଥାଏ । ଏତିକିବେଳେ ତେଣେ ଆରମ୍ଭ ହୋଇଗଲା ଦଳା, ଚକଟା, ମୋଡ଼ା, ମକଚା, ଛେଚାଛେଚି ଆଉ ତାରି ପରେପରେ ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ।

 

ପ୍ରଧାନମନ୍ତ୍ରୀଙ୍କ ଆସିବା ସମୟ ତଥାପି କିଛିସମୟ ବାକି ଥାଏ । ପୁଲିସ ୱାୟାରଲେସ୍ ଭ୍ୟାନ ଇତିପୂର୍ବରୁ କେତେବାର ପଇଁତରା ମାରିସାରି ଯାଇଥାଏ । ଭବାନୀପ୍ରସାଦଙ୍କ ଗାଁ ନିକଟରେ, ବନ୍ଦରରାସ୍ତାରେ ମଣିଷଭିଡ଼ ଖବର ବହୁତ ବେଳୁ ଯଥାସ୍ଥାନରେ ପହଞ୍ଚି ସାରିଥାଏ । ସାଦାପୋଷାକଧାରି ପୋଲିସ୍ ପ୍ରଥମେ ପହଞ୍ଚି ଅବସ୍ଥା ଆୟତ୍ତ କରିବାକୁ ବିଫଳ ହେଲାପରେ ସଶସ୍ତ୍ର ପୋଲିସକୁ ଖବର ଦିଆସରିଥାଏ । ଏହି ପୋଲିସକୁ ନିୟନ୍ତ୍ରଣ କରିବା ପାଇଁ ଯେଉଁ ସିଭିଲ୍ ମାଜିଷ୍ଟ୍ରେଟ୍ ଜଣକ ଆସିଥାନ୍ତି, ଘଟଣାସ୍ଥଳରେ ସେହି ଜଣକ ବ୍ୟକ୍ତି ଯଦି ନଥାନ୍ତେ ତେବେ ହୁଏତ ଅବସ୍ଥାର ପରିଣତି ଏତେଦୂର ସାଂଘାତିକ ହୋଇନଥାନ୍ତା । କାରଣ ସେଇ ହଉଚନ୍ତି ଲାଙ୍ଗୁଳା ନରହରି ପରିଡ଼ାଙ୍କ ଜ୍ୱାଇଁ !

 

ଜନତାକୁ ଅବୈଧଭାବେ ରାସ୍ତା ଅବରୋଧ କରିବାରୁ କ୍ଷାନ୍ତ ହେବାପାଇଁ ମାଜିଷ୍ଟ୍ରେଟ୍ ଅନୁରୋଧ କରୁଥିଲାବେଳେ ଗୋଟିଏ ଅଳ୍ପବୟସର ପିଲା ଜନତାର ବ୍ୟୁହ ଭିତରୁ ବାହାରିଆସିଲା-। ତା’ର ଛୋଟିଆ ସାହେବୀ ସ୍କୁଲ ପୋଷାକର ଗୋଟାଏ କଲର୍କଡ଼ରୁ କଳାଫିତାଟିଏ ଫୁର୍‍ଫୁର୍ ହୋଇ ଉଡ଼ୁଥାଏ । ସହରର ସରକାରୀ କର୍ମଚାରୀ କିମ୍ବା ଅନ୍ୟାନ୍ୟ ଗୋଷ୍ଠୀର ଲୋକେ ଯେପରି ନିଜକୁ ଦୁସ୍‍ଛ ମନେକଲେ କଳାଫିତା ବାନ୍ଧନ୍ତି ଏହା ତାହାରି ଅନୁକରଣ ହୁଏତଃ ହୋଇପାରିଥାଏ; କିନ୍ତୁ ପିଲାଟି ଦୃଢ଼ଭାବରେ ବନ୍ଦର ରାସ୍ତାଉପରେ ବସିପଡ଼ିଲା ଓ କି ସତ୍ୟ ତାକୁ ସେତେବେଳେ ଗ୍ରାସ କରିଥିଲା କେଜାଣି, ତା’ ଆଖିରୁ ଟୋପାଏ ଲୁହ କି ପିଲାଳିଆ କ୍ରୋଧ ପ୍ରକାଶ ନପାଇ ସତେକି ଆଉ କଅଣ ଗୋଟାଏ ଅତି ପୁରୁଣା ବିଶୃଦ୍ଧ ଆଲୁଅ ତା’ ମୁହଁରୁ ଫାଟିପଡ଼ୁଥିଲା-। ସେଇ ଆଲୁଅକୁ ଦେଖୁ ଦେଖୁ ସାଧାରଣ ଜନତା କଅଣ ବୁଝିଗଲା ଓ ସଙ୍ଗେ ସଙ୍ଗେ ବାଜିରାଉତ, ଧର୍ମପଦ, ଅଭିମନ୍ୟୁ ପ୍ରଭୃତି ଅମୃତମୟ ଶବ୍ଦ ସବୁରି ତୁଣ୍ଡରୁ ଝରିପଡ଼ିଲା ।

 

ଛୋଟ ପିଲାଟି ଆଉ କେହି ନୁହେଁ, ସେଇ ଲାଙ୍ଗୁଳା ନରହରି ପରିଡ଼ାଙ୍କ ନାତିଟୋକା !

 

“ମୁଁ ପ୍ରଧାନମନ୍ତ୍ରୀଙ୍କୁ ରାସ୍ତା ଛାଡ଼ିବି ନାହିଁ । ବନ୍ଦର ପରିଦର୍ଶନ କରିବା ପୂର୍ବରୁ ମୋ ମା’ର କାନ୍ଦ ତାଙ୍କୁ ପରିଦର୍ଶନ କରିବାକୁ ହିଁ ହେବ ।”

 

ନାଙ୍ଗୁଡ଼ାଏ କେଉଁଠି ଥିଲେ, ଦଉଡ଼ି ଆସିଲେ ଓ ପିଲାଟିକୁ ରାସ୍ତାରୁ ଝିଙ୍କିନେଇ ବଡ଼ପାଟିରେ କହିଲେ–‘‘ତୁ ପୁଣି ଏଠି ପହଞ୍ଚିଗଲୁଣି ! ମୁଁ ତତେ ହଜାରେଥର ମନାକରିଚି–ତୋ ମା’କୁ ହଜାରଥର ମନାକରିଚି–ଏ ଜାଗା ଘରୋଇ କଥାବାର୍ତ୍ତାର ଜାଗା ନୁହେଁ । ପ୍ରଧାନମନ୍ତ୍ରୀ ତୁମ ଘରକଳି ଭାଙ୍ଗିବାକୁ ଆସିନାହାଁନ୍ତିରେ ! ସେ କଅଣ ରାଜାରାମ ହୋଇଚନ୍ତି କିରେ କୁକୁରର ଗୁହାରି ଶୁଣି ବ୍ରହ୍ମହତ୍ୟା କରିବେ ?”

 

ନାଙ୍ଗୁଡ଼ାଏ ପିଲାଟିକୁ ଉଠେଇନଉଥିଲେ । କିନ୍ତୁ ହଠାତ୍ ଦଳେ ଯୁବକ କେଉଁଠି ଅପେକ୍ଷା କରିଥିଲେ । ବାହାରିଆସିଲେ । ଅନିରୁଦ୍ଧ ବି ଥିଲା ତାଙ୍କ ଦଳରେ । ନାଙ୍ଗୁଡ଼ାଙ୍କ ନାତିକୁ ନାଙ୍ଗୁଡ଼ାଙ୍କ ହାତରୁ ଟାଣିଆଣି ରାସ୍ତା ଉପରେ ପୁଣି ବସେଇଦେଇ ଓ ଉତ୍ତ୍ୟକ୍ତ ସ୍ୱରରେ କହିଲେ–

 

“ଛାଡ଼ିଦିଅନ୍ତୁ ନାଙ୍ଗୁଡ଼ାଏ ତାକୁ । ତାକୁ ତା’ ମା’ ଶିଖେଇକରି ରାସ୍ତାରେ ବସେଇନାହାଁନ୍ତି-। ଆମେ ବସେଇଚୁ । ପ୍ରଧାନମନ୍ତ୍ରୀଙ୍କୁ ଛୋଟପିଲା ଭଲଲାଗନ୍ତି । ଛୋଟପିଲା ଛଡ଼ା ଆଉ କେହି ତାଙ୍କୁ ଅଟକେଇପାରିବେ ନାହିଁ । ଆମେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ିକୁ ଅନ୍ୟକିଛି ପାଇଁ ଅଟକେଇବାକୁ ଚାହୁଁନାହୁଁ । ତାଙ୍କ ନିଜ ନିରାପତ୍ତା ପାଇଁ ଆମେ ଏ ବ୍ୟବସ୍ଥା କରିଛୁ । ଯେଉ ଅଠରଫୁଟ ଲମ୍ବର ନୂଆ ପୋଲଟି ଏବେ ଅଠରଲକ୍ଷ ଟଙ୍କାରେ ତିଆରି ହୋଇଥିଲା–ସେଇଟା ଫାଟି ଆଁକରିଚି କି ନାହିଁ-? ପ୍ରଧାନମନ୍ତ୍ରୀଙ୍କ ନିରାପତ୍ତାପାଇଁ କେତେଖଣ୍ଡ ବାଉଁଶ ଠିଆ ଲଗାଯାଇ ପୋଲଟାକୁ ସମ୍ଭାଳି ନିଆଯାଇଛି । ଏ ପୋଲ ନିର୍ମାଣ କିଏ କରିଛି–କେତେରେ କେତେ ସିମେଣ୍ଟ, କେତେରେ କେତେ ଛଡ଼ ଲଗାଯାଇଛି, ଏଇକଥା ଆମେ ତାଙ୍କୁ ଦେଖାଇବାକୁ ଚାହୁଁ–ସେ ମା’ ଫା ରାମ ଫାମ କଥା ଏଠି ପଡ଼ିନାହିଁ । ସେମାନେ ଯଦି କାହାର ମା’ କାନ୍ଦକୁ ଘରୋଇ ସେଣ୍ଟିମେଣ୍ଟାଲ୍ କହୁଛନ୍ତି ତେବେ ଫଟାପୋଲର କାନ୍ଦ ତ ଶୁଣିବେ ? ନା, ତାକୁ ବି ଗୁଳିମାରି ଉଡ଼େଇଦେବେ ?

 

ଗୁଳି ହିଁ ଚାଲିଲା । ଉଡ଼ିଗଲା ସବୁ । –ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ଆଉ ବିଦାୟ ଉଭୟ ତୋରଣ ସହିତ ସବୁ ଉଡ଼ିଆସି ସାଫ୍ ସୁତର ହୋଇଗଲା ଘଣ୍ଟା ଦିଇଟା ଗୋଟାଏ ଭିତରେ ।

 

ଭବାନୀପ୍ରସାଦଙ୍କ ଗାଁପାଖେ ପ୍ରଧାନମନ୍ତ୍ରୀଙ୍କ ରହଣି କାର୍ଯ୍ୟକ୍ରମ ବାତିଲ୍ କରିଦିଆଗଲା-। ସେ ସିଧା ବନ୍ଦର ରାସ୍ତାରେ ଚାଲିଗଲେ । ଫଟା ପୋଲା ହେତୁ ତାଙ୍କର ବ୍ୟକ୍ତିଗତ ନିରାପତ୍ତା ଉପରେ କୌଣସି ଆଞ୍ଚ ଆସିନଥିଲା । ପରଦିନ ପ୍ରଧାନମନ୍ତ୍ରୀଙ୍କ ଉଡ଼ାଜାହାଜ ଏରୋଡ୍ରମ ଛାଡ଼ିବା ପୂର୍ବପଯ୍ୟନ୍ତ ସମ୍ୱାଦପତ୍ରମାନେ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ନିରବ ରହିଯାଇଥିଲେ ।

 

ତୃତୀୟଦିନ ନାଙ୍ଗୁଡ଼ାଏ ପୁଲିସ୍ ହାତରୁ ପୋଷ୍ଟମର୍ଟମ୍ ହୋଇସାରିଥିବା ପିଲାଟାର ଶବ ପାଇଥିଲେ । ପୋଲିସ୍ ଗୁଳିରେ ସେଇ ହିଁ ଏକମାତ୍ର ନିହତ ବ୍ୟକ୍ତି । ଅନ୍ୟ କେତେଜଣ ଅବଶ୍ୟ ଆହତ ହୋଇଥିଲେ ।

 

ନାଙ୍ଗୁଡ଼ାଙ୍କ ସାଙ୍ଗରେ ଶବ କାନ୍ଧେଇ ଭବାନୀପ୍ରସାଦ ଶ୍ମଶାନକୁ ଯାଇଥିଲେ । ଏଡ଼େଟିକେ ମଣିଷ ପିଲାକୁ କାନ୍ଧେଇ ନବାପାଇଁ ଦି’ଜଣ ମଣିଷଙ୍କୁ ବଳେଇପଡ଼ନ୍ତା ନାହିଁ । ତଥାପି ନାଙ୍ଗୁଡ଼ାଙ୍କ ସାଙ୍ଗେ କାନ୍ଧ ଲଗେଇଲାବେଳେ ମଲା ପିଲାଟାର ଯେତିକି ଓଜନ ତାଙ୍କ ଭାଗରେ ପଡ଼ିଥିଲା ସେତିକିରେ ସେ ହମ୍ପେଇ ଯାଉଥିଲେ ।

 

ଶବ ସଂସ୍କାର ସାରି ନାଙ୍ଗୁଡ଼ାଙ୍କୁ ଘରେ ପହଞ୍ଚେଇଦେଇ ଭବାନୀପ୍ରସାଦ ଊର୍ଣ୍ଣନାଭ ଆଶ୍ରମକୁ ଫେରିଆସିଲେ ।

 

ଅନିରୁଦ୍ଧ ଖବରକାଗଜରେ ମୁହଁଗୁଞ୍ଜି ଆଜି ବି ବସିଥିଲା । ଭବାନୀପ୍ରସାଦଙ୍କୁ ଦେଖି ମଧ୍ୟ କିଛି କହିଲା ନାହିଁ । କିନ୍ତୁ ତା’ ମୁହଁର ରଙ୍ଗରୁ ସବୁକଥା ବୁଝିଗଲେ ସେ ।

 

ସମୟ ପୁଣି ସବୁକୁ ସୁଧାରିନବ–ଏଇଆ ଭାବି ଭବାନୀପ୍ରସାଦ ଅନିରୁଦ୍ଧକୁ ଛାଡ଼ି କୁକୁଡ଼ାମାନଙ୍କ ଖାଇବା କଥା ବୁଝିବାକୁ ବାହାରିଯାଉଥିଲେ । କିନ୍ତୁ ପଛରୁ ଫଡ଼୍ ଫାଡ଼୍ କାଗଜ ଚିରିବା ଶବ୍ଦ ସହିତ ଅନିରୁଦ୍ଧର ଘୁମୁରିବା ଶୁଣି ସେ ଚମକିପଡ଼ିଲେ ଓ ଦେଖିଲେ ଖବରକାଗଜରେ ବାହାରିଥିବା ପ୍ରଧାନମନ୍ତ୍ରୀଙ୍କ ଗୋଟାଏ ଫଟକୁ ଚିରି କୁଟ୍‍କୁଟ୍ କରିସାରି ଟୋକାଟା ଆଁକରୁଚି ବୋଧହୁଏ ଛେପ ପକେଇବା ପେଇଁ । ଦଉଡ଼ିଆସିଲେ ସେ । ତା’ ମୁହଁରେ ଜୋରକରି ଗୋଟେ ଚାପୁଡ଼ା କଷିଦେଇ ପାଟିକରି ଆପେ କାନ୍ଦିଉଠିଲେ–“ଏଇଟା କମ୍ୟୁନିଷ୍ଟ୍ ପାଲଟିଗଲାରେ ! କମ୍ୟୁନିଷ୍ଟ୍ ପାଲଟିଗଲା !”

 

ଚବିଶ

 

ନଟବରର ପତ୍ତା ତଥାପି ମିଳେନାହିଁ । ମୁରାଶାର ଶବ ମଧ୍ୟ ପୁଲିସ୍ ଖୋଜି ଖୋଜି ପାଏନାହିଁ । ଅଠଚାଳିଶ ଘଣ୍ଟା ପ୍ରସବ ବେଦନା ଭୋଗିଲା ପରେ ଅଧା ପ୍ରସବ କରିବା ଅବସ୍ଥାରେ ବିଚାରୀର ଜୀବ ଚାଲିଯାଇଥିଲା ବୋଲି ଘଟଣାର ଏକମାତ୍ର ବିଶ୍ଵାସ୍ୟ ଦ୍ରଷ୍ଟା ସୁକୁମାରୀ ବହୁ ପଚରାଉଚରା ପରେ ଏତିକି ହିଁ ମୁହଁଖୋଲି କହିଥାଏ । ମନମୋହନର ଲୋକେ ତଥାପି ଖୋଜାଖୋଜି ଲଗେଇଥାନ୍ତି କିନ୍ତୁ କୌଣସିଠାରୁ ନଟବର ବା ମୁରାଶାର ସନ୍ଧାନ ମିଳିଲା ନାହିଁ ।

 

ସେମାନଙ୍କର ସନ୍ଧାନ ମିଳୁ ବା ନ ମିଳୁ ସହର ଓ ମଫସଲ ଉଭୟ ସ୍ଥାନରେ ଏବେ ଏବେ ଯେଉଁସବୁ ଭୌତିକ କାଣ୍ଡମାନ ଘଟିବା ଆରମ୍ଭ ହୋଇଯାଇଥାଏ, ଏସବୁ ପଛରେ ଗୋଟିଏ ବା ଅନେକ ଅମଙ୍ଗଳମୟ ସତ୍ତା ସତେକି ଘୂରି ବୁଲୁଥାନ୍ତି । କ୍ରମେ ସେମାନଙ୍କ ସମ୍ପର୍କରେ ବିଶେଷତଃ ନଟବର ସମ୍ପର୍କରେ ବିଭିନ୍ନ ମହଲରେ ଯେଉଁସବୁ ତାତ୍ତ୍ଵିକ ଆଲୋଚନା ଆରମ୍ଭ ହୋଇଯାଇଥାଏ, ତଦ୍ଦ୍ୱାରା ନଟବର ଆଉ ଗୋଟିଏ ବ୍ୟକ୍ତି ବିଶେଷ ହୋଇ ରହିପାରିଲା ନାହିଁ । ସେ ଗୋଟିଏ ବିମୂର୍ତ୍ତ, ନଗ୍ନ ଓ ଶଙ୍କା ଉଦ୍ରେକକାରୀ ଦୁର୍ଭାବନାରେ ପରିଣତ ହୋଇସାରିଥାଏ ।

 

ଏଇ ଦୁର୍ଭାବନାକୁ ବୋଧହୁଏ ସେଦିନ ଊର୍ଣ୍ଣନାଭ ଆଶ୍ରମରେ ସାନପୁଅ ଅନିରୁଦ୍ଧର ମୁହଁଉପରେ ଦେଖି ଭବାନୀପ୍ରସାଦ ଠୋ, କରି ଚାପୁଡ଼ାଟିଏ ତା’ ଗାଲରେ କଷି ଦେଇଥିଲେ । କିନ୍ତୁ ସେଦିନ ସେହି ଦୁର୍ଭାବନାକୁ ନିଜ ସ୍ତ୍ରୀ ସୁକୁମାରୀର ଗର୍ଭରେ ସଶରୀରେ ଉପସ୍ଥିତ ଥିବା ଜାଣିଲାପରେ ସୁଦ୍ଧା ବିଭୁପ୍ରସାଦ ସେହି କାଳୀ ଅପରିଛନି ହରିଜନ ଯୁବତୀଟିକୁ ପୁଣିଥରେ କୁଣ୍ଢେଇ ପକେଇଲା ଓ ସତେକି ସେତିକିବେଳୁ ଜୀବନର ଗୋଟିଏ ନୂଆ ଅର୍ଥ, ନୂଆ ଅଦର୍ଶର ଦିଗ ତା’ ଆଗରେ ଫିଟିସାରିଥିଲା, ସେହିପରି କହିଲା–

 

“ମୁଁ ତୁମକୁ ତଥାପି ଭଲପାଏ ସୁକୁମାରୀ ! ମତେ ବିଶ୍ୱାସ କର, ମତେ ବିଶ୍ୱାସ କର !”

 

ତଥାପି ସୌନ୍ଦର୍ଯ୍ୟବୋଧ ଗୋଟିଏ ଅଦ୍ଭୁତ ଦ୍ଵନ୍ଦ୍ଵ ଏ ପୃଥିବୀରେ । ଯେକୌଣସି ସୁନ୍ଦର ଜିନିଷର ଯେଉଁ ଉଚିତ ଅନୁପାତିକତା କିମ୍ୱା ଯାହାର ଅନ୍ୟ ନାମ ସାମ୍ୟ, ତାହାହିଁ ଯଦି ପୃଥିବୀର ସବୁ ସୁନ୍ଦର ଜିନିଷରୁ ଜଣେ ଖୋଜି ଲାଗେ ତେବେ ଅଚିରେ ଏକ ନୂତନ ଦ୍ୱନ୍ଦ୍ୱରେ ସେ ପୁଣି ପହଞ୍ଚିଯିବା ସ୍ଵାଭାବିକ । ବାଳୀ ଓ ସୁଗ୍ରୀବ ଭିତରୁ କିଏ ବାଳୀ ଓ କିଏ ସୁଗ୍ରୀବ ଏହି ବୈଷମ୍ୟଟି ସ୍ଵତନ୍ତ୍ର ଫୁଲମାଳ ସୁଗ୍ରୀବ ବେକରେ ନ ପଡ଼ିବା ପର୍ଯ୍ୟନ୍ତ ସ୍ଵୟଂ ରାମଚନ୍ଦ୍ର ମଧ୍ୟ କୋଦଣ୍ଡ ଆକର୍ଣ୍ଣ ଓଟାରିଥିବା ଅବସ୍ଥାରେ ଅଟକି ରହନ୍ତି । ଦ୍ଵନ୍ଦ୍ଵରତ ଦୁଇଭାଇଙ୍କର ଯୁଦ୍ଧ ହିଁ ଶେଷରେ ସାର ହୁଏ । ବାଳୀର ହତ୍ୟା ନ ହୁଏ କି ସୁଗ୍ରୀବର ମିତ୍ରତାରକ୍ଷା ନହୁଏ । ସତ୍ୟ ଓ ବାସ୍ତବର ଲଢ଼େଇ ସବୁଦିନେ ଏହି ସାମ୍ୟରୁ ବୈଷମ୍ୟ ଆଡ଼ିକି । ପୁରୁଣା ସୌନ୍ଦର୍ଯ୍ୟବୋଧର ପରିଣତି ଏକ ନୂତନ ସୌନ୍ଦର୍ଯ୍ୟବୋଧର ଅନ୍ୱେଷଣରେ ।

 

ସେଦିନ ସ୍ତ୍ରୀ ସୁକୁମାରୀର ସେଇ ଉଦୟ ହୋଇସାରିଥିବା ପାପଗର୍ଭଟି ବିଭୁପ୍ରସାଦ ଆଖିକୁ ଆଉ ପାପପରି ଦିଶୁନଥାଏ । ଏପରିକି ଟିକିଏ ପୂର୍ବରୁ ଯେଉଁସବୁ କାରଣରୁ ସୁକୁମାରୀ ଶରୀରର କେତେକ ଅଙ୍ଗପ୍ରତ୍ୟେଙ୍ଗ ବିଭୁପ୍ରସାଦର ଆଖିକୁ ଅସୁନ୍ଦର, ଅଷଣ୍ଢବା ଇତ୍ୟାଦି ଦିଶୁଥିଲା, ହଠାତ୍ ସେହିସବୁ ଅଙ୍ଗପ୍ରତ୍ୟଙ୍ଗମାନେ ପୁଣି ସୁନ୍ଦର ଓ ସୁଠାମ ରୂପ ଗ୍ରହଣ କରେ । ଗତ ବର୍ଷେ ଦେଢ଼ବର୍ଷ ତଳେ ଯେଉଁଦିନ ସର୍ବପ୍ରଥମେ ସୁକୁମାରୀ ସହିତ ତା’ର ଭେଟ ହୋଇଥିଲା, ବିଦେଶୀ ଛିଟ କିମନୋ ଖଣ୍ଡେ ପିନ୍ଧି ଦୈବାତ୍ ସେ ବିଭୁପ୍ରସାଦର ଦୃଷ୍ଟିରେ ପଡ଼ିଯାଇଥିଲା ଓ ସୃଷ୍ଟିର ଅପରୂପ, ଅତୁଳନୀୟ ସୌନ୍ଦର୍ଯ୍ୟରେ ଜୁଡ଼ୁବୁଡ଼ୁ ହେଲାପରି, ଝିଅଟିକୁ ସେ କୋଳେଇନେବାକୁ ଚାହିଁଥିଲା ଆଜି ସେହିପରି ବା ତାଠାରୁ କିଞ୍ଚିତ୍ ବଳିକରି ପୁଣିଥରେ ଏକ ନୂଆ ସୌନ୍ଦର୍ଯ୍ୟବୋଧ ବିଭୁପ୍ରସାଦକୁ ଆକୃଷ୍ଟ କଲା–ସେଇ ହରିଜନ ଝିଅଟିଆଡ଼କୁ । ସୁକୁମାରୀର ସେଇ ଉଦୀୟମାନ ପାପଗର୍ଭକୁ ବାରମ୍ୱାର ଆଖେଇ ଆଖେଇ ସେ ଆଜିକାଲି କହୁଥାଏ ସେଇ ବାକ୍ୟଟିକୁ–

 

“ମୁଁ ଜାଣେ, ଜାଣେ ମୁଁ ଜାଣେ ରାଜ୍ୟପାଳର କନ୍ୟା ଅପେକ୍ଷା ମହନା ହାଡ଼ିର ଝିଅ କେଡ଼େ ବଡ଼, କେଡ଼େ ବଡ଼ !”

 

ବିଭୁପ୍ରସାଦର ଓଠ, ସ୍ତ୍ରୀ ସୁକୁମାରୀର ଓଠଉପରେ ସେଦିନ ଏତେ ନିବିଡ଼ଭାବରେ ଜୀବନରେ ବୋଧେ ସର୍ବପ୍ରଥମଥର ପାଇଁ ଚାପି ହୋଇଯାଇଥାଏ । ଅଯୋଧ୍ୟାର ସୀତା ଅପେକ୍ଷା ଲଙ୍କାର ସୀତାର ଓଠ ମିଠା ! ମୁହୂର୍ତ୍ତକ ପାଇଁ ବିଭୁପ୍ରସାଦ ସେଇ ମିଠାରେ ହିଁ ବୁଡ଼ିଗଲା ।

 

କିନ୍ତୁ ଏତେ ଆଲିଙ୍ଗନ ଭିତରେ ମଧ୍ୟ ସୁକୁମାରୀର ଦିହ ତଥାପି ମଲାସାପ ପରି ଥଣ୍ଡା ଆଉ ନିଶ୍ଚଳ ହୋଇପଡ଼ିଥାଏ ।

 

ସୁକୁମାରୀର ଥଣ୍ଡା ଆଉ ନିଶ୍ଚଳତାକୁ ବିଭୁପ୍ରସାଦ ସେପର୍ଯ୍ୟନ୍ତ ଅନୁଭବ କରିପାରିନଥିଲା–ଯେଉଁଦିନ ହଠାତ୍ ରାତିଅଧରେ ନୀରବନିଳୟ ପିଣ୍ଡାରେ କାହାର ଧୀର ପାଦଶବ୍ଦ ଶୁଣୁ ନ ଶୁଣୁ ସୁକୁମାରୀ ଚମକିଉଠି ବସିପଡ଼ିଲା ।

 

ବିଭୁପ୍ରସାଦର କାନରେ ସେତେବେଳଯାକେ କୌଣସି ଶବ୍ଦ ଶୁଣାଯାଉନଥିଲା । ସ୍ତ୍ରୀ ସୁକୁମାରୀର କାଲୁଆ ହାତଟାକୁ ତଥାପି ନିଜର ଭିତରେ ସେ ଧରିଥିଲା । ନୀରବନିଳୟ ଭିତରେ ଆଜି ଅନ୍ଧାରୁଆ ହୋଇନଥାଏ । ଛୋଟ ଆଲୁଅଟିଏ ସେ ଘରେ ଜଳୁଥାଏ । ତେଣୁ ବିଭୁପ୍ରସାଦ ପ୍ରତି ସୁକୁମାରୀର ସେଇ ନିତିଦିନିଆ–ତୁମେ ମତେ ଅନ୍ଧାରରେ ଭଲପାଅ–ଅଭିଯୋଗ ପାଇଁ ଆଜି ନୀରବନିଳୟରେ ଲେଶମାତ୍ର ସ୍ଥାନ ନଥାଏ । ପୁଣି ବିଶେଷତଃ ଯେଉଁ ରାତିରେ ମନମୋହନର ସ୍ତ୍ରୀ ଉଷା ମଧ୍ୟସ୍ଥତା କରି ସୁକୁମାରୀ ଓ ବିଭୁପ୍ରସାଦର ପୁନର୍ମିଳନ ଘଟାଇବା ଉଦ୍ଦେଶ୍ୟରେ ଏ ଘରେ ଛୋଟ ଆଲୁଅଟିଏ ଜାଳିଦେଇ ଯାଇଥିଲା, ସେଇ ଆଲୁଅଟି ଏଣିକି ସବୁ ରାତିରେ, ଏହି ଘରେ, ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ ଜଳୁଥାଏ । ସୁକୁମାରୀ ସହିତ ସବୁ କଥାବାର୍ତ୍ତା ଗୁପଚୁପ୍ ପ୍ରେମର ହସାହସି ଫୁସୁରୁ ଫାସୁରୁ, କଟୁ ରାଜନୀତିର କଟାକ୍ଷ କିମ୍ୱା ଅନ୍ୟ ଯେକୌଣସି ଦ୍ୱୈତ ବୁଝାମଣା ଭିତରେ ବିଭୁପ୍ରସାଦ ସେହି ଆଲୁଅକୁ ହିଁ ସାକ୍ଷୀ ରଖିଲା ପରି ମଝିରେ ମଝିରେ ବରାବର ତାକୁ ଚାହୁଁଥାଏ । କାରଣ ସେଇ ଆଲୁଅ ହିଁ ବିଭୁପ୍ରସାଦ ସହିତ ସୁକୁମାରୀର ମିଳନ ଘଟାଇବା ପାଇଁ, ସ୍ଵର୍ଗରୁ ତୋଳି ଆଣିଲା ପରି ଅମାପ ସାହସ ଓ ସାମାଜିକ ଦମ୍ଭ ଏଇ ନୀରବନିଳୟର ଅଧିବାସୀ ଦୁଇଜଣକୁ ଦେଇଥାଏ । –ଯେଉଁ ସମ୍ବିଧାନକୁ ସାକ୍ଷୀ ଦେବାପାଇଁ ଅନ୍ତତଃ ବିଭୁପ୍ରସାଦ ବରାବର ଆଗଭର ହୋଇ ବାହାରୁଥାଏ । ଆଉ ସେ ସମ୍ବିଧାନ ଜୁଳୁଜୁଳୁ କରି ଜଳୁଥାଏ । ନୀରବନିଳୟର କାନ୍ଥ ଥାକ ସନ୍ଧିରୁ ଗୋଟିଏ ଆଖିପରି ବିଭୁପ୍ରସାଦ ଓ ସୁକୁମାରୀର ଦାମ୍ପତ୍ୟ ମିଳନକୁ ତାହା ଅନାଇଥାଏ ।

ଏ ସୃଷ୍ଟିରେ ଯେକୌଣସି କର୍ମକୁ କେବଳ କର୍ତ୍ତା ଓ କ୍ରିୟା ସମ୍ପାଦନ କରିନଥାନ୍ତି । ପ୍ରତ୍ୟେକ କର୍ତ୍ତାର କ୍ରିୟା ଆଚରଣ ନିମିତ୍ତ ଗୋଟିଏ ସମର୍ଥକ ହିଁ ସବୁ କ୍ଷେତ୍ରରେ ଲୋଡ଼ାଥାଏ । ଏ ସମର୍ଥକର ଦାୟିତ୍ଵ ନୀରବନିଳୟ କ୍ଷେତ୍ରରେ, ଗତ କିଛିଦିନ ତଳେ ଭବାନୀପ୍ରସାଦଙ୍କ ସେହି ପ୍ରତିକୃତି ବା ଫଟୋଟି ହିଁ ଚଳାଇ ଆସିଥିଲା । କିନ୍ତୁ ତାହା ଥିଲା କେବଳ ଆରମ୍ଭ ଆରମ୍ଭର ବେଳ । ସେତେବେଳେ ସୁକୁମାରୀ କେବଳ ନିରାଶ୍ରୟ ହରିଜନ ଝିଅଟିଏ ଛଡ଼ା ଆଉ ଅଧିକ କିଛି ନଥିଲା । କିନ୍ତୁ ଆଜି ସେ କେବଳ ସେତିକି ନାହିଁ । ତା’ଠାରୁ ବେଶି ଥିଲା ତା’ର ସେଇ ପାପଲଟ୍‍ପ ଅସ୍ତିତ୍ୱଟା-। ଏପରି କଳଙ୍କିତ ଅସ୍ତିତ୍ଵକୁ କୌଣସି ଶୁଦ୍ଧ ରାମାୟଣିକ ଅଗ୍ନି ସେ କସ୍ମିନ୍‌କାଳେ ପରୀକ୍ଷାରେ ପାସ୍ କରାଇଦେଇଥାନ୍ତା, ବିଭୁପ୍ରସାଦର ଏ ଆଶା ନ ଥିଲା । ତେଣୁ ଭବାନୀପ୍ରସାଦଙ୍କ ଅଗ୍ନି ଦୃଷ୍ଟିରେ ଅସମର୍ଥିତ ସେହି କଳଙ୍କିନୀ ହରିଜନ କନ୍ୟାଟିକୁ ହୁଏତ ପରିତ୍ୟାଗ କରିବାକୁ ହିଁ ପଡ଼ିଥାନ୍ତା ବିଭୁପ୍ରସାଦକୁ । ମାତ୍ର ମଣିଷ ଏପରି ଏକ ସୀତା ଯେ, ରାବଣ ଘରୁ ମନେକର ଏକା ଏକା ନ ଫେରି ସାଙ୍ଗରେ ଦୁଧଖିଆ ଛୁଆଟିଏ ଧରି ଯଦି ବି ସେ ଫେରିଥାନ୍ତା ତଥାପି ରାମରୂପ ଭଗବାନ ତାହାକୁ ଗ୍ରହଣ କରିଥାନ୍ତେ । କିନ୍ତୁ ମଣିଷକୁ ଉଦ୍ଧାର କରିବା ନିମିତ୍ତ, ଏହି ଯେଉଁ ମହତକ୍ରିୟାଟି ଭଗବାନଙ୍କୁ ସାଧିବାକୁ ପଡ଼ିଥାନ୍ତା ସେଥିପାଇଁ ଭଗବାନଙ୍କର ମଧ୍ୟ ଜଣେ ସମର୍ଥକ ଲୋଡ଼ା ପଡ଼ିଥାନ୍ତା । ସେ ସମର୍ଥକଟି ଭଗବାନଙ୍କ ପକ୍ଷରେ ଯେ ପାରେ ସେ ହେଉ ପଛେ ନୀରବନିଳୟରେ ମନମୋହନର ସ୍ତ୍ରୀ ଉଷା ବ୍ୟତୀତ ଅନ୍ୟ କାହାଠାରେ ସେପରି ଦୃଢ଼ସମର୍ଥନ ବିଭୁପ୍ରସାଦ ପାଇନଥିଲା । ତେଣୁ ସେଦିନ ସେହି ଆଲୁଅଟିକୁ ଉଷା ବ୍ୟତୀତ ଅନ୍ୟ କେହି ନିରବ ନିଳୟରେ ଜାଳି ଦେଇପାରିନଥାନ୍ତା ।

ଏହିପରି ଆଠଟି ମାସ ବେଶ୍ ସୁରୁଖୁରୁରେ ବିତିଗଲା–ନୀରବନିଳୟରେ । କିନ୍ତୁ ଦିନେ ବିଭୁପ୍ରସାଦର ସେହି କ୍ଷୁଦ୍ର ନୀରବନିଳୟର ପୁଣି ମୂଳଦୁଆ ହଠାତ୍ ଥରିଗଲା । ବିଭୁପ୍ରସାଦର ସେଇ ଛୋଟିଆ ଆଶାଭରସା, ବୁଝାମଣା ଆଉ ବୋଧହୁଏ ସବୁ ଏକତରଫା ନ୍ୟାୟର ସଂସାରଟି ଚୂନା ହୋଇଗଲା । କାନ୍ଥକୁରାରେ ଦୁକଦୁକ୍ ହୋଇ ଜଳୁଥିବା ଦୀପଟି ଧପ୍‍କରି ଲିଭିଗଲା । ଗୋଟିଏ ବୃହତ୍ତର ପାପ ଉପରେ ପର୍ଯ୍ୟବସିତ କ୍ଷୁଦ୍ର ପାପର ସେହି ନୌକାଟି ଓଲଟିଗଲା । ନୀରବନିଳୟର “ସମ୍ବିଧାନ” ଓ “ରିପବ୍ଲିକ୍” ସବୁ ଏକ କିଟ୍‍କିଟ୍ ଅନ୍ଧାର ଭିତରେ ପୁଣି ଦିଗଶୂନ୍ୟ ହୋଇ ବୁଡ଼ିଗଲା ।

ସେଦିନ ଅଧରାତିରେ ନୀରବନିଳୟର ପିଣ୍ଡାରେ ଗୋଟିଏ ପାଦଶବ୍ଦ ବିଭୁପ୍ରସାଦର ସ୍ଥୂଳକାନରେ ପଡ଼ିବା ପୂର୍ବରୁ ହଠାତ୍ ସେଇ କାଳୀଝିଅଟି ବିଭୁପ୍ରସାଦର କୋଳରୁ ଉଠିପଡ଼ିଲା ଓ ଦଉଡ଼ିଯାଇ ପ୍ରଥମେ ଆଲୁଅଟାକୁ ଏକାଫୁଙ୍କାକେ ଲିଭେଇଦେଲା । ବିଭୁପ୍ରସାଦର ସବୁ ଚେତନା ତତ୍‍କ୍ଷଣାତ୍ ଗୋଟିଏ କଳା କିଟ୍‍କିଟ୍ ଅନ୍ଧାରରେ ବୁଡ଼ି ଲୋପ ପାଇଗଲା । ତାପରେ ସେଇ ଅନ୍ଧାର ଭିତରୁ କେଉଁଠି ଠାଏ କାନ୍ଦମିଶା ଚାପା କୋହପରି ସେ ଶୁଣିବାକୁ ପାଇଲା–

“ମୋ ନଟଭାଇ, ଏ ନିଶ୍ଚୟ ମୋ ନଟଭାଇଙ୍କ ପାଦଶବ୍ଦ । ତୁମକୁ ମୋ ରାଣ–ନେହୁରା ହେଉଛି–ମୋତେ ଯଦି ପ୍ରକୃତରେ ଭଲପାଉଥାଅ, ତେବେ ପାଟିକର ନାହିଁ–ଲୋକେ ଜମାହୋଇପଡ଼ିବେ–ଧରିନେବେ ତାଙ୍କୁ...ସେ ନିଶ୍ଚୟ ଖୁବ୍ ବିପଦରେ ପଡ଼ି ଦଉଡ଼ି ଆସିଛନ୍ତି ଏଠିକି–ତୁମକୁ ମୋ ରାଣ.....”

“କିଏ ? ନଟବର ? ସେ ଅସୁର ପୁଣି ଆସିଗଲା– ?”

ବିଭୁପ୍ରସାଦ ପ୍ରକୃତରେ ଏଡ଼େବଡ଼ ପାଟିଟାଏ କରି, ଏ ପୃଥିବୀର ସମସ୍ତଙ୍କୁ ଏକକାଳୀନ ନିଦରୁ ଉଠେଇଦବା ପାଇଁ ସେତିକି ଆହୁରି ଗୋଟାଏ ଦମ୍ ନେବାକୁ ଆଁ ମେଲାଇ ଦଉଥିଲା । ମାତ୍ର ସେତେବେଳେ କାହାର ଗୋଟାଏ ହାତ ବିଭୁପ୍ରସାଦର ମୁହଁଉପରେ ଚିପି ହୋଇଗଲା । ଚୁପ୍ ହୋଇଗଲା ବିଭୁପ୍ରସାଦ । କିନ୍ତୁ ତା’ ଅନ୍ତରଟା ଚୁପ୍ ହୋଇଯିବା ପରିବର୍ତ୍ତେ ହଠାତ୍ ଗୋଟାଏ ମୂକ ଜାନୁଆର ପାଲଟିଗଲା । ଆଁ ଭିତରେ ପଡ଼ିଯାଇଥିବା କଅଁଳିଆ ହାତଟାକୁ ରେକେଟିଦେଲା ସେ । ପାଟିର ଦୁଇଭାଡ଼ି ଦାନ୍ତଭିତରୁ ଲୁଣିଆ ଲୁଣିଆ ହୋଇ ଝରିପଡ଼ୁଥିବା କୌଣସି ଅଦ୍ଭୁତ ତରଳ ଜିନିଷ ଯାହାର ସ୍ୱାଦ ଏପର୍ଯ୍ୟନ୍ତ ସେ ଚାଖିନଥିଲା, ସେଇଆକୁ ଏତେଦିନ ପରେ, ଜୀବନରେ ପ୍ରଥମଥର ପାଇଁ ସତେକି ସେ ଚାଖି ଚାଟିଦେଲା । ତାପରେ– ! ଅନ୍ଧାରରେ ହାତ ବୁଲାଇଆଣିଲା ମାତ୍ରେ ମୁହଁରେ ହାତଦେଇ ତାକୁ ଚୁପ୍ କରିଦେଇଥିବା ସେଇ ସ୍ତ୍ରୀଲୋକଟାକୁ ବିଭୁପ୍ରସାଦ ନିମିଷକ ଭିତରେ ଗୋଟାପଣେ ପାଇଗଲା । ଲମ୍ବ, ମୁକୁଳା ବାଳ କେରାକୁ ତା’ର ହାତରେ ଛୁଉଁ ଛୁଉଁ ବିଭୁପ୍ରସାଦର ଜାନ୍ତବତା ଆହୁରି ତୀବ୍ର ହୋଇଉଠିଲା । ବାଳ ପଛକୁ ସେଇ ସରୁବେକ ଓ ବେକ ତକଳୁ ସେଇ ଅନ୍ଧପ୍ରକୃତିର ପ୍ରତୀକ ପରି ବୈଧ ବା ଅବୈଧ ମାତୃତ୍ୱର ସ୍ପର୍ଶ ନିର୍ବିଶେଷରେ ଟୁମୁକେଇ ସାରିଥିବା ଯୋଡ଼ାଏ ଇତର ମାଂସପେଶୀ ଓ ଅନ୍ୟାନ୍ୟ ଉପକରଣ ସବୁ ଗୋଟିକ ପରେ ଗୋଟିଏ ବିଭୁପ୍ରସାଦର ହିଂସା ଅପେକ୍ଷା ପ୍ରତିହିଂସାକୁ ଉତ୍ତେଜିତ କରିଦେଲା ।

ନୀରବନିଳୟର ସେଇ ଅନ୍ଧାର ଭିତରେ ବିଭୁପ୍ରସାଦ ତା’ର ନିଜ ସ୍ତ୍ରୀକୁ ଅମାନୁଷିକ ପାଶବିକତା ଦ୍ଵାରା ପୁଣିଥରେ ରକ୍ତାକ୍ତ ଓ ମୁମୂର୍ଷୁ କରିଦେଲା ।

ପ୍ରାୟ ସାତ ଆଠ ମାସ ତଳେ ଅବିକଳ ଏହିଭଳି ରକ୍ତାକ୍ତ ଓ ମୁମୂର୍ଷୁ ଅବସ୍ଥାରେ ସେହି ସ୍ତ୍ରୀଲୋକଟିକୁ ସହରତଳି ଗୋଟିଏ ଅନ୍ଧାରିଆ ନାଳ ପୋଲ ତଳେ ଏକାଟିଆ ପାଇ ତାହାକୁ ମୁରାଶାଭ୍ରମରେ ମନମୋହନର ଲୋକେ ଟେକିଆଣିଥିଲେ । ବିଭୁପ୍ରସାଦ ସତେକି । ସେହି ହିଂସାକାଣ୍ଡର ପ୍ରତିବାଦ ସ୍ୱରୂପ ଏହି ଚରମ ପ୍ରତିହିଂସାର କାର୍ଯ୍ୟଟିକୁ ନିଜ ସ୍ତ୍ରୀ ଉପରେ ହିଁ ସମାପ୍ତ କରିଦେଲା ।

 

କବାଟରେ ଠକ୍ ଠକ୍ ଆବାଜ୍ ଖୁବ୍ ଜୋର କବାଟ ବାଡ଼ିଆରେ ପରିଣତ ହୋଇସାରିଥାଏ । ବିଭୁପ୍ରସାଦ ସେତେବେଳକୁ ନିଶ୍ଚିତଭାବେ ଜାଣିସାରିଥାଏ ଯେ ରାତିଅଧରେ ଏ କବାଟ ବାଡ଼ିଆ ନଟବର ବ୍ୟତୀତ ଆଉ କାହାର ସାଧ୍ୟ ନୁହେଁ । ମନେପଡ଼ିଯାଉଥାଏ ତା’ର ସେଇ ପଦଟା–ଓଲୁ ବୁର୍ଜୁଆ କାହାଁକା..... । “ଗଭୀର ପାପ ଓ ଅନ୍ତର୍ବେଦନାରେ ସେତେବେଳକୁ ଆପେ ଗୋଟିପଣେ ଥରିବା ଆରମ୍ଭ ହୋଇଯାଇଥାଏ । ତାଛଡ଼ା ତା’ର ଅଷ୍ଟାଙ୍ଗ ଶରୀର ରକ୍ତ ଜୁଡ଼ୁବୁଡ଼ୁ ହୋଇସାରିଥାଏ ସେତେବେଳକୁ । ନିଃସହାୟ ସ୍ତ୍ରୀଲୋକଟି ସେଇ ଅନ୍ଧାରଭିତରେ କେଉଁଠି ପଡ଼ି ହୁଏତ ଟିକିଏ ମାତ୍ର ସୁକୁସୁକୁ କେବଳ ହଉଥାଏ । ବିଭୁପ୍ରସାଦ ସେଇ ସୁକୁସୁକୁ ଟିକିଏ ବେଳ କାନଦେଲାପରି ଅନ୍ଧାରରେ ଚୁପ୍ ହୋଇ ବସିପଡ଼ିଲା । ତାପରେ ଭୁସ୍‍କରି ଉଠିପଡ଼ି ସେ ଘରର କବାଟ ଖୋଲିଦେଲା ।

 

ଦୁଆର ମୁହଁରେ ପ୍ରକୃତରେ ନଟବର ଠିଆ ହୋଇଥାଏ । ଅନ୍ଧାରରେ ମଧ୍ୟ ତା’ର ସେଇ ଜଳନ୍ତା ଆଖିଦିଇଟା ସ୍ପଷ୍ଟ ଦିଶୁଥାଏ ବିଭୁପ୍ରସାଦକୁ । ଚୋରପରି ନଟବରକୁ ଆଡ଼େଇହୋଇ ସେ କୁଆଡ଼େ ଖସିଯିବ ବୋଲି ବୋଧହୁଏ ବାଟଖୋଜୁଥିଲା; କିନ୍ତୁ ନଟବର ତାକୁ ଠିକ୍ ଦେଖିନେଇଥିଲା-। କେବଳ ତାକୁ ନୁହେଁ, ତା’ ଭିତରର ସେଇ ଖସି ପଳାଇବାକୁ ବସିଥିବା ମଣିଷକୁ ମଧ୍ୟ–

 

“ମାରିଦେଲୁ, ଶେଷରେ ତାକୁ ମାରିଦେଲୁ–ଶାଲା ବୁର୍ଜୁଆ କାହାଁକା ! “ନଟବର, କବାଟପାଖରେ ଖସିଯାଉଥିବା ବିଭୁପ୍ରସାଦର ସରୁଆ ବେକଟାକୁ ଧରିପକେଇଲା ।

 

ବିଭୁପ୍ରସାଦ ଥରୁଥାଏ । ଅନୁତାପ ଅପେକ୍ଷା ବେଶୀଭାଗ ଭୟରେ । ଆତ୍ମସର୍ମପଣ ଅପେକ୍ଷା ଆତ୍ମରକ୍ଷାର ବେଶି ପ୍ରୟୋଜନ ଥାଏ ସେତେବେଳେ । ତାଛଡ଼ା ନଟବର ପ୍ରତି ବହୁଦିନରୁ ସଞ୍ଚିତ ଘୃଣା ସତେକି ନିଷ୍ଠୁରତାରେ ଶେଷ ହେବାର ନୁହେଁ । ବେକକୁ ଧରିନେବା ସତ୍ତ୍ଵେ ବଳିଷ୍ଠ ନଟବରକୁ ଡରିଯିବା ପରିବର୍ତ୍ତେ ଭକ୍‍କରି ମେଞ୍ଚାଏ ଘୃଣା ତା’ ମୁହଁକୁ ଛାଡ଼ିଦେଲା ବିଭୁପ୍ରସାଦ–

 

“ଚୁପ୍‍କର୍ ! ଚୁପ୍‍କର ! କମ୍ୟୁନିଷ୍ଟ କାହାଁକା–ନିଜକଥା ଏତେ ଜଲ୍‍ଦି ଭୁଲିଗଲୁ– ? କେଉଁ ମଣିଷକୁ ତୁ ଆଉ ଛାଡ଼ିଚୁ ? ଅନ୍ଧାରିଆ ପୋଲତଳେ ବସିବସିକା କିଏ ଖାଇଚି ମଣିଷର ଅନ୍ତବୁଜୁଳାକୁ ? ମଣିଷ ବେକରେ ମୁହଁ ଲଗେଇ କିଏ ଶୋଷିଦେଇଚି ତା’ ରକ୍ତକୁ ? ତୋ ମୁହଁରୁ ଛଡ଼େଇଆଣିଲା ପରେ ଆଉ କଅଣ ଥିଲା ସେ ମାଇକିନିଆଟା ଦିହରେ ? କଚ୍ଚୁ ?”

 

ଏତେଦିନର ଏତେ ବାକ୍ ବିତଣ୍ଡା ମିତ୍ରତା ଓ ଶତ୍ରୁତା ସତ୍ତ୍ୱେ କେଉଁଦିନ ବିଭୁପ୍ରସାଦ ମୁହଁରୁ ଏପରି ଆକ୍ଷେପ ଆଉ ଘୃଣାର ସମ୍ଭାଷଣ ନଟବର ଭୁଲରେ ସୁଦ୍ଧା ଆଶଙ୍କା କରିନଥିଲା । ତା’ର ସମସ୍ତ ଦୋଷ ଦୁର୍ବଳତାକୁ ଏକା ବିଭୁପ୍ରସାଦ ହିଁ ବୁଝିଥିଲା ତଥାପି କ୍ରୋଧରେ ହେଲେ ମଧ୍ୟ ବିଭୁପ୍ରସାଦ ତା’ ପ୍ରତି ଏପରି ପରମତୁଟ ଭାଷା ସେ କେବେ ବ୍ୟବହାର କରିନଥିଲା । କିନ୍ତୁ ଆଜି ସବୁ ସମ୍ୱନ୍ଧ ଠକ୍‍ କରି ଛିଣ୍ଡିଗଲା । ବିଭୁପ୍ରସାଦ ପ୍ରତି ଏପରି ଆନ୍ତରିକ ଘୃଣା ନଟବରର ଏହି ସର୍ବପ୍ରଥମ । ଥରିଗଲା ନଟବର–ରାଗରେ ନୁହେଁ; ଶୀତରେ । ସମଗ୍ର ପୃଥିବୀକୁ ପୁଣି ଗୋଟାଏ ବରଫଯୁଗ ଆସିଗଲାପରି ସେ ନିଜ ଶରୀରର ବାକିତକ ଉଷୁମକୁ ବୃଥା ବାକ୍ୟ ବ୍ୟୟରେ ଖର୍ଚ୍ଚ କରିବାକୁ ଆଉ ଚାହିଁଲା ନାହିଁ ।

 

ନଟବରର ହାତ ବିଭୁପ୍ରସାଦର ସରୁବେକକୁ କେଁକରି ଚିପିଦେବା ପରିବର୍ତ୍ତେ ହଠାତ୍ କୋହଳ ହୋଇଗଲା । ଚୋଟ ମାରିବାକୁ ଉଞ୍ଚେଇଥିବା ଫଣାଉପରେ ତାଇକରି ତେଣୁଆଟାଏ ବାଜିଲା ପରି ଝୁଲିପଡ଼ିଲା ସେଇଟା ତଳକୁ ।

 

ନଟବର ବିଭୁପ୍ରସାଦକୁ ଛାଡ଼ିଦେଲା । ତା’ ସହିତ ଧକମ୍ ଧକ୍କାରେ ସମୟ ନଷ୍ଟ କରିବା ନିମିତ୍ତ ତା’ର ହୁଏତ ଏତେ ସମୟ ନଥିଲା । କୌଣସି ଜରୁରୀ ଉଦ୍ଦେଶ୍ୟ ଘେନି ନୀରବନିଳୟକୁ ଆଜି ପ୍ରାୟ ସାତ ଆଠ ମାସ ପରେ ସେ ଆସି ପ୍ରଥମଥର ମୁହଁ ଦେଖଉଥିଲା । କିନ୍ତୁ ପାଟି ଖୋଲିବା ପୂର୍ବରୁ ଆଉ ଗୋଟାଏ ଜରୁରୀ ମୁହୂର୍ତ୍ତର ଆବେଗରେ ସେ ଭାସିଗଲା । ବିଭୁପ୍ରସାଦକୁ ଠେଲିଦେଇ ଘରଭିତରକୁ ପଶିଗଲା ସେ ।

 

ବାହାରେ, ତଥାପି ଜଣେ ଦ୍ରଷ୍ଟା ଓ ଶ୍ରୋତା ଭଳି ଠିଆ ହୋଇଥାଏ ବିଭୁପ୍ରସାଦ । ଅନ୍ଧାରିଆ ଘରଭିତରୁ ମୁହୂର୍ତ୍ତକ ପାଇଁ କେତେଟା ଝୁଣ୍‍ଝାଣ୍ ଶଦ୍ଦ ତା’ କାନରେ ପଡ଼ିଥାଏ । ଅପର ମୁହୂର୍ତ୍ତରେ ଗୋଟିଏ ମୁମୂର୍ଷୁ ସ୍ତ୍ରୀଲୋକକୁ କାନ୍ଧରେ ଉଠେଇ ଅନ୍ଧାର ଭିତରକୁ ନଟବର ବଢ଼ିଯାଉଥିବା ଦୃଶ୍ୟ ଦେଖି ସେ ଅବଶ୍ୟ ଚମକି ପଡ଼ିଥାଏ । କିନ୍ତୁ ମନଭିତରର ସମସ୍ତ ଭାବକୁ ଚାପିଦେବା ସତ୍ତ୍ୱେ ସେ ଶୁଣିବାକୁ ପାଇଲା ଯେମିତିକି ନଟବର କହୁଥିଲା–“ତୋ ଦ୍ଵାରା ହବନାଇ–ହବନାଇରେ ଓଲୁ ବୁର୍ଜୁଆ କାହାଁକା–”

 

ନଟବର ଚାଲିଗଲା ।

 

ଦକ୍ଷ–ଯଜ୍ଞରେ ଘୋର ଅପମାନିତ ହୋଇ ନିଆଁକୁ ଡେଇଁପଡ଼ିଥିବା ସତୀଙ୍କର ଶବକୁ କାନ୍ଧେଇ ମହାଦେବ ବିଶ୍ୱକୁ ମନ୍ଥିଦେଲା ପରି ସୁକୁମାରୀକୁ କାନ୍ଧରେ ଉଠେଇ ନଟବର ସହରର ରାସ୍ତାକୁ ମନ୍ଥିଦେଇ ଚାଲିଗଲା ।

 

ନଟବର ପତ୍ତା ପୁଲିସ୍, ଖବରକାଗଜ ବା କେହି ତଥାପି ପାଇଲେ ନାହିଁ ।

 

ପଚିଶ

 

ଛୁଟିଟାଯାକ ସବୁ କାମକୁ ଫିଙ୍ଗିଦେଇ ଭବାନୀପ୍ରସାଦ ସାନପୁଅ ଅନିରୁଦ୍ଧ ପଛରେ ହିଁ ଲାଗିପଡ଼ିଥାନ୍ତି । ପ୍ରଧାନମନ୍ତ୍ରୀଙ୍କ ଫଟୋକୁ କୁତକୁତା କରିସାରି ସେଦିନ ଊର୍ଣ୍ଣନାଭ ଆଶ୍ରମର ପ୍ରତ୍ୟେକ ଜିନିଷ ଆଡ଼କୁ ସେଇ ପିଲାଟା ଯେଉଁ ଆଖିରେ ଚାହିଁଥାଏ ସେଥିରେ ଯେକେହି ଭୟଭୀତ ହୁଅନ୍ତା । ଭବାନୀପ୍ରସାଦ ତ ଭବାନୀପ୍ରସାଦ, ଏପରିକି ଊର୍ଣ୍ଣନାଭ–ଆଶ୍ରମର କୁକୁଡ଼ାମାନେ ମଧ୍ୟ କ୍ରମେ ଅନିରୁଦ୍ଧର ଏଇ ତୀକ୍ଷ୍ଣ, ସଂକ୍ଷିପ୍ତ ଆଉ ଅତି ନିକଟ ଦୃଷ୍ଟିକୁ ଅନୁଭବ କଲେ ଓ ଭୟ ପାଇଲେ-

 

ଭବାନୀପ୍ରସାଦ ଏ ପୃଥିବୀର ଜୀବଜଗତର ଅନ୍ୟସବୁ ମାନସିକତାକୁ ନିର୍ବୋଧ ଆଉ ତୁଚ୍ଛ ବୋଲି ଯେକୌଣସି ଜୀବବୈଜ୍ଞାନିକ ପରି ବୁଝିଥାନ୍ତି । କିନ୍ତୁ ଜୀବର ଭୟକୁ ନିର୍ବୋଧ ବା ତୁଚ୍ଛ ବୋଲି ସେ ମନେକରନ୍ତି ନାହିଁ । ଯେକୌଣସି ଜୀବ, ଏପରିକି କୁକୁଡ଼ାଟିଏ ମଧ୍ୟ, ଭୟପାଇ ଇତସ୍ତତଃ ହବାର ଦେଖିଲେ, କୁକୁଡ଼ା ଉପରେ ବିରକ୍ତ ନ ହୋଇ ସେ କୁକୁଡ଼ାର ଚତୁଃପାର୍ଶ୍ୱକୁ ଅନାଇ ଭୟର କାରଣ ଅନୁସନ୍ଧାନ କରନ୍ତି ଓ ଅଧିକାଂଶ ସମୟରେ ଖୋଜିପାଆନ୍ତି ସେଇ ଗୋଟିଏ ଜିନିଷକୁ ! ସେ ଜିନିଷ ବିଲୁଆ ବା ଗଧିଆ ବା ଚୋର ନୁହେଁ; ହଳେ ଆଖି–ଯେଉଁ ଆଖି ଦୂରକୁ ନ ଚାହିଁ ଚାହିଁଥାଏ ନିକଟକୁ । ବିସ୍ତୃତକୁ ନ ଚାହିଁ ଚାହିଁଥାଏ ସଂକ୍ଷିପ୍ତଭାବେ ଗୋଟିଏ ସ୍ଥିର ବିନ୍ଦୁକୁ ! ନିଜଉପରେ ଅନ୍ୟର ଦୃଷ୍ଟିର ସଂକ୍ଷିପ୍ତତାକୁ ହିଁ ପ୍ରାଣୀର ଭୟର କାରଣ ବୋଲି ଜାଣନ୍ତି ଭବାନୀପ୍ରସାଦ । ଏହାକୁ ହିଁ ହିଂସାର ଦୃଷ୍ଟି ବୋଲି ବୁଝନ୍ତି ସେ ।

 

ଜିନିଷମାନଙ୍କ ଆଡ଼କୁ ପିଲାମାନଙ୍କର ଏଇ ସଂକ୍ଷିପ୍ତ, ହିଂସ୍ରୁକ ଚାହାଣିକୁ ଭାଙ୍ଗିଦେବା ପାଇଁ ଭବାନୀପ୍ରସାଦ ଆଜୀବନ ଚେଷ୍ଟା କରିଆସିଛନ୍ତି । ଦୂରକୁ ଦେଖ–ଦୂରକୁ ଦେଖ–ବାରମ୍ୱାର ରଡ଼ି ଛାଡ଼ିଛନ୍ତି ସେ । ଗତବର୍ଷ ଖରାଛୁଟିରେ ଅନିରୁଦ୍ଧର ବ୍ୟବସାୟ କରିବା ଝୁଙ୍କକୁ ଏଇଥିପାଇଁ ଭାଙ୍ଗିଦେଇ ତାକୁ କଲେଜକୁ, ବିଶ୍ଵବିଦ୍ୟାଳୟକୁ ସେ ପଠେଇଥିଲେ । କିନ୍ତୁ ବିଶ୍ଵବିଦ୍ୟାଳୟରେ ଗୋଟିଏ ବର୍ଷ ନୋଟ୍‍ବହି ଘୋଷିବାହେତୁ କି କେଉଁ କାରଣରୁ କେଜାଣି ତା’ର ଦୃଷ୍ଟି ଆହୁରି ସଂକ୍ଷିପ୍ତ ହୋଇଯାଇଥିଲା । ଏତେ ସଂକ୍ଷିପ୍ତ ହୋଇଯାଇଥିଲା ସେ ଏ ବର୍ଷ ଇଞ୍ଜିନିୟରିଂ ପଢ଼ିବା ବିପକ୍ଷରେ ପ୍ରବର୍ତ୍ତେଇବା ଭବାନୀପ୍ରସାଦ ପକ୍ଷରେ ପ୍ରାୟ ଅସମ୍ଭବ ହୋଇପଡ଼ିଥିଲା ।

 

“ଦେଖ୍ ବାପା ! ଇଞ୍ଜିନିୟରିଂରେ ପଶିଲେ ତୁ ଯେ ପାସ୍ କରିନପାରିବୁ ମୋର ଏ ସନ୍ଦେହ ନାହିଁ । କିନ୍ତୁ ମୋତେ ବୁଝେଇଦେ–କେଉଁ କାରଣରୁ ତୁ ଏତେ ଆକୃଷ୍ଟ ସେଇ ବିଭାଗ ପ୍ରତି-? କୃଷି କଲେଜରେ ପଢ଼ିଲେ କ୍ଷତି କଅଣ ?”

 

ଅନିରୁଦ୍ଧ କ୍ରୋଧରେ ତମତମ ହୋଇଯାଉଥାଏ–ବାପର ଏଇ ଦିନ ପରେ ଦିନ ନିଲଠା ପ୍ରଶ୍ନ ଆଉ ଜେରାର ।

 

“ତୁମେ ଦେଖିପାରୁନ ? ଦେଖିପାରୁନ ତୁମେ ? ଇଞ୍ଜିନିୟରିଂ କ’ଣ, କୃଷି କ’ଣ–କେଉଁଥିରେ ଲାଭ, କେଉଁଥିରେ କ୍ଷତି, ବୁଝିପାରୁନ ତୁମେ ?”

 

“ଲାଭ କ୍ଷତି କଥା ବିଚାର କରନା । ଇଷ୍ଟ ଅନିଷ୍ଟ କଥା ବିଚାର କର । ଭାବ–କେଉଁ ଦିଗକୁ ଗଲେ ଗୋଟିଏ ପତ୍ର ପରେ ଆଉ ଗୋଟିଏ ପତ୍ରକୁ ମେଲିପାରିବୁ । ତୋର ବିକାଶ ଓ ଯେଉଁ ଜାତିର ଶୀର୍ଷର ନୂଆ କଢ଼ି ଡାଳଟିଏ ଭଳି ତୁ ବର୍ତ୍ତମାନ ମେଲିବାକୁ ବସିଛୁ, ସେ ଜାତିର ବିକାଶ ମଧ୍ୟ ସେ ଦିଗରେ ହିଁ ନିହିତ । ତୋର ସୂର୍ଯ୍ୟ ସେଇ ଦିଗରେ !”

 

ଅନିରୁଦ୍ଧ ଏସବୁ ଉପମା ଉପମେୟର ନଥିଲା । ଭ୍ରୁକୁ ଆହୁରି କୁଞ୍ଚିତ କରି ସଂକ୍ଷିପ୍ତ ଓ ସ୍ପଷ୍ଟ କଥାରେ ଉତ୍ତରଦେଲା- “ମୁଁ କୃଷକ ହେବିନାହିଁ–କୃଷିପ୍ରତି ମୋର ଆଗ୍ରହ ନାହିଁ ।”

 

“ଏହାର କାରଣ” ଭବାନିପ୍ରସାଦ ସଳଖ ମାତ୍ର ହୃଦୟଭେଦୀ କଣ୍ଠରେ କହିଲେ–“କୃଷକକୁ ତୁମେ ଅନ୍ତରରେ ସମ୍ମାନ କରନାହିଁ । କୌଣସି ବସ୍ତୁକୁ କୃଷକର ଦୃଷ୍ଟିରୁ ତୁମେ ଦେଖନାହିଁ । ଯଦି ତୁମେ ଦୃଷ୍ଟିରେ ଗୋଟିଏ ଉପେକ୍ଷିତ ଟିଣଡ଼ବା ପ୍ରତି ମଧ୍ୟ ମୁଁ କୃଷକର ଦୃଷ୍ଟିର ଛାଇଟି କିଏ କେଉଁଦିନ ଦେଖିଥାନ୍ତି, ତେବେ ତୁମକୁ ଇଞ୍ଜିନିୟରିଂ ପଢ଼ାଇବାକୁ ମୋର ଆପତ୍ତି ନଥାନ୍ତା । ତୁମ ଦୃଷ୍ଟିରେ କୁକୁଡ଼ାଟା ମଧ୍ୟ ଡରିଯାଉଛି–ଅଣ୍ଡା ଦେବାକୁ ଭରସି ପାରୁନାହିଁ ତୁମ ଆଖିଆଗରେ ! ଶହଶହ ମଣିଷ ଚଳାଉଥିବା କୋଉ ମେସିନ୍ ତୁମ କୋପଦୃଷ୍ଟି ଆଗରେ ଉତ୍ପାଦନ କରିବାକୁ ବସିବ ବୋଲି ତୁମେ ଭାବୁଚ ।”

 

“ତେବେ ମୋହର କିଛି ହବନାହିଁ । ମୁଁ କୃଷକ ମଧ୍ୟ ହୋଇପାରିବି ନାହିଁ ।” ଅନିରୁଦ୍ଧ ହତାଶ ହୋଇ ଆହୁରି କ୍ରୋଧରେ ଏଣେତେଣେ ଚାହିଁଲା ।

 

“ସବୁ ହବ–ମୁଁ ଜାଣେ–ତୁମ ପ୍ରତି ଭଗବାନଙ୍କର ଏହି ଅଭିଶାପ ଯେ ତୁମମାନଙ୍କୁ ହାତରେ ସବୁ ହବ–ତୁମ ହାତରେ ସବୁ କରାଇବା ହିଁ ତାଙ୍କର ଅଭିଳାଷ !” ଭବାନୀପ୍ରସାଦ ସେଦିନ ସେତିକିରେ ଆଲୋଚନା ସ୍ଥଗିତ ରଖିଲେ । ପରଦିନ ପୁଣି ସେହିଠାରୁ ଆରମ୍ଭ କଲେ । ଏହିପରି ଛୁଟିଟାଯାକ ଚାଲିଲା ବାପ ପୁଅଙ୍କ ଯୁକ୍ତିତର୍କ । ଶିକ୍ଷକ ଭବାନୀପ୍ରସାଦ ପୁଣି ଥରେ ଜିତିଲେ । ଅନିରୁଦ୍ଧ କୃଷି କଲେଜରେ ନାଁ ଲେଖେଇବା ପାଇଁ ମଙ୍ଗିଲା ।

 

ସେଦିନ ଭବାନୀପ୍ରସାଦ ପିଲାଟାକୁ ସାଙ୍ଗରେ ନେଇଗଲେ । କୃଷି–ବିଶ୍ଵବିଦ୍ୟାଳୟ ଛାତ୍ରାବାସରେ ଗୋଟିଏ ଖଟରେ ତା’ର ଶେଯ ନିଜ ହାତରେ ବିଛେଇଦେଲେ ଆଉ ସେଦିନ ରାତିରେ ଏକାଶେଯରେ ବାପ ପୁଅ ଶୋଇଲେ । ବଡ଼ିସକାଳକୁ ଭବାନୀପ୍ରସାଦ ଉଠି ଚାଲିଆସିଲେ । ଅନିରୁଦ୍ଧ ଆଖିରୁ ନିଦ ତଥାପି ଭଲ ଛାଡ଼ିନଥାଏ ।

 

ଊର୍ଣ୍ଣନାଭ ଆଶ୍ରମରେ ପହଞ୍ଚି ଏଥର ଆହୁରି ଜୋର୍ କାମ ଆରମ୍ଭ କରିଦେଲେ ଭବାନୀପ୍ରସାଦ ।

 

ଦଶହରା ଛୁଟି ପର୍ଯ୍ୟନ୍ତ ସବୁ ଭଲରେ ଭଲରେ କଟିଗଲା । ଦଶହରା ଛୁଟିରେ ଅନିରୁଦ୍ଧ ଗାଁକୁ ଆସିଥିଲା । କିଛି ଶୀତଦିନିଆ ଫୁଲମଞ୍ଜି ମଧ୍ୟ ସାଙ୍ଗରେ ଅଣିଥିଲା–ତା’ କୃଷି ବିଭାଗରୁ ।

 

ଏଥିମଧ୍ୟରୁ ଟୋକାଟାର ଯଥେଷ୍ଟ ପରିବର୍ତ୍ତନ ହୋଇଗଲା ପରି ଦିଶୁଥାଏ । ସେ ପରିବର୍ତ୍ତନକୁ ଚାହିଁ ମନେମନେ ହସିଥିଲେ ଭବାନୀପ୍ରସାଦ । ସବୁଠୁଁ ବେଶି ତୃପ୍ତିର ସହିତ ସେ ଲକ୍ଷ୍ୟ କରିଥିଲେ ଯେ ଅନିରୁଦ୍ଧକୁ ଦେଖି କୁକୁଡ଼ାମାନେ ଏଥର ଫଡ଼୍‍ଫଡ଼୍ ହଉନଥିଲେ । ଟୋକାଟାର ଅଦ୍ଭୁତ ପରିବର୍ତ୍ତନ ପାଇଁ କେଉ ଅବସ୍ଥା ଅନୁକୂଳ ହେଲା ସ୍ଥିର କରିପାରିଲେ ନାହିଁ ଅବଶ୍ୟ ଭବାନୀପ୍ରସାଦ ।

 

ଛୁଟିପରେ ପୁଣି ଅନିରୁଦ୍ଧ ଫେରିଗଲା–କଲେଜ । କିନ୍ତୁ ସେ ବୋଧହୁଏ ତେଣେ କଲେଜ ହତା ଛୁଇଁନଥିବ ଏଣେ ଗାଁରେ ଭବାନୀପ୍ରସାଦଙ୍କ ହାତ ରହିଗଲା ।

 

ଘଟଣାଟି ଏହିପରି–

 

କୁହାନାଇ ବୋଲାନାଇ ସେଦିନ ସକାଳୁ ମଝିଆଁ ମୀନକେତନ ଘରେ ପହଞ୍ଚିଗଲା । ଯୋଉ ଟିଣ ସୁଟକେଶ୍ ସହିତ ଯୁଗକ ତଳେ ଭବାନୀପ୍ରସାଦ ତାକୁ ଗାଡ଼ିରେ ବସେଇଦେଇ ଆସିଥିଲେ ସାଙ୍ଗରେ ସେତିକି ମାତ୍ର ଜିନିଷ ଓ ତା’ ସାଙ୍ଗକୁ ମୁଣ୍ଡରେ ଆଉ ଡାହାଣ ହାତ କହୁଣି ଉପରେ ପଟି ଦିଇଟା ପିନ୍ଧି ସେ ବସ୍‍ରୁ ଓହ୍ଲାଇଲା ।

 

ବନ୍ଦର ରାସ୍ତା ଦୋଛକି ଉପରେ ବସ୍‍ରହଣି ଓ ବଜାର । ବଡ଼ିସକାଳୁ ଊର୍ଣ୍ଣନାଭ ଆଶ୍ରମ ବାଡ଼ିର ଛନଛନିଆ ଟୋକେଇଏ ମୂଳା ଓ ଟୋକେଇଏ ଅଣ୍ଡା ବଜାର ମୁଣ୍ଡାରେ ଥୋଇଦେଇ ଭବାନୀପ୍ରସାଦ ପାଖ ଦୋକାନରୁ ଚାହା ଖାଇବା ପାଇଁ ଟିକିଏ ବାହାରିଯାଇଥାନ୍ତି । ପାଖରେ ଆହୁରି କେତେଜଣ ପରିବାବିକାଳୀ ଥାନ୍ତି । ଗ୍ରାମପଞ୍ଚାୟତ ପକ୍ଷରୁ ମଧ୍ୟ ଇତିମଧ୍ୟରେ ଗୋଟିଏ ଦୋକାନ ବଜାରମୁଣ୍ଡାରେ ଖୋଲିଥାଏ । ପ୍ରଥମେ ପ୍ରଥମେ ଏଠାରେ ନୀରା ବା ନିର୍ଦ୍ଦୋଷ ଖଜୁରିରସ ବିକ୍ରି କରାଯାଉଥିଲା । ଏବେ ଅଳ୍ପଦିନ ହେବ ସାଇନବୋର୍ଡ଼ଟିଏ ଝୁଲା ହୋଇଥାଏ “ଏଠାରେ ଫାରମ୍ ଅଣ୍ଡା ଓ ପାଉଁରୋଟି ମିଳେ ।”

 

ଗତ କେତେଦିନ ହେବ ଏ ଅଞ୍ଚଳରେ ଊର୍ଣ୍ଣନାଭ ଆଶ୍ରମର ପରିବା ଓ ଅଣ୍ଡା ବେଶ୍ ଲୋକପ୍ରିୟ ହୋଇଥାଏ । ବିଶେଷତଃ ବନ୍ଦର ଅଞ୍ଚଳକୁ ଯାତାୟାତ କରୁଥିବା ଅସଂଖ୍ୟ ପଥର ବୋଝେଇ ଟ୍ରକ୍‍ର ପଞ୍ଜାବୀ ଡ୍ରାଇଭର ଭବାନୀପ୍ରସାଦଙ୍କ ପରିବା ଓ ଅଣ୍ଡାକୁ ବେଶ୍ ଚିହ୍ନିଯାଇଥାନ୍ତି । ଉଇଗାଡ଼ରେ ଭାଲୁ ମୁହଁ ପୂରେଇଲା ଭଳି ଊର୍ଣ୍ଣନାଭ ଆଶ୍ରମର ମୂଳା ଆଉ ଅଣ୍ଡା ଟୋକେଇରେ ପଞ୍ଜାବୀ ଡ୍ରାଇଭରର ହାତ ଥରେ ପଶିଲେ ମାଲ୍ ଖତମ୍ । ଲୋକଗୁଡ଼ାଙ୍କର ସେଇ ବାଳବାଳୁଆ, ବେପରୁଆ ହାତଗୁଡ଼ାକୁ ଦେଖିପକେଇଲେ ଭବାନୀପ୍ରସାଦ ଖୁସିହୋଇଯାନ୍ତି । ଡରି ବି ଯାନ୍ତି ଟିକିଏ-। ବିଶେଷତଃ ସେଭଳି ହୁଙ୍କାପିଟା ହାତଗୁଡ଼ାକୁ ଲମ୍ବେଇ ଦେଇ ଅଣ୍ଡା ଟୋକେଇଟାକୁ ମନ୍ଥିପକାନ୍ତି ଯେତେବେଳେ ସେମାନେ, ନିଃଶ୍ଵାସ ବନ୍ଦ କରିଦେଇ ଭବାନୀପ୍ରସାଦଙ୍କୁ ମୁହୂର୍ତ୍ତେ ଅଟକି ଯିବାକୁ ହୁଏ । ଦିନେ ଦିନେ ଅଣ୍ଡା କେଇଟା ଖିନଖରାପ୍ ହୋଇଯାଏ ଅବଶ୍ୟ । କିନ୍ତୁ ମାଲ୍ ଉଠିଯାଏ-। କେବଳ ଊର୍ଣ୍ଣନାଭ ଆଶ୍ରମର ଜିନିଷ ନୁହେଁ, ଅନ୍ୟ ସବୁରି ପସରାର ତାଜା ତଟକା ଜିନିଷର ଅସଲ ଗରାଖ ଏଇମାନେ–ଏଇ ପଞ୍ଜାବୀ ଡ୍ରାଇଭରମାନେ । ତେବେ ଭବାନୀପ୍ରସାଦଙ୍କ ପସରା ଉପରେ ହିଁ ପଞ୍ଜାବୀ ଗରାଖ ବେଶି ପଡ଼ନ୍ତି । ଏହାର କାରଣ ଅନ୍ୟ କିଛି ନୁହେଁ–ସେଇ ଗୋଟିକ-। ଭବାନୀପ୍ରସାଦ ବଡ଼ିଭୋରରୁ ଉଠି ପଟାଳିରୁ ମୂଳା ଓପାଡ଼ିଲାବେଳେ ମୂଳାର ସରୁ ଗୋଜିଆ ସବାଶେଷ ଚେରଟିକୁ ଟିକିଏ ଭାଙ୍ଗିଦିଅନ୍ତି । ଯଦି ଟକ୍‍କରି ଭାଙ୍ଗିଯାଏ ତେବେ ତାକୁ ଟୋକେଇରେ ଭର୍ତ୍ତିକରି ଗଡ଼ିଆକୁ ନେଇଯାନ୍ତି ଓ କନ୍ଦଭଳି ଦିଶିବା ପର୍ଯ୍ୟନ୍ତ ଧୋଇଧାଇ ଦିଅନ୍ତି । ଚେର ଯଦି ଟିକିଏ ଟାଆଁସା ପଡ଼େ ତେବେ ତାକୁ ଧୁଅନ୍ତି ନାହିଁ । ଅଧୁଆ ବୁଢ଼ା ମୂଳା ଓ ଧୂଆ କଅଁଳ ମୂଳା ଭିତରେ ଏତିକି ପାର୍ଥକ୍ୟ ରଖି ତାକୁ ଗରାଖ ଆଗରେ ଥୁଅନ୍ତି ଭବାନୀପ୍ରସାଦ । ଅଣ୍ଡା ବିଷୟରେ ମଧ୍ୟ ସେଇ ନିଷ୍ଠା ରକ୍ଷା କରିଥାନ୍ତି । ସଢ଼ାଅଣ୍ଡା ଓ ବୁଢ଼ା ମୂଳା ବିଷୟରେ ମୂଳରୁ ସତର୍କ ଥାନ୍ତି ସେ-

 

ପଞ୍ଜାବୀ, ବିଦେଶୀ ମଣିଷ ମୂଳରୁ ମୂଳରୁ ଊର୍ଣ୍ଣନାଭ ଆଶ୍ରମର ମୂଳାକୁ ମଧ୍ୟ ନଖ ମାରୁଥିଲା ଓ ଅଣ୍ଡାକୁ ଦି ଚାରିଥର ପାଣିରେ ସିଂଘିବୁଡ଼ା ନ ଦବାଯାକେ ତା ମନ ମାନୁନଥିଲା । କିନ୍ତୁ ଭବାନୀପ୍ରସାଦ ସେ ବିଷୟରେ ସତର୍କ ହୋଇଗଲା ପରେ ଦିନେ ଖୋଦ୍ ଦୋକାନୀକୁ ମଧ୍ୟ ବିଦେଶୀ ଗରାଖ ପରଖି ବସିଲା । ପକେଟରୁ ତମାଖୁ ଡବାଟିଏ କାଢ଼ି ଦିନେ ଜଣେ ବୁଢ଼ା ପଞ୍ଜାବୀ ଭବାନୀପ୍ରସାଦଙ୍କ ଆଗରେ ଧଇଲା ଆଉ ତା’ ଭାଷାରେ କଅଣ ପଦେ କହିଲା–ଭବାନୀପ୍ରସାଦ ବୁଝିପାରିଲେ ନାହିଁ । କିନ୍ତୁ ରୂପା ତମାଖୁ ଡବାଟିକୁ ନିଠେଇକରି ଚାହୁଁ ଚାହୁଁ ସରୁ ଛୁଞ୍ଚିକାମ କରା ଦି’ଧାଡ଼ି ଅକ୍ଷର ତାଙ୍କ ଆଖିରେ ପଡ଼ିଗଲା । ପଞ୍ଜାବି ଅକ୍ଷର ଭବାନୀପ୍ରସାଦ ଚିହ୍ନନ୍ତି ନାହିଁ । କିନ୍ତୁ ରୁପା ଡବାଉପରେ ତାରକସୀ ଅକ୍ଷରରେ ଆଉ କଅଣ ବା ଲେଖା ହୋଇଥାଇପାରେ ନ ବୁଝିପାରି ଭବାନୀପ୍ରସାଦ ବୁଢ଼ାର ଡବାକୁ ଥରେ ନମସ୍କାର ଓ ଡବାରୁ ତମାଖୁ ଚିମୁଟାଏ ନେଇ ପୁଣିଥରେ ନମସ୍କାର କରି ନିଜ ପକେଟରୁ ପାନ ବଟାଟିଏ କାଢ଼ି ବୁଢ଼ା ଆଗରେ ଧଇଲେ । ଏ ବଟାଟି ମଧ୍ୟ ସେମିତି ପୁରୁଣାକାଳିଆ ମାନ୍ଧାତା ଅମଳର । ଭବାନୀପ୍ରସାଦଙ୍କ ବୁଢ଼ାବାପା ଏ ବଟାରେ ପାନ ରଖୁଥିଲେ ବୋଲି ତାଙ୍କ ବାପାଙ୍କଠୁଁ ପିଲାମାନେ ଶୁଣୁଥିଲେ ସେ । ବଟାଟା ସିନ୍ଦୁକ ଭିତରେ କେଉଁକାଳୁ ପଡ଼ିଥିଲା । ଏବେ ତାକୁ ପାଇ ସଫାସୁତୁରା କରି ବ୍ୟବହାର କରୁଥିଲେ ଭବାନୀପ୍ରସାଦ-। ଏ ଡବା ଉପରେ କିଛି ଅକ୍ଷର ଲେଖା ହୋଇନଥିଲା । କେବଳ ତିନୋଟି ମଲା ଜନ୍ଦାଙ୍କୁ ଧାଡ଼ିକରି ଥୋଇଦେଲେ ଯେମିତି ଦେଖାଯିବ ସେମିତି ତିନି ମୂର୍ତ୍ତି–ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ଗୋଟାଏ ଦନ୍ଥଡ଼ା ଦାମ୍ପଣରେ କେଉଁ ଗାଉଁଲି ଶିଳ୍ପୀ କି ନିଜେ ବୁଢ଼ା ତାଙ୍କ ଡବାଉପରେ ଚିତା କୁଟେଇଲା ଭଳି କୁଟେଇ ଦେଇଥିଲେ–

 

ବୁଢ଼ା ପଞ୍ଚାବୀ ଡ୍ରାଇଭର ଚିତ୍ର ତିନିଟାକୁ ଟିକିଏବେଳେ ଚାହିଁଲା, ତା’ ପରେ କଅଣ ଭାବିଲା କେଜାଣି ବିଚ୍ ବଜାରଉପରେ ଳମ୍ବହୋଇ ତଳେ ଶୋଇପଡ଼ି ମୁଣ୍ଡିଆଟିଏ ମାରିଲା । ତାପରେ ଝାଡ଼ିଝୁଡ଼ିହୋଇ ଉଠିପଡ଼ି ଭବାନୀପ୍ରସାଦଙ୍କ ଟୋକେଇକଯାକ ମୂଳା ଆଉ ଅଣ୍ଡା ଗାଡ଼ିରେ ଥୋଇ ତା’ ଭାଷାରେ କହିଲା, ଯାହାର ଅର୍ଥ ଏହିପରି ବୁଝିଲେ ସେ କାଲି ସକାଳେ ଅରୁଣଙ୍କର ଥାଳି ଯେତେବେଳେ ଗଗନରେ ଦେଖାଯିବ ସେତିକିବେଳେକୁ ପୁଣି ମୁଲାକାତ୍ ହେବ । ଭବାନୀପ୍ରସାଦଙ୍କ ହାତକୁ ପଇସା ଓ ଖାଲି ଟୋକେଇ ବଢ଼େଇଦେଇ ବୁଢ଼ା ପଞ୍ଜାବୀ ଡ୍ରାଇଭର୍ ଗାଡ଼ି ଝପଟେଇ ଚାଲିଗଲା । ଭବାନୀପ୍ରସାଦ ପଇସା ଗଣୁଥିଲେ; କିନ୍ତୁ ତାଙ୍କ ମନଭିତରେ ଶବ୍ଦ ତିନୋଟି ରଣ୍‍ଝଣ୍ ହେଉଥାଏ ବହୁତ ସମୟ । ଗଗନ ମେ ଅରୁଣକା ଥାଳ ହୋ ! ସତେକି କେଉଠାରେ ବହୁପୂର୍ବରୁ ଏହି ଶବ୍ଦ ତିନୋଟି ଲାଗିଥିବା କୌଣସି କବିତା ପଢ଼ିଥିଲେ ସେ; କିନ୍ତୁ ମନେପଡ଼ିଲା ନାହିଁ ତାଙ୍କର ।

 

ପରଦିନ ସକାଳୁ ଉତ୍କଣ୍ଠିତଭାବେ ଅପେକ୍ଷା କରିଥିଲେ ଭବାନୀପ୍ରସାଦ । ଭୋରଭୋରରୁ ମୂଳା ଆଉ ଅଣ୍ଡା ବୋଝଧରି ପହଞ୍ଚିଗଲେ ସେ ଛକମୁଣ୍ଡାରେ । ବୋଝ ଓହ୍ଲେଇ, ଚାହାଦୋକାନରେ ବସି’ ଚାହା ଟୋପିଏ ଟୋପିଏ ପିଉଥାନ୍ତି ଓ ଆକାଶରେ ସୂର୍ଯ୍ୟକୁ ଶତକୁଶତ ଚାହିଁ ଚାହିଁକା ସେ ଅପେକ୍ଷା କରୁଥାନ୍ତି ତାଙ୍କର ସେଇ ବୁଢ଼ା ପଞ୍ଜାବୀ ଗରାଖଟିର ଟ୍ରକ୍‍ର ବନ୍ଦରଦିଗରୁ ଲେଉଟାଣି ଯାତ୍ରାକୁ । ଏହି ସମୟରେ ତେଣୁ, ସହରଆଡ଼ୁ ପାସେଞ୍ଜର ବସ୍‍ଟିଏ ଆସିଲା ଓ କେଁକିନା ବ୍ରେକ୍‍ଟାଏ ଦେଲା । କୁକୁରଟାଏ ରାସ୍ତାମଝିରେ ଶୋଇଥିଲା । ସେଇଆକୁ ରକ୍ଷାକରିବା ପାଇଁ ବୋଧେ ଡ୍ରାଇଭର୍ ଏପରି ବ୍ରେକ୍ ଲଗେଇଦେଲା । କୁକୁର ବଞ୍ଚିଗଲା । ଭବାନୀପ୍ରସାଦ ବସ୍‍ର ଟୋକା ଡ୍ରାଇଭରକୁ ଗୋଟାଏ ସାବାସ୍ ଦେବେ ବୋଲି ପାଟିରୁ ଚାହା ଖଲାସ୍ କରି ଆଁ ମେଲେଇଛନ୍ତି କି ନାହିଁ ତାଙ୍କ ପାଟି ଆଫାଆଫା ହୋଇଗଲା । ଗାଡ଼ିରୁ ପ୍ରଥମେ ଯେଉ ଯାତ୍ରୀଟି ଓହ୍ଲାଇଲା ତା’ ମୁଣ୍ଡରେ ବନ୍ଧାହୋଇଥିବା ମୋଟା ବ୍ୟାଣ୍ଡେଜ୍‍ଟା ମୁହଁକୁ ତା’ର ଘୋଡ଼େଇ ପକେଇଥିଲା ମଧ୍ୟ, ବାଁ ହାତରୁ ଲଟକିପଡ଼ିଥିବା ସେ ଯୁଗକତଳର ଟିଣ ସୁଟକେଶ୍‍ଟିକୁ ଦେଖୁ ଦେଖୁ ଭବାନିପ୍ରସାଦ ଚିହ୍ନିପକେଇଲେ । ତାପରେ ନଜରପଡ଼ିଗଲା ପିଲାଟାର ବ୍ୟାଣ୍ଡେଜ୍ ବନ୍ଧା ମୁଣ୍ଡ ଓ ଡାହାଣ ହାତ ଉପରେ । ବାପର ଛାତି ରକ୍ କରି ହୋଇଗଲା । ମୋ ପୁଅ–କହି ଭବାନୀପ୍ରସାଦ ଚାହାଦୋକାନ ପିଣ୍ଡାରୁ ତଳକୁ ଡେଇଁପଡ଼ିଲେ । ମୀନକେତନ ବାପାକୁ ଦୁଇହାତ ଯୋଡ଼ି ନମସ୍କାର କରିବାକୁ ଅଜାଣତରେ ହାତ ଟେକିଦେଲା । କିନ୍ତୁ ବ୍ୟାଣ୍ଡେଜବନ୍ଧା ଡାହାଣହାତ କହୁଣିଟା ବାଙ୍କିଲା ନାହିଁ ବୋଧହୁଏ । ତେଣୁ ବାପକୁ କୁଣ୍ଢେଇପକେଇ ସେଇ ବଜାର ଉପରେ ଭେଁ ଭେଁ ରଡ଼ିଛାଡ଼ି କାନ୍ଦିପକେଇଲା ଓ ସେଇ କାନ୍ଦ ଭିତରେ କହିଲା–

 

“ମାରିପକେଇଲେ–ଓଡ଼ିଆଙ୍କୁ ମାରିପକେଇଲେ ବାହାର ପ୍ରଦେଶର ଲୋକେ–ଲୁହା କାରଖାନାରେ ଆଉ ଓଡ଼ିଆଙ୍କର ଚିହ୍ନବର୍ଣ୍ଣ ନାହିଁ ବାପା ।”

 

ଭବାନୀପ୍ରସାଦ ତଥାପି କୁଣ୍ଢେଇ ଧରିଥାନ୍ତି, ନିଜର ସବୁଠୁଁ ଅଜଣା, ଅପରିଚିତ, ହୀନିମାନିଆଁ ସେଇ ମଝିଆଁ ପିଲାଟାକୁ । ଇତିମଧ୍ୟରେ ବନ୍ଦରଆଡ଼ୁ ଦି ତିନିଟା ପଥର ବୁହା ଟ୍ରକ୍, ଯେ କି ଗତ ରାତିରେ ପଥର ଘେନି ବନ୍ଦରଆଡ଼କୁ ଯାଇଥିଲା, ଫେରିପଡ଼ିଲା । ଛକମୁଣ୍ଡରେ କଡ଼ପଟିଆ କରି ଗାଡ଼ିରଖି ଡ୍ରାଇଭରମାନେ ଅଣ୍ଡା ଆଉ ମୂଳା ଟୋକେଇଆଡ଼କୁ ଭାଲୁପରି ମାଡ଼ିଆସୁଥିଲା । ହଠାତ୍ କଅଣ ଗୋଟାଏ ଠୋକର ପାଇ ଜଣକର ସେଇ ବାଳ ବାଳୁଆ ହାତଟା ମୁହୂର୍ତ୍ତେ ଛଟଛଟ ହୋଇଗଲା । ପାଖ ଚାହା ଦୋକାନଟାର ତାଟିକୁ ସମ୍ଭାଳିଥିବା ବାଉଁଶ ଧଡ଼ାଟାକୁ ପୁଣିଥରେ ଦାଲୁକରି ଆଉ ଜଣକର ପଗଡ଼ିଭିଡ଼ା ମୁଣ୍ଡଉପରେ କଚ୍ଚି ଦଉଦଉ ସ୍ୱରଟିଏ ଶୁଣାଗଲା–

 

“ଲୁଟିନେଲେ–ସବୁ ଲୁଟ୍‍ କରିନେଲେ–ଖାଇଗଲେ, ଖାଇଗଲେ–”

 

ସାଙ୍ଗେ ସାଙ୍ଗେ ଆରମ୍ଭ ହୋଇଗଲା । ବସଷ୍ଟାଣ୍ଡ୍ ପାଲଟିଗଲା କାରଖାନା–ପୁଙ୍ଗା ବାଜିଗଲା ସବୁରି କାନରେ । ମେଳା ମେଳା ମଣିଷ କେଉଠି ଖପିଥିଲେ, ବାହାରିପଡ଼ିଲେ । ବନ୍ଦରଆଡ଼ୁ ଆହୁରି ଖୋଲାଟ୍ରକ୍ ଲାଗିଗଲା ପଛକୁପଛ । ସହରଆଡ଼ୁ ଯାତ୍ରୀବାହୀ ବସ୍‍ରୁ ମଧ୍ୟ ବାହାରିପଡ଼ିଲେ ଲୋକେ । ଉଠିଲା ଧଡ଼ା ଆଉ ମଟରର ଲୁହା ହାଣ୍ଡିଲ୍ । ଫାଟିଲା ତାଳୁ । ଛିନ୍‍ଛତର ହେଲା ମଟରକାଚ । ଲୁଟିହୋଇଗଲା ମିଠେଇ ଦୋକାନ । ବୃଷ୍ଟି ହେଲା–ରାସ୍ତା ତିଆରି ପାଇଁ ଜମାହୋଇଥିବା ଅକର୍ମଶୀଳ । ଆଉ ତାରି ମଝିରେ ଐରାବତ ଶୁଣ୍ଢର ପାଣି ଫୁତ୍କାରରୁ ଗଳିପଡ଼ୁଥିବା ମାଛ ଆଉ କଙ୍କଡ଼ାପରି ବର୍ଷିଗଲା ତାଜା ତଟକା ଅଣ୍ଡା, ବିଲାତି ବାଇଗଣ, ବାଇଗଣ ଆଉ ମୂଳା ।

 

ଠେଲାପେଲା ଭିତରେ ଭବାନୀପ୍ରସାଦ ଆଉଜିଗଲେ ରାସ୍ତାକଡ଼କୁ । ରାସ୍ତାକଡ଼ରେ ମାଇଲଖୁଣ୍ଟଟିଏ ଭଳି ଦୂରେଇ ଠିଆହୋଇ ଘଟିଯାଉଥିବା ଦୁର୍ଘଟଣାକୁ ଦେଖିବାଛଡ଼ା ତାଙ୍କର ଆଉ ଗତି ନ ଥାଏ । ସମୁଦାୟ ଦୃଶ୍ୟଭିତରୁ ସେ କେବଳ ଗୋଟିଏ ଜିନିଷକୁ ଖୋଜୁଥାନ୍ତି । ସେ ଜିନିଷଟି ହଉଚି ମୀନକେତନର ମୁଣ୍ଡଉପରେ ଗୁଡ଼ିଆ ହୋଇଥିବା ସେଇ ବ୍ୟାଣ୍ଡେଜ୍ କନା ଖଣ୍ଡକ । କୁଆଡ଼େ ଗଲା ସେ କନା, ସେ ମୁଣ୍ଡ ? ଠେକାଭିଡ଼ା ପଞ୍ଜାବୀ ଡ୍ରାଇଭରମାନେ ହାଉଯାଉ ହୋଇ ଏଣେତେଣେ ଦଉଡ଼ୁଥାନ୍ତି । ତାଙ୍କ ମୁଣ୍ଡର ଠେକାଗୁଡ଼ିକ ମଧ୍ୟ ତାଙ୍କ ସାଙ୍ଗରେ ଦଉଡ଼ୁଥାଏ । ତନ୍ମଧ୍ୟରୁ ମୀନକେତନର ବ୍ୟାଣ୍ଡେଜ୍ ଭିଡ଼ା ମୁଣ୍ଡକୁ ଠଉରଉ ଠଉରଉ ଭବାନୀପ୍ରସାଦ ଗୋଟିଏ ଦ୍ୱନ୍ଦ୍ୱରେ ପଡ଼ିଯାଇଥାନ୍ତି । ଆଖିଆଗରେ ଝଲସୁଥିବା ସେଇ କନା ଆଉ ରକ୍ତମୟତା ଭିତରୁ କୋଉଟା ଠେକା, କୋଉଟା ବ୍ୟାଣ୍ଡେଜ୍ ଥୟ କରି ପାରୁନଥାନ୍ତି ସେ । କିନ୍ତୁ ହଠାତ୍ ତାହାରି ଭିତରୁ ଗୋଟିଏ ଠେକାକୁ ସେ ଚିହ୍ନି ପକେଇଲେ–ସେଇ ବୁଢ଼ା ପଞ୍ଜାବୀ ଯେ ତାଙ୍କୁ ଆଜି ସକାଳକୁ କଣ୍ଟ ଦେଇଥିଲା । ମନେପଡ଼ିଗଲା ଭବାନୀପ୍ରସାଦଙ୍କର ସେଇ ପଦ ତିନୋଟି”–ଗଗନମେ ଅରୁଣକା ଥାଳ ହୋ !

 

ଭବାନୀପ୍ରସାଦ ଆଉ ଦ୍ରଷ୍ଟା ହୋଇପାରିଲେ ନାହିଁ । ସେଇ ଲୋକଟିକୁ ରକ୍ଷା କରିବାପାଇଁ ଭବାନୀପ୍ରସାଦଙ୍କର ମାଇଲଖୁଣ୍ଟ ବ୍ୟକ୍ତିତ୍ୱଟି ଫାଟିଗଲା ଓ ତା’ ଭିତରୁ ନରସିଂହ ଅବତାର ପରି ଶକ୍ତିଶାଳୀ ମୂର୍ତ୍ତିଟିଏ ମଝିରାସ୍ତାକୁ ଡେଇଁପଡ଼ିଲା । କିନ୍ତୁ ପଞ୍ଝାବିସ୍ତାର କାହାରି ଅନ୍ତବୁଜୁଳାକୁ ବିଦାରି ପକାଇବା ପରିବର୍ତ୍ତେ ଭବାନୀପ୍ରସାଦଙ୍କ ପଞ୍ଝା ଭିଡ଼ି ଭିତରୁ ସେଇ ଲୋକଟିକୁ ଓଟାରି ଆଣିଲା ଓ ତାକୁ ଆଉ ଗୋଟାଏ ଓଟରାରେ ନେଇ ପହଞ୍ଚେଇଦେଲା–ପାଖରେ ଠିଆ ହୋଇଥିବା ଗୋଟାଏ ଟ୍ରକ୍‍ର ଡ୍ରାଇଭର ଷ୍ଟିଅରିଂ ପାଖରେ ।

 

“ସେଆଡ଼କୁ ଅନାଅ ନାହିଁ–ସେମାନେ ମରାମରି ହଉଚନ୍ତି, ମାରିବା ପାଇଁ ନୁହେଁ–ୟାରି ଭିତରେ ବୁଝାଶୁଝା ବି ଲାଗିଚି ଦି’ପଟର–ବୁଝାବୁଝି ହୋଇଯିବେ–କିନ୍ତୁ ତୁମର ଆମର ବୁଝାବୁଝି ହୋଇସାରିଚି ଗତକାଲିଠଉ । ଆଜି ଯାଅ–ଆଉ ଯେବେ ଆସିବ ତଟକା ଜିନିଷ ରଖିଥିବି–ନେଇଯିବ ।”

 

ବୁଢ଼ା ପଞ୍ଜାବୀ ଡ୍ରାଇଭର ଖୁବ୍‍ଗୁଡ଼ାଏ ମାଡ଼ଖାଇ ଯାଇଥିଲା । ଠାଏ ଠାଏ ତା’ ଦିହରୁ ରକ୍ତ ଉବୁଜି ଆସିଥାଏ ଲୁଗାଉପରକୁ । କିନ୍ତୁ ଭବାନୀପ୍ରସାଦ ଦେଖିଲେ ବୁଢ଼ାର ଆଖିଦୁଇଟା ଆସ୍ତେ ଆସ୍ତେ ନରମି ଆସିଲା ଓ କ୍ରୋଧ ବଦଳରେ ଊର୍ଣ୍ଣନାଭ ଆଶ୍ରମର ଦୁଇଟା ଅଣ୍ଡାପରି ଅବିକଳ ଧଳା ଆଉ ଢଳଢ଼ଳ ହୋଇଗଲା ସେ ଆଖିଦୁଇଟା–ପଛକୁ ।

 

ଭବାନୀପ୍ରସାଦଙ୍କ ଅନୁରୋଧ ରକ୍ଷାକରି ବୁଢ଼ା ପଞ୍ଜାବୀ ଡ୍ରାଇଭର୍ ନିଜ ଦିହରୁ ବୋହିଯାଉଥିବା ରକ୍ତର ଆହ୍ଵାନକୁ ନ ଶୁଣି ଗାଡ଼ିଧରି ଛକଜାଗାରୁ ଚାଲିଗଲା । ତା’ ପଛେ ପଛେ ଅନ୍ୟାନ୍ୟ ଟ୍ରକ୍ ମଧ୍ୟ ସୁଁ ସାଁ ହୋଇ ଖସିଗଲେ । ଅବସ୍ଥା ଥଣ୍ଡାପଡ଼ିଗଲା ଟିକିଏ ।

 

ରାସ୍ତାକଡ଼ରେ ଯେଉଁଠି ପରିବା ବୋଝ ଆଉ ଅଣ୍ଡାବୋଝ ଥୋଇଦେଇ ଚାହା ଖାଇବାକୁ ଉଠିଯାଇଥିଲେ ଭବାନୀପ୍ରସାଦ, ସେ ସ୍ଥାନକୁ ଫେରିଆସି ଦେଖିଲେ ପରିବା ବା ଅଣ୍ଡା କିଛି ନ ଥିଲା । ଚମକିପଡ଼ି ରାସ୍ତାଉପରକୁ ଚାହିଁଲେ ସେ । ମଣିଷମାନଙ୍କ ଧାଁଧପଡ଼ ପାଦ ଆଉ ଟ୍ରକ୍, ମଟରର ସୁଁ ସାଁ ଘୂରୁଥିବା ଚକଗୁଡ଼ାକର ତଳେ ଗୁଡ଼ାଏ କୁନିକୁନି ଖପୁରୀ ଆଉ ତା’ ଭିତରୁ ପିଚିକି ଆସିଥିବା ଦହିଭଳି କେଶରଗୁଡ଼ାକୁ ଦେଖୁ ଦେଖୁ ଊର୍ଣ୍ଣନାଭ ଆଶ୍ରମର ଅଣ୍ଡାମାନଙ୍କୁ ଦ୍ଵିତୀୟଥର ପାଇଁ ସେଇ ଯୁଦ୍ଧକ୍ଷେତ୍ରରେ ଚିହ୍ନିପାରିଲେ ସେ । ତଟସ୍ଥହୋଇ ମୁହୂର୍ତ୍ତେ ରାସ୍ତାକଡ଼ରେ ଠିଆହୋଇଗଲେ–ଭବାନୀପ୍ରସାଦ ।

 

ପଛପଟୁ ପଁ ପଁ ମଟର ହର୍ଣ୍ଣ ଶୁଣି କେତେବେଳକେ ତାଙ୍କର ଧ୍ୟାନ ଭାଙ୍ଗିଲା । ସହରଆଡ଼ୁ ଗୋଟିଏ ମଟରଗାଡ଼ି ଆସିଥିଲା ଓ ରାସ୍ତାକଡ଼ରେ ଗ୍ରାମପଞ୍ଚାୟତ ସାଇନବୋର୍ଡ଼ ମରାହୋଇଥିବା ଦୋକାନରେ ଲାଗିବାପାଇଁ ଡ୍ରାଇଭର ଗାଡ଼ିକୁ କଡ଼ପଟିଆ କରୁ କରୁ ହର୍ଣ୍ଣ ଚିପୁଥିଲା ।

 

ଭବାନୀପ୍ରସାଦ ସେଇ ମଟରଗାଡ଼ିର ପେଟ ପଟୁଆ ଲେଖାହୋଇଥିବା ଅକ୍ଷର କେଇଟାକୁ ପଢ଼ୁଥିଲେ । ମୀନକେତନ ପଛପଟୁ ଆସି ତାଙ୍କୁ ଛୁଇଁଦେଲା ଓ କହିଲା–

 

“ଚାଲ ଯିବା । ଠିକ୍, ପାନେ ପାଇଗଲେ– ।”

 

ଭବାନୀପ୍ରସାଦ ସେପର୍ଯ୍ୟନ୍ତ ମୀନକେତନକୁ ଶୁଣିନଥିଲେ । ମଟର ପେଟଉପରେ ଯେଉଁ ଅକ୍ଷର କେତୋଟି ଲେଖାହୋଇଥିଲା ତାହାର ଅର୍ଥ କାଢ଼ୁଥିଲେ–

 

“ସରକାରୀ ଅଣ୍ଡା ଯୋଗାଣକେନ୍ଦ୍ର–ମୁକାମ–”

 

ଥରେ ଦୁଇଥର ସେଇ ଧାଡ଼ିଟିକୁ ପଢ଼ିଲା ପରେ ଭବାନୀପ୍ରସାଦ ପ୍ରଥମେ ଜଣେ ମୂଳଧନ ହରାଇଥିବା ବ୍ୟବସାୟୀପରି ନୈରାଶ୍ୟ ଓ କ୍ରୋଧରେ ଜଳିଗଲେ । ଅନ୍ୟଦିନ ହୋଇଥିଲେ ସେହି, “ସରକାରୀ ଅଣ୍ଡା” ଶବ୍ଦଟିକୁ ପଢ଼ୁ ପଢ଼ୁ ସେ ହସିଦେଇଥାନ୍ତେ ଓ ତାଙ୍କ ଅନ୍ତରର ସ୍ଵାବଲମ୍ବନଶୀଳତାର ଜଙ୍ଘରେ ଗୋଟାଏ ଫୋଟକା ଫୁଟେଇ କହିଥାନ୍ତେ– !

 

“ରହ ! ପରଖା ପରଖି ହବା ଯେ । ଏ ସଂସାରର ଗୁଡ଼୍‍ମନିମାନଙ୍କୁ ବ୍ୟାଡ୍ ମନିମାନେ, ଆଦୌ ତଡ଼ିପାରିବେ ନାହିଁ– !” କିନ୍ତୁ ଆଜି ଅନ୍ୟ ଏକପ୍ରକାର ଭୟ ତାଙ୍କୁ ଦୋହଲାଇଦେଲା ।

 

ରାସ୍ତାଉପରେ ଛିଞ୍ଚାଡ଼ିହୋଇ ପଡ଼ିଥିବା ଊର୍ଣ୍ଣନାଭ ଆଶ୍ରମର ଅଣ୍ଡାଉପରେ ପଛେଇ ପଛେଇ ଯାଉଥିବା ସରକାରୀ ଅଣ୍ଡା ଯୋଗାଣ ଗାଡ଼ିର ଚକ ଚଢ଼ି–ଯାଉଥିବା ଦୃଶ୍ୟ ପୁଣିଥରେ ଆଖିରେ ପଡ଼ିଯିବାମାତ୍ରେ ଭବାନୀପ୍ରସାଦ ସେଇ ଅଣ୍ଡାଟିକୁ ରାସ୍ତାଉପରେ ନିରିମାଖିଭାବେ ପଡ଼ିରହିଥିବା ଜାଗାରୁ ଉଦ୍ଧାର କରି ଆଣିବାପାଇଁ ମଟର ଚକା ତଳକୁ ନଇଁପଡ଼ୁଥିଲେ । କିନ୍ତୁ ଠିକ୍–ସମୟରେ ମୀନକେତନ ତାଙ୍କୁ ଧରିପକେଇଲା ।

 

ଛବିଶ

 

ଅକ୍ଟୋବର ମାସର ସକାଳ । ଲମ୍ବା ପୂଜାଛୁଟିଟିଏ ଯେଝା ଯେଝାର ଘରେ ବାପ, ମା’, ଭାଇ ଭଉଣୀ ଆଉ ସାର୍ବଜନନୀ ଦେବୀମୂର୍ତ୍ତିମାନଙ୍କ ଗହଣରେ କଟେଇ ଛାତ୍ରମାନେ ପୁଣି ଫେରିଆସିଥାନ୍ତି–ବିଶ୍ଵବିଦ୍ୟାଳୟ ହତା ଭିତରକୁ ।

 

ଏବର୍ଷ ପୂଜାଛୁଟି ଗୋଟାକଯାକ ନାହିଁନଥିବା ବର୍ଷା ହୋଇଯାଇଥାଏ । ବିଶ୍ଵବିଦ୍ୟାଳୟ ହତାଭିତର ମାଟିରୁ ତଥାପି ଓଦା ମରିନଥାଏ । ମରିନଥାଏ ବି ସେଇ ଆଇଁଷିଣିଆ ଗନ୍ଧଟା–ଯେଉଁଟା ପ୍ରତିବର୍ଷ ବର୍ଷାଋତୁ ଗୋଟାକଯାକ ବିଶ୍ଵବିଦ୍ୟାଳୟ ହତାଭିତରେ ଭଣ ଭଣ ହୁଏ । ସେଇ ଚଢ଼େଇ ମଳର ଦୁର୍ଗନ୍ଧ । କିନ୍ତୁ ମଳର ଦୂଷିତ ଦୁର୍ଗନ୍ଧ ସତ୍ତ୍ୱେ ବିଶ୍ୱବିଦ୍ୟାଳୟ ହତାକୁ ଗୋଟିଏ ଜୀବନ୍ତ ପାରିବାରିକ ଚିଁ ଚାଁ, କଁ କାଁ ଆଉ ଥେଣ୍ଟାଥେଣ୍ଟିର ଫଡ଼୍ ଫାଡ଼୍ ଭିତରେ ବୁଡ଼େଇ ଦେଇଥାନ୍ତି, ପ୍ରତିବର୍ଷ ଏତିକିବେଳେ ଯୋଉ ନୂଆ ଛୁଆ ଆଉ ତାଙ୍କର ମା’ ଚଢ଼େଇ । ସେମାନେ ଅନ୍ୟବର୍ଷ ପରି ଏ ବର୍ଷ ବି ବହୁସଂଖ୍ୟାରେ ଉଡ଼ିଆସିଥାନ୍ତି ବିଶ୍ୱବିଦ୍ୟାଳୟ ହତାର ସେଇ ଡେଙ୍ଗା ଡେଙ୍ଗା ଗହଳିଆ ଦେବଦାରୁ ଶାଖାମାନଙ୍କୁ । ଯଥାର୍ଥରେ ଏକ ପକ୍ଷୀ ନିବାସରେ ପରିଣତ ହୋଇଥାଏ–ବର୍ଷର ଏତିକିବେଳେ ଏଇ ବିଶ୍ୱବିଦ୍ୟାଳୟ ।

 

କିନ୍ତୁ ଏବର୍ଷ ଶରତଋତୁ ଖୁବ୍ ଛୋଟ ବା ପ୍ରାୟ ଅସ୍ତିତ୍ଵହୀନ ହେଲାପରି ମନେହେଉଥାଏ-। ଗଛମାନଙ୍କର କଅଁଳ ଚିକଣ ଶାଗୁଆ ପତ୍ରଗୁଡ଼ିକ ଏତେ ବର୍ଷା ସତ୍ତ୍ୱେ ଶୀଘ୍ର ଶୀଘ୍ର ଟାଆଁସା ଓ ପାଉଁଶିଆ ହୋଇଆସୁଥାଏ । ଉତ୍ତର–ଦିଗରୁ ଖୁବ୍ ହେମାଳ ପବନ ଅକ୍ଟୋବରର ଆରମ୍ଭରୁ ହିଁ ବୋହିବା ଆରମ୍ଭ କରିଥାଏ । ଏବର୍ଷ ନିରାଟ ଶୀତର ଅନ୍ୟାନ୍ୟ ସୂଚନା ମଧ୍ୟ ଗଛପତ୍ର, ପବନର ଗତି ଅପେକ୍ଷା ମଣିଷମାନଙ୍କ ପାଣ୍ଡୁର ମୁହଁଉପରେ ଅଧିକ ସ୍ପଷ୍ଟ ହୋଇଉଠିଥାଏ । ମଣିଷର ଶୀତଫଟା ଓଠ ଓ ପାଉଁଶିଆ ମୁହଁସବୁ କ୍ରମେ ବିଶ୍ୱବିଦ୍ୟାଳୟ ହତାରେ ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁଥାଏ ।

 

ତଥାପି ବିଶ୍ୱବିଦ୍ୟାଳୟ ହତାରେ ପ୍ରତିବର୍ଷ ଏଇ ଶୀତଋତୁଟି ହିଁ ବାସ୍ତବିକ ଗୋଟିଏ ବିଶିଷ୍ଟ ଆଉ ଉପଭୋଗ୍ୟ ସମୟ । ଏହି ସମୟରେ ହିଁ ବିଶ୍ୱବିଦ୍ୟାଳୟ କ୍ଵାଡ଼୍ରାଙ୍ଗଲରେ ନାନାବର୍ଣ୍ଣର ଫୁଲର ଧାଡ଼ିମାନ ଲମ୍ବିଯାନ୍ତି ଆର୍ଟସ୍ ବା ହ୍ୟୁମାନିଟିଜ୍ ବ୍ଳକ୍‍ଠାରୁ ବିଜ୍ଞାନ ବ୍ଳକ୍‍ଯାଏଁ, ପୁଣି ବିଜ୍ଞାନ ବ୍ଳକ୍‍ରୁ ଲାଇବ୍ରେରି ହୋଇ ସେଇ ଛାତ୍ରାବାସଗୁଡ଼ିକ ଆଡ଼େ ଯେଉଁଠି ନାନା ସ୍ଥାନ ଆଉ ଦେଶରୁ ଆଗତ ଛାତ୍ରଛାତ୍ରୀଙ୍କର ଅନବରତ କୋଳାହଳ ଶୁଣି କୌଣସି ସହୃଦୟ ଅଧ୍ୟାପକ ଛାତ୍ରାବାସଆଡ଼କୁ ଯାଇଥିବା ସେଇ ସରୁଆ ରାସ୍ତାକଡ଼ରେ ତୀର ଚିହ୍ନିତ ଫଳକଟିଏ ଆପଣା ଖର୍ଚ୍ଚରେ ଲଗାଇ ଦେଇଥିଲେ ଓ ସେଥିରେ ଥାଏ ଧାଡ଼ିଟିଏ–

 

“ତନ୍ତ୍ର–ନାନା ଦିଗଦେଶାତ୍ ଆଗତ୍ୟ...ପକ୍ଷୀଣୋ ନିବସନ୍ତି ।”

 

ଶୀତଋତୁ ଆରମ୍ଭରେ କ୍ଵାଡ଼୍ରାଙ୍ଗଲ୍‍ର ଫୁଲଧାଡ଼ିମାନଙ୍କର ଏଇ ବିଳମ୍ବମାନ ଦୈର୍ଘ୍ୟ କଡ଼େ କଡ଼େ, ନାନାବର୍ଣ୍ଣର ବୈଷମ୍ୟ ଓ ବୈଚିତ୍ର୍ୟକୁ ରକ୍ଷାକରି ଚାଲିଥିବା ଧାଡ଼ି ଧାଡ଼ି ଆଉ ଭେଳା ଭେଳା ମଣିଷର ପାଦକୁ ଲକ୍ଷ୍ୟ କରିବାକୁ ଭଲଲାଗେ । ଅବଶ୍ୟ ଶୀତ ସେମାନଙ୍କର ଶରୀରକୁ ଏକାଠି ମିଶେଇ କୁଙ୍କୁଡ଼ି କାଙ୍କୁଡ଼ି ପୁଟୁଳାଟିଏ କରିଦେବା ପରିବର୍ତ୍ତେ ସେମାନଙ୍କର ଶରୀରକୁ ପରସ୍ପରଠାରୁ ପୃଥକ୍ କରିଥାଏ । ଏ ପାର୍ଥକ୍ୟର କାରଣ ଅନେକ । ସହରୀ, ଗାଁଉଲି, ଧନୀ, ଦରିଦ୍ର, କଳା ବିଜ୍ଞାନ, ବୁଦ୍ଧିଆ, ନିର୍ବୁଦ୍ଧିଆ, କପାଳିଆ, ହତଭାଗା, ପୁଣି ଗରମ କୋଟ୍ ଆଉ ଖଦି–କେତେ ଭେଦ ଗୋଟିଏ ଶରୀରରୁ ଅନ୍ୟ ଶରୀର ମଝିରେ । କିନ୍ତୁ ସେମାନଙ୍କର ଶରୀରର ପାର୍ଥକ୍ୟ ସତ୍ତ୍ୱେ ଏଇ ପାଦତଳେ ହିଁ ସେମାନଙ୍କୁ ଏକାଠି କରିଦିଏ–ଶୀତ । ବୈଷମ୍ୟହୀନ ଓ ବୈଚିତ୍ର୍ୟହୀନ କରିଦିଏ–ଶୀତ । କାରଣ ସେତେବେଳେ ପ୍ରତ୍ୟେକ ପାଦତଳେ ପଦ୍ମଫୁଟିଲା ପରି ବିଶ୍ୱବିଦ୍ୟାଳୟ ହତାର ବିଚିତ୍ର ଫୁଲମାନେ ଏଠାକା ମଣିଷର ପାଦତଳେ ଫୁଟିଥାନ୍ତି । ପ୍ରତ୍ୟେକ ମଣିଷ, ଯେକେହି ଏ ହତାର ଫୁଲମାନଙ୍କ ଭିତରକୁ ଆସିଥାଏ, ସେ ସାଥିରେ ନୈରାଶ୍ୟ ଯେତେପାରେ ସେତେ ଆଣିଥାଉ ପଛେ ଆଶାର ଫୁଲଟିଏ ଅଜାଣତରେ ବି ଫୁଟିଯାଏ ତା’ ପାଦତଳେ । ବିଶ୍ୱବିଦ୍ୟାଳୟ ହତାର ଉର୍ବର ମାଟି ସେ ଫୁଲକୁ ଆହୁରି ବିଶାଳ, ପରିପୁଷ୍ଟ ରଙ୍ଗିନ୍ ଓ ସ୍ୱାଧୀନ କରିଦିଏ । ଚାହୁଁ ଚାହୁଁ ବସିଯାଏ ଫୁଲର ପ୍ରଦର୍ଶନୀଟିଏ । ଅନ୍ତତଃ ଦଶହରା ଛୁଟି ପୂର୍ବରୁ କଲେଜରେ ନାଁ ଲେଖେଇ, ବଡ଼ଦିନ ଛୁଟି ପରେ ଆଗାମୀ ପରୀକ୍ଷା ଦେବାକୁ ଥିବା ଛାତ୍ର ପାଇଁ ଏହି ଶୀତଋତୁଟି ହିଁ ସ୍ଵପ୍ନ ଦେଖିବାପାଇଁ ପ୍ରଶସ୍ତ–ଏଇ ବିଶ୍ୱବିଦ୍ୟାଳୟ ହତାଭିତରେ ।

 

କିନ୍ତୁ ଏବର୍ଷ ପୂଜାଛୁଟି ପରେ କଲେଜ ଖୋଲିବା ଦିନ ହିଁ କଲେଜ କ୍ଵାଡ଼୍ରାଙ୍ଗଲ୍‍ର ସବୁତକ ଫୁଲଚାରା ଦଳି ହୋଇଗଲା–ଇତସ୍ତତଃହୋଇ ଏଣେତେଣେ ଧାଁଧପଡ଼ କରୁଥିବା ମଣିଷମାନଙ୍କ ପାଦତଳେ । କଲେଜ୍ ବନ୍ଦକରି ଦିଆଗଲା । ପୋଲିସ ବୁଟ୍ କଲେଜ ହତା ଭିତରକୁ ପଶିଆସିଲା ଓ ଜୀବନରେ କେବେ ବୁଟ୍‍ପିନ୍ଧିନଥିବା ପାଦମାନଙ୍କୁ ବୁଟ୍ ପିନ୍ଧିବାପାଇଁ ଦେଶର ସବୁ ମହଲରୁ ଡକରା ଆସିଗଲା ।

 

ଦୁଇଟିଯାକ ଘଟଣା ପ୍ରାୟ ଏକାବେଳକେ ଘଟିଗଲା । ପ୍ରଥମଟି ହେଲା–ବିଶ୍ୱବିଦ୍ୟାଳୟ ହତାଭିତରୁ ପୁଣି ଗୋଟାଏ ଶବ ବାହାରିଲା । ଏ ଶବ ମୃରାଶା–ନାମ୍ନୀ ସେଇ କଲେଜ ଝିଅର–ଯାହାକୁ ଅନେକ ଦିନଧରି ପୁଲିସ୍ ଖୋଜୁଥିଲା । ଲାସ୍–ବହୁଦିନ ଧରି ସଢ଼ି ପଚି ତହିଁରେ ପଳେହେଲେ ଆଉ ମାଂସ ନ ଥିଲା ଯହିଁରୁ ତାକୁ ହଠାତ୍ ଚିହ୍ନି ହୋଇପାରିଥାନ୍ତା । କିନ୍ତୁ ଲାସ୍ ଚିହ୍ନଟ କରିବାପାଇଁ ବେଶି ବେଳ ଲାଗିଲା ନାହିଁ । ପ୍ରଥମରୁ ହିଁ ସେହି ସନ୍ଦେହଜନକ ଜିନିଷଟିକୁ ଘୋଡ଼େଇ ପକେଇଥିବା ଫୁଲଗୁଡ଼ାକୁ ଉଖାରିଦେବା ମାତ୍ରେ, ବଡ଼ ଲାସ୍‍ଭିତରୁ ଅଧା ବାହାରି ଓହଳିପଡ଼ିଥିବା ଯେଉ କଙ୍କାଳ ସର୍ବସ୍ଵ ଛୋଟ ଲାସ୍‍ଟି ଦେଖାଗଲା ସେହି ଭୟଙ୍କର ଚିତ୍ରଟା ହିଁ ସବୁକଥା ପ୍ରକାଶ କରିଦେଲା । କିନ୍ତୁ ବିଶ୍ୱବିଦ୍ୟାଳୟ ହତାକୁ, ଗୋଟିଏ ପ୍ରଚାରପତ୍ର ମରାହେବା ପରି ଆଖିଦୃଷ୍ଟିଆ ସ୍ଥାନ ମନେକରି ଏଠି ପୁଣି ଏକ ନୂଆ ଖେଳର ଚିତ୍ରଟିକୁ, କ୍ଵାଡ଼୍ରାଙ୍ଗଲ୍‍ର ଫୁଲମାନଙ୍କ ଭିତରେ ଯେ କେହି ରଖିଦେଇ ଯାଇଥାଉନା କାହିଁକି ଚିତ୍ରକୁ ଦୁର୍ବୋଧ୍ୟ ବା ରହସ୍ୟାବୃତ୍ତ ନ କରି ଆହୁରି ସ୍ପଷ୍ଟ ଓ ଅର୍ଥମୟ କରିବା ନିମିତ୍ତ ଖଣ୍ଡେ ଛୋଟିଆ କାଗଜର ଲେଖା ମଧ୍ୟ ଲାସ୍ ନିକଟରେ ଛାଡ଼ିଦେଇ ଯାଇଥିଲା । ସେଇ ଲେଖାଟି ଘଟଣା ସମ୍ବନ୍ଧରେ ଅବଶିଷ୍ଟ ସନ୍ଦେହକୁ ଦୂର କରିଦେଲା । ସେଥିରେ ଲେଖାଥିଲା–

 

“ଏହି ସେହି ରାଣ୍ଡି ନର୍ସର ଭଉଣୀ–ଯାହା ହୃଦୟରେ ଅଜଣା ଦୁଃସାହସଟିଏ ଦିନେ ଜୁଟିଥିଲା । ସେହି ଦୁଃସାହସ ହିଁ ତାକୁ ବିଶ୍ୱବିଦ୍ୟାଳୟର ଏହି ହତାଭିତରକୁ ଟାଣି ଆଣିଥିଲା । କିନ୍ତୁ ସେ ଜାଣିନଥିଲା ବିଶ୍ୱବିଦ୍ୟାଳୟର ଏଇ ହତାଭିତରେ ଯେତେ ପ୍ରକାଣ୍ଡ ଫାଙ୍କା କୋଠରି ସବୁ ରହିଛି–ସଇତାନ ସେଇ କୋଠରି ଭିତରେ ହିଁ ଅପେକ୍ଷା କରିଥାଏ–ଏହିପରି ଦୁଃସାହସୀକା ରାଣ୍ଡୀ ନର୍ସର ଭଉଣୀମାନଙ୍କ ପାଇଁ ।

 

“ସେଦିନ ଏହିପରି ଏକ କୋଠରି ଭିତରେ ସଇତାନ ମଣିଷର ଦୁଃସାହସକୁ ମାଡ଼ିବସିଲା ଓ ମୁହୂର୍ତ୍ତକ ମଧ୍ୟରେ ଦୁଃସାହସିକ ବେକ ମୋଡ଼ିଦେଇ ତାହାକୁ ଏକ କ୍ଷୁଦ୍ର ଅଭିଳାଷର ଆଇଁଷ ଖାଳେଇରେ ଭର୍ତ୍ତି କରିଦେଲା । ଏହିଠାରୁ ହିଁ “ଏୟାର ହୋଷ୍ଟେସ୍” ନାମକ ସେହି କ୍ଷୁଦ୍ର କାମନାର ଉତ୍ପତ୍ତି । କିନ୍ତୁ ବିଶ୍ଵବିଦ୍ୟାଳୟର ସଇତାନ, ରାଣ୍ଡୀ ନର୍ସର ଭଉଣୀର କ୍ଷୁଦ୍ରାଦପି କ୍ଷୁଦ୍ର କାମନାକୁ ମଧ୍ୟ ସେତିକିରେ ଛାଡ଼ିଦେଲା ନାହିଁ ।

 

“ସେଦିନ ଜ୍ୱାଡ଼୍ରାଙ୍ଗଲ୍‍ର ଏହି ଫୁଲବଣ ଭିତରେ ସଇତାନ ଅବଶେଷରେ କାମନାର ତଣ୍ଟିକୁ ମଧ୍ୟ ଚିପିଧରିଲା । ‘ମୁଁ ତତେ ଏୟାର୍ ହୋଷ୍ଟେସ୍ କରିଦେବି’ ବୋଲି ଏ କାନରେ କହୁ କହୁ ସଇତାନ ତା’ର ଶେଷ ଫନ୍ଦିଟିକୁ ସେ କାନରେ ଖୁନ୍ଦିଦେଲା ‘ମୁଁ ତୁମକୁ ପ୍ରେମ କରେ ।

 

“ମଣିଷର କ୍ଷୟଷ୍ଣୁ ଦୁଃସାହସ ଏହିପରି ପ୍ରେମ ପାଲଟିସାରି ମାତ୍ର ପାଞ୍ଚୋଟି ମିନିଟ୍ ପାଇଁ ସଇତାନ ସହିତ ଦିନେ ଏହି ଫୁଲବଣ ଭିତରେ ବାସ କରିଥିଲା । ଏହି ଫୁଲମାନେ ମଣିଷର ପ୍ରେମ ଓ ବିଶ୍ଵାସର ସାକ୍ଷୀ । ତେଣୁ ଏହାରି ଭିତରେ ତା’ର ଅବଶିଷ୍ଟାଂଶକୁ ରଖାଯିବା ଦ୍ଵାରା ଜଣେ ରାଣ୍ଡୀ ନର୍ସର ଦୁଃସାହସୀକା ଭଉଣୀର ଶେଷ ଇଚ୍ଛା ହିଁ ପୂରଣ ହେବା ସ୍ଵାଭାବିକ ।’’

 

ମୃରାଶାର ଲାସ୍ ପୁଲିସ୍ ହାତରେ ପଡ଼ିଥିଲେ ସୁଦ୍ଧା, କାଗଜ ଖଣ୍ଡିକ ବିଶ୍ଵବିଦ୍ୟାଳୟ ଛାତ୍ରମାନଙ୍କ ହାତରେ ପଡ଼ିଗଲା ।

 

ସନ୍ଧ୍ୟାସୁଦ୍ଧା ବିଶ୍ଵବିଦ୍ୟାଳୟ ହତାରେ, ନାନା ଦିଗଦେଶାତ୍ ଆଗତ ସତସତିକିଆ ଚଢ଼େଇମାନଙ୍କ ସ୍ଵର ସହିତ ଛାତ୍ରମାନଙ୍କ ସ୍ଵର ମିଶି ଏକାକାର ହୋଇଗଲା ।

 

କିନ୍ତୁ ସେହି ଅକ୍ଟୋବର ମାସର, ପୂଜାଛୁଟି ପରଦିନ ସନ୍ଧ୍ୟାରେ ଏଣେ ମୃରାଶା ଓ ତା’ର ଅବୈଧ, ଅପ୍ରସବିତ ଶିଶୁର ଲାସ୍‍କୁ ପୁଲିସଠାରୁ ଦାବିକରି ଗୋଟିଏ ଖାଲି କୋକେଇ ଛାତ୍ରମାନେ ପ୍ରସ୍ତୁତ କରୁଥିଲାବେଳେ ବିଶ୍ଵବିଦ୍ୟାଳୟର ଆଉ ଦଳେ ଛାତ୍ର ବୈଦେଶିକ ଭାଷା ଶିକ୍ଷା କୋଠରି କାଚ ଝରକା ଭାଙ୍ଗି ଭିତରକୁ ପଶିଗଲେ ଓ କାନ୍ଥରେ ବହୁବର୍ଷ ଧରି ଝୁଲାହୋଇଥିବା ଗୋଟିଏ ବଡ଼ ତୈଳପଟକୁ ବାହାର କରି ତଳେ ଫିଙ୍ଗିଦେଲେ । ବୁଦ୍ଧ ଓ କନ୍‍ଫୁସିଅସ୍‍ଙ୍କର ହୈତଛବି ଯୁକ୍ତ ଏହି ବିଶାଳ ତୈଳ ଚିତ୍ରର ପାଦଦେଶରେ ଉଭୟ ବିଦେଶୀ ଓ ସ୍ଵଦେଶୀ ଭାଷାରେ ଦୁଇଧାଡ଼ି ଅକ୍ଷର ଲେଖାହୋଇଥିଲା–ଯାହାର ଗୋଟିଏ ଧାଡ଼ି ହେଲା–

 

“ଭାରତ ଚୀନ ଭାଇ ଭାଇ ।”

 

ସେଦିନ ବିଶ୍ଵବିଦ୍ୟାଳୟ ଛାତ୍ରୀ ମୃରାଶା ଘଟଣାର ହୋ ହୋ ଭିତରେ ଅଧିକାଂଶ ଛାତ୍ର–ଛାତ୍ରୀ ରାତି ସାଢ଼େ ଆଠଟାରେ ବେତାର ଯୋଗେ ପ୍ରଧାନମନ୍ତ୍ରୀଙ୍କର ଦେଶ ପ୍ରତି ସେହି ଘୋର ବିପଦର ଜୁରୁରୀକାଳୀନ ଆହ୍ୱାନଟିକୁ ଶୁଣିପାରିନଥିଲେ । କିନ୍ତୁ ଅଧରାତିବେଳକୁ ସମଗ୍ର ଦେଶରେ ନିଆଁ ହୁତ୍‍କରି ଜଳିଉଠିଲା ।

 

ଅଧରାତି ସରିକି ଉତ୍ତର ଦିଗରୁ କୋହଲା ପବନ ଆହୁରି ଜୋରରେ ପିଟିବା ଆରମ୍ଭ ହୋଇଯାଇଥାଏ । ବିଶ୍ଵବିଦ୍ୟାଳୟ ଛକଉପରେ କୃତ୍ରିମ ଶବଟିଏ ଦାହ କରାଯାଉଥାଏ । ଏହା ମୃରାଶାର ନୁହେଁ, ନଟବରର ।

 

ସତେଇଶ

 

ପୂଜାଛୁଟି ଆରମ୍ଭରେ ଅନିରୁଦ୍ଧ କୃଷି ବିଶ୍ଵବିଦ୍ୟାଳୟ ହତାର ମାଳିକୁ ପ୍ୟାକେଟେ ଶସ୍ତା ସିଗାରେଟ୍ ହାତଗୁଞ୍ଜା ଦେଇ କିଛି ଫୁଲ ମଞ୍ଜି ଆଣିଥିଲା । ପ୍ରାୟ ମାସେ ଲମ୍ୱାଛୁଟି ଶେଷବେଳକୁ ସେଇସବୁ ମଞ୍ଜିରୁ ଖୁବ୍ ଭଲ ହୃଷ୍ଟପୃଷ୍ଟ ଚାରାଗଛଗୁଡ଼ିଏ ଉତୁରି ସାରିଥାଏ ଓ ସେଗୁଡ଼ିକ ବେଶ୍ ବଢ଼ିବାକୁ ଆରମ୍ଭ କରିଥାଏ ।

 

ଆଜି ସକାଳୁ ଭବାନୀପ୍ରସାଦଙ୍କ ହାତଖୋଲି । ଭୋରରୁ ଉଠି ଚାଙ୍କୁଡ଼ିଏ ଉଷୁମ ଅଣ୍ଡା କୁକୁଡ଼ାଙ୍କ ପେଟତଳୁ କାଢ଼ିନେବା ପାଇଁ ହାତ ବଢ଼ାଉ ବଢ଼ାଉ ହଠାତ୍ ତାଙ୍କର ହାତ ରହିଯାଇଥାଏ । ନିଶୂନ୍ ବନ୍ଦର ରାସ୍ତାଆଡ଼କୁ କେତେବେଳ କାନଡ଼େରି ବସିଲା ପରେ ସେ ପୁଣି ଥରେ କୁଡ଼ୁକି ବସା ମା’ମାନଙ୍କ ପେଟ ତଳକୁ ଉଷୁମ ଅଣ୍ଡାଗୁଡ଼ିକ ଠେଲିଦେଇଥାନ୍ତି ଓ କୁକୁଡ଼ା ଘରର ଜାଲି କବାଟ ଆଉଜେଇ ଦେଇ ଏକ ଫୁଲଚାରାଗୁଡ଼ିକ ପିଛା ସାରା ସକାଳଟି ଖର୍ଚ୍ଚ କରିବେ ବୋଲି ବାହାରିଥାନ୍ତି-

 

ବନ୍ଦର ରାସ୍ତାରେ ଏପର୍ଯ୍ୟନ୍ତ ଟ୍ରକ୍ ଚଳାଚଳ ପୂର୍ଣ୍ଣମାତ୍ରାରେ ଆରମ୍ଭ ହୋଇନଥାଏ । ଗତ ପଞ୍ଜାବୀ ଓଡ଼ିଆ ମାଡ଼ ପିଟାପିଟି ପରେ କାଁଭାଁ ଗୋଟାଏ ଅଧେ ଟ୍ରକ୍ ଓ ଯାତ୍ରୀବାହୀ ଗାଡ଼ି ଯିବାଆସିବା କରୁଥାଏ । ଟ୍ରକ୍ ଚାଳକମାନଙ୍କର ହରତାଳ ତଥାପି ସରିନଥାଏ । ରାସ୍ତାରୁ ଟ୍ରକ୍ ଉଭେଇଯିବା ପରେ ଭବାନୀପ୍ରସାଦଙ୍କ ଅଣ୍ଡା ଓ ପରିବା ବ୍ୟବସାୟ ପ୍ରାୟ ଅଚଳ ହୋଇପଡ଼ିଥାଏ । ତାଛଡ଼ା ସରକାରୀ ଫାର୍ମ ଅଣ୍ଡା ମଫସଲର ଗ୍ରାମପଞ୍ଚାୟତ ପରିଚାଳିତ ଦୋକାନକୁ ଆସିଯିବା ପରେ ଊର୍ଣ୍ଣନାଭ ଆଶ୍ରମର ଅବିକ୍ରି ଅଣ୍ଡା କୁଡ଼ୁକି ବସିଥିବା ମା’ କୁକୁଡ଼ାମାନଙ୍କର ପେଟତଳେ ମଧ୍ୟ ଜାଗା ନ ଧରି ଆସ୍ତେ ଆସ୍ତେ ବାହାରକୁ ଉବୁକି ପଡ଼ୁଥାଏ । ଗୋଟାଏ ଦିଇଟା ଅଲକ୍ଷଣୀ ମାଈ କୁକୁଡ଼ା ଅନ୍ୟର ପେଟତଳୁ ଉବୁକି ପଡ଼ିଥିବା ଡିମ୍ବକୁ ଗୋଡ଼ରେ ଗଡ଼େଇଦେଇ ଖୁମ୍ପାଖୁମ୍ପି ଫଟାଫଟି ନରଖର କରିବା ମଧ୍ୟ ଆରମ୍ଭ କରିଦେଇଥାନ୍ତି । ତଥାପି ଯେଝାଯେଝାର ଡିମ୍ବକୁ ସେମାନଙ୍କର ପେଟତଳକୁ ଯୋଗାଡ଼ିଦେଇ ଭବାନୀପ୍ରସାଦ କୁକୁଡ଼ାଙ୍କ ପରିବର୍ତ୍ତେ ସେଇ ସକାଳଟା ଫୁଲଚାରା ପଛରେ ଖର୍ଚ୍ଚ କରିବାକୁ ବାହାରିପଡ଼ିଥାନ୍ତି ।

 

ଛୁଟି ଆରମ୍ଭରେ ଯୋଉଦିନ ମଞ୍ଜିଗୁଡ଼ାକୁ କୃଷି ବିଶ୍ୱବିଦ୍ୟାଳୟରୁ ଘେନିଆସି ଅନିରୁଦ୍ଧ ଖୁସିମନରେ ଗାଁରେ ପହଞ୍ଚିଥିଲା, ଏଇ ଚାରାଗୁଡ଼ିକ ସେହି ମଞ୍ଜିର ଗଛ ହେଲେ ମଧ୍ୟ, ଗଛଗୁଡ଼ାକୁ ଦେଖି ଭବାନୀପ୍ରସାଦଙ୍କର ସେଇ ଦିନର କଥା ମନେପଡ଼ି ଯାଉଥାଏ । ସେଦିନ ଅନିରୁଦ୍ଧ ଆଣିଥିବା ମଞ୍ଜିଗୁଡ଼ାକୁ ତୁଚ୍ଛା ଅଗାଡ଼ି ମେଞ୍ଚାଏ ବୋଲି ଭବାନୀପ୍ରସାଦ ଆଶଙ୍କା କରିଥିଲେ । କାରଣ ବିଶେଷଜ୍ଞ ନିର୍ମିତ କୁକୁଡ଼ା ଖାଦ୍ୟକୁ ସନ୍ଦେହ କଲାପରି କୃଷି ବିଶ୍ଵବିଦ୍ୟାଳୟ ହାତର ମାଳିଠୁଁ ଅଣାଯାଇଥିବା ଫୁଲ ମଞ୍ଜି ପ୍ରତି ତାଙ୍କର ସନ୍ଦେହ ହବା ସ୍ଵାଭାବିକ ।

 

ଥଟ୍ଟାରେ ଥଟ୍ଟାରେ ସେଦିନ ଅନିରୁଦ୍ଧକୁ ସେ ପଚାରିଥିଲେ–

 

“କିରେ ? ଏ ମଞ୍ଜି ମଞ୍ଜି ତ ? ନା କୁକୁଡ଼ାଙ୍କ ମୁହଁରେ ଦେଇଦବା ?”

 

ଅନିରୁଦ୍ଧ ନୂଆ କୃଷି କଲେଜ ମାଡ଼ି ଫେରିଥାଏ । ନିଜ ବିଦ୍ୟା ଓ ବିଭାଗ ପ୍ରତି ତା’ର ଅନୁରାଗ ଜମିବା ସ୍ଵାଭାବିକ । ଭବାନୀପ୍ରସାଦ ପୁଅର ଏଇ ଅନୁରାଗ ଟିକକ ପରଖିବା ପାଇଁ ଅନିରୁଦ୍ଧ ମୁହଁକୁ ନିରିଖି କରି ବହୁତବେଳୁ ଦେଖିଥାନ୍ତି । ଏଥର ବିଶ୍ଵବିଦ୍ୟାଳୟ ପାଠରୁ ଯଥେଷ୍ଟ ଅନୁରାଗ ସେ ଧରିଆସିଥାଏ ବୋଲି ତାଙ୍କର ସନ୍ଦେହ ନ ଥାଏ । କାରଣ ସେଇ ପୂଜାଛୁଟି ଭିତରେ ହିଁ ଊର୍ଣ୍ଣନାଭ ଆଶ୍ରମର କୁକୁଡ଼ାମାନଙ୍କର ବହୁତ ହେପାଜତ କରିଥାଏ ଟୋକାଟା, ଆଉ ତା’ ଚାହାଣିରେ ଅନ୍ୟଥର ପରି ବିଚରା କୁକୁଡ଼ାଗୁଡ଼ାଙ୍କୁ ଡରେଇ ମରେଇ ଥରଉ ନଥାଏ ।

 

କିନ୍ତୁ ସେଇ ଛୁଟିଭିତରେ, ଅନିରୁଦ୍ଧ ମୁହଁରୁ ଅନ୍ୟ ଏକ ପ୍ରକାର ବିରକ୍ତିକର ଓ ଭୟଙ୍କର କଟାକ୍ଷ ଭବାନୀପ୍ରସାଦ ଅନ୍ୟାନ୍ୟ କ୍ଷେତ୍ରରେ ତଥାପି ଦେଖିବାକୁ ପାଇଥାନ୍ତି । ପିଲାଟା ସମ୍ପୂର୍ଣ୍ଣରୂପେ ସୁସ୍ଥ ହୋଇନାହିଁ ବୋଲି ସେତିକିରୁ ଜାଣିପାରିଥାନ୍ତି ଭବାନୀପ୍ରସାଦ । ତାଙ୍କ ବାପ ମନ ସେଦିନ ଅନିରୁଦ୍ଧର ଉତ୍ତରରେ ସାମାନ୍ୟ ଆଘାତ ମଧ୍ୟ ପାଇଥାଏ । କାରଣ କୃଷିବିଭାଗ ଫୁଲମଞ୍ଜିଗୁଡ଼ିକ ଠକାମି ଜିନିଷ କି ନା ଏହି ଥଟ୍ଟାଳିଆ ସରଳ ପ୍ରଶ୍ନର ଉତ୍ତରରେ ଆଜକୁ ମାସକ ତଳେ ଅନିରୁଦ୍ଧ ଉତ୍ତର ଦେଇଥିଲେ–

 

“ଫୁଲ ମଞ୍ଜିକଥା କଅଣ ପଚାରୁଛ ବାପା ? ଗୋଟିଏ ଖବର ବାହାରିଚି ଦେଖିଚ ? କାଲି କାଗଜରେ କୌଣସି ଗୋଟାଏ ଗୋଳାବାରୁଦ କାରଖାନାରେ ନିଆଁ ଲାଗିଯିବା ସମ୍ୱାଦଟା ପଢ଼ିନ ? ବାରୁଦ କାରଖାନାରେ ନିଆଁ ଲାଗିଯିବା ମାତ୍ରେ ସମସ୍ତେ, ଏପରିକି କାରଖାନାର ବିଶେଷଜ୍ଞମାନେ ଆଶଙ୍କା କରିଥିଲେ ଯେ ବାରୁଦ କାରଖାନାରେ ଯେତେ ବାରୁଦ ଥିଲା ସେଥିରେ ସମୁଦାୟ ସହରଟା ବୋଧହୁଏ ଜଳିଯିବ । କିନ୍ତୁ କଅଣ ହେଲା ଜାଣିଚ ? ନିଆଁ ଖୁବ୍ ଅଳ୍ପ ସମୟ ଭିତରେ ନିଭିଗଲା । ଏହାର କାରଣ ସ୍ୱରୂପ ଜଣାପଡ଼ିଲା ଯେ ବାରୁଦ କାରଖାନାର ବାରୁଦରେ ଯେଉଁ ନାଇଟର୍ ଓ ଗନ୍ଧକ ପ୍ରଭୃତି ମିଶେ ସେଥିରେ ବେଶି ଭାଗ ବାଲି ରହିଯାଇଥିଲା ।”

 

ଅନିରୁଦ୍ଧର ବକ୍ରୋକ୍ତି ହିଁ ଭବାନୀପ୍ରସାଦଙ୍କୁ ବେଶି ବିରକ୍ତିକର ଓ ଭୟଙ୍କର ଜଣାଗଲା । କୃଷି କଲେଜରେ ନାଁ ଲେଖେଇ ଫୁଲ ଓ କୁକୁଡ଼ାମାନଙ୍କୁ ଭଲପାଇବା ସତ୍ତ୍ୱେ ତାଆରି ଭିତରେ ଆହୁରି କିଛି ହିଂସାଭାବ ପିଲାଟାର ମନକୁ ଅଧିକ ଆଚ୍ଛନ୍ନ କରିଥାଏ ବୋଲି ସେ ବୁଝିପାରିଥିଲେ । ଅନିରୁଦ୍ଧ ଉପରେ ଚିଡ଼ିଯିବାବେଳେ ଫୁଲ ମଞ୍ଜିଗୁଡ଼ାକୁ ସେ ବିରକ୍ତିବଶତଃ ଅଯତ୍ନରେ ଫୋପାଡ଼ି ଦେଲାପରି ମାଟିରେ ଫୋପାଡ଼ି ଦେଇଥିଲେ । କିନ୍ତୁ ଯାହା ଦେଖାଗଲା ମଞ୍ଜିଗୁଡ଼ାକ ପ୍ରକୃତରେ ଅଗାଡ଼ି ନୁହେଁ । ତା’ ଭିତରେ ଭ୍ରୂଣ ଠିକ୍ ସମୟରେ ଚେଇଁଉଠିଥିଲା । ମଞ୍ଜିର ତୋପ ଯଥାସମୟରେ ଫୁଟିବା ସଙ୍ଗେ ସଙ୍ଗେ, ଭିତରର ଦୀର୍ଘ ସୁଷୁପ୍ତ ଭ୍ରୂଣମାନେ ଠିକ୍ ସମୟରେ ଆଖିଫିଟେଇଥିଲେ । ହୃଷ୍ଟପୃଷ୍ଟ ଚାରାଗୁଡ଼ାକ ବେଶ୍ ବଢ଼ି ଯାଇଥିଲା ।

 

ଭବାନୀପ୍ରସାଦ ସକାଳୁ ସକାଳୁ ଏହି ଚାରାଗୁଡ଼ାକୁ ଯଥାସ୍ଥାନରେ ରୋଇବା ପାଇଁ ଆଶ୍ରମ ହତା ଭିତରେ ତଥାପି ଉପଯୁକ୍ତ ଜାଗା ଖୋଜୁଥାନ୍ତି । ଏହି ସମୟରେ ବନ୍ଦର ରାସ୍ତାରେ ଗୋଟାଏ ମଟରଗାଡ଼ି ଯାଉଥିବା ଶବ୍ଦ ଶୁଣି ସେ କାନପାତିଲେ । ଟ୍ରକ୍ ନୁହେଁ, ଯାତ୍ରୀବାହୀ ଗାଡ଼ିର ଶବ୍ଦ ନୁହେଁ, କୌଣସି ଛୋଟ ଗାଡ଼ି । ଛୋଟ କାରଗୁଡ଼ାକ ପୂର୍ବପରି ବନ୍ଦର ରାସ୍ତାରେ ତଥାପି ବହୁ ସଂଖ୍ୟାରେ ଯାଆସ କରୁଥାନ୍ତି । ବାବୁଭୟା, ହାକିମ ହୁକୁମାଙ୍କ ବନ୍ଦର ଗସ୍ତଛଡ଼ା ଅନ୍ୟାନ୍ୟ ଅନେକ ଥାନୀବାସିନ୍ଦାମାନେ ମଧ୍ୟ ଏ ଅଞ୍ଚଳରେ ଇତିମଧ୍ୟରେ ଗାଡ଼ି କରିଗଲେଣି । ବିଶେଷତଃ ବନ୍ଦର ନିର୍ମାଣ ଯୋଜନା ଆରମ୍ଭ ପରଠୁଁ ଏ ଅଞ୍ଚଳରେ ପ୍ରାଇଭେଟ୍ ଗାଡ଼ି ସଂଖ୍ୟା ଆହୁରି ବଢ଼ିଗଲାଣି । ବନ୍ଦର ଅଞ୍ଚଳରେ ସ୍ଥାନୀୟ ଯେତେଲୋକେ ବଡ଼ବଡ଼ ଠିକା ପ୍ରଭୃତି କାମ ଠିକଣାବେଳେ ଧରିନେଇଥିଲେ ପ୍ରାୟ ସମସ୍ତେ ୟାଭିତରେ ନିଜନିଜର ଗାଡ଼ି କରିନେଲେଣି ।

 

ଇତିମଧ୍ୟରେ ଜନରବ ହେଉଥାଏ ଯେ ଗାଁର ମାନବା ଗୋଚ୍ଛାୟତ୍ ମଧ୍ୟ ଖଣ୍ଡିଏ ଗାଡ଼ି ଖରିଦ କରିବ ବୋଲି ଠିକ୍ କରିସାରିଛି ।

 

ବନ୍ଦରରାସ୍ତାରୁ ଗାଁ ଭିତରଆଡ଼କୁ ଚାଲିଆସିଲାଭଳି ଛୋଟ ଗାଡ଼ିଟିର ଶବ୍ଦ ଶୁଣି ଭବାନୀପ୍ରସାଦଙ୍କର କାହିଁକି ମନେହେଲା ଯେ, ବୋଧହୁଏ ମାନବା ଗାଡ଼ିଘିନି ଊର୍ଣ୍ଣନାଭ ଆଶ୍ରମକୁ ଆସୁଛି–ଭବାନୀପ୍ରସାଦଙ୍କୁ ଦେଖାକରିବାପାଇଁ । ମୁହୂର୍ତ୍ତକ ପାଇଁ ଭବାନୀପ୍ରସାଦଙ୍କର ଗୋଟାଏ ତୀବ୍ର ଇଚ୍ଛାହେଲା ଊର୍ଣ୍ଣନାଭ ଆଶ୍ରମର ଠାଏ ଅନାବନାହୋଇ ବଢ଼ିଥିବା ଗୋଟିଏ ଅରମା ଭିତରେ ବିସିପଡ଼ି ଲୁଚିଯିବା ପାଇଁ । କିନ୍ତୁ ଲୁଚିବା ପରିବର୍ତ୍ତେ ସେ ଚାଲଚାଲ ହୋଇ ଯାଇ ପହଞ୍ଚିଗଲେ ହତାଫାଟକ ପାଖରେ । ଗାଁଭିତରକୁ ପଶିଆସିଥିବା ଗାଡ଼ିଟା ବାସ୍ତବିକ ସେଇ ହତା ଫାଟକ ପାଖରେ ଅଟକିଗଲା କିନ୍ତୁ ମାନବାର ‘‘କିହୋ ମାଷ୍ଟ୍ରେ” ଡାକ ପରିବର୍ତ୍ତେ ଗାଡ଼ିରେ ଲାଗିଥିବା ଗୋଟିଏ ଡାକବାଜି ଯନ୍ତ୍ରର ସଁ ସଁ ଶବ୍ଦଟି ପ୍ରଥମେ ଶୁଣାଗଲା । ଚାହୁଁ ଚାହୁଁ ଗାଁର ପିଲାଏ ବେଢ଼ିଗଲେ । ସହରକୁ ଆସିଥିବା ନୂଆ ସିନେମା ବା ସର୍କସର ବିଜ୍ଞାପନପ୍ରଚାର ଗାଡ଼ି ବୋଲି ଭାବି ପିଲାଙ୍କ ପଛକୁ ଅନ୍ୟାନ୍ୟ ସମସ୍ତେ ପହଞ୍ଚିଗଲେ । ଡାକବାଜିର ସଁ ସଁ ଭିତରୁ କ୍ରମେ ଏହି ମର୍ମନ୍ତୁଦ ଘୋଷଣାଟି ଭବାନୀପ୍ରସାଦଙ୍କ କାନରେ ପଡ଼ିଲା–

 

“ବନ୍ଧୁଗଣ ! ଆଜିକୁ ପନ୍ଦର ବର୍ଷ ତଳେ ଆମର ଜନ୍ମଭୂମି ସ୍ଵାଧୀନତା ଅର୍ଜନ କରିଥିଲା । ଶହେ ବର୍ଷରୁ ଊର୍ଦ୍ଧ୍ୱ ସ୍ୱାଧୀନତା ଆନ୍ଦୋଳନ ଚଳାଇ ଆମର ପୂର୍ବପୁରୁଷ ଓ ଆମରି ପୁରୁଷର ଅସଂଖ୍ୟ ଲୋକ ଜନ୍ମଭୂମି ପାଇଁ ଆତ୍ମବଳୀ ଦେଇଥିଲେ । ଅବଶେଷରେ ସ୍ଵାଧୀନତା ଆମର ହସ୍ତଗତ ହୋଇଥିଲା କିନ୍ତୁ ବନ୍ଧୁଗଣ ! ଆଜି ସେହି ସ୍ଵାଧୀନତା ବିପନ୍ନ । ଦେଶର ସୀମାରେ ବହିସ୍ଥ ଶତ୍ରୁର ଆକ୍ରମଣ ସମ୍ୱାଦ ପଛକୁ ଗତରାତିରେ ପ୍ରଧାନମନ୍ତ୍ରୀଙ୍କର ଜାତି ପ୍ରତି ବେତାର ଘୋଷଣା ଆପଣମାନେ ଶୁଣିଥିବେ । ଯୁଦ୍ଧ ଆସିଗଲା–ଯୁଦ୍ଧ ।

 

“ମାତ୍ର ବନ୍ଧୁଗଣ ! ଏ ଯୁଦ୍ଧ ଗତ ଶହେବର୍ଷର ସ୍ଵାଧୀନତା ଆନ୍ଦୋଳନର ସାଧାରଣ ଯୁଦ୍ଧ ନୁହେଁ । ଏହା ଅହିଂସାର ଯୁଦ୍ଧ ନୁହେଁ, ହିଂସାର ଯୁଦ୍ଧ । ଶତ୍ରୁ ସମ୍ମୁଖରେ ଅନଶନ କରି, ଧର୍ମଘଟ କରି, ଶୋଇରହି ବାଟ ଓଗାଳିବାର ଯୁଦ୍ଧ ଏ ନୁହେଁ । ଏହା ନଖ ଓ ଦାନ୍ତ ସାଙ୍ଗରେ ତାଳଦେଇ ଯୁଝୁଥିବା ନଖ ଓ ଦାନ୍ତର ଯୁଦ୍ଧ ।”

 

ଭବାନୀପ୍ରସାଦ ଶୁଣୁଥିଲେ ।

 

ଡାକବାଜି ଯନ୍ତ୍ରର ଆଢ଼ୁଆଳରେ ରହିଥିବା ବକ୍ତା ଜଣେ ଭଲ ବକ୍ତୃତା ଦେଲାବାଲା ନିଶ୍ଚୟ । କାରଣ ବକ୍ତୃତା ଯେତିକି ଯେତିକି ଦୀର୍ଘ ହେଉଥିଲା ଭବାନୀପ୍ରସାଦଙ୍କ ଷାଠିଏ ସେପାରି ଶୋଇଲା ଧମନୀଗୁଡ଼ାକ ସେତିକି ସେତିକି ଚେଉ ଉଠୁଥିଲେ । ଛାତିଭିତରେ ଗୁମ୍ ଗୁମ୍ ହୋଇ ଫୁଟିଉଠୁଥାଏ କମାଣ । ଏ କମାଣର ବାରୁଦରେ ଯେ ଆଦୌ ବାଲିଭାଗ ନ ଥାଏ, ବିଶୁଦ୍ଧ ରଞ୍ଜକରେ ଏହାର ଗୋଳାଗୁଡ଼ିକ ତିଆରି, ଅନୁଭବ କରିପାରୁଥାନ୍ତି ସେ ।

 

ଡାକବାଜି ଯନ୍ତ୍ରର ସ୍ୱର କ୍ରମଶଃ ସାମାନ୍ୟ ପ୍ରଚାରମୂଳକ ଅଭିଭାଷଣରୁ ଏକ ପ୍ରଚାର ଉଦ୍ଦେଶ୍ୟ ବିହୀନ ବୈଦ୍ଧକ ବିଶ୍ଳେଷଣ ଆଡ଼କୁ ଗତି କରୁଥାଏ । ଭବାନୀପ୍ରସାଦ ସେପର୍ଯ୍ୟନ୍ତ ସମର୍ଥନ କରି ଚାଲିଥାନ୍ତି ସେହି ସ୍ୱରଟିକୁ କିନ୍ତୁ ଠାଏ ସ୍ୱରଟି ସାଙ୍ଗେ ଦଉଡ଼ୁ ଦଉଡ଼ୁ ଭବାନୀପ୍ରସାଦଙ୍କ ଆବେଗର ପାଦଉପରେ ସ୍ୱରର ପାଦ ହଠାତ୍ ଚକଟି ପକେଇଲା । ଯନ୍ତ୍ରଣାରେ ଆଃ ବୋଲି ଉଚ୍ଚସ୍ୱରରେ କହି ଭବାନୀପ୍ରସାଦ ବସିପଡ଼ିଲେ । ତାପରେ ତାଙ୍କ କାନରେ ପଡ଼ିଲା ବକ୍ତାଙ୍କର ସେହି ସାଂଘାତିକ ପ୍ରମାଦପୂର୍ଣ୍ଣ ଶେଷ କେତୋଟି ବାକ୍ୟ–

 

“ପୃଥିବୀ ଇତିହାସର ଯେକୌଣସି ସ୍ୱାଧୀନତାର କାହାଣୀ ଖୋଜିଲେ ଆମେ ଦେଖିବାକୁ ପାଇବା–ସେଇ ଗୋଟିଏ ସ୍ଥିର ସତ୍ୟ । ବିନା ରକ୍ତ ବିନିମୟରେ ପୃଥିବୀର କୌଣସି ଦେଶର ସ୍ୱାଧୀନତା କ’ଣ କେବେ ଦୃଢ଼ହୋଇ ତିଷ୍ଠିପାରିଛି ! ଶହ ଶହ ବର୍ଷର “ସ୍ୱାଧୀନତା ଯୁଦ୍ଧ” ପରେ ଯେଉଁ ରକ୍ତହୀନ ଶେଥାମୁହାଁ ସ୍ୱାଧୀନତାଟିକୁ ପନ୍ଦର ବର୍ଷ ତଳେ ଆମେ ଜେଲ୍‍ରୁ ମୁକୁଳେଇ ଘରକୁ ଆଣିଥିଲୁ, ବନ୍ଧୁଗଣ ! ସେହି ଶେଥା ସ୍ୱାଧୀନତା ଆଜି ରକ୍ତ ଚାହୁଁଛି–ରକ୍ତ । ସେଦିନ ଆମର ପୂର୍ବପୁରୁଷାମାନେ ଏହି ରକ୍ତକୁ ଭୟ କରିଥିଲେ । ଅହିଂସା ଏହି ଭୟର ପରିଣତ । ଜନ୍ମଭୂମିର ସ୍ୱାଧୀନତାକୁ ସୁଦୃଢ଼ କରିବା ନିମିତ୍ତ ଆମକୁ ଭୟ ଛାଡ଼ିବାକୁ ପଡ଼ିବ । ଅକାତରେ ରକ୍ତ ଦାନ କରିବାକୁ ପଡ଼ିବ । ଜାତୀୟ ସେନାବାହିନୀରେ ଆବାଳ–ବୃଦ୍ଧ–ଜନତା ସମସ୍ତଙ୍କୁ ହିଁ ସମୟକ୍ରମେ ଯୋଗଦେବାକୁ ହେବ ।”

 

ଭବାନୀପ୍ରସାଦ ମୂଢ଼ପରି ବସି ରହିଥାନ୍ତି ।

 

ଡାକବାଜି ଗାଡ଼ି, ଗାଁ ପିଲାଙ୍କ ଉଦ୍ଦେଶ୍ୟରେ ଗୋଛାଏ ଯୁଦ୍ଧ ପ୍ରଚାରପତ୍ର ଫୋପାଡ଼ିଦେଇ ସେ ଗାଁ ଛାଡ଼ି ଅନ୍ୟ ଗାଁଆଡ଼େ ମୁହେଇଁ ଯାଇଥାଏ । ତା’ର ଶବ୍ଦ ଆଉ ଶୁଭୁନଥାଏ-। ଭବାନୀପ୍ରସାଦ ତଥାପି ବସିଥାନ୍ତି ।

 

ମଝିଆଁ ମୀନକେତନ ସେପର୍ଯ୍ୟନ୍ତ ନିଦରୁ ଉଠିନଥାଏ । ବାପଠାରୁ ବର୍ଷ ବର୍ଷ ଧରି ଅଲଗା ହୋଇ ରହିଥିବା ଏହି ପିଲାଟି ଗତ ରାତିରେ, ଅନେକଦିନ ପରେ ପହିଲିଥର ପାଇଁ, ବାପ ପାଖରେ ଦିହକୁ ଦିହ ଲାଗି, ଏକା ଖଟରେ ଶୋଇଥାଏ । ରାତିସାରା ଭବାନୀପ୍ରସାଦ ତାକୁ ଆଉଁସୁଥାନ୍ତି । କିନ୍ତୁ ଦିନଯାକ ବଜାର ଉପରେ ଥେଇ ଥେଇ ନାଚି ସେ ଯେମିତି ରଡ଼ି ପକଉଥାଏ–“ଓଡ଼ିଆ ଗଲେ କୁଆଡ଼େ ? ଓଡ଼ିଆ ଗଲେ କୁଆଡ଼େ ?” ନେଇଗଲେ–ସେମାନେ ସବୁ ବୋହିନେଲେ !” –ରାତିରେ ବି ସେ ଟୋକା ସେମିତି ବିଳିବିଳୋଉଥାଏ–“ଓଡ଼ିଆ ଗଲେ କୁଆଡ଼େ-?” ରାତିସାରା ଭବାନୀପ୍ରସାଦ ସେଇ ଦୁଷ୍ପ୍ରାପ୍ୟ ମଝିଆଁ ଟୋକାଟାର ବ୍ୟାଣ୍ଡେଜ୍ ବନ୍ଧା ମୁଣ୍ଡକୁ ନିଜ କୋଳରେ ଥୋଇ ଆଉଁସି ଆଉଁସିକା ତାକୁ ପ୍ରବୋଧି ଥିଲେ–

 

“ବ୍ୟସ୍ତ ହ ନା । ସବୁ ଠିକ୍ ହୋଇଯିବ । ଏ ରାତି ପାହିଯିବ । ସାରା ପୃଥିବୀଟାଯାକ ମଣିଷ ତୋରିପରି ଏ ଘୋର ରାତିରେ ବାଉଳେଇ ହଉଚନ୍ତି ! ଏ ଯେଉଁ ଯନ୍ତ୍ରଣା ତୁ ଭୋଗୁଛୁ ଏ ଯନ୍ତ୍ରଣା ଖାଲି ତୋର ବୋଲି ଭାବନା । ଏ ଯନ୍ତ୍ରଣା ମଣିଷର । ହିଂସା ନୁହେଁ’ ମଣିଷର ଏ ଜ୍ୱାଳା ତା’ ନିଜ ପ୍ରତି ନିଜର ‘ପ୍ରତିହିଂସା’ର ଫଳ । ହିଂସା ମଣିଷକୁ ଯୁଦ୍ଧ କରାଏ । ବୁଝାମଣା ପାଇଁ ବାଟ କଢ଼ାଏ । କିନ୍ତୁ ପ୍ରତିହିଂସା ଦୁଇଜଣିଆଁ ଯୁଦ୍ଧ ନୁହେଁ । ଏହା ଜଣିକିଆ । ସେଇଥିପାଇଁ ମୋର କୋଳରେ ଥାଇ ମଧ୍ୟ ପ୍ରତିହିଂସା ତତେ ଏତେ ଏକାଟିଆ କରିଦେଇଛି ଯେ–ତୁ ଡାକ ପକା ମଣିଷ ଗଲେ କୁଆଡ଼େ–ଦେଖିବୁ ସବୁ ଜଳାପୋଡ଼ା ପୁଣି ଭଲ ହୋଇଯିବ ।”

 

ମୀନକେତନର ଯନ୍ତ୍ରଣାକୁ ଏହିପରି ରାତିସାରା ଅନୁଶୀଳନକରି ଭବାନୀପ୍ରସାଦ ସକାଳୁ ବେଶ୍ ଗୋଟାଏ ସାନ୍ତ୍ୱନା ପାଇଆସୁଥିଲେ । ଏହି ସାନ୍ତ୍ୱନା ଯୋଗୁଁ ସକାଳେ କୁକୁଡ଼ାଘରେ ସେଇ କୁକୁଡ଼ାଙ୍କ ଥଣ୍ଟରେ ଅନ୍ୟ କୁକୁଡ଼ାଙ୍କର ଅଣ୍ଡା ଭାଙ୍ଗିହୋଇ ପଡ଼ିଥିବା ଦୃଶ୍ୟକୁ ସେ ତଥାପି ବରଦାସ୍ତ କରିପାରିଥିଲେ ।

 

କିନ୍ତୁ ଯେତେବେଳେ ଡାକବାଜି ଯନ୍ତ୍ରରୁ ସେ ଶୁଣିବାକୁ ପାଇଲେ ସେଇ ପ୍ରଶ୍ନଟି–“ବିନା ରକ୍ତ ବିନିମୟରେ ପୃଥିବୀର କୌଣସି ଦେଶର ସ୍ଵାଧୀନତା କଅଣ ତିଷ୍ଠିପାରିଛି ?” ସେଇଠି ତାଙ୍କର ଧୈର୍ଯ୍ୟ ଭାଙ୍ଗିପଡ଼ିଲା । ଗତ କେତେବର୍ଷ ଧରି କେତେ ବଡ଼ ବଡ଼ ଲୋକଙ୍କ ମୁହଁରୁ ମଧ୍ୟ ସେ ଏଇ ପ୍ରଶ୍ନଟି ଶୁଣିଆସିଥିଲେ । ଏପରିକି ଯେଉଁମାନେ ସ୍ଵାଧୀନତା ଯୁଦ୍ଧରେ ପ୍ରତ୍ୟକ୍ଷ–ଭାବେ ଯୋଗଦେଇଥିଲେ ଓ ଦେଶପାଇଁ ପ୍ରତ୍ୟକ୍ଷରେ ରକ୍ତଦେଇ ସତକୁସତ ଶେଥା ଶେଥା ମୁହଁଟିମାନ ଧରି ତଥାପି କୌଣସିପ୍ରକାରେ ବଞ୍ଚିରହିଥିଲେ, ସେମାନେ ମଧ୍ୟ କେହି ଏହିପରି କଥାବାର୍ତ୍ତା ହଉଥିଲେ–

 

“ରକ୍ତପାତ ଦରକାର–ରକ୍ତପାତ !”

 

ଭବାନୀପ୍ରସାଦ ତଥାପି ଭାବୁଥିଲେ । ପ୍ରଶ୍ନଟି ବିଷୟରେ ଯେତିକି ଯେତିକି ସେ ଭାବୁଥିଲେ, ସେତିକି ସେତିକି ଛୋଟ ଓ ନିଉନ ହୋଇଆସୁଥିଲେ ସେ ନିଜପାଖରେ । କିନ୍ତୁ ସମାଧାନ ମିଳିବା ତ ଦୂରର କଥା ବରଂ କ୍ରମେ ନିଜଉପରେ ନିଜର ସନ୍ଦେହ ଓ କ୍ରୋଧ ଆସ୍ତେ ଆସ୍ତେ ବଢ଼ିଉଠୁଥାଏ–ତାଙ୍କ ଅନ୍ତରରେ ।

 

ଅନିରୁଦ୍ଧର ଫୁଲଚାରାଗୁଡ଼ିକ ଓପଡ଼ାହୋଇ ତଥାପି ରୁଆ ବା ପୋତା ନ ହୋଇ ଖରାରେ ପଡ଼ିଥାଏ । ହଠାତ୍ ସେହି ଫୁଲଚାରା ବିଷୟରେ ସଚେତ ହେବାରୁ ଭବାନୀପ୍ରସାଦ ଉଠିପଡ଼ୁଥାନ୍ତି । ଗଠନମୂଳକ କାର୍ଯ୍ୟର ତୀବ୍ର ଆକର୍ଷଣ ତଥାପି ତାଙ୍କ ହାତକୁ ମୁକ୍ତ ରଖିଥାଏ । ଏହି ସମୟରେ ହଠାତ୍ ଏକ ବନ୍ଧନ ପରି ତାଙ୍କ ହାତଉପରେ ଆଉ କାହାର ହାତ ଛୁଉଁ ଛୁଉଁ ଭବାନୀପ୍ରସାଦ ଚମକିପଡ଼ିଲେ ଓ ହାତଟାକୁ ଛାଡ଼ିଦେଲେ । କିନ୍ତୁ ସେହି ମୁହୂର୍ତ୍ତରେ ପଛକୁ ବୁଲିପଡ଼ି ସେ ଦେଖିଲେ ସେ ହାତଟି ଆଉ କାହାର ନୁହେଁ–ବୁଢ଼ା ଲାଙ୍ଗୁଳା ନରହରି ପରିଡ଼ାଙ୍କର ।

 

ଭବାନୀପ୍ରସାଦ ଏହିପରି ମୁହୂର୍ତ୍ତରେ ନାଙ୍ଗୁଡ଼ାଙ୍କ ଉପସ୍ଥିତିକୁ ବହୁତବେଳୁ ମନେମନେ ଅପେକ୍ଷା କରୁଥିଲେ । ତାଙ୍କ ସହିତ ବହୁତ ଦିନ ଦେଖାହୋଇନଥିଲା ଭବାନୀପ୍ରସାଦଙ୍କର । ବିଶେଷତଃ ନାତିଟିର ଶୋଚନୀୟ ମୃତ୍ୟୁପରେ ନାଙ୍ଗୁଡ଼ାଏ ଆଉ ଘରୁ ବାହାରକୁ ପ୍ରାୟ ବାହାରୁନଥିଲେ ।

 

ଏତେଦିନ ପଯ୍ୟନ୍ତ ସାଙ୍ଗସାଥୀ ହୋଇନଥିବା ମଣିଷଟା ଆସୁ ଆସୁ ତା’ ହାତକୁ ଛିଞ୍ଚାଡ଼ି ଦେଇଥିବାରୁ ଭବାନୀପ୍ରସାଦ ନାଙ୍ଗୁଡ଼ାଙ୍କୁ କୁଣ୍ଢେଇ ପକେଇଲେ, ଜାବୁଡ଼ି ଧରିଲେ ଓ ତତ୍‍କ୍ଷଣାତ୍ ତାଙ୍କ ପାଟିରୁ ବାହାରିପଡ଼ିଲା–

 

“ଆପଣଙ୍କ ମତ କଅଣ ?”

 

“କୋଉ କଥା ?”

 

“ଏଇ ରକ୍ତ !” ଭବାନୀପ୍ରସାଦଙ୍କ ତଣ୍ଟି ଆବୁ ଆବୁ ହୋଇଆସୁଥାଏ । ଶଦ୍ଦର ଦ୍ଵାର ବନ୍ଦ ହୋଇଆସୁଥାଏ । ତଥାପି ସେ କହିପକେଇଲେ–

 

“ଆମେ ଦେଇନୁ ? ଯଥେଷ୍ଟ ଦେଇନୁ ? ଜନ୍ମଭୂମି ଆଉ ସ୍ଵାଧୀନତା ପାଇଁ ଯଥେଷ୍ଟ ରକ୍ତ ଦେଇନୁ ? ଯେତେ ରକ୍ତ ଏ ଦିହରେ ଥିଲା–ଆପଣମାନେ ସବୁ ନିଗାଡ଼ି ଦେଇନାହାନ୍ତି ? କଅଣ କହୁଛନ୍ତି ଆପଣ ?”

 

ନାଙ୍ଗୁଡ଼ାଙ୍କର ମୁହଁରୁ ଉତ୍ତର ଶୁଣିବାପାଇଁ ଭବାନୀପ୍ରସାଦ ନିଜ ଅନ୍ତରର କୋଳାହଳକୁ ଚାପିଦେଲେ । ହଠାତ୍ ସବୁଆଡ଼େ ନିରବ ଆଉ ଶାନ୍ତ ହୋଇଗଲା । ଏତେ ନିରବ ଏତେ ଶାନ୍ତ ଯେ ପାଖ ଗୁହାଳରେ ପାକୁଳି କରୁଥିବା ଗୋଟିଏ ଗାଈର ଶବ୍ଦ ଭବାନୀପ୍ରସାଦଙ୍କ କାନରେ ପଡ଼ିଗଲା । ଭୁଟକରି ଗୋଟାଏ ପବନ ଫୋଟକା ଜୀବଟାର ପାକସ୍ଥଳୀରେ କେଉଁଠୁ ସୃଷ୍ଟିହୋଇ କେଉଁଠି ଲୀନ ହୋଇଗଲା ସେ–ଶବ୍ଦମୟ ଫୋଟକାଟାର ସମସ୍ତ ଗତିପଥକୁ ଭବାନୀପ୍ରସାଦ ହଠାତ୍ ସତେକି ଆଖିରେ ଦେଖିପାରିଲେ ।

 

ଚୁପ୍‍କରି ଭବାନୀପ୍ରସାଦଙ୍କ ହାତକୁ ଡାକ ଲଫାପାରେ ପଶିଆସିଥିବା ଖଣ୍ଡେ ଚିଠି ନାଙ୍ଗୁଡ଼ାଏ ବଢ଼େଇଦେଲେ । ଚିଠିଟି ଭବାନୀପ୍ରସାଦଙ୍କ ପାଖକୁ ଆସିଥିଲା; କିନ୍ତୁ ତହିଁରେ ବିଭୁପ୍ରସାଦର ହସ୍ତାକ୍ଷରକୁ ହଠାତ୍ ଚିହ୍ନିପାରିଲେ ସେ । ସାଙ୍ଗେ ସାଙ୍ଗେ ଧାଡ଼ିଏ ମାତ୍ର ଅକ୍ଷର ପଢ଼ିଦେବାକୁ ବେଶୀବେଳ ଲାଗିଲା ନାହିଁ ତାଙ୍କୁ । ଲେଖାଥିଲା–

 

“ମୁଁ ମୋର ଗର୍ଭବତୀ ସ୍ତ୍ରୀ–ସେଇ ହରିଜନ ଝିଅଟିଉପରେ ପାଶବିକ ଅତ୍ୟାଚାର କରି ତାଙ୍କୁ ଜୀବନରେ ମାରିଦେଲି ବାପା ।”

 

ଭବାନୀପ୍ରସାଦ କୌଣସି ଅଲୌକିକ ଆଶଙ୍କାରେ ଚିଠିଟାକୁ ସବୁରି ଆଖିରୁ ଲୁଚେଇଦବା ପାଇଁ ହଠାତ୍ ଚିରି ଖଣ୍ଡ ଖଣ୍ଡ କରିଦେଲେ ।

 

କିନ୍ତୁ ନାଙ୍ଗୁଡ଼ାଏ ସବୁ ସତେକି ଆଗରୁ ଜାଣିଥିଲେ । ହସିଦେଲେ ଆଉ ଅଶୀ ପାଖାପାଖି କିମ୍ୱା ତଦୁର୍ଦ୍ଧ୍ଵ ସେଇ ମୁଣ୍ଡଟାକୁ ଥରେ ଏ ପାଖକୁ ଆଉଥରେ ସେ ପାଖକୁ ଝାଙ୍କିଦେଲେ ସେ । ତାହାହିଁ ଥିଲା ତାଙ୍କ ଉତ୍ତର–ଭବାନୀପ୍ରସାଦଙ୍କ ସେଇ ପ୍ରଶ୍ନ–“ଆମେ ରକ୍ତ ଦେଇନୁ ? ର ଉତ୍ତର ।

 

ଭବାନୀପ୍ରସାଦଙ୍କର ଚରମ ଉପଦେଷ୍ଟା ସେଇ ନାଙ୍ଗୁଡ଼ାଙ୍କର ମୁଣ୍ଡଟି ଉପରେ ସତେକି ସମୁଦାୟ ଊର୍ଣ୍ଣନାଭ ଆଶ୍ରମର ପସରାଟି ଥୁଆହୋଇଥିଲା । ଭୁସ୍‍କିନା ଓଲଟିପଡ଼ିଲା । ଗୁଳଗାଳ ହୋଇ ସବୁ ଖସିପଡ଼ିଲା । ଠିକ୍‍ କରି ଛିଣ୍ଡିଗଲା କୋଉଗୋଟାଏ ଡୋର ବି । ଆଉ ସେଇ ଡୋରରେ ଗୁନ୍ଥା ହୋଇଥାଏ ଯେତେଯାହା ଗଛ, ମାଛ, କୁକୁଡ଼ା, ଗାଈ, ଅରଟ ଆଉ ଅହିଂସା ସ୍ଵାଧୀନତା ପ୍ରଭୃତି ଗୁଡ଼ାଏ ଶବ୍ଦ ବା ପଦାବଳୀ–ସବୁଗୁଡ଼ାକ ଗୁଡ଼ାଏ ଅସଂଲଗ୍ନ ଗାର ଆଉ ବିନ୍ଦୁ ଭଳି ଊର୍ଣ୍ଣନାଭ ଆଶ୍ରମର ହତା ବାହାରକୁ ଛିଟିକିପଡ଼ିଲା ।

 

ଅଠେଇଶ

 

ଯୁଦ୍ଧ ଆସିଗଲା ।

 

ବିଭୁପ୍ରସାଦର ସେଇ ଚିଠି ଖଣ୍ଡକ ଭବାନୀପ୍ରସାଦଙ୍କ ହାତରେ ପଡ଼ୁ ନ ପଡ଼ୁଣୁ ଆସିଗଲା ଅସଲ ଯୁଦ୍ଧ ।

 

ଗତ ନଅ ଦଶମାସ ତଳେ ଏହି ଯୁଦ୍ଧକୁ ଜାତୀୟ ବନ୍ଦର ନିର୍ମାଣ ସମ୍ପର୍କରେ ଖବରକାଗଜର କୋଉ କଣରେ ଉଙ୍କିମାରିବା ଦେଖିଥିଲେ ଭବାନୀପ୍ରସାଦ । ଆଉ ସେହିଦିନ ହିଁ ଦଉଡ଼ି ଯାଇଥିଲେ ସେ ସହରକୁ–ଗୋଟିଏ କଲେଜର ଛାତ୍ରଆନ୍ଦୋଳନରେ ଅଗ୍ରଣୀହେବାକୁ ଗୋଡ଼ ଟେକିଥିବା ପୁଅ ଅନିରୁଦ୍ଧ (ଆଉ ସେହି ଅନ୍ୟ ପଙ୍ଗୁ ମେଧାବୀ ଛାତ୍ରଟି ମଧ୍ୟ) ଏମାନଙ୍କ ଗୋଡ଼କୁ ପଛପଟୁ ଟାଣିଦେଇ ସେ ଜଣେ ସର୍ବଜ୍ଞ ପରି ସେଦିନ କହିଥିଲେ–“ରହ ଯାଅନା, କେହି କୁଆଡ଼େ ଯାଅନା, ମୋ ପିଲାଏ–ମୁଁ କହୁଛି ପରା, ଯାଅନା–ମୁଁ ଜାଣେ ଏ ଆନ୍ଦୋଳନ କିଛି ନୁହେଁ, ଭାରି କ୍ଷୀଣ ଏହାର ମଞ୍ଜ, ଏଡ଼େ ଟିକିଏ ଶତ୍ରୁ ଉପରେ ଏଡ଼େବଡ଼ ପାହାର ଦେଲେ ଶତ୍ରୁ ମରିଯିବ ସିନା–ଆପେ କିନ୍ତୁ ସ୍ଥାନଚ୍ୟୁତ ହୋଇଯିବ–ସରିଯିବ–ସବୁ ସରିଯିବ–ଅସଲ ଶତ୍ରୁ, ଅସଲ ଯୁଦ୍ଧ ଆସିଲାବେଳକୁ ଏ ଦେଶରେ ବିଲେଇ ପିଲାଟିଏ ନଥିବ ଯେ କି ନିଜ ଆସ୍ଥାନରେ ଦୃଢ଼ହୋଇ ବସିଥିବ । ...ଏ ପୃଥିବୀ ମୁଁ ଯାହା ଦେଖିଲିଣି, କାଳକ୍ରମେ ବିଦ୍ୟାଶୂନ୍ୟ, ପଣ୍ଡିତ ଶୂନ୍ୟ, ମେଧାଶୂନ୍ୟ ହୋଇଯିବରେ.....”

 

କିନ୍ତୁ ଦଶମାସ ଉତ୍ତାରେ ଭବାନୀପ୍ରସାଦ ଯେତେବେଳେ ପୁଣି ପଛକୁ ଅନେଇଦେଲେ, ସେ ଦେଖିଲେ ଊର୍ଣ୍ଣନାଭ ଆଶ୍ରମ ହତା ଫାଟକ ଆଗରେ ରିକ୍ସାଟିଏ ଆସି ଥୁଆହୋଇଗଲାଣି । ସେଥିରେ ବସିଛି ଅନିରୁଦ୍ଧ । ମୁହଁ ଏଡ଼େଟାଏ ହୋଇଯାଇଛି ତା’ର । ଅଶେଷ ଅଭିମାନ ଆଉ କ୍ରୋଧର ପସରାଟିଏ ମୁଣ୍ଡରେ ତା’ର ଲଦିଦେଇ ପୁଣି ସତେକି କିଏ ବେକଟାକୁ ତା’ର ମୋଡ଼ିଦେଇଛି ପଛକୁ ।

 

ସବାସାନ ଅନିରୁଦ୍ଧର ସେ ମୁହଁ ଦେଖୁ ଦେଖୁ ଭବାନୀପ୍ରସାଦ ଭୁଲିଗଲେ ବଡ଼ ବିଭୁପ୍ରସାଦର ସେଇ ଚିଠିଖଣ୍ଡକୁ । ଭୁଲିଗଲେ ସେ ମଝିଆଁ ମୀନକେତନର ବ୍ୟାଣ୍ଡେଜ୍ ବନ୍ଧା ସେଇ ମୁଣ୍ଡଟାକୁ । ଦଉଡ଼ିଗଲେ ସେ । ଫାଟକ ଫିଟୋଉ ନ ଫିଟୋଉଣୁ ଅସମ୍ଭାଳ ହୋଇ ତାଙ୍କର ଲୁଗାପଟା ଫିଟିଗଲା । ଲଙ୍ଗଳା ମୁକୁଳା ହୋଇ ଧାଇଁଯାଇ ଅନିରୁଦ୍ଧକୁ ମାଡ଼ିବସିଲେ ସେ । ଆଉ ସେଇଠୁ, ଗାଁ ଦାଣ୍ଡଟାରେ ଠିଆହୋଇ ଏଡ଼େ ପାଟିଟାଏ ଆରମ୍ଭ କରିଦେଲେ–

 

“ଫେରିଯା–ମୁଁ କହୁଚି ଫେରିଯା ତୋ ଆସ୍ଥାନକୁ । ତୋତେ ଯୋଉଠି ଛାଡ଼ିଦେଇ ଆସିଥିଲି–ତୋ ଜାଗା ସେଇଠି–ଫେରିଯା ମୁଁ କହୁଚି...ତତେ କିଏ ପୁଣି ଏତେ ଅବସ୍ଥା କଲା ? କିଏ ପୁଣି ତୋ ମୁଣ୍ଡରେ ଏ ହିଂସା, ଏ ଜିଜ୍ଞାସା ଭର୍ତ୍ତିକରି ନାରଖାର କରି ଛାଡ଼ିଦେଲା ? ଏତେ ଅବସ୍ଥା ଭୋଗିଲୁ–ଛୁଟିଟାଯାକ । ମାସ ଦିଟା ଯାଇନାହିଁ, ଏତେ କଷ୍ଟକରି, ଏତେ ହେପାଜତ କରି ତୋ ମୁଣ୍ଡରୁ ସେ ଭୂତକୁ ଛଡ଼େଇଥିଲି । କୁକୁଡ଼ାଛୁଆଟାଏ ତୋ ଆଖିକୁ ଚାହିଁଦେଲେ ଡରରେ ଚିରିଚିରେଇ ଉଠୁଥିଲା–ଘରୁ ଗଲାଦିନୁ ସେଇ କୁକୁଡ଼ାଙ୍କ ଆଖିକୁ ଅନେଇ ତୁ ପରା ଲୁହ ବୁହେଇଥିଲୁ ! ତୋର ସେ ସବୁ କଥା କୁଆଡ଼େ ଉଭେଇଗଲା–ମାତ୍ର ଘଣ୍ଟା କେଇଟା ଭିତରେ ? ସବୁ ବିଦ୍ୟା ପୋଡ଼ି ଖାଇଦେଲୁ ?”

 

ଅନିରୁଦ୍ଧ କିଛି ଉତ୍ତର ଦେଲାନାହିଁ ବାପ କଥାର । ଉଁ କି ଚୁଁ କଲା ନାହିଁ । ମୁଣ୍ଡରେ ମୁଣ୍ଡେ ରାଗ ବୋହିଥିଲେ ସୁଦ୍ଧା, ଉପରଟା ତା’ର ତଥାପି ଭାରି ଥଣ୍ଡା ଥାଏ । ଆସ୍ତେ ବାପର ଚାପୁଆଣି ବାହା ଦିଟାକୁ ନିଜ ଚାରିପାଖୁ ମୁକୁଳେଇଦେଲା । ଅଲଗା ହୋଇ ଟିକିଏ ଠିଆହେଲା । ତାପରେ କଅଣ ଭାବିଲା–ଯାହା ସେ ଜମାରୁ କରେନାହିଁ, ସେଇଆ କରିଦେଲା । ବାପର ପାଦତଳେ ଲଅମ୍ବ ହୋଇ ପଡ଼ିଗଲା । ପୁଣି ଭୁସ୍‍କିନା ଉଠି ଠିଆହୋଇପଡ଼ିଲା । ଝାଡ଼ିଝୁଡ଼ି ହୋଇପଡ଼ିଲା ପରସ୍ତେ । ତାପରେ ହଠାତ୍, ଘୋଷଣା କଲାଭଳି କହିଲା–

 

“ମୁଁ ଏଇ ରିକ୍ସାରେ ହିଁ ଫେରିଯିବି । ମତେ ଆଜି ରାତିରେ ଗାଡ଼ି ଧରିବାକୁ ପଡ଼ିବ ।”

 

“କୁଆଡ଼େ ? କୁଆଡ଼େ ?” ଚମକିଉଠିଲେ ଭବାନୀପ୍ରସାଦ ।

 

“ମୁଁ ଏକା ନୁହେଁ ଆହୁରି ଅନେକ ମୋର ସାଙ୍ଗ–ଆମର ସିଲେକ୍ସନ୍ ହୋଇଯାଇଛି–ମୁଭମେଣ୍ଟ ଅର୍ଡ଼ର ମିଳିଗଲାଣି ।” ଟିକିଏ ଭାବବିହ୍ଵଳହୋଇ ଅଟକିଗଲା ସେ । କିନ୍ତୁ ପୁଣି ରାହାଧରି କହିଲା ।

 

“ସିଲେକ୍ସନରେ ସେମାନେ ପ୍ରାୟ କିଛି ଦେଖିଲେ ନାହିଁ–ଏମିତିକି ମୋର ସେଇ ସାଙ୍ଗଟି ଯାହାର ଆଣ୍ଠୁରେ ରିଉମାଟିଜିମ୍–ସେଇ ଯାହାକୁ ପଙ୍ଗୁ, ମେଧାବୀ କୁହ ତମେ–ତାକୁ ବି ନେଇଗଲେ ସେମାନେ ।”

 

“କୁଆଡ଼େ ? କୁଆଡ଼େରେ ? –ଯୁଦ୍ଧକୁ ?” ଭବାନୀପ୍ରସାଦ ଅନିରୁଦ୍ଧର ମୁଁହାମୁହିଁ ହୋଇଯିବାକୁ ବୁଲିପଡ଼ୁଥିଲେ । କିନ୍ତୁ ଅନିରୁଦ୍ଧ ସେତେବେଳକୁ ଆଉ ଘେରାଏ ବୁଲିସାରିଥିଲା ଓ ଊର୍ଣ୍ଣନାଭ ଆଶ୍ରମ ଭିତରକୁ ପଶିଯାଇ କୁକୁଡ଼ାଘର ପାଖଦେଇ ମଝିଆଁ ଭାଇ ସହିତ ଦେଖାକରିବାକୁ ବହାରିପଡ଼ୁଥିଲା । କିନ୍ତୁ ହଠାତ୍ ସେ ଅଟକିଗଲା କୁକୁଡ଼ାଘର ଜାଲି କଡ଼ରେ । ଜାଲିଉପରେ ଛାତିପେଟ ଲଗେଇ ହାମୁଡ଼େଇ ପଡ଼ି ଫାଙ୍କ ଭିତର ଦେଇ କୁକୁଡ଼ାଗୁଡ଼ାଙ୍କୁ ଟିକିଏ ଚାହିଁଲା । କୁକୁଡ଼ାଙ୍କ ପେଟତଳେ ସେତେବେଳକୁ ଦିନ ଦିନର ଅବକ୍ରି ଅଣ୍ଡାସବୁ ବଳାଗଣ୍ଠିଏ ଉଚ୍ଚର ଜମାହୋଇ ସାରିଥାଏ । ସେଇ ଅବକ୍ରି ଅଣ୍ଡାକୁ ନିଘାକରି ଠିଆହୋଇ ରହିଲା ।

 

ଭବାନୀପ୍ରସାଦ ଧାଇଁଥାନ୍ତି ପଛେ ପଛେ । ସେଇ କୁକୁଡ଼ାଘର ଠେଇଁ ଧରିପକେଇଲେ ସେ ଅନିରୁଦ୍ଧକୁ ପୁଣି ଥରେ । ଆଉ ତା’ରି ପଛେ ପଛେ ହିଁ ଆସିଗଲା ଅସଲ ଯୁଦ୍ଧ ଊର୍ଣ୍ଣନାଭ ଆଶ୍ରମକୁ ।

 

ଅନିରୁଦ୍ଧର ସେଇ ଥଣ୍ଡା ସ୍ପର୍ଶରୁ ହିଁ ସବୁକଥା ବୁଝିଗଲେ ସେ । ସଙ୍ଗେ ସଙ୍ଗେ ବାହୁନିଉଠିଲା ତାଙ୍କ ବାପ ପଣିଆର ଆତ୍ମା–

 

“ମୁଁ ଛାଡ଼ିବି ନାହିଁ, ଆଜି ବି ଛାଡ଼ିବି ନାହିଁ–ତତେ । ତୁମମାନଙ୍କୁ ଛାଡ଼ିପାରିବି ନାହିଁ ମୁଁ କୌଣସିମତେ । ତୁମେମାନେ ତଥାପି ବଡ଼ ହୋଇନାହଁ । ମଣିଷ ହୋଇ ଏପର୍ଯ୍ୟନ୍ତ ଦିଗୋଡ଼ରେ ଠିଆହୋଇ ଶିଖିନରେ ତମେ । ବାଳୁତ ସୁଲଭ ହିଂସା, ପରଶ୍ରୀକାତରତା ତୁମ ଦିହରୁ ଯାଇନାହିଁ–ଆଦୌ ଯାଇନାହିଁ । ଏଡ଼େ ବକଟେ ବକଟେ ପିଲାଙ୍କୁ କିଏ ମତେଇଦେଲାରେ ଏ ଅବାଟରେ ! କୋଉ ଦେଶ, କୋଉ ଜନ୍ମଭୂମି, କୋଉ ଜାତୀୟତା, କୋଉ ପ୍ରଧାନମନ୍ତ୍ରୀ, କୋଉ ଧର୍ମରେ ସେ ଯେ ମୋ ପିଲାଙ୍କୁ ଛଡ଼େଇନବ ? ସେଇମାନେ ମରନ୍ତୁ ଯେ ପୂରେଇଦେଲା ଆଜି ପୃଥିବୀର ଏଇ ଅନାଥ ଶିଶୁଙ୍କୁ ଅବାଟରେ ।” ଅଟକିଗଲେ । କିନ୍ତୁ ପୁଣି ଗୋଟାଏ ବଡ଼ ଦମ୍ ନେଇ ଫାଟିପଡ଼ିଲେ । “ମୁଁ ତଥାପି କହୁଚି–ରହ, ଯାଆନା କେହି–ଆଗ ମଣିଷ ହୋଇଯାଅ–ଏ ଯୁଦ୍ଧ କିଛି ନୁହେଁ–ଏ ଆନ୍ଦୋଳନ କିଛି ନୁହେଁ–ମଣିଷର ଯୁଦ୍ଧ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ, ଅସଲ ଆସୁଛି ଆଗକୁ, ଅସଲ ଆସୁଛି ଆଗକୁ ।”

 

କିନ୍ତୁ ଅନିରୁଦ୍ଧକୁ ଆଜି ଧରିବା ସହଜ ନଥିଲା ବାପା ଭବାନୀପ୍ରସାଦଙ୍କ ପକ୍ଷରେ । ତା’ ଦିହ ଭାରି ଖସଡ଼ା, ଭାରି ଥଣ୍ଡା । ଅବିକଳ ସାପ ପରି । ଆଖିଦୁଇଟା ତା’ର ସ୍ଥିର, ତୀକ୍ଷ୍ଣ ନୁହେଁ ସ୍ଥିର-। ଏପରିକି ତା’ର ଦୃଷ୍ଟିରେ ଊର୍ଣ୍ଣନାଭ ଆଶ୍ରମର ସୂକ୍ଷ୍ମ ସଚେତନ କୁକୁଡ଼ାମାନେ ମଧ୍ୟ କୌଣସି ହିଂସାର ଲକ୍ଷଣ ଦେଖିପାରୁନଥିଲେ । ସେମାନେ ସ୍ଥିରହୋଇ ନିଜ ନିଜ ପେଟତଳ ଅଣ୍ଡା ଉଷ୍ମେଇ ଲାଗିଥାନ୍ତି । ଉଁ କି ଚୁଁ ନଥାଏ । କିନ୍ତୁ ଏହି ସମସ୍ତ ଅହିଂସ୍ର ଲକ୍ଷଣ ସତ୍ତ୍ୱେ ଅନିରୁଦ୍ଧ ଆଜି ବୁଲିପଡ଼ିଲା ତା’ ବାପଆଡ଼କୁ । ହଠାତ୍ ମୁହାଁମୁହିଁ ହୋଇଗଲା ଓ ପାଟି ଖୋଲିଦେଲା–

 

“ମାସ ଦଶଟା ତଳେ ତୁମେ କହିଥିଲନା–ଅସଲ ଯୁଦ୍ଧ ଏଇ ଗୋଟାକ, ଯାହା ଚାଲିଛି-?” ଅନିରୁଦ୍ଧ ପଚାରିଲା ତା’ର ନିତ୍ୟ–ନୈମିତିକ ସ୍ଵରରେ ।

 

“ଏ ନୁହେଁ, ଏ ନୁହେଁ” ଭବାନୀପ୍ରସାଦଙ୍କ ଉତ୍ତର କିନ୍ତୁ ଆସିଲା ସତେକି ବହୁ ଦୂରରୁ ।”

 

“ତେବେ କୋଉଟା ତୁମ ମତରେ ପୃଥିବୀର ଶେଷ ଯୁଦ୍ଧ ବାପା” ? ଅନିରୁଦ୍ଧ ଅବଶେଷରେ ହସିଦେଲା । କିନ୍ତୁ ଭୟଙ୍କର ବିଷାଦ, ଅବିଶ୍ଵାସ ସତ୍ତ୍ୱେ ତା’ର ଏ ପ୍ରଶ୍ନରେ ପୂର୍ବଥରର ପରିହାସର ଲେଶମାତ୍ର ଚିହ୍ନନଥିଲା । ତେଣୁ ଆଶାନ୍ଵିତ ହୋଇ ଭବାନୀପ୍ରସାଦ ଉତ୍ତରଦେଲେ–

 

“ଯେଉଁ ଯୁଦ୍ଧରେ ଦୁଇପକ୍ଷର ବିଶ୍ଵାସ ସମାନ” । ସେ ଆଉ କ’ଣ ହୁଏତ ଯୋଡ଼ିବାକୁ ଯାଉଥିଲେ ସେଥିରେ । କିନ୍ତୁ ଅନିରୁଦ୍ଧ ସାମାନ୍ୟ ଅଧୈର୍ଯ୍ୟ ହୋଇପଡ଼ିଲା । ତା’ର ଏତିକି ଅଧୈର୍ଯ୍ୟ କୁକୁଡ଼ାମାନଙ୍କୁ ଚମକେଇଦେଲା ହୁଏତ । କିନ୍ତୁ କୁକୁଡ଼ାମାନଙ୍କୁ ନ ଚାହିଁ ଅନିରୁଦ୍ଧ ସ୍ପଷ୍ଟକଣ୍ଠରେ ପଚାରିଲା–

 

“ତୁମେ କଅଣ ଭାବୁଚ ଏ ଯୁଦ୍ଧରେ କୌଣସି ପକ୍ଷ ଅସମାନ–ଶକ୍ତି, ନିଷ୍ଠା ବିଶ୍ଵାସରେ ଅନ୍ୟପକ୍ଷର ?”

 

ଭବାନୀପ୍ରସାଦ ଚମକିପଡ଼ିଲେ ନିଜ ଉତ୍ତରରେ । କିନ୍ତୁ ସେ ସେଇ ଅତଳ ଗର୍ଭରେ ଥାଇ ଉତ୍ତରଦେଲେ–

 

“ତୁମେ ତାଙ୍କ ପାସଙ୍ଗରେ ପଡ଼ିବ ନାହିଁରେ–”

 

“କାହାର ? ସେଇ ପାଜି କମ୍ୟୁନିଷ୍ଟଗୁଡ଼ାଙ୍କର ଯେ ଆମ ଜନ୍ମ–ଭୂମିକୁ..... ।” ଅନିରୁଦ୍ଧ ଗର୍ଜିଉଠିଲା । କଅଣ ଭାବି ସେ କୁକୁଡ଼ାଜାଲିକୁ ଗୋଟାଏ ଗୋଇଠା ମଧ୍ୟ ମାରିଲା । କିନ୍ତୁ ଭବାନୀପ୍ରସାଦ ତଥାପି ବର୍ତ୍ତମାନକୁ ଫେରି ପାରିନଥାନ୍ତି । କହିଲେ ସେ–

 

“ଜନ୍ମଭୂମି କଥା କାହିଁକି ପକଉଚରେ ! ସେ ପଦରେ ତୁମର ଅଧିକାର ନାହିଁ–ଅଧିକାର ନାହିଁ ତୁମର, ତୁମେ ବେପାରୀଗୁଡ଼ାକ ! ଅସାଧୁ, ଠକଗୁଡ଼ାକ–ଯେ ମଣିଷକୁ ଚିହ୍ନେନାହିଁ, ନିଜ ମା’କୁ ଚିହ୍ନେନାହିଁ, ନିଜ ସ୍ତ୍ରୀଉପରେ ନିଜେ ପଶୁପରି ଅତ୍ୟାଚାର କରି ଜୀବନରୁ ମାରିପକାଏ...” ଭବାନୀପ୍ରସାଦଙ୍କ ତଣ୍ଟି ଶୁଖିଗଲା । ଛେପ ଢୋକୁ ଢୋକୁ ଅଟକିଗଲେ ।

 

“ଏହାର କାରଣ ଅନ୍ୟ କେହି ନୁହେଁ–ତୁମେ ନିଜେ, ନିଜେ, ନିଜେ । ତୁମରି ଛଳନା, ତୁମରି ମାଷ୍ଟରିପଣିଆ ହିଁ ଏଇଥିପାଇଁ ଦାୟୀ...” ଅନିରୁଦ୍ଧ ଆଉ ସମ୍ଭାଳିପାରିଲା ନାହିଁ । କ୍ରୋଧରେ ଫାଟିପଡ଼ିଲା । ତା’ର ସେ ଭୟଙ୍କର ରଡ଼ି ଶୁଣି କୁକୁଡ଼ାମାନେ ଥରଥର ହୋଇଗଲେ । କେତେଟା ଆଉ ଟିକକ ପରେ ଫୁଟିଥାନ୍ତା ଡିମ୍ବ ମଧ୍ୟ ସମୟ ହେବାପୂର୍ବରୁ ଫୁଟିଗଲା ତାଙ୍କ ପେଟତଳେ । କିନ୍ତୁ ଅନିରୁଦ୍ଧ ଆଜି ଏକ ଅଦ୍ଭୁତ ଦ୍ଵୈତରେ ଥାଏ । ହିଂସା ଅହିଂସା–ଗୋଟାଏ ଛାତିଭିତରେ ନିଶ୍ୱାସପ୍ରଶ୍ୱାସ ପରି ଉଠପଡ଼୍ ହେଉଥାଏ ତା’ର । ଟିକିଏ ବେଳ ଗୁମ୍ ମାରିଗଲା ସେ । ତାପରେ ବାଁହାତକୁ ଅନେଇଲା । ସତେକି ସେ ଘଡ଼ି ଦେଖୁଥିଲା । ତାପରେ ହଠାତ୍ ସବୁ ଶୀତଳ ପଡ଼ିଗଲା ତା’ର । ହଠାତ୍ ସବୁ ବଦଳିଗଲା ତା’ର । ସତେକି ମୁହୂର୍ତ୍ତକ ଭିତରେ ସବୁ ଭଲହୋଇଗଲା ତା’ର, ସବୁ କଅଁଳ ହୋଇଗଲା । ଆଉ ଟେରେଇ ଚାହିଁଲା ନାହିଁ, ସିଧା ଚାହିଁଲା । ତାପରେ କୋଉଠିଥିଲା କେଜାଣି ଏତେଗୁଡ଼ାଏ ଆଲୁଅସବୁ ଝଲସିଉଠିଲା ଏକାସାଥିରେ ସେ ଆଖି ହଳକରେ ।

 

ଭବାନୀପ୍ରସାଦ ଚିହ୍ନିପାରିଲେ ସେ ଆଲୁଅକୁ । ଚମକିପଡ଼ିଲେ । ଗୋଟାପଣେ ଝାଳ ବୋହିଗଲା ତାଙ୍କ ଦିହରୁ । ଥରିଗଲେ ସେ । ତାଙ୍କର ଇଚ୍ଛାହେଲା ସେଇ ଆଲୁଅର ଦୀପଦଣ୍ଡି ତଳେ, ସେଇ ସରଳ ଯଷ୍ଟିପରି ସିଧା ମଣିଷ ପିଲାଗୁଡ଼ାଙ୍କ ପାଦତଳେ ନିଜେ ହାତଯୋଡ଼ି ବସିଯିବା ପାଇଁ । କାରଣ ଅନିରୁଦ୍ଧ ସେତେବେଳେ ଅବିକଳ ଗୋଟିଏ ଅବତାର ପରି ଦିଶିଗଲା ତାଙ୍କ ଆଖିକୁ । ଏ ଅବତାର ହାତରେ ଶଙ୍ଖ, ଚକ୍ର, ଗଦା ବା ପଦ୍ମ କିଛି ଚିହ୍ନି ନ ଥିଲା । କୌଣସି ଅଙ୍ଗରେ ତା’ର ଜଣେ ଅସମ୍ଭବ ଶିଶୁର ଲକ୍ଷଣ ନ ଥିଲା । କିନ୍ତୁ ତା’ ମୁହଁର ସେଇ ପଦକ ହିଁ ତା’ର ଅସଲ ସ୍ଵରୂପକୁ ଚିହ୍ନାପକେଇଦେଲା । ସେଇ ଅଦ୍ଭୁତ ପରମ୍ପରା ଯାହା ଭିତରୁ ତା’ର ଜନ୍ମ ସତେକି ସେଇ ତା’ ମୁହଁ ଭିତରେ ପଶି ଜିଭକୁ ହଲେଇଦେଲା ।

 

“ମୁଁ ତୁମ ସହିତ କଳି କରିବାକୁ ଆସିନଥିଲି ବାପା । ତୁମଠାରୁ ବିଦାୟ ନେବାକୁ ହିଁ ଆସିଥିଲି । ତୁମଠାରୁ ଆଶୀର୍ବାଦ ନେବାକୁ ଆସିଥିଲି । ମୁଁ ତୁମକୁ ମୋର ଛୋଟ ବୁଦ୍ଧିରେ ହେଲେ ମଧ୍ୟ ଖୁବ୍ ଚିହ୍ନେ ବାପା । ତୁମେ ଅନ୍ଧ । ମଣିଷ ପ୍ରତି ବାତ୍ସଲ୍ୟ ତୁମକୁ ଅନ୍ଧକରି ରଖିଛି ଆଉ ରଖିଥିବ ଚିରକାଳ । ହେଲେ ତୁମେ ମୋର କେବଳ ବାପ ନୁହଁ । ତୁମେ ମୋର ମା’ବି । ଭୀଷଣ ନିରପେକ୍ଷ ଅନ୍ଧ ଗାନ୍ଧାରୀ ତୁମେ । ଯୁଦ୍ଧ ଭୂମିକୁ ପାଦ ବଢ଼େଇବା ପୂର୍ବରୁ ତୁମରି ଆଶୀର୍ବାଦ ପାଇବାର ଅର୍ଥ କ’ଣ ମୁଁ ଜାଣେ । ତଥାପି ମୁଁ ସିଆଡ଼େ ସିଆଡ଼େ ପଳାଇ ନ ଯାଇ ତୁମଠାରୁ ସେଇ ଆଶୀର୍ବାଦ ନେବାକୁ ପଳାଇଆସିଛି । ମତେ ଆଶୀର୍ବାଦ କର । ମୁଁ ବାହାରିଲି ସମୟ ହୋଇଗଲା । ମୁଭମେଣ୍ଟ ଅର୍ଡ଼ର ଅନୁସାରେ ରାତି ଗାଡ଼ି ନ ଧଇଲେ ୱାରେଣ୍ଟ ଆସିଯିବ ବାପା ।”

 

ବାପର ଆଶୀର୍ବାଦ ଧରି ସେଇ ରାତି ଗାଡ଼ିରେ ଅନିରୁଦ୍ଧ ଚାଲିଗଲା । ସେ ଆଉ ଫେରିଲା ନାହିଁ ।

 

ଅଣତିରିଶ

 

କିନ୍ତୁ ଗ୍ରାମପଞ୍ଚାୟତର ପୁରୁଣା ଟାଇଲି କାରଖାନା ଧୂଆଁନଳୀରୁ ଗବଗବ ହୋଇ ବାହାରୁଥିବା ଧୂଆଁର ତୁହାକୁତୁହା ମହୁଆ ବାସ୍ନା ହିଁ କହିଦେଉଥିଲା ଯେ ସେଇ ଶୀତଋତୁର ପ୍ରାରମ୍ଭିକ, ଉତ୍ତରା ପବନରେ ଗଛରୁ ପତ୍ର, କାନ୍ଥରୁ ଅକ୍ଷର ଆଉ ବ୍ୟକ୍ତି ଏବଂ ପାରିବାରିକ ଜୀବନର ସବୁ ଅସଂଲଗ୍ନତା, ସବୁ ଭଙ୍ଗପ୍ରବଣତା ସହିତ ପିତୃତୁଲ୍ୟ ମଣିଷମାନଙ୍କ ତୁଣ୍ଡରୁ “ହା ପୁତ୍ର” ଡାକସବୁ ଝଡ଼ିପଡ଼ିବା ସତ୍ତ୍ୱେ ସମାଜର ଅଙ୍ଗସବୁ ମରି ଝଡ଼ିପଡ଼ି ନଥିଲା । ରାଷ୍ଟ୍ର ଓ ସମାଜର ପ୍ରତି ଗଣ୍ଠିରେ ପ୍ରତି ପବର ଶୀର୍ଷରେ ବୃଦ୍ଧିର ଦିଗ ତଥାପି ଅବ୍ୟାହତ ରହିଥିଲା । “ଦି ପୂର୍ଣ୍ଣିମା ବିସ୍କୁଟ୍ ଏଣ୍ଡ୍ କେକସ୍ ପ୍ରାଇଭେଟ୍ ଲିମିଟେଡ଼୍” କମ୍ପାନୀର ଯୁଦ୍ଧକାଳୀନ ଉତ୍ପାଦନ କାର୍ଯ୍ୟ ଆରମ୍ଭ ହୋଇଗଲା ।

 

ସେଦିନ ସନ୍ଧ୍ୟାସୁଦ୍ଧା ଗୋଟିଏ ବଡ଼ ନିବୁଜ ଲରି ବନ୍ଦର ରାସ୍ତାରୁ ବିସ୍କୁଟ୍ କମ୍ପାନୀ ହତାର ଚଉଡ଼ା ଫାଟକ ବାଟେ ଭିତରକୁ ପଶିଆସିଲା । ଚବିଶ ଘଣ୍ଟା ଆଗରୁ ବିସ୍କୁଟ୍ କମ୍ପାନୀ ପକ୍ଷରୁ ପ୍ରଚାର ପାଇଥିବା ଗୋଛାଏ ନାଲି ନେଳୀ ବିଜ୍ଞାପନ ଗାଁ ଗହଳରେ ବଣ୍ଟା ସାରିଥାଏ । ସେଥିରେ ପାଖକେ ଗୋଟିଏ ଯୁଦ୍ଧକ୍ଷେତ୍ରରେ ବିଭୀଷିକାମୟ ଚିତ୍ର ପ୍ରଦତ୍ତ ଥାଏ । ଏବଂ ଏହି ଚିତ୍ରର ଗୋଟିଏ କୋଣକୁ ସୁସ୍ଥ, ସବଳ ଓ ପୂର୍ଣ୍ଣ ସାମରିକ ସାଜ ସରଞ୍ଜାମ ପରିହିତ ଜଣେ ଭାରତୀୟ ଜୀବନର ପୂର୍ଣ୍ଣାଙ୍ଗ ଚିତ୍ରଟିଏ ମଧ୍ୟ ଅଙ୍କିତ ଥାଏ । ଯବାନର ଗୋଟିଏ ହାତରେ ଥିବା ହାଣ୍ଡ ଗ୍ରେନେଡ଼୍ ସାଙ୍ଗକୁ ତା’ର ଅନ୍ୟହାତରେ ଧରିଥିବା ଗୋଟିଏ ଲୋଭନୀୟ ପାଉଁରୋଟିର ସଂସ୍ଥିତି ହିଁ କହିଦେଉଥାଏ ଯେ, ଯୁଦ୍ଧ–ପଟ୍ଟଭୂମିରେ ଗୋଟିଏ ବିସ୍କୁଟ୍ କାରଖାନା କେତେ ସମୟୋପଯୋଗୀ ଓ ଗୁରୁତ୍ଵପୂର୍ଣ୍ଣ । ଏବଂ ମୁଖ୍ୟତଃ ଏହି କାରଣରୁ ବିସ୍କୁଟ୍ କମ୍ପାନୀ ପକ୍ଷରୁ ପ୍ରକାଶ ପାଇଥିବା ଉକ୍ତ ବିଜ୍ଞାପନ ପତ୍ରଟି କେବଳ ଗୋଟିଏ ଆତ୍ମପକ୍ଷ ସମର୍ଥନକାରୀ ବ୍ୟବସାୟିକ ପ୍ରଚାରପତ୍ର ଭଳି ଗାଁ ଗହଳର ଲୋକଙ୍କ ଆଖିକୁ ଦିଶୁନଥାଏ । କାରଣ ଏହାମଧ୍ୟ ଜାତୀୟ ଉତ୍ପାଦନ କାର୍ଯ୍ୟକ୍ରମର ଅଂଶବିଶେଷ ପରି ମନେହେଉଥାଏ । ତେଣୁ ଗତ କେତେ ମାସ ଧରି ବନ୍ଦର ରାସ୍ତାକଡ଼ର ଏଇ ସର୍ବସାଧାରଣ ଜମି, ତଥା ଗ୍ରାମପଞ୍ଚାୟତର ଟାଇଲି କାରଖାନା, ଚୁଲା ଚିମିନି ତଦନ୍ତ କମିଶନଙ୍କ ରିପୋର୍ଟ ପରେ ପରେ ଗ୍ରାମପଞ୍ଚାୟତର ସମ୍ପତ୍ତିକୁ ବ୍ୟକ୍ତିବିଶେଷଙ୍କୁ ହସ୍ତାନ୍ତର ସମ୍ପର୍କରେ ଯେଉଁ କେତେକ ଆପତ୍ତି ଏଣୁତେଣୁ ଗୁଣୁଗୁଣୁ ହୋଇ ଶୁଣାଯାଉଥାଏ ସେସବୁକୁ ଥଣ୍ଡା କରିଦେଇ “ଟାଇଲି କାରଖାନା” ଚିମିନିରୁ “ବିସ୍କୁଟ୍ କାରଖାନା” ଧୂଆଁ ବାହାର କରିବାରେ କାହାର କିଛି ଆପତ୍ତି କରିବାର ନଥାଏ ।

 

କିନ୍ତୁ ଗ୍ରାମପଞ୍ଚାୟତ ସମ୍ପତ୍ତିକୁ ବ୍ୟକ୍ତିବିଶେଷଙ୍କୁ ହସ୍ତାନ୍ତର କରିବା ସପକ୍ଷରେ ସବୁଠାରୁ ବଡ଼ ଯୁକ୍ତିଟି ଯୁଦ୍ଧ ବା ଜାତୀୟ ବିପତ୍ତି ମଧ୍ୟ ନୁହେଁ । ସବୁଠାରୁ ବଡ଼ ଆଶ୍ୱାସନାର କଥା ହେଉଚି, “ଦି ପୂର୍ଣ୍ଣିମା ବିସ୍କୁଟ୍ ଏଣ୍ଡ୍ କେକସ୍ ପ୍ରାଇଭେଟ୍ ଲିମିଟେଡ଼୍” ନାମକ ବିସ୍କୁଟ୍ କମ୍ପାନୀଟି ପ୍ରକୃତରେ କୌଣସି ଜଣେ ବାହାରିଆ, ସହରୀ ଧନୀ ବ୍ୟବସାୟୀଶ୍ରେଣୀ ବ୍ୟକ୍ତିର ଏକଚାଟିଆ ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ବର୍ତ୍ତମାନ ଏହା ପ୍ରକୃତରେ ଗୋଟିଏ ସମବାୟମୂଳକ ତିନିଜଣିଆ କମ୍ପାନୀ ଓ ଏ କମ୍ପାନୀ ସମ୍ପର୍କରେ ସବୁଠାରୁ ବିସ୍ମୟକର ଓ ଆନନ୍ଦଦାୟକ ସତ୍ୟଟି ହେଉଛି ଯେ କମ୍ପାନୀର ମୁଖ୍ୟ ସ୍ୱତ୍ଵାଧିକାରୀ ବା ମ୍ୟାନେଜଂ ଡିରେକ୍ଟର ହେଉଛନ୍ତି ଜଣେ ହରିଜନ ଯେ ତଥାପି ତାଙ୍କ ଗାଁରେ ମାନବା ହାଡ଼ି ନାମରେ ପରିଚିତ । କମ୍ପାନୀର ଅନ୍ୟ ଦୁଇଜଣ ସ୍ଵତ୍ତ୍ୱାଧିକାରୀମାନଙ୍କ ଭିତରୁ ଦ୍ଵିତୀୟ ଜଣକ ଅବଶ୍ୟ ସେଇ ବାହାରିଆ ବ୍ୟବସାୟୀ ଭଦ୍ରଲୋକ ଯେ ସର୍ବପ୍ରଥମେ କମ୍ପାନୀଟିର ମୂଳ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ, କିନ୍ତୁ ଘଟଣାକ୍ରମେ ଯେବେ ବନ୍ଦର ରାସ୍ତାରେ ଭବାନୀପ୍ରସାଦଙ୍କ ଫ୍ୟାକଟ୍ରି ଫେରନ୍ତା ମଝିଆପୁଅ ମୀନକେତନର ଇସାରାରେ ଓଡ଼ିଆ ଅଣଓଡ଼ିଆ ଝଗଡ଼ାଟା ସୃଷ୍ଟି ହୋଇଗଲା, ତାରି ପରଠୁଁ କମ୍ପାନୀର ମାଲିକାନାକୁ ମଧ୍ୟ ସଂପ୍ରସାରଣ କରିଦେଇ ଉକ୍ତ ବ୍ୟବସାୟୀ ଗାଁର ଅନ୍ୟ ଦୁଇଜଣଙ୍କୁ କମ୍ପାନୀଭୁକ୍ତ କରିଦେଇଥିଲେ । ତେଣୁ ଏହି ସମ୍ପର୍କରେ ପ୍ରଥମ ଅଂଶୀଦାର ଓ ମ୍ୟାନେଜିଂ ଡିରେକ୍ଟରରୂପେ ଗାଁର ଆଦିମତମ ଅଧିବାସୀ ତଥା ବ୍ୟବସାୟ କ୍ଷେତ୍ରରେ ମାତ୍ର ବର୍ଷକ ଭିତରେ ବିଚକ୍ଷଣତା ପରିଦର୍ଶନ କରିସାରିଥିବା ମାନବ ଗୋଚ୍ଛାୟତଙ୍କୁ ନିଜର ବିଜନେସ୍ ପାର୍ଟନରରୂପେ ମନୋନୀତ କରିସାରି ତୃତୀୟ ଅଂଶୀଦାରରୂପେ ନିଜେ ସରକାର ରୁହନ୍ତୁ ବୋଲି ବ୍ୟବସାୟୀ ଜଣକ ସରକାରଙ୍କୁ ଅନୁରୋଧ କରି କିଛିଦିନ ତଳେ ଖଣ୍ଡିଏ ଚିଠି ଯଥାର୍ଥ ଦପ୍ତରକୁ ପ୍ରେରଣ କରିଥିଲେ । ବିଷୟଟି ସେଇଦିନୁ ବିଚାରାଧୀନ ଥିଲା । କିନ୍ତୁ ଇତ୍ୟବସରେ ଯୁଦ୍ଧ ଆସିଯିବାମାତ୍ରେ ସବୁଆଡ଼େ ତତ୍ପରତା ପ୍ରକାଶ ପାଇଲା । ସେଦିନ ସରକାରୀ ସୂତ୍ରରୁ ଖଣ୍ଡିଏ ଚିଠି ଗ୍ରାମପଞ୍ଚାୟତ ମୁଖ୍ୟ ବାରବର୍ଷିଆଙ୍କ ନାଁରେ ପହଞ୍ଚିଲା ଓ ଏହି ସୂତ୍ରରେ, “ଦି ପୂର୍ଣ୍ଣିମା ବିସ୍କୁଟ୍ ଏଣ୍ଡ୍ କେକସ୍ ପ୍ରାଇଭେଟ୍ ଲିଃ” କାରଖାନା ଗୋଟିଏ ଅର୍ଦ୍ଧ ସରକାରୀ–ଅର୍ଦ୍ଧ ବେସରକାରୀ ଜାତୀୟ ଯୋଜନାରୂପେ ଯୁଦ୍ଧକାଳୀନ ଉତ୍ପାଦନ ଆରମ୍ଭ କରିଦେଲା ।

 

ବନ୍ଦର ରାସ୍ତାରୁ ବିସ୍କୁଟ୍ କମ୍ପାନୀ ହତାକୁ ଗଡ଼ିଥିବା ନିବୁଜ ଲରିଟି ସନ୍ଧ୍ୟାସୁଦ୍ଧା କାରଖାନାର ସମସ୍ତ ଉତ୍ପାଦନକୁ ଧରି ପୁଣି ବନ୍ଦରରାସ୍ତାକୁ ଉଠିଲା । ଦଳେ ଗାଁପିଲା, ଯେଉମାନେ ବିସ୍କୁଟ୍ କମ୍ପାନୀର ନାଲି ନେଳୀ ବିଜ୍ଞାପନପତ୍ରକୁ ଏମଧ୍ୟରେ ପାଇସାରିଥିଲେ ଓ ବିଜ୍ଞାପନର ଉଭୟ ପାର୍ଶ୍ଵରେ ଛପାହୋଇଥିବା ଚିତ୍ର ଓ କମ୍ପାନୀ ଉଦ୍ଦେଶ୍ୟରେ ଶୁଭକାମନା କରି ପଠାଯାଇଥିବା ଯାବତୀୟ ସରକାରୀ ବେସରକାରୀ ଶୁଭେଚ୍ଛାମାନ ପଢ଼ିଥିଲେ ବା ନ ପଢ଼ିପାରି କେବଳ ପ୍ରତ୍ୟେକ ଶୁଭେଚ୍ଛା କଡ଼ରେ ପ୍ରଦତ୍ତ ଶୁଭେଚ୍ଛୁଙ୍କର ଚିତ୍ରରୁ ତତ୍କାଳୀନ ଦେଶର ସର୍ବୋଚ୍ଚ ମୁଖ୍ୟବ୍ୟକ୍ତିଙ୍କ ଚିତ୍ରଟିକୁ ଚିହ୍ନିପାରି ବିସ୍କୁଟ୍ କମ୍ପାନୀର ଫାଟକ ଜଗୁଆଳକୁ ଅନେଇ କଅଣସବୁ ପଚରାଉଚରା କରୁଥିଲେ, ହଠାତ୍ ଲରିଶବ୍ଦରେ ଚମକିପଡ଼ି ରାସ୍ତା ଛାଡ଼ିଦେଲେ ।

 

ଗତ ନଅ ଦଶ ମାସ ଧରି ତିଆରି ଚାଲିଥିବା ପ୍ରଶସ୍ତ ବନ୍ଦର ରାସ୍ତାଉପରେ ସହର ଅଭିମୁଖେ ଲରି ଗିଅର ପରେ ଗିଅର ପରିବର୍ତ୍ତନ କରିବାକୁ ଲାଗିଲା ।

 

ଗାଁ ପିଲାମାନେ ଲରି ଛାଡ଼ିଯାଇଥିବା କାଳିଆ ଡିଜେଲ୍ ଧୂଆଁକୁ ଶୁଙ୍ଘି ଶୁଙ୍ଘକା କିଛିବାଟ ପଛେ ପଛେ ଦଉଡ଼ିଗଲେ । କିନ୍ତୁ ପୁଣି ଫେରିଆସିଲେ ଓ ବିସ୍କୁଟ କମ୍ପାନୀ ଫାଟକ ଭିତରକୁ ପଶିଯିବାପାଇଁ ନାକଟିମାନ ବଢ଼େଇ ଦଉଥିଲେ । ପ୍ରକୃତରେ ବିସ୍କୁଟ୍ କାରଖାନାର ମହୁଆ ବାସ୍ନାଟା ସେମାନଙ୍କୁ ମନ୍ଦାଏ ମାଛିଭଳି ଭିତରକୁ ଟାଣିନେଉଥିଲା ।

 

କିନ୍ତୁ ବିସ୍କୁଟ୍ କମ୍ପାନୀର ଦରଓ୍ୱାନ୍ ହଠାତ୍ ପିଲାମାନଙ୍କ ବାଟ ବନ୍ଦ କରିଦେଲା । ପିଲାଏ ଅଟକିଗଲେ । ତଥାପି କେହିଜଣେ ଟିକିଏ ସାହସକରି ଦରଓ୍ୱାନ୍‍କୁ ପଦେ ହାଙ୍କି ବି ଦେଲା–“ଏ ବିସ୍କୁଟ୍ ବିକ୍ରି ପାଇଁ ନୁହେଁ ?”

 

“ନେହିଁ”– ଦରଓ୍ୱାନ୍ ଫାଟକର କଡ଼ାକୁ ଧଡ଼୍ କରି ବନ୍ଦ କରିଦେଲା ।

 

“ତେବେ ? ସ୍ୱରଟି ଆଉ ଧାପେ ଚଢ଼ି ପଚାରିଲା ।

 

“ଫଉଜ କେ ବାସ୍ତେ ।”

 

ଗୁର୍ଖା ଦରଓ୍ୱାନ୍ ସେତେବେଳକୁ ଫାଟକରେ ତାଲା ବନ୍ଦ କରିସାରିଥିଲା ।

 

ତିରିଶ

 

ଫଉଜକେ ବାସ୍ତେ ।

 

ଜାତୀୟ ବିପତ୍ତି କାଳର ଏ ନୂଆ ଡାକଟି ବାସ୍ତବିକ ସେଦିନ ଜଣେ ଗୁର୍ଖା ଦରଓ୍ୱାନ୍ କଣ୍ଠରୁ ହିଁ ଉତ୍ପନ୍ନ ହୋଇଥାଏ ଓ ଏ ଡାକରେ କଅଣ ମହୁ ଥାଏ କେଜାଣି ଗାଁର ଶିଶୁ ସେଦିନ ପୂର୍ଣ୍ଣିମା କମ୍ପାନୀର ବିସ୍କୁଟ୍ ଅପେକ୍ଷା ଏଇ ଡାକଟିକୁ ହିଁ ରନ୍ଥି ରନ୍ଥିକା ସାରା ଗାଁ ଗୋହିରି, ଦଣ୍ଡାପଦର ବୁଲିଆସେ । ତାପରେ ଡାକଟି ସବୁଜାତୀୟ ବିପତ୍ତି କାଳରେ ଯେପରି ସ୍ୱାଭାବିକ ଉପାୟରେ ଶିଶୁ ମୁହଁରୁ ଉଦ୍‍ବୃତ୍ତ ଫେଣ ମେଞ୍ଚାଏ ପରି ଚପ୍ କରି କେତେବେଳେ ପଶିଯାଏ ଶିଶୁର ମା’ ମୁହଁକୁ ଓ ଶିଶୁସ୍ତରରୁ ମାତୃସ୍ତରକୁ ହସ୍ତାନ୍ତରିତ ହୋଇଯିବାମାତ୍ରେ ଯେମିତି ଏକ ନବଜାଗରଣରେ ପରିଣତ ହୁଏ ଏବଂ ସେଇଠୁ ଉତ୍ପନ୍ନ ହୁଏ ବିପତ୍ତିର ଅସଲ ବେଦନାବୋଧ, ଅସଲ ସମାଜ ଚେତନା, ଆଉ ଅସଲ ଉପସ୍ଥିତ ବୁଦ୍ଧି; ଏବଂ ମୁହୂର୍ତ୍ତକ ମଧ୍ୟରେ ଏହି ଉପସ୍ଥିତ ବୁଦ୍ଧିହିଁ ସଙ୍କୁଚିତ କରିପକାଏ ପୁରୁଷର ଯେତେପାରେ ସେତେ ଲମ୍ବା ଦୂରଦୃଷ୍ଟିକୁ, ଚିପିପକାଏ ଗୋଟାଏ ଜାତିର ଯେତେପାରେ ସେତେ ଉଚ୍ଚାଙ୍ଗ ସଂଗୀତକୁ ଆଉ ଆଖିପିଛୁଳାକେ ମାନବିକତାର ସଂଗୀତ ହମ୍ପେଇପଡ଼େ ଗୋଟିଏ ଛୋଟ ତିନିପଦିଆ ତନ୍ତ୍ର ଶକ୍ତି ବିଶିଷ୍ଟ ଜାତୀୟ ସଂଗୀତ ଉପରକୁ, ଆଉ ଏହି ତନ୍ତ୍ରଶକ୍ତି ହିଁ ତାପରେ ଗୋଟାଏ ବିଲୁଆ ଆଖିଆଗରେ ପରସ୍ପରଆଡ଼କୁ ସଙ୍କୁଚି ଯାଉଥିବା ପଲେ କୁକୁଡ଼ାଛୁଆ ପରି ଗୋଟିଏ ଜାତିକୁ ତା’ର ପ୍ରାଣକେନ୍ଦ୍ର ଆଡ଼କୁ ଚିପିଆଣେ ଓ ସମସ୍ତ ସଙ୍କୁଚିତ ଦୃଷ୍ଟିକୁ ଐକ୍ୟବଦ୍ଧ କରି ଉପସ୍ଥିତ ସମସ୍ୟାଟି ଆଡ଼କୁ ଚାହିଁବାକୁ ଦିଏ, ସେହିପରି ଗୁର୍ଖା ଦରଓ୍ୱାନ୍ ମୁହଁରୁ “ଫଉଜ୍ କେ ବାସ୍ତେ” ଆହ୍ୱାନଟି ପ୍ରଥମେ ଶିଶୁମହଲରେ ଗୁଡ଼ାଏ ରନ୍ଥାଳିଆ ସ୍ଳୋଗାନରୁ ବାହାରି କିଛି ସମୟ ନାରୀମହଲରେ ଲାଳିତ ହେଲାପରେ ପୁରୁଷ ମହଲକୁ ଉଠିଆସିଲା ଓ ଯାହା ଦେଖାଗଲା ପ୍ରଧାନମନ୍ତ୍ରୀଙ୍କ ଜାତିପ୍ରତି ବେତାର ଭାଷଣର ପ୍ରାୟ ଅଠଚାଳିଶରୁ ବାସ୍ତରିଘଣ୍ଟା ଭିତରେ ଆକୁମାରୀ ହିମାଚଳ ସମଗ୍ର ଦେଶରୁ ଭବାନୀପ୍ରସାଦଙ୍କ ସାନପୁଅ ଅନିରୁଦ୍ଧ ପରି କୋଟି କୋଟି ଯୁବକଙ୍କୁ ଅକାତରେ ଯୁଦ୍ଧଆଡ଼କୁ ଝିଙ୍କିନେଲା । ତାହାରି ପଛକୁ ହିଁ ଅସଲ ଯୁଦ୍ଧ ଆସିଗଲା–ଯେଉଁ ଯୁଦ୍ଧ କେବଳ ଯୁବକମାନଙ୍କର ଭବିଷ୍ୟତ ଚିନ୍ତାରୁ ଉତ୍ପନ୍ନ ହୋଇନଥିଲା । ସେମାନଙ୍କର ଭବିଷ୍ୟତ ଚିନ୍ତାକୁ ଆଖିବୁଜା ପଛକୁ ଆଣ୍ଟେଇବା ପାଇଁ ଆବାଳ–ବୃଦ୍ଧ–ବନିତା ନିଜ ନିଜର କ୍ଷୁଦ୍ର ସ୍ଵାର୍ଥକୁ ସେଦିନ ଜାତିନାମକ ଗୋଟିଏ ବୃହତ୍ତର ସ୍ଵାର୍ଥର ପାଦତଳେ ସମର୍ପଣ କରିଦେଇଥିଲେ । ଆଉ ୟାରି ପଛକୁ ହିଁ କେବଳ, “ଦି ପୂର୍ଣ୍ଣିମା ବିସ୍କୁଟ୍ ଏଣ୍ଡ୍ କେକସ୍ ପ୍ରାଇଭେଟ୍ ଲିମିଟେଡ୍” କାହିଁକି ଗାଁ ଗାଁରେ, ସହରେ ସହରେ ଯେତେ ଯେଉଁଠି ଜାତୀୟ ଅନୁଷ୍ଠାନ, ଘରୋଇ ଅନୁଷ୍ଠାନ ଏପରିକି ଊର୍ଣ୍ଣନାଭ ଆଶ୍ରମ ପରି କ୍ଷୁଦ୍ର ସ୍ଵାବଲମ୍ବୀ ଅନୁଷ୍ଠାନ, ଯେଉଁଠି ବିଶୁଦ୍ଧ ଆଉ ଆବଶ୍ୟକ ପରିମାଣ ଖାଉଟି ଦ୍ରବ୍ୟ ଉତ୍ପାଦନ ହିଁ ପ୍ରଧାନ ଲକ୍ଷ୍ୟ, ସେଠାରେ ମଧ୍ୟ ଯୁଦ୍ଧକାଳୀନ ଉତ୍ପାଦନ ଆରମ୍ଭ ହୋଇଗଲା ।

 

ସେଦିନ ଊର୍ଣ୍ଣନାଭ ଆଶ୍ରମ ପୁଣିଥରେ ଶିଶୁ ଓ ମହିଳାଙ୍କର କୋଳାହଳରେ କମ୍ପିଉଠିଲା-

 

ଅନିରୁଦ୍ଧ ଚାଲିଗଲା ପରେ ଭବାନୀପ୍ରସାଦ ତଥାପି ଉପସ୍ଥିତ ବୁଦ୍ଧି ରହିତ ଅବସ୍ଥାରେ ଥାଆନ୍ତି । ମଝିଆଁ ପୁଅ ମୀନକେତନ ତଥାପି ତା’ ଫ୍ୟାକ୍‍ଟ୍ରି କାମକୁ ଫେରିନଥାଏ । ମୁଣ୍ଡରୁ ବ୍ୟାଣ୍ଡେଜ୍ ଅବଶ୍ୟ ଖୋଲା ସରିଥାଏ । କିନ୍ତୁ କାମକୁ ଫେରିଯିବାକୁ ସେ ଆଉ ମଙ୍ଗୁନଥାଏ । ଭବାନୀପ୍ରସାଦ ବି ଆଉ ତା’ ଉପରେ କୌଣସି ଚାପ ଦେଉନଥାନ୍ତି ।

 

କିନ୍ତୁ ସେଦିନ ପଞ୍ଝାଏ ଛୁଆ ଆଉ ସ୍ତ୍ରୀଲୋକଙ୍କୁ ନାଙ୍ଗୁଡ଼ପରି ପଛରେ ଧରି ନରହରି ପରିଡ଼ାଏ ଊର୍ଣ୍ଣନାଭ ଆଶ୍ରମ ଭିତରକୁ ପଶିଆସିଲେ । ଭବାନୀପ୍ରସାଦ ଚମକିପଡ଼ିଲେ । ନାଙ୍ଗୁଡ଼ାଙ୍କ ସେହି ଲମ୍ବା ନାଙ୍ଗୁଡ଼ଟା ହିଁ ତାଙ୍କୁ ଚମକେଇଦେଲା ।

 

ନାଙ୍ଗୁଡ଼ାଙ୍କ ଦୃଷ୍ଟିରେ ପ୍ରଥମେ ମୀନକେତନ ହିଁ ପଡ଼ିଗଲା । ଊର୍ଣ୍ଣନାଭ ଆଶ୍ରମର ସେଇ ଝଙ୍କା କଲମି ଆମ୍ବ ଗଛରେ ଯେଉଁ ଦୋଳିଟାକୁ ମଣିଷ ବସିଲାପରି ଚଉରସ କରି ଗତବର୍ଷ ଆଶ୍ରମ ପ୍ରତିଷ୍ଠାବେଳେ ଭବାନୀପ୍ରସାଦ ଟାଙ୍ଗି ଦେଇଥିଲେ ଓ ମୁଖ୍ୟତଃ ଯୋଉ ଦୋଳିକୁ ଦେଖି ସେଦିନ ଏ ଆଶ୍ରମ ବିଷୟରେ ସେଦିନର ମୁଖ୍ୟ ଅତିଥି ଏଇ ନାଙ୍ଗୁଡ଼ାଏ ହିଁ କଥାପ୍ରସଙ୍ଗରେ କହିଥିଲେ–“ଖାସା ଜାଗା–ଶାନ୍ତିର ତପୋବନଟିଏ ପ୍ରତିଷ୍ଠା କରିଚ ମାଷ୍ଟ୍ରେ,” ଆଉ ସାଙ୍ଗେ ସାଙ୍ଗେ ମୁଖ୍ୟ ଅତିଥିର ମନ୍ତବ୍ୟର ପ୍ରତିବାଦ କରି ଭବାନୀପ୍ରସାଦ କହିଥିଲେ– “ଏ ଦୋଳି ଆମପାଇଁ ନୁହେଁ ଲାଙ୍ଗୁଳା ମହାଶୟ–ଏଇଟା କୁକୁଡ଼ାଙ୍କର !” ଆଜି ଘରବୁଡ଼ି ପାଣି ଆଣ୍ଠିଏ ହେଲାବେଳେ ଟୋକାଟାଏ ସେଇ ଦୋଳିରେ ବସି ଝୁଲୁଥିବାର ଦେଖିଲେ ସେ କେହି ସେଇଟା କୁହନ୍ତା, ଯାହା ନାଙ୍ଗୁଡ଼ାଏ ମୀନକେତନକୁ କହିଲେ–

 

“ଖାସା ଶାନ୍ତିର ଥାନଟିଏ ଆମର ଏଇ ଖଣ୍ଡିକ ! ଶୁଣିଲଣି ? ଖବରକାଗଜରେ ବାହାରିଚି ଯୁଦ୍ଧରେ ନାଁ ଦେଇଥିବା ଜଣ କେତେ ଗାଡ଼ିରୁ ଡେଇଁ କୁଆଡ଼େ ପଳେଇଚନ୍ତି ? ଓଡ଼ିଆ ଗଲେ କୁଆଡ଼େ ?”

 

ମୀନକେତନ ଖପ୍ କରି ଦୋଳିରୁ ଡେଇଁପଡ଼ିଲା ।

 

ଭବାନୀପ୍ରସାଦ ବସିବା ଥାନରୁ ଉଠି ଠିଆ ହୋଇପଡ଼ିଲେ ।

 

ନାଙ୍ଗୁଡ଼ାଏ ପରିହାସ କରୁନଥିଲେ । ଅଖଣ୍ଡ ଦୀପ ପରି ସେତେବେଳକୁ ସେ ଜଳୁଥିଲେ-। ସେଇଥିରୁ ଟିକିଏ ନିଆଁନେଇ ଭବାନୀପ୍ରସାଦଙ୍କର ମଝିରେ ମଝିରେ ନିଭିଯାଉଥିବା ଛୋଟିଆ ପରିବାରର ଦୀପଦିହକୁ ଟିକିଏ ଚେଙ୍ଗି ଦେଇଥିଲେ ।

 

“କିନ୍ତୁ ମୁଁ ତ ଫ୍ୟାକଟ୍ରିରୁ ମୋ ମନକୁ ପଳେଇ ଆସିନାହିଁ–ମତେ ବାରବର୍ଷ ହେଲା ପଞ୍ଜାବୀ, ସିନ୍ଧି, ଗୁଜୁରାଟୀ, ବଙ୍ଗାଳୀ......କାରଣ ମୁଁ ଓଡ଼ିଆ ବୋଲି” ମୀନକେତନ ଆରମ୍ଭ କରି ଆସୁଥିଲା ।

 

ମାତ୍ର ଲାଙ୍ଗୁଳା ନରହରି ପରିଡ଼ାଏ ମୀନକେତନକୁ ଆଉ କିଛି କହିଲେ ନାହିଁ । କେବଳ ତା’ ଆଡ଼କୁ ଦି’ପାଦ ଘୁଞ୍ଚିଗଲେ । ତା’ ଦିହଉପରେ ତାଙ୍କର ଅଶୀବର୍ଷର ହାତପାପୁଲିକୁ ଥରେ ବୁଲେଇଆଣିଲେ । ମୀନକେତନର ରୁମ୍‍ସବୁ ଟାଙ୍ଗୁରିଉଠିଲା ।

 

ମୀନକେତନ ବାପର ମଝିଆଁ ପୁଅ । ଯୁଗକ ତଳେ ଏଇ ପୁଅକୁ ଉଚ୍ଚଶିକ୍ଷା ଦେବାକୁ ଅସମର୍ଥ ହୋଇ ଭବାନୀପ୍ରସାଦ ତାକୁ ହଳେ ନୂଆ ଜାମା ପ୍ୟାଣ୍ଟ୍ ଆଉ ହଳେ ଜୋତା ପିନ୍ଧେଇ ଦେଉଥିଲେ ଓ ଟିଣବାକ୍ସଟିଏ ହାତରେ ଧରେଇଦେଇ ଗାଡ଼ିରେ ବସେଇଦେଇ ଆସିଥିଲେ, ଆଉ ପୁଅପାଇଁ ପଦେ ପଦେ ଉପଦେଶ ଦେବା ପରିବର୍ତ୍ତେ ନିଜେ କାନଡ଼େରି ପୁଅ ମୁହଁରୁ ଶୁଣିଥିଲେ–“ସିଏ ବଡ଼, ସିଏ ବଡ଼–ଯେ ମଟର ଚଢ଼େ ସିଏ ନୁହେଁ ବାପା ! ଯିଏ ଲୁହା ପଥର ତରଳେଇ ଲୁହା ନିଗାଡ଼େ...”

 

ଜାତୀୟ ବିପତ୍ତିକାଳରେ ଜଣେ ଫ୍ୟାକ୍ଟ୍ରି ଶ୍ରମିକ ପିଠିରେ ପିତୃତୁଲ୍ୟ ମଣିଷ ହାତର ସ୍ପର୍ଶ କି ଭୟଙ୍କର ଭାବାବେଗ ସୃଷ୍ଟି କରିପାରେ, ତାହା ସେଦିନ ସନ୍ଧ୍ୟାରେ ମୀନକେତନ ହିଁ ପ୍ରମାଣ ଦେଲା ।

 

ସେଇ ସନ୍ଧ୍ୟାରେ ମୀନକେତନ ପୁଣି ଫେରିଗଲା ତା’ ଥାନକୁ । ଗଲାବେଳେ ଭବାନୀପ୍ରସାଦ ଓ ନାଙ୍ଗୁଡ଼ାଙ୍କୁ ଜୁହାର ହେଲାବେଳେ ପୁଣି କାହିଁକି ସେଇଆ କହିଲା–ଯାହାକୁ ସକାଳେ କହିଥିଲା । କିନ୍ତୁ ସକାଳେ ଯେଉଁ ଶବ୍ଦଗୁଡ଼ାକ ତାଙ୍କଠାରେ ଅଲଗା ଅଲଗା ଛିଣ୍ଡା ଛିଣ୍ଡା ଶୁଭୁଥିଲା ହଠାତ୍ ସେଇ ପଞ୍ଜାବୀ, ସିନ୍ଧୁ, ଗୁଜୁରାଟ୍ ପ୍ରଭୃତି ଶବ୍ଦମାନେ ଏମିତି ଯୋଖିଯାଖି ହେଲାଭଳି ଶୁଭିଗଲା ଯେ ସେଥିରୁ ଗୋଟିଏ ଛନ୍ଦ ସବୁରି ଅଜାଣତରେ ବାହାରିଆସି ବିଦାୟକାଳୀନ ବ୍ୟକ୍ତିମାନଙ୍କୁ ଆହୁରି ନିବିଡ଼ଭାବେ ଛନ୍ଦି ପକେଇଲା ।

 

ଭବାନୀପ୍ରସାଦ ମଝିଆଁ ପୁଅକୁ ଏଇଠି ଆଉଥରେ କୁଣ୍ଢେଇପକେଇଲେ ଓ କାନ୍ଦିପକେଇଲେ । ଦିନ କେଇଟା ତଳେ ମୁଣ୍ଡରେ ବ୍ୟାଣ୍ଡେଜ୍ ପିନ୍ଧି ଏଇପିଲା ଗାଡ଼ିରୁ ଓହ୍ଲେଇପଡ଼ିଲାବେଳେ ଭବାନୀପ୍ରସାଦଙ୍କ ମନେଅଛି କେମିତି ୟାକୁ କୁଣ୍ଢେଇପକେଇଥିଲେ ଓ କାନ୍ଦିପକେଇଥିଲେ । ମାତ୍ର ଏ ଦୁଇ କୁଣ୍ଢିଆକୁଣ୍ଢି କାନ୍ଦକୁଟା ଭିତରେ ପାର୍ଥକ୍ୟ ଥିଲା । ବହୁତ ପାର୍ଥକ୍ୟ ଥିଲା ।

 

“ତୁଇ ମୋର ସୁନା–ତିନି ପୁଅଙ୍କ ଭିତରେ ତୁଇ ଯେ ମୋ ନାଁ ରଖିବୁ, ସ୍ୱପ୍ନରେ ସୁଦ୍ଧା ଭାବିନଥିଲି” ଭବାନୀପ୍ରସାଦ ଶେଷରେ ମନକଥା ଫିଟାଇଦେଲେ ।

 

ଫାକ୍ଟ୍ରିର ମୂଲିଆ ତା’ର ପ୍ରାପ୍ୟ ପାଇଗଲା । କୋଟିନିଧି ପାଇଗଲା । ଭଁ କରି ଉଡ଼ିଗଲା ଯେଉଁଠୁ ଉଡ଼ିଆସିଥିଲା ସେଇ ବସାକୁ–ଇସ୍ପାତ୍ କାରଖାନାର ସେଇ ଛୋଟ ଶ୍ରମିକମାନଙ୍କର ପାଇଁ ନିର୍ଦ୍ଦିଷ୍ଟ ବସାକୁ ।

 

ୟାପରେ ପଡ଼ିଲା ଭବାନୀପ୍ରସାଦଙ୍କ ନିଜ ପାଳି । ନାଙ୍ଗୁଡ଼ାଏ ଭବାନୀପ୍ରସାଦଙ୍କଆଡ଼କୁ ନିରୋଳାରେ ଥରେ ଚାହିଁଦେଲେ ଓ ମୁରୁକେଇ ହସି କହିଲେ–

 

“ପୁଅମାନେ ଗଲେ । ଏଥର ନିଜ ରକ୍ତ ଦେବାପାଇଁ ପ୍ରସ୍ତୁତ ହୋଇଯାଅ ମାଷ୍ଟ୍ରେ ।”

 

ଚମକିପଡ଼ିଲେ ଭବାନୀପ୍ରସାଦ । ହଠାତ୍ ତାଙ୍କର ମନକୁ ଆସିଲା ନାଙ୍ଗୁଡ଼ାଙ୍କର ସେଦିନର ସେଇ ହତଲକ୍ଷ୍ମା ମୁହଁଟା ।

 

କିନ୍ତୁ ନାଙ୍ଗୁଡ଼ାଏ ଆଜି ନିଃସ୍ଵ ବା ନିଃସଙ୍ଗ ନଥିଲେ ସେଦିନ ଭଳିଆ । ପଛରେ ଆଜି ତାଙ୍କର ଲମ୍ବା ନାଙ୍ଗୁଡ଼ । ଗାଁର କେତେଜଣ ବୟସ୍କା ସ୍ତ୍ରୀଲୋକ, ମୁଣ୍ଡରୁ ହାତେ ହାତେ ଓହଳିପଡ଼ିଛି ଓଢ଼ଣା, କିନ୍ତୁ ହାତରେ ମେଞ୍ଚାଏ ମେଞ୍ଚାଏ ଉଲ୍, ପୁରୁଣା ସାଇକଲ୍ ସ୍ପୋକ୍‍ର ଘରତିଆରି ହଳେ ହଳେ ଉଲ୍ ବୁଣା କଣ୍ଟା, ସେଥିରୁ ଲମ୍ବିପଡ଼ିଥାଏ କୋଉ ଛୁଆ ମାପରେ କୋଉକାଳେ ଆରମ୍ଭ ହୋଇଥିଲା ମାତ୍ର ଶେଷ ନହୋଇପାରି ରହିଯାଇଥିବା ଖଣ୍ଡେ ସ୍ୱେଟର କି ଖଣ୍ଡେ ମୋଜାରୁ ହାତେ କି ଚାଖଣ୍ଡେ । ଛୁଆଗୁଡ଼ାକ ତଥାପି ଗାଡୁ଼ ଗାଡ଼ୁ ହଉଥାନ୍ତି–ଫଉଜ କେ ବାସ୍ତେ–ଜୱାନ ପାଣ୍ଠିକୁ ଦାନ କରନ୍ତୁ ଇତ୍ୟାଦି ।

 

ଭବାନୀପ୍ରସାଦ ଆଉଥରେ ଚାହିଁଦେଲେ ନାଙ୍ଗୁଡ଼ାଙ୍କ ମୁହଁକୁ ଆଉ ତାପରେ ତାଙ୍କର ସେଇ ଉନ୍ନତ୍ତ ପୁଚ୍ଛକୁ । ଡରିଗଲେ, ଶୀତେଇଗଲେ, ଥରିଗଲେ, ଆଉ ସେମିତି ଥରିଥରିକା କହିଲେ–

 

“ତେବେ ଆପଣ ବି ଆଜି ବିଶ୍ୱାସ କରୁଛନ୍ତି ସେଇଆ ଯାହା ଅନ୍ୟମାନେ ?”

 

ଅଶୀବର୍ଷର ପୁରୁଖା ନେତା ନାଙ୍ଗୁଡ଼ାଏ ବୁଝିପାରିଲେ । ହସିଦେଲେ ପୁଣି ମୁଚୁକାଏ ଆଉ କହିଲେ–

 

“ଦୁଇ ବିଶ୍ୱାସ ମଧ୍ୟରେ ପାର୍ଥକ୍ୟ ଢେର ମାଷ୍ଟ୍ରେ ।”

 

ନରମିଗଲେ ଭବାନୀପ୍ରସାଦ । ତାଙ୍କର ଆଦର୍ଶବାଦୀ ଶିକ୍ଷକ ମୁଣ୍ଡ ନେତାର ମୁଣ୍ଡ ନିକଟରେ ଟିକିଏ ଘୂମିଗଲା । କିନ୍ତୁ ଇସାରାରୁ ବୁଝିନପାରି ଶବ୍ଦ ଆଉ ବାକ୍ୟପାଇଁ ତଥାପି ଅପେକ୍ଷା କରି ରହିଲେ ସେ ।

 

ଲାଗିଆସିଲେ ନାଙ୍ଗୁଡ଼ାଏ ଭବାନୀପ୍ରସାଦଙ୍କ ନିକଟକୁ । ତାଙ୍କ କାନପାଖେ ମୁହଁରଖି, ମନ୍ତ୍ର ଉଚ୍ଚାରଣ ପରି, ଅନ୍ୟ କେହି ନ ଶୁଣିଲାପରି କହିଲେ–

 

“ହିଂସାର ଜୟ କି ଅହିଂସାର ଜୟ ଏଇଆ ତ ?

 

ଭବାନୀପ୍ରସାଦଙ୍କର ରୁମ ଟାଙ୍କୁରିଗଲା ।

 

“ତୁମେ ପଚାରୁଚ–ଆଜି ମହାତ୍ମାଏ ବଞ୍ଚିଥିଲେ କଅଣ କରିଥାନ୍ତେ ।”

 

–ଏ ଯୁଦ୍ଧର ମୁହାଁମୁହିଁ ହୋଇଥାଆନ୍ତେ କେଉଁଭଳି–ଏଇଆ ତ ?

 

ମୁହଁ ପୋତିଦେଲେ ଭବାନୀପ୍ରସାଦ । ବାସ୍ତବିକ୍ ସେଇଆ ହିଁ ସେ ଏତେବେଳଯାକେ ନିଜକୁ ନିଜେ ପଚାରୁଥିଲେ । ଏଇଥିପାଇଁ ସାରାଦେଶ ଯେତେବେଳେ ଯୁଦ୍ଧରେ ଉନ୍ମତ୍ତ ହୋଇଉଠିଥିଲା, ସେ ତଥାପି ନିଜପାଖେ ନିଜେ ସତ୍ୟାଗ୍ରହ କରି ବସିଥିଲେ ।

 

କିନ୍ତୁ ଲାଙ୍ଗୁଳା ନରହରି ପରିଡ଼ାଙ୍କର ଏ ଆତ୍ମସଂଶୟ ନଥିଲା । ସେ ମୁକ୍ତ ହୋଇସାରିଥିଲେ । ଭବାନୀପ୍ରସାଦଙ୍କ କାନ୍ଧରେ ସେଇ ଅଶୀବର୍ଷର ଶୁଖିଲା ହାତକୁ ରଖିଦେଲେ–ଯେଉଁ ହାତରେ ମୀନକେତନକୁ ଛୁଇଁଥିଲେ ସେ, ଆଉ ଆହୁରି ନିଗୂଢ଼ଭାବେ ନାମ ଦେଲାଭଳି ନରମ ଗୁପ୍ତ କଣ୍ଠରେ କହିଲେ–

 

“ତୁମେ ଯଦି ସେଇ ଶଂସୟରେ ପଡ଼ିଯାଇଥାଅ ମାଷ୍ଟ୍ରେ ତେବେ ଆଉ ଥରେ ଶୁଣ । ହିଂସାର ଜୟ ବା ଅହିଂସାର ଜୟ ଏ ପ୍ରଶ୍ନ ତୁମଆଗରେ କି ମୋଆଗରେ କିମ୍ୱା ମହାତ୍ମାଜୀଙ୍କ ଆଗରେ ଥୋଇ ଲାଭନାହିଁ । ଏ ପ୍ରଶ୍ନ କାହାରି ଏକଚାଟିଆ ନୁହେଁ । ଏ ପ୍ରଶ୍ନକୁ ମଣିଷ ଆଗରେ ଥୋଇଦିଅ । ଦେଖିବ ମଣିଷ ତା’ର ଉତ୍ତର ଜାଣେ ।”

 

“ଆପଣ କ’ଣ ଭାବୁଛନ୍ତି ଏହାର ଉତ୍ତର ଯେଉଁମାନେ ଶତ୍ରୁ ସେମାନେ ବି ଜାଣନ୍ତି ?” ଭବାନୀପ୍ରସାଦ ନାଙ୍ଗୁଡ଼ାଙ୍କ ହାତର ସେଇ ବିଦ୍ୟୁତ୍ ସ୍ପର୍ଶ ସତ୍ତ୍ୱେ ସ୍ଥିର ରହିବାକୁ ଦାନ୍ତ କାମୁଡ଼ିପକେଇ ପଚାରିଲେ ।

 

“ଶତ୍ରୁ ? କୋଉମାନେ ?” ନାଙ୍ଗୁଡ଼ାଏ ଭବାନୀପ୍ରସାଦଙ୍କ ଦେହଉପରୁ ହାତ କାଢ଼ିଆଣି ନିଜେ ଚମକିପଡ଼ିଲା ପରି ଆଖିତରାଟି ଚାହିଁଲେ । ତାପରେ ତାଙ୍କର ଆଖି ମହମର ଆଖିଭଳି ଧୀରେ ଧୀରେ ମିଳେଇଆସିଲା ଓ ତାପରେ ସେ ସତେକି ଗୋଟାଏ ଅଙ୍କକଷା ଯନ୍ତ୍ରପରି ଭବାନୀପ୍ରସାଦଙ୍କର ପ୍ରଶ୍ନଟିକୁ ହଠାତ୍ କଷିବାକୁ ଆରମ୍ଭ କରିଦେଲେ ସେମିତ ଗୋଟିଏ ଜଟିଳ ମୁହୂର୍ତ୍ତର ଶେଷପର୍ଯ୍ୟନ୍ତ କଅଣ ସବୁ ତଣ୍ଟିରେ ଢକ ଢକ କରି ଅବଶେଷରେ କହିଲେ–

 

“ସେମାନେ ବି ଜାଣନ୍ତି ମାଷ୍ଟ୍ରେ ! ଯାହାଙ୍କୁ ତୁମେ ଶତ୍ରୁ କହୁଚ–”

 

“ତେବେ ଏ ଯୁଦ୍ଧ ଧର୍ମ ଯୁଦ୍ଧ ?” ଭବାନୀପ୍ରସାଦଙ୍କ ଦିହରୁ ଗୋଟାଏ କମ୍ପ ଅଜାଣତରେ ପଶିଗଲା ତାଙ୍କ ସ୍ଵର ଭିତରକୁ ।

 

“ଧର୍ମଯୁଦ୍ଧ ।” ନାଙ୍ଗୁଡ଼ାଏ ଗୋଟାଏ ହାତୁଡ଼ିମାଡ଼ ପରି ନିଜ ମୁଣ୍ଡକୁ ଛିଞ୍ଚାଡ଼ିଦେଲେ । ତାପରେ ପଛକୁ ବୁଲିପଡ଼ିଲେ ଓ ସିଂହାବଲୋକନ ପରି ତାଙ୍କ ପଛରେ ଠିଆ ହୋଇଥିବା ଗାଁର ଅଗଣିତ ଶିଶୁ ଆଉ ସ୍ତ୍ରୀଲୋକଙ୍କର ଉତ୍ସାହମୁଖର ଦୃଷ୍ଟିଗୁଡ଼ିକୁ ଗୋଟି ଗୋଟି କରି ଅନାଇସାରି ଆଉ ଥରେ ମୁଣ୍ଡ ହଲେଇ ପୁନରାବୃତ୍ତି କଲେ–“ଧର୍ମଯୁଦ୍ଧ ମାଷ୍ଟ୍ରେ ! ଏହାର ନାମ ହିଁ ଧର୍ମଯୁଦ୍ଧ ।”

 

“ଏଥିରେ ହିଂସା ଅହିଂସା ସବୁରି ଗତି ସମାନ ?” ଭବାନୀପ୍ରସାଦ ନିଜର ଦୋଷ ଛଡ଼େଇଲା ପରି ପୁଣିଥରେ ନ ପଚାରି ସ୍ଥିର ରହିପାରିଲେ ନାହିଁ ।

 

“ସମାନ ମାଷ୍ଟ୍ରେ ସମାନ !”

 

“ତେବେ କାହିଁକି ଏ ଯୁଦ୍ଧ ? କାହିଁକି ଆମେ ଲଢ଼ୁଥାଇ ? କାହିଁକି ମୋର ତିନି ତିନିଟା ପୁଅ ଏଇ ହିଂସାରେ ହିଁ ନଷ୍ଟ ହୋଇଗଲେ ?” ଭବାନୀପ୍ରସାଦ ହଠାତ୍ ପ୍ରଶ୍ନ ଆଉ ଉତ୍ତରମାନଙ୍କର ସବୁ କ୍ରମିକତାକୁ ଭୁଲିଯାଇ ଗୋଟିଏ ଆଦିମ ପୈତୃକ ଉଚ୍ଛ୍ୱାସରେ ଫାଟିପଡ଼ିଲେ । କିନ୍ତୁ ଲୋକପିତା ଲାଙ୍ଗଡ଼ାଙ୍କର ଉଚ୍ଛ୍ଵାସହିଁ ସେ ଯୁଦ୍ଧରେ ସବୁ ବ୍ୟକ୍ତିଗତ ପୈତୃକତାକୁ ବଳିପଡ଼ିଥିଲା ।

 

“ସେମାନେ ଅହିଂସାରେ ମଧ୍ୟ ନଷ୍ଟ ହୋଇଯାଇଥାନ୍ତେ ମାଷ୍ଟ୍ରେ ! ଯେମିତି ମାସ କେଇଟା ତଳେ ବାପର ମଟର ଚକାତଳେ ପୁଅ ନଷ୍ଟ ହୋଇଗଲା । ମନେଅଛି ନା ?” ନାଙ୍ଗୁଡ଼ାଏ ଭବାନୀପ୍ରସାଦଙ୍କ ଦିହକୁ ପୁଣି ଥରେ ଟିପିଦେଲେ ସେଇ ବିଦ୍ୟୁତ୍‍ବାହୀ ହାତର ଗୋଟାଏ ଦଶିଉଠା ଟିପଅଗରେ ।

 

ଭବାନୀପ୍ରସାଦଙ୍କ ମୁହଁ ଛିଟିକିଣି ମାଇଲା ପରି ତଳୁ ଉପରକୁ ହୋଇଗଲା ।

 

ନାଙ୍ଗୁଡ଼ାଏ ମୁରୁକେଇ ହସୁଥିଲେ । ସେ ହସ ଗୁରୁଶିଷ୍ୟର ହସ ନୁହେଁ, ଉପର ତଳର ହସ ନୁହେଁ । ସମାନର–ସାମ୍ୟର । ସମଦୁଃଖୀର ।

 

ଭବାନୀପ୍ରସାଦ ଯୋଉଠି ଠିଆହୋଇଥିଲେ ସେଇଠି ବସିପଡ଼ିଲେ ।

 

ସ୍ତ୍ରୀଲୋକମାନେ ଆଗରୁ ଆରମ୍ଭ କରିସାରିଥିଲେ । ତେବେ ସେମାନଙ୍କ ଭିତରୁ କେହି କେହି ସନ୍ଦେହରେ ପଡ଼ିଯାଇଥିଲେ । ଜଣେକିଏ କେତେବେଳୁ ପ୍ରଶ୍ନଟିଏ ପଚାରୁଥିବା ଶୁଣିପାରିଲେ ଭବାନୀପ୍ରସାଦ–

 

“ଯବାନଗୁଡ଼ାଙ୍କ ପାଦ କେଡ଼େ କେଡ଼େ ବଡ଼ କିଓ ଦେଠେଇ ? କ’ଣ ଏଡ଼େ ଆଡ଼ା ଚଉଡ଼ାର ମୋଜା ଘର ବସେଇଦେଲଣି ?”

 

ଭବାନୀପ୍ରସାଦ ସ୍ତ୍ରୀଲୋକଟାର ମୋଜା ଘରଆଡ଼କୁ ନ ଅନେଇ ଊର୍ଣ୍ଣନାଭ ଆଶ୍ରମର ଘରଆଡ଼କୁ ଚାହିଁଦେଲେ ।

 

କାରଣ ସେଇଠି ଗୋଟାଏ ଲୁଗାଶୁଖା ତାରରେ ସତେକି ଜଣେ ଯବାନ ପାଦର ନମୁନା ହେବାପାଇଁ ଅନିରୁଦ୍ଧର ଫାଳେ ଚିରା, ପୁରୁଣା ମୋଜା କୋଉଦିନୁ ଖରାବର୍ଷା ଶୀତ କାକରରେ ଝୁଲୁଥିଲା ।

 

“ଏଥିରେ ହିଂସା ଅହିଂସା ସବୁରି ଗତି ସମାନ ?” ଭବାନୀପ୍ରସାଦ ନିଜର ଦୋଷ ଛଡ଼େଇଲା ପରି ପୁଣିଥରେ ନ ପଚାରି ସ୍ଥିର ରହିପାରିଲେ ନାହିଁ ।

 

“ସମାନ ମାଷ୍ଟ୍ରେ ସମାନ !”

 

“ତେବେ କାହିଁକି ଏ ଯୁଦ୍ଧ ? କାହିଁକି ଆମେ ଲଢ଼ୁଥାଇ ? କାହିଁକି ମୋର ତିନି ତିନିଟା ପୁଅ ଏଇ ହିଂସାରେ ହିଁ ନଷ୍ଟ ହୋଇଗଲେ ?” ଭବାନୀପ୍ରସାଦ ହଠାତ୍ ପ୍ରଶ୍ନ ଆଉ ଉତ୍ତରମାନଙ୍କର ସବୁ କ୍ରମିକତାକୁ ଭୁଲିଯାଇ ଗୋଟିଏ ଆଦିମ ପୈତୃକ ଉଚ୍ଛ୍ୱାସରେ ଫାଟିପଡ଼ିଲେ । କିନ୍ତୁ ଲୋକପିତା ଲାଙ୍ଗଡ଼ାଙ୍କର ଉଚ୍ଛ୍ୱାସହିଁ ସେ ଯୁଦ୍ଧରେ ସବୁ ବ୍ୟକ୍ତିଗତ ପୈତୃକତାକୁ ବଳିପଡ଼ିଥିଲା ।

 

“ସେମାନେ ଅହିଂସାରେ ମଧ୍ୟ ନଷ୍ଟ ହୋଇଯାଇଥାନ୍ତେ ମାଷ୍ଟ୍ରେ ! ଯେମିତି ମାସ କେଇଟାତଳେ ବାପର ମଟର ଚକାତଳେ ପୁଅ ନଷ୍ଟ ହୋଇଗଲା । ମନେଅଛିନା ?” ନାଙ୍ଗୁଡ଼ାଏ ଭବାନୀପ୍ରସାଦଙ୍କ ଦିହକୁ ପୁଣି ଥରେ ଟିପିଦେଲେ ତାଙ୍କର ସେହି ବିଦ୍ୟୁତ୍‍ବାହୀ ହାତର ଗୋଟାଏ ଦଶିଉଠା ଟିପ ଅଗରେ ।

 

ଭବାନୀପ୍ରସାଦଙ୍କ ମୁହଁ ଛିଟିକିଣି ମାଇଲା ପରି ତଳୁ ଉପରକୁ ହୋଇଗଲା ।

 

ନାଙ୍ଗୁଡ଼ାଏ ମୁରୁକେଇ ହସୁଥିଲେ । ସେ ହସ ଗୁରୁଶିଷ୍ୟର ହସ ନୁହେଁ, ଉପର ତଳର ହସ ନୁହେଁ ।

 

ସମାନର–ସାମ୍ୟର । ସମଦୁଃଖୀର ।

 

ଭବାନୀପ୍ରସାଦ ଯୋଉଠି ଠିଆହୋଇଥିଲେ ସେଇଠି ବସିପଡ଼ିଲେ ।

 

ସ୍ତ୍ରୀଲୋକମାନେ ଆଗରୁ ଆରମ୍ଭ କରିସାରିଥିଲେ । ତେବେ ସେମାନଙ୍କ ଭିତରୁ କେହି କେହି ସନ୍ଦେହରେ ପଡ଼ିଯାଇଥିଲେ । ଜଣେ କିଏ କେତେବେଳୁ ପ୍ରଶ୍ନଟିଏ ପଚାରୁଥିବା ଶୁଣିପାରିଲେ ଭବାନୀପ୍ରସାଦ–

 

“ଯବାନଗୁଡ଼ାଙ୍କ ପାଦ କେଡ଼େ କେଡ଼େ ବଡ଼ କିଓ ଦେଠେଇ ? କ’ଣ ଏଡ଼େ ଆଡ଼ା ଚଉଡ଼ାର ମୋଜା ଘର ବସେଇଦେଲେଣି ?”

 

ଭବାନୀପ୍ରସାଦ ସ୍ତ୍ରୀଲୋକଟାର ମୋଜା ଘରଆଡ଼କୁ ନ ଅନେଇ ଊର୍ଣ୍ଣନାଭ ଆଶ୍ରମର ଘରଆଡ଼କୁ ଚାହିଁଦେଲେ । କାରଣ ସେଇଠି ଗୋଟାଏ ଲୁଗାଶୁଖା ତାରରେ ସତେକି ଜଣେ ଯବାନ୍ ପାଦର ନମୁନା ହେବାପାଇଁ ଅନିରୁଦ୍ଧରେ ଫାଳେ ଚିରା, ପୁରୁଣା ମୋଜା କୋଉଦିନୁ ଖରାବର୍ଷା ଶୀତ କାକରରେ ଝୁଲୁଥିଲା ।

Image